Unknown

 

 

 

 

 

 

 

 

 

ସାହିତ୍ୟପ୍ରଭା

ମାୟାଧର ମାନସିଂହ

 

ସୂଚିପତ୍ର

 

୧.

ବିଶ୍ୱରୂପ (ପଦ୍ୟ)

୨.

ପ୍ରକୃତି

୩.

ସ୍ତବଗାନ (ପଦ୍ୟ)

୪.

ବାରବାଟୀ (ପଦ୍ୟ)

୫.

ଉତ୍କଳପୁତ୍ର ମଧୁସୂଦନ

୬.

ଗ୍ରୀଷ୍ମ ବର୍ଣ୍ଣନା (ପଦ୍ୟ)

୭.

ଯୀଶୁଖ୍ରୀଷ୍ଟ

୮.

ଦେବାବତରଣ (ପଦ୍ୟ)

୯.

ଯୌଥ ଓ ସମବାୟ ଆନ୍ଦୋଳନ

୧୦.

ନୂତନ କୃଷକ

୧୧.

ରାମଙ୍କ ଗଙ୍ଗାପାରି (ପଦ୍ୟ)

୧୨.

ସତ୍‍ସାହସ ଓ ପୁଣ୍ୟକର୍ମ

୧୩.

ହିନ୍ଦୁଧର୍ମ ଓ ଗୀତା

୧୪.

ଦେଶଦ୍ରୋହୀ

୧୫.

ଶ୍ରୀକ୍ଷେତ୍ରରେ ଚନ୍ଦ୍ରାଲୋକ (ପଦ୍ୟ)

୧୬.

ସତ୍ୟସନ୍ଧାନ

୧୭.

ଦେବପୂଜା (ପଦ୍ୟ)

୧୮.

ଟଲ୍‍ଷ୍ଟୟ୍

୧୯.

ଭାଟ (ପଦ୍ୟ)

୨୦.

ଖଣ୍ତାୟତ ପଲ୍ଲୀରେ ଦଶହରା

୨୧.

ତ୍ୟାଗ

୨୨.

ଚିଲିକାରେ ସନ୍ଧ୍ୟା (ପଦ୍ୟ)

୨୩.

ଗୌତମ ବୁଦ୍ଧ

୨୪.

ବୌଦ୍ଧ ଜାତକ

୨୫.

ଜଗନ୍ନାଥ ବନ୍ଦନ (ପଦ୍ୟ)

୨୬.

ଉଷ୍ଟ୍ରଚାଳକର ଗଳ୍ପ

୨୭.

କଞ୍ଚୁକୀର ଉକ୍ତି (ପଦ୍ୟ)

୨୮.

ମହମ୍ମଦ ଓ ଇସ୍‍ଲାମ୍

୨୯.

ଚିଲିକା

୩୦.

ରବୀନ୍ଦ୍ରନାଥ ଠାକୁର

୩୧.

ଚରିତ୍ର

୩୨.

ମହାନଦୀରେ ଜ୍ୟୋତ୍ସ୍ନାବିହାର (ପଦ୍ୟ)

୩୩.

ଆତିଥେୟତା

୩୪.

କନ୍ଧଜାତିର ମାନବିକତା

୩୫.

ବର୍ଷା ବର୍ଣ୍ଣନା (ପଦ୍ୟ)

୩୬.

କାଳିଦାସ

୩୭.

ଶକୁନ୍ତଳା ବିଦାୟ

୩୮.

ସମ୍ରାଟଙ୍କ ପ୍ରତ୍ୟାବର୍ତ୍ତନ

୩୯.

କବି ଓ ଅଭିଜାତ

୪୦.

ସନ୍ଥଜନ (ପଦ୍ୟ)

୪୧.

ମହାନୁଭବ ଲର୍ଡ଼ ଶାଫ୍‍ଟସ୍‍ବରୀ

୪୨.

ବୀରବାଳକ

୪୩.

କ୍ଷମା

୪୪.

ମହାଯୁଦ୍ଧରେ ଭାରତୀୟର ବୀରତ୍ୱ

Image

 

ବିଶ୍ୱରୂପ

 

ଅନ୍ଧକାର ଦେବାଳୟେ, ପର୍ବତ କନ୍ଦରେ

କଠୋର ତପସ୍ୟା ସାଧି କିପାଇଁ ଈଶ୍ୱରେ

ଖୋଜିଥାନ୍ତି ଯୋଗିଜନେ ? ଏହି ଦୃଶ୍ୟମାନ

ବିଚିତ୍ର ଧରଣୀ-ପରେ ତାଙ୍କର ସନ୍ଧାନ

ବ୍ୟର୍ଥ କି ହୋଇବ ହେଳେ ? ରେଣୁ ରବିଯାଏ

ଊର୍ଦ୍ଧ୍ୱେ ଅଧେ ଚତୁର୍ଦ୍ଦିଗେ, ଯହିଁ ମୁଁ ପକାଏ

ଦୃଷ୍ଟି ମୋର, ତହିଁ ପାଏ ବିରାଟ ସ୍ରଷ୍ଟାର

ସତ୍ୟସ୍ପର୍ଶ ମୋ ଇନ୍ଦ୍ରିୟେ । ମୋ ପଦସଞ୍ଚାର

ଯେ ତୁଚ୍ଛ ରେଣୁରେ ହୁଏ, ତହିଁ ଭଗବାନ

ଓତପ୍ରୋତେ ଛନ୍ତି ରହି । ନଭେ ଲମ୍ବମାନ

ତାରେ ଗଣେ ପୁଣି ସେହି । ତାଙ୍କୁ ଖୋଜିବାରେ

ପର୍ବତେ ପଶିବି କିପାଁ ? ମୋର ଚାରି ଧାରେ

ଏ ଧରଣୀ ରନ୍ଧ୍ରେ ରନ୍ଧ୍ରେ, ଅଣୁ ଅଣୁ ଭେଦି

ଅଛନ୍ତି ସେ, ଖିଳ-ବିଶ୍ୱ ତାଙ୍କ ପୂଜା-ବେଦୀ ।

Image

 

ପ୍ରକୃତି

 

ସାଧାରଣତଃ ପ୍ରକୃତି କହିଲେ ବୃକ୍ଷଲତାଦି ଉଦ୍ଭିଜ୍ଜଗତକୁ ବୁଝାଏ । କିନ୍ତୁ ବ୍ୟାପକ ଅର୍ଥରେ ଅନନ୍ତ ଅନ୍ତରୀକ୍ଷର ଅଗଣିତ ଜ୍ୟୋତିଷ୍କମଣ୍ଡଳିଠାରୁ ପଦତଳର ସାମାନ୍ୟ ଦୂର୍ବାପର୍ଯ୍ୟନ୍ତ ସମସ୍ତ ଈଶ୍ୱରସୃଷ୍ଟ ବସ୍ତୁ ପ୍ରକୃତିର ଅନ୍ତର୍ଗତ । ଏହି ଅର୍ଥରେ ମନୁଷ୍ୟ ମଧ୍ୟ ପ୍ରକୃତିର ଏକ ଅଙ୍ଗ ।

 

କିନ୍ତୁ ସାଧାରଣ ଅର୍ଥରେ ମନୁଷ୍ୟକୁ ପ୍ରକୃତିଠାରୁ ଭିନ୍ନ ବୋଲି ଧରାଯାଏ । ଏହାର କାରଣ ଏହି ଯେ, ପ୍ରକୃତିର ଅନୁକରଣରେ ପ୍ରକୃତିଠାରୁ ଅଲଗା ହୋଇ ମନୁଷ୍ୟ କାଳକ୍ରମେ ନିଜର ଗୋଟିଏ ସ୍ୱତନ୍ତ୍ର ସଂସାର ଗଢ଼ି ପକାଇଅଛି । ମନୁଷ୍ୟେତର ସକଳ ପ୍ରାଣୀ ପ୍ରକୃତି ଦେହରେହିଁ ଆଶ୍ରୟ ଗ୍ରହଣ କରନ୍ତି । କିନ୍ତୁ ମନୁଷ୍ୟ ତା’ର ଆଶ୍ରୟ ଲାଗି, ପ୍ରକୃତିର କ୍ରୋଡ଼ରୁ ବିଚ୍ଛିନ୍ନ ହୋଇ ଗ୍ରାମ ଓ ନଗରମାନ ସୃଷ୍ଟି କରିଅଛି । କାଳକ୍ରମେ ଏହି ଗ୍ରାମ ଓ ନଗରମାନଙ୍କରୁ ମନୁଷ୍ୟର ଜୀବନପ୍ରଣାଳୀକୁ ଆଶ୍ରୟ କରି ଓ ମନୁଷ୍ୟର ବୁଦ୍ଧି, କୌଶଳ ଓ ହସ୍ତପାଟବ ଉପରେ ନିର୍ଭର କରି ଗୋଟିଏ ବିରାଟ ସଭ୍ୟତା ଗଠିତ ହୋଇ ଉଠିଛି । ଏହି ସଭ୍ୟତା ସମ୍ପୂର୍ଣ୍ଣତଃ ମନୁଷ୍ୟର । ଈଶ୍ୱରସୃଷ୍ଟ ଅନ୍ୟ କୌଣସି ଜୀବର ଏ ପ୍ରକାର ସଭ୍ୟତା ନାହିଁ । ଏହି ସଭ୍ୟତାରୁ ଭିନ୍ନ ହେଲେ ମନୁଷ୍ୟ ଓ ଇତର ପ୍ରାଣୀ ମଧ୍ୟରେ ବିଶେଷ କିଛି ପ୍ରଭେଦ ରହେ ନାହିଁ । କାରଣ ଭୋଜନ–ଶୟନାଦି ସାଧାରଣ କ୍ରିୟା ମନୁଷ୍ୟପରି ଅନ୍ୟମାନଙ୍କର ମଧ୍ୟ ଅଛି । କିନ୍ତୁ ଚିତ୍ତବିନୋଦନ ଲାଗି ସାହିତ୍ୟ ଓ କଳା ଓ ଶ୍ରମଲାଘବ ଲାଗି ବିଭିନ୍ନ ଯନ୍ତ୍ରସକଳ ଆଉ କେଉଁ ପ୍ରାଣୀର ଅଛି ? ମନୁଷ୍ୟ ସାଧାରଣତଃ ଏହି ସବୁକୁ ଘେନି ତା’ର ସଭ୍ୟତାର ଗର୍ବ କରିଥାଏ ।

 

କିନ୍ତୁ କେତେକ ପଣ୍ଡିତମାନଙ୍କ ମତରେ ମନୁଷ୍ୟର ଏହି ସ୍ୱତନ୍ତ୍ର ସୃଷ୍ଟି ମନୁଷ୍ୟର ଦୁଃଖକାରକ । ଏମାନଙ୍କ ମତରେ ପ୍ରକୃତି ସଙ୍ଗେ ମନୁଷ୍ୟର ସମ୍ପର୍କ ଯେତେଦୂର ଘନିଷ୍ଠ ହେବ, ତା’ର ଦେହ ଓ ମନର ସ୍ୱାସ୍ଥ୍ୟ ତେତେ ଦୂର ଉନ୍ନତ ହେବ । ପ୍ରକୃତି ସହିତ ସଖ୍ୟ ରଖି ପ୍ରାକୃତିକ ଉପାୟରେ ଜୀବନଯାପନ କଲେ ମନୁଷ୍ୟ ଯେ କେବଳ ସୁସ୍ଥ ଓ ଦୀର୍ଘାୟୁ ହେବ ତାହା ନୁହେ । ତା’ର ମନ ମଧ୍ୟ ଉଚ୍ଚ ଚିନ୍ତାର ଅଧିକାରୀ ହେବ । ବସ୍ତୁତଃ ଦେଖାଯାଏ ଯେ, ପର୍ବତ ଓ ଅରଣ୍ୟମାନଙ୍କରେ ପ୍ରକୃତିର ନିବିଡ଼ ସାହଚର୍ଯ୍ୟ ମଧ୍ୟରେ ବାସ କରୁଥିବା ଆରଣ୍ୟକ ଜାତିସକଳ ନାଗରିକମାନଙ୍କଠାରୁ ଅଧିକ ସୁସ୍ଥ ଓ ଦୀର୍ଘାୟୁ । କେବଳ ତାହା ନୁହେ, ସତ୍ୟ ପ୍ରତି ଅନୁରାଗ,ଆତିଥ୍ୟ, ଭକ୍ତି, ବିଶ୍ୱାସ ପ୍ରଭୃତି ଯେଉଁ ସବୁ ଗୁଣ ମନୁଷ୍ୟଚରିତ୍ରର ଭୂଷଣସ୍ୱରୂପ, ସେସବୁ ଏହି ଜାତିମାନଙ୍କଠାରେ ବିଶେଷଭାବରେ ପରିଦୃଷ୍ଟ ହୁଏ । ନଗରବାସୀମାନଙ୍କଠାରେ ଏସବୁ ଗୁଣର କେତେଦୂର ଅଭାବ, ତାହା ଏ ଯୁଗର ନଗରଜୀବନ ସଙ୍ଗେ ଯେଉଁମାନଙ୍କର ପ୍ରତ୍ୟକ୍ଷ ଯୋଗ ଅଛି,ସେମାନେ ସହଜରେ ବୁଝି ପାରିବେ । ପ୍ରଶାନ୍ତ ମହାସାଗରର ପଲିନେଶୀୟ ଦ୍ୱୀପପୁଞ୍ଜ ପ୍ରକୃତିର ବିଭବଭୂମି । ତତ୍ରତ୍ୟ ପ୍ରକୃତିର ବିଳାସ ମଧ୍ୟରେ ବଢ଼ି ସେହି ଦ୍ୱୀପମାନଙ୍କର ଅଧିବାସୀଗଣ ରୂପ ଓ ସ୍ୱାସ୍ଥ୍ୟରେ ପରମ ଭାଗ୍ୟବାନ୍ ହୋଇ ଉଠନ୍ତି । ସେଠାକାର ସାଧାରଣ ସ୍ତ୍ରୀ ଓ ପୁରୁଷ ଅତ୍ୟନ୍ତ ସୁନ୍ଦର ଓ ସେମାନେ ଏପରି ସୁସ୍ଥ ଯେ, ଇଉରୋପୀୟ ସଭ୍ୟତା ସେଠାରେ ପ୍ରବେଶ କରିବା ପୂର୍ବରୁ ସେମାନେ ରୋଗ କ’ଣ ଜାଣି ନ ଥିଲେ । ବର୍ତ୍ତମାନ ମଧ୍ୟ ସେଠାରେ ଜୀବନ ଆନନ୍ଦର ଏକ ପ୍ରବାହସ୍ୱରୂପ, ସେଠାର ଅଧିବାସୀମାନେ ପ୍ରକୃତିର ସଂପର୍କରେ ରହି ଦୁଃଖ କ’ଣ ଜାଣି ନାହାନ୍ତି ।

 

ପ୍ରକୃତି ସମ୍ପର୍କରେ ଥାଇ ଆମର ଏହି ଉତ୍କଳ ଦେଶର ଗଡ଼ଜାତମାନଙ୍କର ଆଦିମ ଜାତିମାନେ ଅତ୍ୟନ୍ତ ସରଳବିଶ୍ୱାସୀ ଓ ସତ୍ୟପ୍ରିୟ । ଆଧୁନିକ ସଭ୍ୟତା କ୍ରମେ କ୍ରମେ ସେମାନଙ୍କୁ କଳୁଷିତ କରି ଦେଉଛି । କିନ୍ତୁ ବର୍ତ୍ତମାନ ମଧ୍ୟ ଏମାନଙ୍କର ସରଳ ଜୀବନ, ସତ୍ୟାନୁରାଗ ଆତିଥେୟତା ଗଡ଼ଜାତର ଅରଣ୍ୟମାନଙ୍କୁ ପବିତ୍ର କରି ରଖିଛି ।

 

ନଗରବାସୀମାନେ ପ୍ରକୃତିଠାରୁ ଦୂରରେ ରହନ୍ତି । ଏମାନେ ମୁକ୍ତ ବାୟୁ, ମୁକ୍ତ ଆଲୋକ, ମୁକ୍ତ ଆକାଶ, ବୃକ୍ଷ ଲତାଦିର ସ୍ୱଚ୍ଛନ୍ଦ ସାହଚର୍ଯ୍ୟ ପାଇ ପାରନ୍ତି ନାହିଁ; ତେଣୁ ଏହି ରୁଦ୍ଧ ଜୀବନ ଏମାନଙ୍କ ଦେହ ଓ ମନର ସ୍ୱାସ୍ଥ୍ୟକୁ ନଷ୍ଟ କରେ । ସେଥିପାଇଁ ନଗରମାନଙ୍କରେ ନାନା ରୋଗ ଓ ଚୌର୍ଯ୍ୟାଦି ନାନା ଅପରାଧ ପରିଦୃଷ୍ଟ ହୁଏ । ନଗରରେ ପ୍ରତିବେଶୀ ପ୍ରତି ପ୍ରତିବେଶୀର ବିଶ୍ୱାସ ନ ଥାଏ; ମନୁଷ୍ୟର ମନୁଷ୍ୟ ପ୍ରତି ଯେଉଁ ସ୍ୱାଭାବିକ ସହାନୁଭୂତି, ତାହା ବିକୃତ ଜୀବନପ୍ରଣାଳୀ ଯୋଗୁ ମୃତ୍ୟୁଲାଭ କରେ ।

 

ଏହି ସବୁ କାରଣ ଯୋଗୁ ଇଉରୋପୀୟ ମନୀଷୀ ରୁଷୋ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ପ୍ରକୃତିବାଦ ପ୍ରଚାର କରି, ଚିନ୍ତାଜଗତରେ ଯୁଗାନ୍ତର ଆଣିଥିଲେ, କିନ୍ତୁ ଚିନ୍ତା-ଜଗତରେ ତାଙ୍କ ମତ ସମସ୍ତେ ସମର୍ଥନ କଲେହେଁ ବାସ୍ତବ ଜଗତରେ ତାହା କାର୍ଯ୍ୟରେ ପରିଣତ ହେଉ ନାହିଁ । କ୍ରମେ କ୍ରମେ ପୃଥିବୀର ସବୁ ଆଡ଼େ ଆଧୁନିକ ମାନବର ପ୍ରକୃତିସମ୍ପର୍କହୀନ ସଭ୍ୟତା ମାଡ଼ି ଯାଉଛି ।

Image

 

ସ୍ତବ ଗାନ

 

ନାହିଁ ଆଦି ଅନ୍ତ, ମଧ୍ୟ ନାହିଁ, ହେ ଅନନ୍ତବୀର୍ଯ୍ୟ

ଅଗଣ ତୁମ୍ଭର ବାହୁ, ନେତ୍ର ତବ ତପନ ତାରକା

ଉତ୍ତପ୍ତ ବହ୍ନିର ଜ୍ୟୋତି ମୁଖେ ତବ ସମଗ୍ର ଏ ବିଶ୍ୱ

ତୁମ୍ଭ ତେଜେ ଆଲୋକିତ ହେବାର ମୁଁ ଦେଖେ ।

ତୁମ୍ଭ କୀର୍ତ୍ତିଜାଳେ ଅନୁରଞ୍ଜିତ ଜଗତ

ରାକ୍ଷସ ଦାନବ ନାଶ ଯା’ନ୍ତି ଦିଶେ ଦିଶେ

ପ୍ରହୃଷ୍ଟ ଏ ବିଶ୍ୱ ତବ ମହିମାରେ ପ୍ରଭୁ

ସିଦ୍ଧ ତପୀ ମୁଖେ ଗାଏ ବନ୍ଦାପନା-ଗୀତି ।

ତୁମ୍ଭେ ଜ୍ଞାନ, ତୁମ୍ଭେ ଜ୍ଞାତା ଶ୍ରେଷ୍ଠ ଧାମ ତୁମ୍ଭେ

ଆବୃତ କରିଛ ତୁମ୍ଭେ ହେ ଅନନ୍ତରୂପ !

ନିଜରୂପେ ଏହି ବିଶ୍ୱ ଚିର ସନାତନ

ନିଖିଳ ଏ ଜଗତର ଏକାନ୍ତ ଶରଣ ।

ତୁମ୍ଭେ ବାୟୁ, ତୁମ୍ଭେ ଅଗ୍ନି, ବରୁଣ ଶଶାଙ୍କ

ତୁମ୍ଭେ ତ ଜଗତ ସ୍ରଷ୍ଟା ପ୍ରଜାପତି ପୁଣି

ସହସ୍ର ପ୍ରକାରେ ମୁହିଁ ନମେ ତୁମ୍ଭ ଆଗେ

ପୁଣି ନମସ୍କାର କରେଁ ବାରମ୍ବାର ସ୍ୱାମୀ ।

ନମେ ଆଗେ, ନମେ ପଛେ, ନମେ ଚାରିଆଡ଼େ

ସର୍ବଦିଗେ ବିରାଜିତ; ସର୍ବରେ ଆସୀନ

ହେ ଅନନ୍ତବୀର୍ଯ୍ୟ ! ପ୍ରଭୁ ଅନନ୍ତବିକ୍ରମ

ସବୁ ତୁମ୍ଭେ ତୁମ୍ଭଠାରେ ସବୁ ସମାପତ ।

Image

 

ବାରବାଟୀ

 

ମୋ ଜନନୀ ଉତ୍କଳର ଇତିହାସ-ଶିରେ

ରାଜଟୀକା ସମ,

ହେ ଦୁର୍ଗ ପରମ,

ତୁମେ ତୁଙ୍ଗ ବାରବାଟୀ ବୀର-ରକ୍ତ-ମାଂସରେ ଗଠିତ,

ଅତୀତର ବକ୍ଷ ପରେ

ଏ ଜାତିର ଜୟସ୍ତମ୍ଭ ପରି

ଦର୍ପଦୃପ୍ତ ସ୍କନ୍ଧ ଉଚ୍ଚେ ଧରି

ଆଣିଛ ବୁହାଇ ମୌନେ ନିଜ ଦେହେ ନିଜର ଅତୀତ ।

ଯାଇଛି ବିଶାଳ ରାଜ୍ୟମାନ; ସ୍ୱାଧୀନତା–

ରାଜନ୍ୟ ସମାନ

ବୁଦ୍‍ବୁଦ ସମାନ

ସର୍ବଗ୍ରାସୀ ମହାକାଳ-ସୁକରାଳ-ଲହରୀରେ ଭାସି;

ତୁମ୍ଭରି ସ୍ମୃତିଟି ମାତ୍ର

ଏ ଜାତିର ଅନ୍ତରେ ଅନ୍ତରେ

ଏ ଦେଶର କୋଟିଏ କଣ୍ଠରେ

ରାହୁ-ମୁକ୍ତ ଶଶିସମ କାଳଗର୍ଭୁଁ ଉଠଇ ପ୍ରକାଶି ।

କେତେ ରାଜ୍ୟ କେତେ ଜାତି ଅତୀତ ଗରଭେ

ଭଜିବେ ଶୂନ୍ୟତା !

ଉଦାର ବୀରତା

କେବେ କିନ୍ତୁ ଲୁଚିବ କି ?

-ଦୃପ୍ତ କାଳ ତାହା ନ ପାରିଛି ।

ପର ଲାଗି କାନ୍ଦିଛି ଯେ

କ୍ଷଣେ ହେଲେ ହୃଦୟ ଆକୁଳେ

ସମୟସମୁଦ୍ର କୂଳେ କୂଳେ

ତା’ର ନାମେ ସ୍ମୃତି ପାଇଁ ସମାରୋହେ ଦେଉଳ ଉଠିଛି ।

ପ୍ରସ୍ତର ମୃତ୍ତିକା ସିନା ପଡ଼ିଅଛି ଖସି,

ଭାଙ୍ଗି ଛି ଜଘନ;

ବୀରେନ୍ଦ୍ରଭୂଷଣ ।

ରନ୍ଧ୍ରେ ରନ୍ଧ୍ରେ ବୀରତ୍ୱର ବିରାଟତା ଉଠଇ ଯା ଫୁଟି

ନ୍ୟାୟ ପାଇଁ ସତ୍ୟ ପାଇଁ

ହୃଦୟର ଉଷ୍ଣ ରକ୍ତଦାନ,

ପରପାଇଁ ଢାଳିବାର ପ୍ରାଣ,

କାହା କର ବଳୀୟାନ ଏ ସ୍ମୃତିକୁ ଘେନିଯିବ ଲୁଟି ?

କେତେ ଶତାବ୍ଦୀର ମହାଗୌରବ, କପାଳେ

ନୀରବେ ନିବେଶି

ହେ ଅମ୍ବରକେଶୀ

ଆଜି ଏଠି ପଡ଼ିଅଛ ଅଚେତନ ପ୍ରାଣହୀନ ସମ

ବିଶ୍ୱ କୀର୍ତ୍ତି-ସଭା ପାଶେ

ଦୁଃଖ ହୁଏ ଆଜି, କୀର୍ତ୍ତିମାନ !

ନାହିଁ ତବ ଗରିମାର ସ୍ଥାନ !

ତବ ଅବସାନ ସହ ଆସିଅଛି ଜାତିର ସରମ !

ସେଦିନ ସେ ସୌଭାଗ୍ୟର ସୁଖର ମଧ୍ୟାହ୍ନେ

କେତେ ବୈତାଳିକ

ଅଦମ୍ୟ ନିର୍ଭୀକ

ତୁମର ଚରଣତଳେ ଗାଇଥିବେ ବନ୍ଦନାର ଗାନ,

କେତେ ଲକ୍ଷ ରାଜମଥା–

ଫୁଲ୍ଲ ପୁଷ୍ପଜନିତ-ବାସନା–

ଘେନି ହେଉଥିବ ଆରାଧନା,

ପଦପ୍ରାନ୍ତେ ଗଡ଼ୁଥିବ କୋଟି କୋଟି ଲୋକର ସମ୍ମାନ !

ତୁମର କଟାକ୍ଷ ଘାତେ କୃଷକବାହିନୀ

ଢାଲ ତରବାରି

ଧରିଣ ବାହାରି

କେତେ ରାଜ ଅଧିରାଜେ

ଅନାୟାସେ ନୁଆଁ ଇଲେ ତଳେ;

କେତେ ଶତସିନ୍ଧୁଯାତ୍ରୀ

ବାରିଧିର ମହାବକ୍ଷ ଖୋଜି

ମହାମୂଲ୍ୟ ମଣିମୁକ୍ତାରାଜି

ପ୍ରାଣର ଈପ୍‍ସିତ ସମ ଲମ୍ବାଇଲେ

ପୂଜ୍ୟ ! ତବ ଗଳେ,

ଉତ୍ତୁଙ୍ଗ ବକ୍ଷରେ ତବ, ପୁଣି ଥିଲ ଧରି

ଆତ୍ମା ତୁଙ୍ଗତର

ଉଦାର ଅମର,

ଦୁର୍ବଳର ରକ୍ଷାପାଇଁ ଅରିଅସ୍ତ୍ରେ

ଦେଲେ ଯେ ଶୋଣିତ,

ନିଜ ଦେଶ ନିଜ ଧର୍ମ

ନିଜ ମାତା ଭଗିନୀର ମାନ

ରଖିବାକୁ କଲେ ଅଭିଯାନ

ଶତ୍ରୁର କମାଣମୁଖେ ହସି ଗାଇ ମରଣ-ସଙ୍ଗୀତ ।

ବିଜୟ ଉତ୍ସବବେଳେ ନାରୀ ମନସ୍ୱିନୀ

ନୂପୁର ନିକ୍ୱଣେ,

ହୁଳହୁଳି ସ୍ୱନେ;

ବନ୍ଦାପନା କରୁଥିଲେ ବୀରକାନ୍ତ ପାଶେ ହୋଇ ଛିଡ଼ା,

ସେହି ପୁଣି ଅରି ଆଗେ

ସତୀ-ଧର୍ମ ରଖିବାର ପାଇଁ

ଅସି-ହସ୍ତେ କଲେ ଯେ ଲଢ଼ାଇ

ତବ ମୌନ ଆମନ୍ତ୍ରଣେ ତେଜି

ହେଳେ ଅବରୋଧ ବ୍ରୀଡ଼ା !

ସବୁ ଆଜି ସ୍ୱପ୍ନସମ ଯାଇଛି ହେ ଭାସି–

ମହତ୍ୱଗରିମା

ହୃଦୟତୁଙ୍ଗିମା;

ତୁମର ପତନ ସଙ୍ଗେ ମହାଜାତି ମିଶିଛି ଭୂତଳେ,

ମହାରାଜା ମହାସାଜେ

ମହୀ ଜିଣି ନ ଫେରଇ ଦେଶେ,

ଗୃହପ୍ରିୟ ଜାତି ଦୀନବେଶେ

ଗୃହ ତେଜି ଭିକ୍ଷା ପାଇଁ ଲୋଟେ

ଯାଇ କାହା ପଦତଳେ ।

Image

 

ଉତ୍କଳପୁତ୍ର ମଧୁସୂଦନ

 

ଶ୍ରୀଯୁକ୍ତ ମଧୁସୂଦନ ଦାସ ସି. ଆଇ. ଇ. ଉତ୍କଳର ପ୍ରଥମ ଗ୍ରାଜୁଏଟ୍, ପ୍ରଥମ ଭକୀଲ, ଲାଟ ଓ ବଡ଼ଲାଟଙ୍କ ସଭାରେ ପ୍ରଥମ ଓଡ଼ିଆ ସଦସ୍ୟ, ପ୍ରଥମ ଓଡ଼ିଆ ଇଉରୋପଯାତ୍ରୀ, ପ୍ରଥମ ଓଡ଼ିଆ ପ୍ରାଦେଶିକ ମନ୍ତ୍ରୀ ଏବଂ ସରକାରଙ୍କ ସଙ୍ଗେ ମତାନ୍ତର ଘେନି ମନ୍ତ୍ରିତ୍ୱ ପ୍ରତ୍ୟାଖ୍ୟାନ କରିବାକୁ ପ୍ରଥମ ଭାରତୀୟ ମନ୍ତ୍ରୀ । ମଧୁସୂଦନ ଜୀବନରେ ଆହୁରି ଅନେକ ବିଷୟରେ ମଧ୍ୟ ପ୍ରଥମ ଥିଲେ ଏବଂ ସେ ଯେ କୌଣସି ଦେଶରେ ଯେ କୌଣସି କାଳରେ ଜଣେ ପ୍ରଥମ ଓ ପ୍ରଧାନ ବ୍ୟକ୍ତି ଯେ ହୋଇଥାନ୍ତେ, ଏଥିରେ ସନ୍ଦେହ ନାହିଁ । କାରଣ ତାଙ୍କର ଅସାଧାରଣ ମେଧା ଥିଲା । ଓଡ଼ିଶା ପରି ଦରିଦ୍ର ଅନୁନ୍ନତ ଦେଶରେ ଓ ଓଡ଼ିଆମାନଙ୍କ ପରି ଦରିଦ୍ର ଓ ଅତ୍ୟାଚାରିତ ଜାତି ମଧ୍ୟରେ ଜନ୍ମ ନ ହୋଇଥିଲେ, ମଧୁସୂଦନ ଯାହା କରି ଯାଇଅଛନ୍ତି, ତାହାଠାରୁ ଢେର୍ ବେଶୀ କରି ପାରିଥାନ୍ତେ ଏବଂ ତାଙ୍କର ନାମ ଆହୁରି ବିସ୍ତୃତଭାବରେ ପରିଜ୍ଞାତ ହୋଇ ପାରିଥାନ୍ତା । କିନ୍ତୁ ଏ ଦେଶରେ ଜନ୍ମ ହୋଇ ତାଙ୍କର ସମସ୍ତ ଶକ୍ତି କେବଳ ଏହି ଅନୁନ୍ନତ ଜାତିକୁ ଉଠାଇବାରେହିଁ ବ୍ୟୟିତ ହୋଇଗଲା ଏବଂ ଶେଷରେ ଦରିଦ୍ର ଓ ଋଣଗ୍ରସ୍ତ ହୋଇ ତାଙ୍କୁ କାଳ କାଟିବାକୁ ହୋଇଥିଲା ।

 

ମଧୁସୂଦନ କଟକ ଜିଲ୍ଲାର ସତ୍ୟଭାମାପୁର ନାମକ ଗ୍ରାମରେ ୧୮୪୮ ଖ୍ରୀଷ୍ଟାବ୍ଦରେ ଉଚ୍ଚ କରଣକୁଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାମହୀ ସତୀଦାହରେ ପ୍ରାଣବିସର୍ଜନ କରିଥିବାର କଥିତ ଅଛି ଏବଂ ତାଙ୍କ ଧମନୀରେ ଜଣେ ସତୀର ରକ୍ତ ପ୍ରବାହିତ ହେଉଛି ବୋଲି ମଧୁସୂଦନ ଅତ୍ୟନ୍ତ ଗର୍ବ ଅନୁଭବ କରୁଥିଲେ । ସେ ଅନେକ ସମୟରେ କହୁଥିଲେ ଯେ, ସରକାର ଭାରତରୁ ସତୀଦାହପ୍ରଥା ଉଠାଇ ଦେଇ ଭାରତବାସୀକୁ ଗୋଟିଏ ଉନ୍ନତ ଆଦର୍ଶରୁ ବଞ୍ଚିତ କରିଅଛନ୍ତି ଏବଂ ସେ ନିଜ ଜୀବନର ନିରାଶା ଓ ବିପଦ ଆପଦବେଳେ ସତୀର ବଂଶଧର ବୋଲି ଭାବି କିପରି ଧୈର୍ଯ୍ୟ ଓ ସାହସ ସହିତ ବିପଦର ସମ୍ମୁଖୀନ ହେଉଥିଲେ, ତାହା ସେ ଅନେକ ଥର କହିଛନ୍ତି ।

 

ଗ୍ରାମ୍ୟ ପାଠଶାଳାରେ ଅଧ୍ୟୟନ କଲା ପରେ ମଧୁସୂଦନ କଟକରେ ଏଣ୍ଟ୍ରାନ୍‍ସ ପରୀକ୍ଷାରେ ପାଶ୍ କରି ବାଲେଶ୍ୱରରେ ଖଣ୍ଡିଏ ସରକାରୀ ଚାକିରି ଗ୍ରହଣ କରିଥିବାର ଜଣା ପଡ଼େ-। ସେ ସମୟରେ ଓଡ଼ିଶାରେ ଉଚ୍ଚତର ଶିକ୍ଷାର ବ୍ୟବସ୍ଥା ନ ଥିଲା, ତେଣୁ ବୋଧହୁଏ ମଧୁସୂଦନ ଚାକିରି କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଉଚ୍ଚତର ଶିକ୍ଷା ପାଇଁ ତାଙ୍କର ପ୍ରବଳ ବାସନା ଥିବାରୁ ଦିନେ ପିତାମାତାଙ୍କ ଅଜ୍ଞାତରେ ଓ ଅନିଚ୍ଛାରେ ସେ କଲିକତାକୁ ପଳାୟନ କଲେ । ସେ ସମୟରେ କଲିକତାକୁ ରେଳ ରାସ୍ତା ନ ଥିଲା, ତେଣୁ ମଧୁସୂଦନଙ୍କୁ ଶତ ଶତ ମାଇଲ ପଥ ପଦବ୍ରଜରେ ଅତିକ୍ରମ କରି କଲିକତା ମହାନଗରୀରେ ପହଞ୍ଚିବାକୁ ହୋଇଥିଲା । ତାଙ୍କ ପୂର୍ବରୁ ଓଡ଼ିଆମାନେ କେବଳ ଶ୍ରମିକଭାବରେ କଲିକତାକୁ ଯାଇଥାନ୍ତି । ଉଚ୍ଚଶିକ୍ଷା ପାଇଁ କଲିକତା ଯିବାକୁ ମଧୁସୂଦନହିଁ ପ୍ରଥମ ଓଡ଼ିଆ । କଲିକତାରେ ଉପସ୍ଥିତ ହୋଇ ସେ ଯାହା ଦେଖିଲେ, ସେଥିରେ ତରୁଣ ମଧୁସୂଦନଙ୍କ ପ୍ରାଣରେ ଯେଉଁ ଅଗ୍ନିମୟ ଜାତି-ପ୍ରୀତି ଲୁକ୍କାୟିତ ରହିଥିଲା, ତାହା ସହସା ବିକଶିତ ହୋଇ ଉଠିଲା । ସେ ଦେଖିଲେ, ଓଡ଼ିଆଙ୍କୁ ସମସ୍ତେହିଁ ଘୃଣା ଓ ତାଚ୍ଛଲ୍ୟ କରୁଅଛନ୍ତି । କଲିକତାର ବଙ୍ଗାଳୀମାନେ, ଓଡ଼ିଆମାନେ ଯେ ମନୁଷ୍ୟ ଏ କଥା ଅନୁଭବ କଲା ପରି ତାଙ୍କ ବ୍ୟବହାରରୁ ଜଣା ପଡ଼ୁ ନ ଥିଲା । ଏହି ଅମାନୁଷିକ ବ୍ୟବହାର ଫଳରେ ଦରିଦ୍ର ଓଡ଼ିଆମାନେ ମଧ୍ୟ ନିଜକୁ ଓଡ଼ିଆ ବୋଲି ପରିଚିତ କରାଇବା ନିରାପଦ ମନେ ନ କରି ବଙ୍ଗାଳୀ ହେବାକୁ ଓ ବଙ୍ଗଳା କଥା କହିବାକୁ ଶ୍ରେୟସ୍କର ମନେ କରୁଥିଲେ । ଏହି ସବୁ ଦୃଶ୍ୟ ଦେଖି ମଧୁସୂଦନ ଅତ୍ୟନ୍ତ ବ୍ୟଥିତ ହେଲେ ଏବଂ ସେହି ବୟସରୁ ପ୍ରତିଜ୍ଞା କଲେ ଯେ, ତାଙ୍କର ସମସ୍ତ ଜୀବନ ନିଜର ଅଧଃପତିତ ଓଡ଼ିଆଜାତିକୁ ଉଠାଇବାରେହିଁ ବିନିଯୋଗ କରିବେ ଏବଂ ସମସ୍ତ ଜୀବନରେ ସେ ତାହାହିଁ କରି ଯାଇଅଛନ୍ତି । ଯେଉଁଠି ଓ ଯେଉଁ ସମୟରେ ଓଡ଼ିଶା ଓ ଓଡ଼ିଆଜାତିର ସମ୍ମାନ ଓ ଜୀବନ ବିପନ୍ନ ହେବାର ସେ ଦେଖିଛନ୍ତି, ସେ ଶାର୍ଦ୍ଦୂଳ ପରି ଯୁଦ୍ଧ କରି ଆସିଛନ୍ତି । ଏହି ପ୍ରକାର ଗୋଟିଏ ଯୁଦ୍ଧ ତାଙ୍କର ଛାତ୍ରଜୀବନରେହିଁ ଆରମ୍ଭ ହୋଇପଡ଼ିଲା । କଲିକତାରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ଦେବା ସମୟରେ ତାଙ୍କୁ ସଂସ୍କୃତ ପ୍ରଶ୍ନମାନଙ୍କର ଉତ୍ତର ବଙ୍ଗାକ୍ଷରରେ ଲେଖିବାକୁ ପଡ଼ିବାରୁ ସେ ତାହାର ପ୍ରତିବାଦ କରି, ଉତ୍କଳାକ୍ଷରରେ ଲେଖିବାପାଇଁ ଲଢ଼ି ବସିଥିଲେ । କଲିକତାର ସହସ୍ର ସହସ୍ର ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ନିରାଶ୍ରିତ ତରୁଣ ମଧୁସୂଧନ ବୋଧହୁଏ ଏକମାତ୍ର ଓଡ଼ିଆ ଥିଲେ; ତେଣୁ ଏପ୍ରକାର ଦାବି ମୂର୍ଖତା ଓ ଦୁଃସାହସିକତା ବୋଲି ଧରିବାକୁ ହେବ । ସାଧାରଣ ଯୁବକ ପକ୍ଷରେ ଏ ସାହସିକତା ଯେ ଏକାବେଳକେ ଦୁର୍ଲଭ ଏହା ବିନା ପ୍ରତିବାଦରେ କୁହାଯାଇ ପାରେ । କିନ୍ତୁ ଅକୁତୋଭୟ ମଧୁସୂଦନ ଏକା ହୋଇ ମଧ୍ୟ ଜୟଯୁକ୍ତ ହୋଇ ଓଡ଼ିଆରେ ଉତ୍ତର ଦେବାକୁ ଅନୁମତି ପାଇଥିଲେ ।

 

ପଢ଼ିବା ସମୟରେ ମଧୁସୂଦନ କିଛିଦିନ ପାଇଁ କଲିକତାନିବାସୀ ତାଙ୍କର କୌଣସି ପିତୃବନ୍ଧୁଙ୍କ ଘରେ ଅବସ୍ଥାନ କରିଥିଲେ । ପିତାଙ୍କ ନିକଟରୁ ଅର୍ଥ ସାହାଯ୍ୟ ସମ୍ଭବ ହେଉ ନ ଥାଏ ଏବଂ ଅର୍ଥ ଉପାର୍ଜନର ଅନ୍ୟ ପନ୍ଥା ନ ଥିବାରୁ ସେ ଅତ୍ୟନ୍ତ ନିରାଶାରେ କାଳଯାପନ କରୁଥିଲେ । ଏହି ସମୟରେହିଁ ସେ ପ୍ରଥମେ କଲିକତାର ରାସ୍ତାମାନଙ୍କରେ ଖ୍ରୀଷ୍ଟୀୟାନ ପାଦ୍ରୀମାନଙ୍କର ଧର୍ମ୍ମପ୍ରଚାର ଶୁଣିବାକୁ ପାଇଥିଲେ । ଯିବା ଆସିବା ସମୟରେ ସେ ଅନେକ ବାର ମନୋଯୋଗ ଦେଇ ସେମାନଙ୍କର ପ୍ରଚାର ଶୁଣିବା ପରେ ସେମାନଙ୍କର ବିତରିତ ଧର୍ମପୁସ୍ତକ ସବୁ ଘରକୁ ଆଣି ପଢ଼ିବାକୁ ବସିଲେ । କ୍ରମେ ଯୀଶୁଖ୍ରୀଷ୍ଟଙ୍କ ଉଦାର ବ୍ୟକ୍ତିତ୍ୱ ଓ କ୍ରୁଶବଦ୍ଧ ଅବସ୍ଥାରେ ‘ହେ ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ’ଣ କରୁଛନ୍ତି, ତାହା ଜାଣନ୍ତି ନାହିଁ’-ଅତ୍ୟାଚାରୀମାନଙ୍କ ପ୍ରତି ଖ୍ରୀଷ୍ଟଙ୍କର ଏହି କରୁଣାମୟ କ୍ଷମାବାଣୀ ତରୁଣ ମଧୁସୂଦନଙ୍କ ପ୍ରାଣକୁ ମୁଗ୍‍ଧ କରି ପକାଇଲା ଏବଂ ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ମନସ୍ଥ କଲେ । ସେ ସମୟରେ ଅନେକ ଶିକ୍ଷିତ ଭାରତୀୟ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇ ଯାଉଥିଲେ । ମଧୁସୂଦନ ସେହିମାନଙ୍କ ପଦାଙ୍କ ଅନୁସରଣ କରି, ଦିନେ ବସାରୁ ପଳାୟନ କରି ଖ୍ରୀଷ୍ଟୀୟସଂଘର ଆଶ୍ରୟ ଗ୍ରହଣ କଲେ ଏବଂ ଅଳ୍ପଦିନ ମଧ୍ୟରେ ଖ୍ରୀଷ୍ଟୀୟାନଧର୍ମ ଗ୍ରହଣ କଲେ । ଧର୍ମାନ୍ତରଗ୍ରହଣ ପରେ ତାଙ୍କର ଅର୍ଥାଭାବ ଆଉ ରହିଲା ନାହିଁ ।

 

କିନ୍ତୁ ମଧୁସୂଦନ ଖ୍ରୀଷ୍ଟିୟାନ ହେଲେହେଁ କେବେ ହେଲେ ବିଜାତୀୟ ହୋଇ ପଡ଼ି ନ ଥିଲେ । ସେ ଜୀବନଯାକ ତାଙ୍କର ହିନ୍ଦୁ ଓଡ଼ିଆ ଭାଇମାନଙ୍କ ପାଇଁ ଲଢ଼ି ଆସିଛନ୍ତି ଏବଂ ଭାରତୀୟ ଖ୍ରୀଷ୍ଟିୟାନମାନଙ୍କୁ ସେ ବରାବର ସାହେବୀ ଅନୁକରଣ ପରିତ୍ୟାଗ କରି ଖାଣ୍ଟି ଭାରତୀୟ ହେବାକୁ ଉପଦେଶ ଦେଇ ଆସିଛନ୍ତି । ନାଗପୁରଠାରେ ନିଖିଳ ଭାରତୀୟ ଖ୍ରୀଷ୍ଟିୟାନ ସମ୍ମିଳନୀର ସଭାପତିରୂପେ ସେ ଏହି କଥା ସ୍ପଷ୍ଟଭାବରେ ବ୍ୟକ୍ତ କରିଥିଲେ ।

 

କ୍ରମେ ମଧୁସୂଦନ ଏମ୍.ଏ. ଓ ବି.ଏଲ୍. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସ୍ୱାଧୀନ ଜୀବିକାଲାଗି କିଛି ଦିନ କଲିକତାରେ ସ୍କୁଲ-ଶିକ୍ଷକ ହୋଇଥିଲେ । ସେ ମଧ୍ୟ କିଛିକାଳ ଲାଗି କଲିକତାର ଗାର୍ଡ଼ନ୍-ରୀଚ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ହୋଇଥିଲେ । ଶିକ୍ଷକଭାବରେ ମଧୁସୂଦନ ଅତ୍ୟନ୍ତ ସୁନାମ ଅର୍ଜନ କରିଥିଲେ ଏବଂ ଛାତ୍ରମାନଙ୍କର ସମ୍ମାନ ଓ ଶ୍ରଦ୍ଧା ଅର୍ଜନ କରି ପାରିଥିଲେ । ସ୍କୁଲ୍ ପରିତ୍ୟାଗ କାଳରେ ଛାତ୍ରମାନେ ତାଙ୍କୁ କିପରି ସାଶ୍ରୁ ଲୋଚନରେ ବିଦାୟ ଦେଇଥିଲେ, ସେ କଥା ସେ କହିବାର ଆମ୍ଭେମାନେ ଶୁଣିଅଛୁଁ । ଶିକ୍ଷକ ଥିଲାବେଳେ ସେ ପ୍ରଶ୍ନ-ଉତ୍ତର ଛଳରେ ଖଣ୍ଡିଏ ଇଂରେଜୀ ବ୍ୟାକରଣ ଲେଖି ପ୍ରକାଶ କରିଥିଲେ । ଏହି ପୁସ୍ତକ ଛାତ୍ରମହଲରେ ଅତ୍ୟନ୍ତ ପ୍ରିୟ ହୋଇ ଉଠିଥିଲା ଏବଂ ବୟାକରଣିକ ଭାବରେ ମଧୁସୂଦନଙ୍କ ନାମ କଲିକତାରେ ସୁବିଦିତ ହୋଇ ପଡ଼ିଥିଲା । ଏହି ଶିକ୍ଷକ ଅବସ୍ଥାରେ ମଧ୍ୟ ମଧୁସୂଦନ ସୁପ୍ରସିଦ୍ଧ ସାର୍ ଆଶୁତୋଷଙ୍କର ଗୃହଶିକ୍ଷକ ହୋଇ ତାଙ୍କୁ ଭବିଷ୍ୟତ୍ ଜୀବନପାଇଁ ଗଢ଼ିଥିଲେ । ଆଶୁତୋଷ ସମୁଜ୍ଜ୍ୱଳ ଛାତ୍ରଜୀବନ ପରେ ବିଖ୍ୟାତ ଓକିଲ, ବିଖ୍ୟାତ ବିଚାରପତି ଓ ପ୍ରଧାନ ବିଚାରପତି ହୋଇ ପରେ କଲିକତା ବିଶ୍ୱବିଦ୍ୟାଳୟର ଭାଇସ୍‍ଚାନ୍‍ସେଲର ହେଲେ ମଧ୍ୟ, ମୃତ୍ୟୁ ପର୍ଯ୍ୟନ୍ତ ମଧୁସୂଦନଙ୍କୁ ‘ଗୁରୁ’ ବୋଲି ଗଭୀର ସମ୍ମାନ ପ୍ରଦର୍ଶନ କରୁଥିଲେ ଏବଂ ପ୍ରତ୍ୟେକ ଜଟିଳ ସମସ୍ୟାରେ ଗୁରୁ ଶିଷ୍ୟ ପରସ୍ପରର ମତ ଲୋଡ଼ୁଥିଲେ ।

 

ଶିକ୍ଷକତା ପରେ ମଧୁସୂଦନ ଓକିଲାତି ବ୍ୟବସାୟ କରିବାପାଇଁ କଟକ ଚାଲି ଆସିଲେ । ସେତେବେଳେ କଟକରେ ଓଡ଼ିଆ ଓକିଲ ଆଦୌ ନ ଥାନ୍ତି । ନିଜ ଦେଶରେ ନିଜ ରାଜଧାନୀରେ, ବୈଦେଶିକମାନଙ୍କ ମଧ୍ୟରେ ମଧୁସୂଦନ ସହାୟ-ସମ୍ବଳହୀନ ହୋଇ ବ୍ୟବସାୟ ଆରମ୍ଭ କରିବାକୁ ବାହାରିଲେ । ପ୍ରଥମେ ତାଙ୍କୁ ବହୁ ବାଧା ଓ ବିଘ୍ନ ମଧ୍ୟ ଦେଇ ଯିବାକୁ ପଡ଼ିଥିଲା; କିନ୍ତୁ ପ୍ରତିଭା ତ ଲୁଚି ରହିବାର ନୁହେ । ଅଳ୍ପକାଳ ମଧ୍ୟରେ ମଧୁସୂଦନ ଯେ କଟକର ଶ୍ରେଷ୍ଠ ଓକିଲ ଏହା ଚାରିଆଡ଼େ ପ୍ରଚାରିତ ହୋଇଗଲା । ଓକିଲାତିରେ ତାଙ୍କର ଅସାଧାରଣ ବିଚକ୍ଷଣତା ବର୍ତ୍ତମାନ ଓଡ଼ିଶାରେ ପ୍ରବାଦରେ ପରିଣତ ହୋଇଅଛି । ସେ କେବଳ ଓକିଲ ହେଲେହେଁ ଲୋକସାଧାରଣ ତାଙ୍କୁ ‘ମଧୁବାରିଷ୍ଟର ବୋଲି ଜାଣିଥିଲେ ଏବଂ ପାଠଶାଠ ଓ ବୁଦ୍ଧି ବିଦ୍ୟାରେ ମଧୁବାବୁ ଅଦ୍ୱିତୀୟ ବୋଲି ମନେ କରି ଦୂର ଦୂରନ୍ତର ପଲ୍ଲୀଗହଳରେ ମଧ୍ୟ ଓଡ଼ିଆ ବାଳକମାନେ ଗାଇବାକୁ ଲାଗିଲେ ‘ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି’ । ଓକିଲ ବ୍ୟବସାୟରେ ଏପରି ଦେଶବ୍ୟାପୀ ପ୍ରତିଷ୍ଠା ଖୁବ୍ କମ୍ ଓକିଲଙ୍କ ଭାଗ୍ୟରେ ଘଟିଛି । ସାଧାରଣ ଓଡ଼ିଆ ମଧୁବାବୁଙ୍କର ତୀକ୍ଷ୍ଣ ବୁଦ୍ଧିମତ୍ତାର କଥା ଜଟିଳ ମକଦ୍ଦମାମାନଙ୍କରେ ଜୟଶ୍ରୀ ଆଣିବାର କଥା ଶୁଣି ଶୁଣି ତାଙ୍କୁ ଅସାଧାରଣ ପୁରୁଷ ବୋଲି ମନେ କରିବାକୁ ଲାଗିଲେ । ମଧୁସୂଦନ ଓକିଲଜୀବନରେ ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରିଛନ୍ତି । ଅସଂଖ୍ୟ ଲୋକଙ୍କର ଉପକାର କରିଛନ୍ତି ଏବଂ ଅର୍ଜିତ ଧନକୁ ଦେଶ ଓ ଜାତିର ଉପକାର ପାଇଁ ମୁକ୍ତହସ୍ତରେ ବ୍ୟୟ କରି ଶେଷରେ ଦରିଦ୍ର ହୋଇ ଅଛନ୍ତି । ତାଙ୍କରି ଓକିଲାତି ଫଳରେ ପୁରୀମନ୍ଦିର ବର୍ତ୍ତମାନ ଓଡ଼ିଆମାନଙ୍କ ହାତରେ ଅଛି । ସରକାର ପୁରୀମନ୍ଦିରକୁ ନିଜ ହାତକୁ ନେଇ ଚଳାଇବାର ପ୍ରସ୍ତାବ କରନ୍ତେ ମଧୁସୂଦନ ତାହା ବିରୁଦ୍ଧରେ ଲଢ଼ି ବସିଲେ । କଲିକତାର ବିଖ୍ୟାତ ଜଜ୍ ବାରିଷ୍ଟରମାନେ ମଧ୍ୟ ମଧୁସୂଦନଙ୍କୁ ଏଥିରେ ଫଳ ହେବ ନାହିଁ କହି ନିବର୍ତ୍ତାଇଥିଲେ, କିନ୍ତୁ ମଧୁସୂଦନ ତାଙ୍କର ସମସ୍ତ ଯୁକ୍ତି ଗୋଟିଏ ପୁସ୍ତକାକାରରେ ଛାପି ତାହା ସାଧାରଣରେ ବିତରଣ କରନ୍ତେ ଅନେକେ ତାହା ପଢ଼ି ତାଙ୍କୁ ଭରସା ଦେଲେ ଏବଂ କେତେକ ବଡ଼ ବାରିଷ୍ଟରଙ୍କ ସାହାଯ୍ୟରେ କଲିକତା ହାଇକୋର୍ଟରେ ଏହି ମକଦମା ଦାଏର କରି ସରକାରଙ୍କ ବିରୁଦ୍ଧରେ ଜୟ କରି ହିନ୍ଦୁର ଶ୍ରେଷ୍ଠ ତୀର୍ଥକୁ ହିନ୍ଦୁହାତରେ ରଖାଇ ପାରିଲେ । ଦୂରଦର୍ଶୀ ମଧୁସୂଦନ ଏପରି ବ୍ୟବସ୍ଥା କରିଯାଇଛନ୍ତି ଯେ ସରକାର କେବେ ହେଲେ ପୁଣି ଏ ପ୍ରକାର ପ୍ରସ୍ତାବ ଆଦୌ ଉଠାଇ ପାରିବେ ନାହିଁ ।

 

ମଧୁସୂଦନ ଯେପରି ତୀକ୍ଷ୍ଣ ବ୍ୟବହାରିକତା ନେଇ ଜନ୍ମ ହୋଇଥିଲେ, ସେଥିରେ ସେ ଯଦି କେବଳ ସେହିଥିରେ ସମୟ ନିଯୋଗ କରିଥାନ୍ତେ, ତେବେ ସେ ଭାରତବିଖ୍ୟାତ ହୋଇ ପାରିଥାନ୍ତେ ଓ କୋଟି କୋଟି ଟଙ୍କାର ମାଲିକ ହୋଇ ପାରିଥାନ୍ତେ; କିନ୍ତୁ ଦେଶପ୍ରାଣ ମଧୁସୂଦନଙ୍କର ଅତି ଅଳ୍ପ ସମୟ ମାତ୍ର ବ୍ୟବସାୟରେ ଲାଗି ପାରୁଥିଲା ଏବଂ ଅଧିକାଂଶ ସମୟ ଦେଶ ଓ ଜାତିର କାର୍ଯ୍ୟରେହିଁ ବ୍ୟୟିତ ହେଉଥିଲା । ସେକାଳରେ ମଧୁସୂଦନ ସମଗ୍ର ଉତ୍କଳରେ ଜଣେ ମାତ୍ର ଓଡ଼ିଆ ଯାହାର ପାଟି ଫିଟୁ ଥିଲା ଓ ଫିଟିଲେ ଲୋକେ ବା ସରକାର ସେ କଥା ଶୁଣୁଥିଲେ । ତେଣୁ ଦେଶ ପାଇଁ ଓ ଜାତି ପାଇଁ ଦରଖାସ୍ତଟିଏ କରିବାଠାରୁ ଆରମ୍ଭ କରି ଲାଟସଭାରେ ଲଢ଼ିବା ପର୍ଯ୍ୟନ୍ତ ସକଳ କର୍ମ ଲାଗି ମଧୁସୂଦନଙ୍କୁ ଛିଡ଼ା ହେବାକୁ ପଡ଼ୁଥିଲା ଏବଂ ମଧୁସୂଦନ ସେଥିପାଇଁ କେବେ ହେଲେ ପଶ୍ଚାତ୍‍ପଦ ନ ଥିଲେ । ଜାତି ପାଇଁ ସେ ତାଙ୍କର ସମୟ ଓ ଅର୍ଜିତ ଅର୍ଥ ଅକାତରରେ ବ୍ୟୟ କରି ଯାଇଅଛନ୍ତି ।

 

ଛିନ୍ନବିଚ୍ଛିନ୍ନ ଉତ୍କଳକୁ ଏକତ୍ରିତ କରିବା ପାଇଁ ମଧୁସୂଦନହିଁ ପ୍ରଥମେ ଉତ୍କଳ ସମ୍ମିଳନୀର ସୂତ୍ରପାତ କରନ୍ତି । ଉତ୍କଳ ସମ୍ମିଳନୀର ମଣ୍ଡପରେ ରାଜା ମହାରାଜାଙ୍କଠାରୁ ଆରମ୍ଭ କରି କୃଷକପର୍ଯ୍ୟନ୍ତ ସକଳ ଶ୍ରେଣୀର ଓଡ଼ିଆ ସମବେତ ହୋଇ ପରସ୍ପରକୁ ଭାଇ ବୋଲି ଓ ଉତ୍କଳଭୂମିକୁ ସମସ୍ତେ ମା ବୋଲି ଡାକିବାର ମହନୀୟ ଦୃଶ୍ୟ, ମଧୁସୂଦନଙ୍କ କଳ୍ପନାରୁହିଁ ବାହାରିଥିଲା । ଉତ୍କଳ ସମ୍ମିଳନୀର ମଣ୍ଡପରୁ ପ୍ରତିବର୍ଷ ମଧୁସୂଦନ ଓଡ଼ିଆମାନଙ୍କୁ ଅଗ୍ନିମୟୀ ବାଣୀ ଶ୍ରବଣ କରାଇ ଏ ଦେଶରେ ସର୍ବ ପ୍ରଥମ ଜାତୀୟ ଚେତନା ଅଣାଇଲେ ଏବଂ ଯେଉଁ ସଭାପତି ଆସନ ଏ ବର୍ଷ ଜଣେ ମହାରାଜା ଅଧିକାର କରିଅଛନ୍ତି, ଆର ବର୍ଷ ତାହା ଜଣେ ସାଧାରଣ ଓଡ଼ିଆକୁ ପ୍ରଦାନ କରାଇ ସେ ପ୍ରକୃତ ଜାତୀୟ ଜୀବନର ସୂତ୍ରପାତ କରାଇଲେ ।

 

ଉତ୍କଳ ସମ୍ମିଳନୀର କଳ୍ପନାରେ ଯେପରି, ଅନ୍ୟାନ୍ୟ ଅନେକ କଥାରେ ମଧୁସୂଦନ ଗଭୀର ଦୂରଦର୍ଶିତାର ପରିଚୟ ଦେଇ ଯାଇଅଛନ୍ତି । ନିଜ ହାତରେ କାଟିକୁଟି ନିଜର ଆବଶ୍ୟକୀୟ ଉପକରଣାଦିର ଆୟୋଜନ କରିବା ଲାଗି ଭାରତବର୍ଷରେ ବିସ୍ତୃତ ଆନ୍ଦୋଳନ ହେବାର ବହୁକାଳ ପୂର୍ବରୁ ସେ ଉତ୍କଳ ସମ୍ମିଳନୀମଣ୍ଡପରେ ଚରଖାରେ ସୂତା କାଟି ଲୁଗା ପିନ୍ଧିବାକୁ ଓ ପ୍ରାଚୀନ ବୃତ୍ତିସବୁକୁ ନୂତନ ପ୍ରଣାଳୀରେ ପରିବର୍ତ୍ତିତ କରି ତାହାଦ୍ୱାରା ଜୀବିକାର୍ଜନ କରିବାକୁ ସେ ଲୋକଙ୍କୁ ଉପଦେଶ ଦେଇ ଆସୁଥିଲେ । ସୁ ପ୍ରସିଦ୍ଧ ‘ଉତ୍କଳ ଟାନେରୀ’ ଏହି ମନୋଭାବର ଫଳ ମାତ୍ର । ସେ ଦେଖିଲେ ଯେ, ଆମ୍ଭେମାନେ ସମସ୍ତେ ବିଦେଶୀ ଯୋତା ବ୍ୟବହାର କରୁଁ । ସେହି ଯୋତା, ଭାରତରୁ ପଠା ହେବା ଚମଡ଼ାରେ ତିଆରି ହୋଇ ଭାରତବାସୀଙ୍କି ଫୁଣି ଚଢ଼ା ଦାମରେ ଯୋତା ଆକାରରେ ବିକ୍ରି ହୁଏ । ଭାରତବାସୀ ଚମଡ଼ାର ଦାମସ୍ୱରୂପ ଯତ୍‍କିଞ୍ଚିତ ପାଏ ମାତ୍ର, କିନ୍ତୁ ଯୋତାର ଦାମସ୍ୱରୂପ ସେ ତା’ର ବହୁ ଗୁଣ ଟଙ୍କା ବିଦେଶୀ ହାତକୁ ବଢ଼ାଇଦିଏ । ମଧୁସୂଦନ ସ୍ଥିର କଲେ, ନାଁ, ଆମରି ଚମଡ଼ାରେ ଆମେ ଯୋତା ତିଆରି କରି ପିନ୍ଧିବା; ତେଣୁ ଉତ୍କଳ ଟାନେରୀ ସ୍ଥାପିତ ହେଲା । ଏହା ସଙ୍ଗେ ସଙ୍ଗେ କଟକରେ ‘କଳାଦ୍ରବ୍ୟ’ର ଅର୍ଥାତ୍ ସୁନା ରୂପାର ଗୋଟିଏ କାରଖାନା ମଧ୍ୟ ସେ ସ୍ଥାପନ କରିଥିଲେ । ଏ ସବୁର ମୂଳରେ ଆଉ ଏକ ଉଦ୍ଦେଶ୍ୟ ମଧ୍ୟ ତାଙ୍କର ଥିଲା । ସେ ଦେଖିଲେ ଯେ, ଓଡ଼ିଆର ବିଶିଷ୍ଟତା ତା’ର ହାତ ଆଙ୍ଗୁଠିରେ ଅର୍ଥାତ୍ ଓଡ଼ିଆ, ଜଗତରେ ପ୍ରସିଦ୍ଧି ପାଇଛି ତା’ର ଶିଳ୍ପଯୋଗୁଁ ଏବଂ ଭବିଷ୍ୟତରେ ମଧ୍ୟ ସେହି ଦିଗରେହିଁ ସେ ସୁନାମ ଅର୍ଜନ କରି ପାରିବ । ଅର୍ଥ ଓ ଉତ୍ସାହର ଅଭାବରୁ ଓଡ଼ିଆ ଶିଳ୍ପୀ ହାତକାମ ଦେଖାଇ ପାରୁ ନାହିଁ । ତାକୁ ଅର୍ଥ ଓ ଉତ୍ସାହ ଦେବାପାଇଁ ମଧୁସୂଦନ ଏହି ସବୁ ଅନୁଷ୍ଠାନ ପ୍ରତିଷ୍ଠା କରି ନିଜର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ତାଙ୍କର ଯୋତା, ଚମଡ଼ା ଓ ସୁନା ରୂପାର ତାରକସୀ କାମ, ଦେଶ ବିଦେଶରେ ବିଖ୍ୟାତ ହୋଇ ଉଠିଲା ଏବଂ ସୁଦୂର ଆମେରିକା, ଜାପାନ ପ୍ରଭୃତି ଦେଶରୁ ମଧ୍ୟ ତାଙ୍କ ନିକଟକୁ ସେହି ସବୁ ଜିନିଷର ବରାଦ ଆସିଲା । କିନ୍ତୁ ଏକାକୀ ମଧୁସୂଦନ କେତେ ବ୍ୟୟ କରି ପାରିବେ ? ଅର୍ଥାଭାବରୁ ଓ ଉପଯୁକ୍ତ ଲୋକ ଅଭାବରୁ ଏହି ଅନୁଷ୍ଠାନଗୁଡ଼ିକ କିଛି କାଳ ପରେ ଭାଙ୍ଗି ଗଲା । ମଧୁସୂଦନଙ୍କ ଜୀବନରେ ଏହାହିଁ ଗଭୀରତମ ଦୁଃଖ ଯେ, ଜାତି ପାଇଁ ତାଙ୍କର ଜୀବନଯାକର ଏତେ ଅର୍ଥବ୍ୟୟ କରି ଯାହା ଗଢ଼ିଥିଲେ, ଜାତି ତାହା ରଖି ପାରିଲା ନାହିଁ । ବସ୍ତୁତଃ ଏହି ସବୁଥିରେହିଁ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ବ୍ୟୟିତ କରି ସେ ଦରିଦ୍ର ହୋଇ ପଡ଼ିଲେ ।

 

ଏହିପରି ନାନା କାର୍ଯ୍ୟରେ ବ୍ୟାପୃତ ଥାଇ ମଧ୍ୟ ମଧୁସୂଦନ ବାରମ୍ବାର ବଙ୍ଗଳା ଲାଟସଭାରେ ଲୋକପ୍ରତିନିଧି ହୋଇ ଲୋକମାନଙ୍କ ଦୁଃଖ ସରକାରଙ୍କୁ ଜଣାଇ ଆସୁଥିଲେ । ସେ ବଡ଼ଲାଟ ସଭାର ସଦସ୍ୟ ହୋଇ ମଧ୍ୟ, ପ୍ରତାପଶାଳୀ ବଡ଼ଲାଟ ଲର୍ଡ଼ କର୍ଜନଙ୍କୁ ଓଡ଼ିଆ ଜାତିର ଦୁଃଖ ଦୁର୍ଦଶା ବୁଝାଇ ତାଙ୍କୁ ସ୍ୱମତକୁ ଆଣି ପାରିଥିଲେ । ଲର୍ଡ଼ କର୍ଜନ ଦୀର୍ଘତର କାଳ ବଡ଼ଲାଟ ଥିଲେ ହୁଏ ତ ଓଡ଼ିଶାର ବିଚ୍ଛିନ୍ନ ଅଂଶ ଅନେକ ଆଗରୁ ଏକତ୍ରିତ ହୋଇ ପାରିଥାନ୍ତା । ୧୯୧୯ରେ ନୂତନ ଶାସନସଂସ୍କାର ପ୍ରବର୍ତ୍ତିତ ହୁଅନ୍ତେ ସେ ବିହାର ଓଡ଼ିଶାର ଲାଟସଭାକୁ ମନୋନୀତ ହୋଇ ଯାଇଥିଲେ । ଗଭର୍ଣ୍ଣର୍ ଲର୍ଡ଼ ସିଂହ ତାଙ୍କୁ ମନ୍ତ୍ରୀରୂପେ ପାଇଲେ ଶାସନକାର୍ଯ୍ୟ ଭଲ ହେବ ଭାବି ତାଙ୍କୁ ଶିକ୍ଷା ଓ ସ୍ୱାୟତ୍ତଶାସନ ବିଭାଗର ମନ୍ତ୍ରୀପଦରେ ବରିତ କଲେ । ମନ୍ତ୍ରୀ ହୋଇ ମଧୁସୂଦନ ଯେପରି ଦକ୍ଷତାର ସହିତ କାର୍ଯ୍ୟ ଚଳାଇଥିଲେ ତାହା ତାଙ୍କରି ପକ୍ଷରେହିଁ ସମ୍ଭବ । ଆଜି ଏ ପ୍ରଦେଶରେ ମ୍ୟୁନିସିପାଲିଟି ଓ ଜିଲାବୋର୍ଡ଼ ପ୍ରଭୃତି ଯେଉଁ କ୍ଷମତା ଉପଭୋଗ କରୁଅଛନ୍ତି, ତାହା ମଧୁସୂଦନଙ୍କ ଯୋଗୁଁ । ପୂର୍ଣ୍ଣ କାଳ ମନ୍ତ୍ରୀ ହୋଇ ରହିଥିଲେ ମଧୁସୂଦନ ଅନେକ କିଛି କରି ପାରିଥାନ୍ତେ; କିନ୍ତୁ ସେ ଭାବିଲେ ଯେ, ମନ୍ତ୍ରୀ ଲୋକପ୍ରତିନିଧି ହୋଇଥିବାରୁ ଲୋକସେବା ତା’ର ବ୍ରତ ହେବା ଉଚିତ; ଦରିଦ୍ର ପ୍ରଜାର ପାଞ୍ଚ ହଜାର ଟଙ୍କା ପ୍ରତି ମାସରେ ଆତ୍ମସାତ୍ କରିବା ତାହାର ଅନ୍ୟାୟ । ଅନ୍ୟ ଲୋକପ୍ରତିନିଧିମାନେ ଯେପରି ବିନା ବେତନରେ ଲୋକସେବା କରୁଛନ୍ତି, ମନ୍ତ୍ରୀ ମଧ୍ୟ ସେହିପରି କରିବା ଉଚିତ; ତେଣୁ ସେ ଓକିଲାତି କରିବାକୁ ଓ ବିନା ବେତନରେ ମନ୍ତ୍ରୀକାମ ଚଳାଇବାକୁ ପ୍ରସ୍ତାବ କଲେ । ସରକାର ତାହା ଗ୍ରହଣ ନ କରିବାରୁ ସେ ମାସିକ ପାଞ୍ଚ ହଜାର ଟଙ୍କାର ବେତନ ଅକୁଣ୍ଠିତଚିତ୍ତରେ ପ୍ରତ୍ୟାଖାନ କରି ମନ୍ତ୍ରୀପଦ ପରିତ୍ୟାଗ କଲେ । ତାଙ୍କର ମନ୍ତ୍ରୀପଦତ୍ୟାଗ ଘଟଣା ସମଗ୍ର ଭାରତବର୍ଷରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଓ ବର୍ତ୍ତମାନ ମଧ୍ୟ ଏକ ବିଶିଷ୍ଟ ରାଜନୈତିକ ଘଟଣାରୂପେ ପରିଗଣିତ ହୁଏ ।

 

ମନ୍ତ୍ରୀକାର୍ଯ୍ୟରୁ ଅବସର ନେଇ ମଧୁସୂଦନ ଆଉ ସାଧାରଣ କାର୍ଯ୍ୟରେ ବିଶେଷ କିଛି ମନ ଦେଇ ନ ଥିଲେ । ସେତେବେଳକୁ ସେ ଅତ୍ୟନ୍ତ ବୃଦ୍ଧ ହୋଇ ପଡ଼ିଥିଲେ । ଅସହଯୋଗ ଆନ୍ଦୋଳନରେ ଯୋଗ ନ ଦେବାରୁ ଦେଶରେ ମଧ୍ୟ କିୟତ୍ ପରିମାଣରେ ଅପ୍ରିୟ ହୋଇ ପଡ଼ିଥିଲେ, କିନ୍ତୁ ଲୋକେ ତାଙ୍କୁ ଉତ୍କଳର ଭୀଷ୍ମ ବୋଲି ମନେ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ଭକ୍ତି ପ୍ରଦର୍ଶନ କରୁଥିଲେ । ବୃଦ୍ଧ ଶୀର୍ଣ୍ଣ ମଧୁସୂଦନ କଟକର ରାସ୍ତାରେ ଯାତାୟାତ କଲାବେଳେ, ସବୁ ଶ୍ରେଣୀର ପଥିକ ନୀରବରେ ଆଡ଼ ହୋଇ ଯାଇ ଯେପରି ଶ୍ରଦ୍ଧା ଜ୍ଞାପନ କରୁଥିଲେ, ସେ ଦୃଶ୍ୟ ରାଜା ମହାରାଜାମାନଙ୍କ ଭାଗ୍ୟରେ ଘଟେ ନାହିଁ । ୧୯୩୪ ଫେବୃଆରୀ ୪ ତାରିଖରେ ତାଙ୍କର ମୃତ୍ୟୁସମ୍ବାଦ କଟକର ଚାରିଆଡ଼େ ପ୍ରଚାରିତ ହେଲାକ୍ଷଣି କଟକର ସହସ୍ର ସହସ୍ର ନରନାରୀ ଶୋକରେ ଅଧୀର ହୋଇ ତାଙ୍କ ଶବର ଅନୁଗମନ କରି ମୃତ ନେତାଙ୍କୁ ଯେପରି ଗଭୀର ସମ୍ମାନ ଦେଖାଇଥିଲେ, ତାହା ଅନ୍ୟ କାହାରି ଭାଗ୍ୟରେ ଘଟି ନାହିଁ ବା ଘଟିବ କି ନାହିଁ ସନ୍ଦେହ । ମଧୁସୂଦନ ଅତ୍ୟନ୍ତ ତୀକ୍ଷ୍‍ଣବୁଦ୍ଧିସମ୍ପନ୍ନ ଲୋକ ଥିଲେ । ସେ ଇଂରାଜୀ, ବଙ୍ଗଳା, ଓଡ଼ିଆ, ହିନ୍ଦୁସ୍ଥାନୀ ପ୍ରଭୃତି ଭାଷାମାନଙ୍କରେ ସୁନ୍ଦର ବକ୍ତୃତା କରି ପାରୁଥିଲେ । ସେ ଓଡ଼ିଆରେ ତିନି ଚାରୋଟି ସୁପ୍ରସିଦ୍ଧ ଜାତୀୟ ସଙ୍ଗୀତ ମଧ୍ୟ ଲେଖି ଯାଇଛନ୍ତି । ସେ କିପରି ଖାଣ୍ଟି ଲୋକ ଥିଲେ,ତାହା ଗୋଟିଏ ଘଟଣାରୁ ବୁଝାଯିବ । ବାର୍ଦ୍ଧକ୍ୟରେ ଋଣ ଯୋଗୁଁ ତାଙ୍କର ପ୍ରାସାଦୋପମ ଆବାସ କୌଣସି ରାଜାଙ୍କ ନିକଟରେ ବନ୍ଧା ପଡ଼ିଥିଲା । ସମୟ ପୂରି ଆସିଲେହେଁ ମଧୁସୂଦନ ଋଣ ପରିଶୋଧ କରି ନ ପାରିବାରୁ ତାହା ବିକ୍ରି ହେବା ଉପରେ ବସିଲା । ଏହି ସଂକଟ ସମୟରେ ତାଙ୍କର ପାଳିତା କନ୍ୟାମାନଙ୍କ ବଂଶର ଲୋକେ ଘରଟି କିଣି ନେଇ ମଧୁସୂଦନଙ୍କୁ ସେହିଠାରେହିଁ ରହିବାକୁ ଦେଲେ; କିନ୍ତୁ ସାଧୁ ମଧୁସୂଦନ ଦେଖିଲେ ଯେ, ସେ ଆଉ ସେ ଘରର ପ୍ରଭୁ ନୁହନ୍ତି, ତାଙ୍କର କନ୍ୟାହିଁ ଘରର ମାଲିକ; ତେଣୁ ସେ ପ୍ରତି ମାସରେ ଘର ଭଡ଼ା ଦେଇ ରହିବେ, ନ ହେଲେ ସେଠାରୁ ବାହାରି ଯିବେ ବୋଲି କନ୍ୟାମାନଙ୍କୁ କହିଲେ । କନ୍ୟାମାନେ ବାଧ୍ୟ ହୋଇ ମହାପ୍ରାଣ ମଧୁସୂଦନଙ୍କ ହସ୍ତରୁ ପ୍ରତି ମାସରେ ଘରର ଭଡ଼ା ଗ୍ରହଣ କରି ପ୍ରାପ୍ତିପତ୍ର ଲେଖି ଦେଉଥିଲେ ।

Image

 

ଗ୍ରୀଷ୍ମ ବର୍ଣ୍ଣନା

 

ରାଗ–ଆହାରୀ

କ୍ରମେ ମଧୁ ଶେଷ ହୁଅନ୍ତେ ପ୍ରବେଶ

ହୋଇଲା ଗ୍ରୀଷମ ସମୟ,

କରମାଳିକର ମହା ଖରତର

କମଳ କୁମାର ପରାୟ;

ସୁଜନେ,

କି କହିବା ମହୀ ତପତ;

କରାଇଲା ନୃତ୍ୟ ପଥିକ-ପଦକୁ

ସଂଗ୍ରାମଭୂମି ଅଶ୍ୱବତ ।

କୃପଣ ସାମନ୍ତ ସେବକ ପରାୟେ

ତାପେ ଜର୍ଜର ସୂର୍ଯ୍ୟକାନ୍ତ,

କାନ୍ତରହିତ କାନ୍ତା ପ୍ରାୟେ ହୋଇଲେ

ସରସୀମାନେ ବେଶ ଅନ୍ତ

ସୁଜନେ,

କେବଳ ଭକ୍ତ ରଙ୍କ ପ୍ରାୟେ,

କଚ୍ଛପ, ମତ୍ସ୍ୟ, ମଣ୍ଡୂକମାନଙ୍କର

ଦୁର୍ବଳ ହୋଇଗଲା କାୟେ ।

କମଳ ବିରହେ କରିବର ରହେ

ମହାଗହନ ଆଶ୍ରେ କରି,

କର୍ଦମରେ ପଡ଼ି ଫେନମୁଖେ ରଡ଼ି

ଛାଡ଼ନ୍ତି ଗନ୍ଧର୍ବ ବଇରୀ;

ସୁଜନେ,

କୁଞ୍ଜଭିତରେ ପକ୍ଷୀମାନେ

କେବଳ ଯୋଗୀ ଧ୍ୟାନ କଲା ପରାୟେ

ନିଶ୍ଚଳେ ରହିଲେ ମଉନେ ।

କରିବାକୁ ପ୍ରାଣ- ରକ୍ଷା ନିଜ ପ୍ରାଣ

ପରକୁ ଦେଲା ପ୍ରାୟ ହୋଇ,

କୋକ ମୃଗ ଯାଇଁ ଭୟକୁ ପକାଇ

ସିଂ ହଛାୟାରେ ହେଲେ ଶାୟୀ;

କୋବିଦେ,

କୁଣ୍ଡଳୀକୁଳ ଏହିରୂପେ

କଳାପୀ କଳାପ ତଳରେ ରହିଲେ

ପାଇ ବିପତ୍ତିକି ଆତପେ ।

କାହିଁ ଗଲା ବନ ଲତା ଶୋଭାବନ

କାନ୍ତହତ କାନ୍ତା ପରାୟେ,

କରିଥିଲା ସିନା ବସନ୍ତ ତାହାକୁ

ନବପଲ୍ଲବେ ତୋରାମୟେ;

କୋବିଦେ,

କାଳେ ସେ ଅନ୍ତର ହୋଇଲା,

କନ୍ଦର୍ପ ଦର୍ପ ରହିତ ହୋଇ ସଖା

ଅଭାବେ ହୃଦରେ ଶୋଇଲା ।

କୃପଣ ମଧୁ ସଞ୍ଚିଲା ପ୍ରାୟେ ମଧୁ-

ସଞ୍ଚିଲେ ମଧୁକରମାନେ,

କେ ଜଳଛତ୍ର ପବିତ୍ରମାନ ଦେଲେ

ବ୍ରାହ୍ମଣ କରେ ସ୍ଥାନେ ସ୍ଥାନେ;

କୋବିଦେ,

କେଉଁ ଈଶ୍ୱର ଅନୁଗ୍ରହୀ

କର୍ପୂର ଚନ୍ଦନ ଅଙ୍ଗେ ବୋଳି ହୋଇ

ଧାରାମଣ୍ଡିତ ପୁରେ ରହି ।

କେ ଗୀତ, କବିତ୍ୱ, ବେଣୁ ବୀଣା ନୃତ୍ୟ-

ରଙ୍ଗେ ଦିନମାନ ହରନ୍ତି,

କେ ବସି ଏକାନ୍ତେ ସଖାଙ୍କ ସଙ୍ଗତେ

ଚନ୍ଦନପିଚିକା ମାରନ୍ତି;

କୋବିଦେ,

କେ କରେ ନଉକାବିହାର,

କେ ସ୍ୱେଦ ଭୟରେ କରତଳୁଁ ତାଳ-

ବୃନ୍ତ ନ କରଇ ବାହାର ।

କେ ଦିନ ଶେଷରେ ଦିନକର କରେ

ତାପ ପାଇ ଜଳେ ବୁଡ଼ନ୍ତି,

କେ ମହାବିକଳେ ବସି ଶୀତସ୍ଥଳେ

ଶୀତଳ ପବନ ଲୋଡ଼ନ୍ତି;

କୋବିଦେ,

କେତେ କହିବି ଏ ପ୍ରସଙ୍ଗ,

କେବଳ ଶୀତ- କାରକ ଦ୍ରବ୍ୟ ବିନୁ

ଆନ ଲୋଡ଼ିଲା ନାହିଁ ଅଙ୍ଗ ।

Image

 

ଯୀଶୁଖ୍ରୀଷ୍ଟ

 

ଆଜିକାଲି ଜଗତର ସବୁ ଦେଶରେ ଖ୍ରୀଷ୍ଟାବ୍ଦ ପ୍ରଚଳିତ ହୁଏ । ସବୁ ଦେଶରେ ଲୋକେ କୌଣସି ଏକ ସ୍ମରଣୀୟ ଘଟଣାରୁ ବର୍ଷ ଓ କାଳ ଗଣନା କରିଥାନ୍ତି । ଆମ୍ଭମାନଙ୍କ ପରିବାରରେ ମଧ୍ୟ କୌଣସି ବ୍ୟକ୍ତିର ଜନ୍ମ ବା କାହାର ମୃତ୍ୟୁଠାରୁ ପରବର୍ତ୍ତୀ ଘଟନାମାନଙ୍କର କାଳ-ପରିମାପ ହୁଏ । ମାନବଜାତି ପକ୍ଷରେ ଖ୍ରୀଷ୍ଟଙ୍କ ଜନ୍ମ ସେହିପରି ଏକ ଅତ୍ୟନ୍ତ ସ୍ମରଣୀୟ ଘଟନା ହୋଇଥିବାରୁ ଜଗତର ସବୁ ଅଞ୍ଚଳରେ ବର୍ତ୍ତମାନ କାଳଗଣନାରେ ତାହା ସ୍ମାରକସ୍ୱରୂପ ହୋଇଅଛି-

 

ଏହି ଖ୍ରୀଷ୍ଟ କିଏ ? ତାହାଙ୍କର ପୂର୍ଣ୍ଣ ନାମ ଯୀଶୁଖ୍ରୀଷ୍ଟ ଏବଂ ସେ ଜଗତରେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତନା କରି ଯାଇଅଛନ୍ତି । ବର୍ତ୍ତମାନ ଜଗତର ସଭ୍ୟତମ ଜାତିମାନେ ଖ୍ରୀଷ୍ଟଧର୍ମାବଲମ୍ବୀ । ସେହିମାନଙ୍କର ସଭ୍ୟତା, ସାହିତ୍ୟ, ବିଜ୍ଞାନ ଜଗତର ସକଳ ଜାତି ଓ ଦେଶକୁ ପ୍ରଭାବିତ କରିଅଛି ଓ ପରାକ୍ରମରେ ମଧ୍ୟ ସେମାନେ ଆଜି ଧରଣୀର ଅଧୀଶ୍ୱର ।

 

ଯୀଶୁଖ୍ରୀଷ୍ଟ ଆଧୁନିକ ପାଲେଷ୍ଟାଇନ୍‍ରେ ବେଥେଲ୍‍ହେମ୍ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଯୋସେଫ୍ ବଢ଼େଇ କାମ କରି ଜୀବିକା ନିର୍ବାହ କରୁଥିଲେ ଓ ଦରିଦ୍ର ଥିଲେହେଁ ସେ ଅତ୍ୟନ୍ତ ସାଧୁଲୋକ ଥିଲେ । ତାଙ୍କ ପତ୍ନୀଙ୍କର ନାମ ଥିଲା ମେରୀ । ଯୀଶୁଖ୍ରୀଷ୍ଟ ଏହି ମେରୀଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିବାରୁ, ମେରୀ ଆଜି ଲକ୍ଷ ଲକ୍ଷ ଖ୍ରୀଷ୍ଟୀୟାନ୍‍ମାନଙ୍କର ପରମାରାଧ୍ୟା ଜନନୀରୂପେ ସଂପୂଜିତା ।

 

ଜେରୁଜେଲମ୍ ଇହୁଦୀମାନଙ୍କର ରାଜ୍ୟ । ଯୀଶୁଙ୍କ ଜନ୍ମକାଳରେ ହେରଡ଼୍ ନାମକ ଜଣେ ଅତ୍ୟାଚାରୀ ନରପତି ଏହି ଇହୁଦୀମାନଙ୍କ ଉପରେ ରାଜତ୍ୱ କରୁଥିଲେ । ଯୀଶୁଙ୍କ ଜନ୍ମ ସମୟରେ ହେରଡ଼୍ ଏହି ଭବିଷ୍ୟଦ୍‍ବାଣୀ ଶୁଣି ପାରିଲେ ଯେ, ଇହୁଦୀମାନଙ୍କର ନୂତନ ରାଜା ଶୀଘ୍ର ଭୂତଳରେ ଅବତୀର୍ଣ୍ଣ ହେବେ । ଏ ସଂବାଦରେ ହେରଡ଼୍ ସିଂହାସନରୁ ବିଚ୍ୟୁତ ହେବାର ଆଶଙ୍କା କରି ଆଦେଶ ଦେଲେ ଯେ, ତାଙ୍କ ରାଜ୍ୟରେ ସମସ୍ତ ନବଜାତ ଶିଶୁ ସଙ୍ଗେ ସଙ୍ଗେ ନିହତ ହେବେ । ରାଜାଜ୍ଞା କାର୍ଯ୍ୟରେ ପରିଣତ ହେବା ପୂର୍ବରୁ ଯୋସେଫ୍ ଓ ମେରୀ ସ୍ୱପ୍ନରେ ଏହି ଜଘନ୍ୟ କର୍ମର ସଙ୍କେତ ପାଇ ଗୋପନଭାବରେ ନବଜାତ ପୁତ୍ରକୁ କୋଳରେ ଘେନି ମିଶର ଦେଶକୁ ପଳାୟନ କଲେ । କେତେକ ବର୍ଷ ଉତ୍ତାରେ ହେରଡ଼୍ ପ୍ରାଣତ୍ୟାଗ କରିବାର ଶୁଣି ଯୋସେଫ୍ ଓ ତଦୀୟ ପତ୍ନୀ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ; କିନ୍ତୁ ଯେତେବେଳେ ସେ ଜାଣିଲେ ଯେ, ହେରଡ଼୍‍ଙ୍କ ଅତ୍ୟାଚାରୀ ପୁତ୍ର ରାଜଦଣ୍ଡ ଧାରଣ କରିଅଛନ୍ତି, ସେତେବେଳେ ସେମାନେ ବେଥେଲ୍‍ହେମ୍‍କୁ ନ ଫେରି, ନାଜାରେତ୍ ନାମକ ନଗରରେ ବାସ କରିବାକୁ ଲାଗିଲେ ।

 

ନାଜାରେତ୍ ନଗରରେ ତରୁଣ ଯୀଶୁ ପିତାଙ୍କ ବ୍ୟବସାୟ ଅବଲମ୍ବନ କରି ଜନକଜନନୀଙ୍କୁ ସାଂସାରିକ କ୍ରିୟାରେ ସାହାଯ୍ୟ କରିବାକୁ ଲାଗିଲେ । ପ୍ରାୟ ଦ୍ୱାବିଂଶତି ବର୍ଷ ବୟସରେ ତରୁଣ ଖ୍ରୀଷ୍ଟଙ୍କର ଜନ୍ ନାମକ ଜଣେ ଧର୍ମାଚାର୍ଯ୍ୟଙ୍କ ସହିତ ପରିଚୟ ହେଲା । ଏହି ପରିଚୟ ଖ୍ରୀଷ୍ଟଙ୍କ ଜୀବନର ପଥ ପରିବର୍ତ୍ତନ କଲା । ଜନ୍ ଖ୍ରୀଷ୍ଟଙ୍କ ଧର୍ମାନୁଭାବକତା ଓ ନିର୍ମଳ ଚରିତ୍ର ଦେଖି ପାରି ତାହାଙ୍କର ଭବିଷ୍ୟତ୍ ସମ୍ବନ୍ଧରେ ଆଶାବାନ୍ ହୋଇ ଉଠିଲେ ଏବଂ ଚାରିଆଡ଼େ ପ୍ରଚାର କଲେ ଯେ ‘ଜଗତର ତ୍ରାଣକର୍ତ୍ତା ବର୍ତ୍ତମାନ ଅବତୀର୍ଣ୍ଣ ହୋଇ ଅଛନ୍ତି ।’ ଯୁବକ ଯୀଶୁ ଏହି ଧର୍ମାଚାର୍ଯ୍ୟଙ୍କର ଶିଷ୍ୟତ୍ୱ ଗ୍ରହଣ କରି ତାହାଙ୍କଠାରୁ ଦୀକ୍ଷା ଲାଭ କଲେ ଓ ଦୀକ୍ଷାର ଚିହ୍ନସ୍ୱରୂପ ତଦୀୟ ରୀତିରେ ଜନଙ୍କଦ୍ୱାରା ଅଭିଷିକ୍ତ ହେଲେ ।

 

ଅଭିଷେଚନଲାଭ କଲା ପରେ ଖ୍ରୀଷ୍ଟ ନଗରର ଉପକଣ୍ଠସ୍ଥ ଏକ ବନରେ ତପଶ୍ଚରଣ ନିମିତ୍ତ ପ୍ରସ୍ଥାନ କଲେ । ଏହି ସ୍ଥାନରେ ଏହାଙ୍କର ତପୋଭଙ୍ଗ ନିମିତ୍ତ ସଇତାନ ମାୟା ବିସ୍ତାର କରି ତାହାଙ୍କୁ ନାନା ପ୍ରଲୋଭନରେ ପ୍ରଲୋଭିତ କରିଥିବାର ଜଣାପଡ଼େ; କିନ୍ତୁ ଦୈବୀ ଶକ୍ତିରେ ଶକ୍ତିମାନ୍ ଯୀଶୁ ସମସ୍ତ ପ୍ରଲୋଭନ ଏଡ଼ି ଶେଷରେ ଜୟଲାଭ କଲେ ।

 

ଧର୍ମଜୀବନର ଏହି ସିଦ୍ଧିଲାଭ କଲା ପରେ ଖ୍ରୀଷ୍ଟ ଲୋକସମାଜରେ ନୂତନ ସତ୍ୟ ଓ ସ୍ୱର୍ଗରାଜ୍ୟର ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ । ସମାଗତ ଜନତାରୁ ବହୁ ରୋଗଗ୍ରସ୍ତ ବ୍ୟକ୍ତି ତାଙ୍କର ଦିବ୍ୟସ୍ପର୍ଶରେ ରୋଗମୁକ୍ତ ହେବାରୁ ଜନତା କ୍ରମେ ବଢ଼ିବାକୁ ଲାଗିଲା । କ୍ରମବର୍ଦ୍ଧମାନ ଜନସଂଘ ଯୀଶୁଙ୍କୁ ତାଙ୍କର ଦିବ୍ୟବାଣୀ ଶୁଣାଇବା ଲାଗି ବାରମ୍ୱାର ଅନୁରୋଧ କରନ୍ତେ, ଖ୍ରୀଷ୍ଟ ଏକ କ୍ଷୁଦ୍ର ପର୍ବତରେ ଆରୋହଣ କରି ଖ୍ରୀଷ୍ଟଧର୍ମର ଭିତ୍ତିରୂପୀ ସୁପ୍ରସିଦ୍ଧ ଉପଦେଶାବଳି ଘୋଷଣା କଲେ । ଏହି ଉପଦେଶସମୂହ ସେହି କାଳରୁ ଅଦ୍ୟାବଧି କୋଟି କୋଟି ପ୍ରାଣରେ ସଦ୍‍ବୁଦ୍ଧି ସଞ୍ଚାର କରିଅଛି ଓ କୋଟି କୋଟି ପଥଭ୍ରାନ୍ତ ଲୋକଙ୍କୁ ସନ୍ନାର୍ଗ ଦେଖାଇଅଛି । ପର୍ବତ ଉପରୁ ଏହି ମହାବାଣୀସମୂହ ବିଘୋଷିତ ହୋଇଥିବାରୁ ଏହାକୁ ‘ପାର୍ବତିକ ଉପଦେଶ’ ବୋଲି କୁହାଯାଏ । ନିମ୍ନରେ ତନ୍ମଧ୍ୟରୁ କେତୋଟି ଉଦ୍ଧାର କରି ଦିଆ ଯାଉଅଛି ।

 

“ତୁମ୍ଭେମାନେ ଶୁଣିଛ ଯେ, ପ୍ରତିହିଂସା ମନୁଷ୍ୟର କର୍ତ୍ତବ୍ୟ ଓ ଚକ୍ଷୁ ପାଇଁ ଚକ୍ଷୁ ଓ ଦାନ୍ତ ପାଇଁ ଦାନ୍ତ ଦାବୀ କରିବା ଧର୍ମ । କିନ୍ତୁ ମୁଁ ତୁମ୍ଭମାନଙ୍କୁ କହି ରଖୁଛି, ଅପରାଧ ଲାଗି ପ୍ରତିକ୍ରିୟା କର ନାହିଁ । ବରଂ ତୁମ୍ଭଙ୍କୁ ଯଦି କେହି ଦକ୍ଷିଣ ଗଣ୍ତରେ ଆଘାତ କରେ,ତୁମ୍ଭେ ତାହାଙ୍କୁ ଅନ୍ୟ ଗଣ୍ତଟି ଦେଖାଇଦିଅ ।”

 

“ତୁମ୍ଭେମାନେ ଶୁଣିଛ ଯେ, ପ୍ରତିବେଶୀଙ୍କୁ ସ୍ନେହ କରିବା ଓ ଶତ୍ରୁକୁ ଘୃଣା କରିବା ଉଚିତ, କିନ୍ତୁ ମୁଁ କହି ରଖୁଛି ଯେ, ତୁମ୍ଭେ ଶତ୍ରୁକୁ ମଧ୍ୟ ସ୍ନେହ କର, ଯେଉଁମାନେ ତୁମ୍ଭଙ୍କୁ ଅଭିଶାପ ଦିଅନ୍ତି, ତାହାଙ୍କୁ ଆଶୀର୍ବାଦ କର, ଯେଉଁମାନେ ଘୃଣା କରନ୍ତି, ତାଙ୍କର ଉପକାର କର ଓ ଯେଉଁମାନେ ତୁମ୍ଭପ୍ରତି ବିଦ୍ୱେଷରେ ଅତ୍ୟାଚାର କରନ୍ତି, ସେମାନଙ୍କ ଲାଗି ପ୍ରାର୍ଥନା କର ।

 

“ତୁମ୍ଭେ ଭିକ୍ଷାଦାନ କଲାବେଳେ ଲୋକଙ୍କୁ ଦେଖାଇବା ଲାଗି ଦାନ କର ନାହିଁ । ଏପରି ଦାନ କରିବ ଯେପରି କି ଦକ୍ଷିଣ ହସ୍ତର ଦାନ ବାମ ହସ୍ତ ଜାଣି ନ ପାରେ । ତା ହେଲେ ତୁମ୍ଭେ ତୁମ୍ଭ ଦାନର ପୁରସ୍କାର ପାଇବ ।”

 

“ନିଜ ସମ୍ୱନ୍ଧରେ କ’ଣ ଖାଇବି, କ’ଣ ପିଇବି, କ’ଣ ପିନ୍ଧିବି, ଏପରି ଭାବି ବ୍ୟାକୁଳ ହୁଅ ନାହିଁ । ଆକାଶର ବିହଙ୍ଗମାନଙ୍କୁ ଦେଖ, ସେମାନେ ଶସ୍ୟ ବପନ ବା କର୍ତ୍ତନ କରନ୍ତି ନାହିଁ, କିନ୍ତୁ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କର କ୍ଷୁନ୍ନିବୃତ୍ତିର ବ୍ୟବସ୍ଥା କରିଅଛନ୍ତି । ପୁଣି ଉଦ୍ୟାନର ପୁଷ୍ପରାଜିକୁ ଅନାଅ । ବିନା ଚେଷ୍ଟାରେ ସେମାନେ ଯେଉଁ ବର୍ଣ୍ଣବିଭବମୟ ବସନରେ ଆବୃତ ହୋଇଅଛନ୍ତି, ତାହା ରାଜେଶ୍ୱରଙ୍କୁ ମଧ୍ୟ ମିଳେ ନାହିଁ; ତେଣୁ ତୁମ୍ଭର ଅଶନ, ବସନ ଲାଗି ବ୍ୟାକୁଳ ହେବା ଉଚିତ କି ? ସ୍ୱର୍ଗସ୍ଥ ପିତା ତୁମ୍ଭର କି କି ଦ୍ରବ୍ୟ ଆବଶ୍ୟକ ତାହା ଜାଣନ୍ତି ।”

 

ଏହି ମହାବାଣୀ ବିଘୋଷିତ ହେବାପରେ ସମବେତ ଜନତା ମୁଗ୍‍ଧ ଓ ଚକିତ ହୋଇ ଉଠିଲେ ଏବଂ ଅନ୍ଧ, ଖଞ୍ଜ, କୁଷ୍ଠୀ ପ୍ରଭୃତି ବହୁ ଦୁଃସ୍ଥ ଲୋକ ତାଙ୍କର ଦିବ୍ୟ ସ୍ପର୍ଶରେ ଆରୋଗ୍ୟ ଲାଭ କରିବାଲାଗି ତାଙ୍କ ନିକଟକୁ ଆସିବାକୁ ଲାଗିଲେ । ଜନତାର ସମ୍ୱର୍ଦ୍ଧନାରେ ଉତ୍ସାହିତ ହୋଇ ଯୀଶୁ ବର୍ତ୍ତମାନ ନଗରରୁ ନଗରାନ୍ତରରେ ଓ ଗ୍ରାମରୁ ଗ୍ରାମାନ୍ତରରେ ନୂତନ ସତ୍ୟ ପ୍ରଚାର କରିବାରେ ଓ ରୁଗ୍ଣ ବ୍ୟକ୍ତିମାନଙ୍କୁ ସୁସ୍ଥ କରିବାରେ ଲାଗିଲେ ।

 

ସେହି ସମୟରେ ସିରିୟାରେ ଧର୍ମ ଓ ରାଷ୍ଟ୍ର ଉଭୟଦିଗରେ ଭୟଙ୍କର ଗ୍ଳାନି ଉପସ୍ଥିତ ହୋଇଥିଲା । ସିରିଆ ରୋମକମାନଙ୍କର ଅଧୀନରେ ଥିଲେହେଁ ରୋମକ ସାମ୍ରାଜ୍ୟର ଅଧଃପତନ ଆରମ୍ଭ ହୋଇ ଆସୁଥିଲା । ଗୃହବିବାଦର ସୂତ୍ରପାତ ହୋଇ ରାଷ୍ଟ୍ରବିପ୍ଳବ ଓ ତଜ୍ଜନିତ ରକ୍ତପାତ, ଦୈନନ୍ଦିନ ଘଟଣା ହୋଇଥିଲା । ଏଣେ ଇହୁଦୀମାନଙ୍କ ମଧ୍ୟରେ ଧର୍ମ ନାମରେ ଘୋର ମିଥ୍ୟାଚାର ପ୍ରସାର ଲାଭ କରିଥିଲା । ପାଂହସୀ ଓ ସ୍କ୍ରାଇବ୍ ନାମଧେୟ ଇହୁଦୀ ଧର୍ମଯାଜକଗଣ ଧର୍ମକୁ ଅର୍ଥାଗମର ଉପାୟସ୍ୱରୂପ କରି ରଖିଥିଲେ ଓ ସେମାନଙ୍କର ଦେବାଳୟମାନ ବ୍ୟବସାୟର କେନ୍ଦ୍ର ହୋଇ ଉଠିଥିଲା ।

 

ଏହିପରି ମିଥ୍ୟାଚାର ଓ ବିପ୍ଳବ ସମୟରେ ଯୀଶୁଙ୍କ ଆବିର୍ଭାବ ବିଧାତାର ନିର୍ଦେଶ ପରି ଜଣାଯାଏ । ମିଥ୍ୟାଚାରର ବିନାଶ କରି ଜଗତରେ ସତ୍ୟଧର୍ମର ପ୍ରତିଷ୍ଠା ଲାଗି ସେ ଯେପରି ଜନ୍ମପରିଗ୍ରହ କରିଥିଲେ । କିନ୍ତୁ ଜଗତର ଅନ୍ୟାନ୍ୟ ସତ୍ୟଦ୍ରଷ୍ଟାମାନଙ୍କ ପରି ତାଙ୍କୁ ମଧ୍ୟ ଘୋର ପ୍ରତିକୂଳତାର ସମ୍ମୁଖୀନ ହେବାକୁ ହୋଇଥିଲା । ଇହୁଦୀ ଧର୍ମଯାଜକମାନଙ୍କ ଶଠତା ବିରୁଦ୍ଧରେ ସେ ପ୍ରଚାର କରନ୍ତେ, ସେମାନେ କ୍ରମେ ଉତ୍ତ୍ୟକ୍ତ ହୋଇ ଉଠିଲେ । ଦିନେ ଯୀଶୁ ସେମାନଙ୍କର ଦେବମନ୍ଦିରରେ ପ୍ରବେଶ କରି ସେମାନଙ୍କ ସମ୍ମୁଖରେ ଅକୁତୋଭୟ ଭାବରେ ସେମାନଙ୍କର ଶଠତା ଲାଗି ତିରସ୍କାର କଲେ ଏବଂ ସେହି ମନ୍ଦିର ଭଗ୍ନ କରି ନୂତନ ମନ୍ଦିର ଉତ୍ତୋଳନ କରିବାର ସଙ୍କେତ ଦେଲେ । ମନ୍ଦିରର ପୁରୋହିତମାନଙ୍କର କ୍ରୋଧାଗ୍ନିରେ ଏହା ଶୁଷ୍କତୃଣବତ୍ କାର୍ଯ୍ୟ କଲା ଓ ସେମାନେ ଯୀଶୁଙ୍କର ପ୍ରତିଷ୍ଠା ବିନାଶ କରିବା ଲାଗି ବଦ୍ଧପରିକର ହେଲେ ।

 

ପୁରୋହିତମାନଙ୍କର ଯୀଶୁଙ୍କ ବିରୁଦ୍ଧରେ ଆଉ ଏକ ଅଭିଯୋଗ ଥିଲା ଯେ, ସେ ସମାଜର ନିମ୍ନଶ୍ରେଣୀର ଲୋକମାନଙ୍କ ସଙ୍ଗେ ବିଶେଷ ସଖ୍ୟ କରୁଥିଲେ । ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ନିମ୍ନଶ୍ରେଣୀର ଲୋକ ଥିଲେ ଏବଂ ଦରିଦ୍ର ଓ ଅବହେଳିତ ଜନତା ମଧ୍ୟରେହିଁ ଯୀଶୁ ତାଙ୍କର ବାଣୀ ପ୍ରଚାର କରୁଥିଲେ । ପୁରୋହିତମାନେ ବିଶ୍ୱାସ କଲେ ଯେ, ନୀଚଲୋକମାନଙ୍କୁ ଏ ପ୍ରକାର ପ୍ରଶ୍ରୟ ଦେଇ ଯୀଶୁ ସମାଜରେ ବିପ୍ଳବ ସୃଷ୍ଟି କରିବେ ଓ ସେମାନଙ୍କର ପ୍ରତିପତ୍ତି ସମୂଳେ ନଷ୍ଟ ହେବ ।

 

ଏହି ଅଭିଯୋଗମାନ ବିଚାର କରି ପୁରୋହିତମାନେ ଯୀଶୁଙ୍କ ପ୍ରତି ପ୍ରକାଶ୍ୟ ଭାବରେ ଅତ୍ୟାଚାର ବା ତାଙ୍କୁ ହତ୍ୟା କରିବାର ଇଚ୍ଛା କଲେ; କିନ୍ତୁ ନଗରେ ନଗରେ ବିପୁଳ ଜନସଂଘଯୀଶୁଙ୍କର ଏପରି ଅନୁରକ୍ତ ଥିଲା ଯେ, ସେମାନେ ତାହା ପ୍ରକାଶ୍ୟ ଭାବରେ କରିବାକୁ ସାହସ କଲେ ନାହିଁ । ଦିନେ ନିଶାକାଳରେ ଧର୍ମପ୍ରଚାର ଶେଷରେ ଯୀଶୁ ସଶିଷ୍ୟ କୌଣସି ଏକ ଉପବନରେ ବିଶ୍ରାମ କଲା ସମୟରେ ତାଙ୍କର ଏକ ଶିଷ୍ୟ ଧନଲୋଭରେ ତାଙ୍କୁ ଶତ୍ରୁ ମାନଙ୍କ ହସ୍ତରେ ସମର୍ପଣ କରିଦେଲା । ଶତ୍ରୁମାନେ ଯୀଶୁଙ୍କୁ ଧରିନେଇ ରୋମକ ରାଜପ୍ରତିନିଧି ପାଇଲେଟ୍‍ଙ୍କ ନିକଟରେ ବିଚାରାର୍ଥ ଉପସ୍ଥାପିତ କଲେ । ବିଚାରବେଳେ ଯୀଶୁ ଏକ ପ୍ରକାର ନୀରବ ଥିଲେ; କିନ୍ତୁ ପାଇଲେଟ୍ ଯୀଶୁଙ୍କୁ ପ୍ରକୃତରେ ଏକାନ୍ତ ନିରପରାଧ ଜାଣି ତାଙ୍କୁ ମୁକ୍ତି ଦେବାକୁ ଉତ୍ସୁକ ହେଲେହେଁ ଇହୁଦୀ ପୁରୋହିତମାନେ କାଳେ ବିପ୍ଳବ ଆରମ୍ଭ କରି ପାରନ୍ତି ଏହି ଆଶଙ୍କାରେ ସେ ଶାନ୍ତି, ସାଧୁ, ଓ ନିରୀହ ଯୀଶୁଙ୍କୁ ନିଷ୍ଠୁର ଓ ବର୍ବର ଶତ୍ରୁମାନଙ୍କ ହସ୍ତରେ ଅର୍ପଣ କରି ଦେଲେ । ବିଜୟୋଲ୍ଲାସରେ ମତ୍ତ ହୋଇ ଶତ୍ରୁମାନେ ସେହି ମହାମାନବଙ୍କୁ ପରିହାସରେ କଣ୍ଟକର ମୁକୁଟ ଦେଇ ପଥ ମଧ୍ୟରେ ବେତ୍ରାଘାତ କରି କରି ବଧସ୍ଥାନକୁ ଘେନିଗଲେ । ସେତେବେଳକୁ କାପୁରୁଷ ଶିଷ୍ୟଗଣ ଓ ଅନୁରକ୍ତ ଜନତା ଭୟରେ ତାଙ୍କର ସଙ୍ଗ ତ୍ୟାଗ କରି ପଳାୟନ କରିଥିଲେ । ବଧ୍ୟଭୂମିରେ ଉପସ୍ଥିତ କରାଇ ଶତ୍ରୁମାନେ କ୍ରୁଶଯନ୍ତ୍ରରେ ଯୀଶୁଙ୍କର ପୁଣ୍ୟ ଶରୀରକୁ କଣ୍ଟକବିଦ୍ଧ କରି ଯେତେବେଳେ ଅକଥନୀୟ ଯନ୍ତ୍ରଣା ଦେଉଥାନ୍ତି, ସେତେବେଳେ ମହାପ୍ରାଣ ଖ୍ରୀଷ୍ଟ ପ୍ରାର୍ଥନା କରୁଥାନ୍ତି, “ହେ ସ୍ୱର୍ଗସ୍ଥ ପିତା, ଏମାନଙ୍କୁ କ୍ଷମା କର; ଏମାନେ କ’ଣ କରୁଅଛନ୍ତି, ତାହା ଏମାନେ ଜାଣି ପାରୁ ନାହାନ୍ତି ।” ଏ ପ୍ରକାର କ୍ଷମାମୟ ବାଣୀ ଜଗତର କୌଣସି ମହାପୁରୁଷ କଣ୍ଠରେ କେବେହେଲେ ଉଚ୍ଚାରିତ ହୋଇ ନାହିଁ ଏବଂ ଏହା ଏଯାବତ୍ କୋଟି କୋଟି ମାନବକର୍ଣ୍ଣରେ ପୁଣ୍ୟ ଓ ଆଶାର ଅମୃତ ସେଚନ କରୁଅଛି । ଏହି ବାଣୀ ଉଚ୍ଚାରଣ କଲା ପରେ ସେ ନୀରବରେ ସମସ୍ତ ଯନ୍ତ୍ରଣା ସହ୍ୟ କରି ସେହି କ୍ରୁଶରେ ପ୍ରାଣତ୍ୟାଗ କଲେ ।

 

ଯୀଶୁ କ୍ଷୀଣଶରୀର ଓ କ୍ଷୀଣବାସ ହୋଇ ଦରିଦ୍ର ପରି ଜୀବନ ଯାପନ କରୁଥିଲେ । ସେ ମାନବ ଜାତିଲାଗି ଜନ୍ମ ହୋଇ ମାନବ ଜାତିଲାଗି ପ୍ରାଣଦାନ କରିଅଛନ୍ତି । ଜଗତର ଅନ୍ୟ କୌଣସି ମହାପୁରୁଷ ପରଲାଗି ଏ ପ୍ରକାର ଆତ୍ମବଳି ଦେଇ ପାରି ନାହିଁ ।

Image

 

ଦେବାବତରଣ

 

ଏବକାଳ ଲୋକେ ଯିବ କି ପରତେ ?

ଶୁଣିଛି ମୁଁ ଯାହା ଶୁଣ ହେ ତେବେ,

ବେଳେ ବେଳେ ଆସି ସ୍ୱରଗୁ ଦେବତା

ମାନବବିହାର ରଚନ୍ତି ଭବେ ।

ଲଭନ୍ତି ମାନବ- ଜନମ ସେ ଏଥି,

ନରପରି ଭୁଲି ରହନ୍ତି ସୁଖେ,

ମରତ-ବିଳାସେ ବିଗ୍ରହ-ବିଭବେ

ରସନ୍ତି ସେ ଏହି ମାନବ-ଲୋକେ ।

ବାଲମୀକି ପରା ଗାଇଛନ୍ତି ଗୀତ

ରାମଚନ୍ଦ୍ର କଥା ଶୁଣିଛ ବାବୁ,

ପୁରାଣେ ପୁରାଣେ ଶୁଣିଥିବ କେତେ;

ଅଭିଶାପେ ଦେବେ ଭୁଲନ୍ତି ସବୁ ।

ସୁରକୁଳେ ଡରି ବିହାରଟି ପୁଣି

କରନ୍ତି ମରତେ ଦେବତାମାନେ,

ଭୁଲି ସେ ରହନ୍ତି ନରଲୋକ ପରି

ଚେତାଇଲେ ପୁଣି ପଡ଼ଇ ମନେ ।

ମର୍ତ୍ତ୍ୟଲୋକେ କେତେ ସଉକେ ଆସନ୍ତି

ସରଗୁ ଦେବତା-ସୁର ସୁନ୍ଦରୀ,

ଏ ମରତେ ପୁଣି ଆଦରି ବସନ୍ତି

ତୀର୍ଥନାମେ ପୁର ବିପିନ ଗିରି ।

ସରଗେ ତ ବାବୁ ଅଛି ଚିର ସୁଖ,

ଚିର ଯଉବନ ସମ୍ଭୋଗ ଚିର,

ନନ୍ଦନେ ମଳୟ ଚିର–ବଇଭବ;

ଚିର ତହିଁ ଶୁଭ୍ର ତପନକର ।

ସମ ବଇଭବେ ଅଛଇ କି ସୁଖ ?

ବିଷମେ ସିନା ଏ ପରାଣ ଖେଳେ,

ଦିବସେ ହସଇ କାନନ ଧରଣୀ

ରଜନୀ-ତାମସ-ସ୍ମରଣ-ବେଳେ ।

ବ୍ରତତୀ-ଗହଳେ ତରୁ-କୁଞ୍ଜ-ମାଳେ

ସୁନ୍ଦର ଦିଶଇ ଶବଳ ବିଭା,

ଶ୍ରମ-ପରେ ସିନା ଆରାମ-ସମ୍ପଦ

ପ୍ରବୀଣତା ସିନା ଲୋଡ଼ଇ ଯୁବା ।

ତେସନେ ବରଜି ସ୍ୱରଗ-ଭୁବନ

ଆସନ୍ତି ଦେବତା ମର୍ତ୍ତ୍ୟ-ବିହାରେ,

ବିଷ୍ଣୁ ପଦ ଶିବଜଟା ଛାଡ଼ି ଗଙ୍ଗା

ଆସନ୍ତି ବିପିନ କେଦାର ମାଳେ ।

Image

 

ଯୌଥ ଓ ସମବାୟ ଆନ୍ଦୋଳନ

 

ପାଠପଢ଼ା ଶେଷରେ ରାମକୃଷ୍ଣ ବହୁତ ଚେଷ୍ଟା କରି ମଧ୍ୟ କୌଣସି ଚାକିରି ପାଇ ପାରିଲା ନାହିଁ । ମୂଳରୁ ତା’ର ଚାକିରି ପ୍ରତି ଆଦୌ ଅଭିଳାଷ ନ ଥିଲା । କିନ୍ତୁ ତା’ର ବାପ “ପୁଅ ଚାକିରି କରି ତାକୁ ବଡ଼ ଲୋକ କରାଇ ଦେବ; ଏହି ଆଶାରେ ପୁଅକୁ ପାଠ ପଢ଼ାଇ ଥିଲେ । କିନ୍ତୁ ପ୍ରକୃତରେ ରାମକୃଷ୍ଣର ପାଠରେ ମନ ନ ଥାଏ । ତା’ର ମୂଳରୁ ଇଚ୍ଛା କୌଣସି ସ୍ୱାଧୀନ ବ୍ୟବସାୟ ଧରିବାକୁ । ସେ ଏହି କଥା ତା’ ବାପାଙ୍କୁ କହିଲା ମଧ୍ୟ । କିନ୍ତୁ ବାପା ଅଗ୍ନି ଶର୍ମ୍ମା ହୋଇ କହିଲେ–“ହଁ, ତତେ ଏତେ ଟଙ୍କା ଖର୍ଚ୍ଚ କରି ପଢ଼ାଇଲି; ଶେଷରେ ନିକିତି ଧରିବାକୁ, ନ ହେଲେ ଲଙ୍ଗଳକଣ୍ଟି ରେ ହାତ ଦେବାକୁ ? ଏ କଥା ତ ଆମ ବଂଶରେ ନ ଥିଲା–ଶେଷକୁ ତୁ ଯୋଗ୍ୟ ହୋଇ ଆମ କୁଳଧର୍ମ ନଷ୍ଟ କରିବାକୁ ବସିଛୁ ।” ରାମକୃଷ୍ଣକୁ ଏ କଥାରେ ଅବଶ୍ୟ ବଡ଼ ଲାଜ ଲାଗିଲା ଏବଂ ନିଜର ଅପଦାର୍ଥତା ନେଇ ସେ ଭାବିବାକୁ ଲାଗିଲା । ଇତି ମଧ୍ୟରେ ତା’ର ପିତାଙ୍କର ମୃତ୍ୟୁ ହୋଇଗଲା ଏବଂ ସେ ଘରର ଭାର ମୁଣ୍ତକୁ ନେଇ ଦେଖିଲା ଯେ, ବାପା ସ୍ୱଳ୍ପ ଭୂମି ଓ ବିରାଟ ପରିବାର ଛାଡ଼ି ଯାଇଅଛନ୍ତି । ସେଥିପାଇଁ ସେ ଶୀଘ୍ର କେଉଁଠି ଖଣ୍ତିଏ ଚାକିରି ପାଇଲେ ସୁବିଧା ହୁଅନ୍ତା ବୋଲି ଏଣେ ତେଣେ ଦଉଡ଼ିବାକୁ ଲାଗିଲା । କିନ୍ତୁ ଚାକିରି ତା’ ଭାଗ୍ୟରେ ଜୁଟିଲା ନାହିଁ । ଦିନେ ସେ ବିଷଣ୍ଣ ମନରେ ବସିଛି, ଏପରି ସମୟରେ ତା’ର ବନ୍ଧୁ ଚନ୍ଦ୍ରଶେଖର ତା’ ପାଖକୁ ଆସି ତା’ର କୁଶଳାଦି ଜିଜ୍ଞାସା କଲା । ଚନ୍ଦ୍ରଶେଖର ତା’ର ସମସ୍ତ ବିପଦ୍ ବୁଝି ପାରି କହିଲା; ରାମକୃଷ୍ଣ; ତୁମେ ସିନା ଚାକିରି ଖୋଜୁଛ, ଚାକିରି ପାଇଲେ କ’ଣ ତୁମେ ସୁଖୀ ହେବ ବୋଲି ଭାବୁଛ ? ମୁଁ ବରାବର ଦେଖୁଛି; ତୁମେ ସ୍ୱାଧୀନଚେତା । ତୁମେ କି ଅନ୍ୟର ଚାକର ହୋଇ ରହି ପାରିବ ? ଚାକର ହେବାରେ ଗୌରବ ବା ସୁଖ କ’ଣ ? ତୁମେ କିଛି ସ୍ୱାଧୀନ ବ୍ୟବସାୟ ଧରି ଅନ୍ୟର ଚାକର ହେବା ପରିବର୍ତ୍ତରେ ‘ନିଜର ପ୍ରଭୁ’ ହେବ ନାହିଁ କାହିଁକି ?

ରାମକୃଷ୍ଣ ଉତ୍ତର ଦେଲା–ମୁଁ କ’ଣ ତା’ ଭାବି ନାହିଁ କି ଭାଇ ? ସ୍ୱାଧୀନ ବ୍ୟବସାୟ ପାଇଁ ଟଙ୍କା କାହିଁ ? ମୂଳଧନ ନ ହେଲେ କି ସ୍ୱାଧୀନ ବ୍ୟବସାୟ କରାଯାଇ ପାରେ ? ଦରିଦ୍ର ଲୋକ ପରର ଚାକର ନ ହୋଇ ଆଉ କ’ଣ କରି ପାରେ ? ଦରିଦ୍ରଙ୍କ କଥା ଛାଡ଼, ଜମିଦାରର ପିଲାମାନେ ତ ଚାକର ହୋଇ ଟଙ୍କା ରୋଜଗାର କରିବାକୁ ବ୍ୟାକୁଳ ।

ଚନ୍ଦ୍ରଶେଖର–ଅବଶ୍ୟ ଆମ ଦେଶରେହିଁ ଏ ପ୍ରକାର ଘୃଣ୍ୟ ମାନସିକତା ଦେଖାଯାଏ-ଅନ୍ୟ ଦେଶରେ ନୁହେଁ । ଦୂରକୁ ବା ଯିବା କାହିଁକି ? ଏଇଠି ଆମ ମାଢ଼ୁଆଳି ଭାଇମାନଙ୍କୁ ଦେଖୁ ନାହଁ; ସେମାନେ କେବଳ ମାତ୍ର ସାମାନ୍ୟ ଲେଖି ପଢ଼ି ଜାଣନ୍ତି ଏବଂ ଏଠାକୁ ଆସିଲା ବେଳେ କେବଳ ଲୋଟା ଓ କମ୍ୱଳ ଘେନି ଆସିଥାନ୍ତି । ଦେଖୁ ଦେଖୁ କେତେଟା ବର୍ଷ ଭିତରେ ସେହି ଦରିଦ୍ର, ଅଳ୍ପ ଶିକ୍ଷିତ ଲୋକଗୁଡ଼ିକ ଲକ୍ଷପତି ହୋଇ ଉଠନ୍ତି । ଆମ ଲୋକେ ଏ କଥା ଆଖି ଆଗରେ ଦେଖି ମଧ୍ୟ ଦେଖୁ ନାହାନ୍ତି । ବି. ଏ. ଏମ୍. ଏ ପାଶ କରି, ଏତେ ଏତେ ପାଠ ପଢ଼ି ସେହି ନିରକ୍ଷର ମାଢ଼ୁଆଳୀମାନଙ୍କ ଘରେ ଚାକିରି ପାଇଁ ଦଉଡ଼ନ୍ତି । କିନ୍ତୁ ସେମାନଙ୍କର ବୁଝିବା ଉଚିତ, ଚାକିରି ଖୋଜିବା ଓ ତୁଲେଇବାରେ ଯେତିକି ପରିଶ୍ରମ ଓ ଲାଞ୍ଚ୍ଥନା ଭୋଗି ବାକୁ ହୁଏ, ସେତକ ଯଦି ସ୍ୱାଧୀନ ବ୍ୟବସାୟରେ ଖଟାନ୍ତେ ତେବେ ସେମାନଙ୍କର ଦୁର୍ଦଶା ରହନ୍ତା ନାହିଁ । ତେଣୁ ତୁମୁକୁ ମୁଁ କେବେ ହେଲେ ଚାକିରି ପାଇଁ ଉପଦେଶ ଦେବି ନାହିଁ । ତୁମର କି ସ୍ୱାଧୀନ ବ୍ୟବସାୟ କରିବାକୁ ଇଚ୍ଛା କହିଲ ?

ରାମକୃଷ୍ଣ–ବାପା ସାମାନ୍ୟ ଜମି ଛାଡ଼ି ଯାଇଛନ୍ତି । ସେହି ଜମିକି ବଢ଼େଇ ମୁଁ କିଛି ଉଚ୍ଚ ଦରର କୃଷି କରିବାକୁ ଓ ଛୋଟ ଖାଟରେ କିଛି ବ୍ୟବସାୟ କରିବାକୁ ମୋର ବରାବର ମନଅଛି । କିନ୍ତୁ ମୂଳଧନ କାହିଁ ।

ଚନ୍ଦ୍ରଶେଖର–କାହିଁକି କରଜ ଆଣୁ ନା ।

ରାମକୃଷ୍ଣ–କା’ଠୁଁ ? ଆମ ସେ ଅଞ୍ଚଳରେ ଧନୀ ସାହୁ ମହାଜନର ବହୁତ ଟଙ୍କା ଅଛି । କିନ୍ତୁ ସେ ଅଞ୍ଚଳରେ ସମସ୍ତ ଗରିବଯାକର ଧନ ତା’ ଘରେ ଯାଇ ବନ୍ଦୀ ହୋଇ ରହିଛି । ସେ ଟଙ୍କାରେ ସମୟ ସମୟରେ ଟଙ୍କାଏ ପର୍ଯ୍ୟନ୍ତ ସୁଧ ନିଏ ଏବଂ ଚକ୍ରବୃଦ୍ଧି ଦରରେ ଇମିତି କଷିନିଏ ଯେ ସେ ଅଞ୍ଚଳର କୃଷକ ସବୁ ପେଷି ହୋଇ ଗଲେଣି । ଲୋକେ ସକାଳୁ ଉଠିଲେ ତା’କୁ ମନେ କରି ଭଗବାନକୁ ଡାକନ୍ତି । କିନ୍ତୁ ଉପାୟ କ’ଣ । ସମାଜରେ ବାସ କଲେ, ପ୍ରତ୍ୟେକ ଲୋକର ଗରଜ ଅଛି–ବିବାହ,ପୁଆଣୀ; ବ୍ରତ, ଶ୍ରାଦ୍ଧ ପ୍ରଭୃତି ନାନା ଅନୁଷ୍ଠାନ ଅଛି । କୃଷକ, ଏ ସବୁ ପାଇଁ ଟଙ୍କା ଦରକାର କରେ । ନିଜ ହାତରେ ନ ଥିଲେ, ସେ ଧାର କରିବାକୁ ବାଧ୍ୟ ହୁଏ । କିନ୍ତୁ ମହାଜନ କବଳରେ ଥରେ ପଡ଼ିଲେ ତା’ର ଆଉ ରକ୍ଷା ନାହିଁ । ମତେ କ’ଣ ତୁମେ ଏହି ଅଷ୍ଟପଦୀ ଭିତରକୁ ଜାଣି ଶୁଣି ପଶିବାକୁ କହିବ ।

 

ଚନ୍ଦ୍ରଶେଖର–ନିଶ୍ଚୟ ନୁହେ । କିନ୍ତୁ ତୁମଆଡ଼େ କ’ଣ ସହଯୋଗ ସମିତି ନାହିଁ । ତୁମେ ସହଯୋଗ ସମିତିରୁ ଅଳ୍ପ ସୁଧରେ ଟଙ୍କା କରଜ ଆଣି ପାରନ୍ତ ତ ।

 

ରାମକୃଷ୍ଣ–ଆମଆଡ଼େ ତ ସେ କଥା ନାହିଁ । ମୁଁ ସହଯୋଗ ସମିତି ସମ୍ୱନ୍ଧରେ ବହୁତ ଶୁଣିଲିଣି । କିନ୍ତୁ ଜିନିଷଟା କ’ଣ ମୁଁ ଏ ପର୍ଯ୍ୟନ୍ତ ବୁଝିନାହିଁ । ମତେ ଟିକିଏ ବୁଝେଇ ଦେଲ । ସେଥିକି ଟଙ୍କା ଆସେ କୁଆଡ଼ୁ? ଏତେ ଅଳ୍ପ ସୁଧରେ ଟଙ୍କା କରଜ ବା ଦିଆ ହୁଏ କିପରି ?

 

ଚନ୍ଦ୍ରଶେଖର–ଜିନିଷଟା ଏହି । ଗୋଟେ ଖିଅ ସୂତାରେ ତୁମେ ଗୋଟିଏ ନେଉଳକୁ ବାନ୍ଧି ରଖି ପାରିବନାହିଁ । କିନ୍ତୁ କେତେଗୁଡ଼ାଏ ଖିଅ ମିଶାଇ ଦେଲେ ହାତୀ ମଧ୍ୟ ବନ୍ଧାଯାଇ ପାରିବ-। ସହଯୋଗ ବା ସମବାୟ ଆନ୍ଦୋଳନ ଏହି ନୀତି ଉପରେ ପ୍ରତିଷ୍ଠିତ । ଏହା ଦଶଜଣଙ୍କ ଏକତା ଉପରେ ନିର୍ଭର କରେ । ମନେ କର, ତୁମ ଗାଆଁ ରେ ମୋଟେ ଦୋକାନ ନାହିଁ । ତୁମ ଗାଆଁ ଲୋକେ କୋଶେ ଦୂରର ଆଉ ଗୋଟିଏ ଗାଆଁ କୁ ଯାଇ ସେଠି ଦୋକାନି ଯେଉଁ ଦର କହିଲା, ସେ ଦର ଦେଇ ଜିନିଷ ଆଣିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ତୁମ ଗାଁଆ ରେ ଗୋଟିଏ ନୂଆ ଦୋକାନ ଫିଟାଇବାକୁ କାହାର ହେଲେ ସାହସ ହେଉନାହିଁ । କାରଣ କୌଣସି ଜଣେ ଲୋକ ପାଖରେ ଦୋକାନଟାଏ ଚଳାଇବାକୁ ଯଥେଷ୍ଟ ଟଙ୍କା ନାହିଁ । କିନ୍ତୁ ଏଇଟା ନିଶ୍ଚିତ କଥା ଯେ ପ୍ରତ୍ୟେକଙ୍କ ପାଖରେ କିଛି କିଛି ହେଲେ ଟଙ୍କା ଅଛି । ବର୍ତ୍ତମାନ ସମସ୍ତେ ମିଳି ଯଦି ଟଙ୍କାଏ ଟଙ୍କାଏ କରି ଦିଅନ୍ତି, ତେବେ ହୁଏତ ଟ୫୦ଙ୍କାହେଲା । ସେହି ମୂଳଧନ ଘେନି ତୁମେ ବଡ଼ ସହରରୁ ଜିନିଷ ନେଇ ଆସିଲ ଏବଂ ଶସ୍ତା ଦରରେ କିଣି ଶସ୍ତା ଦରରେ ବିକି ମଧ୍ୟ କିଛି ଲାଭ ପାଇଲ । ଯାହା ଲାଭ ହେଲା; ତାହା ଗ୍ରାମର ଉନ୍ନତିରେ ଲଗାଇଲ । ଏହି ହେଉଛି ସମବାୟ ଆନ୍ଦୋଳନ ।

 

ପାଶ୍ଚାତ୍ୟ ଦେଶରେ ଏହି ଆନ୍ଦୋଳନ ଯୋଗୁ କୃଷକ ଓ ବ୍ୟବସାୟୀମାନଙ୍କର ଅଶେଷ ଉନ୍ନତି ହୋଇଅଛି । ସେ ଦେଶରେ ଲୋକେ ମିଳିମିଶି କାମ କରି ଜାଣନ୍ତି; ତେଣୁ ଯୌଥ କାରବାର ସେ ଦେଶରେ ଏତେ ପ୍ରସାର ଲାଭ କରିଛି । ତୁମେ ମନେ କରୁ ନା, ଇଷ୍ଟଇଣ୍ଡିଆ କମ୍ପାନି ତ ଗୋଟିଏ ଯୌଥ କାରବାର । ଜଣେ ଲୋକର ଭାରତବର୍ଷ ସହିତ କାରବାର କରିବାକୁ ଟଙ୍କା ନ ଥିବାରୁ ଅନେକ ଲୋକ ମିଶି ଗୋଟିଏ କମ୍ପାନୀ ଗଢ଼ି ନେଲେ ଏବଂ ସେହି କମ୍ପାନି କେବଳ ଯେ ବିସ୍ତାର ଲାଭ କଲା ତାହା ନୁହେଁ, ଲାଭ ଟଙ୍କାରେ କ୍ରମେ ଭାରତବର୍ଷ ପରି ପ୍ରକାଣ୍ଡ ଦେଶକୁ ମଧ୍ୟ ଅଧିକାର କରିନେଲା ।

 

ରାମକୃଷ୍ଣ–ଇଏ ସିନା ମିଳିମିଶି ଗୋଟିଏ ବ୍ୟବସାୟ କରିବା କଥା । କିନ୍ତୁ ଧର, ମୁଁ ବା ମୋପରି ୪।୫ ଜଣ ଗାଆଁ ଲୋକ ଭିନ୍ନ ଭିନ୍ନ ବ୍ୟବସାୟଲାଗି କିଛି ଟଙ୍କା କରଜ କରିବାକୁ ଚାହୁଁ । ଆମକୁ ଅଳ୍ପ ସୁଧରେ ଟଙ୍କା ଦେବ କିଏ ? ତୁମେ ସେହିତକ ଆଗେ କରେଇ ଦେଲ ?

 

ଚନ୍ଦ୍ରଶେଖର–ସେଥିପାଇଁ ସହଯୋଗ ସମିତି ସବୁ ଖୋଲା ହୋଇଛି ପରା !

 

ରାମକୃଷ୍ଣ–ଆମଆଡ଼େ ତ ସମିତି ନାହିଁ । ପୁଣି ?

 

ଚନ୍ଦ୍ରଶେଖର–ତା’ ହେଲେ ଗୋଟିଏ କରାଇବାର ଚେଷ୍ଟା କର ।

 

ରାମକୃଷ୍ଣ–କିପରି ?

 

ଚନ୍ଦ୍ରଶେଖର–ଯଦି ତୁମ ଗାଁରେ ଲୋକେ ପ୍ରକୃତରେ ନିଜର ଉନ୍ନତି ଲାଗି ଅଳ୍ପ ସୁଧରେ ଟଙ୍କା ଚାହାନ୍ତି, ତାହାହେଲେ ଅନ୍ତତଃ ଦଶ ଜଣ ମିଳି ସହଯୋଗ ସମିତିର ରେଜିଷ୍ଟ୍ରାରଙ୍କ ପାଖକୁ ତୁମ ଗାଆଁ ରେ ଗୋଟିଏ ସମିତି ଖୋଲିବାକୁ ଦରଖାସ୍ତ ଦିଅ । ଦରଖାସ୍ତ ଦେଲା ପରେ ସହଯୋଗବିଭାଗ ପକ୍ଷରୁ ଜଣେ ଲୋକ ଯାଇ ତୁମ ଗାଆଁ ର ଲୋକଙ୍କର ଅବସ୍ଥା ଦେଖି ଆସିବେ-। ସେ ବିଶେଷତଃ ଦେଖିବେ, ଲୋକମାନେ ସାଧୁ କି ଠକ; କାରଣ ସମସ୍ତ ବ୍ୟବସାୟ ସାଧୁତା ଉପରେ ନିର୍ଭର କରେ । ଭାରତବର୍ଷର ଅଧିକାଂଶ ସ୍ଥଳରେ, ଲୋକଙ୍କ ଅସାଧୁତା ଯୋଗୁ ଏହି ସହଯୋଗ ଆନ୍ଦୋଳନଟି ବିଫଳ ହୋଇ ଉଠୁଛି ।

 

ରାମକୃଷ୍ଣ–ତା’ପରେ ?

 

ଚନ୍ଦ୍ରଶେଖର–ତା’ପରେ ବିଭାଗର ମଞ୍ଜୁର ପାଇଲେ ତୁମ ଗାଆଁ ରେ ସମିତି ଖୋଲା ହୋଇ ଯେ ଯାହା କରଜ ଚାହିଁବ ତାକୁ ତା’ଦିଆଯିବ । କିନ୍ତୁ ଦେବାପୂର୍ବରୁ କେତୋଟି କଥାଦେଖିବାକୁ ହେବ । ପ୍ରଥମରେ ତାଙ୍କର କରଜ ଶୁଝିପାରିବାର ଶକ୍ତିଅଛି କି ନାହିଁ ? ସେଥିପାଇଁ ସମିତି ତୁମଠୁ ପ୍ରତି ୫୦ ଟଙ୍କା କରଜରେ ୫ ଟଙ୍କା ସମିତିରେ ଜମା ରଖିବାକୁ କହିବ । ତା’ପରେ ସମିତିର ଅନ୍ୟ ମେମ୍ୱରମାନେ ତୁମେ ଯେ ଟଙ୍କାକୁ ତୁମର ଉନ୍ନତିରେ ଲଗାଇବ, ଅସାଧୁ କାର୍ଯ୍ୟରେ ବ୍ୟୟ କରିବ ନାହିଁ ଓ ଟଙ୍କା କିସ୍ତି ଅନୁସାରେ ଶୁଝି ଦେବ,ଏଥିଲାଗି ଦାୟୀ ରହିବେ । ଏସବୁ କରିବାର ଉଦ୍ଦେଶ୍ୟ କ’ଣ ଜାଣ ? ଆମ ଦେଶର ଲୋକେ କରଜ କରି ଅକାରଣ ଅର୍ଥ ନଷ୍ଟ କରନ୍ତି-। ମନେ କର; ମୋ’ଠି ଟଙ୍କା ନାହିଁ । ମୁଁ କରଜ କଲି ଏବଂ ସେ ଟଙ୍କାକୁ ବିଭାଘରର ଆଡ଼ମ୍ବରରେ ଲଗାଇ ଦେଲି । ବିଭାଘର ବାସିଦିନ ଯେଉଁ ଅଭାବକୁ ସେହି ଅଭାବ;କରଜ ଶୁଝିବି ପୁଣି କୁଆଡ଼ୁ ? ତା’ ନ କରି ଯଦି ଟଙ୍କାଟା କୌଣସି ବ୍ୟବସାୟରେ ଲଗାଇ ଥାନ୍ତି; ତେବେ ଅଳ୍ପ ଦିନରେ ବ୍ୟବସାୟର ଲାଭରୁ କେବଳ ଟଙ୍କାଟା ଶୁଝିଦେଇ ମୋର ନିଜର ଅବସ୍ଥା ସୁଧାରି ପାରିଥାନ୍ତି; କିନ୍ତୁ ଆମ ଲୋକେ ସହଯୋଗର ନୀତିସବୁ ନ ବୁଝି କେବଳ ଅଳ୍ପ ସୁଧ ବୋଲି ଟଙ୍କା ନେଇ ଯାଇ ଅପବ୍ୟୟ କରି ଶେଷରେ ସର୍ବସ୍ୱାନ୍ତ ମଧ୍ୟ ହେଉଛନ୍ତି । ଏଥିରେ କୃଷକର ଉନ୍ନତି ହେବ କିପରି ?

 

ରାମକୃଷ୍ଣ–ଆଛା, ସହଯୋଗ ବିଭାଗକୁ ଟଙ୍କା ଆସେ କୁଆଡ଼ୁ ?

 

ଚନ୍ଦ୍ରଶେଖର–ତା’ର ଦୁଇଟା ପନ୍ଥା ଅଛି । ମନେ କର ତୁମ ଗାଆଁ ରେ ତୁମେ ଗୋଟିଏ ସମିତି ବସାଇବାକୁ ଚାହିଁଲ । ତା’ହେଲେ ତୁମ ଗାଆଁ ର ସ୍ୱଚ୍ଛଳ ଲୋକଙ୍କୁ ଯଦି କହି ବୁଝାଇ ପାର, ତେବେ ସେମାନେ କିଛି କିଛି ଟଙ୍କା ସମିତି ହାତରେ ଜମା କରି ପାରନ୍ତି । ଦ୍ୱିତୀୟରେ ତୁମେ କେନ୍ଦ୍ର ବା ପ୍ରାଦେଶିକ ବ୍ୟାଙ୍କ୍‍ରୁ ଟଙ୍କା କରଜ ଆଣି ତୁମ ଗାଆଁ ଲୋକଙ୍କୁ ସେହି ଟଙ୍କା କରଜ ଦେବ । ଉପର ବ୍ୟାଙ୍କ୍‍ରୁ ତୁମେ ଟଙ୍କାରେ ଛଅ ପଇସା ଦରରେ ସୁଧ ଆଣି, ତୁମ ଲୋକଙ୍କୁ ଦୁଇ ଅଣା ସୁଧରେ କରଜ ଦେଲ । ମଝିରେ ଟଙ୍କାରେ ଯେଉଁ ଦୁଇ ପଇସା ଲାଭ କଲ ତାହା ତୁମର ଗାଆଁ ସମିତିର ପାଣ୍ଠି ହେଲା । ସେଥିରୁ ଯେଉଁ ମାନେ ତୁମ ସମିତିରେ ଟଙ୍କା ଜମା ରଖିଛନ୍ତି, ତାଙ୍କୁ ତାଙ୍କ ଲାଭାଂଶ ଦେଇ ଏବଂ ପରିଚାଳନ ଖରଚ କରି, ବାକି ତକ କୋଠରେ ରଖିଲ ଓ ଗ୍ରାମର ହିତକର କାମରେ ଲଗାଇଲ । ସମସ୍ତ ବିଭାଗର କାରବାର ଏହିପରି ଚାଲୁଛି । ଇୟୁରୋପ ପ୍ରଭୃତି ଦେଶରେ ଏହି ଆନ୍ଦୋଳନ ଏମିତି ସୁରୁଖୁରୁରେ ଚାଲୁଛି ଯେ, କୌଣସି କୌଣସି ସ୍ଥାନରେ ସମିତିର କେହି ମେମ୍ବର ଯଦି ରୋଗରେ ପଡ଼ି ତା’ ର ବାୟୁ ପରିବର୍ତ୍ତନ ଦରକାର କରେ, ତେବେ ତା’ର ସମସ୍ତ ବ୍ୟୟ କୋଠ ପାଣ୍ଠିରୁ ତୁଲା ହୁଏ ।

 

ଏଠି ଲୋକେ ଏ ସବୁ କଥା ବିଶ୍ୱାସ କରି ପାରିବେ ନାହିଁ-କିନ୍ତୁ ଲୋକେ ଯଦି ସାଧୁ, ମିତବ୍ୟୟୀ ଓ ସତ୍ୟାନୁରାଗୀ ହୁଅନ୍ତେ, ତେବେ ଏହି ଆନ୍ଦୋଳନ ଯୋଗୁ କେବଳ ଏ ଦେଶର କୃଷକମାନଙ୍କର ଅବସ୍ଥା ଅଚିରେ ପରିବର୍ତ୍ତିତ ହୋଇଯାନ୍ତା-। ସେଥିପାଇଁ ସମ୍ରାଟ୍ ପଞ୍ଚମ ଜର୍ଜ କହିଥିଲେ ଯଦି ‘ସମବାୟ’ ଆନ୍ଦୋଳନ ଏ ଦେଶରେ ଚଳି ପାରେ, ତେବେ ମୁଁ ଏ ଦେଶର କୃଷକକୁଳର ସୌଭାଗ୍ୟମୟ ଭବିଷ୍ୟତ୍ ଦେଖି ପାରିବି । ଅସଲ ଅଭାବ ଏହି ଯେ, ଶିକ୍ଷିତ ଲୋକେ ଏହା ଭିତରେ ଏପର୍ଯ୍ୟନ୍ତ ପଶି ନାହାନ୍ତି । ନିରକ୍ଷର ଅଜ୍ଞ ଗ୍ରାମବାସୀଙ୍କି ଚଳାଇବା ପାଇଁ ଶିକ୍ଷିତ ଲୋକେ ଗ୍ରାମମାନଙ୍କରେ ରହି ଏହି ସବୁ କଥା କଲେ ଚାକିରି ଅପେକ୍ଷା ବେଶୀ ଲାଭବାନ୍ ହୁଅ ନ୍ତେ, ଦେଶର ଉପକାର ମଧ୍ୟ କରନ୍ତେ । ତୁମେ ଏଥିକି ମନ ଦିଅ ।

 

ରାମକୃଷ୍ଣ–ତୁମେ ଯଦି ମତେ ସାହାଯ୍ୟ କରନ୍ତ, ମୁଁ ଏଇଥିରେହିଁ ଲାଗିପଡ଼ନ୍ତି ।

 

ଚନ୍ଦ୍ରଶେଖର–ତା ହେଲେ ମୁଁ ତୁମକୁ ଯଥାସାଧ୍ୟ ସାହାଯ୍ୟ ଦେବି–ଚାଲ ।

Image

 

Unknown

ନୂତନ କୃଷକ

 

ଇତି ମଧ୍ୟରେ ରାମକୃଷ୍ଣ ତା’ର ଗ୍ରାମର କେତେ ଜଣ ଭଦ୍ରଲୋକଙ୍କୁ ସହଯୋଗ ଆନ୍ଦୋଳନର ଉପକାରିତା ବୁଝାଇ ନିଜ ଗ୍ରାମରେ ଗୋଟିଏ ସହଯୋଗ ସମିତି ସ୍ଥାପନ କରି ପାରିଛି ଏବଂ କୌଣସି ଲାଭଜନକ ଅଥଚ ଲୋକୋପକାରୀ ଭାବରେ ଜୀବିକାର୍ଜନ ପାଇଁ କିଛି ଟଙ୍କା ମଧ୍ୟ ସମିତିରୁ ଧାର ଆଣିଛି । ଦିନେ ଚନ୍ଦ୍ରଶେଖର, ତା’ ଗ୍ରାମରେ ଉପସ୍ଥିତ ହୋଇ ଧାର ଟଙ୍କାରେ ସେ କ’ଣ କରିବାକୁ ଯାଉଛି, ଏହା ବୁଝି ବସିଲା ଏବଂ ଗାଆଁ ରେ ଗୋଟିଏ ଚାଉଳକଳ ବା ତେଲକଳ ବା ଆଉ କିଛି ଗୋଟିଏ କଳ ବସାଇବାକୁ ତାକୁ ପ୍ରବର୍ତ୍ତାଇଲା । କିଛି ଗୋଟାଏ କଳ କାରଖାନା ଆରମ୍ଭ କଲେ, ନିଜେ ଚନ୍ଦ୍ରଶେଖର ଅର୍ଥ ସାହାଯ୍ୟ କରିବ ବୋଲି ମଧ୍ୟ ପ୍ରକାଶ କଲା କିନ୍ତୁ ରାମକୃଷ୍ଣ କୌଣସି ପ୍ରକାର କଳ ବ୍ୟବସାୟ ଆରମ୍ଭ କରିବାକୁ ଏକାବେଳକେ ଅନିଚ୍ଛୁକ ହେବାର ଦେଖାଗଲା । ଚନ୍ଦ୍ରଶେଖର କହିଲା, ‘ଦେଖ, କଳ କାରଖାନା ଯୋଗୁ ଇଉରୋପ, ଆମେରିକା, ଜାପାନ ପ୍ରଭୃତି ଦେଶ, ଆମ ଲୋକଙ୍କ ଅଣ୍ଟାରୁ ଟଙ୍କା କାଢ଼ି ନେଇ ନିଜକୁ ଧନୀ ଓ ଆମକୁ ଗରିବ କରି ଦେଉ ଅଛନ୍ତି । ଆମେ ଯଦି ନିଜେ କଳ କାରଖାନା ଚଳାନ୍ତେ, ସେମାନେ ଆମ ଦେଶରେ ପଶନ୍ତେ କାହିଁକି ? ଜାପାନ ଗୋରାମାନଙ୍କଠାରୁ ଏହି ବିଦ୍ୟାଗୁଡ଼ିକ ଶିଖି ସେଗୁଡ଼ିକ ଏମିତି ଭାବରେ ଲଗାଇଲା ଯେ, ଏବେ ଗୋରାମାନେ ବି ତାକୁ ଡରିଲେଣି । ଆମେ ସେମିତି ନ କରିବା କାହିଁକି ? ରାମକୃଷ୍ଣ ଉତ୍ତର ଦେଲା,“ଏ ଯେଉଁ ଧନ ସମ୍ପଦର ଆଡ଼ମ୍ବର ତୁମେ ପାଶ୍ଚାତ୍ୟ ଦେଶମାନଙ୍କରେ ଦେଖୁଛ,ଏହା କେବଳ ବାହାରକୁ । ଭିତରର ଜଘନ୍ୟ ଅବସ୍ଥା ଆମ ଆଖିରେ ପଡ଼େ ନାହିଁ । ଆଜିକାଲି ପ୍ରତ୍ୟେକ ଇଉରୋପୀୟ ଦେଶରେ ଲକ୍ଷ ଲକ୍ଷ ଲୋକ ଅକର୍ମା ହୋଇ ବସିଛନ୍ତି । ଅନ୍ୟ କିଛି କାମ ନ ଥିବାରୁ ଆମେରିକା ପ୍ରଭୃତି ଦେଶରେ ଲୋକେ ଚୋରି ଡକାଏତିରେ ଏପରି ମାତିଲେଣି ଯେ,ସେ ଦେଶରେ ଧନ ପ୍ରାଣ ଦିନକୁଦିନ ଅସ୍ଥିର ହୋଇ ଉଠୁଛି । ତୁମେ କ’ଣ କଳ କାରଖାନା ସବୁ ବସାଇ ଆମ ଦେଶରେ ଏହି ଭୟାବହ ଅବସ୍ଥା ସୃଷ୍ଟି କରିବାକୁ ଚାହଁ ? ଜଗତର ଚରିଆଡ଼େ ଆଜି ଅକର୍ମା ସମସ୍ୟା ପ୍ରବଳ ହୋଇ ଉଠୁଛି । ଏହାର ମୂଳରେ ଏହି କଳ–ଦୈତ୍ୟର ପ୍ରଭାବ ଏବଂ ଏହାର ଫଳ ଅଶାନ୍ତି, ଯୁଦ୍ଧ ଓ ସଭ୍ୟତାର ଲୋପ । କଳକାରଖାନା ଆରମ୍ଭ ହେବାର ଏହି ତ ମୋଟେ ଶହେ ବର୍ଷ ହୋଇଛି । ତା’ର ବିଷମୟ ଫଳ ସମ୍ପୂର୍ଣ୍ଣ ରୂପେ ମନୁଷ୍ୟ ଜାଣି ପାରି ନାହିଁ । ଯାହା କିଛି ଦୁର୍ଗୁଣ ଦେଖାଯାଉଛି, ତାହା ଆରମ୍ଭ ମାତ୍ର । କିନ୍ତୁ ଆଜିଠାରୁ ସର୍ତକ ନ ହେଲେ ମନୁଷ୍ୟର ଭବିଷ୍ୟତ୍ ଅନ୍ଧକାରମୟ ହେବ । ଆମ୍ଭେମାନେ ଇଂଲଣ୍ତ ବା ଅନ୍ୟାନ୍ୟ ଇଉରୋପୀୟ ଦେଶର ବାହ୍ୟ ମହିମାରେ ସ୍ତମ୍ଭିତ ହୋଇ ଏହି ସବୁ ଅନୁକରଣ କରିବାକୁ ଯାଉଛୁଁ; କିନ୍ତୁ ଆମେ ଭୁଲିଯାଉଁ ଯେ, ସେ ଦେଶର ଚିନ୍ତାଶୀଳ ଲୋକମାନେ ଏହି କଳ କାରଖାନା ବିରୁଦ୍ଧରେ ତୀବ୍ର ଲେଖା ସବୁ ଲେଖି ଯାଇଛନ୍ତି । ତା ର କାରଣ ଏହି ଯେ, କଳକାରଖାନା ମନୁଷ୍ୟହାତରୁ କାମ ନେଇଯାଇ ତା’ର ଅନେକ ଐଶ୍ୱରିକ ଶକ୍ତି ନଷ୍ଟ କରିଦିଏ; ଅସଂଖ୍ୟ ଲୋକଙ୍କୁ ଅକର୍ମା କରି ରଖେ; ଦେଶର ଲକ୍ଷ୍ମୀଙ୍କୁ ଅଳ୍ପ କେତୋଟି ଲୋକଙ୍କ ଲୌହ ସିନ୍ଦୁକରେ ବନ୍ଦିନୀ କରି ଜନସାଧାରଣଙ୍କୁ ଦରିଦ୍ର କରେ ଏବଂ ଜୀବନରୁ ନୈସର୍ଗିକ ପ୍ରଭାବ କାଢ଼ି ନେଇ କୃତ୍ରିମ ଓ ବିକଳ କରି ଦିଏ । କଳକାରଖାନାର ଇତିହାସ ଆଲୋଚନା କଲେ ଜଣାଯାଏ ଯେ, ଏହି ଦୁର୍ଗୁଣସବୁ ସେ ଦେଶମାନଙ୍କରେ ଘଟିଯାଇଅଛି ଓ ଘଟୁଛି । ଆମେ କ’ଣ କଳକାରଖାନା ବସାଇ ଏହି ସବୁ ଦୁଷ୍ପ୍ରଭାବକୁ ବରଣ କରି ଆଣିବା ? ବିଲାତରେ ଲୁଗାକଳ ଆରମ୍ଭ ହୋଇ ଭାରତର ତନ୍ତିକୁଳ ଏକାବେଳକେ ଧ୍ୱଂସପ୍ରାପ୍ତ ହେଲେ । ଭାରତରେ ଲୁଗାକଳ ମଧ୍ୟ ସେ ଧ୍ୱଂସକୁ ରକ୍ଷା କରି ପାରିବ ନାହିଁ; ତାହା କେତୋଟି ଭାରତୀୟଙ୍କୁ କୋଟିପତି କରିଛି ମାତ୍ର । କିନ୍ତୁ ତା’ଦ୍ୱାରା ଦରିଦ୍ର ଜନସାଧାରଣର କିଛି ଲାଭ ହୋଇଛି କି ? ତନ୍ତିମାନଙ୍କ ପରି ଅନ୍ୟ ବ୍ୟବସାୟୀମାନେ ମଧ୍ୟ ଏହି କଳଯୋଗୁଁ ବର୍ତ୍ତମାନ ଧ୍ୱଂସମୁଖରେ । ଦେଶର ଘରେ ଘରେ କୁଟୀରଶିଳ୍ପ ପୂର୍ବେ ଚାଲିଥିଲା, ସମାଜରେ ଧନ ସମଭାବରେ ବାଣ୍ଟି ହୋଇ ରହିଥିଲା ଓ ପାରସ୍ପରିକ ବିନିମୟରେ ସମାଜରେ ସଦ୍ଭାବ ଓ ଶାନ୍ତି ବିରାଜିତ ଥିଲା, କେହି ଅକର୍ମା ରହୁ ନ ଥିଲେ ବା କେହି ସହସ୍ର ଲୋକର କାମ ଏକା କରି, ସମସ୍ତଙ୍କ ଅଣ୍ଟାର ପଇସା ଗୋଟା ଗୋଟି କରି ନିଜ ଗାଞ୍ଜି ଆ ମୋଟା କରି ପାରୁ ନ ଥିଲା, ଆଜି କିନ୍ତୁ ସମାଜରେ କି ବୈଷମ୍ୟ ଦେଖୁଛ କହିଲ ? ଧନ ଓ ଦାରିଦ୍ର୍ୟ ମଧ୍ୟରେ କି ଭୀଷଣ ବ୍ୟବଧାନ ଚାରିଆଡ଼େ ଦିଶୁଛି ଦେଖିଲ ? ଏ ସମସ୍ତର ମୂଳରେ କଳସଭ୍ୟତା–ଜଗତର ସକଳ ଅଶାନ୍ତିର ମୂଳରେ ଏହି କଳ । କଳ ମନୁଷ୍ୟର କ୍ରୀତଦାସ ହୋଇ ତା’ର ପରିଶ୍ରମ ଲାଘବ କରିବାପାଇଁ ଆବିଷ୍କୃତ ହୋଇଥିଲା ସତ୍ୟ; କିନ୍ତୁ ବର୍ତ୍ତମାନ ମନୁଷ୍ୟ କଳର କ୍ରୀତଦାସ । କଳହିଁ ଜାତି ଜାତି ଭିତରେ ଘୋର ଯୁଦ୍ଧ କରାଇ ଏକ ଅପରକୁ ଗ୍ରାସ କରିବାକୁ ପ୍ରେରଣା ଦେଉଛି । ନଚେତ୍ ମନୁଷ୍ୟ ଏ ଦୁଃସାହସ କରନ୍ତା ନାହିଁ । କଳ ଆଜି ଦଶମୁଖରାବଣପରି ସମସ୍ତ ପୃଥିବୀକୁ ତା’ର ନିର୍ମମ ଓ ଦୃପ୍ତ ପ୍ରଭାବରେ ସ୍ତମ୍ଭୀଭୂତ କରିବାକୁ ବସିଛି । ବାୟୁ, ଆକାଶ, ଅଗ୍ନି, ବିଦ୍ୟୁତ୍, ବରୁଣ ପ୍ରଭୃତି ଦେବତାମାନେ ଆଜି ରାବଣ ପରି କଳର ମଧ୍ୟ କ୍ରୀତଦାସ ଏବଂ ରାବଣ ପରି କଳାସୁର ଆଜି ଜଗତକୁ ନିଷ୍ପୀଡ଼ନ କରିବାରେ ସେମାନଙ୍କୁ ବିନିଯୋଗ କରାଉଅଛି ମାତ୍ର ।

 

ଚନ୍ଦ୍ରଶେଖର କହିଲା- ତୋର ଏ ପ୍ରକାର ବକ୍ତୃତା ଦେବାର ପ୍ରବୃତ୍ତି ମୁଁ ତ ବରାବର ଦେଖିଛି । ଏବେ ତୁ କ’ଣ କରିବାକୁ ଯାଉଛୁ ସିଧା କହିଲୁ ?

 

ରାମକୃଷ୍ଣ ଉତ୍ତର କଲା–ମୁଁ ପରା ତତେ କହିଥିଲି, ମୁଁ କୃଷିକର୍ମ କରିବି ବୋଲି ?

 

ଚନ୍ଦ୍ରଶେଖର ହସି ହସି କହିଲା–ଶେଷରେ ଚାଷ କରି ଭାବିଛୁ ତୁ କୋଟିପତି ହୋଇଯିବୁ ନା ? ଏ ବୁଦ୍ଧି ଆଉ କାହାକୁ ଦିଶୁ ନ ଥିଲା ପରା ?

 

ରାମକୃଷ୍ଣ କହିଲା–ଶୁଣ୍, ଖାଲି କୋଟିପତି ହୋଇଯିବା କ’ଣ ଏ ଜୀବନର ଉଦ୍ଦେଶ୍ୟ । ଧନ-ସମ୍ପଦ କ’ଣ ମନୁଷ୍ୟକୁ ସୁଖୀ କରିବାର ଏକ ମାତ୍ର ପନ୍ଥା ? ଧନ ଜୀବନକୁ ସ୍ୱାଚ୍ଛନ୍ଦ୍ୟ ଦେବାର ଗୋଟିଏ ଉପାୟ ମାତ୍ର । ତା’ଛଡ଼ା ଅନ୍ୟ କିଛି ହେବାକୁ ହେଲେ ଧନ ମନୁଷ୍ୟର ଚିତ୍ତକୁ ରୁଗ୍‍ଣ ଓ ବିକଳାଙ୍ଗ କରିପକାଏ । ତୁମକୁ ଯଦି ଖାଦ୍ୟ ପେୟ, ବନ୍ଧୁ ବାନ୍ଧବ ପ୍ରଭୃତିରୁ ବଞ୍ଚିତ କରି ଗୋଟିଏ ଘରେ ବାସ କରିବାକୁ ଦିଆଯିବ, ଯେଉଁଠି ସୁନା ରୂପା, ମଣି ମାଣିକ୍ୟ ଖାଲି ଏଣେ ତେଣେ ଗଡ଼ୁଥିବ;ସେଠି ତୁମେ ସୁଖୀ ହୋଇ ପାରିବ କି ? କେବେହେଁ ହୋଇ ପାରିବ ନାହିଁ । କାରଣ ମନୁଷ୍ୟର ଜୀବନକୁ ସୁଖୀ କରିବାକୁ ଧନର ପ୍ରୟୋଜନ ଅତ୍ୟଳ୍ପ; କିନ୍ତୁ ଲୋକେ ସେ କଥା ନ ବୁଝି କେବଳ ଉତ୍ତରୋତ୍ତର ଧନବୃଦ୍ଧିରେ ପ୍ରାଣପାତ କରନ୍ତି, ପରସ୍ପରକୁ ହିଂସା କରନ୍ତି, ପାପକର୍ମ କରନ୍ତି ଏବଂ ଶେଷରେ ଯେତେବେଳେ ଏ ଜଗତରୁ ବିଦାୟ ନିଅନ୍ତି,ଗୋଟିଏ କଉଡ଼ି ସୁଦ୍ଧା ସେମାନେ ସାଥିରେ ନେଇ ପାରନ୍ତି ନାହିଁ । ଲୋକଙ୍କର ଏପ୍ରକାର କର୍ମପ୍ରେରଣା, ଗୋଟିଏ ମାନସିକ ରୋଗ ବୋଲି ଧରିବାକୁ ହେବ । ଈଶ୍ୱର ମନୁଷ୍ୟକୁ ହସ୍ତ ପଦ ପ୍ରଭୃତି ଅବୟବ ଓ ବୁଦ୍ଧି ଦେଇଅଛନ୍ତି । ସେ ଏହି ସବୁର ବ୍ୟବହାର କରି ପାରିଲେ ଅତ୍ୟନ୍ତ ସୁଖରେ ନିଜର ଜୀବିକା ଅର୍ଜନ କରି ସୁସ୍ଥ ସବଳ ଜୀବନ ଯାପନ କରି ପାରିବ । ସେ ନଗ୍ନ ହୋଇ ଜନ୍ମ ହୁଏ, ନଗ୍ନ ହୋଇ ଏ ଜଗତରୁ ବିଦାୟ ନିଏ । ଯେଉଁ କେତୋଟି ଦିନ ଏ ଜଗତରେ ବାସ କରେ, ତା’ର ଉପଯୁକ୍ତ ବ୍ୟବହାର କରିବା ଉଚିତ । ଟଙ୍କା ପଇସା ପାଇଁ ପ୍ରାଣପାତ କରିବା ଉପଯୁକ୍ତ ବ୍ୟବହାର ନୁହେ । ଟଙ୍କା ପଇସା କି ବସ୍ତୁ ? ସେ ସବୁ ଧାତୁରୁ ଉତ୍ପନ୍ନ । ଧାତୁ ମୃତ୍ତିକାରୁ ଜାତ । ଯାହା ଘରେ ଗଦାଏ ଟଙ୍କା ଅଛି, ମନେ କର ଯେ ତା ଘରେ ସେ ଗଦାଏ ରୂପାନ୍ତରିତ ମାଟି ରଖିଛି ମାତ୍ର । ଅନ୍ୟ କିଛି ନୁହେ । ସେ ଯଦି ଅନ୍ୟ କିଛି ଭାବୁଥାଏ, ତେବେ ସେ ଭ୍ରାନ୍ତ ।

 

ଚନ୍ଦ୍ରଶେଖର ଏ ସବୁ ଶୁଣି କ୍ରମେ ସ୍ତବ୍‍ଧ ହେବାକୁ ବସିଲା । ସେ ଶେଷରେ ପଚାରିଲା ତେବେ ତୁମର କୃଷି କରିବାର ଉଦ୍ଦେଶ୍ୟଟା କ’ଣ ?

 

ରାମକୃଷ୍ଣ ଉତ୍ତର ଦେଲା–ପ୍ରତ୍ୟେକ ମନୁଷ୍ୟକୁ ଜୀବନଧାରଣ କରିବାକୁ ହେବ । ଜୀବନଧାରଣର ଉପାୟ ପ୍ରକୃତି ଦେହରେ ନିହିତ ଅଛି । ମନୁଷ୍ୟକୁ ସେ ସବୁ ବାହାର କରିବାକୁ ହେବ । କୃଷି ଏ ସବୁ ଉପାୟ ଭିତରେ ପ୍ରଧାନ । ଆମ ଦେଶ କୃଷିପ୍ରଧାନ ଦେଶ । କୃଷି ଆମ ଲୋକଙ୍କର ଏକମାତ୍ର ଭରସା; କିନ୍ତୁ ଦୁଃଖର ବିଷୟ ଆମ ଦେଶର କୃଷକ କୃଷିକର୍ମରେ ଆଦୌ ବୁଦ୍ଧି ଚାଳନା କରେ ନାହିଁ । ଆଦିମ ଯୁଗରୁ ଯେଉଁ ପନ୍ଥା ଚଳି ଆସୁଛି, ସେହି ପନ୍ଥାରେ ସେ ଚାଲିଛି-। ଅନ୍ୟ ଦେଶମାନଙ୍କରେ କିନ୍ତୁ କୃଷିର ଓ ଶସ୍ୟୋତ୍ପାଦନର ଭିନ୍ନ ଭିନ୍ନ ଉତ୍କୃଷ୍ଟ ପନ୍ଥା ସବୁ ଆବିଷ୍କୃତ ହୋଇ ସେ ଦେଶର ଚାଷୀମାନଙ୍କର ଅବସ୍ଥା ଅତି ସ୍ୱଚ୍ଛଳ ହୋଇ ଉଠିଛି । ମୁଁ ଉଚ୍ଚ ଧରଣର କୃଷିକର୍ମ କରି ମୋ ଗ୍ରାମର ଲୋକଙ୍କୁ ସେହି ଜମିରେ ବହୁଗୁଣ ଶସ୍ୟ କିପରି ଆଦାୟ ହେବ, ତା’ ଦେଖାଇ ଦେବି । ତା’ ଛଡ଼ା ଏ ଦେଶରେ ଗୋରୁକୁ ମାତା ବୋଲି ପୂଜା କଲେ ମଧ୍ୟ ଲୋକେ ଗୋସେବା ଜାଣନ୍ତି ନାହିଁ । ବର୍ତ୍ତମାନ ଗୋଲକ୍ଷ୍ମୀ କଙ୍କାଳବିଶିଷ୍ଟା ଓ ଘିଅ ଦୁଧର ଏକାନ୍ତ ଅଭାବ ହେବାରୁ ଜାତିର ଘୋର ଦୈହିକ ଅବନତି ଘଟୁଅଛି । ପାଶ୍ଚାତ୍ୟ ଦେଶରେ ଶହେ ବର୍ଷ ତଳେ ଠିକ ଏହି ଅବସ୍ଥା ଥିଲା । ବର୍ତ୍ତମାନ କିନ୍ତୁ ସେ ଅବସ୍ଥା ଯାଇ ଏବେ ସେଠାରେ ଜଗତର ଉତ୍କୃଷ୍ଟତମ ଗାଭୀ ଦେଖିବାକୁ ମିଳେ । ମୁଁ ଏଠି ଆଦର୍ଶ ଗୋପାଳନ ମଧ୍ୟ ଦେଖାଇବି । ତା’ ଛଡ଼ା ଆମ ଦେଶରେ ଲୋକେ ଫଳ ଆଦୌ ଖାଆନ୍ତି ନାହିଁ, କିନ୍ତୁ ଫଳ ଗୋଟିଏ ଉତ୍କୃଷ୍ଟ ଖାଦ୍ୟ । ସାହେବମାନଙ୍କର ଦୈନିକ ଖାଦ୍ୟରେ ଫଳର ପ୍ରାଚୁର୍ଯ୍ୟ ଦେଖାଯାଏ । ଏହା ଫଳରେ ସେମାନଙ୍କର ଶିଶୁ ଓ ସ୍ତ୍ରୀମାନଙ୍କର ରକ୍ତିମ ସ୍ୱାସ୍ଥ୍ୟ ଆମେମାନେ ଦେଖିବାକୁ ପାଉଁ । ଆମ ଦେଶରେ ଫଳ ଯେ ନ ହେବ କାହିଁ କି, ତା’ର କୌଣସି କାରଣ ନାହିଁ । ଲୋକେ ଚେଷ୍ଟା କରୁ ନାହାନ୍ତି । ଉଦ୍ଦେଶ୍ୟ ରଖି ଫଳର ଚାଷ କରିବା ଏ ଦେଶରେ ଦେଖାଯାଏ ନାହିଁ । ଲୋକେ ଖାଲି ଧାନ ଉପରେ ଭରସା କରନ୍ତି, ତା ମଧ୍ୟ ପ୍ରଚୁର ପରିମାଣରେ କିପରି ପାଇବାକୁ ହେବ, ଜାଣନ୍ତି ନାହିଁ । ଭିନ୍ନ ଭିନ୍ନ ଫଳର ଚାଷ କଲେ ସେମାନେ ଅକ୍ଳେଶରେ ଦୁଇ ପଇସା ରୋଜଗାର କରି ପାରନ୍ତେ । ପଇସା ପାଆନ୍ତୁ ବା ନ ପାଆନ୍ତୁ ଖାଦ୍ୟରୂପେ ଖାଇ ସୁସ୍ଥ ସବଳ ତ ହୁଅନ୍ତେ ? ତା’ ଛଡ଼ା ପୁଣି ଦେଖ, ଆମ ଦେଶରେ ଲୋକେ ମାଛ ଖାଆନ୍ତି; କିନ୍ତୁ ମାଛ ପୋଷିବାର କୌଣସି ବନ୍ଦୋବସ୍ତ କରନ୍ତି କି ? କିନ୍ତୁ ତା କରି ପାରିଲେ କୃଷକର ସ୍ୱାସ୍ଥ୍ୟ ସଙ୍ଗେ ସଙ୍ଗେ ଧନାଗମ ହୁଅନ୍ତା । କିନ୍ତୁ ତାକୁ ସେ ବୁଦ୍ଧି ଦିଶେ ନାହିଁ । ମୁଁ ଏହି ସବୁ ଦିଗରେ କାମ କରି ଏହି ଗ୍ରାମରେ ସ୍ୱଚ୍ଛନ୍ଦ ଓ ଶାନ୍ତିମୟ ଜୀବନ ଯାପନ କରିବାକୁ ଚାହେଁ । ଯଦି ମୋ ଦେଖାଦେଖି ଏଠିକାର ଆଖପାଖର ଲୋକେ କିଛି ଶିଖନ୍ତି, ତେବେ ଯଥେଷ୍ଟ ହେଲା । କ’ଣ କୁହୁଛ ଏବେ ?

 

ଚନ୍ଦ୍ରଶେଖର ଭାବିଲା–ରାମକୃଷ୍ଣ ତ ମନ୍ଦ କଥା କହୁ ନାହିଁ, କିନ୍ତୁ ସେ କେବଳ କହିଲା, “ଆଛା ଦେଖିବା, ତୁ ଆଗ କାମ ଆରମ୍ଭ କର ।”

Image

 

ରାମଙ୍କ ଗଙ୍ଗାପାରି

 

ବିଷ୍ଣୁପଦୀ ବିଷ୍ଣୁପଦ ‘ଈ’ କାରଭେଦ ଶବଦ

ତରଣୀର ଗତାଗତ ଏଥି ଉଚିତ,

ବିଶାରଦ ସେ ସାମନ୍ତ ମତ୍ତରେ ଦାସ ସେବିତ;

ତାକୁଁ ନ ଶୁଣନ୍ତେ ରଘନାଥ କଥିତ;

ବିଷଧର ପ୍ରାୟେ କି ତୁହି ?

ବେଳେ ନେତ୍ର ତାଳି ଶୁଣ, ଉଦାର ନୋହି ।

ବଧିର ନୁହଇ ବୀର ବୋଇଲା ତହୁଁ ଧୀବର

ଶୁଣିଲିଣି ପଥରେ ପଥର ଅବଳା;

ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ

ନଉକା ନାୟିକା ହେଲେ ବୁଡ଼ିବ ଭେଳା ।

ବୃତ୍ତି ଏ ମୋ ପୋଷେ କୁଟୁମ୍ବ;

ବସାଇ ନ ଦେବି, ପାଦ ନ ଧୋଇ, ନାବ ।

ବଢ଼ାଇଦେଲେ ପୟର ଭାବଗ୍ରାହୀ ରଘୁବୀର

ପୟରେ କ୍ଷାଳିତ କରି ବସନେ ପୋଛି,

ବ୍ରହ୍ମାରେ ଧୌତ ଯେ ପଦ ନୋହିଛି ଶିବ ବିଷାଦ

ନ ପାଇ ଚରଣାମୃତ ପାନକୁ ଇଚ୍ଛି ;

ବିଜ୍ଞାନୀ କୈବର୍ତ୍ତ ଧୋଇଲା,

ବିଶ୍ୱେ ପତିତପାବନ ନାମ ରହିଲା ।

ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପି ମନରେ

ପ୍ରତିହାରୀ ପରି ସେ ମଣାଇ ବସାଇ,

ବିଶ୍ୱାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗା ନାମ

ଭାଗୀରଥୀ ହେଲା କିପାଁ କହ ଗୋସାଇଁ ?

“ବିଷ୍ଣୁ ନଖକୋଣେ ଏ ଥିଲା,

ବାମନାବତାରେ ଭଗୀରଥ ଆଣିଲା ।”

Image

 

ସତ୍‍ସାହସ ଓ ପୁଣ୍ୟକର୍ମ

 

ଦିଗ୍‍ବିଜୟୀ ଦେଶ ଦେଶ ଓ ଜାତି ଜାତିକୁ ନିପାତ କରି ଯେଉଁ ସାହସ ଦେଖାଏ; ତାହା ପୁଣ୍ୟକର୍ମ ବା ସତ୍ ସାହସ ନୁହେ । ତାହାର ମୂଳରେ ଅହଙ୍କାର ଓ ନିନ୍ଦନୀୟ ଯଶ-ଲାଳସା ଥାଏ । ଏହି ଯଶ ଲାଳସା ଓ ଅହଙ୍କାର ଘେନି ଲୋକେ ମଧ୍ୟ ଦେଶସେବା ଓ ଜନସେବା କରି ବସନ୍ତି ଓ ସେଥିଲାଗି ଯନ୍ତ୍ରଣା ମଧ୍ୟ ଭୋଗ କରନ୍ତି; କିନ୍ତୁ ତାହା ସତ୍ ସାହସର ବା ପୁଣ୍ୟକର୍ମର ପରିଚୟ ଦିଏ ନାହିଁ । ଯେଉଁଠାରେ ମନୁଷ୍ୟ ଲୋକଚକ୍ଷୁର ଅନ୍ତରାଳରେ ଜଗତ୍‍ଦ୍ୱାରା ଅଜ୍ଞାତ ଓ ଅବଜ୍ଞାତ ହୋଇ ମଧ୍ୟ ପରର ଉପକାର ଲାଗି, ନିଜର ସମସ୍ତ ସ୍ୱାର୍ଥକୁ ଭୁଲିଯାଇ ଓ ପୁରସ୍କାରର କୌଣସି ଆଶା ନ ରଖି ଅକାତରରେ ପ୍ରାଣବିସର୍ଜନ କରିବାକୁ ବସେ; ସେହିଠାରେହିଁ ଆମ୍ଭେମାନେ ପ୍ରକୃତ ସତ୍ ସାହସ ଓ ପୁଣ୍ୟକର୍ମର ପରିଚୟ ପାଉଁ । ପୃଥିବୀପୃଷ୍ଠରେ ଆତ୍ମ-ଉତ୍କର୍ଷ ଲାଗି ଅହରହ ସ୍ୱାର୍ଥର ଅବିରାମ ସଂଗ୍ରାମ ଚାଲିଛି । ସେଥିପାଇଁ ତ ଆମ୍ଭେମାନେ ପାରିବାରିକ କଳି ଦ୍ୱନ୍ଦ୍ୱଠାରୁ ଆରମ୍ଭ କରି ଜାତି ଜାତି ମଧ୍ୟରେ ଭୀଷଣ କ୍ଷୟକାରୀ ସଂଗ୍ରାମ ଦେଖିବାକୁ ପାଉଁ । ଏହି ସ୍ୱାର୍ଥର ସଂଘର୍ଷହିଁ ଜଗତକୁ ଦୂଷିତ କରି ପକାଉଅଛି ଏବଂ ଏହାଠାରୁ ଦୂରରେ ରହିବାପାଇଁ ସାଧୁଜନମାନେ ସଂସାର ତ୍ୟାଗ କରି ନିରାସକ୍ତ ଜୀବନ ଯାପନ କରିବାଲାଗି ଉପଦେଶ ଦେଇଅଛନ୍ତି । କିନ୍ତୁ ବିଧାତା ମନୁଷ୍ୟର ହୃଦୟରେ ଯେଉଁ ଅମୃତ ନିହିତ କରିଅଛନ୍ତି, ତାହା ଏହି ସମସ୍ତ ହଳାହଳ ମଧ୍ୟରୁ ଥରେ ଥରେ ବିକଶିତ ହୋଇପଡ଼ି ଜଗତକୁ ସୌରଭାନ୍ୱିତ ଓ ପବିତ୍ର କରି ପକାଏ । ଯୁଗେ ଯୁଗେ ପ୍ରତ୍ୟେକ ସମାଜରେ ସ୍ୱାର୍ଥସଂଗ୍ରାମର ଅନ୍ତରାଳରେ ଗୋଟିଏ ଗୋଟିଏ ମହାପ୍ରାଣ ନିଜର ସ୍ୱାର୍ଥକୁ ପରର ସେବାଲାଗି ଯେପରି ବଳି ଦେଇଅଛନ୍ତି, ତାହା ଜାଣିଲେ ମନୁଷ୍ୟହୃଦୟରେ ଯେ ଦେବତା ବାସ କରନ୍ତି ଏଥିରେ ସନ୍ଦେହ ରହେ ନାହିଁ । ତଳେ ଏହିପରି କେତୋଟି ପୁଣ୍ୟକର୍ମ ଓ ସତ୍‍ସାହସର ଉଦାହରଣ ଦିଆଗଲା ।

 

–୧–

 

ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ସମସ୍ତେ ଜାଣନ୍ତି । ଏହି ଭୟାବହ ଅଭାବକାଳରେ ସ୍ନେହଶୀଳା ଜନନୀ ମୁଠାଏ ଅନ୍ନ ଲାଗି ପ୍ରାଣର ସନ୍ତାନ ସଙ୍ଗେ କଳି କରିବାର ଓ ବିକ୍ରୟ କରିଦେବାର ଦେଖାଯାଛନ୍ତି । ମନୁଷ୍ୟଚରିତ୍ର ଏହାଠାରୁ ଅଧିକ ସ୍ୱାର୍ଥମୂଢ଼ ଓ ନୀଚ ହୋଇ ପାରେ ନାହିଁ, କିନ୍ତୁ ଦେଶବ୍ୟାପୀ ଅନ୍ନାଭାବ ସମୟରେ ଅନାହାର ଓ କ୍ଷୁତ୍‍ପିପାସାର ତାଡ଼ନାରେ ମନୁଷ୍ୟ ଯେ କୌଣସି ପାପ କରିବା ସମ୍ଭବ ଓ ସ୍ୱାଭାବିକ । କିନ୍ତୁ କ୍ଷୁତ୍‍ପିପାସାର ତୀବ୍ର ଜ୍ୱାଳାକୁ ଭ୍ରୂକ୍ଷେପ ନ କରି ଓଡ଼ିଆ ବାଳକ ସନାତନ ଯେପରି ନିଃସ୍ୱାର୍ଥ ଭାବରେ ତା’ର ପିତା ମାତା ଓ ଭାଇ ଭଗିନୀଙ୍କର ସେବା କରିଥିଲା, ତାହା ଯେପରି ସ୍ୱର୍ଗୀୟ, ସେହିପରି ଅଦ୍‍ଭୁତ ।

 

ସନାତନର ଘର କଟକ ଜିଲାର କେନ୍ଦ୍ରାପଡ଼ା ନିକଟସ୍ଥ କୌଣସି ଗ୍ରାମରେ । ତା’ର ପିତା ମାତା ଓ ଭାଇ ଭଉଣୀ ଥିଲେ । ସନାତନ ପିତା ମାତାଙ୍କର ଜ୍ୟେଷ୍ଠ ପୁତ୍ର ।

 

ଓଡ଼ିଶାର ଚାରିଆଡ଼େ ଯେପରି, କେନ୍ଦ୍ରାପଡ଼ାରେ ମଧ୍ୟ ସେହିପରି ଦୁର୍ଭିକ୍ଷ ପଡ଼ିଆସିଲା । କ୍ରମାଗତ ଦୁଇ ବର୍ଷକାଳ ଶସ୍ୟହାନି ହୋଇଥିବାରୁ ସାଧାରଣ ଗୃହସ୍ଥ ନିକଟରେ ବେଶୀ କିଛି ଶସ୍ୟ ସଞ୍ଚିତ ନ ଥିଲା । ଯାହା ବା ଥିଲା, ଶୀଘ୍ର ଶେଷ ହୋଇ ଆସିଲା । ଶସ୍ୟ ଶେଷ ହୋଇ ଆସନ୍ତେ ଘରର ଯତ୍‍ସାମାନ୍ୟ ଅଳଙ୍କାର ଓ ତା ପରେ ବାକ୍‍ସ, ବାସନାଦି ଉପକରଣ ପ୍ରଭୃତିର ବିକ୍ରୟ ଚାଲିଲା । ଦୁର୍ଭିକ୍ଷକାଳରେ ସେ ସବୁ କିଣିବାର ଲୋକ ବା କାହିଁ ? ଯିଏ ବା ମିଳିଲେ, ସେମାନଙ୍କର ନିର୍ମମ ହୃଦୟ ଏହି କ୍ଷୁଧାବିକଳ ଓ ଅନାହାରକ୍ଳିଷ୍ଟ ହତଭାଗ୍ୟମାନଙ୍କୁ ଠକିବାକୁ ଛାଡ଼ି ନ ଥିଲା । ସେମାନେ ମୂଲ୍ୟବାନ୍ ଅଳଙ୍କାର ଓ ଉପକରଣାଦିକୁ ଶାଗ ମୂଲ୍ୟରେହିଁ କିଣିବାକୁ ଲାଗିଲେ । ଦୁର୍ଭିକ୍ଷପୀଡ଼ିତମାନଙ୍କର ଅନ୍ୟ ଗତି ନ ଥିଲା ଏବଂ ସ୍ୱଳ୍ପମୂଲ୍ୟ ଯୋଗୁଁ ଘରର ସମସ୍ତ ଦ୍ରବ୍ୟାଦି ବିକି ମଧ୍ୟ ଦୀର୍ଘକାଳ ଆହାରର ଆୟୋଜନ କରି ହେଲା ନାହିଁ । ପୁଣି ଜଠରର ପ୍ରାଣଦାହୀ ଅନଳ ଜଳିବାକୁ ଲାଗିଲା ।

 

ସନାତନର ପରିବାର ବ୍ରାହ୍ମଣ ଥିଲେ; କିନ୍ତୁ ଉଚ୍ଚକୁଳସମ୍ଭୂତ ଥିବାରୁ ସେମାନେ କେବେ ଭିକ୍ଷାବୃତ୍ତି କରି ନ ଥିଲେ । କିନ୍ତୁ ନିଜର ଉଦରଜ୍ୱାଳା ଓ ଶିଶୁମାନଙ୍କର କାତର କ୍ରନ୍ଦନ ଆଗରେ କୌଳିକ ସମ୍ମାନ କେତେ ଦିନ ବାଧା ଦେବ ? ପିତା ଓ ସନାତନ ଉଭୟେ ସମସ୍ତ ଲଜ୍ଜା ଓ ଅପମାନକୁ ମୁଣ୍ତରେ ବୋହି ଗ୍ରାମେ ଗ୍ରାମେ ଭିକ୍ଷାବୃତ୍ତି କରିବାବୁ ଲାଗିଲେ । ସେଥିରେ କିଛି ଦିନ ଚଳିଗଲା ଅବଶ୍ୟ, କିନ୍ତୁ ବେଶୀ ଦିନ ନୁହେଁ । ଦିନ ଆସିଲା, ଯେତେବେଳେ ଦୁହେଁଯାକ ସକାଳୁ ବହୁ ଗ୍ରାମ ଘୂରି ଘୂରି ମଧ୍ୟ ସନ୍ଧ୍ୟାବେଳକୁ ଶୂନ୍ୟ ହସ୍ତରେ ଫେରିଲେ । ଶେଷକୁ ବୃଦ୍ଧ ଆଉ କ୍ଷୁଧା ଓ ଦୀର୍ଘଭ୍ରମଣର କଠୋର ଶ୍ରମ ସହି ନ ପାରି ଶେଷରେ ପଡ଼ି ରହିଲେ । ବର୍ତ୍ତମାନ ସମସ୍ତ ଭାର ସନାତନ ଉପରେହିଁ ପଡ଼ିଲା । ବହୁ ଆୟାସ ସହକାରରେ ସନାତନ କିଛିଦିନ କିଛି ତଣ୍ତୁଳ ସନ୍ଧ୍ୟାବେଳେ ଆଣି ନିଜ ହାତରେ ରନ୍ଧନ କରି କ୍ଷୁଧାକ୍ଳାନ୍ତ ପିତାମାତା ଓ ଶିଶୁ ଭାଇ ଭଉଣୀମାନଙ୍କୁ ଖୁଆଇ ସାରି ସର୍ବଶେଷରେ ଖାଇବସେ । ଶେଷକୁ ପ୍ରାୟ କିଛି ନ ଥାଏ । ସେ ଟିକିଏ ତୋରାଣୀ ମାତ୍ର ପିଇ ଶୋଇପଡ଼େ ଓ ସକାଳୁ ଶଯ୍ୟାତ୍ୟାଗ କରି ପୁଣି ଭିକ୍ଷା ମାଗି ବାହାରେ ।

 

କ୍ରମେ ଭିକ୍ଷା ମଧ୍ୟ ଦୁର୍ଲଭ ହୋଇ ଉଠିଲା । ସମସ୍ତଙ୍କର ଅନ୍ନାଭାବ, ଭିକ୍ଷା ଦେବ କିଏ ? ଶତ ଶତ ଭିକ୍ଷୁକ ଓ ଭିକ୍ଷୁକୀଙ୍କୁ କେତେ ଭିକ୍ଷା ଦେଇ ବା ସନ୍ତୁଷ୍ଟ କରିବ ? ତେଣୁ ଥିଲା ଗୃହସ୍ଥମାନେ ଭିକ୍ଷା ଦେବା ଏକାବେଳେକେ ବନ୍ଦ କଲେ । ସନାତନକୁ ଆଉ ଭିକ୍ଷା ମିଳିଲା ନାହିଁ, ନିରୁପାୟ ହୋଇ ସେ ଅନ୍ୟ ହତଭାଗ୍ୟମାନଙ୍କ ପରି ନିକଟବର୍ତ୍ତୀ ବଣକୁ ଯାଇ ବନ୍ୟ ଗଛପତ୍ର ସଂଗ୍ରହ କରି ଆଣି ତାକୁ ସିଝେଇ ପରିବାରର କ୍ଷୁଧାଶାନ୍ତି କରାଇବାର ଚେଷ୍ଟା କଲା । ଘୋର ସୂର୍ଯ୍ୟତାପରେ କ୍ରମେ ବଣର ଗଛପତ୍ର ସବୁ ମଧ୍ୟ ଶୁଖି ଆସିଲା । ଯେଉଁଦିନ ବନ୍ୟ ପତ୍ରାଦି ଅଳ୍ପ ଥାଏ, ସେ ଦିନ ସେ ସମସ୍ତହିଁ ଅନ୍ୟମାନଙ୍କୁ ଦେଇଦିଏ । ପଚାରିଲେ କହେ ଯେ, ସେ ବଣରେ ଢେର ଖାଇ ଆସିଛି । କିନ୍ତୁ ସେ ସମ୍ପୂର୍ଣ୍ଣ ନିରାହାର ଥାଏ । କ୍ରମେ ସେହି ସ୍ୱଳ୍ପ ବନ୍ୟପତ୍ର ମଧ୍ୟ ଆଉ ମିଳିଲା ନାହିଁ ଏବଂ ସନାତନର ପିତାମାତା ଓ ଶିଶୁ ଭାଇ ଭଉଣୀଟିମାନ କ୍ଷୁଧାରେ ଛଟପଟ ହୋଇ ଘର ଭିତରେ ପଡ଼ି ରହିଲେ । ବୃଦ୍ଧ ପିତାମାତା ଓ କୋମଳାଙ୍ଗ ଶିଶୁଟିମାନଙ୍କର ଉଠିବାର ଶକ୍ତି ନ ଥାଏ । ଯେଝା ଜାଗାରେ ପଡ଼ି ରହି ସେମାନେ କେବଳ ଚିତ୍‍କାର କରୁଥାନ୍ତି । ଦିନେ ଦୁଇଦିନ କଟିଗଲା । ସନାତନ ଆଉ ସମ୍ଭାଳି ରହି ପାରିଲା ନାହିଁ; ସେ ଶେଷ ଥର ପାଇଁ ଚେଷ୍ଟା କରିବାଲାଗି ଘରୁ ଯଷ୍ଟି ଖଣ୍ତିଏ ଘେନି ବାହାରି ପଡ଼ିଲା । ସେତେବେଳକୁ ସେ ପ୍ରାୟ ଅନେକ ଦିନ ଧରି ଅନ୍ନ ଦେଖି ନାହିଁ ଓ ପ୍ରାୟ ୩।୪ ଦିନ ହେଲା ଏକାବେଳକେ ନିରାହାର ଅଛି । କିନ୍ତୁ ପିତା ମାତା ଭାଇ ଭଉଣୀଙ୍କ ପ୍ରତି ଅଦମ୍ୟ ମମତା ତାକୁ ଅସୀମ ବଳ ଦାନ କଲା । ସେ ସେହି ନିରାହାରକ୍ଳିଷ୍ଟ ଜୀର୍ଣ୍ଣ ଶୀର୍ଣ୍ଣ ଶରୀର ଘେନି ଗ୍ରାମ ପରେ ଗ୍ରାମ ଘୂରିବାକୁ ଲାଗିଲା । କିନ୍ତୁ ସର୍ବତ୍ର ତାକୁ ନିରାଶ ହେବାକୁ ହେଲା । କ୍ରମେ ବେଳା ଦ୍ୱିପ୍ରହର ହେବାକୁ ବସିଲା । ପ୍ରଚଣ୍ତ ରୌଦ୍ରରେ ପୃଥିବୀ ଅଗ୍ନି ତପ୍ତ ପରି ବୋଧ ହେଉଅଛି । ବହୁଦିନ ଧରି ଅନାହାରପୀଡ଼ିତ ଜୀର୍ଣ୍ଣ ଦୁର୍ବଳ ସନାତନ ସେତେବେଳକୁ ବହୁଗ୍ରାମ ବୁଲି ବୁଲି ତା’ର ଶରୀରରେ ଆଉ ପହଣ୍ଡେ ଚାଲିବାକୁ ବଳ ନ ଥାଏ । ସେ କ୍ଳାନ୍ତ ହୋଇ ଗୋଟିଏ ଧନିକ ଦ୍ୱାରରେ ଗୋଟିଏ କ୍ଷୀଣକଣ୍ଠରେ କିଛି ଭିକ୍ଷା କରି ଥକା ହୋଇ ବସି ପଡ଼ିଲା । ସେହି ମର୍ମଭେଦୀ ସ୍ୱର ଧନିକର ହୃଦୟରେ ପ୍ରବେଶ କରନ୍ତେ, ସେ ତତ୍‍କ୍ଷଣାତ୍ ବାହାରକୁ ଆସି ଜୀର୍ଣ୍ଣ-ଶୀର୍ଣ୍ଣ ସନାତନକୁ ଜୀବନ୍ତ ପ୍ରେତ ପରି ଦୁଆରେ ବସିବାର ଦେଖିଲେ । ସନାତନର ଉଦର ବାହାରକୁ ବାହାରି ପଡ଼ିଥିଲା, ହାତଗୋଡ଼ରେ ଚମ ଓ ହାଡ଼ ମାତ୍ର ଅବଶେଷ ଥିଲା, ଚକ୍ଷୁ କୋଟରଗତ ହୋଇଥିଲା ଏବଂ ଓଠ ଶୁଖିଯାଇ ଦାନ୍ତସବୁ ବାହାରକୁ ବାହାରି ଥିଲା । ଧନିକ ସହଜରେ ଜାଣି ପାରିଲେ ଯେ, ଲୋକଟି ବହୁଦିନ ହେଲା କିଛି ହେଲେ ଖାଇ ନାହିଁ; ତେଣୁ କିଛି ନ ପଚାରି ସଙ୍ଗେ ସଙ୍ଗେ ଭୋଜନଦ୍ରବ୍ୟର ବରାଦ କରିଦେଲେ । ସଙ୍ଗେ ସଙ୍ଗେ ଭୋଜନଦ୍ରବ୍ୟ ବହୁଦିନରୁ କ୍ଷୁଧିତ ସନାତନ ସମ୍ମୁଖରେ ରଖି ଦିଆଗଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସନାତନ ତାହା ସ୍ପର୍ଶ ସୁଦ୍ଧା କଲା ନାହିଁ । କାରଣ ପଚାରନ୍ତେ ସେ କହିଲା ଯେ ଘରେ ତା’ର ପିତା ମାତା ଓ ଭାଇ ଭଉଣୀମାନେ ସମସ୍ତେ କ୍ଷୁଧାରେ ଆକୁଳ ହୋଇ ରହିଥିବେ । ସେ ଏଠି ଏକା ଖାଇବ କିପରି ? ଧନିକ ତାକୁ ବୁଝାଇ ବସିଲେ ଯେ, ସେ ଖାଉ, ତା’ପରେ ତା’ର ପିତାମାତାଙ୍କ ପାଇଁ ଭିନ୍ନ ବନ୍ଦୋବସ୍ତ କରି ଦିଆଯିବ । କିନ୍ତୁ ତଥାପି ସନାତନ ଖାଦ୍ୟ ସ୍ପର୍ଶ କରିବାକୁ ମନାକଲା ଏବଂ କହିଲା ଯେ, ପିତାମାତା ଓ ଭାଇ ଭଉଣୀମାନଙ୍କୁ ଆଗେ ଖାଇବାକୁ ନ ଦେଇ ସେ କେବେ ହେଲେ ଖାଇ ନାହିଁ, ଆଜି ମଧ୍ୟ ଖାଇବ ନାହିଁ । ଧନିକ ସନାତନର ଦୃଢ଼ତାରେ ମୁଗ୍ଧ ହୋଇ ତା’ର ଛିନ୍ନ ବସ୍ତ୍ରରେ ଯଥେଷ୍ଟ ପରିମାଣର ତଣ୍ଡୁଳ ଓ ଅନ୍ୟ ଭୋଜ୍ୟ ଦ୍ରବ୍ୟ କିଛି ବାନ୍ଧି ଦେଇ ତାକୁ ବିଦାୟ ଦେଲେ । ସେତକ ପାଇ ସେହି ପ୍ରଖର ରୌଦ୍ରରେ, ବିନା ଆତପତ୍ର ଓ ବିନା ପାଦାବରଣରେ ସନାତନ ତା’ର ସୁଦୂର ଗ୍ରାମ ଆଡ଼କୁ ଫେରିବାପାଇଁ ବାହାରି ପଡ଼ିଲା । ତା’ର ପାଦ ଆଉ ଚଳୁ ନ ଥାଏ । କ୍ଷୁଧା ତୃଷାରେ ପ୍ରାଣ ବାହାରି ଯାଉଥାଏ । ପ୍ରଖର ରୌଦ୍ରୋତ୍ତାପରେ ତା’ର ମୁଣ୍ଡ ଭ୍ରମି ଯାଉଥାଏ । ବହୁ କଷ୍ଟରେ ସେ ସେହି ଗ୍ରାମପ୍ରାନ୍ତକୁ ଆସି ଆଉ ଚାଲି ନ ପାରି ଗୋଟିଏ ଗଛମୂଳେ ବସି ପଡ଼ିଲା । ସେ ସେତେବେଳେ ସୁଦ୍ଧା କ୍ଷୁଧାତୁର ଭାଇ ଭଉଣୀମାନଙ୍କୁ କିପରି ଯାଇ ଭେଟିବ ତାହାହିଁ ମନଶ୍ଚକ୍ଷୁରେ ଦେଖୁଥିଲା ଏବଂ ଜାଣି ନ ଥିଲା, ତାକୁ ସକଳ ଦୁଃଖରୁ ଉଦ୍ଧାର କରିବା ଲାଗି ମୃତ୍ୟୁ ତା’ର ପାଖରେ ଆସି ଦଣ୍ଡାୟମାନ ହେଲାଣି । କାରଣ ସନାତନ ସେହି ସ୍ଥାନରୁ ଆଉ ଉଠି ପାରିଲା ନାହିଁ ଏବଂ କିଛିକ୍ଷଣର ଯନ୍ତ୍ରଣା ପରେ ତା’ର ମୃତପ୍ରାୟ ଶରୀରରୁ ତା’ର ପବିତ୍ର ଆତ୍ମା ଅମରଧାମକୁ ଚାଲିଗଲା । ଏହି ସ୍ୱାର୍ଥଜଡ଼ିତ ସଂସାରରେ ସନାତନର ଏହି ମହତ୍ ଇତିହାସ ବାସ୍ତବିକ ବିସ୍ମୟକର ।

 

–୨–

 

ଆମ୍ଭମାନଙ୍କ ଦେଶରେ ପିତା ମାତା, ପୁତ୍ର କନ୍ୟାମାନଙ୍କର ଉପାର୍ଜନ କ୍ଷମତାକୁ ଅପେକ୍ଷା ନକରି ସେମାନଙ୍କୁ ବିବାହବନ୍ଧନରେ ବାନ୍ଧି ଦିଅନ୍ତି; କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କରେ ବିବାହର ସମସ୍ତ ଦାୟିତ୍ୱ ଯୁବକ ଯୁବତୀହିଁ ମୁଣ୍ଡାନ୍ତି; ପିତା ମାତାଙ୍କୁ ସେଥିଲାଗି ଚିନ୍ତା କରି ଆମ ଦେଶ ପରି ପାଗଳ ହେବାକୁ ହୁଏ ନାହିଁ । ଯେଉଁ ଯୁବକ ଯୁବତୀ ପରସ୍ପରକୁ ବିବାହ କରିବାକୁ ଇଚ୍ଛୁକ, କିନ୍ତୁ ଦାମ୍ପତ୍ୟ ଜୀବନ ସ୍ୱଚ୍ଛଳ ଭାବରେ ଚଳାଇବା ଲାଗି ସେମାନଙ୍କର ଉପଯୁକ୍ତ ଅର୍ଥ ନାହିଁ; ସେମାନେ ଉପଯୁକ୍ତ ସଂପତ୍ତି ସଞ୍ଚୟ କଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ସେହିପରି ଅବସ୍ଥାରେ ପଡ଼ି ଫ୍ରାନ୍ସ ଦେଶର କୌଣସି ଏକଗ୍ରାମରେ ଫାନୀ ନାମକ ଏକ ବାଳିକା, ସେହି ଗ୍ରାମର ପିଏରୀଓ୍ୟାଟ୍ ନାମକ ଗୋଟିଏ ଯୁବକ ସହିତ ବିବାହ କରିବା ଲାଗି ଏକାନ୍ତ ଇଚ୍ଛୁକ ଥିଲେ ମଧ୍ୟ, ଦାରିଦ୍ର୍ୟ ଯୋଗୁଁ ବିଚ୍ଛିନ୍ନ ହୋଇ ପାରି ସହରରେ କୌଣସି ଏକ ଭୋଜନାଳୟରେ ଦାସୀସ୍ୱରୂପ କିଛି ଅର୍ଜନ ଓ ସେହି ଅର୍ଜନରୁ କିଛି ସଂଚୟ କରିବା ଲାଗି ଯିବାକୁ ବାଧ୍ୟ ହୋଇଥିଲା । ପିଏରି ମଧ୍ୟ ନିଜେ କିଛି ସଞ୍ଚୟ କରିବା ଲାଗି ଅନ୍ୟଆଡ଼େ ଯାତ୍ରା କଲା । ଫାନୀ ଅତ୍ୟନ୍ତ କୋମଳପ୍ରାଣା ବାଳିକା ଥିଲା । ଏବଂ ଦରିଦ୍ର ହେଲେହେଁ ତା’ର ଦୟାବତ୍ତା ଓ ଚରିତ୍ରବତ୍ତାଯୋଗୁ ସେ ସେହି ଭୋଜନାଳୟରେ ବିଶେଷ ପ୍ରତିପତ୍ତି ଲାଭ କରି ପାରିଲା । ସେଠାରେ କିଛିଦିନ ରହିଲା ପରେ ଜଣେ ଇତାଲୀୟ ଆହତ ସୈନିକ ସେହି ଭୋଜନାଳୟରେ ଆଶ୍ରୟ ନେଲେ । ଫାନୀ ପ୍ରତିଦିନ ଚିକିତ୍ସକଙ୍କର ସହକାରିଣୀ ଭାବରେ ସୈନିକଟିର କ୍ଷତ ସ୍ଥାନ ସବୁ ଧୌତ କରି ବସ୍ତ୍ରାଚ୍ଛାଦନ କରିଦିଏ ଓ ତାହା ପ୍ରତି ଅତ୍ୟନ୍ତ ଦୟାବତୀ ହୋଇ କୋମଳ ବ୍ୟବହାର କରେ । କିନ୍ତୁ ଅନେକ ଦିନ ଗତ ହେଲେ ମଧ୍ୟ ସୈନିକର କ୍ଷତ ଶୁଖିଲା ନାହିଁ ଏବଂ ତା’ର ଅର୍ଥ ଶେଷ ହୋଇ ଆସନ୍ତେ ଭୋଜନାଳୟର ଅଧ୍ୟକ୍ଷ ତାକୁ ସେଠାରୁ ବହିଷ୍କାର କରିଦେବାକୁ ବସିଲା । ଆହତ ସୈନିକଟି ବର୍ତ୍ତମାନ ଯାଏ କୁଆଡ଼େ ? କରୁଣାବତୀ ଫାନୀ ଏହା ଜାଣି ପାରି, ସୈନିକର ଦୁର୍ଦ୍ଦଶାରେ ଅତ୍ୟନ୍ତ ବ୍ୟଥିତ ହେଲା ଏବଂ ତାହାର ଦୁଃଖ ସହି ନ ପାରି ନିଜର ପରିଣୟ ପାଇଁ ଯେଉଁ ଯତ୍‍କିଞ୍ଚିତ୍ ଅର୍ଥ ପ୍ରତି ମାସରେ ଆସ୍ତେ ଆସ୍ତେ ସଞ୍ଚୟ କରିଥିଲା, ତାରି ବଳରେ ତାକୁ ସେ ଭୋଜନାଳୟରୁ ନେଇ ଯାଇ ସହରର ଅନ୍ୟତ୍ର ଗୋଟିଏ ଘର ଭଡ଼ା କରି ରଖାଇ ଦେଇ ଆସିଲା । ସେହି ଆହତ ସୈନିକଟି କିଛି ସଙ୍ଗୀତ ଜାଣିଥିବାରୁ କିଛିଦିନ ସଙ୍ଗୀତ ଶିକ୍ଷା କରି ଦିନ କାଟି ପାରିଲା । କିନ୍ତୁ କିଛିଦିନ ଗତ ହୁଅନ୍ତେ, ସେ ପୁଣି ରୋଗଗ୍ରସ୍ତ ହୋଇ ପଡ଼ିଲା ଏବଂ ଫାନୀ ପୁଣି ତାକୁ ସେବା ଓ ସାହାଯ୍ୟ କରିବାକୁ ଉପସ୍ଥିତ ହେଲା । ଦେଖୁ ଦେଖୁ ଫାନୀର ସମସ୍ତ ସଞ୍ଚିତ ଅର୍ଥ ଶେଷ ହୋଇ ପଡ଼ିଲା; କିନ୍ତୁ କରୁଣହୃଦୟା ବାଳିକା ସେଥିରେ ହତାଶ ନ ହୋଇ ସୈନିକଟିର ଦୁଃଖ ମୋଚନଲାଗି ଧାର କରିବାକୁ ଲାଗିଲା । ଇତି ମଧ୍ୟରେ ତା’ର ପ୍ରଣୟୀ ପାରିସରୁ ଆସି ଫାନୀକୁ ବିବାହବନ୍ଧନରେ ବାନ୍ଧି ହେବାକୁ ଅନୁରୋଧ କଲା । ଫାନୀ ତା’ର ସୈନିକଟି କଥା ଓ ତା’ର ଧାର କରଜ କଥା କହିବାରୁ ଗୁଣମୁଗ୍ଧ ପ୍ରଣୟୀ ତା’ର ସମସ୍ତ ସଞ୍ଚୟ ଫାନୀ ହାତକୁ ବଢ଼ାଇ ଦେଇ ଯଥେଚ୍ଛ ବ୍ୟୟ କରିବାକୁ କହିଲେ ଏବଂ ପୁଣି ସଞ୍ଚୟ କରିବାକୁ ଚାଲିଗଲେ । ଏହିପରି ଭାବରେ ସେହି ସୈନିକଟି ପ୍ରାଣତ୍ୟାଗ କରିବା ପର୍ଯ୍ୟନ୍ତ ଫାନୀ ନିଜର ବିବାହକୁ ପଛକୁ ରଖି ତା’ର ସେବା କରୁ କରୁ, ପ୍ରାୟ ପନ୍ଦର ବର୍ଷ କଟି ଯାଇଥିଲା । ପନ୍ଦର ବର୍ଷ ପରେ ପ୍ରଣୟୀଯୁଗଳ ଦେଖିଲେ ଯେ, ସେମାନେ ଯେଉଁ ଦରିଦ୍ରକୁ ସେହି ଦରିଦ୍ର । ସେମାନଙ୍କ ନିକଟର ସମସ୍ତ ସଞ୍ଚୟ ଜଣେ ଅପରିଚିତ ହତଭାଗ୍ୟର ସେବାରେ ବ୍ୟୟିତ ହୋଇଅଛି-। ଏହି ସଂବାଦ କ୍ରମେ ସମସ୍ତେ ଜାଣି ପାରିଲେ ଏବଂ ସ୍ଥାନୀୟ ଧର୍ମଯାଜକଙ୍କ ଚେଷ୍ଟାରେ କୌଣସି ଦାତବ୍ୟ ଅନୁଷ୍ଠାନରୁ କିଛି ପୁରସ୍କାର ମିଳିବାରୁ ହୃଦୟବାନ୍ ପ୍ରଣୟୀଯୁଗଳ ପରିଶେଷରେ ପତି ପତ୍ନୀ ହୋଇ ପାରିଲେ ।

 

–୩–

 

ଫରାସୀ ରାଷ୍ଟ୍ରବିପ୍ଳବ ସମୟରେ ଉତ୍ତେଜିତ ଜନତା ସ୍ୱାଧୀନତା ଓ ମାନବିକତାର ଧ୍ୱଜା ଉତ୍ତୋଳନ କରି ଯେଉଁ ପୈଶାଚିକ କାଣ୍ଡସବୁ ସଂଘଠନ କରିଥିଲେ, ତାହା ୟୁରୋପୀୟ ସଭ୍ୟତାର ଇତିହାସରେ ଏକ କାଳିମାମୟ ଚିତ୍ର ରଖିଯାଇଛି; କିନ୍ତୁ ଏହି ନରମେଧଯଜ୍ଞର ବିଭୀଷିକାମୟ ତାଣ୍ଡବଲୀଳାର ଅନ୍ତରାଳରେ ମଧ୍ୟ ଦୟା, ଅନୁରକ୍ତି, ବିଶ୍ୱାସ ପ୍ରଭୃତି ମାନବପ୍ରାଣର ଚିରନ୍ତନ ଗୁଣଗୁଡ଼ିକ ଅନେକ କ୍ଷେତ୍ରରେ ବିକଶିତ ହୋଇଥିଲା । ତାହାର ଏକ ଚିତ୍ର ଏଠାରେ ଦିଆଗଲା :–

 

ମାର୍କ୍ୱିସ୍ ୱାବସ୍ ପାଇନ୍ ନାମକ ଜଣେ ସମ୍ଭ୍ରାନ୍ତ ସାମନ୍ତଙ୍କର ମାର୍ଟିନ୍ ନାମକ ଗୋଟିଏ ଭୃତ୍ୟ ଥିଲା । ରାଷ୍ଟ୍ରବିପ୍ଳବରେ ଏହି ସମ୍ଭ୍ରାନ୍ତ ପରିବାରର ବହୁତ ସମ୍ପତ୍ତି ବିନଷ୍ଟ ହୋଇ ପଡ଼ିଲା । ଉତ୍ତମ ବ୍ୟବସ୍ଥା ଅଭାବରୁ ଯାହା ବା ଅବଶେଷ ରହିଲା, ତାହା ମଧ୍ୟ ଉପଯୁକ୍ତ ଭାବରେ ଳପ୍ରସୂ ହୋଇ ନ ଥିଲା । ମାର୍କ୍ୱିସ୍ ନିଜର ସମ୍ମାନରକ୍ଷା କରି ଚଳିବା ପାଇଁ ଋଣ କରିବାକୁ ବସିଲେ । ଶେଷରେ ସେ ଅତ୍ୟନ୍ତ ଋଣଗ୍ରସ୍ତ ହୋଇ ପ୍ରାଣତ୍ୟାଗ କଲେ ଓ ମାର୍ଟିନ୍ ତାଙ୍କ ଗୃହରୁ ବିଦାୟ ନେଇ ତା’ର ଦୂର ଗ୍ରାମରେ ବର୍ଦ୍ଧକିର ବ୍ୟବସାୟ ଆରମ୍ଭ କରି ଜୀବିକାର୍ଜନ କରିବାକୁ ଲାଗିଲା ।

 

ମାର୍କ୍ୱିସଙ୍କର ତିନୋଟି ସନ୍ତାନ ଥିଲେ । ଜ୍ୟେଷ୍ଠ ଓ କନିଷ୍ଠ ଦୁଇଟି ପୁତ୍ର ଓ ମଧ୍ୟମାଟି କନ୍ୟା । ପିତାଙ୍କର ଜୀବିତାବସ୍ଥାରେ ପିଲାଗୁଡ଼ିକ ଅତ୍ୟନ୍ତ ବିଳାସରେ ଲାଳିତପାଳିତ ହୋଇଥିଲେ । ମାର୍ଟିନ୍ ପ୍ରଭୁ ଓ ପ୍ରଭୁସନ୍ତାନମାନଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲା । ବୃଦ୍ଧ ମାର୍କ୍ୱିସ୍ ମଧ୍ୟ ମାର୍ଟିନ୍ ପ୍ରତି ଅତ୍ୟନ୍ତ ସଦୟ ବ୍ୟବହାର କରି ତାକୁ ଅନେକ ଭାବରେ ଶିକ୍ଷିତ କରାଇ ଦେଇଥିଲେ ।

 

ଦିନେ ମାର୍ଟିନ୍ କାର୍ଯ୍ୟ କରୁଛି, ଏହି ସମୟରେ ତା’ର କୁଟୀର ଦ୍ୱାରରେ ତା’ର ପ୍ରଭୁର ତିନୋଟି ଯାକ ସନ୍ତାନ ଉପସ୍ଥିତ ହେବାର ଦେଖାଗଲା । ଜେଷ୍ଠ ପୁତ୍ରଟି ମାର୍ଟିନ୍‍କୁ ଜଣାଇଦେଲା ଯେ, କୌଣସି କାରଣରୁ ସେମାନଙ୍କୁ ପାରିସ୍‍ରୁ କିଛିଦିନ ଅନ୍ତର ହେବାକୁ ପଡ଼ିବାରୁ ଅନ୍ୟତ୍ର ନ ଯାଇ ସେମାନେ ମାର୍ଟିନ୍ ନିକଟକୁ ଆସିଅଛନ୍ତି । ଚତୁର ମାର୍ଟିନ୍‍ର ବୁଝିବାକୁ ବାକି ରହିଲା ନାହିଁ ଯେ, ପ୍ରଭୁଙ୍କର ସମସ୍ତ ସମ୍ପତ୍ତି ନଷ୍ଟ ହୋଇଅଛି ଏବଂ ପ୍ରଭୁଙ୍କର ସନ୍ତାନମାନେ ବାସହୀନ ହୋଇ ଚିରଦିନ ଲାଗି ତା’ଠାରେ ଆଶ୍ରୟ ନେବାକୁ ଆସିଛନ୍ତି । କିନ୍ତୁ ସେ ଦ୍ୱିଧା ନ କରି ପରମ ଆଦରରେ ପ୍ରଭୁ ସନ୍ତାନମାନଙ୍କୁ ଗୃହଭିତରକୁ ଅଭିନନ୍ଦିତ କରି ଘେନିଗଲା ଏବଂ ସେମାନଙ୍କ ଆଗମନକୁ ନିଜର ଗୌରବ ବୋଲି ପ୍ରକାଶ କଲା । ମାର୍ଟିନ୍‍ର ନିଜର ତିନୋଟି ସନ୍ତାନ ଥିଲେ । ସେ ନିଜେ ଓ ତା’ର ଜ୍ୟେଷ୍ଠା କନ୍ୟା କାର୍ଯ୍ୟ କରି ଯାହା ପାଉଥିଲେ, ସେଇଥିରେ ଏହି ବିରାଟ ପରିବାର ଚଳାଇବାକୁ ବସିଲା । କିନ୍ତୁ ପ୍ରଭୁପୁତ୍ରମାନଙ୍କର ଯେପରି କୌଣସି ପ୍ରକାର ଅସ୍ୱାଚ୍ଛନ୍ଦ୍ୟ ନ ହୁଏ, ତାହା ସେ ବରାବର ଦେଖୁଥିଲା । ପ୍ରଭୁଗୃହରେ ପ୍ରଭୁ ଓ ତାଙ୍କର ପୁତ୍ର କନ୍ୟାମାନେ ଭୋଜନ କଲାବେଳେ,ମାର୍ଟିନ୍ ସସମ୍ମାନରେ ଦୂରରେ ଆଦେଶ ଅପେକ୍ଷା କରି ଠିଆ ହୋଇଥାଏ । ଏଠି ମଧ୍ୟ ପ୍ରଭୁପୁତ୍ରମାନଙ୍କୁ ଭୋଜ୍ୟ ବାଢ଼ି ଦେଇ ଟେବୁଲର ଅଦୂରରେ ଆଦେଶ ଅପେକ୍ଷାରେ ଠିଆ ହୋଇ ରହେ । କୌଣସି ଦିନ ହେଲେ ସେ ପ୍ରଭୁସନ୍ତାନମାନଙ୍କ ସହିତ ନିଜର ପିଲାପିଲିଙ୍କି ଏକ ଭୋଜନରେ ବସାଇ ଦେଲା ନାହିଁ । ପ୍ରଭୁସନ୍ତାନମାନଙ୍କୁ ପଲଙ୍କ ଓ ଉତ୍ତମ ଶଯ୍ୟାରେ ଶୁଆଇ, ସେ ଓ ତା’ର ପିଲାପିଲି ତଳେ ଶୋଇଲେ ଏବଂ ପ୍ରଭୁସନ୍ତାନମାନଙ୍କୁ ଉତ୍ତମ ଖାଦ୍ୟ ଦେଇ ନିଜେ ଓ ପିଲାପିଲି କୃଷକର ସାଧାରଣ ଖାଦ୍ୟରେ ଜୀବନ କାଟିବାକୁ ଲାଗିଲେ । ଏହିପରି ଦୀର୍ଘ ପାଞ୍ଚ ବର୍ଷ କଟିଗଲା । କିନ୍ତୁ ଦିନେ ହେଲେ ମାର୍ଟିନ୍ ତା’ର ପ୍ରଭୁପୁତ୍ରଙ୍କୁ ନିଜର ଅଭାବ କଥା ଜଣାଇ ନାହିଁ, କି ଅସନ୍ତୋଷ ପ୍ରକାଶ କରି ନାହିଁ,କି ଅସମ୍ମାନ ଦେଖାଇ ନାହିଁ । କିନ୍ତୁ କ୍ରମେ ଏହି କଥା ନିକଟବର୍ତ୍ତୀ ସ୍ଥାନରେ ପ୍ରକାଶିତ ହେଲା । ପ୍ରଭୁର ବଂଶ ବିଖ୍ୟାତ ଥିବାରୁ ଫ୍ରାନ୍‍ସର ଲୋକେ ସେମାନଙ୍କୁ ଜାଣିଥିଲେ । ସେହି ବଂଶର ଉତ୍ତରାଧିକାରିମାନେ ଗୋଟିଏ ଦରିଦ୍ର ଭୃତ୍ୟର ଗୃହରେ ପାଳିତ ହେଉଅଛନ୍ତି ଶୁଣି ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଗଲା । ଗୋଟିଏ ଭଦ୍ରମହିଳା କନ୍ୟାଟିକୁ ପାଳନ କରିବାକୁ ପ୍ରସ୍ତୁତ ହୁଅନ୍ତେ, ମାର୍ଟିନ୍ ଅତ୍ୟନ୍ତ ଦୁଃଖରେ ତାକୁ ବିଦାୟ ଦେଲା । ଗୋଟିଏ ଦାତବ୍ୟ ବିଦ୍ୟାଳୟ ପୁତ୍ରଦୁଇଟିର ଶିକ୍ଷାର ଭାର ମଧ୍ୟ ନେବାକୁ ବସିଲେ ଏବଂ ଏହି ପ୍ରଭୁଭକ୍ତିର କଥା ଚାରିଆଡ଼େ ପ୍ରକାଶିତ ହୁଅନ୍ତେ ଫରାସୀ ଏକାଡ଼େମୀ ନାମକ ବିଦ୍ୱନ୍ମଣ୍ଡଳୀ; ମାର୍ଟିନ୍‍କୁ ଗୋଟିଏ ସ୍ୱର୍ଣ୍ଣ ପଦକ ଓ ୫୦୦୦ ଫ୍ରାଙ୍କ୍ ପୁରସ୍କାର ଦେଲେ ।

Image

 

ହିନ୍ଦୁଧର୍ମ ଓ ଗୀତା

 

ପୃଥିବୀର ଅନ୍ୟ ପ୍ରଧାନ ଧର୍ମମାନଙ୍କ ପରି ହିନ୍ଦୁ ଧର୍ମ କୌଣସି ଏକ ବ୍ୟକ୍ତିଦ୍ୱାରା ପ୍ରଚାରିତ ବା ପ୍ରତିଷ୍ଠିତ ନୁହେ । ବସୁନ୍ଧରାର ପୃଷ୍ଠ ଦେଶରେ ଶ୍ୟାମଳ ଦୂର୍ବାଶଯ୍ୟା ପରି ଏହା ଯେପରି ଭାରତର କୋଟି କୋଟି ଜନତାର ବିଶ୍ୱାସରୁ ସ୍ୱତଃ ଉଦ୍ଭୂତ ହୋଇଅଛି । ଏହା ଏପରି ବ୍ୟାପକ ଯେ, ଅସଂଖ୍ୟ ଉପଧର୍ମ ଏହାର ବୃତ୍ତିମଧ୍ୟରେ ସୃଷ୍ଟ ଓ ପ୍ରଚାରିତ ହୋଇ ନିର୍ବିରୋଧଭାବରେ ଏହାରି ନାମ ଗ୍ରହଣ କରିଅଛନ୍ତି । ଏହି ବ୍ୟାପକତା ଓ ବିସ୍ତୃତି ଯୋଗୁଁ ଏହାର ସୀମା ଓ ସ୍ୱରୂପ ସହଜରେ ନିରୂପିତ ହୋଇ ପାରେ ନାହିଁ ଏବଂ ତେଣୁ ଭିନ୍ନ ଧର୍ମୀମାନେ ଉପହାସରେ ଏହା ଏକ ଧର୍ମ ନୁହେ, କେବଳ ସାମାଜିକ ଆଚାରସମଷ୍ଟି ବୋଲି ପ୍ରକାଶ କରନ୍ତି । ଅନେକେ ପୌତ୍ତଳିକତାକୁ ହିନ୍ଦୁଧର୍ମର ଚିହ୍ନ ବୋଲି ପ୍ରକାଶ କରନ୍ତି, କିନ୍ତୁ ତାହା ଭ୍ରମ । ଅନେକ ଅପୌତ୍ତଳିକ ସମ୍ପ୍ରଦାୟ ହିନ୍ଦୁ-ଧର୍ମର ଅନ୍ତର୍ଭୁକ୍ତ । ଅନ୍ୟ ଧର୍ମମାନଙ୍କରେ ସାଧନାର ପନ୍ଥା ଏକ ବା ଅଳ୍ପ; କିନ୍ତୁ ହିନ୍ଦୁ ଧର୍ମରେ ଭଗବାନଙ୍କୁ ଲାଭ କରିବାର ପଥ ଅନେକ ଓ ପରସ୍ପର ବିରୋଧୀ । ଏହାର ହେତୁ ଏହି ଯେ, ଏହା କୌଣସି ଏକ ବ୍ୟକ୍ତିବିଶେଷର ମତଦ୍ୱାରା ନିୟମିତ ହୋଇ ନାହିଁ । ଯୁଗେ ଯୁଗେ ନାନା ମୁନିର ନାନା ମତ ଘେନି ଏହାର ଅଙ୍ଗ ପରିପୁଷ୍ଟ ହୋଇଅଛି ଏବଂ ବିରାଟ ଭୂଖଣ୍ଡର ବିଶାଳ ଜନସଂଘର ବହୁଧା ରୁଚିକୁ ଏହି ଭିନ୍ନ ଭିନ୍ନ ମତ ଓ ପଥ ଖାଦ୍ୟ ଯୋଗାଇ ଅଛି ।

 

କିନ୍ତୁ ଏହି ବିଭିନ୍ନ ମତ ଓ ପଥ ମଧ୍ୟରେ ଯେ ଏକ ଅନବଚ୍ଛିନ୍ନ ଐକ୍ୟ ପ୍ରବହମାନ ରହିଅଛି, ତାହା କେହି ଅସ୍ୱୀକାର କରି ପାରିବେ ନାହିଁ । ଭାରତର ବହୁବିଧ ଉପଧର୍ମ, ଏପରି କି ବୌଦ୍ଧ ଓ ଜୈନଧର୍ମ ମଧ୍ୟ ସେହି ଐକ୍ୟ ପୀଠ ଉପରେ ପ୍ରତିଷ୍ଠିତ । ଏହି ଐକ୍ୟ ଜନ୍ମାନ୍ତର ଓ କର୍ମଫଳବାଦ । ବୌଦ୍ଧ ଓ ଅନ୍ୟାନ୍ୟ ଧର୍ମର ଭିତ୍ତି ଏହାରି ଉପରେ ପ୍ରତିଷ୍ଠିତ । ଖ୍ରୀଷ୍ଟ ଓ ମୁସଲମାନ ଧର୍ମରେ ଏହି ବିଶ୍ୱାସ ଯେ, ମନୁଷ୍ୟର ମୃତ୍ୟୁ ସଙ୍ଗେ ଆତ୍ମା ଚିରନିଦ୍ରା ଲାଭ କରେ । ସୃଷ୍ଟିର ଶେଷ ଦିନରେ ବିଧାତାଙ୍କର ତୂର୍ଯ୍ୟନାଦରେ ଏହି ପ୍ରେତାତ୍ମାମାନଙ୍କର ନିଦ୍ରାଭଙ୍ଗ ହେବ ଓ ଇହ ଜୀବନର କାର୍ଯ୍ୟକଳାପର ବିଚାର ହୋଇ, ଶାସ୍ତି ବା ପୁରସ୍କାର ଲାଭ ହେବ; କିନ୍ତୁ ସକଳ ପଥ ଓ ମତର ହିନ୍ଦୁ ବିଶ୍ୱାସ କରନ୍ତି ଯେ, ଦେହର ନାଶ ସଙ୍ଗେ ଆତ୍ମାର ନାଶ ହୁଏ ନାହିଁ ବା ସେ ନିଦ୍ରା ଯାଏ ନାହିଁ । ଇହ ଜୀବନର କର୍ମଫଳ ଭୋଗ କରିବାଲାଗି ସେ ପୁଣି ନୂତନ ଶରୀର ଧାରଣ କରି ପୃଥିବୀରେ ଜନ୍ମଗ୍ରହଣ କରେ । ଏହି ବିଶ୍ୱାସ ଭାରତର ସକଳ ଧର୍ମରେ ଓ ହିନ୍ଦୁର ଦୈନିନ୍ଦିନ ଜୀବନରେ ଏପରି ଓତପ୍ରୋତ ଭାବରେ ମିଶିଯାଇଛି ଯେ,ଏହାକୁ ହିନ୍ଦୁଧର୍ମର ଓ ହିନ୍ଦୁର ସାମାଜିକ ଜୀବନର ମେରୁଦଣ୍ଡ କହିଲେ ଚଳେ । ଏହି ବିଶ୍ୱାସ ଉପରେ ଚିତ୍ତ ରଖି ହିନ୍ଦୁର ଯୋଗ, ସନ୍ନ୍ୟାସ, କୃଚ୍ଛ୍ରସାଧନା, ବହୁ ମତ ଓ ବହୁ ପଥ । କିପରି ଭାବରେ ପୁଣ୍ୟାର୍ଜନ କଲେ ପରଜନ୍ମରେ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ହେବ–ଏହାହିଁ, ହିନ୍ଦୁ ଜୀବନର ଲକ୍ଷ୍ୟ ।

 

ଅନେକଙ୍କର ଧାରଣା ସଂସାରର ସମସ୍ତ ପ୍ରଲୋଭନକୁ ଫିଙ୍ଗି ଦେଇ ବନଗିରିରେ ତପସ୍ୟା କରିବାରେହିଁ ମୁକ୍ତି ସହଜଲଭ୍ୟ ହୁଏ ଓ ଏହାହିଁ ହିନ୍ଦୁ ଧର୍ମର ଆଦର୍ଶ । ଏହା ଭ୍ରମ । ଗୀତା ହିନ୍ଦୁ ଧର୍ମର ଶ୍ରେଷ୍ଠ ଧର୍ମଗ୍ରନ୍ଥ, ଗୀତାର ଆଦର୍ଶ ସନ୍ନ୍ୟାସ ନୁହେ, ଗାର୍ହସ୍ଥ୍ୟ । ସଂସାରର ଦୈନନ୍ଦିନ ଜୀବନ ମଧ୍ୟରେ ଯେ ପୁଣ୍ୟ ସଞ୍ଚୟ କରାଯାଇ ପାରେ, ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ ତାହାହିଁ ପ୍ରଚାର କରିଅଛନ୍ତି । ବ୍ରାହ୍ମଣ,କ୍ଷତ୍ରିୟ, ବୈଶ୍ୟ, ଶୂଦ୍ରାଦି ଚାରି ପ୍ରକୃତିର ଲୋକ ଏ ଜଗତରେ ଜନ୍ମଗ୍ରହଣ କରନ୍ତି । ନିଜ ନିଜର ପ୍ରକୃତି ଅନୁଯାୟୀ ଏମାନଙ୍କର କର୍ତ୍ତବ୍ୟ ଜଗତରେ ପଡ଼ି ରହିଛି । ଜଗତରେ କୌଣସି କର୍ମ ହେୟ ନୁହେଁ, ପ୍ରତ୍ୟେକ କର୍ମର ମୂଲ୍ୟ ଓ ଗୌରବ ଅଛି । ନିଜର ପ୍ରକୃତି ଅନୁରୂପ କର୍ମ ହେୟ ହେଲେ ମଧ୍ୟ ତାହା ପରିତ୍ୟାଗ କରିବା ଉଚିତ ନୁହେ । କିନ୍ତୁ କର୍ତ୍ତବ୍ୟର ସମ୍ପାଦନରେ କେବେହେଲେ ଆସକ୍ତି ବା ଅହଙ୍କାର ରଖିବ ନାହିଁ । ଆସକ୍ତି ଜଗତରେ ସମସ୍ତ ଦୁଃଖର କାରଣ; ନିରାସକ୍ତ ଭାବରେ ଜୟ-ପରାଜୟ, ଲାଭାଲାଭକୁ ସମାନଭାବରେ ବରଣ କରି କର୍ତ୍ତବ୍ୟ କରିଯିବା ବିଜ୍ଞ ବ୍ୟକ୍ତିର ଲକ୍ଷଣ । ମନୁଷ୍ୟର ଅଧିକାର କେବଳ କର୍ମରେ । କର୍ମର ଫଳାଫଳ ଏକ ଅଦୃଷ୍ଟ ପୁରୁଷର ହସ୍ତରେ । ସେ ଅଦୃଷ୍ଟ ପୁରୁଷ ଏହି ଜଗତର ଆଦି; ଜୀବଗ୍ରାମ ତାଙ୍କରିଠାରୁ ଉତ୍ପନ୍ନ ଓ ତାଙ୍କରିଠାରେ ଲୀନ । ଯୁଗ ଯୁଗାନ୍ତର ଧରି, ବିଶ୍ୱ ଜଗତର ସୃଷ୍ଟିସ୍ଥିତି ଓ ପ୍ରଳୟ ମଧ୍ୟରେ ସେହି ଏକା ସ୍ଥିର ଓ ସନାତନ । ମନୁଷ୍ୟ ତାଙ୍କର ନିମିତ୍ତ ମାତ୍ର । ସେ କୌଣସି କାର୍ଯ୍ୟ ଲାଗି ଅହଙ୍କାର କରିବା ଘୋର ଅଜ୍ଞାନତା । ତା’ର ଉଚିତ, ସେ ତାଙ୍କରି ହୋଇ କର୍ତ୍ତବ୍ୟ କର୍ମ କରିଯିବ । ଏ ଜଗତରେ ନିରାସକ୍ତ ଓ ନିରହଙ୍କାର ଭାବରେ କର୍ମ କରି ପାରିଲେ ସେହି ପରମ ପୁରୁଷଙ୍କୁ ଆତ୍ମା ଅନୁଭବ କରି ପାରିବ । କର୍ମହିଁ ସକଳ ଧର୍ମାଚରଣର ମୂଳ । ଏହା ସନ୍ନ୍ୟାସ, ଜ୍ଞାନ ଓ ତପସ୍ୟାଠାରୁ ଉତ୍କୃଷ୍ଟ ।

 

ଏହାହିଁ ଗୀତାର ଉଦାର ବାଣୀ ।

Image

 

ଦେଶଦ୍ରୋହୀ

(ନାଟ୍ୟାଂଶ)

 

(ଶାରଙ୍ଗୀଗଡ଼ର ରାଜା ରାମଚନ୍ଦ୍ର ଦେବ, ମୁକୁନ୍ଦ ଦେବଙ୍କ ସହ କଳି କରି, ଶିଖୀ ଓ ମନାଇ ନାମକ ଦୁଇଟି ପାଇକଦ୍ୱାରା କଳାପାହାଡ଼କୁ ଅଣାଇ ଜନ୍ମଭୂମିକୁ ପରହସ୍ତଗତ କରିବା କଥା ଓଡ଼ିଶାରେ ସୁପରିଚିତ । ସେହି ଇତିହାସର କିୟଦଂଶ ଏହି ନାଟ୍ୟାଂଶରେ ବିବୃତ ହେଲା ।)

 

ସ୍ଥାନ–ବାରବାଟୀ ଦୁର୍ଗଦ୍ୱାର

(ନେପଥ୍ୟେ) ଚାଲ ଚାଲ କଳାପାହାଡ଼ ବାରବାଟୀରେ ପଶିଗଲା ।

(କୋଳାହଳ ତୋପ ଆବାଜ)

 

ଦୁର୍ଗରକ୍ଷକ କୋନି, ସାମନ୍ତରାୟ ଓ ଓଡ଼ିଶା ମନ୍ତ୍ରୀଙ୍କର ସସବ୍ୟସ୍ତେ ପ୍ରବେଶ ।

 

କୋନି–ସୈନ୍ୟମାନେ ବିଶ୍ୱାସଘାତକତା କଲେ । ରାମଚନ୍ଦ୍ର ସେମାନଙ୍କୁ ପ୍ରଲୋଭନରେ ଭୁଲାଇ ଦେଲେ ।

 

ମନ୍ତ୍ରୀ–ସେନାପତି ମଧ୍ୟ ଆସିଲେ ନାହିଁ ।

 

କୋନି–ଓଃ ! କି ରାକ୍ଷସ ଏମାନେ ?

 

ମନ୍ତ୍ରୀ–ହାୟ ରେ ହତଭାଗ୍ୟ ଓଡ଼ିଶା ଦେଶ !

 

କୋନି–ହାୟ ରାମଚନ୍ଦ୍ର, ଜନ୍ମଭୂମିର ଗୌରବଠାରୁ ବିଦେଶୀ ଓ ବିଧର୍ମିର ସ୍ନେହ ବଡ଼ ଦିଶିଲା । ଥରେ ଦେଖନ୍ତି କି ତମୁକୁ ।

 

ମନ୍ତ୍ରୀ–ଶୁଣୁଛି ସେ ଓ ଶିଖି ମହାପାତ୍ରେ କଳାପାହାଡ଼ ସହ ଏଠାକୁ ଆସିଛନ୍ତି ।

 

କୋନି–ଆସିଛନ୍ତି ? ଦେଖନ୍ତି କି ଟିକିଏ । ଓଃ, ମୋର ରକ୍ତ ଯେ ଫୁଟି ଉଠୁଛି କ୍ରୋଧରେ । –ଏଇ–ଏଇ–ଏ କିଏ ମନ୍ତ୍ରୀ ?

 

ମନ୍ତ୍ରୀ–ଆରେ, ଏ ତ ସେହି–ସେହି ଦେଶଦ୍ରୋହୀ ।

 

(ରାମଚନ୍ଦ୍ର ଓ ଶିଖୀ ମହାପାତ୍ରଙ୍କର ପ୍ରବେଶ)

 

କୋନି–ରାମଚନ୍ଦ୍ରଦେବ, ଓଡ଼ିଶାର ରାଜପୁତ୍ର ହୋଇ ୟା କରିବାକୁ ଥିଲା ତୁମ ହାତରେ-?

 

ରାମ–ସାମନ୍ତରାଏ ! ଖଣ୍ଡାୟତ ହୋଇ ତୁମେମାନେ ଅନ୍ୟାୟ କଲ କିପରି, ତା ମନେ ପଡ଼ୁଛି ?

 

ମନ୍ତ୍ରୀ–କି ଅନ୍ୟାୟ ରାମଚନ୍ଦ୍ରଦେବ ?

 

ରାମ–ଉତ୍କଳର ସିଂହାସନ ଓ ବାରବାଟୀ ଦୁର୍ଗର ନ୍ୟାଯ୍ୟ ଅଧିକାରୀ କିଏ ?

 

ମନ୍ତ୍ରୀ–ଯେ ବୀର ବସୁନ୍ଧରା ତା’ର । ମୁକୁନ୍ଦଦେବ ବୀରପୁରୁଷ, ତେଣୁ ଏ ବିଶାଳ ସାମ୍ରାଜ୍ୟ ତାଙ୍କରି ହେଲା । ତୁମର ଶକ୍ତି ଥିଲେ ତୁମେ ନେଇ ଥାଆନ୍ତ । କ୍ଷତ୍ରିୟର ଦାବୀ ଜନ୍ମରେ ନୁହେ, ତରବାରୀରେ ।

 

ରାମ–ସେ ଦାବୀ ଯାର ଅଧିକାରରେ ନାହିଁ; ସେ ଅନ୍ୟ ଉପାୟ ଅବଲମ୍ୱନ କଲେ କ୍ଷତି କ’ଣ ?

 

କୋନି–ଏପରି ଘୃଣ୍ୟ ଉପାୟ । ବୁଝୁଛ ରାମଚନ୍ଦ୍ର କ’ଣ କରିଛ ତୁମେ ?

 

ଚିରନ୍ତନୀ ବସୁନ୍ଧରା ବିଶାଳ ଏ ବକ୍ଷେ

ତୁମପରି କେତେ ରାଜା ରାଜେନ୍ଦ୍ର ପୁଙ୍ଗବ

କଟକର ରାଜପଥେ ପଦରେଣୁ ସମ

ଉଡ଼ିଗଲେ ଅତୀତରେ-କାଳ ସର୍ବଗ୍ରାସୀ

ସ୍ମୃତିପଟୁ ପୋଛି ନେଲା ନାମ ତାହାଙ୍କର

ଦେଖ ଏ ଅଶ୍ୱତ୍ଥ ବୃକ୍ଷ–ବସନ୍ତ ଆରମ୍ଭେ

ଲକ୍ଷ ଲକ୍ଷ ପତ୍ର ୟାର ସହସ୍ର ଶାଖାରୁ

ଅଲକ୍ଷିତେ ଖସି ତଳେ ହୁଏ ପରିଣତ

କିଛି ଦିନେ କର୍ଦମରେ । ପୁଣି ଉଠେ ପତ୍ର

ପୁଣି ଝଡ଼େ, ପୁଣି ହୁଏ କର୍ଦମେ ମିଶ୍ରିତ ।

ମାନବ ଜୀବନଲୀଳା ଏକାନ୍ତ ଏପରି

ଏ ବିଶାଳ ପୃଥିବୀରେ । କୋଟି କୋଟି ରାଜା

କଲେ ଯେ, ତୁମରି ସମ, ନିଜ ସ୍ୱାର୍ଥଲାଗି

ଅପରରେ ନିର୍ଯ୍ୟାତିତ, କାହାନ୍ତି ସେ ଆଜି ?

-ନୀରବିତ ତାଙ୍କ ବାଣୀ, ଶାନ୍ତ ତାଙ୍କ ହସ୍ତ

ଅଙ୍ଗ ତାଙ୍କ ମିଶିଅଛି ପଥଧୂଳି ସହ ।

ଦି’ଦିନର କଥା ଲାଗି କି କଲ ଯେ ତୁମେ

ବୁଝି କି ପାରୁଛ ମୂଢ଼ ?

ହେଲା ଅବସାନ

ତୁମ ଯୋଗୁଁ ଚିରଲାଗି ଉତ୍କଳ-ମୁକୁଟୁ

ସ୍ୱାଧୀନତା ସୂର୍ଯ୍ୟରଶ୍ମି । ଆଜି ଦିନଠାରୁ

ଯୁଗ ଯୁଗ ଧରି ଢଳାହେବ ନୟନରୁ

ଯେତେକ ଲୋତକ ଏହି ପୂଣ୍ୟଭୂମି ପରେ

-ଯେଉଁ ସେ କାରଣେ ତାହା ନ ହେଉ କାହିଁକି–

ଅଭିଶାପ ସମ ତାହା ତୁମରି ମସ୍ତକେ

ସମୟର ଶେଷ ଯାଏ ପଡ଼ିବ ନିଶ୍ଚିତେ ।

ବିଦେଶୀର ଅତ୍ୟାଚାରେ ନିଃସହାୟ ସମ

କାନ୍ଦିବେ ଯେବେ ହେ ଦୀନ କୃଷକ ପ୍ରଜାଏ,

ହାହାକାର କରିବେ ବା କୁଳବଧୂ ଯଦି,

ଦାରିଦ୍ର୍ୟରେ ମାତା ଯଦି ନାହିଁ ପାରେ ଦେଇ

ଅନ୍ନ ତୋଳି ପୁତ୍ରମୁଖେ; ଶିଶୁ ମୁଖେ ଯଦି

ଅନ୍ନାଭାବେ ନାହିଁ ଫୁଟେ ରମ୍ୟ ଦର-ହାସ,

-ସକଳ ସେ ପାପଲାଗି ଦାୟୀ ତୁମ୍ଭେ ହେବ

ବିଧାତାର ବିଚାରଣେ । ବୁଝ ରାଜପୁତ୍ର

କି କରିଛ ଆଜି ତୁମ୍ଭେ ।

ଶିଖୀ ମହାପାତ୍ର

ଦୀନରୁ ଦୀନତ ତୁହି, କି ବୋଲିବି ତୋତେ,

କାହିଁକି ରସନା ମୋର କରିବି ନିନ୍ଦିତ

ଭର୍ତ୍ସନା କରି ରେ ତୋତେ । ନରକର କୀଟ ତୁହି,

ସଂହାର ଅଯୋଗ୍ୟ । ତୀବ୍ର ବାସନା ମୋ ଥିଲା,

ଦୁହିଁ କୁ ଏ ଖଡ଼୍ଗ ଆଜି କରିଣ ନିପାତ

ଶମିଥାନ୍ତି କ୍ରୋଧ ମୋର-ଲାଭ ନାହିଁ କିଛି,

ହାଣି କରବାଳେ ତୁମପରି ଅଧମରେ

ନିର୍ଦିଷ୍ଟ ଏ ଶତ୍ରୁ ଲାଗି ।

 

ରାମଚନ୍ଦ୍ର–ସାମନ୍ତରାଏ, ଲଜ୍ଜା ଦିଅ ନାହିଁ–ଚାଲ ଭାଇ, ଜୀବନରେ ଯେ ଯତ୍‍କିଞ୍ଚିତ୍ ସମ୍ମାନ ବାକୀ ଅଛି, ତାହା ଶତ୍ରୁ ଆଗରେ ଢାଳି ଦେଇ ମୁଁ ନିଶ୍ଚିତ ହୁଏ । କ୍ରୋଧବଶତଃ ଯାହା କରିଥିଲି, ତା’ର କ’ଣ କ୍ଷମା ନାହିଁ ? ଶତ୍ରୁ ଏ ଦୁର୍ଗ ଜୟ କରୁ ପଛେ, ଜାଣି ରଖୁ ଯେ, ଓଡ଼ିଆ ଦେଶଦ୍ରୋହୀ ନୁହେ ।

 

କୋନି–ଜୟ ମା ଉତ୍କଳର ଜୟ ! ଜୟ ରାମଚନ୍ଦ୍ରଙ୍କର ଜୟ ! ବୃଦ୍ଧ ମନ୍ତ୍ରୀ, ତୁମ୍ଭେ ଏହିଠାରେ ଥାଅ, ଆମେ ଦେଖୁଁ ଯେପରି ଶତ୍ରୁ ଦୁର୍ଗର ଅବରୋଧରେ ପ୍ରବେଶ ନ କରେ ।

(ପଟ ପତନ)

Image

 

ଶ୍ରୀକ୍ଷେତ୍ରରେ ଚନ୍ଦ୍ରାଲୋକ

 

ଅସ୍ତରାଗେ ରଞ୍ଜି ତୁଙ୍ଗ ବାଲିସ୍ତୂପ

ଶ୍ୟାମଳ ପୁନ୍ନାଗ ବନ,

ଲୋକନାଥ ପଥେ ବୁଡ଼ନ୍ତି ସାଗରେ

କମଳିନୀ–ପ୍ରାଣଧନ ।

ଭାସମାନ ରକ୍ତ- ରବି-ବିମ୍ବ ଦେଖି

ଏ ଭାବ ଆସେ ଅନ୍ତରେ,

ବିରଞ୍ଚି-ରଚିତ ସୁବର୍ଣ୍ଣ ବ୍ରହ୍ମାଣ୍ଡ

ଭାସଇ କିବା ସାଗରେ !

କିବା ଜଳନିଧି- ଶାୟୀ ମଧୁରିପୁ

ନାଭି-ନାଳେ ଅରବିନ୍ଦ,

ଅବା ଦିଗ୍ବଳୟ- ରୂପୀ ବଳୟର

ଅନୁରୂପ କୁରୁବିନ୍ଦ ।

ବୁଡ଼ନ୍ତେ ମାର୍ତ୍ତଣ୍ଡ- ପ୍ରାଚୀମୂଳୁଁ ଏବେ

ସନ୍ଧ୍ୟା ପ୍ରବାଳପାଟଳା

ଊର୍ଦ୍ଧ୍ୱେ ଉଠି ଇନ୍ଦୁ- କିରଣେ ସୁନ୍ଦରୀ

ମଧ୍ୟାକାଶେ ମିଶିଗଲା ।

ପଟହ କାହାଳୀ ଶଙ୍ଖ ଘଣ୍ଟାଧ୍ୱନି

ଉଠିଲା ପ୍ରତି ଦେଉଳେ,

ଦୀପାଲୋକ ଦେଖି ଚଞ୍ଚଳେ କଞ୍ଚୁକୀ

ଚଢ଼ିଲା ପ୍ରାସାଦ ଚୂଳେ;

ତହିଁ ବସି ବୃଦ୍ଧ ଦେଖିଲା ଭୂତଳେ

ଧରିତ୍ରୀ ଛବି ସୁନ୍ଦର;

ଦେଖିଲା ଉଦଳେ କୋଳାହଳମୟ

କୌମୁଦୀଧୌତ ସାଗର ।

କର୍ପୂର-ଧବଳ ବାଲିସ୍ତୂପାବଳୀ-

ଖୋଲେ ଶୋଭେ ଉପବନ;

ଠାବେ ଠାବେ ଅବା ବସିଯାଇ ତଳେ

ତିମିର ହୋଇଛି ଘନ ।

ଶୀତ ଶେଷେ ପାଣ୍ଡୁ- ବେଶ ପରିହରି

ଅମଳ-ଶୁଭ୍ର-ବସନା

ଚନ୍ଦ୍ରିକା କୁସୁମେ କରୁଛନ୍ତି କେଳି

ଚଉଦିଗେ ଦିଗଙ୍ଗନା ।

ଦୂରେ ସମଗରା- ଦହ ରଜତର

ଆସ୍ତରଣ ପରି ଦିଶେ,

ଦିଗ୍‍ବଳୟେ ନୀଳ ତରୁରାଜି ତା’ର

ଦାଢ଼େ ଅଙ୍ଗରେଖା କି ସେ ?

ବିରାଜଇ ଚାରୁ- ଚନ୍ଦ୍ରାତପ ପ୍ରାୟେ

ଊର୍ଦ୍ଧ୍ୱେ ହୋଇ ଲମ୍ବମାନ,

ବିରଳ-ତରଳ-ତାରକା-ଗୁମ୍ଫିତ

ସୁନୀଳ ନଭଃ-ଖିଲାନ ।

ସର ପାଟୁଁ ଉଡ଼ି ସୁଖେ ଭାସି ଭାସି

ତରଳ ଶଶୀମୟୂଖେ,

ନଭେ ରାବି ରାବି ଯାଉଛି ଟେଣ୍ଟୋଇ

ସୁନୀଳ ଚିଲିକା ମୁଖେ ।

କୋଳାହଳ ନୃତ୍ୟ- ବାଦ୍ୟ-ପରିପୂର୍ଣ୍ଣ

ଦୀପମାଳେ ବିଭୂଷିତ,

ଫଗୁଖେଳେ ରଙ୍ଗ- ବରଣା ନଗରୀ

ହର୍ମ୍ମ୍ୟତଳେ ବିରାଜିତ ।

ରାଧାନାଥ-ପାର୍ବତୀ

Image

 

ସତ୍ୟ-ସନ୍ଧାନ

 

ମନୁଷ୍ୟର ବିଭିନ୍ନ ମନୋବୃତ୍ତିମାନଙ୍କ ମଧ୍ୟରେ ବିଚାରବୁଦ୍ଧି ଏକତମ । ଏହି ଶକ୍ତିର ଉପକାରିତା ଏହି ଯେ, ଏହାଦ୍ୱାରା ମନୁଷ୍ୟ ସତ୍ୟର ସନ୍ଧାନ ପାଏ । ବିଜ୍ଞାନପ୍ରତିଷ୍ଠିତ ଯେଉଁ ସଭ୍ୟତା ଆମ୍ଭେମାନେ ଆଜି ଦେଖିବାକୁ ପାଉଁ, ତାହା ଏହି ବିଚାର ବୁଦ୍ଧିର ଫଳ । କାରଣ, ଯେଉଁ ଜିଜ୍ଞାସା ସମସ୍ତ ଜ୍ଞାନର ମୂଳରେ ତାହା ଏହି ବିଚାରବୁଦ୍ଧିରୁ ଉତ୍ପନ୍ନ । ବିଚାରବୁଦ୍ଧି ଯୋଗୁଁହିଁ ମନୁଷ୍ୟ ପ୍ରକୃତିର ସମସ୍ତ ରହସ୍ୟ ଉଦ୍‍ଭେଦ କରି, ଆଜି ପ୍ରକୃତିକୁ ନିଜର କ୍ରୀତଦାସ କରି ରଖିଛି ।

 

ଆଦିମ ଯୁଗରେ ମନୁଷ୍ୟ, ପ୍ରକୃତି ଓ ପଞ୍ଚଭୂତର ବିଭିନ୍ନ ଲୀଳାରେ ମୁଗ୍‍ଧ ଓ ଚକିତ ହୋଇ ସେହିମାନଙ୍କୁହିଁ ଦେବତାଜ୍ଞାନରେ ପୂଜା କରିଥିଲା; କିନ୍ତୁ ବିଚାର ଶକ୍ତିର, ବିକାଶ ହୁଅନ୍ତେ ମନୁଷ୍ୟ କ୍ରମେ କ୍ରମେ ପଚାରିବାକୁ ଲାଗିଲା–‘ଏହା କ’ଣ ? କାହିଁକି ହୁଏ ଓ କିପରି ହୁଏ ?” ଏହି ପ୍ରଶ୍ନମାନଙ୍କ ଉତ୍ତର ଉପରେ ଆଧୁନିକ ବିଜ୍ଞାନ ଓ ଆଧୁନିକ ସଭ୍ୟତା ପ୍ରତିଷ୍ଠିତ । ଆଜି ଆମ୍ଭେମାନେ ଯେଉଁ ରେଳ–ଶକଟ, ବ୍ୟୋମପୋତ, ବେତାରବାର୍ତ୍ତା ପ୍ରଭୃତି ଆଶ୍ଚର୍ଯ୍ୟକର ବ୍ୟାପାରମାନ ଓ ମନୁଷ୍ୟକୁ ସ୍ୱାଚ୍ଛନ୍ଦ୍ୟ ଦେବାଲାଗି ନୂତନ ଉପାୟମାନ ଦେଖିବାକୁ ପାଉଁ, ତାହା ଏହି ଜିଜ୍ଞାସା ଓ ବିଚାରବୁଦ୍ଧିର ଫଳ । ସାଧାରଣତଃ ଲୋକେ ବିଚାରବୁଦ୍ଧିକୁ ଖଟାନ୍ତି ନାହିଁ । ଜୀବନର ନାନା ଅନୁଷ୍ଠାନ ଓ ସମସ୍ୟାରେ ପ୍ରକୃତ ସତ୍ୟ କେଉଁଠି ତାହା ସାଧାରଣ ଲୋକେ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ସେମାନେ ଚିରାଚରିତ ପନ୍ଥା ଅବଲମ୍ବନ କରି ଗଡ଼୍ଡଳିକା ପ୍ରବାହରେ ଭାସି ଯିବାକୁ ସୁଖ ପାନ୍ତି; କିନ୍ତୁ ଜଗତକୁ ଯେଉଁମାନେ ଉଚ୍ଚଚିନ୍ତା ବା ମହତ୍ କର୍ମମାନ ଦେଇ ଯାଇଅଛନ୍ତି, ସେମାନଙ୍କ ଜୀବନର ସମସ୍ତ ସିଦ୍ଧିର ମୂଳରେ ଏହି ବିଚାରବୁଦ୍ଧି ଓ ସତ୍ୟର ଅନ୍ୱେଷଣ ବିଦ୍ୟମାନ । ବଡ଼ ବଡ଼ ଧର୍ମପ୍ରଚାରକ,ବୈଜ୍ଞାନିକ,କବି,ଦାର୍ଶନିକ-ସମସ୍ତେ ଏକ ପ୍ରକାର ସତ୍ୟସନ୍ଧାନୀ; ସେମାନେ ସମସାମୟିକ ବା ପୂର୍ବବର୍ତ୍ତୀ ସମାଜର ମାନସିକ ଓ ଆଧ୍ୟାତ୍ମିକ ଅବସ୍ଥାରେ ଅସନ୍ତୁଷ୍ଟ ହୋଇ ନୂତନ ସତ୍ୟର ଅନ୍ୱେଷଣ କରିଅଛନ୍ତି । ଇତିହାସର ବହୁ ମହାମାନବ ଏହି ସତ୍ୟାନ୍ୱେଷଣରେ ପ୍ରାଣ ବିସର୍ଜନ କରିଅଛନ୍ତି ଓ ଅଶେଷ କଷ୍ଟ ସହ୍ୟ କରିଅଛନ୍ତି । ଇତାଲୀୟ ଜ୍ୟୋତିଷୀ ଗାଲିଲିଓ ପୃଥିବୀ ଯେ ଭ୍ରାମ୍ୟମାଣ ଏହା ପ୍ରମାଣ କରିବାକୁ ଚେଷ୍ଟା କରିବାକୁ, ତତ୍‍କାଳୀନ ଖ୍ରୀଷ୍ଟିୟାନ୍ ପୁରୋହିତଙ୍କ ବିଷଦୃଷ୍ଟିରେ ପଡ଼ି କାରାଦଣ୍ତ ଭୋଗ କରିଥିଲେ । ସ୍ୱୟଂ ଯୀଶୁଖ୍ରୀଷ୍ଟ ନୂତନ ସତ୍ୟ ପ୍ରଚାର କରିବାକୁ ଯାଇ, ଶତ୍ରୁମାନଙ୍କଦ୍ୱାରା କ୍ରୁସ୍‍ରେ ପ୍ରାଣତ୍ୟାଗ କରିଥିଲେ ।

 

ବୌଦ୍ଧଧର୍ମର ଅବସାନ ପରେ ଏ ଦେଶରୁ ସତ୍ୟାନ୍ୱେଷଣ ଏକପ୍ରକାର ଲୁପ୍ତ ହୋଇଅଛି-। ବୌଦ୍ଧଧର୍ମର ବିନାଶ କରି ବ୍ରାହ୍ମଣମାନେ ଏ ଦେଶରେ ଯେଉଁ ଧର୍ମ ସ୍ଥାପନ କଲେ, ସେଥିରେ ଜନସାଧାରଣର ବିଚାରବୁଦ୍ଧି ପାଇଁ ଆଦୌ ଅବକାଶ ରହିଲା ନାହିଁ । ଲୋକମାନଙ୍କର ଦୈନନ୍ଦିନ ଘଟଣାଠାରୁ ଆରମ୍ଭ କରି ପରକାଳ ପର୍ଯ୍ୟନ୍ତ, ସବୁ ଅବସ୍ଥାଲାଗି ଶାସ୍ତ୍ର-ପ୍ରମାଣ ପ୍ରତିଷ୍ଠିତ କରି ବ୍ରାହ୍ମଣମାନେ ଲୋକସାଧାରଣଙ୍କର ସ୍ୱତନ୍ତ୍ର ବିଚାରଶକ୍ତି ଏକାବେଳେକେ ବିନାଶ କଲେ । ବର୍ତ୍ତମାନ ଯୁଗ ଯୁଗ ଧରି ଲୋକେ ବ୍ରାହ୍ମଣମାନଙ୍କ ଦ୍ୱାରା ପରିଚାଳିତ ହୋଇ ଘୋର କୁସଂସ୍କାରରେ ବୁଡ଼ି ରହିଛନ୍ତି ଓ ତଦ୍ଦ୍ୱାରା ନିଜର ଓ ଜାତିର କି ଅମଙ୍ଗଳ ସାଧନ କରୁଅଛନ୍ତି, ତାହା ବୁଝି ପାରୁ ନାହାନ୍ତି ।

 

କିନ୍ତୁ କେହି ଯେପରି ନ ଭାବନ୍ତି ଯେ, ଏ ଦେଶରେ ସତ୍ୟ ପ୍ରତି ଆଦୌ ଅନୁରାଗ ନାହିଁ ବା ଏ ଦେଶରେ ଲୋକେ ବିଚାରଶକ୍ତିର ପ୍ରୟୋଗ କରନ୍ତି ନାହିଁ । ପ୍ରାଚୀନ ଭାରତରେ ଲୋକସମାଜରେ ସତ୍ୟ ପ୍ରତି ଗଭୀର ଅନୁରାଗ ଥିଲା । ସେହି ଅନୁରାଗ ଫଳରେ ଭାରତୀୟ ଚିତ୍ତରୁ ଜଗତର ଶ୍ରେଷ୍ଠ ଦର୍ଶନ ଜାତ ହୋଇଅଛି, ସେହି ଅନୁରାଗରୁ ଗୌତମବୁଦ୍ଧ ରାଜପ୍ରାସାଦ ଛାଡ଼ି ବନବନାନ୍ତରରେ କଠୋର ସାଧନା କରି ଜଗତକୁ ଏକ ମହାଧର୍ମ ଦେଇ ଯାଇଅଛନ୍ତି । ଆମ୍ଭମାନଙ୍କର ଏହି ଉତ୍କଳଭୂମିରେ ଏକ ଅନ୍ଧକାରାଚ୍ଛନ୍ନ ଗଡ଼ଜାତରେ ସାମନ୍ତ ଚନ୍ଦ୍ରଶେଖରଙ୍କର ସତ୍ୟ ସାଧନା ଓଡ଼ିଆ ଜାତିକୁ ଗୌରବ ଦେଇଯାଇଛି ।

 

ଜିଜ୍ଞାସା, ସତ୍ୟସନ୍ଧାନ ଓ ବିଚାରବୁଦ୍ଧିର ପ୍ରୟୋଗ, ଜୀବନର ଲକ୍ଷଣ । ନିଜର ସ୍ୱତନ୍ତ୍ର ବିଚାର ପ୍ରୟୋଗ ନ କରି କୌଣସି ମତ ଗ୍ରହଣ କରିବା ଜଡ଼ତାର ପରିଚୟ ଦିଏ । ଆମ୍ଭମାନଙ୍କର ଚାରି ପାଖରେ ଯେତେ ଘଟଣା ଘଟୁଛି, ତାହାର ପ୍ରତ୍ୟେକଟିର କାରଣ ଅଛି । ଅନୁସନ୍ଧାନ କଲେ ଆମ୍ଭେମାନେ ସତ୍ୟଲାଭ କରି ପାରିବା । ଆମ୍ଭମାନଙ୍କର ଦୈନନ୍ଦିନ ଜୀବନରେ ଏହି ସତ୍ୟାନ୍ୱେଷଣ ଅଭ୍ୟାସ କରିବା ଉଚିତ । ଯେ କୌଣସି ନୂତନ ଘଟଣା ପ୍ରତ୍ୟକ୍ଷ କଲେ, ନୂତନ ଜ୍ଞାନଲାଭ କଲାବେଳେ, ଆମ୍ଭମାନଙ୍କର “କ’ଣ ? କାହିଁକି ? ଓ କିପରି ?” ଏହି ପ୍ରଶ୍ନଗୁଡ଼ିକ ପଚାରିବା ଉଚିତ-। ତାହା ହେଲେ ଆମ୍ଭେମାନେ କେବଳ ଯେ ସତ୍ୟ ଲାଭ କରିବା ତାହା ନୁହେ, ସୁଖ ଓ ଶାନ୍ତି ମଧ୍ୟ ଲାଭ କରିବା ।

Image

 

ଦେବ-ପୂଜା

 

ପୁରୋହିତ ଶୁଦ୍ଧପୂତ ହୋଇ ଦେଉଳରେ କା’ପୂଜା କର ହେ ?

ସୃଷ୍ଟି ଯାର ଉଦାର ଆଲୋକ, ସେ ଦିଅଁ କି ଅନ୍ଧକାରେ ରହେ ?

ଅନ୍ଧକାରେ ଆଖି ବୁଜି ତାକୁ, ଦେଖିବାରେ କିପାଁ ଏ ପ୍ରୟାସ

ଆଖି ମେଲି ଦେଖ ନା ଆଲୋକେ, କି ସୁନ୍ଦର ତାହାର ପ୍ରକାଶ !

ଅନ୍ତରରୁ ଅନ୍ତରୀକ୍ଷେ ବ୍ୟାପି ବିରାଜିତ ଯେ ଭୁବନେଶ୍ୱର

କ୍ଷୁଦ୍ର, ରୁଗ୍ଣ, ଅନ୍ଧକାର ଗୃହେ, ତା’ର କିପାଁ ଆରାଧନା କର ?

ଦେଖ ଦେଖ ଆଗେ ପଛେ ତବ ଶତ ଶତ ନରନାରାୟଣ

ୟାଙ୍କୁ ତୁମେ ପଛେ ଦେଇ ପେଳି, ଦେବତାରେ ଲଭିବ ବ୍ରାହ୍ମଣ ?

ଦେବତାକୁ ବାହାରେ ରଖିଲ, ଛୁଇଁବାକୁ ଡରିଲ ତାହାରେ

କା’ରେ ତୁମେ ଗଲ ପୂଜିବାକୁ ଦେଉଳର କ୍ଷୁଦ୍ର ଅନ୍ଧକାରେ ?

ପାପ ଏ ଯେ, ପୁଣ୍ୟ କେ କହିଲା, ସେ ପାପରୁ ମୂକ ସେ ଦେବତା

ଯେତେ ଦିଅ ପୂଜା ବା ଆରତି, ତେଣୁ ସେ ଯେ ନ କହୁଛି କଥା

ଏଇ ପାପେ ଜାଣ ହେ ଋତ୍ୱିକ, ଦେଶୁ କଲେ ଦେବତା ପ୍ରୟାଣ

ଆଜି ଖାଲି ଦେଉଳେ ଦେଉଳେ ବିରାଜିତ ଏ କାଷ୍ଠ ପାଷାଣ ।

ଏବେ କାଠ ପଥର ନ ପୂଜି ଆସ ପୂଜ ଜୀବନ୍ତ ଦେବତା

ଯା ଆଖିରୁ ଲୁହ ଯିବ ବହି, କହିଦେଲେ ପଦେ ମଧୁ କଥା !

ବନ୍ଦ କର ମନ୍ତ୍ରପାଠ ତବ, ବନ୍ଦ କର କର୍ପୂର ଆରତି

ଦେଉଳର ବାହାରେ ଦେବତା ହାତ ପାତି ଉଭା ରହିଛନ୍ତି ।

ଦେବଭୋଗ ନିରନ୍ନରେ ଦିଅ, ଦେବସେବା ହେଉ ମାନବରେ

ଦେବତାର ଦରଶନ ଲଭ, ମାନବର ପ୍ରତି ଘରେ ଘରେ ।

ସେ ପୂଜାରେ ମୂକ ଭଗବାନ, ବାକ୍‍ମୟ ତୁରିତେ ହୋଇବେ,

ଦିଅଁ ହୋଇ ପ୍ରତି ପ୍ରତିବେଶୀ ନାରାୟଣୀ ବାଣୀ ଶୁଣାଇବେ ।

ଆସ ଭକ୍ତ, ଆସ ପୁରୋହିତ, ନ ପଶ ହେ ଆଉ ଅନ୍ଧକାରେ

ବିଧାତାର ବିମଳ ଆଲୋକେ, ଖୋଜ ଆସି ମୂର୍ତ୍ତି ବିଧାତାରେ ।

Image

 

ଟଲ୍‍ଷ୍ଟୟ

 

ଖ୍ରୀଷ୍ଟୀୟ ୧୮୫୬ ଅବ୍ଦରେ ରୁଷିୟାର କ୍ରିମିୟା ଉପଦ୍ୱୀପରେ ଏକ ଭୟାବହ ଯୁଦ୍ଧ ସଂଘଟିତ ହୋଇଥିଲା । ଏହି ଯୁଦ୍ଧରେ ଏକ ପକ୍ଷରେ ରୁଷିୟା ଓ ଅନ୍ୟ ପକ୍ଷରେ ତୁର୍କୀ, ଇଂରେଜ ଓ ଫ୍ରାନ୍‍ସ, ସମ୍ମିଳିତ ବାହିନୀ ଘେନି ସମରପ୍ରାଙ୍ଗଣରେ ଅବତୀର୍ଣ୍ଣ ହୋଇଥିଲେ । ହତ ଓ ଆହତମାନଙ୍କରେ ସଂଖ୍ୟା ଏତେ ଅଧିକ ଏବଂ ସେନାନିବାସ ଓ ଶୁଶ୍ରୂଷାଗୃହମାନଙ୍କର ଅବସ୍ଥା ଏପରି ହୃଦୟବିଦାରକ ଓ କରୁଣ ହୋଇଥିଲା ଯେ, ଏହି ସ୍ଥାନରେହିଁ କୁମାରୀ ଫ୍ଳରେନ୍‍ସ ନାଇଟିଙ୍ଗେଲ୍‍ଙ୍କର କରୁଣାମୟ ନାରୀପ୍ରାଣ ସେବାଧାରାରେ ପ୍ରଥମେ ନିଃସ୍ୟନ୍ଦିତ ହୋଇ ପରେ ସମସ୍ତ ମାନବଜାତିର ପ୍ରାଣରେ ଆଶାର ସଞ୍ଚାର କରି ଆସିଅଛି । ଏହି ସ୍ଥାନରେ ମଧ୍ୟ ରୁଷିୟ ବାହିନୀରେ ଆଉ ଏକ ତରୁଣ ପ୍ରତିଭା ସହସା ଲୋକଲୋଚନର ଗୋଚରୀଭୂତ ହେଲା, ଯାହା ମଧ୍ୟ ବିରାଟ ମାନବିକତା ଓ ଧର୍ମପ୍ରାଣତା ଯୋଗୁଁ , ଅସଂଖ୍ୟ ମାନବ ପ୍ରାଣରେ ଶାନ୍ତି ଓ ଅସଂଖ୍ୟ ମାନବାତ୍ମାକୁ ସନ୍ମାର୍ଗକୁ ଆନୟନ କରିଅଛି । ସେହି ପ୍ରତିଭାର ନାମ ଲିଓ ଟଲ୍‍ଷ୍ଟୟ୍ ।

 

ଲିଓ ଟଲ୍‍ଷ୍ଟୟ ରୁଷିୟା ଦେଶରେ ଏକ ସମ୍ଭ୍ରାନ୍ତ ସାମନ୍ତ ପରିବାରରେ ଜନ୍ମପରିଗ୍ରହ କରିଥିଲେ । ତାଙ୍କ ପିତାଙ୍କର ପ୍ରଭୂତ ସମ୍ପତ୍ତି ଥିଲା ଏବଂ ତାଙ୍କର ବାଲ୍ୟ ଓ ତରୁଣ ଜୀବନ ତାଙ୍କର ସମସାମୟିକ ଧନାଢ଼୍ୟ ରୁଷୀୟ ଯୁବକମାନଙ୍କ ପରି ବିଳାସ ଓ ବ୍ୟସନରେହିଁ ଅତିବାହିତ ହୋଇଥିଲା । ସେକାଳରେ ସମ୍ଭ୍ରାନ୍ତ ରୁଷୀୟ ଯୁବକମାନଙ୍କର ସୈନ୍ୟ ବିଭାଗରେ ପ୍ରବେଶ ଲାଭ କରି ଧନ, ପଦ ଓ ସମ୍ମାନ ଲାଭ କରିବାର ଅତ୍ୟନ୍ତ ତୀବ୍ର ଅଭିଳାଷ ଥିଲା । ଟଲ୍‍ଷ୍ଟୟ ମଧ୍ୟ ଏହି ଅଭିଳାଷର ବଶବର୍ତ୍ତୀ ହୋଇ ବିଶ୍ୱବିଦ୍ୟାଳୟର ସୁକୁମାର ଜୀବନ ପରିତ୍ୟାଗ କରି କ୍ରିମିୟା ସମରରେ ସୈନିକଯଶ ଲାଭ କରିବାପାଇଁ ସେଥିରେ ଯୋଗ ଦେଇଥିଲେ । ଏହି ସ୍ଥାନରେ ଶିବାଷ୍ଟୋପଲ ଦୁର୍ଗର ସୁପ୍ରସିଦ୍ଧ ଅବରୋଧ ଦ୍ୱନ୍ଦ୍ୱରେ ଟଲ୍‍ଷ୍ଟୟ ଯୋଗ ଦେଇଥିଲେ । ଯୁଦ୍ଧଭୂମିରୁ ଅବସର ପାଇଲା ପରେ ସେ ସୈନିକ, ହତାହତ ଓ ରଣଭୂମିର ପ୍ରାଣସ୍ପର୍ଶୀ ବର୍ଣ୍ଣନା ଭିନ୍ନ ଭିନ୍ନ ପତ୍ର ପତ୍ରିକାମାନଙ୍କୁ ପଠାଉଥିଲେ । ରୁଷୀୟ ସାହିତ୍ୟରେ ଏପ୍ରକାର ଉତ୍କୃଷ୍ଟ ସାମରିକ ରଚନା ଆଉ ନ ଥିଲା । ତେଣୁ ଯୁଦ୍ଧାବସାନରେ ତାଙ୍କର କୌଣସି ପଦୋନ୍ନତି ହେବାର ଦେଖା ନ ଗଲେ ମଧ୍ୟ ସେ ଜଣେ ଉଚ୍ଚଧରଣର ଲେଖକ ବୋଲି ରୁଷିଆର ଚାରିଆଡ଼େ ପରିଚିତ ହୋଇ ପଡ଼ିଲେ । ଯୁଦ୍ଧରୁ ସେହି ଟଲ୍‍ଷ୍ଟୟ, ଯେତେବେଳେ ମସ୍କାଉ ବା ପିଟର୍‍ସବର୍ଗକୁ ଯାନ୍ତି, ସେତେବେଳେ ରୁଷିୟାର ପ୍ରବୀଣ ଓ ଶ୍ରେଷ୍ଠ ଲେଖକଗଣ ଏହି ତରୁଣ ସୈନିକଙ୍କୁ ସେମାନଙ୍କର ତୁଲ୍ୟ ବୋଲି ଅଭିବାଦନ କଲେ । ଟଲଷ୍ଟୟ ଏଥିରେ ନିରତିଶୟ ପ୍ରୀତ ହୋଇ ତାଙ୍କର ଭବିଷ୍ୟତକୁ ସାମରିକ କର୍ମରେ ବ୍ୟୟ ନ କରି ସାରସ୍ୱତ ସେବାରେ ନିୟୋଜିତ କରିବାଲାଗି ସଂକଳ୍ପ କଲେ ।

 

କ୍ରିମିୟାର ରଣଭୂମିରେ ଟଲ୍‍ଷ୍ଟୟଙ୍କ ଜୀବନର ଆଉ ଏକ ବିଶିଷ୍ଟ ଅନୁଭବ ମଧ୍ୟ ପ୍ରଥମେ ଦେଖା ଦେଇଥିଲା । ସାମନ୍ତ ଓ ଧନିକ ପରିବାରରେ ଜନ୍ମଗ୍ରହଣ କରି ଓ ତରୁଣଜୀବନ ନିଜ ଶ୍ରେଣୀର ଲୋକମାନଙ୍କ ସହ ବିଳାସ-ବ୍ୟସନରେ କଟାଇ, ସେ ତଦବଧି ଦୀନଦରିଦ୍ର ଜନସାଧାରଣଙ୍କଠାରୁ ଦୂରରେ ରହିଥିଲେ । ରୁଷିୟାରେ ସେକାଳରେ ଜନସାଧାରଣ, କ୍ରୀତଦାସଠାରୁ ମଧ୍ୟ ଦୀନତର ଭାବରେ କାଳ କାଟୁଥିଲେ । ସେମାନେ ସମସ୍ତେ ଦରିଦ୍ର କୃଷକ, କିନ୍ତୁ ଭୂମି ଉପରେ ସେମାନଙ୍କର କୌଣସି ଅଧିକାର ନ ଥିଲା । ସେମାନେ ବିଳାସୀ ଓ ଅତ୍ୟାଚାରୀ ଭୂସ୍ୱାମୀମାନଙ୍କର ଭୃତ୍ୟରୂପେ କୃଷିକର୍ମ କରି ଜୀବିକା ଅର୍ଜନ କରୁଥିଲେ ମାତ୍ର, ଏବଂ ସେମାନଙ୍କର ସୁଖ ଦୁଃଖ ଭୂସ୍ୱାମୀର ଦୟା ଉପରେହିଁ ବିଶେଷ ଭାବରେ ନିର୍ଭର କରୁଥିଲା । ସମଗ୍ର ରୁଷିୟା-ସାମ୍ରାଜ୍ୟର ବିରାଟ ବିଭବ ଏହି ଦରିଦ୍ରମାନଙ୍କର ସ୍ୱେଦାର୍ଦ୍ରଶ୍ରମ ଉପରେ ପ୍ରତିଷ୍ଠିତ ହୋଇଥିଲେହେଁ ସେମାନେ ଲାଞ୍ଛିତ, ପଦଦଳିତ ଓ ଅବହେଳିତ ଥିଲେ । ରାଜ୍ୟ ଶାସନରେ ସେମାନଙ୍କର ହାତ ଥିବା ତ ଦୂରର କଥା; ସେମାନଙ୍କର ନିଜ ନିଜ ଭୂଖଣ୍ତ ଉପରେ ମଧ୍ୟ ସେମାନଙ୍କର ଅଧିକାର ନ ଥିଲା ଏବଂ ଯେଉଁ ସାମନ୍ତମାନେ ସେମାନଙ୍କ ପରିଶ୍ରମଲବ୍‍ଧ ସଂପଦରେ ବିଳାସ- ଜୀବନ କାଟୁଥିଲେ ସେମାନେହିଁ ସେହି ଦୀନଦରିଦ୍ର ଜନତା ପ୍ରତି ଅତ୍ୟନ୍ତ ଘୃଣାସହକାରେ ବ୍ୟବହାର କରୁଥିଲେ । ଟଲ୍‍ଷ୍ଟୟଙ୍କ ପିତୃଭୂମିରେ ଯେଉଁ ଦରିଦ୍ର କୃଷକସବୁ ଭୃତ୍ୟସ୍ୱରୂପ କାର୍ଯ୍ୟ କରୁଥିଲେ, ବାଲ୍ୟ ଓ ତରୁଣ ବୟସରେ ସେ ସେମାନଙ୍କୁ ସେହି ଭୃତ୍ୟ ରୂପରେହିଁ ଦେଖିଥିଲେ । ତାଂକର ନିଜ ଶ୍ରେଣୀର ଲୋକେ କୃଷକମାନଙ୍କ ପ୍ରତି ଯେପରି ଘୃଣା ଦେଖାଇ ସେମାନଙ୍କୁ ଦୂରରେ ରଖିଥାନ୍ତି ଟଲ୍‍ଷ୍ଟୟ ମଧ୍ୟ ସେହିପରି କରିଥିଲେ । କିନ୍ତୁ କ୍ରିମିୟାଯୁଦ୍ଧରେ ତାହାଙ୍କର ଭାବାନ୍ତର ଆସିଲା । ସେ ଦେଖିଲେ ଯେ, ଏହି କୃଷକଶ୍ରେଣୀରୁ ସଂଗୃହୀତ ସାଧାରଣ ସୈନିକଗଣ ଯେପରି ନିସ୍ୱାର୍ଥପର ଭାବରେ, ପୁରସ୍କାର ପ୍ରତି ଆକାଙ୍କ୍ଷା ନ ରଖି ଓ ନିଜ ସାମ୍ରାଜ୍ୟ ଓ ସମ୍ରାଟଙ୍କପାଇଁ ପ୍ରାଣ ଉତ୍ସର୍ଗ କରି, ଯୁଦ୍ଧରେ ପ୍ରାଣପାତ କରୁଛନ୍ତି, ଉଚ୍ଚ ଶ୍ରେଣୀର ବିଳାସୀ ସାମନ୍ତ ମାନଙ୍କଠାରେ ତାହା ଦେଖାଯାଉ ନାହିଁ । ଦିନେ ଦିନେ ସମରଭୂମିରେ ଦରିଦ୍ର, ସାଧାରଣସୈନିକର ଏହି ଚରିତ୍ରବତ୍ତା ଦେଖି ସେ ମୁଗ୍‍ଧ ହୋଇ ଉଠିଲେ ଏବଂ ସେମାନଙ୍କ ଜୀବନରେ ଯେ ମହତ୍ତ୍ୱ ଓ ଗୁରୁତ୍ୱ ଅଛି ତାହା ଉପଲବ୍‍ଧି କରି କ୍ରମେ ସେମାନଙ୍କ ସଙ୍ଗେ ମିଶିବାକୁ ଲାଗିଲେ । ଏହି କାଳରୁ ଟଲ୍‍ଷ୍ଟୟଙ୍କ ଜୀବନରେ ଜନସାଧାରଣ ପ୍ରତି ଯେଉଁ ମମତା ବିକଶିତ ହୋଇ ଉଠିଥିଲା, ତାହା ତାଙ୍କ ସମଗ୍ର ଜୀବନକୁ ଓ ସମସ୍ତ ରଚନାକୁ ପ୍ରଭାବିତ କରିଥିଲା ।

 

କ୍ରିମିୟାରୁ ଫେରି ଟଲ୍‍ଷ୍ଟୟ ଦେଶାଟନରେ ବାହାରି ପଡ଼ିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ଯେ, ଭିନ୍ନ ଭିନ୍ନ ଦେଶମାନଙ୍କରେ ଜନସାଧାରଣଙ୍କର ଅବସ୍ଥା ସ୍ୱଚକ୍ଷୁରେ ଦେଖି ରୁଷିୟାର ଦରିଦ୍ର କୃଷକମାନଙ୍କ ଲାଗି ଯଦି କିଛି କରିପାରନ୍ତି । ଇତିମଧ୍ୟରେ ସେ ଜର୍ମାନ୍ ଲେଖକମାନଙ୍କ ଅନୁକରଣରେ ‘ପଲି କୌଷ୍ଟା’ ନାମକ ଗୋଟିଏ ପୁସ୍ତକରେ ଦରିଦ୍ର କୃଷକର ବର୍ଣ୍ଣନା ଦେଇ ରୁଷିୟାରେ ଆହୁରି ପରିଚିତ ହୋଇ ପଡ଼ିଥାନ୍ତି । ବାହାରେ ସ୍ୱୀୟ ଶ୍ରେଣୀର ବିଳାସ ବ୍ୟସନ ମଧ୍ୟରେ ଜୀବନ କଟାଉଥିଲେ ମଧ୍ୟ ତାଙ୍କର ପ୍ରାଣରେ କିଛି ବିଶିଷ୍ଟ କର୍ମ କରି ଯିବାର ଅଦମ୍ୟ ଇଚ୍ଛା ଜାଗ୍ରତ ଥାଏ ।

 

ଭ୍ରମଣ ମଧ୍ୟରେ ଥରେ ସେ ଲୁସର୍ଣ୍ଣ ସହରରେ ଗୋଟିଏ ହୋଟେଲ୍‍ରେ ଅବସ୍ଥାନ କରୁଥିଲା ସମୟରେ ଦେଖିଲେ ଯେ, ହୋଟେଲ୍‍ର ଧନିକ ବିଳାସୀ ଭ୍ରମଣକାରୀମାନେ ଗୋଟିଏ ଦରିଦ୍ର ଭ୍ରାମ୍ୟମାଣ ଗାୟକକୁ ସେହି ହୋଟେଲରେ ଆଶ୍ରୟ ଦେବାକୁ ଏକାନ୍ତ ଅନିଚ୍ଛୁକ । ଟଲ୍‍ଷ୍ଟୟଙ୍କ ଅନ୍ତର ଏଥିରେ ବିବ୍ରତ ହୋଇ ଉଠିଲା ଏବଂ ସେ ସେହି ଦରିଦ୍ର ଗାୟକକୁ ନେଇ ନିଜର ଟେବୁଲ ନିକଟରେ ଉପବେଶନ କରାଇ, ଉପଯୁକ୍ତ ଆତିଥ୍ୟ ପ୍ରଦାନ କଲେ । ପ୍ରତିବେଶୀ ଧନିକ ସହଯାତ୍ରୀମାନେ ଏଥିରେ ବିରକ୍ତ ହୁଅନ୍ତେ ସେ ଦରିଦ୍ର ପ୍ରତିବେଶୀ ପ୍ରତି ଧନିକମାନଙ୍କର ନିର୍ଦ୍ଦୟ ହୃଦୟହୀନତା ସମ୍ୱନ୍ଧରେ ତୀବ୍ରଭାବରେ ପ୍ରତିବାଦ କରିବାକୁ ଲାଗିଲେ ।

 

୧୮୬୧ ଖ୍ରୀଷ୍ଟାବ୍ଦରେ ରୁଷିୟାର ନୂତନ ସମ୍ରାଟ ଦ୍ୱିତୀୟ ଆଲକ୍‍ଜାଣ୍ତର ଘୋଷଣାଦ୍ୱାରା ରୁଷିୟାର ଦରିଦ୍ର କୃଷକମାନଙ୍କୁ ଭୂସ୍ୱାମୀମାନଙ୍କ ଦାସତ୍ୱରୁ ମୁକ୍ତ କରିଦେଲେ । ଏହା ରୁଷିୟାରେ ଏକ ନବଯୁଗର ସୂତ୍ରପାତ କଲା । ଏହାର ମୂଳରେ ଯେ ଟଲ୍‍ଷ୍ଟୟାଦି ପ୍ରତିଭାଶାଳୀ ଲେଖକମାନଙ୍କର ଆନ୍ଦୋଳନହିଁ ବିଦ୍ୟମାନ ଥିଲା, ଏହା ବୁଝାଯାଏ । ଫଳରେ ଭୂସ୍ୱାମୀ ଓ କୃଷକମାନଙ୍କ ମଧ୍ୟରେ ଭୂମ୍ୟାଦି ବଣ୍ଟନ ନିଷ୍ପତ୍ତି କରିବା ଲାଗି ଯେଉଁ ବିଚାରମଣ୍ତଳୀ ଗଠିତ ହୋଇଥିଲା, ସେଥିରେ ସମ୍ରାଟ ଟଲ୍‍ଷ୍ଟୟଙ୍କୁ ରଖିଥିଲେ

 

ଭୂମ୍ୟଧିକାରୀମାନଙ୍କର ବିରକ୍ତି ସତ୍ତ୍ୱେ, ଟଲ୍‍ଷ୍ଟୟ ସ୍ୱାଧୀନତାପ୍ରାପ୍ତ କୃଷକମାନଙ୍କର ପକ୍ଷ ବରାବର ସମର୍ଥନ କରୁଥିଲେ । ଇତିମଧ୍ୟରେ ନିଜ ଗ୍ରାମ ‘ୟାସ୍‍ନାୟା ପଲିୟାନା’ ଠାରେ ଦରିଦ୍ର କୃଷକମାନଙ୍କ ପାଇଁ ଗୋଟିଏ ବିଦ୍ୟାଳୟ ପ୍ରତିଷ୍ଠା କରି ମଧ୍ୟ ସେ କୃଷକମାନଙ୍କର ମନ ଆକର୍ଷଣ କରି ପାରିଥିଲେ । ଏହି ବିଦ୍ୟାଳୟ ପୁଣି ଏକ ନୂତନ ରୀତିରେ ପରିଚାଳିତ ହେଉଥିଲା । ଛାତ୍ରମାନେ ଯାହାର ଯେତେବେଳେ ସୁବିଧା ସେତେବେଳେ ଆସି ପାରୁଥିଲେ ଏବଂ ସେମାନଙ୍କୁ କୌଣସି ବେତନ ଦେବାକୁ ପଡ଼ୁ ନ ଥିଲା । ଟଲ୍‍ଷ୍ଟୟ ନିଜେ ଶିକ୍ଷାର ଭାର ନେଇଥିଲେ, ଏବଂ ଛାତ୍ରମାନେ ଯେପରି ଭାବରେ ଶିକ୍ଷିତ ହେବାକୁ ଇଚ୍ଛା କରୁଥିଲେ, ସେ ସେମାନଙ୍କୁ ସେହିପରି ଭାବରେ ଅଧ୍ୟାପନା କରୁଥିଲେ । ଅଧ୍ୟାପନାରେ ଯଦି କାହାର ଅନୁରାଗ ନ ଥାଏ ତେବେ ତାକୁ ଚାଲିଯିବାକୁ ଅନୁମତି ଦିଆ ଯାଉଥିଲା । ଏ ପ୍ରକାର ବିଦ୍ୟାଳୟ ପ୍ରତିଷ୍ଠାରେ ଟଲ୍‍ଷ୍ଟୟ ଏହି ନୀତିଗ୍ରହଣ କରିଥିଲେ ଯେ, ସକଳ ପ୍ରକାର ଶିକ୍ଷା ସ୍ୱାଭାବିକ ହେବା ଉଚିତ । ଶିକ୍ଷା ଯଦ୍ୟପି ଶିକ୍ଷାର୍ଥୀର ବିନା ଅନୁରାଗ ଓ ଆଗ୍ରହରେ ବାଧ୍ୟତା ସହକାରେ ତାହା ଉପରେ ଲଦି ଦିଆଯାଏ,ତେବେ ସେ ଶିକ୍ଷାକୁ ତା’ର ମନ ଓ ବୁଦ୍ଧି ସହଜରେ ଧାରଣ କରିବ ନାହିଁ ଓ ତାହା ତା’ର ଉପକାର ନ କରି ବରଂ ଅପକାର କରିବ ।

 

କିନ୍ତୁ ଏ ପ୍ରକାର ଅଶ୍ରୁତପୂର୍ବ ଅନୁଷ୍ଠାନଟିକୁ ସମ୍ରାଟଙ୍କ କର୍ମଚାରୀଗଣ ସନ୍ଦେହଚକ୍ଷୁରେ ଦେଖିବାକୁ ଲାଗିଲେ । ସେମାନେ ମନେ କଲେ ଯେ, ଟଲଷ୍ଟୟ ବୋଧହୁଏ କୃଷକ-ବାଳକମାନଙ୍କୁ ସରକାର ବିରୁଦ୍ଧରେ ବିଦ୍ରୋହ ଶିକ୍ଷା ଦେଉଛନ୍ତି । ଏହିପରି ବେଳରେ, ଟଲଷ୍ଟୟ ସ୍ୱାସ୍ଥ୍ୟ ପରିବର୍ତ୍ତନ ଲାଗି ଷ୍ଟେପିସ୍ ଅଞ୍ଚଳରେ ଥିଲାବେଳେ, ସମ୍ରାଟ୍‍ଙ୍କ ପୋଲିଶ୍ ବିଦ୍ୟାଳୟର ଶିକ୍ଷକମାନଙ୍କୁ କାରାରୁଦ୍ଧ ଓ ବିଦ୍ୟାଳୟ ଏବଂ ଟଲଷ୍ଟୟଙ୍କ ଘର ଖାନ୍‍ତଲାସ କରି, ବିଦ୍ରୋହଜନକ କୌଣସି ପ୍ରକାର ଲେଖା ବା ବସ୍ତୁ ନ ପାଇ ଫେରି ଯାଇଥିଲେ । ଏହି ସମ୍ୱାଦ ଟଲ୍‍ଷ୍ଟୟଙ୍କ କର୍ଣ୍ଣଗୋଚର ହୁଅନ୍ତେ ସେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ରୁଷିୟା ପରିତ୍ୟାଗ କରି ଅନ୍ୟ ଦେଶରେ ବସତି କରିବାର ସଂକଳ୍ପ କରିଥିଲେ-

 

୧୮୬୨ ଖ୍ରୀଷ୍ଟାବ୍ଦରେ ଟଲ୍‍ଷ୍ଟୟ ସୋଫିଆ ନାମ୍ନୀ ଏକ ତରୁଣୀଙ୍କର ପାଣିଗ୍ରହଣ କଲେ-। ଏହି ମହୀୟସୀ ନାରୀ ବିବାହକାଳରୁ ସ୍ୱାମୀଙ୍କ ମୃତ୍ୟୁଯାଏ କଠୋର ପାତିବ୍ରତ୍ୟ ଧର୍ମ ପାଳନ କରି ସ୍ୱାମୀଙ୍କର ନାନାଭାବରେ ସେବା କରି ପ୍ରକୃତ ସହଧର୍ମ୍ମିଣୀ ହୋଇଥିଲେ ଏବଂ ଟଲ୍‍ଷ୍ଟୟଙ୍କ ପ୍ରତିଭାର ବିକାଶରେ ଶ୍ରେଷ୍ଠ ସାହାଯ୍ୟ ଦେଇ ପାରିଥିଲେ ।

 

କ୍ରମେ ଟଲ୍‍ଷ୍ଟୟଙ୍କ ବାଣୀ- ପ୍ରତିଭା ବିକାଶିତ ହେବାକୁ ଲାଗିଲା । ପରେ ପରେ ସେ ‘ସମର ଓ ଶାନ୍ତି’ ‘ଆନାକାରେନିନା’ ଓ ‘କସାକ୍‍ସ’ ପ୍ରଭୃତି ବିଶ୍ୱବିଖ୍ୟାତ ଉପନ୍ୟାସମାନ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରନ୍ତେ ଚାରିଆଡ଼େ ଲୋକେ ଟଲଷ୍ଟୟଙ୍କ କଥା କହିବାକୁ ଲାଗିଲେ । ଟଲ୍‍ଷ୍ଟୟ ଯେ ଜଣେ ଅସାଧାରଣ ପ୍ରତିଭାଶାଳୀ ଔପନ୍ୟାସିକ ଏହା ଚାରିଆଡ଼େ ପ୍ରଚାରିତ ହେଲା । ପ୍ରତ୍ୟେକ ରଚନାରେ ଟଲ୍‍ଷ୍ଟୟ, ନାଗରିକ ଓ ଧନାଢ଼୍ୟ ଜୀବନର କୃତ୍ରିମତା ଓ ପଲ୍ଲୀ କୃଷକଜୀବନର ସରଳତା ଦେଖାଇବାକୁ ଚେଷ୍ଟା କରିଅଛନ୍ତି । ସେ କୃତ୍ରିମତାକୁ ଘୃଣା କରୁଥିଲେ । ଜୀବନରେ ପ୍ରତ୍ୟେକ କର୍ମରେ ସ୍ୱାଭାବିକ ଓ ପ୍ରକୃତ ଜୀବନସ୍ପର୍ଶ ସେ ଦେଖିବାକୁ ଇଚ୍ଛା କରୁଥିଲେ । ସେ ଥରେ ଶୁଣି ପାରିଲେ ଯେ ତାଙ୍କର ପରମବନ୍ଧୁ ଅନ୍ୟତମ ରୁଷିୟ ଔପନ୍ୟାସିକ ଟୁର୍ଗେନିଭ୍‍ଙ୍କର କନ୍ୟା ଦୁକୂଳପରିହିତା ହୋଇ ଦରିଦ୍ରମାନଙ୍କର ଚୀରସୀବନ କରି ସେମାନଙ୍କୁ ସାହାଯ୍ୟ କରୁଥିବାର ଛଳନା କରୁଛି । ପରମ ବନ୍ଧୁତା ସତ୍ତ୍ୱେ ଟଲ୍‍ଷ୍ଟୟ, ଏହି କୃତ୍ରିମ ଆଚରଣର ତୀବ୍ର ପ୍ରତିବାଦ କରିଥିଲେ ଏବଂ ସେହି ପ୍ରତିବାଦ ଫଳରେ ଦୁଇ ସାହିତ୍ୟିକଙ୍କ ମଧ୍ୟରେ ବାରମ୍ୱାର କଳହ ଲାଗିଥିଲା ।

 

ଗଭୀର ଦରିଦ୍ରପ୍ରୀତି ଟଲ୍‍ଷ୍ଟୟଙ୍କୁ ସମସ୍ତ ବିଳାସଦ୍ରବ୍ୟ ପରିତ୍ୟାଗ କରି ଦରିଦ୍ର ପରି ବଞ୍ଚିବାକୁ ଶିଖାଇ ଥିଲା । ଏତେବେଳକୁ ସେ ପ୍ରାୟ ଦରିଦ୍ର କୃଷକର ବସ୍ତ୍ର ପରିଧାନ ଓ ଦରିଦ୍ର କୃଷକର ଖାଦ୍ୟ ଗ୍ରହଣ କରୁଥିଲେ । ଏତେ ବଡ଼ ବିଶ୍ୱବିଖ୍ୟାତ ଔପନ୍ୟାସିକଙ୍କର ଏବଂବିଧ ଦରିଦ୍ରପ୍ରୀତି, ଟଲ୍‍ଷ୍ଟୟଙ୍କ ନାମକୁ ଜଗତର ସବୁ ଅଞ୍ଚଳରେ ପରିଚିତ କରାଇ ଦେଇଥିଲା ଏବଂ ଜଗତର ସବୁ ଅଞ୍ଚଳର ଲୋକେ ତାଙ୍କ ସଙ୍ଗେ ପତ୍ରର ଆଦାନପ୍ରଦାନ ବା ଦର୍ଶନ ଇଚ୍ଛା କରି ତାଙ୍କର ଜୀବନକୁ କ୍ରମେ ଜଞ୍ଜାଳମୟ କରି ପକାଇଥିଲେ ।

 

ପ୍ରକାଶ୍ୟ ଭାବରେ ଧର୍ମମଣ୍ତଳୀରୁ ବାହାରି ଯିବାର ପ୍ରଚାର କରାଯାଇଥିଲା । ଏଣେ ନିଜ ଗୃହରେ ଓ ବାହାରେ ତାଙ୍କ ମତର ଅନେକ ପ୍ରତିରୋଧୀ ବାହାରିବାରୁ ତାଙ୍କର ମାନସିକ ଶାନ୍ତି ଭଙ୍ଗହେଉଥିଲା । ସମସ୍ତ ଯୌବନ ବିଳାସରେ କଟାଇ ବୃଦ୍ଧ ବୟସରେ ଅନୁତପ୍ତ ଟଲ୍‍ଷ୍ଟୟ ଯେଉଁ ବୈରାଗ୍ୟ ପ୍ରଚାର କରୁଥିଲେ ତାହା ଅନେକେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ ।

 

ଶେଷରେ ଟଲ୍‍ଷ୍ଟୟ ଏ ସମସ୍ତ ଜଞ୍ଜାଳରୁ ପଳାୟନ କରି କୌଣସି ନିକାଞ୍ଚନ ସ୍ଥାନରେ ଧର୍ମ-ଜୀବନ ଯାପନ କରିବାର ମନସ୍ଥ କରି ଦିନେ ସମସ୍ତଙ୍କ ଅଜ୍ଞାତରେ ଘରୁ ନିଃଷ୍କ୍ରାନ୍ତ ହୋଇପଡ଼ିଲେ । ସେ କକେଶୀୟ ପର୍ବତମାଳାର କୌଣସି ନିର୍ଜନ ସ୍ଥାନରେ, ଆଦର୍ଶ ଓ ପବିତ୍ର ଜୀବନ କଟାଇବାକୁ ସଂକଳ୍ପ କରିଥିଲେ । ସେତେବେଳକୁ ସେ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଥିଲେ । ଶୀତକାଳ, ପାଗ ମଧ୍ୟ ଅତ୍ୟନ୍ତ ଖରାପ ଥିଲା । କିଛି ପଥ ଅତିକ୍ରମ କଲା ପରେ ବୃଦ୍ଧ ତପସ୍ୱୀଙ୍କର ଦେହ ଅବଶ ହୋଇପଡ଼ିଲା ଓ ସେ ଗୋଟିଏ ଅଜ୍ଞାତ ରେଳ ଷ୍ଟେସନରେ ଓହ୍ଲାଇ ସେଇଠାରେ ଆଶ୍ରୟ ନେଉ ନେଉ ପ୍ରାଣତ୍ୟାଗ କଲେ । ତାଙ୍କର ମୃତ୍ୟୁସମ୍ବାଦ ସମଗ୍ର ବିଶ୍ୱରେ ପ୍ରଚାରିତ ହୁଅନ୍ତେ, ସମଗ୍ର ମାନବ ଜାତି, ଏହି ପ୍ରତିଭାଶାଳୀ ସାହିତ୍ୟିକ, ଦରିଦ୍ର-ବନ୍ଧୁ, ଅହିଂସାର ଋଷି, ଶାନ୍ତିର ପୁରୋହିତ ଓ ବର୍ତ୍ତମାନ ଜଗତର ଶ୍ରେଷ୍ଠ ସଂସ୍କାରକଙ୍କ ଲାଗି ଗଭୀର ଦୁଃଖ ପ୍ରକାଶ କରିବାକୁ ଲାଗିଲା ।

Image

 

ଭାଟ

 

କହେ ତେବେ ଶୁଣ, ଗ୍ରୀଷମ ବିହାରେ

ଯାଇଥିଲି ଦୂର ସେ ଗଡ଼ଜାତେ,

ପ୍ରେତ-ଛାୟା ପରି ପୁରାଣ ଉତ୍କଳ

ଉଡ଼େ ଯହିଁ ଏବେ ବିପିନବାତେ;

ନିଷାଦି-ସ୍ମରଣେ ଚାଳି କରିବର

ଦିବସେ ସହିଲୁ ଆସାର ଚୟ,

ଶାଳ-ବନ ଭେଦି ଉପାନ୍ତ-ପ୍ରସାରେ

ପ୍ରଦୋଷେ ଭେଟିଲୁ ପାନ୍ଥନିଳୟ ।

ବସି ବିଶ୍ରମିଲୁ, ଆସେ ଧୀରପଦେ

ଅଦୂରେ ପୁରୁଷ ଭିକ୍ଷୁକ-ବେଶେ;

ଧରିଅଛି ହାତେ ପୁରାଣ ବିପଞ୍ଚୀ

ଜୀର୍ଣ ପରିଚ୍ଛଦ ମଳିନ ଦିଶେ ।

ବସିଲା ଆସି ସେ ଛାୟାପରି ପାଖେ,

ଭ୍ରମଣ ସୋହାଗେ ହେଲା ପରତେ,

ବିପିନବିହାରୀ ପୁରାଣ କୀରତି

ଆସି ମିଳିଲା କି ଆପେ ପୁରତେ !

ଭରସି ଅଳପେ ମଉନ ଠାଣିରେ

ମାଗିବାକୁ ମନ ବଳାଏ କେତେ;

ସଙ୍କୋଚ-ସରମେ କହି ନ ପାରଇ

ଜାଣି ପୁଛିଲଇଁ ଦରହସିତେ ।

“କି ବେଉସା ତବ ଏ ଜଙ୍ଗଲ-ଦେଶେ ?

ବିପଞ୍ଚୀରେ କିବା କର ହେ ଏଥି ?

ସଙ୍ଗୀତ-ରଭସେ ହେବାକୁ ସୋହାଗୀ

ସଙ୍ଗରେ ତ ଆଉ କାହାନ୍ତି ସାଥି ?”

ପୀନ ନେତ୍ର ତା’ର ଦିଶିଲା ଉଜ୍ଜ୍ୱଳ

କହିଲା ସରସେ ଫିଟାଇ ଭାଷା,

“ବାୟା ହେଲ ବାବୁ, ସଙ୍ଗୀ କି କରିବେ ?

ସଙ୍ଗୀତ ତ ଆମ କୁଳ-ବେଉସା ।

ଭାଟ ବୋଲି ଏବେ ବୋଲନ୍ତି ଆମ୍ଭଙ୍କୁ,

ଅଛି ନାମ, ନାହିଁ କୀରତି-କଳା,

ସ୍ୱାଧୀନ-ସାମନ୍ତ ରାଜନ ନାହାନ୍ତି

କର ବସି ଏବେ ଜାଗିରି ଗଲା ।

ସଇନିର ସାଜେ ଚାଲୁଥିଲୁ ଆମ୍ଭେ

ଅଗ୍ର-ବନ୍ଦନାରେ ବଳି ସୋହାଗେ,

ବୀର ଗଜପତି ଆସି ଗଡ଼ଜାତେ;

ବନ୍ଦିଗୀତ ଡାକି ଶୁଣନ୍ତି ଆଗେ ।

ବିବାହେ ଆମ୍ଭର ଟେକା ହୁଏ ଛତି,

ରାଜ-ଗହଣରୁ ମିଳଇ ହାତୀ,

ଡାକିଲେ ଫିଟଇ ରାଜପୁର ଦ୍ୱାର

ବିଚାର ନ ଥାଏ ରାତି ପାହାନ୍ତି ।

ରାଣୀ ରାଜଜେମା ଡାକନ୍ତି ଭିତରେ,

ଶୁଣନ୍ତି ଏ ଭଙ୍ଗା ବୀଣାର ବାଣୀ;

ପାଟ ପତନୀରେ ଶୋହୁଥିଲା ଶିର,

ଗାଉଥିଲୁ ସୁଖେ କୀର୍ତ୍ତି-କାହାଣୀ ।

ବାପେ ବଡ଼ବାପେ ପାଇଥିଲେ ମୋର

ରାଜଘରୁ କେତେ ପଦକ ହାର;

ବନ୍ଧାଇଲେ ଶାଢ଼ୀ ପାଇଲେ ପଦବୀ,

କିଏ ଜାଣିଥିଲା ଏ ନାରଖାର ?

ଭିଖ ମାଗି ଏବେ ବୁଲେ ଦ୍ୱାରେ ଦ୍ୱାରେ

ଆନ ବେଉସାରେ ନ ବଳେ ମନ,

ଦଶହରା ଦିନ ବୀଣାପୂଜା ସାରି

ରାଜ-ପୁରେ ଦେଖିଆସେ ରାଜନ ।”

“ଗାଅ ତେବେ ଭାଇ ଗୀତଟିଏ ଆଜି,

ସୁମରି ଉତ୍କଳ–ସେକାଳ କଥା,

ଗ୍ରୀଷମ-ବିହାରେ ଆସି ଗଡ଼ଜାତେ,

ଭୁଲିବୁ ବିଳାସେ ଆସାର ବ୍ୟଥା ।”

“କି ଗାଇବି ବାବୁ, ଛାଡ଼ିଛି ବେଉସା

ଶୁଣିବାକୁ କେହି ନାହାନ୍ତି ଭବେ,

ବାପେ ବଡ଼ବାପେ କହୁଥିଲେ କଥା

ଅଳପେ ସ୍ମରଣେ ଆସଇ ଏବେ ।”

“ତାମସ ସ୍ମରଣୁ ଖସି ଆସୁ ତବ

ରଜତର ଧାରା ସଙ୍ଗୀତ-କଳା,

ଶଙ୍କାର ବିକଟ ଗିରି-ଦରୀ ଛାଡ଼ି

ଖେଳିଯାଉ ଏଥି କାକଳୀ-ଲୀଳା ।

ବିକାଶେ ନଭସେ ଗୋଟି ଗୋଟି ତାରା

ଚଞ୍ଚଳ ଚଳନେ ଚଳ-ବଉଦେ,

ଚଳ-ସ୍ମୃତି-ନଭେ କୀରତି-ତାରକା

ଫୁଟିଉଠୁ ଲୋଳ ପରାଣ ମୁଦେ ।

ପଲ୍ଲୀ ବନ ଭେଦି ଉଠେ ଧୂମଲେଖା,

ମିଶିଯାଏ ଘନ ନୀଳିମ-ଭାସେ;

କ୍ଷୀଣ ସ୍ମୃତି ତବ କବିତ୍ୱ-ବିଳାସେ

ମିଶିଯାଉ ପ୍ରାଣ-ତରଙ୍ଗ-ରସେ ।”

ଜୀବନ୍ତ ଦିଶିଲା ମଳିନ ବିଗ୍ରହ,

ଉତ୍ସାହ ନୟନେ ଦିଶିଲା ଫୁଟି;

ତନ୍ତ୍ରୀ ଟାଣି କରେ, ସଜାଡ଼ି ବିପଞ୍ଚୀ,

ଛୁଇଁଗଲା ତା’ର ଗୋଟିକି ଗୋଟି ।

ଅଙ୍ଗୁଳି ପରଶି କୋମଳ ବେଭାରେ,

ମୁଖଭଙ୍ଗୀ କରି ହଲାଏ ମଥା,

ଥରେ ଥରେ ଚାହେଁ ମୁଣ୍ଡ ଦୋହଲାଏ

ନ ପାଇଲା ସ୍ୱର ନ କହେ କଥା ।

ବହୁକ୍ଷଣ ପରେ ନେତ୍ର ବିସ୍ଫାରଣେ

ସୁଖହାସେ ହସି ଚାହିଁଲା ମୁଖେ,

ଲହରେ ଲହରେ ଫିଟିଲା କବିତା,

ବାଜିଲା ବିପଞ୍ଚୀ ତରଳ ସୁଖେ ।

ଶ୍ରୀ ନୀଳକଣ୍ଠ ଦାଶ

Image

 

ଖଣ୍ଡାୟତ ପଲ୍ଲୀରେ ଦଶହରା

 

ଦଶହରା ଦିନ ଖଣ୍ଡାୟତପଲ୍ଲୀର ନିରୁତ୍ସବ ଜୀବନରେ ଉତ୍ସବ ହୁଏ ଓ ଦୀନହୀନ ଖଣ୍ଡାୟତର କୁଟୀରରେ ସେଦିନ ଟିକିଏ ଆନନ୍ଦ ଆସେ । ଶାସ୍ତ୍ରବିଧାନ ଅନୁସାରେ ସେଦିନ କୃଷ୍ୟାଦି କର୍ମ ନିଷିଦ୍ଧ । ତେଣୁ ଗ୍ରାମର ପୁରୁଷମାନେ ଅଳସରେ ଗ୍ରାମର ଏଣେ ତେଣେ ବୁଲି ଗଳ୍ପ କରନ୍ତି, କେହି ବା ଗୃହିଣୀର ତାଡ଼ନାରୁ ରକ୍ଷା ପାଇବା ଲାଗି, ଉତ୍ସବର ଆୟୋଜନ ପାଇଁ ଦୂର ବା ନିକଟ ଗ୍ରାମକୁ ଯାଆନ୍ତି । ବେଳା ପ୍ରହରକ ସମୟକୁ ପ୍ରତ୍ୟେକ ଘରେ ପ୍ରାଚୀନ ଅସ୍ତ୍ରଶସ୍ତ୍ର ସବୁ, ବର୍ଷକ ଲାଗି ରସାଣିତ ହେବା ଉଦ୍ଦେଶ୍ୟରେ ବାହାର ହୁଏ । ଅନ୍ଧକାରମୟ କୁଟୀରର ଅନ୍ଧକାରତମ କୋଣରେ ଧୂଳିଧୂସର ଓ କୀଟପତଙ୍ଗର ବାସସ୍ଥଳୀ ହୋଇ ଦୀର୍ଘ ଏକବର୍ଷର ଅବହେଳା ପରେ ପ୍ରାଚୀନ ଅସି-ଫଳକ ସବୁ ଟିକିଏ ସୂର୍ଯ୍ୟାଲୋକ ଲାଭ କରନ୍ତି । କୀଟଦଷ୍ଟ ଅସିକୋଷରୁ କଳଙ୍କିତ ଅସିପତ୍ରକୁ ନିଷ୍କାସନ କରି ଖଣ୍ଡାୟତ ବୃଦ୍ଧ ବା ତରୁଣ ନବନୀତ ପ୍ରଲେପ ଦେଇ ତାହାକୁ ବର୍ଷକ ଲାଗି ମାର୍ଜିତ କରିଦିଏ, ଏବଂ ଆରାଧନା ଲାଗି ପୂଜାଗୃହକୁ ଘେନିଯାଏ ।

 

ଗୃହିଣୀ ଓ ସୀମନ୍ତିନୀଗଣ ପିଠା-ପଣାରେ ବ୍ୟସ୍ତ । ବଧୂବୃନ୍ଦ ସମସ୍ତ ଗୃହକର୍ମ ମଧ୍ୟରେ ପିତୃଗୃହର ଲୋକକୁ ଚାହିଁ ରହିଥାନ୍ତି । ଶାଶୁଘରେ ପୁତ୍ରକନ୍ୟାର ମାତା ହେଲେହେଁ, ସେ ଘର ପରଘର । ପ୍ରାଣର ଜନନୀର ମଧୁର ଆଦର ବଧୂ ଫିଙ୍ଗିଦେବେ କେତେକେ ? ଜନନୀ ଭାର ପଠାଇ ଦେଇଥିବେ, ସମ୍ବାଦ ଦେଇଥିବେ, ନେଇଯିବା ଲାଗି ଖବର ଦେଇଥିବେ ପରା ! ଶାଶୁଘର ଗୃହବଧୂ ଦୂର ପିତୃଗୃହର ଲୋକକୁ ଚାହିଁ ରହିଥାନ୍ତି ।

 

ରାତ୍ରି ପ୍ରଥମ ପ୍ରହର ମଧ୍ୟରେ ଅସ୍ତ୍ରଶସ୍ତ୍ରର ଆରାଧନା ଶେଷ ହୁଏ । ଗ୍ରାମର ପୁରୋହିତ ଏହି ରକ୍ତପାୟୀମାନଙ୍କୁ କାଳୀମନ୍ତ୍ରରେ ଆରାଧନା କରନ୍ତି ଏବଂ କାଳୀଜ୍ଞାନରେ ବୟୋଜ୍ୟେଷ୍ଠଗଣ ପିଲା ପିଲିଙ୍କୁ ଭୟରେ ପୂଜାଗୃହକୁ ଛାଡ଼ି ଦିଅନ୍ତି ନାହିଁ । ଧୂପ ଦୀପ ନୈବେଦ୍ୟରେ ପୂଜାଗୃହ ସୁରଭିତ ହୋଇ ଉଠେ ଏବଂ ଅସିଫଳକସମୂହ, ପୂଜାସିନ୍ଦୂର ଘେନି କ୍ଷୀଣ ଦୀପାଲୋକରେ ଶୋଣିତର ଚିତା ଘେନିଥିବାର ଭ୍ରମ ଆଣନ୍ତି ।

 

ରାତ୍ରିର ପ୍ରଥମ ପ୍ରହରବେଳକୁ କ୍ଷୁଦ୍ର ପଲ୍ଲୀ, ଗ୍ରାମସେବୀ ବାଦ୍ୟକାରମାନଙ୍କର ଢକ୍କା-ଢୋଲରେ ସହସା ମନ୍ଦ୍ରିତ ହୋଇ ଉଠେ । ବାଦ୍ୟନାଦରେ ଖଣ୍ଡାୟତର ସୁପ୍ତ ଶୋଣିତ ଦୀର୍ଘ ଏକ ବର୍ଷ ମଧ୍ୟରେ କେତୋଟି କ୍ଷୁଦ୍ର, ମୁହୂର୍ତ୍ତ ଲାଗି ଜାଗ୍ରତ ହୋଇଉଠେ । ପୂଜାଗୃହରୁ କେହି ତରବାରୀ, କେହି ଖଣ୍ଡା, କେହି ବର୍ଚ୍ଛା, କେହି କଟାର, କେହି ପଟାବାଡ଼ି ଘେନି ବାହାରିପଡ଼ନ୍ତି । ଦାଣ୍ଡକୁ ବାହାରି ଅଭିଯାନ ଆରମ୍ଭବେଳେ ଅସିଦେବତାର ତୃପ୍ତି ନିମନ୍ତେ ବଳିଦାନ ହୁଏ । ଇତିହାସର କେଉଁ ବିସ୍ମୃତକାଳରେ, ଏହି ଅସି ଏହିପରି ମୁହୂର୍ତ୍ତରେ ରକ୍ତପାନ କରୁଥିଲା । ଦରିଦ୍ର ଖଣ୍ଡାୟତ ତାହା ଆଉ ଦେଇ ପାରୁ ନାହିଁ, ତେଣୁ ଜହ୍ନୀଟାଏ ବା ପାଣିକଖାରୁଟାଏ ପଶୁ ଆକାରରେ ସଜ୍ଜିତ କରି ତାହାକୁହିଁ ଅସିଘାତରେ ଖଣ୍ଡିତ କରୁଅଛି ।

 

ବଳିଦାନ ପରେ ସମବେତ ଖଣ୍ଡାୟତମାନେ ଉଦାୟୁଧ ହୋଇ ସଜ୍ଜିତ ଓ ଶ୍ରେଣୀବଦ୍ଧଭାବରେ କ୍ଷୁଦ୍ର ପଲ୍ଲୀର ବିପଦ-ଆପଦରେ ପରମଶରଣ ଗ୍ରାମଦେବତାଙ୍କ ନିକଟକୁ ଶୋଭାଯାତ୍ରା କରନ୍ତି । ସମ୍ମୁଖରେ ବାଦ୍ୟରୋଳ କ୍ଷୁଦ୍ର ପଲ୍ଲୀର କ୍ଷୁଦ୍ର ଆକାଶକୁ ନିନାଦିତ କରି ଚାଲିଥାଏ । ତା ପରେ ଗ୍ରାମର ନାପିତ ଆଲୋକହସ୍ତ ହୋଇ ପଥ ଦେଖାଇ ଚାଲିଥାଏ । ତତ୍‍ପରେ ଗ୍ରାମବିପ୍ର ମନ୍ତ୍ରପାଠ କରି ଚାଲିଥାଆନ୍ତି । ସେମାନଙ୍କ ପଶ୍ଚାତରେ ଦୀର୍ଘ ଖଣ୍ଡାୟତଶ୍ରେଣୀ ଦୁଇ ରେଖାରେ ବିଭକ୍ତ ହୋଇ ବିକ୍ରମଠାଣିରେ ଗତି କରି ଚାଲିଥାନ୍ତି । ସେମାନଙ୍କର ଦର୍ପିତ ପଦପାତରେ ଅସ୍ତ୍ରଶସ୍ତ୍ର ଝଙ୍କାର କରି ଉଠେ ଓ ସେହି ଝଙ୍କାର ଖଣ୍ଡାୟତର ରକ୍ତକୁ ଆହୁରି ଉତ୍ତେଜିତ କରେ । ସେହି ରଜନୀର ସେହି କେତୋଟି ମୁହୂର୍ତ୍ତ ଲାଗି ଅନଙ୍ଗ, ନରସିଂହ, କପିଳେନ୍ଦ୍ରଙ୍କର ସମସ୍ତ ଦିଗ୍‍ବିଜୟର ଇତିହାସ ଯେପରି ଖଣ୍ତାୟତର ରକ୍ତରେ ଅବତାର ଗ୍ରହଣ କରେ । ଗ୍ରାମର ଦୁଇଦିଗରୁ ଦ୍ୱାରେ ଦ୍ୱାରେ ଓ ପ୍ରତ୍ୟେକ ଉନ୍ମୁକ୍ତ ବାତାୟନରେ ସୀମନ୍ତିନୀମାନେ ସମବେତ ହୋଇ ଏହି ବୀରଦୃଶ୍ୟ ଦେଖି ପୁଲକିତ ହୋଇଉଠନ୍ତି । କେହି ଗୃହିଣୀ ଗର୍ବ ସମ୍ଭାଳି ନ ପାରି କହିଉଠନ୍ତି, “ଦେଖ ବୋଉ, ମୋ ପିଲାକୁ ଦେଖ, ଏଇ ଖଣ୍ଡା ଧରି ଆଗରେ ଚାଲିଛି, ଚିହ୍ନିଲ ତ ?”

 

ମନ୍ଦିର ପ୍ରାଙ୍ଗଣରେ ଦେବତା ସମ୍ମୁଖରେ ଖଣ୍ଡାୟତ ଅସ୍ତ୍ରମୁନକୁ ଭୂତଳରେ ସ୍ପର୍ଶ କରି ଦେବତାଙ୍କୁ ନମସ୍କାର କରେ । ତା ପରେ ଜଣକ ପରେ ଜଣେ ପ୍ରାଙ୍ଗଣକୁ ସହୁଙ୍କାର ଝମ୍ପଦେଇ ଅସି ଓ ଯଷ୍ଟି ଘେନି କ୍ଷିପ୍ର ଗତିରେ ବାହୁଚାଳନା କରନ୍ତି । ଦୁଇ ତିନି ଜଣ ଏହିପରି କଲା ପରେ, ସମବେତ ଜନତା ମୁଖ ଫେରାଇ ଗ୍ରାମଶେଷ ପ୍ରାନ୍ତର ଆଡ଼କୁ ଗତି କରେ । ପଥ ମଧ୍ୟରେ ସ୍ଥାନେ ସ୍ଥାନେ ଗତି ସ୍ଥଗିତ କରି ଖଣ୍ଡାୟତ ତାହାର ସମରସ୍ପୃହା ନିବାରଣ କରେ ଓ ବାହୁର କୌଶଳ ଦେଖାଏ । ପ୍ରଥମେ ତରୁଣମାନଙ୍କର ପରୀକ୍ଷା ହୁଏ । ବାହୁକୌଶଳ, ଅସିଯୁଦ୍ଧ, ଯଷ୍ଟିଯୁଦ୍ଧ, ଆତ୍ମରକ୍ଷା ଓ ଆକ୍ରମଣର ଅଭିନୟ ଦଳ ପରେ ଦଳ କରିବାକୁ ଲାଗନ୍ତି । ଉତ୍ତେଜନା ସହ୍ୟ କରି ନ ପାରି, ବୃଦ୍ଧମାନେ ମଧ୍ୟ ବାମହସ୍ତରେ ଢାଲ ଓ ଦକ୍ଷିଣ ହସ୍ତରେ ତରବାରୀ ଘେନି ଜନତା ମଧ୍ୟକୁ କୁହାଟ ମାରି ମାରି ଡେଇଁ ପଡ଼ନ୍ତି । ବାଦ୍ୟଧ୍ୱନି ଗମ୍ଭୀରତର ଓ ଦ୍ରୁତତର ହୋଇଉଠେ, ଉତ୍ତେଜିତ ଖଣ୍ଡାୟତମାନେ ପଲ୍ଲୀ ଦାଣ୍ଡଧୂଳିକୁ ମଥିତ କରି ଉନ୍ମତ୍ତ ବୃଷଭମାନଙ୍କ ପରି ପଦପାତ କରନ୍ତି ।

 

କ୍ରମେ ରାତ୍ରି ଅଧିକ ହୁଅନ୍ତେ ଜନତା ଗ୍ରାମପ୍ରାନ୍ତକୁ ଯାଇ ଚତୁର୍ଦିଗକୁ ଶର ନିକ୍ଷେପ କରି ଯାତ୍ରା ସାଙ୍ଗ କରି ଗୃହକୁ ଫେରିଆସନ୍ତି ଓ ବର୍ଷକ ଲାଗି ଐତିହାସିକ ଅସ୍ତ୍ରଗୁଡ଼ିକ ପୁଣି ଅନ୍ଧକାର ମଧ୍ୟରେ ଅବହେଳାରେ ନିକ୍ଷିପ୍ତ ହୁଏ ।

 

କ୍ଷୁଦ୍ର ପଲ୍ଲୀରେ ଦଶହରାର ଏହି ସାମରିକ ଉତ୍ସବ ଯେ ଉତ୍କଳର ପ୍ରାଚୀନ ଇତିହାସ ସହ ଜଡ଼ିତ,ତାହା ଅଶିକ୍ଷିତ ଖଣ୍ଡାୟତ ଏକାବେଳକେ ଭୁଲିଯାଇଛି । ତାହାର ପୂର୍ବପୁରୁଷ ଯେ ଦିନେ ଓ୍ୟାରଙ୍ଗୀଲ୍, ଗୁଲବର୍ଗା, କୋଣ୍ଡାଭିଜୁ, କ୍ରିଚିନାପଲ୍ଲୀକୁ ସ୍ୱୀୟ ବାହୁବଳରେ ଜୟ ଓ ଅଧିକାର କରି ପାରିଥିଲେ; ଏ କଥା ତାକୁ ଆଜି କହିଲେ ମଧ୍ୟ ସେ ବିଶ୍ୱାସ ଯିବ ନାହିଁ । ବହୁପୁରୁଷ ଧରି ସାମରିକ ବ୍ୟବସାୟ ତା’ଠୁଁ କାଢ଼ି ନିଆଯାଇଛି । ତେଣୁ ଅସି-ତରବାରୀକୁ ସେ ଆଜି ଯୁଦ୍ଧର ଉପକରଣ ବୋଲି ନ ଭାବି ଶାଳଗ୍ରାମ ପରି ପୂଜା କରେ । ଅସି-ଫଳକସବୁ କ୍ରମେ କ୍ରମେ ଲାଙ୍ଗଳଫଳକରେ ପରିଣତ ହେଉଅଛି ଏବଂ ଏହି ଯେ ଦଶହରା ତାହା ସେ ପରମ୍ପରା ପ୍ରଭାବରେହିଁ ପାଳନ କରେ । କିନ୍ତୁ ଦେଶର ଚିନ୍ତାଶୀଳ ଶିକ୍ଷିତ ବ୍ୟକ୍ତିଗଣ ଦଶହରା ରଜନୀରେ କୌଣସି ଖଣ୍ଡାୟତ ପଲ୍ଲୀରେ ଏହି ନଷ୍ଟବିଭବ ସାମରିକ ଉତ୍ସବ ଦେଖିଲେ ଜାତିର ଦୁର୍ଦ୍ଦଶାରେ ମ୍ରିୟମାଣ ହେବା ସଙ୍ଗେ ସଙ୍ଗେ ଦେଶର ଭବିଷ୍ୟତ ଲାଗି ଉତ୍ସାହିତ ହେବେ । ଉତ୍କଳର ଅଗଣିତ ଗ୍ରାମମାନଙ୍କରେ, ଦରିଦ୍ର, ଲାଞ୍ଛିତ, ନିଷ୍ପୀଡ଼ିତ ଖଣ୍ଡାୟତ ଦେହରେ ସମର-ଶକ୍ତି ଆଜି ମଧ୍ୟ ଲୁକ୍କାୟିତ ରହିଛି । ସେହି ଶକ୍ତିକୁ ଉଦ୍‍ବୁଦ୍ଧ କରିବା ଜାତିର ପ୍ରଥମ କର୍ତ୍ତବ୍ୟ ।

 

ତ୍ୟାଗ

 

ଅନେକଙ୍କର ଧାରଣା ଏହି ଯେ, ଏହି ପୃଥିବୀ ଏକ ବିରାଟ ସଂଗ୍ରାମଭୂମି । ଏହାର ବକ୍ଷ ଉପରେ ଅହରହ ଜୀବନ-ଯୁଦ୍ଧ ଅବିରାମ ଭାବରେ ଚାଲିଛି । ଏହି ଯୁଦ୍ଧର ବୀଜମନ୍ତ୍ର ହେଉଛି ସ୍ୱାର୍ଥ, ଅର୍ଥାତ୍ ଯୁଦ୍ଧଭୂମିରେ ଯେ ନିଜର ବଳ ଓ କୌଶଳ ପ୍ରୟୋଗ ପୂର୍ବକ ଅନ୍ୟମାନଙ୍କର ବିନାଶ ସାଧନ କରି ସେହି ବିନାଶ ଉପରେ ନିଜର ବିଜୟ ସୌଧ ତୋଳି ପାରିଲା, ଜଗତରେ ସେହିହିଁ କୃତାର୍ଥତା ଲାଭ କରେ । ଯେଉଁମାନେ ଦୁର୍ବଳ, ଦରିଦ୍ର, ହୀନ, ସେମାନଙ୍କ ଲାଗି ଜଗତରେ ସ୍ଥାନ ନାହିଁ । ଜଗତରେ ଦୈନନ୍ଦିନ ଜୀବନକ୍ରିୟାରେ ଏହି ମତ ସମ୍ୟକ୍ ଭାବରେ ପ୍ରତିଫଳିତ ହୋଇଥିଲେହେଁ ସୃଷ୍ଟିର ନିୟମଚୟକୁ ବ୍ୟାପକ ଭାବରେ ଦେଖିବାକୁ ଗଲେ ଏକ ବିପରୀତ ଓ ମହନୀୟ ଦୃଶ୍ୟ ଆମ୍ଭମାନଙ୍କ ଦୃଷ୍ଟିରେ ପଡ଼େ । ସୃଷ୍ଟି ପ୍ରକ୍ରିୟାକୁ ସୂକ୍ଷ୍ମ ଭାବରେ ଦେଖିଲେ ଏହା ସ୍ପଷ୍ଟ ପ୍ରତୀୟମାନ ହେବ ଯେ, ସ୍ୱାର୍ଥ ଲାଗି ଅପରର ବିନାଶ ସାଧନ କରିବା ଜୀବମାନଙ୍କର ଏକମାତ୍ର ପ୍ରବୃତ୍ତି ନୁହେ । ଜୀବହୃଦୟରେ ଏପରି ଅନେକ ପୁଣ୍ୟପ୍ରବୃତ୍ତି ଅଛି, ଯାହା ଘେନି ଜୀବଗ୍ରାମ ପାରସ୍ପରିକ ଯୁଦ୍ଧରେ ଧ୍ୱଂସପ୍ରାପ୍ତ ନ ହୋଇ ଏ ଯାବତ୍ ବଞ୍ଚି ରହିଛି ଏବଂ ଯାହା ଘେନି ଦୁର୍ବଳ, ହୀନ, ଦରିଦ୍ର ମଧ୍ୟ ଜଗତରେ ସ୍ୱାଚ୍ଛନ୍ଦ୍ୟରେ ଜୀବନ ଯାପନ କରି ପାରୁଛି ।

 

ଶେଷୋକ୍ତ ପ୍ରବୃତ୍ତିମାନଙ୍କ ମଧ୍ୟରୁ ଗୋଟିଏ ଏହି ଯେ, ମନୁଷ୍ୟ ନିଜର ସ୍ୱାଚ୍ଛନ୍ଦ୍ୟ ଲାଗି ଯେପରି ଅପରର ସ୍ୱାର୍ଥ ଉପରେ ପଦ ଦେବାକୁ କୁଣ୍ଠିତ ହୁଏ ନାହିଁ, ଅପରର ସ୍ୱାଚ୍ଛନ୍ଦ୍ୟ ଲାଗି ନିଜର ସ୍ୱାର୍ଥକୁ ମଧ୍ୟ ସେହିପରି ସେ ବଳି ଦେଇ ପାରେ । ଅପରର ସୁଖ, ସୁବିଧା ବା ଉନ୍ନତି ଲାଗି ମନୁଷ୍ୟ ଯେ ନିଜର ସବୁ ଦେଇ ପାରେ, ସମସ୍ତ ସ୍ୱାର୍ଥକୁ ଭୁଲିଯାଇ ପାରେ, ଏହାର ଦୃଷ୍ଟାନ୍ତ ମାନବ ଇତିହାସରେ ପ୍ରଚୁର ଏବଂ ସେହି ଜାତି ଜଗତରେ ସଭ୍ୟ ଓ ମହତ୍, ଯେଉଁ ଜାତିରେ ଏପରି ଲୋକମାନଙ୍କର ପ୍ରାଚୁର୍ଯ୍ୟ ଅଛି ।

 

ହୃଦୟର ଏହି ଭାବକୁ ତ୍ୟାଗ କୁହାଯାଏ । ତ୍ୟାଗ କହିଲେ ସାଧାରଣତଃ ଧନ ସମ୍ପଦର ଦାନ ବୁଝନ୍ତି; କିନ୍ତୁ ତାହା ଭ୍ରାନ୍ତ ଧାରଣା । ଧନ ସମ୍ପଦ କିଛି ନ ଦେଇ ମଧ୍ୟ ଲୋକ ତ୍ୟାଗ କରି ପାରେ । ଗୋଟିଏ ଅଶ୍ରୁବିନ୍ଦୁଠାରୁ ଆରମ୍ଭ କରି ଅତିପ୍ରିୟ ପ୍ରାଣ ପର୍ଯ୍ୟନ୍ତ ମନୁଷ୍ୟର ଅନେକ ଉପାଦାନ ତ୍ୟାଗଧର୍ମ ଲାଗି ନିୟୋଜିତ ହୋଇ ପାରେ । ଧନ ସମ୍ପଦ ସେ ଉପାଦାନମାନଙ୍କ ମଧ୍ୟରେ ବିଶିଷ୍ଟ ନୁହେ ।

 

ଚିନ୍ତା କରି ଦେଖିଲେ ସହଜରେ ବୁଝି ହେବ ଯେ ସୃଷ୍ଟିପ୍ରକ୍ରିୟା ହିଁ ତ୍ୟାଗନୀତି ଉପରେ ପ୍ରତିଷ୍ଠିତ । ମନୁଷ୍ୟ ବା ଅନ୍ୟାନ୍ୟ ଜୀବମାନଙ୍କର ସ୍ୱାଚ୍ଛନ୍ଦ୍ୟ ଲାଗି ପ୍ରକୃତିର ଅଜସ୍ର ଦାନ କିଏ ଅସ୍ୱୀକାର କରିବ ? ଜୀବର ତୃଷା ନିବାରଣ ଲାଗି ପର୍ବତଗାତ୍ରରୁ କରୁଣାରୂପିଣୀ ନିର୍ଝର ବହିର୍ଗତ ହୁଏ । କ୍ଷୁନ୍ନିବୃତ୍ତିପାଇଁ ଏହି ସର୍ବଂପୋଷ୍ୟା ବସୁନ୍ଧରା ଯଥାକାଳରେ ଶସ୍ୟ ଦାନ କରେ;ଜୀବର ପରିବର୍ଦ୍ଧନ ପାଇଁ ସୂର୍ଯ୍ୟ ଆଲୋକ ଦାନ କରେ ଓ ଏହିପରି ଅନ୍ୟ ନାନା ଭାବରେ ପ୍ରକୃତି ପ୍ରାଣୀମାନଙ୍କର ସେବାରେ ନିଜକୁ ନିୟୋଜିତ କରେ । ଜୀବ ଭୂମିଷ୍ଠ ହେଲାଠାରୁ ଇହ ଜଗତ୍ ପରିତ୍ୟାଗ କଲା ଯାଏ, ଅନ୍ୟମାନଙ୍କ ତ୍ୟାଗରେହିଁ ବଞ୍ଚି ରହେ । ଜନ୍ମ ହେଲାକ୍ଷଣି ଦୟାବତାରରୂପିଣୀ ଜନନୀର ବକ୍ଷାମୃତ ତା’ର ଜୀବନରକ୍ଷା କରେ । ତା ପରେ କେତେ ଅପରର ସ୍ନେହ, ଶ୍ରଦ୍ଧା, ସେବା ଓ ପାଳନ ଉପରେ ତା’ର ବଞ୍ଚିବା ଓ ବଞ୍ଚିବାରେ ସୁଖ ସ୍ୱାଚ୍ଛନ୍ଦ୍ୟ ନିର୍ଭର କରେ–ତା’ କେହି ଭାବନ୍ତି କି ? ମନୁଷ୍ୟ ତ କେବଳ ନିଜ ଜାତୀୟ ଜୀବର ତ୍ୟାଗରେ ସନ୍ତୁଷ୍ଟ ରହି ନାହିଁ, ସେ ଅନ୍ୟାନ୍ୟ ପଶୁପକ୍ଷୀମାନଙ୍କୁ ଏବଂ ସ୍ୱୟଂ ପ୍ରକୃତିକି ମଧ୍ୟ ନିଜ ସେବାରେ ନିୟୋଜିତ କରିଅଛି । ଏ ସବୁ ଦେଖିଲେ ପୃଥିବୀ ଯେ କେବଳ ସଂଗ୍ରାମଭୂମି, ତାହା ଭାବିବା ଭ୍ରମ ବୋଲି ପ୍ରତୀତ ହୁଏ । ଜଡ଼ ଓ ଜୀବ ଏବଂ ଜୀବ ଓ ଜୀବ ମଧ୍ୟରେ ଏହି ଯେ ପାରସ୍ପରିକ ତ୍ୟାଗ, ଏହି ଯେ ଅନ୍ୟୋଽନ୍ୟର ସେବା, ଏହାହିଁ ସୃଷ୍ଟି ଓ ତା’ର ରକ୍ଷଣର ମୂଳମନ୍ତ୍ର ।

 

ସୃଷ୍ଟିର ଏହି ତ୍ୟାଗଧର୍ମ୍ମ ଆମ୍ଭମାନଙ୍କ ପ୍ରତ୍ୟେକଙ୍କ ଜୀବନରେ ପ୍ରତିଫଳିତ ହେବା ଉଚିତ-। ସାଧାରଣତଃ ଲୋକେ ସ୍ୱାର୍ଥପୋଷଣକୁହିଁ ଜୀବନର ଚରିତାର୍ଥତା ବୋଲି ମନେ କରନ୍ତି; କିନ୍ତୁ ସୃଷ୍ଟିର ନିୟମ ବୁଝି ବସିଲେ, ତାହା ଜୀବନଧର୍ମ୍ମର ବ୍ୟଭିଚାର ମାତ୍ର । ସାମାନ୍ୟ କୀଟଠାରୁ ପ୍ରବଳତମ ସମ୍ରାଟ୍ ପର୍ଯ୍ୟନ୍ତ କେହି ଅନ୍ୟର ତ୍ୟାଗ ଓ ସେବା ଛଡ଼ା ତିଷ୍ଠି ପାରିବେ ନାହିଁ ଏବଂ ଆମ୍ଭେମାନେ ପ୍ରତ୍ୟେକେ ଅନ୍ୟଠାରୁ ଯେଉଁ ସେବା ଗ୍ରହଣ କରୁଁ, ତାହା ଅପରକୁ ପ୍ରତ୍ୟର୍ପଣ କରିବା ଆମ୍ଭମାନଙ୍କର ସର୍ବାଦୌ ଉଚିତ । ଯଦି ନ କରୁଁ, ତେବେ ତାହା ସୃଷ୍ଟି ନିୟମର ଅନାଚାର ବୋଲି ଧରିବାକୁ ହେବ । ଏହି ଅନାଚାର ଫଳରେ ଯୁଗେ ଯୁଗେ ପୃଥିବୀପୃଷ୍ଠରେ ଅଶାନ୍ତି ଲାଗି ରହିଛି । ପ୍ରତ୍ୟେକେ ପ୍ରତ୍ୟେକର ସ୍ୱାର୍ଥ ପୋଷଣରେ ଲାଗି ରହିବାରୁ ସ୍ୱାର୍ଥର ସଂଘର୍ଷ ହୁଏ ଓ ସଂଘର୍ଷରୁ କଳହ ଜାତ ହୁଏ । ସେହି କଳହ ଫଳରେ ବାରମ୍ବାର ବସୁନ୍ଧରାର ପୁଣ୍ୟ ଦେହ ଜୀବରକ୍ତରେ ରଞ୍ଜିତ ହୋଇଅଛି ।

 

ଜଗତର ସବୁ ଧର୍ମରେ ତ୍ୟାଗର ମହିମା ବିଘୋଷିତ ହୋଇଅଛି । ପରର କଲ୍ୟାଣ ଲାଗି ଯୁଗେ ଯୁଗେ ମହାମାନବଗଣ ଆପଣାର ସର୍ବସ୍ୱ ଦାନ କରି ଯାଇଅଛନ୍ତି । ମାନବର ମଙ୍ଗଳ ଲାଗି ମହାପୁରୁଷ ଯୀଶୁ କ୍ରୁଶରେ ଆପଣାକୁ ବଳି ଦେଇଅଛନ୍ତି ଏବଂ ଗୌତମ ବୁଦ୍ଧ ରାଜପ୍ରାସାଦର ଭୋଗବିଳାସ ତ୍ୟାଗ କରି ଚୀରସମ୍ବଳ ସନ୍ନ୍ୟାସୀ ହୋଇଛନ୍ତି । ଖ୍ରୀଷ୍ଟୀୟ ଧର୍ମାଚାର୍ଯ୍ୟଗଣ ନିଜ ଦେଶ ଓ ଜାତିଠାରୁ ସହସ୍ର ସହସ୍ର କ୍ରୋଶ ଦୂରରେ ରହି ବନ୍ୟ ଅସଭ୍ୟ ସମାଜମାନଙ୍କ ପାଇଁ ଯେପରି ଭାବରେ ଜୀବନ ପାତ କରନ୍ତି ତାହା ଖ୍ରୀଷ୍ଟଙ୍କ ଧର୍ମରେ ତ୍ୟାଗର ମହିମା ଜଗତ୍ ସମକ୍ଷରେ ଘୋଷଣା କରୁଅଛି । ଇଉରୋପୀୟ ଜାତିମାନଙ୍କ ମଧ୍ୟରେ ଆଜିକାଲି ଏହି ତ୍ୟାଗଧର୍ମ ଅତ୍ୟନ୍ତ ପ୍ରବଳ । ଦେଶଲାଗି ଜାତିଲାଗି ଧର୍ମଲାଗି ଓ ଦୀନ-ଦୁର୍ବଳ ଲାଗି ସେମାନେ ଯେପରି ଅକାତରରେ ପ୍ରାଣଦାନ କରନ୍ତି, ତାହା ଅନ୍ୟଜାତି ପକ୍ଷରେ ସମ୍ଭବ ନୁହେ । ଭାରତୀୟମାନଙ୍କ ମଧ୍ୟରେ ଏହି ତ୍ୟାଗଭାବ ନ ଥିବାରୁ ସେମାନେ ଦୁର୍ଦ୍ଦଶାଗ୍ରସ୍ତ । ନିମ୍ନରେ ତ୍ୟାଗର ଗୋଟିଏ ଜ୍ୱଳନ୍ତ ଉଦାହରଣ ଦିଆଗଲା–

 

ବାର୍‍କେନ୍‍ହେଡ଼ ନାମକ ଏକ ଜାହାଜ ପ୍ରାଚ୍ୟଦେଶରୁ ୟୁରୋପକୁ ଫେରୁଥିଲା । ଜାହାଜରେ ନାରୀ, ପୁରୁଷ, ବାଳକ ଓ ବାଳିକା ସମସ୍ତେ ଥିଲେ । ପୁରୁଷମାନେ ଅଧିକାଂଶ ସୈନିକ ଓ ଜାହାଜର କର୍ମଚାରୀ । ଦୁର୍ବିପାକବଶତଃ ଜାହାଜଟି ଆଫ୍ରିକା ଉପକୂଳରେ ଗୋଟିଏ ଜଳମଗ୍ନ ପାହାଡ଼ରେ ବାଜି ହଠାତ୍ ବୁଡ଼ିବାକୁ ଆରମ୍ଭ କଲା । ଜାହାଜରେ ଯେତେଖଣ୍ଡି ଜୀବନତରୀ ଥିଲା, ସେଥିରେ ସମସ୍ତଙ୍କ ଲାଗି ସ୍ଥାନ କରିବା ଅସମ୍ଭବ, ତେଣୁ ପୋତାଧ୍ୟକ୍ଷଙ୍କ ଆଦେଶରେ କେବଳ ନାରୀ ଓ ଶିଶୁମାନଙ୍କୁ ସେଥିରେ ଚଢ଼ାଇ ଦିଆଯାଇ ସୈନ୍ୟ ଓ କର୍ମଚାରୀମାନଙ୍କୁ ଧୀରଭାବରେ ଶ୍ରେଣୀବଦ୍ଧ ହୋଇ ଠିଆ ହୋଇ ମୃତ୍ୟୁକୁ ଅପେକ୍ଷା କରିବାକୁ ଆଦେଶ ଦିଆଗଲା । ତାହାହିଁ ହେଲା । ସୈନିକ ଓ କର୍ମଚାରୀମାନେ ଡେକ୍ ଉପରେ ନିସ୍ପନ୍ଦଭାବରେ ଦଣ୍ଡାୟମାନ ରହି ଅତଳ ଜଳରେ ଭୀଷଣ ଜଳଜନ୍ତୁମାନଙ୍କର ଆହାର ହେବାପାଇଁ ପ୍ରସ୍ତୁତ ହେଲେ । ଜାହାଜ ଧୀରେ ଧୀରେ ବୁଡ଼ିବାକୁ ଲାଗିଲା ଏବଂ ଜୀବନପୋତର ଆରୋହୀଗଣ ସେ ଦୃଶ୍ୟ ସହ୍ୟ କରି ନ ପାରି ଚକ୍ଷୁ ମୁଦ୍ରିତ କଲେ ।

 

କୌଣସି ଏକ ଜୀବନତରୀରେ, ଜାହାଜ ଜଳମଗ୍ନ ହେବା ପୂର୍ବରୁ ପୋତାଧ୍ୟକ୍ଷ ଆଲେକ୍ ଜାଣ୍ଡାର ରସେଲ୍ ନାମକ ବାଳକକୁ, ନୌକାଟି କୂଳରେ ଲାଗିଲା ଯାଏ ସେହି ନୌକାର ଅଧିନାୟକ କରି ଦେଇଥିଲେ । ବାଳକଟି ଶାନ୍ତ ଓ ଗମ୍ଭୀରଭାବରେ ନୌକାର ପଛ ଭାଗରେ ଠିଆ ହୋଇ ଏହି କରୁଣ ଦୃଶ୍ୟ ଅବଲୋକନ କରୁଥାଏ । ଜାହାଜ ଜଳମଗ୍ନ ହେବାର କିଛି ସମୟ ପରେ ‘ମତେ ନେଇଯାଅ’ ଏହି କରୁଣ ଚିତ୍କାର ସେହି ନୌକା ନିକଟରେ ଶୁଣାଗଲା । ଦେଖାଗଲା, ଜଣେ ସୈନିକ ଦୁଇ ହାତ ଊର୍ଦ୍ଧ୍ୱକୁ ଟେକି କରୁଣ ଭାବରେ ଏହି ପ୍ରାର୍ଥନା କରୁଅଛି । ସୈନିକର କରୁଣ ପ୍ରାର୍ଥନା ସମସ୍ତଙ୍କ ମର୍ମ୍ମସ୍ଥଳ ବିଦ୍ଧ କଲା, କିନ୍ତୁ ସ୍ଥାନ ଯେ ନାହିଁ । ସୈନିକକୁ ନୌକାକୁ ତୋଳି ଆଣିବା ଓ ନୌକାଟିକୁ ବୁଡ଼ାଇ ଦେବା ଏକା କଥା । ଏହି ସମୟରେ ଗୋଟିଏ ସସନ୍ତାନା ରମଣୀ, ପାଗଳ ପ୍ରାୟ ନୌକାମଧ୍ୟରୁ ଚିତ୍କାର କରି ଉଠିଲା । ‘ତାକୁ ରକ୍ଷା କର, ସେ ଯେ ମୋର ସ୍ୱାମୀ ।’ ଆଲେକ୍‍ଜାଣ୍ଡାର ଦେଖିଲା, କିଛି ମାତ୍ର ବିଳମ୍ବ କଲେ ସୈନିକଟିକୁ ବୁଭୁକ୍ଷୁ ଜଳଜନ୍ତୁ ନିକାଶ କରିଦେବେ । ସେ କାଳ ବିଳମ୍ବ ନ କରି । ‘ଈଶ୍ୱର ତମକୁ ରକ୍ଷା କରନ୍ତୁ’ ଏହା କହି ଗଭୀର ସମୁଦ୍ରରେ ଲମ୍ଫ ପ୍ରଦାନ କଲା ଓ ସୈନିକଟିକୁ ଉପରକୁ ଟେକି ଦେଇ, ଦୂରକୁ ପଳାଇଗଲା ନୌଯାତ୍ରୀମାନେ ଏହି ମହାନୁଭାବତାରେ ଉନ୍ମତ୍ତପ୍ରାୟ ହୋଇ ଉଠିଲେ ଏବଂ ଏକସ୍ୱରରେ ଗାଇ ଉଠିଲେ ‘ଈଶ୍ୱର ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ’ । କିଛି କ୍ଷଣ ପରେ ବାଳକର ଆଉ କୌଣସି ଚିହ୍ନ ଦେଖାଗଲା ନାହିଁ ।

Image

 

Unknown

ଚିଲିକାରେ ସନ୍ଧ୍ୟା

 

ପାରିଲେଣି ଏବେ ଦେବ ବିକର୍ତ୍ତନ

ଭାଲେରି ଶିଖରେ ସ୍ୱର୍ଣ୍ଣ ସିଂହାସନ ।

ଠାବେ ଠାବେ ଛାୟା ପଡ଼ିଣ ଶଇଳେ

ହରିତ ହେଲାଣି ପରିଣତ ନୀଳେ;

ଗଳ-ଘଣ୍ଟେ ନାଦି ଗିରି ତଟଦେଶ

ବାହୁଡ଼ନ୍ତି ପଲେ ପଲେ ଛାଗ ମେଷ;

ମହିଷ-ଟିପାର ଗୁରୁ ଗୁରୁ ଧ୍ୱନି-

ଘୋଷେ ମୁଖରିତ ଅରଣ୍ୟ ସରଣୀ;

ଗୋଷ୍ଠୁଁ ଧୂମରେଖା ଉଠି ଗିରିପାଦେ

କୁଞ୍ଚିତ ଗତିରେ କାନନ ଆଚ୍ଛାଦେ;

କଳରବେ ଏରା ଉଠିଣ ହ୍ରଦରୁ

ଅରଣ୍ୟେ ଲୋଡ଼ନ୍ତି ଯେଝା ନୀଡ଼-ତରୁ

ପୀତ ଅସ୍ତକର ହେବାରୁ ପତିତ

ଡେଣା ଦିଶେ ଯେହ୍ନେ ସୁବର୍ଣ୍ଣମଣ୍ଡିତ;

ରତ୍ନରାଜି ବୁଣି ବର୍ତ୍ତ୍ମ ଅନ୍ତରାଳେ

ବୁଡ଼ିଲେ ମିହିର ଭାଲେରି ଉଢ଼ାଳେ

କେତେ ଯତ୍ନେ ଆହା କାଦମ୍ୱିନୀ ଧନୀ

ବସ୍ତ୍ରାଞ୍ଚଳେ ବାନ୍ଧି ନେଉଛି ସେ ମଣି

ଧରିତ୍ରୀ ବଦନେ ପୀତ ଅସ୍ତରାଗ

ବୋଳିଦେଉଛି କି ସୁବର୍ଣ୍ଣ ପରାଗ;

ଶାରଦ-ଦିନାନ୍ତ-ଲକ୍ଷ୍ମୀ ଲୀଳାମୟୀ

ପ୍ରକାଶନ୍ତି କେତେ ନବ ନବ ଛଇ

ବିଶାଳ ଭାଲେରି ଛାୟା ଜଳ ସ୍ଥଳ

ଆବରଇ କ୍ରମେ ବ୍ୟାପି ପୂର୍ବାଞ୍ଚଳ

ପୀତ ଅସ୍ତାତପ ଦ୍ୱୀପ ଶୈଳମାଥେ

ଲିଭିଗଲା ସେହି ମହାଛାୟା-ପାତେ;

ପଡ଼ିଲା ଚିଲିକା ବକ୍ଷେ ସନ୍ଧ୍ୟାଲୋକ

ଶୋକେ ବଧୂ ଛାଡ଼ି ଦୂରେ ଗଲା କୋକ;

ସନ୍ଧ୍ୟାରାଗ ହେରି ହ୍ରଦ-ନୀଳୋରସେ

ଆସଇ ଏ ଭାବ ଭାବୁକ ମାନସେ;

ପ୍ରଚେତା-ପ୍ରବାଳ ପ୍ରସାଦର ରୁଚି

ନୀଳ-ନୀରୁ ଅବା ଫୁଟି ବାହାରୁଛି ।

କୂଳେ,ଦ୍ୱୀପେ, ଶୈଳପାଦପେ ବିହଙ୍ଗେ

ଉଡ଼ି ଯାଇ ବସୁଛନ୍ତି ନାନା ରଙ୍ଗେ;

ପଶ୍ଚିମା ସନ୍ଧ୍ୟାର ବନ୍ଦାପନା ପାଇଁ

ଯତିଏ ଆସନ୍ତି ଶଇଳୁଁ ଓହ୍ଲାଇ;

ପୂର୍ଣ୍ଣ ପ୍ରାଚେତସୀ ବର୍ଣ୍ଣବଇଭବେ

ମିଶେ ଦିବା ଯହିଁ ଭୂତ ମହାର୍ଣ୍ଣବେ,

ଏଣେ କରେ ବୋଳି ଅମର ସରଣୀ

ବିରାଜନ୍ତି ଚନ୍ଦ୍ର ଚୂଡ଼-ଚୂଡ଼ାମଣି;

ତାରାଟିଏ ରାଜି ତାରାପତି ପାଶେ

ବେନିଏ କରନ୍ତି ରାଜ୍ୟ ଅର୍ଦ୍ଧାକାଶେ;

କାଳ-ଜ୍ୟୋତ୍ସ୍ନା ଯୋଗେ ଧୌତ ପୌରନ୍ଦରୀ

ହିମରଜ ମୁଖେ ବୋଳି ହେଲା ପରି,

ଯେଝା ରୂପଶୋଭା ବିପରୀତେ ବସି

ଦେଖନ୍ତି ଗରବେ ପ୍ରାଚୀ ପ୍ରାଚେତସୀ

ଚନ୍ଦ୍ରାଲୋକେ ଧୌତ ପୂର୍ବାକାଶ ପୁନଃ

ବାରୁଣୀ ଆକାଶ କୁଙ୍କୁମେ ଅରୁଣ ।

ଅର୍ଦ୍ଧାଙ୍ଗ ଈଶ୍ୱର, ଅର୍ଦ୍ଧାଙ୍ଗ ପାର୍ବତୀ

ପ୍ରାୟେ ଦିଶେ ଚିତ୍ର ବ୍ୟୋମର ମୂରତି ।

ଦିଗ୍‍ବଳୟ ବ୍ୟାପୀ-ନୀଳ-ଜଳାରଣ୍ୟେ

ଉଠିଲା ଚନ୍ଦ୍ରିକା ନିଜ ଶୁଭ୍ର ବର୍ଣ୍ଣେ

ପ୍ରାଚୀ-ମୂଳ ଏବେ ମୀନ ଜୀବି-ନାବେ

ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ,

ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ

ନିଜ ଗୃହ କଥା ଭାବି ଏକଧ୍ୟାନେ

ଭାଲେରି-ଶିଖରେ-ସନ୍ଧ୍ୟା ତାରା ଦେଖି

ଆସନ୍ତି ପଟ୍ଟିକା ମହୋଲ୍ଲାସେ ଟେକି

ତାଙ୍କ କଣ୍ଠୁଁ କବିସୂର୍ଯ୍ୟ ଗୀତାମୃତ

ଦୂରୁଁ ବହିଆଣେ ଚିଲିକା ମରୁତ,

ଉଲ୍ଲାସର ଆତ୍ମା ପ୍ରାୟେ ଗୀତ ତାନ

ହ୍ରଦ ନୀଳ ବକ୍ଷେ କରେ ଅଧିଷ୍ଠାନ,

ହସନ୍ତି ଚୌଦିଗେ ମଧୁର ହାସିନୀ

ଦିଗଙ୍ଗନା-ଜ୍ୟୋତ୍ସ୍ନା-ଦୁକୂଳ ବାସିନୀ

ଭାବାନ୍ତର ପୁଣି କ୍ଷଣେ କରେ ଜାତ

“ଗଲାଣିତ ଗଲା କଥାରେ ସଙ୍ଗାତ”

ସଙ୍ଗୀତ ଆବେଶେ ନାନା ରୂପେ ମନ

ଅତୀନ୍ଦ୍ରିୟ ଦେଶେ କରେ ବିଚରଣ;

ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ

କି ଲୋଡ଼ିବା ଆଶେ ସେହି ତା ନ ଜାଣେ;

ଧନ୍ୟ ସେହି, ଯାର ଆଜ୍ଞା ଶିରେ ଧରି

ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ ।

ଧନ୍ୟ ରଥେ ! ତୁମ୍ଭ ଜନ୍ମ ଶୁଭକ୍ଷଣେ

ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ;

ତୁମ୍ଭ ମାଟି-ଦେହ ଗ୍ରାସିଛି ଶ୍ମଶାନ

ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ;

ମୀନ ଆକର୍ଷଣ ଆଶେ ପୋତପାଳ

ତରଣୀରେ ଜାଳି ଦେଲାଣି ମଶାଲ;

ଭବେ ପାପମୂର୍ତ୍ତି ପରି ଅଟଇ ସେ

ସ୍ପର୍ଶେ ମାରାତ୍ମକ-ରୂପେ ରମ୍ୟ ଦିଶେ

ପାପଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ

ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ;

ତରଙ୍ଗେ ଦୋହଲି ଦୋହଲି ବୋଇତ

ଥରେ ଦିଶେ, ଥରେ ହୁଏ ଅନ୍ତର୍ହିତ;

ଦୁଃଖୀ ମନେ ଆଶା ଉତ୍ଥାନ ପତନ

ପ୍ରାୟେ ଶିଖା ଉଠେ ପଡ଼େ ଘନଘନ;

ନିଶାଗମେ କ୍ରମେ ଲୋକ କୋଳାହଳ

ନିବର୍ତ୍ତି ଅବନୀ ହେଉଛି ନିଶ୍ଚଳ;

ଜଳ ସ୍ଥଳ ନଭଃ ଜ୍ୟୋତ୍ସ୍ନା-ପରିପ୍ଳୁତ

ସୃଷ୍ଟି ଦିଶେ ଯେହ୍ନେ ପାରଦ ଧଉତ;

ପ୍ରତିବିମ୍ବରାଜି ଦ୍ୱୀପ-ଶୈଳ-ତଳେ

ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତସ୍ତଳେ;

କ୍ଷୀରୋଦ-ସୋଦର-ଜ୍ୟୋତ୍ସ୍ନାର୍ଣ୍ଣବେ ଭାସି

ଦିଶନ୍ତି ବିଶଦ ଗିରି, ବନ ନାସୀ;

ସ୍ନିଗ୍‍ଧ ତରୁପତ୍ରେ, ମସୃଣ ଉପଳେ

ଜଳଜଳ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ,

ସର୍ପେ ଚିତ୍ର ଚନ୍ଦ୍ରଚୂଡ଼ ତନୁ ଭଳି

ଛାୟା-ମିଶ୍ର-କରେ ଶୋଭେ ବନସ୍ଥଳୀ;

ପ୍ରଶାନ୍ତ ନୀରବ ଗିରି ବନଦେଶ

ନାହିଁ ଏଥି ନର ଚହଳର ଲେଶ;

ଦୂର ଝରନାଦ, ଝିଙ୍କାରି ଝଙ୍କାର

କରେ ନିଶୀଥିନୀ ପ୍ରଭାବ ପ୍ରଚାର;

କଳି ଉପଦ୍ରବେ ତେଜି ଲୋକାଳୟ

ଶାନ୍ତିକି ଏ ସ୍ଥଳେ ଭଜିଲେ ଆଶ୍ରୟ ?

ଚିଲିକା ! ତୋହର ଏହି ଶୋଭାବନ

ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ

ଅଟେ ସର୍ବ-ଶୋଭା-ସୀମନ୍ତର ଟୀକା,

ପ୍ରକୃତିର ଚାରୁ-ଆଲେଖ୍ୟ-ଶାଳିକା;

ଏ ସୁଖର ମୁହିଁ ନୁହଇ ଭାଜନ

ମୋ ଭାଗ୍ୟେ ଏ ସିନା ଭଙ୍ଗୁର ସ୍ୱପନ,

ସଂସାର-ନିଗଡ଼େ ସଂସାର-କାରାରେ

ଯାପିବି ଜୀବନ ସଦା ହାହାକାରେ:

ବନ୍ଦୀ କାରାଗୃହେ ସ୍ମରୁଥାଇ ଯଥା

ଚିରହୃତ ତା’ର ପୂର୍ବ ସ୍ୱାଧୀନତା

ସଂସାର-ନିରୟେ ଅଙ୍ଗ ଦେଇ ଢାଳି

କରିବି ଏହାକୁ ସ୍ମୃତିର ସଙ୍ଖାଳି !

(ରାଧାନାଥ-ଚିଲିକା)

Image

 

ଗୌତମ ବୁଦ୍ଧ

 

ବୈଦିକ ଯୁଗରେ ଆର୍ଯ୍ୟମାନଙ୍କ ଜୀବନଯାପନର ପ୍ରଣାଳୀ ପରି ଈଶ୍ୱରାରାଧନା ମଧ୍ୟ ଅତ୍ୟନ୍ତ ସରଳ ଥିଲା । ସେମାନେ ପ୍ରକୃତିର ଭିନ୍ନ ଭିନ୍ନ ଶକ୍ତିକୁ ଭିନ୍ନ ଭିନ୍ନ ଦେବଶକ୍ତିର ଅଭିବ୍ୟକ୍ତି ବୋଲି ଜ୍ଞାନ କରି ସେମାନଙ୍କୁ ଯଦୃଚ୍ଛାଲବ୍‍ଧ ସୋମରସ ନୈବେଦ୍ୟରୂପେ ଦାନ କରି ଭିନ୍ନ ଭିନ୍ନ ଋକ୍‍ରେ ସେହି ସେହି ଦେବତାର ଗୁଣଗାନ କରି, ପୂଜା ସମାପନ କରୁଥିଲେ; କିନ୍ତୁ କ୍ରମେ ଆର୍ଯ୍ୟମାନଙ୍କର ସମାଜ ବୃହତ୍ତର ହୁଅନ୍ତେ ଓ ରାଜବଂଶମାନଙ୍କର ଆବିର୍ଭାବ ଓ ବ୍ରାହ୍ମଣାଦି ଜାତିର ସୃଷ୍ଟି ହୁଅନ୍ତେ, ସାମାଜିକ ଅନୁଷ୍ଠାନସମୂହ ଜଟିଳ ହେବାକୁ ଲାଗିଲା । ଧର୍ମ, ରାଜକୀୟ ଆଡ଼ମ୍ବରର ଅଙ୍ଗ ହୋଇ ଉଠିଲା, ଯେଉଁ ଯାଗ-ଯଜ୍ଞ ମୁକ୍ତିର ପନ୍ଥାରୂପେ ନିର୍ଦ୍ଦେଶିତ ହୋଇଥିଲା, ତାହା ସମ୍ପନ୍ନ କରିବାକୁ କେବଳ ଦିଗ୍‍ ବିଜୟୀ ସମ୍ରାଟମାନେହିଁ ପାରୁଥିଲେ । କ୍ରମେ ଧର୍ମରୁ ସରଳବିଶ୍ୱାସ ତୁଟି, ତାହା ଯାଗ, ମନ୍ତ୍ର-ତନ୍ତ୍ର, ପଶୁବଳି, ଶାରୀରିକ ନିର୍ଯ୍ୟାତନା ପ୍ରଭୃତିରେହିଁ ପର୍ଯ୍ୟବସିତ ହେଲା । ଧର୍ମ ନାମରେ ଦେଶରେ ଅସଂଖ୍ୟ ନିରୀହ ପଶୁଙ୍କର ନିଷ୍ଠୁରଭାବରେ ହତ୍ୟା ହେଉଥିଲା ଏବଂ ମୁକ୍ତି ଭିଖାରୀମାନେ ସତ୍ୟମାର୍ଗ ଭୁଲି, ଅକାରଣ କୃଚ୍ଛ୍ର ସାଧନାରେ ଶରୀରକୁ ନିର୍ଯ୍ୟାତିତ କରୁଥିଲେ । ଧର୍ମର ଏହି ଗ୍ଳାନି ବେଳେ ମହାମାନବ ଗୌତମ ବୁଦ୍ଧ ଜଗତରେ ଅବତୀର୍ଣ୍ଣ ହୋଇ ସତ୍ୟ, ମୁକ୍ତି ଓ ଦୟାର ଉଦାରବାଣୀ ପ୍ରଚାର କଲେ ।

 

ରୋହିଣୀ ନାମ୍ନୀ ଗିରିନଦୀ ନେପାଳ ରାଜ୍ୟର ପର୍ବତମାଳାରୁ ବାହାରି ଗଙ୍ଗା ନଦୀରେ ମିଶିଅଛି । ବର୍ତ୍ତମାନ ଯୁକ୍ତପ୍ରଦେଶର ଗୋରଖପୁର ଜିଲ୍ଲାର ଉତ୍ତର ପୂର୍ବକୁ ନେପାଳ ରାଜ୍ୟର ସୀମା ମଧ୍ୟରେ, ଏହି ରୋହିଣୀ ନଦୀକୂଳରେ ୨୫୦୦ ବର୍ଷ ପୂର୍ବେ କପିଳବାସ୍ତୁ ନାମକ ଏକ ସମୃଦ୍ଧ ନଗର ଥିଲା । ଏହି ନଗର ଶାକ୍ୟଜାତିର ରାଜଧାନୀ ଥିଲା । ଶାକ୍ୟମାନେ କ୍ଷତ୍ରିୟ ଥିଲେ ଓ ତଦାନୀନ୍ତନ ଅନ୍ୟାନ୍ୟ ଭାରତୀୟମାନଙ୍କ ପରି ସେମାନେ ମଧ୍ୟ ବ୍ରାହ୍ମଣ୍ୟ ଧର୍ମର ଅନ୍ତର୍ଭୁକ୍ତ ଥିଲେ । ଯେଉଁକାଳର କଥା କୁହାଯାଉଛି, ସେ ସମୟରେ ନରପତି ଶୁଦ୍ଧୋଦନ ଏହି ଶାକ୍ୟମାନଙ୍କ ଉପରେ ଶାସନ କରୁଥିଲେ । ଶୁଦ୍ଧୋଦନଙ୍କ କୁଳସଂଜ୍ଞା ଗୋତମ ଥିଲା । ଆଶ୍ଚର୍ଯ୍ୟ କଥା ଏହି ଯେ, ଯୁଗଯୁଗାନ୍ତ ପରେ ମଧ୍ୟ ପ୍ରାଚୀନ କପିଳବାସ୍ତୁ ଉପରେ ଦଣ୍ଡାୟମାନ ବର୍ତ୍ତମାନ ଗ୍ରାମର ଅଧିବାସୀମାନଙ୍କର ମଧ୍ୟ ଏହି କୁଳସଂଜ୍ଞା ଦେଖାଯାଏ ।

 

ଶୁଦ୍ଧୋଦନ ଓ ତାଙ୍କର ପତ୍ନୀ ମାୟାଦେବୀ ଦାମ୍ପତ୍ୟ ଜୀବନର ବହୁକାଳ ଅନପତ୍ୟ ହୋଇ ଅତିବାହିତ କରିବା ପରେ, ନାନା ବ୍ରତୋପାସନାରେ ଗୋଟିଏ ପୁତ୍ରସନ୍ତାନ ଲାଭ କଲେ । ବହୁଦିନର କାମନା ପୂର୍ଣ୍ଣ ହୁଅନ୍ତେ ଶୁଦ୍ଧୋଦନ ନବଜାତ ପୁତ୍ରକୁ ‘ସିଦ୍ଧାର୍ଥ’ ନାମ ଦେଲେ । ସିଦ୍ଧାର୍ଥ ଜନ୍ମ ହେବାର ସପ୍ତାହକ ପରେ ମାତା ମାୟାଦେବୀ ପ୍ରାଣତ୍ୟାଗ କଲେ । ତହୁଁ ନବୀନ ଶିଶୁର ଲାଳନ ପାଳନର ଭାର ମାତୃଷ୍ୱସା ପ୍ରଜାପତିଙ୍କ ଉପରେ ପଡ଼ିଥିଲା । ଏହି ଶିଶୁ ଯେ ଦିନେ ଜଗଦ୍‍ବିଖ୍ୟାତ ହେବ, ତାହା ଜ୍ଞାନୀ ଓ ଯୋଗୀମାନେ ଶୁଦ୍ଧୋଦନଙ୍କ ଆଗରେ ଭବିଷ୍ୟଦ୍‍ବାଣୀ କରିଥିଲେ । ଏହି ଶିଶୁ ପିତୃଦତ୍ତ ‘ସିଦ୍ଧାର୍ଥ’ ନାମ ଛଡ଼ା ପରେ ବୁଦ୍ଧି ବା ତତ୍ତ୍ୱ ପ୍ରାପ୍ତ ହେବାରୁ ବୁଦ୍ଧ, ଗୋତମବଂଶରେ ଜାତ ହେବାରୁ ଗୌତମ ଓ ଶାକ୍ୟଜାତିରେ ଜାତ ହେବାରୁ ଶାକ୍ୟସିଂହ ଓ ଶାକ୍ୟମୁନି ନାମରେ ଜଗତରେ ସୁପରିଚିତ ।

 

ବାଲ୍ୟକାଳରୁ ସିଦ୍ଧାର୍ଥ ଅତ୍ୟନ୍ତ ଚିନ୍ତାଶୀଳ ଥିଲେ । ଅସାଧାରଣ ଲାବଣ୍ୟ ସମ୍ପନ୍ନ ଓ ସୁଶୀଳ ଥିବାରୁ ରାଜପରିବାରର ସମସ୍ତଙ୍କ ନିକଟରେ ସେ ଅତ୍ୟନ୍ତ ପ୍ରିୟପାତ୍ର ହୋଇଥିଲେ । ପିତା ଶୁଦ୍ଧୋଦନ ଭବିଷ୍ୟଦ୍- ବକ୍ତାମାନଙ୍କଠାରୁ ଜାଣିଥିଲେ ଯେ, ଯଦି ବଂଶାନୁଗତ କ୍ଷାତ୍ର ଧର୍ମର ଅନୁସରଣ କରନ୍ତି, ତେବେ ସିଦ୍ଧାର୍ଥ ଦିନେ ବିରାଟ ପୃଥିବୀର ରାଜଚକ୍ରବର୍ତ୍ତୀ ହେବେ, କିନ୍ତୁ ସଂସାର ପ୍ରତି ବିରାଗୀ ହୋଇ ଯଦି ସେ ସନ୍ନ୍ୟାସ ଅବଲମ୍ୱନ କରନ୍ତି, ତେବେ ସେ ଜଗତରେ ଏକ ନୂତନ ଧର୍ମରାଜ୍ୟ ସ୍ଥାପନ କରିଯିବେ । କ୍ଷତ୍ରିୟ ରାଜା ଶୁଦ୍ଧୋଦନଙ୍କର ଐକାନ୍ତିକ ଇଚ୍ଛା ଥିଲା, ସେ ପୁତ୍ରକୁ ଦିଗ୍‍ବିଜୟୀ ରାଜଚକ୍ରବର୍ତ୍ତୀ ରୂପେ ଦେଖିବେ ଏବଂ ସେଥିଲାଗି ନବୀନ ରାଜକୁମାରଙ୍କର ଯେପରି କୌଣସି କ୍ରମେ ସଂସାର ପ୍ରତି ବିରାଗ ନ ଆସେ, ସେଥିଲାଗି ତାଙ୍କୁ ଏକାନ୍ତ ବିଳାସ ମଧ୍ୟରେ ଲାଳନ କରିବାକୁ ଲାଗିଲେ । ତାଙ୍କୁ କେବଳ ରାଜବଂଶୀୟ ସୁନ୍ଦର ସୁକୁମାର କିଶୋର କିଶୋରୀମାନଙ୍କ ସହ କ୍ରୀଡ଼ା କରିବାକୁ ଦିଆଯାଉଥିଲା ଏବଂ ଜଗତରେ ରୋଗ, ବାର୍ଦ୍ଧକ୍ୟ, ମୃତ୍ୟୁ ପ୍ରଭୃତି ଯେଉଁ ନିତ୍ୟପ୍ରବୃତ୍ତ ଦୁଃଖରାଶି, ତାହା ତାଙ୍କଠାରୁ ସମ୍ପୂର୍ଣ୍ଣ ଅଜ୍ଞାତ ରଖାଯାଉଥିଲା ।

 

ସେହି ପନ୍ଥା ଅନୁସରଣ କରି ସିଦ୍ଧାର୍ଥ ଯୌବନ ପ୍ରାପ୍ତ ହୁଅନ୍ତେ, ଶୁଦ୍ଧୋଦନ ପୁତ୍ରର ପରିଣୟ ବିଧାନ ଲାଗି ଅତ୍ୟନ୍ତ ତତ୍ପର ହୋଇପଡ଼ିଲେ । ତାଙ୍କର ଧାରଣା ଥିଲା ଯେ, ଇହଜଗତର ସକଳ ସୁଖସ୍ୱାଚ୍ଛନ୍ଦ୍ୟରେ ସିଦ୍ଧାର୍ଥଙ୍କ ଜୀବନକୁ ଆବୃତ କରି ବୈରାଗ୍ୟଆଡ଼ୁ ତାଙ୍କର ମୁଖ ଫେରାଇ ଆଣିବେ । ଶାକ୍ୟ ରାଜ୍ୟକୁ ଲାଗି କୋଳିରାଜ୍ୟ । ସେହି ରାଜ୍ୟର ଅଧିପତି ଦଣ୍ତପାଣିଙ୍କର ପରମାସୁନ୍ଦରୀ କନ୍ୟା ଯଶୋଧାରାଙ୍କୁ ପୁତ୍ରବଧୂ କରିବା ନିମନ୍ତେ ଶୁଦ୍ଧୋଦନ ଇଚ୍ଛା ପ୍ରକାଶ କରିବାରୁ ଦଣ୍ତପାଣି ଏହି ମତ ବ୍ୟକ୍ତ କଲେ ଯେ, ଶାକ୍ୟ ରାଜ-ପୁତ୍ରଙ୍କର କ୍ଷାତ୍ରବୃତ୍ତିର କୌଣସି ଲକ୍ଷଣ ଦେଖାଯାଉ ନାହିଁ । ସେ ଏପରି ଦୁର୍ବଳ ଲୋକଙ୍କୁ ନିଜର କନ୍ୟା ସମର୍ପଣ କରିବେ ନାହିଁ । ଏହି କଥା ସିଦ୍ଧାର୍ଥଙ୍କ କର୍ଣ୍ଣଗୋଚର ହୁଅନ୍ତେ, ସେ ଅନ୍ୟାନ୍ୟ କ୍ଷତ୍ରିୟ ତରୁଣମାନଙ୍କ ସହ ପ୍ରକାଶ୍ୟ ପ୍ରତିଯୋଗିତା ଭିକ୍ଷା କଲେ । ନିର୍ଦ୍ଦିଷ୍ଟ ଦିନରେ ରାଜ୍ୟର ଜନତା ନିର୍ଦ୍ଦିଷ୍ଟ ସ୍ଥାନରେ ସମାଗତ ହେଲେ । ଉଭୟ ରାଜକୁଳର ସମସ୍ତ ଲୋକେ ଉପସ୍ଥିତ ହେଲେ ଏବଂ ପ୍ରତିଯୋଗିତା ଆରମ୍ଭ ହେଲା । ଫଳରେ ଦେଖାଗଲା-ଅଶ୍ୱାରୋହଣ, ଧନୁର୍ବିଦ୍ୟା, ଅସିଚାଳନ ପ୍ରଭୃତି ସକଳ କ୍ଷାତ୍ରବିଦ୍ୟାରେ ସିଦ୍ଧାର୍ଥଙ୍କୁ ପରାଜୟ କରିବାକୁ ଶାକ୍ୟରାଜ୍ୟରେ କୌଣସି କ୍ଷତ୍ରିୟଯୁବକ ସମକକ୍ଷ ହେଲେ ନାହିଁ । ସମାଗତ ଜନତା ସମସ୍ୱରରେ ରାଜକୁମାରଙ୍କୁ ଧନ୍ୟ ଧନ୍ୟ କହିବାକୁ ଲାଗିଲେ । ନିର୍ଦ୍ଦିଷ୍ଟ ଦିନରେ ମହାସମାରୋହରେ ସିଦ୍ଧାର୍ଥ ଓ ଯଶୋଧାରାଙ୍କର ପରିଣୟ ସମ୍ପାଦିତ ହେଲା । ପୁତ୍ର ଓ ପୁତ୍ରବଧୂଙ୍କର ଦାମ୍ପତ୍ୟ ଜୀବନକୁ ସମ୍ଭୋଗମୟ କରିବାଲାଗି ଶୁଦ୍ଧୋଦନ ଶୀତ, ଗ୍ରୀଷ୍ମ, ବର୍ଷା ଏହି ତିନିଋତୁ ଲାଗି ତିନୋଟି ସ୍ୱତନ୍ତ୍ର ପ୍ରାସାଦ ନିର୍ମାଣ କଲେ ଏବଂ ସିଦ୍ଧାର୍ଥଙ୍କ ଚିତ୍ତବିନୋଦନ ଲାଗି ଅହରହ ସୁନ୍ଦରୀ ନର୍ତ୍ତକୀମାନଙ୍କର ଗୀତ-ନୃତ୍ୟରେ ପ୍ରାସାଦ ସବୁ ମୁଖରିତ ହୋଇ ଉଠିଲା ।

 

କିନ୍ତୁ ବିଧାତାଙ୍କର ମହାନ୍ ଉଦ୍ଦେଶ୍ୟ ବିଫଳ ହେବାର ନୁହେ । ଶୁଦ୍ଧୋଦନଙ୍କ ସମସ୍ତ ଯତ୍ନ ସତ୍ତ୍ୱେ ସିଦ୍ଧାର୍ଥ ବିଳାସମୟ ରାଜାନ୍ତଃପୁରର ବାହାରେ ଯେଉଁ ଦୁଃଖଯନ୍ତ୍ରଣାମୟ ଜଗତ୍ ପ୍ରବହମାନ ରହିଅଛି, ତାହାର ସନ୍ଧାନ ଲାଭ କଲେ । ଦିନେ ସାୟଂଭ୍ରମଣ ଉଦ୍ଦେଶ୍ୟରେ ସେ ରଥରେ ବସି ପ୍ରମୋଦୋଦ୍ୟାନକୁ ଯାତ୍ରା କଲାବେଳେ ଗୋଟିଏ ଲୁପ୍ତକେଶ, ଗଳିତନଖଦନ୍ତ, ବେପଥୁମାନ୍ ଜରାକ୍ଳିଷ୍ଟ ବୃଦ୍ଧକୁ ଦେଖି ପାରିଲେ । ସିଦ୍ଧାର୍ଥ ଏପରି ମନୁଷ୍ୟ ସେ ଯାବତ୍ ଦେଖି ନ ଥିଲେ । କାରଣ ରାଜପ୍ରାସାଦରେ ସେପରି ଜରାକ୍ଳିଷ୍ଟ ବ୍ୟକ୍ତି କେହି ନ ଥିଲେ । ସେ ସାରଥିକୁ ପ୍ରଶ୍ନ କଲେ, ‘ଏ କିଏ ? ଏହାର ଏପରି ଅବସ୍ଥା କାହିଁକି ହୋଇଅଛି ?’ ସାରଥୀ ଉତ୍ତର କଲା ଯେ, ‘ଏ ବ୍ୟକ୍ତି ବର୍ତ୍ତମାନ ବାର୍ଦ୍ଧକ୍ୟରେ ଉପନୀତ ହୋଇଅଛି । ପ୍ରତ୍ୟେକ ମନୁଷ୍ୟକୁ ଦିନେ ଏହି ଦଶାରେ ଉପନୀତ ହେବାକୁ ହେବ ।’ ସିଦ୍ଧାର୍ଥଙ୍କ ଚିତ୍ତରେ ସହସା ଭାବାନ୍ତର ଉପସ୍ଥିତ ହେଲା । ସେ ଭାବିଲେ, ଏ ଦେହ ଓ ଏ ଜୀବନର ତେବେ ଏହି ପରିଣାମ ? ରାଜାନ୍ତଃପୁରରେ ରହି ସେ ମାନବଜୀବନର ଯେଉଁ ସୁଖମୟ ଧାରଣା କରିଥିଲେ, ତାହା ସହସା ଦୂରୀଭୂତ ହେବାକୁ ଲାଗିଲା ଏବଂ ସେ ବିଷଣ୍ଣଚିତ୍ତରେ ପ୍ରାସାଦକୁ ଫେରି ଆସିଲେ ।

 

ଏହି ଘଟଣାର ପରେ ପରେ ବିଧାତାର କି ଅଜ୍ଞାତ ଉଦ୍ଦେଶ୍ୟ ଘେନି ସିଦ୍ଧାର୍ଥ ସେହିପରି ପ୍ରମୋଦୋଦ୍ୟାନକୁ ଯାତ୍ରା କଲାବେଳେ, ଗୋଟିଏ ରୋଗଗ୍ରସ୍ତ ଓ ପରେ ଗୋଟିଏ ମୃତ ଲୋକ ଦେଖିବାକୁ ପାଇଲେ । ମାନବଜୀବନର ଏହି ବିଭୀଷିକା ସିଦ୍ଧାର୍ଥଙ୍କ ଚିତ୍ତକୁ ବିକଳ କରି ପକାଇଲା-। ସେ ଭାବିବାକୁ ଲାଗିଲେ, ଯେଉଁ ଜୀବନରେ ବାର୍ଦ୍ଧକ୍ୟ, ରୋଗ, ମୃତ୍ୟୁ ପ୍ରଭୃତି ଚିରସହଚର, ସେଠାରେ ସୁଖ କାହିଁ ? କେଉଁ ସୁଖ ଆଶାରେ ମନୁଷ୍ୟମାନେ, ଏହି କ୍ଷୟଶୀଳ ଓ ପରିଣାମରେ ଦୁଃଖଦାୟକ ସଂସାରରେ ଏପରି ମତ୍ତ ଥାନ୍ତି ? ଏହି ଦୁଃଖ-ପାଶରୁ ଉଦ୍ଧାର ପାଇବାର ପନ୍ଥା କ’ଣ-? କି ଉପାୟରେ ମନୁଷ୍ୟ ରୋଗ, ଜରା,ମରଣାଦି ଦୁଃଖର ପ୍ରଭାବରୁ ନିଜକୁ ମୁକ୍ତ କରି ପାରେ ? ସିଦ୍ଧାର୍ଥଙ୍କ ଚିତ୍ତ ଏହିପରି ବ୍ୟାକୁଳ ଥିଲା ସମୟରେ ଆଉ ଦିନେ ପୁଣି ପ୍ରମୋଦୋଦ୍ୟାନକୁ ଯାତ୍ରା କଲାବେଳେ, ସେ ଏକ ସନ୍ନ୍ୟାସୀଙ୍କର ଦର୍ଶନ ଲାଭ କଲେ । ତାଙ୍କର ବଦନମଣ୍ଡଳ ପ୍ରଶାନ୍ତ ଜ୍ୟୋତିରେ ଉଦ୍ଭାସିତ ହେଉଥିଲା ଏବଂ ତାଙ୍କର ନିର୍ବିକାର ଭାବ ଦେଖି ଜଣା ପଡ଼ୁଥିଲା, ଯେପରି ସେ ଜଗତର ନିତ୍ୟକ୍ଷୟିଷ୍ଣୁ ସୁଖ ଦୁଃଖର ବହୁ ଊର୍ଦ୍ଧ୍ୱରେ–ଜଗତର ଦୁଃଖପାଶରୁ ସେ ଯେପରି ଏକାବେଳେକେ ମୁକ୍ତ । ସିଦ୍ଧାର୍ଥ ସାରଥିକୁ ଜିଜ୍ଞାସା କଲେ, ‘ଏ କିଏ ?’-କାରଣ ସେପରି ବ୍ୟକ୍ତି ସେ ରାଜାନ୍ତଃପୁରରେ ଦେଖିବାକୁ ପାଇ ନ ଥିଲେ । ସାରଥି ଉତ୍ତର କଲା, “ମହାଭାଗ ଏ ଜଣେ ସନ୍ନ୍ୟାସୀ । ଏ ସଂସାରର ସମସ୍ତ ପ୍ରଲୋଭନ ଫିଙ୍ଗି ଦେଇ ଧର୍ମମାର୍ଗରେ ଜୀବନ ଚାଳନ କରୁଅଛନ୍ତି । ଏ ଗୃହହୀନ, କୁଟୁମ୍ୱହୀନ, ବନ୍ଧୁହୀନ, ତଥାପି ତାଙ୍କର ଦୁଃଖ ନାହିଁ ।” ସନ୍ନ୍ୟାସୀଙ୍କର ସେହି ପ୍ରଶାନ୍ତ, ଲାବଣ୍ୟ ଓ ନିର୍ବିକାର ଭାବରେ ସିଦ୍ଧାର୍ଥ ବିମୋହିତ ହେଲେ ଏବଂ ସହସା ତାଙ୍କ ମନରେ ଏହି ଭାବ ଉଦିତ ହେଲା ଯେ, ଏହି ମାର୍ଗହିଁ ଜୀବନରେ ଶାନ୍ତି ଆନୟନ କରି ପାରେ । ଏହା ଭାବି ଭାବି, ସେ ସାରଥିକୁ ରଥ ଲେଉଟାଇବାକୁ କହିଲେ । ରଥରେ ଆରୋହଣ କରିବାକୁ ଯାଉଅଛନ୍ତି, ଏପରି ସମୟରେ ଏକ ଦୂତ ସମ୍ବାଦ ଦେଲା ଯେ, ଯଶୋଧାରା ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରି ଅଛନ୍ତି । ସିଦ୍ଧାର୍ଥ ହଠାତ୍ ଭାବିବାକୁ ଲାଗିଲେ, ସଂସାର ପାଶରେ ତାଙ୍କୁ ବାନ୍ଧି ରଖିବାକୁ ଏ ଏକ ନୂତନ ବନ୍ଧନ ଏବଂ ସେହି ଧାରଣାରେ ନବଜାତ ପୁତ୍ରକୁ ‘ରାହୁଳ’ ବୋଲି କହି ପକାଇଲେ-। ରାହୁଳ ଶବ୍ଦର ଅର୍ଥ ବନ୍ଧନ । ସିଦ୍ଧାର୍ଥଙ୍କ ପୁତ୍ର ସେହି ନାମରେହିଁ ଜଗତରେ ପରିଚିତ ।

 

ରଥାରୋହଣ କରି ରାଜପ୍ରାସାଦକୁ ପ୍ରତ୍ୟାବର୍ତ୍ତନ କଲାବେଳେ ପଥମଧ୍ୟରେ ହର୍ଷୋତ୍‍ଫୁଲ୍ଲ ଜନତା ତାଙ୍କୁ ପୁଷ୍ପବର୍ଷଣ, ଶଙ୍ଖଧ୍ୱନି ଓ ନୃତ୍ୟ ଗୀତ ବାଦ୍ୟରୋଳରେ ସମ୍ବର୍ଦ୍ଧନା କରିବାକୁ ଲାଗିଲେ । ନାଗରିକ ଓ ନାଗରିକାମାନଙ୍କର ସେ ଅଭିବାଦନ କିନ୍ତୁ ସିଦ୍ଧାର୍ଥଙ୍କୁ ସ୍ପର୍ଶ କରି ପାରି ନ ଥିଲା । ସେ କେବଳ ଭାବୁଥିଲେ, କି ଉପାୟରେ ସଂସାରର ସମସ୍ତ ବନ୍ଧନ ଛିନ୍ନ କରି ସତ୍ୟ ଓ ଶାନ୍ତିର ଅନ୍ୱେଷଣ କରିବେ ।

 

କ୍ରମେ ଆନନ୍ଦମୁଖର ରଜନୀ ଶାନ୍ତ ହେବାକୁ ବସିଲା । ସିଦ୍ଧାର୍ଥଙ୍କ ନେତ୍ରରେ ନିଦ୍ରା ନାହିଁ-। ନିଶୀଥକାଳରେ ସେ ଶଯ୍ୟାରୁ ଉଠି ଧୀରେ ଧୀରେ ଅଶ୍ୱଶାଳା ଆଡ଼କୁ ଗଲେ । ସେଠାରେ ବିଶ୍ୱସ୍ତ ଅଶ୍ୱଚାଳକ ଛନ୍ଦକକୁ ଉଠାଇ ନିଜର ପ୍ରିୟ ଅଶ୍ୱ କଣ୍ଟକକୁ ସଜ୍ଜିକ କରିବାକୁ କହିଲେ । ଛନ୍ଦକ ମନ୍ତ୍ରମୁଗ୍‍ଧ ପରି ପ୍ରଭୁର ଆଦେଶ ପାଳନ କରିବାକୁ ଗଲା । ଏଣେ ସିଦ୍ଧାର୍ଥ ଥରେ ଯଶୋଧାରା ଓ ନବଜାତ ପୁତ୍ରକୁ ଦେଖି ଆସିବା ଲାଗି ଅନ୍ତଃପୁର ଆଡ଼କୁ ଗଲେ । ଯଶୋଧାରା ଶିଶୁ ସନ୍ତାନ ଦେହରେ ହାତ ଦେଇ ନିଦ୍ରିତା ଥିଲେ । ସିଦ୍ଧାର୍ଥ ସେମାନଙ୍କ ଆଡ଼କୁ ଥରେ ସତୃଷ୍ଣ ନୟନରେ ଚାହିଁ ରହିଲେ ଓ ନବଜାତ ପୁତ୍ରଟିକୁ ଥରେ ବକ୍ଷରେ ଧରିବାକୁ ଇଚ୍ଛା କଲେ; କିନ୍ତୁ କାଳେ ଯଶୋଧାରା ନିଦ୍ରାତ୍ୟାଗ କରି ତାଙ୍କର ପଥରେ ବାଧା ଦେବେ, ଏହି ଭୟରେ ସେ ସେହି ଉତ୍ତପ୍ତ ବାସନାକୁ ବକ୍ଷରେ ମାରି ଦେଇ ସେଠାରୁ ପ୍ରସ୍ଥାନ କଲେ ।

 

ପ୍ରାଙ୍ଗଣରେ ଅଶ୍ୱ ସଜ୍ଜିତ ଥିଲା । ସେଦିନ ବୈଶାଖ ପୂର୍ଣ୍ଣିମା । ବିମଳ ଚନ୍ଦ୍ରାଲୋକରେ ସମଗ୍ର କପିଳବାସ୍ତୁ ଆଲୋକିତ ହୋଇ ଉଠିଥାଏ । ରାଜା ସିଦ୍ଧାର୍ଥ ନୀରବରେ ପ୍ରାଙ୍ଗଣରୁ ରାଜଦାଣ୍ଡକୁ ଓ ରାଜଦାଣ୍ଡରୁ ଦୁର୍ଗଦ୍ୱାର ଆଡ଼କୁ ଗତି କରିବାକୁ ଲାଗିଲେ । ନଗରରୁ ବହିର୍ଗତ ହୁଅନ୍ତେ, ସିଦ୍ଧାର୍ଥ ଅଶ୍ୱାରୋହଣ କଲେ ଓ ଛନ୍ଦକ ପ୍ରଭୁର ଅନୁସରଣ କଲା ।

 

ସମସ୍ତ ରାତ୍ରି ଗତି କରିବା ପରେ ଉଷାର ଉଦୟ ବେଳକୁ ସିଦ୍ଧାର୍ଥ ଶାକ୍ୟରାଜ୍ୟ ଓ କୋଳିରାଜ୍ୟ ଅତିକ୍ରମ କରି, ଅଶୋମା ନଦୀକୂଳରେ ଉପସ୍ଥିତ ହୋଇ ପାରିଥିଲେ । ଅଶୋମାର ସିକତାରେ ଅଶ୍ୱରୁ ଓହ୍ଲାଇ ସିଦ୍ଧାର୍ଥ ନିଜର ରାଜକୀୟ ବେଶଭୂଷା ଦେହରୁ କାଢ଼ି ଛନ୍ଦକକୁ ଅର୍ପଣ କଲେ । ପ୍ରଭୁଭକ୍ତ ଛନ୍ଦକ ସିଦ୍ଧାର୍ଥଙ୍କ ସହଚର ହୋଇ ତାଙ୍କର ଚରଣସେବାର ଅଧିକାରୀ ହେବାକୁ ବିକଳଭାବରେ ଅନୁରୋଧ କଲା । ସିଦ୍ଧାର୍ଥ ନାସ୍ତି କଲେ ଏବଂ କପିଳବାସ୍ତୁକୁ ଫେରିଯାଇ ପିତାମାତାଙ୍କୁ ତାଙ୍କର ସମ୍ବାଦ ଦେବାକୁ ଆଦେଶ ଦେଲେ । ତା ପରେ କଟିଦେଶରୁ ଅସି ନିଷ୍କାସନ କରି ସ୍ୱହସ୍ତରେ ମସ୍ତକର ଦୀର୍ଘକେଶ ଓ ଶ୍ମଶ୍ରୁ ଛେଦନ କରି ପକାଇଲେ ଏବଂ ନିଜର ବହୁମୂଲ୍ୟ ବସ୍ତ୍ର ନୂତନ ଜୀବନଯାତ୍ରାରେ ସୁନ୍ଦର ଦିଶିବ ନାହିଁ ଭାବି ନିକଟରେ ଯାଉଥିବା ଗୋଟିଏ ଭିକ୍ଷୁକ ସହ ବସ୍ତ୍ରର ବିନିମୟ କଲେ । ଏହିପରିଭାବରେ ରାଜପୁତ୍ରଙ୍କର ସନ୍ନ୍ୟାସ ସମ୍ପୂର୍ଣ୍ଣ ହେଲା । ରାଜ୍ୟ, ସିଂହାସନ, ପିତା, ମାତା, ପତ୍ନୀ, ପୁତ୍ର, ବିଳାସ, ସୁଖ, ସ୍ୱାଚ୍ଛନ୍ଦ୍ୟ ସମସ୍ତକୁ ପଛରେ ଫିଙ୍ଗି ଦେଇ ରାଜକୁମାର ସିଦ୍ଧାର୍ଥ ସତ୍ୟର ସନ୍ଧାନ ଲାଗି ପ୍ରତ୍ୟହ ଭିଖାରୀ ହେଲେ । ନିଜର ପ୍ରାଣପ୍ରିୟ ପ୍ରଭୁଙ୍କୁ ଦୀନଦରିଦ୍ର ଭିକ୍ଷୁକବେଶରେ ଅଶୋମାର ବାଲୁକାରେ ନିଃସହାୟ ହୋଇ ଠିଆ ହୋଇଥିବାର ଦେଖି ଦେଖି ଛନ୍ଦକ କରୁଣଭାବରେ ବିଳାପ କରି କରି କପିଳବାସ୍ତୁକୁ ପ୍ରତ୍ୟାବର୍ତ୍ତନ କଲା ।

 

ନିଜ ଦେଶ ଓ ଲୋକଙ୍କଠାରୁ ଦୂରରେ ରହିବା ଉଚିତ ମନେ କରି, ସିଦ୍ଧାର୍ଥ ସେଠାରୁ ରାଜଗୃହ ଆଡ଼କୁ ଯାତ୍ରା କଲେ । ସେ ସମୟରେ ରାଜଗୃହ ମଗଧ ରାଜ୍ୟର ରାଜଧାନୀ ଥିଲା ଓ ଜ୍ଞାନାଲୋଚନାର ଏକ ବିଖ୍ୟାତ କେନ୍ଦ୍ର ଥିଲା । ସିଦ୍ଧାର୍ଥ ରାଜଗୃହରେ ପ୍ରବେଶ କରି ରାଜପଥରେ ଦ୍ୱାରେ ଦ୍ୱାରେ ଭିକ୍ଷା କରନ୍ତେ, ତାଙ୍କର ସେହି ଲାବଣ୍ୟମୟ ରୂପ, ତରୁଣ ବୟସ ଓ ଉଚ୍ଚବଂଶରେ ଜନ୍ମ ହେତୁ ନଗରରେ ଚାଞ୍ଚଲ୍ୟ ସୃଷ୍ଟି ହେଲା । ନିଜେ ରାଜା ବିମ୍ବିସାର ସିଦ୍ଧାର୍ଥଙ୍କ ନିକଟକୁ ଆସି ତାଙ୍କୁ ଏ ପ୍ରକାର ସାଧନାରୁ ନିବୃତ୍ତ ହେବାକୁ କହିଲେ ଏବଂ ନିଜର ପ୍ରାସାଦ ନିକଟରେ ଅଧିବାସର ସମସ୍ତ ଆୟୋଜନ କରିଦେବା ଲାଗି ଅଯାଚିତ ପ୍ରତିଶ୍ରୁତି ଦେଲେ । କିନ୍ତୁ ସିଦ୍ଧାର୍ଥ ସେ ସମସ୍ତ ପ୍ରତ୍ୟାଖ୍ୟାନ କରି ଭିକ୍ଷୁକଜୀବନ ସତ୍ୟାନ୍ୱେଷଣର ଉପଯୋଗୀ ଜାଣି ନଗରର ବାହାରେ ଗୃଧ୍ରକୂଟ ପର୍ବତର ଏକ ଗୁହାରେ ବସବାସ କରିବାକୁ ଲାଗିଲେ । ଏହିଠାରେ ଅବସ୍ଥାନ କଲା ସମୟରେ ଆଲାର ଓ ଉଦକ ନାମକ ହିନ୍ଦୁଗୁରୁଙ୍କ ନିକଟରେ ସିଦ୍ଧାର୍ଥ ଜ୍ଞାନାଲୋଚନା କରି ମୁକ୍ତିର ସନ୍ଧାନ ପାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତହିଁରେ ତାଙ୍କର ଚିତ୍ତ ତୃପ୍ତ ନ ହେବାରୁ କଠୋର ତପଶ୍ଚରଣଦ୍ୱାରା ଯଦି ମୁକ୍ତିର ପନ୍ଥା ଲାଭ କରାଯାଇ ପାରେ–ଏହା ବିଚାରି ସେଠାରୁ ଉରୁବେଲ ବନଆଡ଼କୁ ଯାତ୍ରା କଲେ ।

 

ଉରୁବେଲ କାନନ ବର୍ତ୍ତମାନର ବୁଦ୍ଧଗୟା ନିକଟରେ ବିସ୍ତୃତ ଥିଲା । ଏହି ନିବିଡ଼ କାନନ ମଧ୍ୟରେ ଗୋଟିଏ ବୃକ୍ଷମୂଳରେ ରାଜକୁମାର ସିଦ୍ଧାର୍ଥ ମାନବଜୀବନର ଦୁଃଖ ନିରାକରଣ ନିମନ୍ତେ କଠୋର ତପସ୍ୟା ଆରମ୍ଭ କଲେ । କ୍ରମେ ଅନ୍ୟ ପାଞ୍ଚଜଣ ତପସ୍ୱୀ ସିଦ୍ଧାର୍ଥଙ୍କ ମହତ୍ତ୍ୱରେ ଆକୃଷ୍ଟ ହୋଇ ସେଠାରେ ଯୋଗଦାନ କଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ, ଏହି ଦେବୋପମ ପୁରୁଷ ନିଶ୍ଚୟ ତପସ୍ୟାରେ ସିଦ୍ଧିଲାଭ କରିବେ । ସେହି ସ୍ଥାନରେ ରହି ସିଦ୍ଧାର୍ଥ ଦୀର୍ଘ ଛଅ ବର୍ଷକାଳ କଠୋର ତପସ୍ୟାରେ ନିଜର ଶରୀରକୁ ଏପରି ନିର୍ଯ୍ୟାତିତ କଲେ ଯେ, ତାଙ୍କର ଚକ୍ଷୁ କୋଟରଗତ ହେଲା, ଦେହ ଅସ୍ଥିଚର୍ମ୍ମ ସାର ହେଲା ଓ ମସ୍ତକରୁ ସମସ୍ତ କେଶ ଅପସାରିତ ହୋଇଗଲା । କିନ୍ତୁ ସମସ୍ତ ସାଧନା ସତ୍ତ୍ୱେ ସିଦ୍ଧାର୍ଥ ମୁକ୍ତିର ପନ୍ଥା ଖୋଜି ପାଇଲେ ନାହିଁ । ଶେଷରେ ତପଶ୍ଚରଣ ଦ୍ୱାରା ଜ୍ଞାନଲାଭ ହୁଏ-ଏଥିରୁ ତାଙ୍କର ବିଶ୍ୱାସ ତୁଟିଗଲା । ଛଅ ବର୍ଷ ଶେଷରେ ସିଦ୍ଧାର୍ଥ ତପସ୍ୟାରୁ ନିବୃତ୍ତ ହୋଇ ଅନ୍ୟ ସ୍ୱାଭାବିକ ପନ୍ଥା ଅବଲମ୍ବନ କରିବାର ଇଚ୍ଛା କରି ପୂର୍ବପରି ନିକଟବର୍ତ୍ତୀ ସ୍ରୋତସ୍ୱତୀରେ ସ୍ନାନ କରି, କିଛି ଆହାର କରିବାର ଇଚ୍ଛା କଲେ । ଏହି ସମୟରେ ଦେବପ୍ରେରିତବତ୍ ନିକଟବର୍ତ୍ତୀ ଗ୍ରାମର ଶ୍ରେଷ୍ଠୀକନ୍ୟା ସୁଜାତା ପାୟସାନ୍ନ ଘେନି ସମ୍ମୁଖରେ ଉପସ୍ଥିତ ହେଲା ଓ ସିଦ୍ଧାର୍ଥଙ୍କୁ ବନଦେବତା ଭାବି ତାଙ୍କ ନିକଟରେ ଅର୍ପଣ କରି ଦେଇ ଫେରିଗଲା-। ସିଦ୍ଧାର୍ଥ ତାହା ଗ୍ରହଣ କରି କିଞ୍ଚିତ୍ ବଳ ଲାଭ କରନ୍ତେ ସେଠାରୁ ଉଠି ସ୍ରୋତସ୍ୱତୀର କୂଳେ କୂଳେ ଭ୍ରମଣ କରିବାକୁ ଲାଗିଲେ ଏବଂ ଭାବିବାକୁ ଲାଗିଲେ, ମାନବଜୀବନରୁ ଦୁଃଖ ନିରାକରଣର କ’ଣ ପନ୍ଥା ନାହିଁ ? କି ଉପାୟରେ ତାହାର ସନ୍ଧାନ ପାଇବି ଏହା ଭାବି ଭାବି ସେ ନିରଞ୍ଜନା ନଦୀ ତଟରେ ଉପସ୍ଥିତ ହେଲେ । ସନ୍ଧ୍ୟା ସମାଗମ ହୁଅନ୍ତେ ସିଦ୍ଧାର୍ଥ ନଦୀକୂଳସ୍ଥ ଏକ ଅଶ୍ୱତ୍ଥ ତରୁତଳରେ ଉପବେଶନ କରି ପ୍ରତିଜ୍ଞା କଲେ, ‘ମୋର ଏ ଶରୀରରୁ ସମସ୍ତ ରକ୍ତ ନିଃଶେଷିତ ହୋଇ ମୋର ଚର୍ମ୍ମ ଶୁଷ୍କ ହୋଇଗଲେହେଁ, ସତ୍ୟ ଲାଭ ବ୍ୟତୀତ ମୁଁ ଏଠାରୁ ଉଠିବି ନାହିଁ ।’

 

ଗଭୀର ମନନର ଫଳରେ ରାତ୍ରିର ଅବସାନ ବେଳକୁ ସିଦ୍ଧାର୍ଥଙ୍କ ଚିତ୍ତରେ ସତ୍ୟ ଆବିର୍ଭୂତ ହୋଇ ତାଙ୍କର ସମସ୍ତ ଅନ୍ତରାତ୍ମାକୁ ଆଲୋକିତ କରି ପକାଇଲା । ଗଭୀର ଅନ୍ଧାର ମଧ୍ୟରେ ସେ ସହସା ଆଲୋକରେଖା ଦେଖି ପାରିଲେ ଏବଂ ମାନବ ଜୀବନରେ ଦୁଃଖର କାରଣ ଓ ତା’ର ବିନାଶର ଉପାୟ ଖୋଜି ପାଇଲେ । ସେ ବୁଝିଲେ, ମାନବଜୀବନର ସମସ୍ତ ଦୁଃଖ ତୃଷ୍ଣାରୁ ଉତ୍ପନ୍ନ । ଏହି ତୃଷ୍ଣା ଯୋଗୁହିଁ ସେ ବାରମ୍ବାର ଏହି ପୃଥିବୀରେ ଅବତୀର୍ଣ୍ଣ ହୋଇ ନାନା ଦୁଃଖ ଭୋଗ କରେ । ମାନବ ଜୀବନରୁ ଦୁଃଖ-ବିନାଶର ଏକମାତ୍ର ଉପାୟ ତୃଷ୍ଣାର ବିନାଶ । ତୃଷ୍ଣାର ସମୂଳ ବିନାଶ ହେଲେ ମନୁଷ୍ୟ ନିର୍ବାଣ ଲାଭ କରି ପରମ ଶାନ୍ତି ଲାଭ କରେ । ସେ ମଧ୍ୟ ବୁଝିଲେ ଯେ, ଯାଗଯଜ୍ଞ ଓ ତପଃସାଧନରେ ମନୁଷ୍ୟ ଆତ୍ମାର ମୁକ୍ତି ହୋଇ ନ ପାରେ । ସମଗ୍ର ଜଗତ୍ କାର୍ଯ୍ୟକାରଣାତ୍ମକ ନିୟମମାନଙ୍କଦ୍ୱାରା ଚାଳିତ । ପ୍ରତ୍ୟକ୍ଷୀଭୂତ ସକଳ ଘଟଣା ପଛରେ କାରଣମାନ ରହିଅଛି ଏବଂ ବର୍ତ୍ତମାନର ଘଟଣାମାନଙ୍କରେ ଭବିଷ୍ୟତ୍ ଘଟଣାମାନଙ୍କର ବୀଜ ନିହିତ ଅଛି । ଏହି କଠୋର ନିୟମରୁ କାହାରି ଅବ୍ୟାହତି ପାଇବାର ପଥ ନାହିଁ । ମନୁଷ୍ୟ ମାତ୍ରେ ଏହି ନିୟମର ଅଧୀନ । ମନୁଷ୍ୟର ଇହଜୀବନର ସୁଖ ଦୁଃଖ, ତା’ର ଇହଜୀବନ ବା ପୂର୍ବଜୀବନର ଫଳ ଓ ଭବିଷ୍ୟତ୍ ଜୀବନର ସୁଖ ଦୁଃଖ ଇହଜୀବନର କର୍ମ ଉପରେ ନିର୍ଭର କରେ । ମନୁଷ୍ୟର ସୁଖ ଦୁଃଖ, ସମ୍ପୂର୍ଣ୍ଣତଃ ତା’ର ନିଜ ହାତରେ । ଶରୀରକୁ ନିର୍ଯ୍ୟାତନା ଦେଇ ବା ଯାଗଯଜ୍ଞାଦି ବାହ୍ୟ ଆଚାରଦ୍ୱାରା ମୁକ୍ତି ଖୋଜିବା ଭ୍ରମ । କେବଳ ତୃଷ୍ଣାହୀନ ପୁଣ୍ୟମୟ ଜୀବନଦ୍ୱାରାହିଁ ନିର୍ବାଣ ପ୍ରାପ୍ତି ସମ୍ଭବ । ଏହି ବୁଦ୍ଧି ବା ଜ୍ଞାନଦ୍ୱାରା ସିଦ୍ଧାର୍ଥଙ୍କର ସକଳ ସନ୍ଦେହ ଦୂର ହେଲା ଏବଂ ଏହା ଲାଭ କରିବାରୁ ସେ ଜଗତରେ ବୁଦ୍ଧ ନାମରେ ପରିଚିତ ହେଲେ ।

 

ବୁଦ୍ଧ ପ୍ରଥମେ ବିଚାର କଲେ, ଏହି ଯେଉଁ ନୂତନ ସତ୍ୟ ସେ ଲାଭ କଲେ, ତାହା କେବଳ ନିଜ ଜୀବନକୁ ନିୟମିତ କରିବ, ନା ଜଗତର ସକଳ ମାନବର ହିତଲାଗି ସେ ଏହା ପ୍ରଚାର କରିବେ ? ଜୀବ ଓ ମାନବ ପ୍ରତି ସୀମାହୀନ କରୁଣା ତାକୁ ଏହି ସତ୍ୟ-ଜଗତର ମଙ୍ଗଳଲାଗି ପ୍ରଚାର କରିବାକୁ ଉଦ୍‍ବୁଦ୍ଧ କଲା । ତହୁଁ ସେ ନୂତନଧର୍ମର ପ୍ରଚାର ଲାଗି ବାରାଣସୀ ଆଡ଼କୁ ଯାତ୍ରା କଲେ । ବାରାଣସୀର ଅଦୂରରେ ମୃଗଦାବ କାନନରେ ସେ ପୂର୍ବପରିଚିତ ପଞ୍ଚ-ସଖାଙ୍କୁ ଭେଟନ୍ତେ ସେମାନଙ୍କର ତୁଷ୍ଟିସାଧନାର୍ଥ ସେହି ସ୍ଥାନରେ ବର୍ତ୍ତମାନର ସାରନାଥଠାରେ, ବୌଦ୍ଧଧର୍ମର ପ୍ରଥମ ପ୍ରଚାର ଆରମ୍ଭ କଲେ । କ୍ରମେ ପ୍ରଚାର ଓ ଶିଷ୍ୟ ସଂଖ୍ୟା ବଢ଼ିବାକୁ ଲାଗିଲା । ମହାରାଜ ବିମ୍ୱିସାରଙ୍କଠାରୁ ଆରମ୍ଭ କରି ସମାଜର ନିମ୍ନତମ ବ୍ୟକ୍ତିଯାଏ, ଜାତିବର୍ଣ୍ଣନିର୍ବିଶେଷରେ ସମସ୍ତଙ୍କ ଲାଗି ଏହି ଧର୍ମର ଦ୍ୱାର ଉନ୍ମୁକ୍ତ ଥିଲା । ସାଧାରଣତଃ ଅନଭିଜ୍ଞ ଜନତା, ଧର୍ମର ତତ୍ତ୍ୱ ଅପେକ୍ଷା, ତା’ର ବାହ୍ୟିକ ଆଚାର ପ୍ରତି ବିଶେଷ ଅନୁରକ୍ତ ଦେଖାଯାନ୍ତି । ବୁଦ୍ଧପ୍ରଚାରିତ ଧର୍ମରେ ବାହ୍ୟ ଆଚାର ବା ଆରାଧନାର ଆଡ଼ମ୍ବରର ସ୍ଥାନ ନ ଥିଲା; କିନ୍ତୁ ତାହା ସତ୍ତ୍ୱେ ଜନସାଧାରଣ ବହୁସଂଖ୍ୟାରେ ଯେପରି ଏହା ଗ୍ରହଣ କଲେ, ସେଥିରେ ବୁଦ୍ଧଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ପ୍ରଚାରିତ ଧର୍ମର ଉଦାରତାରହିଁ ପରିଚୟ ମିଳେ ।

 

ଊନତ୍ରିଂଶତ୍ ବୟସରେ ସିଦ୍ଧାର୍ଥ ଗୃହତ୍ୟାଗ କଲେ । ଛଅ ବର୍ଷ ତପସ୍ୟା ପରେ ପଞ୍ଚତ୍ରିଂଶତ୍ ବର୍ଷ ବୟସରେ ସେ ବୁଦ୍ଧତ୍ୱ ଲାଭ କଲେ । ଏହି ତରୁଣ ବୟସରୁ ଜୀବନର ଶେଷଯାଏ ତାଙ୍କର ପ୍ରତ୍ୟେକ ମୁହୂର୍ତ୍ତ ନୂତନ ଧର୍ମର ପ୍ରଚାରରେ ଲାଗିଥିଲା । ସିଦ୍ଧାର୍ଥ ବୁଦ୍ଧତ୍ୱ ଲାଭ କରିଥିବା ଜାଣି ରାଜା ଶୁଦ୍ଧୋଦନ ପୁତ୍ରଙ୍କୁ ନିଜ ରାଜ୍ୟକୁ ଯିବାକୁ ନିମନ୍ତ୍ରଣ କଲେ । ବହୁ ଶିଷ୍ୟ ପରିବେଷ୍ଟିତ ହୋଇ ବୁଦ୍ଧ କପିଳବାସ୍ତୁରେ ପ୍ରବେଶ କରନ୍ତେ ସମଗ୍ର ଶାକ୍ୟ ରାଜ୍ୟ ଆନନ୍ଦରେ ବିହ୍ୱଳ ହୋଇଗଲା-। କିନ୍ତୁ ମୁଣ୍ଡିତ ମସ୍ତକ, ଭିକ୍ଷୁ, ପରିଧେୟ- ସ୍ଥୂଳ ଦାରିଦ୍ର ବାସ ଓ ଭିକ୍ଷାପାତ୍ର ଘେନି ସିଦ୍ଧାର୍ଥ ଯେତେବେଳେ ନିଜର ରାଜଧାନୀର ରାଜପଥରେ ଭିକ୍ଷା କରିବାକୁ ବାହାରିଲେ, ନାଗରିକମାନେ ସ୍ତବ୍‍ଧ ହୋଇ ଦଣ୍ଡାୟମାନ ରହିଲେ । ତାଙ୍କର ଜଣେ ପିତୃବ୍ୟ ଆଉ ସହ୍ୟ କରି ନ ପାରି ରାଜପଥକୁ ଆସି ଗୌତମଙ୍କୁ ପ୍ରକାଶ୍ୟଭାବରେ ତିରସ୍କାର କଲେ ଓ କହିଲେ ଯେ, ଶାକ୍ୟବଂଶ ତାଙ୍କ ଦ୍ୱାରା ଲଜ୍ଜିତ ଓ କଳଙ୍କିତ ହେଲା । ଗୌତମ ପ୍ରଶ୍ନ କଲେ, ମୋର ଅପରାଧ କ’ଣ ? ପିତୃବ୍ୟ କହିଲେ, କପିଳବାସ୍ତୁର କ୍ଷତ୍ରିୟ ରାଜବଂଶରେ କିଏ ଏପରି ଦୀନଦରିଦ୍ର ପରି ଭିକ୍ଷା କରିଥିଲା ? ଗୌତମ ଉତ୍ତର କଲେ “ପୂର୍ବଯୁଗର ବୁଦ୍ଧଗଣ ଯାହା କରିଅଛନ୍ତି, ମୁଁ ତାହାହିଁ କରିଛି ।’’ ଏହି ସମୟରେ ନିଜେ ଶୁଦ୍ଧୋଦନ ସେ ସ୍ଥାନରେ ଉପଗତ ହେଲେ ଓ ସିଦ୍ଧାର୍ଥ ଓ ସମସ୍ତ ଶିଷ୍ୟଙ୍କୁ ଭୋଜନ ଲାଗି ନିମନ୍ତ୍ରଣ କଲେ । ରାଜପ୍ରାସାଦରେ ଉପସ୍ଥିତ ହେଲା ପରେ, ରାଜାନ୍ତଃପୁରର ସମସ୍ତ ସୀମନ୍ତିନୀଗଣ ବୁଦ୍ଧଙ୍କୁ ବନ୍ଦନା କରିବାକୁ ଆସିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ଯଶୋଧାରାଙ୍କୁ ନ ଦେଖି ବୁଦ୍ଧ ନିଜେ ଅନ୍ତଃପୁର ମଧ୍ୟକୁ ଯାଇ, ଯଶୋଧାରାଙ୍କ କକ୍ଷରେ ପ୍ରବେଶ କଲେ । ସ୍ୱାମୀଙ୍କର ଏହି ସନ୍ନ୍ୟାସୀ ବେଶ ଦେଖି ଯଶୋଧାରା ବିଳାପରେ ବିହ୍ୱଳ ହୋଇ ପତିଙ୍କ ପଦତଳେ ଲୁଣ୍ଠିତ ହୋଇ ପଡ଼ିଲେ । ବୁଦ୍ଧ ତାଙ୍କୁ କିଛି ସାନ୍ତ୍ୱନା ଦେଇ ପୁଣି ଫେରି ଆସିଲେ ।

 

କପିଳବାସ୍ତୁରେ କିଛିଦିନ ରହି ବୁଦ୍ଧ ପୁଣି ପ୍ରଚାର କାର୍ଯ୍ୟରେ ବାହାରି ପଡ଼ିଲେ ବର୍ଷାକାଳ ଛଡ଼ା ବର୍ଷର ଅନ୍ୟ ସମସ୍ତ ଋତୁରେ ତାଙ୍କର ଶିଷ୍ୟମାନେ ଜନସମାଜରେ ଗ୍ରାମେ ଗ୍ରାମେ ବୁଲି ନୂତନ ଧର୍ମ ପ୍ରଚାର କରିବାକୁ ଲାଗି ଲେ । ବର୍ଷା ଋତୁରେ, ପ୍ରତ୍ୟାବୃତ୍ତ ଶିଷ୍ୟମାନଙ୍କୁ ସଙ୍ଗରେ ଘେନି ବୁଦ୍ଧଦେବ କୌଣସି ବନ, ନଗରୀ ଉପକଣ୍ଠ ବା ପର୍ବତ ଗୁହାରେ ଆଶ୍ରୟ ନେଇ ଗଭୀର ମନ୍ତ୍ର ଓ ଉପଦେଶ ଦାନରେ ସମୟ ଅତିବାହିତ କରୁଥିଲେ । ବୁଦ୍ଧଙ୍କର ଶିଷ୍ୟମାନଙ୍କ ମଧ୍ୟରେ ଶ୍ରାବସ୍ତୀର ପ୍ରସିଦ୍ଧ ଶ୍ରେଷ୍ଠୀ ଅନାଥପିଣ୍ଡଦ ଏକତମ । ବୁଦ୍ଧଙ୍କ ସେବାରେ ନିୟୋଜିତ କରିବାପାଇଁ ସେ ବହୁ ସହସ୍ର ମୁଦ୍ରାବ୍ୟୟରେ, ଶ୍ରାବସ୍ତୀ ସମୀପରେ ଦ୍ୱୈତବନ ନାମକ ଉପବନ କ୍ରୟ କରି, ତହିଁରେ ଅସଂଖ୍ୟ ବାସଗୃହ ନିର୍ମାଣ କରାଇ ଦେଇଥିଲେ । ବୁଦ୍ଧଦେବ ଅନେକ ସମୟ ଏହି ଦ୍ୱୈତବନରେ ଅତିବାହିତ କରୁଥିଲେ ।

 

କ୍ରମେ ନୂତନ ସତ୍ୟ ଗ୍ରାମେ ଗ୍ରାମେ ଓ ନଗରେ ନଗରେ ପ୍ରଚାର କରି କରି, ବୁଦ୍ଧଦେବ ବୃଦ୍ଧ ହୋଇ ପଡ଼ିଲେ । ମନେ ରଖିବାକୁ ହେବ, ଏହି ନିରବଚ୍ଛିନ୍ନ ପ୍ରଚାରକ୍ରିୟାରେ ସେ କେବେ ଯାନ ବାହନ ବ୍ୟବହାର କରୁ ନ ଥିଲେ । ଯଦି ବା ସେ ନିଜେ ନିପୁଣ ରଥୀ ଓ ଅଶ୍ୱାରୋହୀ ଥିଲେ ଏବଂ ରଥ ଓ ଅଶ୍ୱ ତାଙ୍କ ଦୁଷ୍ପ୍ରାପ୍ୟ ନ ଥିଲା । କେବଳ ପଦବ୍ରଜରେ, ବିଳାସରେ ଲାଳିତ ପାଳିତ ଏହି ରାଜପୁତ୍ର, ଜନତାର କଲ୍ୟାଣ ଲାଗି , କପିଳବାସ୍ତୁରୁ ରାଜଗୃହ ଯାଏ ଏହି ବିରାଟ ଭୂଖଣ୍ଡକୁ ବାରମ୍ବାର ଭ୍ରମଣ କରିଥିଲେ ।

 

ଥରେ ରାଜଗୃହରୁ ଫେରିଲାବେଳେ ବୁଦ୍ଧ ଅତ୍ୟନ୍ତ ଦୁର୍ବଳ ବୋଧ କଲେ । ସେ ମନେ କଲେ, ତାଙ୍କର ଜୀବଲୀଳା ଶେଷ ହୋଇ ଆସୁଛି । ବର୍ତ୍ତମାନର ପାଟନା ନିକଟରେ ଶେଷବାର ଲାଗି ଗଙ୍ଗା ପାର ହୋଇ ଉତ୍ତର ପଶ୍ଚିମଦିଗରେ କ୍ରମେ ଯାତ୍ରା କରି କୁଶୀନଗର ନାମକ କ୍ଷୁଦ୍ର ନଗରର ଉପକଣ୍ଠରେ ଏକ ବିସ୍ତୀଣ୍ଣ ଶାଳବନରେ ସଶିଷ୍ୟ ଉପସ୍ଥିତ ହେଲେ । ସେଠାରେ ତାଙ୍କୁ ଏତେ ନିସ୍ତେଜ ବୋଧ ହେଲା ଯେ, ସେ ଶିଷ୍ୟମାନଙ୍କୁ ଗୋଟିଏ ଶଯ୍ୟା ପ୍ରସ୍ତୁତ କରିବାକୁ କହିଲେ । ଶିଷ୍ୟବର୍ଗ ଆଚାର୍ଯ୍ୟଙ୍କର ଶେଷ ମୁହୂର୍ତ୍ତ ନିକଟ ଜାଣି କରୁଣ ଭାବରେ ବିଳାପ କରିବାକୁ ଲାଗିଲେ । ବୁଦ୍ଧ ସେମାନଙ୍କୁ କହିଲେ, ‘ଶୋକ କରିବା ଅନୁଚିତ । ଜଗତର ନିୟମ ଅନୁଯାୟୀ ଗ୍ରହ-ଉପଗ୍ରହଠାରୁ ଆରମ୍ଭ କରି କୀଟପତଙ୍ଗପର୍ଯ୍ୟନ୍ତ ସମସ୍ତଙ୍କୁ ବିନାଶର ସମ୍ମୁଖୀନ ହେବାକୁ ପଡ଼ିବ । ଧର୍ମର ଅନୁସରଣ କରି ନିର୍ବାଣଲାଭ ଲାଗି ଯତ୍ନ କଲେହିଁ ମନୁଷ୍ୟ ପରମ ଶାନ୍ତି ପାଇ ପାରିବ ।’ ଏହିପରି ଉପଦେଶ ଦେଉ ଦେଉ ଅଶୀତିବର୍ଷ ବୟସରେ ବୁଦ୍ଧଦେବ ପୃଥିବୀରେ ଏକ ବିରାଟ ଧର୍ମ ଓ ମହାନ୍ ଆଦର୍ଶ ରଖି ଦେଇ ଇହଲୀଳା ସାଙ୍ଗ କଲେ । ସେହି ଦିନଠାରୁ ଏ ଯାବତ୍ ଜଗତର କୋଟି କୋଟି ନରନାରୀ କଣ୍ଠରେ ‘ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି’ ଏହି ତ୍ରିଶରଣ ମନ୍ତ୍ର ପ୍ରତ୍ୟହ ପ୍ରତିଧ୍ୱନିତ ହୋଇ ପୃଥିବୀର ବାୟୁମଣ୍ଡଳକୁ ପବିତ୍ର କରି ରଖୁଛି ।

Image

 

ବୌଦ୍ଧ ଜାତକ

 

ବୌଦ୍ଧଧର୍ମର ଭିତ୍ତି ଜନ୍ମାନ୍ତରବାଦ ଓ ଆତ୍ମାର ଅବତାର ଉପରେ ପ୍ରତିଷ୍ଠିତ । ସେମାନଙ୍କର ବିଶ୍ୱାସ ଯେ, ଜୀବନରେ ତୃଷ୍ଣା ଥିବାଯାଏ ଜୀବକୁ ବାରମ୍ବାର ଜନ୍ମଗ୍ରହଣ କରିବାକୁ ହୁଏ ଓ ପୂର୍ବଜନ୍ମର କର୍ମ ଅନୁସାରେ ପରଜନ୍ମର ଭୋଗ ହୁଏ । ଯେଉଁମାନେ ବୁଦ୍ଧତ୍ୱ ଲାଭ କରନ୍ତି, ସେମାନେ ଏକ ଜନ୍ମରେ ତାହା ପାଇ ପାରନ୍ତି ନାହିଁ; ତାହା ବହୁ ଜନ୍ମର ପୁଣ୍ୟକର୍ମର ଫଳ । ସ୍ୱୟଂ ଗୌତମଙ୍କୁ ମଧ୍ୟ ଏହିପରି ବହୁଜନ୍ମ ମଧ୍ୟ ଦେଇ ଆସିବାକୁ ପଡ଼ିଥିଲା । ପ୍ରତ୍ୟେକ ଜନ୍ମରେ କୌଣସି ଏକ ପୁଣ୍ୟକର୍ମ ଯୋଗୁଁ ସେ ଅପର ଜନ୍ମରେ ଉଚ୍ଚତର ଜୀବନ ଲାଭ କରିଅଛନ୍ତି ଏବଂ ସେହି ପରମ୍ପରାକ୍ରମେ ସେ ଶେଷରେ ବୁଦ୍ଧତ୍ୱ ଲାଭ କଲେ । ପ୍ରାକ୍ତନ ଜନ୍ମମାନଙ୍କରେ ବୁଦ୍ଧ ଯେ କେବଳ ମନୁଷ୍ୟଜୀବନ ଯାପନ କରିଅଛନ୍ତି ତାହା ନୁହେ, ନାନା ପଶୁ, ପକ୍ଷୀ, ସରୀସୃପ, କୀଟ ଓ ପତଙ୍ଗଭାବରେ ମଧ୍ୟ ସେ ସ୍ୱଜାତୀୟ ଅପର ଜୀବମାନଙ୍କର କଲ୍ୟାଣ କରି ପୁଣ୍ୟାର୍ଜନ କରିଅଛନ୍ତି । ପୂର୍ବଜନ୍ମମାନଙ୍କରେ ବୁଦ୍ଧଙ୍କର ଏହି ଅବତାରମାନଙ୍କୁ ‘ବୋଧିସତ୍ତ୍ୱ’ କୁହାଯାଏ ଏବଂ ବୋଧିସତ୍ତ୍ୱମାନଙ୍କର ଚରିତ ବର୍ଣ୍ଣନାକାରୀ ଗଳ୍ପକୁ ‘ଜାତକ’ କୁହାଯାଏ । ଏହି ‘ଜାତକ’ମାନଙ୍କର ଗଳ୍ପ, ନାନା ଆକାରରେ ନାନା ଭାବରେ ପୃଥିବୀର ଚତୁର୍ଦ୍ଦିଗରେ ବିକ୍ଷିପ୍ତ ହୋଇ ପଡ଼ିଛି । ଜଗତ୍‍ପ୍ରସିଦ୍ଧ ଈଷପୀୟ ଗଳ୍ପସମୂହ ଏହି ବୌଦ୍ଧ ଜାତକମାନଙ୍କରୁହିଁ ଜାତ ।

 

ଏହି ବୌଦ୍ଧ ଜାତକମାନ ଅତ୍ୟନ୍ତ ଶିକ୍ଷାପ୍ରଦ । ଏଥିର ଅଧିକାଂଶ ସ୍ୱୟଂ ଗୌତମଙ୍କର ମୁଖନିଃସୃତ । ଦ୍ୱୈତବନରେ ବା ଅନ୍ୟ ବିହାରମାନଙ୍କରେ ଅବସ୍ଥାନ କାଳରେ, ଗୌତମ ସମାଗତ ଜନପଦବାସୀମାନଙ୍କୁ ଗଳ୍ପ ଛଳରେ ଧର୍ମର ତତ୍ତ୍ୱ ବୁଝାଉଥିଲେ । ଗଳ୍ପ ଛଳରେ ଧର୍ମ ଓ ନୀତି ଶିକ୍ଷାଦେବା ଜଗତରେ ବୁଦ୍ଧଙ୍କଠାରୁହିଁ ଆରବ୍‍ଧ ହୋଇଅଛି ଏବଂ ବୁଦ୍ଧଙ୍କ ମୁଖନିଃସୃତ କେତେକ ଗଳ୍ପ ଅବିକଳଭାବରେ ଖ୍ରୀଷ୍ଟୀୟ ଧର୍ମଗ୍ରନ୍ଥ ବାଇବଲ୍‍ରେ ଖ୍ରୀଷ୍ଟଙ୍କ ମୁଖରେ ଦିଆଯାଇଅଛି । ଏହି ଗଳ୍ପମାନଙ୍କରେ ପ୍ରଧାନ ଉପଜୀବ୍ୟ ବିଷୟ ଆତ୍ମତ୍ୟାଗ । ଅପର ସାଧାରଣର ମଙ୍ଗଳ ଲାଗି, କିପରି ନିଜକୁ ବଳି ଦିଆଯାଇ ପାରେ, ଭିନ୍ନ ଭିନ୍ନ ଜୀବାବତାରରେ ତାହାହିଁ ଦେଖାଇ ଯାଇଅଛନ୍ତି । ନିମ୍ନରେ ଦୃଷ୍ଟାନ୍ତସ୍ୱରୂପ ଗୋଟିଏ ବୌଦ୍ଧ ଜାତକ କୁହାଗଲା :–

 

ବୋଧିସତ୍ତ୍ୱ ଥରେ ଗୋଟିଏ ମୃଗଦଳର ଅଧିପତି ହୋଇଥିଲେ । ଗୋଟିଏ ପରମ ରମଣୀୟ ଅଧିତ୍ୟକାରେ ଏହି ମୃଗଦଳ ନିର୍ଭୟରେ ବାସ କରୁଥିଲେ । ସେମାନେ ପ୍ରାୟ ସହସ୍ର ସଂଖ୍ୟକ ଥିଲେ । ମୃଗାଧିପତି ଦେଖିବାକୁ ଅତ୍ୟନ୍ତ ହୃଷ୍ଟପୁଷ୍ଟ ଓ ସୁନ୍ଦର ଥିଲେ ଏବଂ ନିଜ ଦଳର ଅତ୍ୟନ୍ତ ଯତ୍ନ ନେଉଥିଲେ । ଦିନେ ଜନୈକ ବ୍ୟାଧ ଏହି ଦଳପତି ଓ ତାଙ୍କର ବହୁସଂଖ୍ୟକ ଦଳକୁ ଦେଖି ପାରିଲା ଓ ରାଜାଙ୍କ ନିକଟକୁ ଯାଇ ସମସ୍ତ ବିଷୟ ଜଣାଇ ଦେଲା । ରାଜା ଉତ୍ସାହିତ ଚିତ୍ତରେ ସୁଖକର ମୃଗୟା ଲାଗି, ତାଙ୍କର ସମସ୍ତ ସୈନ୍ୟମାନଙ୍କୁ ଘେନି ଆସି, ଏହି ଦଳକୁ ଘେରି ପକାଇଲେ ।

 

ଦଳପତି, କି ଉପାୟରେ ମୃଗ ମୃଗୀମାନଙ୍କର ପ୍ରାଣରକ୍ଷା ହେବ, ତାହା ଭାବିବାକୁ ଲାଗିଲେ, କିନ୍ତୁ ଦେଖିଲେ; ଅଧିତ୍ୟକାର ନିମ୍ନରେ ଗୋଟିଏ ବେଗଗାମିନୀ ସ୍ରୋତସ୍ୱତୀକୁ ଅତିକ୍ରମ କରିବା ବ୍ୟତୀତ ପଳାୟନର ଅନ୍ୟ ପନ୍ଥା ଆଉ ନାହିଁ । କିନ୍ତୁ ମୃଗୀ ଓ ଶିଶୁ-ମୃଗମାନଙ୍କର ସେହି ଖରସ୍ରୋତା ଓ ପେନବତୀ ନଦୀକୁ ପାର ହେବା ଅସମ୍ଭବ ବୋଧ ହେଲା । କ’ଣ କରାଯିବ ? ନିଜର ଜୀବନକୁ ଭୁଲିଯାଇ ଓ କେବଳ ଗୋଷ୍ଠୀର ମଙ୍ଗଳ ମନରେ ଧାରଣ କରି, ଦଳପତି ତରଙ୍ଗିଣୀର ମଧ୍ୟକୁ ଝମ୍ପ ପ୍ରଦାନ କଲେ ଓ ମୃଗ ଓ ମୃଗୀମାନଙ୍କୁ ପ୍ରଥମେ ତାଙ୍କର ପୃଷ୍ଠ ଉପରକୁ ଡେଇଁ, ସେହିଠାରୁ ଅପର ତୀରକୁ ଡେଇଁଯିବାକୁ ଆହ୍ୱାନ କଲେ । ଗୋଟିଏ ପରେ ଗୋଟିଏ ହୋଇ, ସମସ୍ତ ଦଳ ପ୍ରଥମେ ଦଳପତିର ପୃଷ୍ଠକୁ ଓ ସେଠାରୁ ଅପର ତୀରକୁ ଡେଇଁ, ସେହି ବିପଜ୍ଜନକ ତରଙ୍ଗିଣୀକୁ ପାର ହୋଇଗଲେ । କିନ୍ତୁ ଶତ ଶତ ହରିଣ ହରିଣୀର ବେଗ-ପତିତ କ୍ଷୁରାଘାତରେ ଦଳପତି ପୃଷ୍ଠରୁ ମାଂସ ଛିନ୍ନ ହୋଇ ଅସ୍ଥି ଦେଖାଗଲା । ସେ ମୃତ୍ୟୁ ନିକଟ ଜାଣି ଚାହିଁଲା ବେଳକୁ ଦେଖି ପାରିଲେ ଗୋଟିଏ ମୃଗଶିଶୁ ପଛରେ ରହି ଯାଇଛି । ଦଳପତି ମରଣଯନ୍ତ୍ରଣା ଭୁଲିଯାଇ ସେହିଠାରେ ନିର୍ବିକାର ଭାବରେ ଦଣ୍ଡାୟମାନ ରହିଲେ, ମୃଗଶିଶୁ ଲମ୍ଫ ଦେଇ ଆର ପାରକୁ ଉତ୍ତୀର୍ଣ୍ଣ ହେଲା ଏବଂ ସେ ଅକଥିତ ବେଦନାରେ ସେହି ତରଙ୍ଗିଣୀ ଜଳରେ ନିପତିତ ହୋଇ ପ୍ରାଣତ୍ୟାଗ କଲେ ।

Image

 

ଜଗନ୍ନାଥ ବନ୍ଦନ

 

(ରାଗ–ମଙ୍ଗଳଗୁଜ୍ଜରୀ)

ଶୁଣ କୋବିଦେ ଭାରତଖଣ୍ଡେ ପୁଣ୍ୟଧାମ

ଯେଣୁ ନାରାୟଣଦେହୀ, ତେଣୁ ସେହି ନାମ ।

ଯେ ବ୍ରହ୍ମ-ହତ୍ୟା-ପାତକ-ନିପାତକ ମହୀ

କପାଳ-ମୋଚନ ତ୍ରିଲୋଚନ ସାକ୍ଷୀ ଯହିଁ ।

ଆସି କାଶୀଶ୍ୱର ବାସ କଲେ ଏହା ଜାଣି

ଅନ୍ୟ କ୍ଷେତ୍ର ସମସ୍ତଙ୍କ ଏ ମସ୍ତକମଣି ।

ଶ୍ରୀମହାପ୍ରସାଦ, ଗଦଗଦ ଘଣ୍ଟଘୋଷ

ଭକ୍ଷଣେ ଶ୍ରବଣେ ଯେ କିଳ୍ମିଷ-ବିଷ-ନାଶ ।

ଉନ୍ନତ ପ୍ରାସାଦ ରାଜପତାକା ଉଡ଼ାଇ

ଏ ପ୍ରଦେଶେ ସମବର୍ତ୍ତୀ ପଣ ନାହିଁ ନାହିଁ !

ସେ ଦୁର୍ଗ-ପରିଖା ତୀର୍ଥରାଜ, ଗର୍ଜ୍ଜନରେ

କହେ, ଅବଗାହେ ପାପବ୍ୟୂହ ଦହ ନରେ ।

ଦହି ସବୁ ବାଡ଼ବରେ ଦେବ ଏ ପକାଇ

ଏ ଦରବଶରୁ ଦୂରୁ ଦୂରିତ ପଳାଇ ।

ସେ କମ୍ବୁ-କଟକ ରାଜା ନାମ ଜଗନ୍ନାଥ

ଚାରିବର୍ଣ୍ଣେ ଚଉବର୍ଗ ଦେବାକୁ ସାମର୍ଥ ।

ପାଦେ ବନ୍ଦେ ସାର୍ବଭୌମ ବୋଲିବା କି ଯଶ

ବୃଷାସନଙ୍କର ଶିର ଲାଗିବାକୁ ଆଶ ହେ ।

ଯାହା କଟାକ୍ଷ-କୁଠାର ପତନ ମାତରେ

ଅନେକ ଦୁଃଖ-ଅନୋକହକୁ ଛେଦି ପାରେ ।

ଭରସା କରି ଆସନ୍ତି ଦୂରଦେଶୁଁ ପ୍ରାଣୀ

ଆରତଭଞ୍ଜନ ଦୀନବନ୍ଧୁ ନାମ ଶୁଣି ।

କର ଯୋଡ଼ି ଛାମୁରେ ଜଣାଇ ପକ୍ଷିଧବ

ଆର୍ତ୍ତଜନ ଗୁହାରିକି ସାବଧାନ ହେବ ।

ସ୍ନାନ, ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର

ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।

ଭାଗ୍ୟରୁ ଏ ବର୍ଣ୍ଣନାକାରକ ମୁଁ ଯେ ହେଲି

ପୁଲକିତ-ଶରୀରେ ହରିରେ ସ୍ତୁତି କଲି ।

ଅରି-ଦର-କର ବିଭୋ, ଅରି-ଦର-କର

ଯୁଗେ ଯୁଗେ ଧର ନାନାବିଧ ଅବତାର ।

ଭବ-ବିରଞ୍ଚି-ପୂଜିତ ହେ ଭବ-ବିରଞ୍ଚି

ଶୁଚି-କବଳକ ସଦାନନ୍ଦ ସଦାଶୁଚି ହେ !

କବି ଉପଇନ୍ଦ୍ର ତବ କୃପାରେ ହୋଇଛି

ଏତେ ମନୋରଥ ସାର୍ଥେ କି ସଂଶୟ ଅଛି ?

(କୋଟୀବ୍ରହ୍ମାଣ୍ଡ ସୁନ୍ଦରୀ)

Image

 

ଉଷ୍ଟ୍ରଚାଳକର ଗଳ୍‍ପ

 

କାଲି ଯାହା ଶୁଣିଲେ, ଛାମୁ ଯେ ତାହାର କାରଣ ଜିଜ୍ଞାସା କରିବେ, ଏଥିରେ ମୁଁ ଆଶ୍ଚର୍ଯ୍ୟ ନୁହେ । କିନ୍ତୁ ମୋର ବିଶ୍ୱାସ, ଆପଣ ମୋର ଗଳ୍ପ ଶୁଣିଲେ ପରେ ମୁଁ ଯାହା କହିଥିଲି,ତାହା ବିଶ୍ୱାସ କରିବେ । ମୁଁ ଏହି ଦେଶର ଏକ କୃଷକ ହୋଇ ଜନ୍ମ ହୋଇଥିଲି, କିନ୍ତୁ ଏବେ ଯେପରି ଦରିଦ୍ର ଅଛି, ସେପରି ଦରିଦ୍ର ନ ଥିଲି । ମୋର ପିତାଙ୍କର ଅନେକ ଓଟ ଥିଲେ । ଏହି ସହରରୁ ଅନେକ କାରାଭାନ୍ ପ୍ରତି ବର୍ଷ ବିଦେଶକୁ ଯାନ୍ତି । ମୋର ପିତା ତାଙ୍କର ଓଟଗୁଡ଼ିକୁ, ସେହି କାରାଭାନ୍‍ର ବଣିକମାନଙ୍କୁ ପ୍ରାୟ ଭଡ଼ା ଲଗାଇ ଦିଅନ୍ତି । ତାଙ୍କ ମୃତ୍ୟୁ ପରେ ସମ୍ପତ୍ତିର ଉତ୍ତରାଧିକାରୀ ହେଲି ଏବଂ ସେ ଯେଉଁମାନଙ୍କ ସଙ୍ଗେ ବ୍ୟବସାୟ ସମ୍ପର୍କ ରଖିଥିଲେ, ସେମାନଙ୍କର ଶ୍ରଦ୍ଧା ଓ ବିଶ୍ୱାସ ଲାଭ କଲି । ଫଳରେ ମୁଁ ଅନେକ କାମ ପାଇଲି, ମୋର ଓଟମାନେ ସବୁବେଳେ ବ୍ୟସ୍ତ ରହିଲେ ଏବଂ ସେମାନଙ୍କ ପ୍ରତି ଯେପରି ଦୁର୍ବ୍ୟବହାର ନ ହେବ, ଏହା ଦେଖିବା ଲାଗି, ମୁଁ ସବୁବେଳେ ସେମାନଙ୍କ ସଙ୍ଗେ ଯିବାରୁ ମୁଁ ଅନେକବାର ମକ୍‍କା ଦେଖି ଆସିଛି । ସେତେବେଳେ ମୋର ଜୀବନ, ସୁଖ ଓ ଦୁଃଖ ଉଭୟ ମଧ୍ୟ ଦେଇ ଯାତ୍ରା କରୁଥିଲା । ଯାତ୍ରାର ଅସୁବିଧା ଓ ଦୁଃଖ ପରେ, ମୁଁ ପରମ ଆନନ୍ଦରେ ମୋର ପଲ୍ଲୀ ଓ ସନ୍ତାନମାନଙ୍କ ନିକଟକୁ ଫେରି ଆସେ ଏବଂ ଯେଉଁ ଅଳ୍ପ ସମୟ ଘରେ ରହିବାକୁ ପାଉଥିଲି, ସେଥିରେ ଗୃହର ବିମଳ ଆନନ୍ଦ ଉପଭୋଗ କରି ପାରୁଥିଲି । ମୁଁ କଠିନ ପରିଶ୍ରମ କଲି ଓ ବିପୁଳ ସମ୍ପଦର ଅଧିକାରୀ ହେଲି ।

 

ଥରେ ମରୁଭୂମି ଦେଇ ସେହି କଷ୍ଟପ୍ରଦ ଯାତ୍ରାରେ ମୋର ଗୋଟିଏ ପ୍ରିୟ ମାଈ ଓଟ ପ୍ରସବ କଲା । ପ୍ରଥମେ ସେହି ଶିଶୁଟିକୁ ସେଠାରେ ପରିତ୍ୟାଗ କରିଯିବି ବୋଲି ଭାବିଲି, କାରଣ ମୋର ଓଟମାନେ ସେତେବେଳେ ଭୟଙ୍କର କଷ୍ଟ ପାଇଥିଲେ । କିନ୍ତୁ ପରୀକ୍ଷା କରିବାରେ ସେ ଶିଶୁର ଏପରି ଅଙ୍ଗସୌଷ୍ଠବ ଦେଖି ପାରିଲି ଯେ, ତାକୁ ପାଳନ କରିବାକୁ ମନଃସ୍ଥ କଲି । ସେଥିଲାଗି ଗୋଟିଏ ଓଟ ଦେହରୁ ବୋଝ କାଢ଼ି ଦେଇ ଅନ୍ୟମାନଙ୍କ ପିଠିରେ ବାଣ୍ଟି ଦେଲି ଓ ସେହି ନବ-ପ୍ରସୂତଟିକୁ ତା’ର ପଛରେ ବାନ୍ଧି ଦେଲି । ଆମ୍ଭେମାନେ କାଏରୋରେ ନିରାପଦରେ ପହଞ୍ଚିଲୁ ଏବଂ ସେହି ଉଷ୍ଟ୍ରଶାବକ ଯେପରି ବଢ଼ିବାକୁ ଲାଗିଲା, ସେଥିରେ ମୁଁ ଯେ କାହିଁକି ତାହାର ଜୀବନ ରକ୍ଷା କରିଥିଲି, ତାହାର ଉତ୍ତର ପାଇଲି । ସମସ୍ତ ଯୋଗ୍ୟ ବିଚାରକମାନେ ତାହାର ଅସାଧାରଣ ଶକ୍ତି ଓ ସୌନ୍ଦର୍ଯ୍ୟ ବିଷୟରେ ମତ ଦେଲେ ଏବଂ ଏହି ଭବିଷ୍ୟଦ୍‍ବାଣୀ ପ୍ରକାଶ କଲେ ଯେ, ଦିନେ ସେହି ପ୍ରାଣୀ ମକ୍‍କା-ଯାତ୍ରାରେ ପବିତ୍ର କୋରାନ୍ ବହନ କରିବାର ସୌଭାଗ୍ୟ ଲାଭ କରିବ ଏବଂ ପାଞ୍ଚ ବର୍ଷ ପରେ ତାହାହିଁ ଘଟିଲା । ଏହି ପାଞ୍ଚ ବର୍ଷ ଭିତରେ ମୁଁ ପୂର୍ବ ପରି କାରାଭାନ୍‍ ଧରି ଯାତ୍ରା କରୁଥିଲି ଓ ପ୍ରତି ବର୍ଷ ମୋର ସମ୍ପଦ ବୃଦ୍ଧି କରୁଥିଲି ।

 

ସେତେବେଳକୁ ମୋର ଓଟଟି ପୂର୍ଣ୍ଣ ପରିବର୍ଦ୍ଧିତ ହୋଇ ସାରିଲାଣି । ଅନ୍ୟ ପ୍ରତ୍ୟେକଠାରୁ ଉଚ୍ଚତାରେ ତିନି ଫୁଟ ଅଧିକ ଥିଲା ଏବଂ କାରାଭାନ୍‍ଯାତ୍ରାର ଆୟୋଜନ ବେଳେ ମୁଁ ତାକୁ ସେଖ୍‍ମାନଙ୍କ ପାଖକୁ ନେଇ, ସେହି ଗୌରବ ଲାଗି ପ୍ରାର୍ଥୀ କରାଇଲି । ସେମାନେ ସେହିକ୍ଷଣି ସ୍ୱୀକୃତି ଦେଇଥାନ୍ତେ; କିନ୍ତୁ ଜଣେ ଫକୀର କୌଣସି କାରଣବଶତଃ ଏହାକୁ ନ ଦେବାକୁ ସେମାନଙ୍କ ନିକଟରେ ଇଚ୍ଛା ପ୍ରକାଶ କଲା ଏବଂ କହିଲା ଯେ, ୟାକୁ ଯଦି ପବିତ୍ର କୋରାନକୁ ବହନ କରିବାକୁ ଦିଆଯାଏ, ତେବେ କାରାଭାନ୍‍ର ଦଶା ଭଲ ହେବ ନାହିଁ ।

 

ଏହି ଲୋକଟାର ଭବିଷ୍ୟଦ୍‍ବକ୍ତା ବୋଲି ଖ୍ୟାତି ଥିଲା, ତେଣୁ ସେଖ୍‍ମାନେ ଭୟଭୀତ ହେଲେ ଓ କୌଣସି ସ୍ଥିରସିଦ୍ଧାନ୍ତ ହେଲା ନାହିଁ । ଫକୀରର ଏହି ବାଧାରେ ମୁଁ ବିରକ୍ତ ହୋଇ ତାକୁ ଗାଳି ଦେବାକୁ ଲାଗିଲି । ସେ ତେଣୁ ବିରାଟ କୋଳାହଳସୃଷ୍ଟି କଲା ଏବଂ ଜନତା ତା ସଙ୍ଗେ ମିଶିବାରୁ ମୋର ପ୍ରାୟ ଜୀବନ ଆଶଙ୍କା ଘଟି ଆସିଥିଲା । ମୁଁ ପଳାଇ ଆସିଲା ବେଳେ ସେହି ଜଘନ୍ୟଟା ମୋ ପଛରେ କିଛି ବାଲି ଫିଙ୍ଗି ଚିତ୍କାର କରିବାକୁ ଲାଗିଲା- “ଯଦି କେହି ଅଭିଶପ୍ତ ଉଷ୍ଟ୍ର ପବିତ୍ର କୋରାନ୍ ବହନ କରେ, ତେବେ ସମଗ୍ର କାରାଭାନ୍ ଏହିପରି ବିନଷ୍ଟ ହେବ !” ଫଳରେ ଗୋଟିଏ ନିକୃଷ୍ଟ ଉଷ୍ଟ୍ର ନିର୍ବାଚିତ ହେଲା ଏବଂ ମୁଁ ନିରାଶ ହେଲି । କିନ୍ତୁ ପର ବର୍ଷ ସେହି ଫକୀର କାଏରୋରେ ନ ଥିଲା ଏବଂ ସୌନ୍ଦର୍ଯ୍ୟର ମୋ ଓଟର ସମକକ୍ଷ କେହି ନ ଥିବାରୁ ସେଖ୍‍ମାନେ ଏକ ମତରେ ତାକୁ ନିର୍ବାଚନ କଲେ । ମୁଁ ମୋର ପତ୍ନୀଙ୍କ ପାଖକୁ ଅତ୍ୟନ୍ତ ଆନନ୍ଦରେ ତୁରନ୍ତ ଚାଲିଆସିଲି । ମୋର ଆଶା ଥିଲା ଯେ, ଏହି ଗୌରବ ମୋର ବଂଶକୁ ବିଧାତାର ଆଶୀର୍ବାଦ ଆଣି ଦେବ । ମୋର ପଲ୍ଲୀ ମଧ୍ୟ ମୋରି ପରି ଆନନ୍ଦିତ ହେଲେ ଏବଂ ମୋର ସୁନ୍ଦର ପ୍ରାଣୀଟି ମଧ୍ୟ ତା’ର ନିଜର ଗୌରବ ବୁଝି ପାରିଲା । କାରଣ ସେ ସେରିନ, ତା’ର ଦୀର୍ଘ ଗ୍ରୀବାକୁ ନାନା ଛନ୍ଦରେ ବୁଲାଇ ଓ ଆମର କାନ୍ଧ ଉପରେ ତା’ର ମସ୍ତକ ଥୋଇ ଆମର ଆଦର-ସଙ୍ଖୁଳାର ପ୍ରତିଦାନ ଦେଲା-

 

କାରାଭାନ୍ ଶେଷରେ ଯାତ୍ରା ଲାଗି ଏକତ୍ରିତ ହେଲା । ଅନେକ ବର୍ଷ ଧରି କାଏରୋରୁ ଯେତେ କାରାଭାନ୍ ଯାତ୍ରା କରିଥିଲେ ତା ମଧ୍ୟରେ ସେ ବର୍ଷର କାରାଭାନ୍ ବିରାଟତମ ଥିଲା । ଏଥିରେ ଅଠର ହଜାର ପ୍ରାଣୀ ଥିଲେ ଏବଂ ନଗରର ପଥମାନଙ୍କ ମଧ୍ୟରେ ଯେତେବେଳେ ଶୋଭାଯାତ୍ରା ହେଲା, ସେତେବେଳେ ମୋର ଗର୍ବ ଛାମୁ ଅନୁମାନ କରି ପାରୁଥିବେ । ମୁଁ ସେହି ଅପୂର୍ବ ପ୍ରାଣୀଟିକୁ ମୋର ପତ୍ନୀକୁ ଦେଖାଇ ଦେଉଥିଲି । ତାହାର ଲଗାମ୍ ସ୍ୱର୍ଣ୍ଣ ଓ ରତ୍ନରେ ଖଚିତ ହୋଇଥିଲା ଏବଂ ଶ୍ୟାମଳ ବସ୍ତ୍ରପରିହିତ ସେଖ୍‍ମାନଙ୍କଦ୍ୱାରା ସେ ଚାଳିତ ହେଉଥିଲା । ତାହାର ପୃଷ୍ଠଦେଶରେ ପବିତ୍ର କେରାନ୍‍ବାହୀ ସିନ୍ଦୁକ ସ୍ଥାପିତ ହୋଇଥିଲା । ତା’ର ସଙ୍ଗେ ସଙ୍ଗେ ନାନା ତାନରେ ସଙ୍ଗୀତ ହେଉଥିଲା ଓ ଗାନରତ ନରନାରୀମାନଙ୍କର ମିଳିତ କଣ୍ଠଧ୍ୱନି ମଧ୍ୟରେ ସେ ଗର୍ବରେ ଚାରିଆଡ଼କୁ ଚାହିଁ ଗତି କରୁଥିଲା ।

 

ତା’ ପରଦିନ ନଗରର ବାହାରେ ଶେଷବାର ଲାଗି ଏକତ୍ରିତ ହୋଇ କାରାଭାନ୍ ଯାତ୍ରା କରିବାର ସ୍ଥିର ହେବାରୁ ମୁଁ ମୋର ପରିବାରର ଶେଷ ବିଦାୟ ନେବାଲାଗି ଘରକୁ ଫେରିଲି । ତତ୍‍ପରଦିନ ସକାଳେ ମୋର ପତ୍ନୀ ଓ ସନ୍ତାନମାନଙ୍କଠାରୁ ବିଦାୟ ଗ୍ରହଣ କରି ମୁଁ ମୋର ଘର ଛାଡ଼ୁଛି, ଏହି ସମୟରେ ମୋର ଦୁଇ ବର୍ଷର ସବା ସାନ ଶିଶୁଟି, ମତେ ଫେରି ଆସିବାକୁ ଓ ଶେଷବାର ଲାଗି ଟିକିଏ ଆଦର କରି ବସିବାକୁ ଡାକିଲା । ମୁଁ ଯେତେବେଳେ ତାକୁ ଆଦରରେ ଟେକି ଧରିଲି, ସେ ସେତେବେଳେ ମୋର ପକେଟ୍‍ରେ ହାତ ପୂରାଇବାକୁ ଲାଗିଲା । ମୁଁ ଭାବିଲି, ମୁଁ ପ୍ରତ୍ୟହ ବଜାରରୁ ଫେରିଲାବେଳେ ତା’ପାଇଁ ଯେଉଁ ଫଳ ଆଣିଥାଏ, ସେ ତାହାହିଁ ଖୋଜୁଛି । କିନ୍ତୁ ମୋ ପକେଟ୍‍ରେ କିଛି ନ ଥିଲା ଏବଂ ମୁଁ ତାକୁ ମୋ ହାତରୁ ତା’ର ମା’ର ହାତକୁ ବଢ଼ାଇ ଦେଇ କାରାଭାନ୍‍ରେ ମୋ ସ୍ଥାନରେ ଯଥା ସମୟରେ ଯୋଗ ଦେଇ ପାରିବି ଏଥିଲାଗି ଫେରି ଗଲି-। ଛାମୁ ଜାଣନ୍ତି, ଅନ୍ୟ କାରାଭାନ୍ ପରି ଆମ୍ଭେମାନେ ପଛୁକୁ ପଛ ନ ରହି, ଏକ ପଂକ୍ତିରେ ଲଗାଲଗି ହୋଇ ଯାତ୍ରା କରୁ । ଯାତ୍ରାର ଆୟୋଜନ କରୁ କରୁ ପ୍ରାୟ ଦିନେ ଲାଗିଥାଏ ଏବଂ ସୂର୍ଯ୍ୟାସ୍ତର ଠିକ୍ ପରେ ଆମର ଯାତ୍ରା ଆରମ୍ଭ ହୁଏ । ଆମ୍ଭେମାନେ ସେହି ସନ୍ଧ୍ୟାରେ ଯାତ୍ରା କଲୁ ଏବଂ ଦୁଇ ରାତ୍ରିର ଯାତ୍ରାରେ ଆଜରଏଡ଼୍‍ଠାରେ ପହଞ୍ଚିଲୁ । ସେଠାରେ ଆମ୍ଭେମାନେ ପ୍ରାଣୀମାନଙ୍କୁ ବିଶ୍ରାମ ଦେବାକୁ ଓ ସୁଏଜ୍‍ରୁ ଜଳର ଆୟୋଜନ କରିବାକୁ ତିନି ଦିନ ଅବସ୍ଥାନ କଲୁଁ । କାରଣ ତା’ପରେ ଆମ୍ଭମାନଙ୍କୁ ଏକା-ଚେଷ୍ଟାରେ ଏଲ୍‍ଟାଇ ମରୁଭୂମି ପାରି ହେବାକୁ ହେବ ।

 

ଶେଷ ବିଶ୍ରାମ ଦିନ ମୋର ବିଶ୍ରାନ୍ତ ପ୍ରାଣୀମାନଙ୍କ ମଧ୍ୟରେ ବସି, ମୁଁ ଧୂମ୍ରପାନ କରୁଛି ଏହି ସମୟରେ କାଏରୋ ଆଡ଼ୁ ଗୋଟିଏ ଓଟ କ୍ଷିପ୍ର ଗତିରେ ଆସୁଥିବାର ମୁଁ ଦେଖି ପାରିଲି । ତାହା ମୋ’ ପାଖ ଦେଇ ବିଦ୍ୟୁତ୍ ପରି ଚାଲିଗଲା, କିନ୍ତୁ ମୁଁ ଚିହ୍ନି ପାରିଲି ଯେ, ଆରୋହୀ, ପୂର୍ବବର୍ଷର ସେହି ଫକିର ଛଡ଼ା ଆଉ କେହି ନୁହେ ।

 

ଫକିର କାରାଭାନ୍‍ର ନାୟକ ଅମୀର ହେଜୀଙ୍କ ତମ୍ବୁ ନିକଟରେ ଓଟକୁ ବନ୍ଦ କଲା । ତା’ର ଆସିବାର କାରଣ ଜାଣିବାକୁ ଅତ୍ୟନ୍ତ କୌତୂହଳ ଥିବାରୁ ମୁଁ ସେ ସ୍ଥାନ ଆଡ଼କୁ ଶୀଘ୍ର ଗତି କଲି । ମୁଁ ଯାଇ ଦେଖିଲି, ସେ ଅମୀର ଓ ଉପସ୍ଥିତ ଜନତାକୁ ଏହା ବୁଝାଉଛି ଯେ, ଯଦି ମୋର ଓଟକୁ ନଷ୍ଟ କରି ଅନ୍ୟ ଏକ ପ୍ରାଣୀ ତା’ ସ୍ଥାନରେ ନିର୍ବାଚିତ ନ ହୁଏ; ତେବେ କାରାଭାନ୍‍ର ଭୀଷଣ ଦୁର୍ବିପାକ ଘଟିବ । ଖୁବ୍ ତୀବ୍ର ଭାବରେ ଏହି କଥାଗୁଡ଼ିକ କେତେ କାଳ ଲାଗି ବୁଝାଇ ସେ ଓଟ ଉପରେ ପୁଣି ଆରୋହଣ କରି ଅଳ୍ପ ସମୟ ମଧ୍ୟରେ ଚକ୍ଷୁରୁ ଅନ୍ତର୍ହିତ ହେଲା, ଅମୀର ସଙ୍କଟରେ ପଡ଼ିଲେ । ଲୋକମାନଙ୍କ ମଧ୍ୟରେ ନାନା ବିଚାର ନାନା ଆଶଙ୍କା ଚାଲିବାକୁ ଲାଗିଲା । ମୋର ଭୟ ହେଲା ଯେ, ସେମାନେ ସେହି ଫକିରର କଥାରେ ମନ ଦେବେ ଓ ମୋର ପ୍ରାଣୀଠାରୁ ତା’ର ଗୌରବ ଛଡ଼ାଇ ନେବେ; ତାହା ଯେପରି ନ ହୁଏ ଏଥିଲାଗି ମୁଁ ଗୋଟିଏ ମିଥ୍ୟା କଥା କହିଲି ।

 

ମୁଁ କହିଲି, “ଅମୀର, ତା’ କଥାରେ କର୍ଣ୍ଣପାତ କରନ୍ତୁ ନାହିଁ; ସେ ମୋର ଶତ୍ରୁ । ସେ ମୋ, ଘରକୁ ଆସି, ମୋର ଆତିଥ୍ୟ ଉପଭୋଗ କରି, ମୋର ପତ୍ନୀଙ୍କ ପ୍ରତି ଅପମାନସୂଚକ ବ୍ୟବହାର କରିବା ଉପରେ ବସିଥିଲା । ମୁଁ ତାହାକୁ ଘରୁ ବାହାର କରି ଦେଲି ଏବଂ ସେ ତା’ର ପ୍ରତିହିଂସା ନେବାକୁ ଚାହେଁ । ମୁଁ ସତ୍ୟ କହୁଛି; କାରାଭାନ୍ ଓ ମୋର ବର୍ତ୍ତମାନ ଯାହା ଦଶା ହେବାର ହେଉ ।”

 

ମୋତେ ସେମାନେ ବିଶ୍ୱାସ କଲେ । ଫକିରର ଉପଦେଶକୁ ସେମାନେ କର୍ଣ୍ଣପାତ କଲେ ନାହିଁ ଏବଂ ସେହି ରଜନୀରେ ଆମ୍ଭେମାନେ ଏଲ୍‍ଟାଇ ମରୁଭୂମି ମଧ୍ୟ ଦେଇ ଯାତ୍ରା କଲୁଁ ।

 

ହଜୁର କେବେ ତୀର୍ଥଯାତ୍ରା କରି ନାହାନ୍ତି, ତେଣୁ ଆମ୍ଭେମାନେ କିପରି ରାଜ୍ୟ ଦେଇ ଗତି କରୁ ତାହା ହଜୁରଙ୍କର କଳ୍ପନାରେ ନ ଥିବ ତାହା ବାଲୁକାର ଏକ ଦିଗନ୍ତବ୍ୟାପୀ ଭୂମି, ଯେଉଁଠାରେ ପଥିକର ପଦଚିହ୍ନ, ତା’ ପଛେ ପଛେ, ବାୟୁଦ୍ୱାରା ଲିଭି ଯାଏ–ନୀରବିନ୍ଦୁହୀନ, ଶ୍ରୀହୀନ ଏକ ବିରାଟ ପ୍ରାନ୍ତର । ଆମ୍ଭେମାନେ ମରୁଭୂମି ଭିତରେ ପଶି ଚାଲିଲୁଁ ଏବଂ ପ୍ରାଣୀମାନଙ୍କର ଦୃଷ୍ଟିବ୍ୟାପୀ ଏହି ବିରାଟ ଶ୍ରେଣୀ ସେହି ମରୁପ୍ରାନ୍ତରରେ, ଗଭୀର ନିଶୀଥରେ ନୀରବଭାବରେ ଚାଲିଲା ବେଳେ ପ୍ରେତାତ୍ମାମାନଙ୍କର ଅଭିଯାନ ପରି ବୋଧ ହେଉଥିଲା ।

 

ଫକିରର ଭବିଷ୍ୟଦ୍‍ବାଣୀ ସତ୍ତ୍ୱେ କୌଣସି ଦୁର୍ଘଟଣା ଘଟି ନ ଥିଲା ଏବଂ ସପ୍ତ ରାତ୍ରିର କ୍ଳାନ୍ତିକାରୀ ଯାତ୍ରା ପରେ ଆମ୍ଭେମାନେ ନିରାପଦରେ ନାଖେଲ୍‍ଠାରେ ପହଞ୍ଚିଲୁ ଏବଂ ସେଠାରେ ଆମର ନିଃଶେଷିତ ଜଳାଧାରମାନଙ୍କରେ ଜଳ ପୂରଣ କଲୁ । ମୋର ଜଣାଶୁଣା ଲୋକମାନେ କୂଅମୂଳେ, ଫକିରର ଭବିଷ୍ୟଦ୍‍ବାଣୀ ନେଇ ମୋ ସାଙ୍ଗରେ ଥଟା କଲେ । ଆକାବା ଦୁର୍ଗରେ ପହଞ୍ଚିବାକୁ ଆମ୍ଭମାନଙ୍କୁ ଆହୁରି ତିନି ରାତ୍ରିର କଷ୍ଟକର ଯାତ୍ରା କରିବାକୁ ଥିଲା; ତେଣୁ ଆମ୍ଭେମାନେ ପୁଣି ଯାତ୍ରା ଆରମ୍ଭ କଲୁ । କିନ୍ତୁ ଦ୍ୱିତୀୟ ଦିନର ସକାଳେ, ତମ୍ବୁ ଟାଣିବାର ଏକ ଘଣ୍ଟା ପରେ, ଫକିରର ସାଂଘାତିକ ଭବିଷ୍ୟଦ୍‍ବାଣୀ ଏବଂ ଆଲ୍ଲାଙ୍କୁ ସାକ୍ଷୀ ରଖି ମୁଁ ଯେଉଁ ମିଥ୍ୟା କଥା କହିଥିଲି, ତା’ର ଶାସ୍ତି ଘଟି ଉଠିଲା ।

 

ଦିଙ୍‍ ମଣ୍ଡଳରେ ଗୋଟିଏ ଘୋର କୃଷ୍ଣ ମେଘ ଉଦିତ ହେଲା । ତାହା କ୍ରମେ ବଢ଼ିବାକୁ ଲାଗିଲା ଏବଂ କୃଷ୍ଣରୁ କ୍ରମେ ହରିଦ୍ରାଭ ହୋଇ ଉଠିଲା । କ୍ରମେ ଉପରକୁ ଉଠି ଉଠି ତାହା ଆକାଶର ଅର୍ଦ୍ଧେକ ଅଧିକାର କରି ସହସା ତୀବ୍ର ପ୍ରଭଞ୍ଜନ ସହ ଆମ୍ଭମାନଙ୍କ ଉପରେ ପତିତ ହେଲା । ପ୍ରବଳ ପ୍ରଭଞ୍ଜନ ସମ୍ମୁଖସ୍ଥ ଯାବତୀୟ ପଦାର୍ଥକୁ ଉଡ଼ାଇ ନେଇଗଲା; ପ୍ରକାଣ୍ଡ ବାଲୁକା-ପର୍ବତ ସବୁକୁ ମୂଳରୁ ଛିନ୍ନ କରି, ସମଗ୍ରଭାବରେ ଆମ୍ଭମାନଙ୍କ ମୁଣ୍ଡ ଉପରେ କଚାଡ଼ିଦେବାକୁ ଲାଗିଲା । ଅମୀରଙ୍କର ପ୍ରାସାଦୋପମ ବସ୍ତ୍ରାବାସ ସର୍ବ ପ୍ରଥମେ ତୋଫାନର କବଳରେ ପତିତ ହେଲା ଏବଂ ଛିନ୍ନ ହୋଇ, ପ୍ରବଳ ବେଗରେ ମୋର ଚକ୍ଷୁ ସମକ୍ଷରେ ଦୂରକୁ ଉଡ଼୍ଡୀୟମାନ ହେଲା । ଅନ୍ୟ ସବୁ ବାଲୁକାରେ ମିଶି ଏକାକାର ହେଲେ, ଅଥବା ଅନ୍ତରୀକ୍ଷକୁ ଉନ୍ନୀତ ହୋଇ ଉନ୍ମତ୍ତ ପ୍ରାୟ ଘୂରିବାକୁ ଲାଗିଲେ ।

 

ଆମ୍ଭମାନଙ୍କ ଉପର ଦେଇ, ବାଲୁକାର ଚଳିଷ୍ଣୁ ସ୍ତମ୍ଭମାନ ଗତି କରିବାକୁ ଲାଗିଲେ । ସେଥିରେ ମନୁଷ୍ୟ ବା ଅନ୍ୟ ପ୍ରାଣୀ ହୁଏତ ଶ୍ୱାସରୁଦ୍ଧ ହେଲେ ଅଥବା ଉପରକୁ ଟେକି ହୋଇ ତଳେ ପଡ଼ିବାକୁ ଲାଗିଲେ । ଉଷ୍ଟ୍ରସବୁ ତାଙ୍କର ଦୀର୍ଘ ମୁଖକୁ ଭୂତଳରେ ଗୁଞ୍ଜିବାକୁ ଲାଗିଲେ, ଏବଂ ତାଙ୍କର ଏହି ପ୍ରାଣୀ-ପ୍ରବୃତ୍ତିକୁ ଅନୁକରଣ କରି ଆମ୍ଭେମାନେ ସେହିପରି କଲୁ, ଭୟରେ ଓ ନୀରବରେ ଆମର ଭାଗ୍ୟକୁ ଅପେକ୍ଷା କରି ରହିଲୁ । କିନ୍ତୁ ସାଇମୁମ୍ ସେପର୍ଯ୍ୟନ୍ତ ତା’ର ସମସ୍ତ ବିଭୀଷିକା ନିଃଶେଷ କରି ଅଜାଡ଼ି ନ ଥାଏ । କେତେକ ମୁହୂର୍ତ୍ତରେ ଆଉ କିଛି ବାରି ହେଲା ନାହିଁ-ସମସ୍ତ ଅନ୍ଧକାର ! ସେହି ଅନ୍ଧକାର, ନାରୀମାନଙ୍କର ବିଳାପମୟ ଚିତ୍କାର,ମୁମୂର୍ଷୁମାନଙ୍କର ପ୍ରଳାପରେ ଆହୁରି ବିଭୀଷିକାମୟ ହୋଇ ଉଠିଲା । ମରୁବାତ୍ୟାର ଅଭିଭୂତକାରୀ ଦୌରାତ୍ମ୍ୟରୁ ରକ୍ଷା ପାଇବାପାଇଁ ଅଶ୍ୱ ଓ ଅନ୍ୟ ପ୍ରାଣୀମାନେ ସେମାନଙ୍କର ବନ୍ଧନ ଛିନ୍ନ କରି ସହସ୍ର ସହସ୍ର ଲୋକଙ୍କୁ ପଦରେ ଦଳିତ କରି ପାଗଳ ପ୍ରାୟ ଭ୍ରମିବାକୁ ଲାଗିଲେ ।

 

ମୁଁ ମୋର ଗୋଟିଏ ଓଟର ପାର୍ଶ୍ୱଦେଶରେ ମୁଣ୍ଡ ଗୁଞ୍ଜି ପଡ଼ି ରହିଥାଏ ଏବଂ ଅପରାଧୀ, ବିଧାତାର ଯୁକ୍ତ ଶାସ୍ତି କୁ ଅପେକ୍ଷା କରି ଯେପରି ଭୟଭୀତ ରହେ, ସେହିପରି ଭାବରେ ରହି ମୃତ୍ୟୁକୁ ଅପେକ୍ଷା କରୁଥିଲି । ମୁଁ ପ୍ରାୟ ଘଣ୍ଟାଏ କାଳ ସେହି ଅବସ୍ଥାରେ ପଡ଼ି ରହିଲି, ମୁଁ ନିଶ୍ଚୟ ଭାବରେ କହି ରଖୁଛି ଯେ ମୁଁ ସେହି ଅଳ୍ପକାଳ ମଧ୍ୟରେ ଯେଉଁ ଯନ୍ତ୍ରଣା ଭୋଗ କଲି, ତାହାଠାରୁ ଅଧିକତର ଯନ୍ତ୍ରଣା ନରକରେ ନ ଥାଇ ପାରେ । ଉତ୍ତପ୍ତ ବାଲୁକାଜାଳ ମୋର ବସ୍ତ୍ର ଭିତର ଦେଇ ପ୍ରବେଶ କରି, ଶରୀରର ଲୋମକୂପସବୁକୁ ରୁଦ୍ଧ କରିଦେଲେ ଏବଂ କୌଣସିମତେ ବଞ୍ଚି ରହିବାର ଏକ ମାତ୍ର ଉପାୟସ୍ୱରୂପ ସେହି ଉତ୍ତପ୍ତ ପ୍ରଭଞ୍ଜନକୁ ମୁଁ ଗ୍ରହଣ କରିବାକୁ ସାହସ କରୁ ନ ଥାଏ । ସର୍ବଶେଷରେ ମୁଁ ଟିକିଏ ସ୍ୱାଧୀନଭାବରେ ଶ୍ୱାସ-ପ୍ରଶ୍ୱାସ ଗ୍ରହଣ କଲି ଏବଂ ବତାସର ଗର୍ଜନ ଆଉ ଶୁଣିବାକୁ ପାଇଲି ନାହିଁ । କ୍ରମେ ମୁଁ ମୋର ମସ୍ତକ ଉତ୍ତୋଳନ କଲି; କିନ୍ତୁ ମୋର ଦୃଷ୍ଟି ଶକ୍ତି ମୁଁ ହରାଇଥିଲି । ଗୋଟିଏ ହରିଦ୍ରାଭ ବର୍ଣ୍ଣ ଛଡ଼ା ମୁଁ ଆଉ କିଛି ଦେଖି ପାରିଲି ନାହିଁ । ମୁଁ ଭାବିଲି, ମୁଁ ଅନ୍ଧ ହୋଇ ଯାଇଛି ଏବଂ ଏଲ୍‍ଟାଇ ମରୁଭୂମିରେ ଜଣେ ଅନ୍ଧର ଦଶା କ’ଣ ହେବ । ପୁଣି ମୁଁ ମୁଣ୍ଡକୁ ତଳେ ପୋତି ଦେଲି, ମୋର ପଲ୍ଲୀ ଓ ପୁତ୍ରମାନଙ୍କ କଥା ଭାବିଲି ଓ ଗଭୀର ନିରାଶାରେ ବିକଳ ଭାବରେ କାନ୍ଦିବାକୁ ଲାଗିଲି ।

 

ମୁଁ ଯେଉଁ ଅଶ୍ରୁ ତ୍ୟାଗ କଲି, ତାହା ମୋତେ ଏକ ନୂତନ ଶକ୍ତି ଦେଲା । ମୁଁ ସୁସ୍ଥ ବୋଧ କଲି ଓ ପୁଣି ମୁଣ୍ଡ ଟେକିଲି-ମୁଁ ଦେଖି ପାରିଲି ! ଆଲ୍ଲାଙ୍କୁ ବିନୀତ ଭାବରେ ଧନ୍ୟବାଦ ଦେବାଲାଗି ମୁ ସାଷ୍ଟାଙ୍ଗ ପ୍ରଣିପାତ କରି ପାଦରେ ଠିଆ ହେଲି । ମୁ ଦେଖି ପାରିଲି ସତ, କିନ୍ତୁ ଯେଉଁ ଦୃଶ୍ୟ ଦେଖିଲି ଚିରଦିନ ଲାଗି ଚକ୍ଷୁ ମୁଦ୍ରିତ ହୋଇ ଯାଇ ଥିଲେ ମଧ୍ୟ, ମୁ ବିଧାତାଙ୍କୁ ଧନ୍ୟବାଦ ଦେଇଥାନ୍ତି । ଆକାଶ ପ୍ରଶାନ୍ତ ହୋଇ ଯାଇଥିଲା, ସମ୍ମୁଖରେ ବିରାଟ ପ୍ରାନ୍ତର ପୂର୍ବପରି ବାଧାହୀନ ଭାବରେ ପଡ଼ି ରହିଥିଲା–କିନ୍ତୁ ଯେଉଁ ସହସ୍ର ସହସ୍ର ବ୍ୟକ୍ତି ମୋ ସଙ୍ଗ ଧରିଥିଲେ ଓ ମନୁଷ୍ୟ ଏବଂ ପଶୁମାନଙ୍କର ଯେଉଁ ବିରାଟ ମେଳନ ହୋଇଥିଲା, ସେମାନେ କାହାନ୍ତି ? ସେହି ପବିତ୍ର ଉଷ୍ଟ୍ର, ଗାୟକ, ବାଦ୍ୟକାର, କାହାନ୍ତି ? ଅମୀର ହାଜି ଓ ତାଙ୍କର ଶରୀରରକ୍ଷକ ସବୁ କାହାନ୍ତି ? ନାନାଜାତିର, ନାନା ସମ୍ପ୍ରଦାୟର ଯେଉଁ ଲୋକ ସବୁ କାରାଭାନ୍‍ରେ ଯୋଗ ଦେଇଥିଲେ, ସେମାନେ କାହାନ୍ତି ?-ସମସ୍ତେ ବିନାଶପ୍ରାପ୍ତ ! ସେମାନଙ୍କର ଶବ ଉପରେ ପର୍ବତାକାର ବାଲୁକାରାଶି ଛିଡ଼ା ହୋଇଥିଲା, ଏବଂ ସେମାନଙ୍କର ଶେଷଚିହ୍ନ ସ୍ୱରୂପ ମନୁଷ୍ୟ ବା ପଶୁର ଶରୀରାଂଶ ଏଠି ସେଠି କାହିଁ କେଉଁଠି ପଡ଼ିଥିବାର ଦେଖା ଯାଉଥିଲା । ଜଣକ ବ୍ୟତୀତ ବାକି ସମସ୍ତେ ବିନଷ୍ଟ ହୋଇଥିଲେ ଏବଂ ସେହି ଜଣକ ମୁଁ -ଅପରାଧୀ, ମୋର ପାପଦ୍ୱାରା କି ଭୟାବହ ଦୁର୍ଘଟନା ଘଟିଥିଲା, ତାହା ଦେଖିବାକୁ ବଞ୍ଚି ରହିଲି ।

 

କିଛିକାଳ ଲାଗି ମୁଁ ସେ ଦୃଶ୍ୟ ଦେଖିବାକୁ ଲାଗିଲି । ମୁଁ ମନେ କଲି, ମୋର ବଞ୍ଚି ରହିବାରେ ବିଧାତାର ଉଦ୍ଦେଶ୍ୟ ଏହି ଯେ, ମୋର ମୃତ୍ୟୁ ଏମାନଙ୍କ ମୃତ୍ୟୁ ଅପେକ୍ଷା ଆହୁରି ଭୟଙ୍କର ହେବ । କିନ୍ତୁ ମୋର ସ୍ମୃତିପଟରେ ସହସା ମୋର ପତ୍ନୀ ଓ ପିଲାମାନେ ଭାସି ଉଠିଲେ ଏବଂ ସେମାନଙ୍କ ସକାଶେ ଯେଉଁ ଜୀବନର, ସେହିମାନଙ୍କ ଛଡ଼ା ଏ ଜଗତରେ ଅନ୍ୟ କୌଣସି ବନ୍ଧନ ନ ଥିଲା ତାକୁ କୌଣସିମତେ ରକ୍ଷା କରିବାକୁ ସ୍ଥିର କଲି । ମୁଁ ମୋର ପଗଡ଼ିରୁ ଖଣ୍ତେ ଚିରି ନେଲି ଏବଂ ମୋର ରକ୍ତସ୍ରାବୀ ନାସିକାରୁ ବାଲୁକା ନିଷ୍କାସନ କରି ସେହି ମରୁପ୍ରାନ୍ତରରେ ଭ୍ରମଣ କରିବାକୁ ଲାଗିଲି ।

 

ଭିନ୍ନ ଭିନ୍ନ ବାଲୁକାପର୍ବତ ମଧ୍ୟରେ ମୁଁ ଅନେକ ଉଷ୍ଟ୍ର ଦେଖିଲି, ଯେଉଁ ମାନଙ୍କ ଦେହ ଅନାବୃତ ରହିଥିଲା । ଗୋଟିଏ ଜଳାଧାର ଦେଖି ମୋର ପ୍ରବଳ ତୃଷାକୁ ନିବାରିତ କରିବା ଲାଗି ମୁଁ ଦଉଡ଼ି ଗଲି । କିନ୍ତୁ ବିନ୍ଦୁଏ ସୁଦ୍ଧା ପାଣି ନ ଥିଲା-ସବୁ ଶୁଖି ଯାଇଥିଲା । ମୁଁ ଆଉ ଗୋଟିଏ ଦେଖିଲି-କିନ୍ତୁ ତା’ର ସେହି ଦଶା । ତା ପରେ ମୁଁ ଗୋଟିଏ ଓଟର ଶରୀର ଉନ୍ମୁକ୍ତ କରି ତା’ର ପାକସ୍ଥଳୀରେ ଯେଉଁ ଜଳ ଥିବ, ତାହା ପାଇବା ଲାଗି ସ୍ଥିର କଲି । ତାହାହିଁ କଲି ଏବଂ ତୃଷା ମୋର ଶାନ୍ତ ହେଲା ଉଷ୍ଟ୍ରମାନଙ୍କର ପାକସ୍ଥଳୀନିର୍ଗତ ଉଷ୍ମ ବାରି ମଧ୍ୟ ମତେ ସେତେବେଳେ ସୁଖକର ବୋଧ ହେଲା । ତା ପରେ ଶରୀର ସବୁ ପଚିବା ପୂର୍ବରୁ ମୁଁ, ସେମାନଙ୍କର ଦେହ ଉନ୍ମୁକ୍ତ କରି ଜଳାଧାରମାନଙ୍କରେ ଜଳସଞ୍ଚୟ କରିବାକୁ ଲାଗିଲି । କିଛି ସଂଗ୍ରହ କରି, ଶେଷରେ ମୁଁ କେଉଁ ଓଟର ପାର୍ଶ୍ୱ ଦେଶରେ ବତାସ ବେଳେ ମୁଣ୍ଡ ଗୁଞ୍ଜି ଥିଲି, ସେହି ଓଟ ପାଖକୁ ଫେରି ଆସିଲି । ମୁଁ ପ୍ରାଣୀଟିର ଦେହ ଉପରେ ଆସୀନ ହୋଇ କିପରି ଭାବରେ ଯାତ୍ରା କରିବି ତାହାହିଁ ଭାବିଲି । ମୁଁ ଜାଣିଥିଲି ଆଉ ଦିନକର ବାଟ ଗଲେ ମୁଁ ଝରଣା ପାଇ ପାରିବି-କିନ୍ତୁ କିପରି ଯିବି ? ମୁଁ ସେଠାକୁ ଯିବାର ରାସ୍ତା ମଧ୍ୟ ଜାଣିଥିଲି ଏବଂ ଦିନ ଶେଷ ହୋଇ ଆସିଥିବାରୁ ଥରେ ଚେଷ୍ଟା କରିବାକୁ ବାହାରି ପଡ଼ିଲି ।

 

ସୂର୍ଯ୍ୟ ଅସ୍ତ ହୁଅନ୍ତେ ମୁଁ ବାହାରିଲି ଏବଂ ପିଠିରେ ଜଳାଧାରଟି ପକାଇ ସେହି ଆଶାହୀନ ଯାତ୍ରା ଆରମ୍ଭ କଲି । ମୁଁ ସେଦିନ ସାରାରାତି ଚାଲିଲି; ଏବଂ ରାତ୍ରି ପ୍ରଭାତ ହୁଅନ୍ତେ ଭାବିଲି ଯେ; କାରାଭାନ୍ ଯାହା ଯାଇଥାନ୍ତେ, ମୁଁ ତା’ର ଅଧା ଯାଇ ପାରିଛି, ତେଣୁ ମତେ ଦିବସର ଉତ୍ତାପ ମଧ୍ୟରେ ପୁଣି ଆଉ ଏକ ଦିନ ଓ ପୁଣି ଆଉ ଏକ ରାତ୍ରି ପରିଶ୍ରମ କରିବାକୁ ପଡ଼ିବ । ମୋ ନିକଟରେ ଯଥେଷ୍ଟ ପାଣିଥିଲା, କିନ୍ତୁ ଖାଦ୍ୟ ଆଦୌ ନଥିଲା । ସୂର୍ଯ୍ୟ ଯେତେବେଳେ ଆକାଶରେ ଉଠିଲେ, ସେତେବେଳେ ଦୀର୍ଘ ବାରଘଣ୍ଟା ଧରି, ଉତ୍ତପ୍ତ କିରଣତଳେ ଓ ଉତ୍ତପ୍ତ ବାଲୁକା ଉପରେ ବସି ରହିବାକୁ ହେଲା । ମଧ୍ୟାହ୍ନ ହେବା ଆଗରୁ, ମୋର ମସ୍ତିଷ୍କ ଉତ୍ତପ୍ତ ହୋଇ ଉଠିଲା ଏବଂ ମୁଁ ମୋର ବୁଦ୍ଧି ବୃତ୍ତି ପ୍ରାୟ ହରାଇବାକୁ ବସିଲି । ମୁଁ ଭଲ ଦେଖି ପାରିଲି ନାହିଁ; କିନ୍ତୁ ଯାହା ସେଠାରେ ନ ଥିଲା ତାହା ଦେଖିବାକୁ ପାଇଲି । ଥରେ ମୋ ଆଖିଆଗରେ ପ୍ରକାଣ୍ଡ ହ୍ରଦସବୁ ଦେଖାଗଲେ; ଏବଂ ସେମାନଙ୍କର ଅସ୍ତିତ୍ୱରେ ମୋର ଏପରି ଦୃଢ଼ ପ୍ରତ୍ୟୟ ହେଲା ଯେ, ମୁଁ ଉଠିଲି ଏବଂ କ୍ଳାନ୍ତ ହେଲାଯାଏ ଝୁଲି ଝୁଲି ଚାଲିବାକୁ ଲାଗିଲି । ଆଉଥରେ ଦୂରରେ ମୁଁ ଅନେକ ବୃକ୍ଷ ଦେଖିବାକୁ ପାଇଲି ଏବଂ ବାଗଲ ବୃକ୍ଷସବୁ ପବନରେ ଆନ୍ଦୋଳିତ ହେବାର ମୁ ଦେଖିପାରିଲି । ସେମାନଙ୍କର ଛାୟାରେ ପଡ଼ି ରହିବାକୁ ମୁଁ ଦଉଡ଼ିଲି । ଶେଷରେ ଗୋଟିଏ ଛୋଟ ବୁଦା ନିକଟରେ ପହଁଞ୍ଚିଲି । ଏହି ବୁଦା ହିଁ, ଦୂରକୁ ବଡ଼ ହୋଇ ଦେଖା ଯାଉଥିଲା ।

 

ଶେଷରେ ରାତ୍ରି ସମାଗତ ହେଲା, ଏବଂ ତାରକାମାନଙ୍କର ଉଦୟ ହୁଅନ୍ତେ, ମୁଁ ଯାତ୍ରାର ବେଳ ହେଲା ବୋଲି ଭାବି, ବାହାରି ପଡ଼ିଲି । ମୋର ଜଳାଧାରରୁ ଯଥେଷ୍ଟ ପାଣି ପିଇ, ଏକା ଏକା ଯାତ୍ରା କରିବାକୁ ଲାଗିଲି । ମୋର ପଥ ପୂର୍ବବର୍ତ୍ତୀ ଯେଉଁ ସବୁ କାରାଭାନ୍ ମରୁଭୂମିରେ ବିନାଶ ପ୍ରାପ୍ତ ହୋଇଥିଲେ ସେମାନଙ୍କର ଅସ୍ଥି ମାଳରେ ଚିହ୍ନିତ ହେଉଥିଲା ଏବଂ ରାତ୍ରି ପ୍ରଭାତ ହେଲାବେଳକୁ ମୁଁ ଅଳ୍ପଦୂରରେ ଆକାଶ-ଦୁର୍ଗ ଦେଖି ପାରିଲି । ନବଜୀବନରେ ଅନୁପ୍ରାଣିତ ହୋଇ ମୁଁ ମୋର ଜଳାଧାରକୁ ଫିଙ୍ଗି ଦେଲି ଏବଂ ଦୁଇଗୁଣ ବେଗରେ ଚାଲିବାକୁ ଲାଗିଲି । ଅଧଘଣ୍ଟା ମଧ୍ୟରେ, ମୋର ପରିଚିତ ନିର୍ଝର କୂଳରେ ପହଞ୍ଚି ସେହିଠାରେ ପଡ଼ିଗଲି । କି ଆନନ୍ଦ ସେ ! ଛାୟାତଳେ ଶୋଇ ରହି ଶୀତଳ ସମୀରଣ ସେବନ କରିବା ପକ୍ଷୀ କାକଳୀ ଶୁଣିବା ଏବଂ କୁସୁମର ସୌରଭ ଗ୍ରହଣ କରିବା କି ସ୍ୱର୍ଗୀୟ ସୁଖ ! ଘଣ୍ଟାକ ପରେ ମୁଁ ମୋର ବସ୍ତ୍ର ମୋଚନ କରି ସ୍ନାନ କଲି ଏବଂ ଯଥେଷ୍ଟ ପାଣି ପିଇ ଗଭୀର ନିଦ୍ରାରେ ଅଭିଭୂତ ହୋଇ ପଡ଼ିଲି ।

 

ମୁଁ ନିଦ୍ରାରୁ ଉଠିଲାବେଳକୁ ଟିକିଏ ସତେଜ ବୋଧ କଲି ସତ; କିନ୍ତୁ ମତେ ପ୍ରବଳ କ୍ଷୁଧା ଆକ୍ରମଣ କରି ବସିଲା । ମୁଁ ସେତେବେଳକୁ ତିନି ଦିନ ହେଲା ଖାଇ ନ ଥିଲି । କିନ୍ତୁ ତୀବ୍ରତର ତୃଷ୍ଣା ଯୋଗୁଁ କ୍ଷୁଧା ଅନୁଭବ କରି ପାରି ନ ଥିଲି । ବର୍ତ୍ତମାନ ଯେତେବେଳେ ସେ ବିପଦ ଚାଲିଗଲା, ଏବେ ଏ ବିପଦ ମାଡ଼ି ଆସିଲା ଏବଂ ପ୍ରତି ଘଣ୍ଟାରେ ପ୍ରବଳତର ହେବାକୁ ଲାଗିଲା । ମୁଁ ଟିକିଏ ବାହାରକୁ ଗଲି ଓ ଦିଗ୍‍ବଳୟ ଆଡ଼କୁ ଅନାଇବାକୁ ଲାଗିଲି, ଏହି ଆଶାରେ ଯେ, କାଳେ କୌଣସି କାରାଭାନ୍ ମୋ ଦୃଷ୍ଟିରେ ପଡ଼ିବ । କିନ୍ତୁ ତାହା ବୃଥା ହେଲା ଓ ମୁଁ ପୁଣି ଝରଣା ନିକଟକୁ ଫେରି ଆସିଲି । ଏହିପରି ଅବସ୍ଥାରେ ଆହୁରି ଦୁଇ ଦିନ କଟିଗଲା, କିନ୍ତୁ କୌଣସି ସାହାଯ୍ୟର ଆଶା ଦେଖାଗଲା ନାହିଁ । ମୁଁ ଏକାବେଳେକେ ନିସ୍ତେଜ ହୋଇ ପଡ଼ିଲି ଏବଂ ଅନୁଭବ କଲି ଯେ, ମୁଁ କ୍ରମେ ମରୁଛି ଏବଂ ନିର୍ଝରର କଲ୍ଲୋଳ ଓ ବିହଙ୍ଗମମାନଙ୍କର ଗାନ ଶୁଣି ଶୁଣି ଏବଂ ମୋର ଗଣ୍ଡଦେଶରେ ଶୀତଳବାୟୁ ସ୍ପର୍ଶ ଲାଭ କରି ମୁଁ ଭାବିଲି ଯେ, ଏହି ନନ୍ଦନ କାନନରେ ଏପରି ଯନ୍ତ୍ରଣା ଭୋଗ କରିବା ଅପେକ୍ଷା ସେହି ମରୁଭୂମିରେ ମୃତ୍ୟୁର କବଳିତ ହୋଇଥିଲେ ଶତଗୁଣରେ ଭଲ ହୋଇଥାନ୍ତା । ଶେଷରେ ମୁଁ ମରିବାଲାଗି ଶଯ୍ୟାଗ୍ରହଣ କଲି; କାରଣ ମୋର ଆଉ ବସିବାର ଶକ୍ତି ନ ଥିଲା ଏବଂ ମୁଁ ଯେତେବେଳେ ଜୀବଦାୟିନୀ ସେହି ନିର୍ଝରିଣୀକୁ ଶେଷବାର ଲାଗି ଚାହିଁଲି, ସେତେବେଳେ ମୋର ପାର୍ଶ୍ୱଦେଶରେ ମୁଁ କିଛି କଠିନ ପଦାର୍ଥ ଅନୁଭବ କଲି । ମୁଁ ଭାବିଲି, ତାହା ଖଣ୍ଡେ ପଥର ହୋଇଥିବ ଏବଂ ମୋର ଶେଷ ନିଦ୍ରାଟି ସ୍ୱାଚ୍ଛନ୍ଦ୍ୟରେ ହେଲେ କଟୁ ଏହା ଭାବି ତାକୁ କାଢ଼ିବାକୁ ବସିଲି । କିନ୍ତୁ ଦେଖିଲି ଯେ, କୌଣସି ପଥର ସେଠି ନାହିଁ । ସେତେବେଳେ ଭାବିଲ, ମୋ ପୋଷାକ ପକେଟର କିଛି ଦ୍ରବ୍ୟ ହୋଇଥିବ । ମୁଁ ହାତ ପୂରାଇ ଖୋଜିଲି ଏବଂ କାଢ଼ି ତାକୁ ଫୋପାଡ଼ି ଦେବା ଆଗରୁ ଦେଖିବାରୁ ଦେଖି ପାରିଲି ଯେ, ତାହା ଖଣ୍ଡେ ଶୁଖିଲା ରୋଟି । ମୁଁ ଭାବିଲି ତାହା ଯେପରି ମୋ ଲାଗି ସ୍ୱର୍ଗରୁ ପଠାଯାଇଛି ଏବଂ ବସ୍ତୁତଃ ତାହା ସ୍ୱର୍ଗୀୟ ଦ୍ରବ୍ୟ ପରି ପବିତ୍ର । କାରଣ ତାହା ପ୍ରେମ ଓ ସରଳତାର ଦାନ । ସେହି ରୁଟି ମୋର ଛୋଟ କନ୍ୟାଟି ସକାଳେ ଖାଇବାଲାଗି ପାଇଥିଲା ଏବଂ ମୁଁ ବିଦାୟ ନେଲାବେଳେ ଯେତେବେଳେ ଭାବୁଥିଲି ଯେ, ସେ ଫଳ ଖୋଜୁଛି, ସେତେବେଳେ ସେ ଏହାକୁ ମୋ ପକେଟରେ ଗୁଞ୍ଜି ଦେଇଥିଲା । ମୁଁ ଝରଣା ପାଖକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇ ତାକୁ ବତୁରାଇ ନେଲି ଓ ବିଧାତା ପ୍ରତି କୃତଜ୍ଞତାର ଅଶ୍ରୁବର୍ଷଣ କରି କରି ଓ ପିତୃହୃଦୟର ସମସ୍ତ ଆକର୍ଷଣ ଅନୁଭବ କରି କରି ତାକୁ ଭକ୍ଷଣ କଲି ।

 

ମୋର ଜୀବନ ରକ୍ଷା ହେଲା । ତହିଁ ଆରଦିନ କାଏରୋଗାମୀ ଗୋଟିଏ ଛୋଟ କାରାଭାନ୍ ଉପସ୍ଥିତ ହେଲା । ବଣିକମାନେ ମୋ ପ୍ରତି ଅତ୍ୟନ୍ତ କରୁଣ ବ୍ୟବହାର କଲେ ଓ ମୋତେ ଗୋଟିଏ ଓଟ ଉପରେ ବସାଇ କାଏରୋ ଘେନି ଆସିଲେ । ଯେଉଁମାନଙ୍କୁ ଦେଖିବାର କେବେ ଆଶା କରି ନ ଥିଲି, ସେହି ପୁତ୍ର କନ୍ୟାଙ୍କୁ ପୁଣି ଆଲିଙ୍ଗନ କଲି । ସେହି ଦିନଠାରୁ ମୁଁ ଦରିଦ୍ର ହୋଇଛି ସତ, କିନ୍ତୁ ସୁଖ-ସନ୍ତୋଷରେ ଅଛି । ମୋର ଅପରାଧ ଲାଗି ମୋର ସମସ୍ତ ସମ୍ପତ୍ତି ବିନଷ୍ଟ ହେବାର କଥା ଏବଂ ଆଲ୍ଲାଙ୍କ ଇଚ୍ଛା ନିକଟରେ ନିଜକୁ ସମର୍ପଣ କରି ଦେଇଛି ।

 

ବର୍ତ୍ତମାନ ହଜୁର ବୁଝି ପାରିବେ, ମୁଁ କାହିଁକି କହିଥିଲି, “ଯେଉଁ ଲୋକ ବେଳରେ ଖଣ୍ଡେ ରୁଟି ପାଇ ପାରେ, ସେହି ଏକମାତ୍ର ସୁଖୀ ।”

Image

 

କଞ୍ଚୁକୀର ଉକ୍ତି

 

କେହି ରହି ନାହିଁ ରହିବ ନାହିଁ ଟି

ଭବ-ରଙ୍ଗ-ଭୂମିତଳେ,

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡ଼ିବେ କାଳବଳେ ।

ସ୍ମୃତିତୀର୍ଥେ ଯାର ନାମ ହୋଇଅଛି

ଅମର ବର୍ଣ୍ଣେ ଅଙ୍କିତ,

ପୁଣ୍ୟଶ୍ଳୋକ ଐର ନରପତି ହେଲେ

କାଳତୁଣ୍ଡେ କବଳିତ ।

କାହିଁଗଲେ ଇନ୍ଦ୍ର- ଦ୍ୟୁମ୍ନ ମହୀପତି

ଉତ୍କଳ-ଗୌରବ-ରବି

ନୀଳାଚଳେ ସ୍ଥାପି ଏହି କୀର୍ତ୍ତିକଳି-

କଳୁଷ-ପର୍ବତ-ପବି ?

କାଳଗର୍ଭେ ଭବେ ଲୀନ ହେଲେ କେତେ

ମହୀପତି ମହାଯଶା

ହୋଇଅଛି ଯାଙ୍କ ଜୀର୍ଣ୍ଣ ସୌଧ ଏବେ

ବ୍ୟାଘ୍ର ଭଲ୍ଲୁ କର ବସା ।

ଶୈବାଳ ପାଷାଣ-       ଭେଦୀରେ ସଉଧ

ହୋଇଛି ନୀଳ ବରଣ,

କୃମି-ତନ୍ତୁଜାଲ ହୋଇଅଛି ଏବେ

ଗବାକ୍ଷର ଆସ୍ତରଣ !

ସ୍ୱର୍ଣ୍ଣ-ଦୀପାଲୋକ ଉଠୁଥିଲା ଯହିଁ

ଅଗୁରୁ ଧୂପର ଘଟା,

ତିମିରକୁ ତହିଁ ବିଜନ୍ତି ବିଜନେ

ପକ୍ଷବାତେ ଚମଚଟା !

ତୋଳିଲେ ଅତୁଳ ଦୁର୍ଗ ଯେଉଁ ବୀର

ବିରୂପା-ତଟିନୀ ତୀରେ,

ବିରୂପା ତରଙ୍ଗେ ବୁଦ୍‍ବୁଦ ପରାଏ

ମିଶିଗଲେ କାଳନୀରେ ।

ଏବେ ସେହି ଦୁର୍ଗୁ ଭୀଷଣ ନିର୍ଘୋଷେ

ପାଷାଣ ହୋଇ ସ୍ଖଳିତ

ଦୂର ଜନପଦେ ସୁସ୍ଥ ଜନେ କରେ

ନିଶୀଥେ ଭୀତ ଚକିତ;

ମହୀ ଅବତଂସ- ଉଜ୍ଜ୍ୱଳ କେଶରୀ-

ରାଜବଂଶ କାହିଁ ଗଲା ?

ବେଢ଼ିଛି ଉତ୍କଳ- କଳେବରେ ଯାର

ଅମଳ କୀର୍ତ୍ତିମେଖଳା ।

“ସେହି ବଂଶ କାହିଁ ?” ଏହି କଥା ଯେବେ

ଏକାମ୍ରେ ପୁଚ୍ଛିବ ଯାଇ

ପ୍ରତିଧ୍ୱନି ଛଳେ କାନନେ ଦେଉଳ

ପ୍ରତିବାଣୀ ଦେବ “କାହିଁ” ?

ଚିର ଦିନ ପାଇଁ କାହାରି ନୁହନ୍ତି

କର୍ମଭୂମି ବସୁନ୍ଧରା,

ପାଞ୍ଚିଛନ୍ତି ରାଏ ଭୁଜବଳେ ଭବେ

ଚିରସ୍ଥାୟୀ ହେବେ ପରା ?

ନିଜ ନଶ୍ୱରତା ଗଙ୍ଗେଶ୍ୱର କେବେ

ସ୍ମରିଲେ ନାହିଁ ସ୍ୱପନେ,

ତମ-ଧର୍ମ-ବଶେ ଅନୁକ୍ଷଣ ରତ

କେବଳ ପରପୀଡ଼ନେ ।

ଦିଗ୍-ବିଜୟ-ବ୍ୟାଜେ କେତେ ଭୂପାଳଙ୍କୁ

କଲେ ରାଜା ରଣେ ହତ,

ଥୋକେ ରାଜ୍ୟ ଛାଡ଼ି ଦୂରେ ପଳାଇଲେ

ଥୋକେ ହେଲେ ପଦାନତ ।

ଗଙ୍ଗେଶ୍ୱର ଦମ୍ଭ ଭୟେ ଥରହର

କମ୍ପଇ ଆଜ ଉତ୍କଳ,

କେତେ କାଳ ଧର୍ମ       ସହିବ ଅନୀତି

ଦିନେ ଦେବ ପ୍ରତିଫଳ ।

ବୃଥା ଦମ୍ଭେ ମାତି ଦିଗ୍ବି ଜୟୀ ବୀର

ଭ୍ରମୁଥାନ୍ତି ଦେଶେ ଦେଶେ,

ଜେତା ବିଜିତକୁ କରାଳ କୃତାନ୍ତ

ପେଷିଦିଏ ନିର୍ବିଶେଷେ ।

ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ

ସମସ୍ତଙ୍କ ଭାଗ୍ୟଡ଼ୋରି,

ନିଜ ଭାଗ୍ୟଡ଼ୋରି କାଳହସ୍ତେ ଏହା

ପକାନ୍ତି ହେଳେ ପାସୋରି ।

ଅଜ୍ଞାନେ କଳ୍ପନା-ଉଦ୍ୟାନେ ଦାମ୍ଭିକ

ଗଢ଼େ ଆଶା-କୁଞ୍ଜମାନ,

ତା ଦେଖି ଅଲକ୍ଷ୍ୟେ ପାଖେ ପାଖେ ଥାଇ

ହସୁଥାଇ ଜନ୍ତୁରାଣ ।

କ୍ରୂର କାଳଚକ୍ର ଘୂରୁଛି ମସ୍ତକେ

ଜାଣି ଲୋକେ ହୋନ୍ତି ବଣା,

କିପାଇଁ ଲୋଡ଼ନ୍ତି ରଣଭୂମିରୂପ

କୃତାନ୍ତ–ରଙ୍ଗ–ଅଗଣା ?

ଅଗ୍ରେ ବାତ୍ୟା ଦେଖି ଜଳେ ଜଳଦସ୍ୟୁ

ଆକ୍ରମେ ବଣିଜ–ତରୀ,

ଦିଗ୍ ବିଜୟୀ-ବ୍ୟାଜେ ସେହି ରୂପେ ପର-

ରାଜ୍ୟ ଆକ୍ରମେ ମତ୍ସରୀ;

ଦସ୍ୟୁ ବଣିକକୁ ମାରେ ବାତ୍ୟା ଯଥା

ବୁଡ଼ାଇ ଜଳଧିଜଳେ,

କାଳ ସେହିରୂପେ ଜେତା ବିଜିତକୁ

ପୂରାଏ ନିଜ କବଳେ ।

ଏ ଭବସାଗରେ ସର୍ବଗ୍ରାସୀ କାଳ–

ବାତ୍ୟା ବହେ ଅବିରତ,

ଏହା ଜାଣି ଲୋକେ କେଉଁ ଲୋଭ ଆଶେ

କଳହେ ହୁଅନ୍ତି ରତ ?

ଗଜ କଚ୍ଛପର କଳି ପ୍ରାୟେ ମହା–

ଦମ୍ଭେ କରୁଥାନ୍ତି ଲୀଳା,

ମନେ ନାହିଁ ଦିନେ କାଳ–ପକ୍ଷିରାଜ

ଉପରୁ ମାରିବ ଚିଲା !

(ରାଧାନାଥ–ପାର୍ବତୀ)

Image

 

ମହମ୍ମଦ ଓ ଇସଲାମ

 

ଜନହୀନ ଜଳହୀନ ଦିଗ୍ ବଳୟବ୍ୟାପୀ ନିରାଟ ମରୁଭୂମି ଓ ବୃକ୍ଷପତ୍ରହୀନ ଶୁଷ୍କ କଠୋର ଗିରିମାଳା ମଧ୍ୟରେ ସ୍ଥାନେ ସ୍ଥାନେ ଜନବସତି, ଶ୍ୟାମକାନ୍ତ ଉପତ୍ୟକା–ଏହାହିଁ ଆରବ ମରୁଭୂମି । ଆଶ୍ରୟହୀନ ନିର୍ମମ ମରୁଭୂମି ମଧ୍ୟରୁ ଯେଉଁଠାରେ ବିଧାତାର କରୁଣାରୂପିଣୀ ଜଳଧାରା ଉତ୍ସାରିତ ହୋଇଅଛି, ସେଠାରେ ସୁନ୍ଦରୀ ପ୍ରକୃତିର ଶ୍ୟାମଶାଟୀ ଚିର ବିସ୍ତୃତ ରହିଅଛି ଓ ସେହି ସ୍ଥାନରୁ ରାଜସପ୍ରକୃତିକ ଆରବ ତା’ର ସମସ୍ତ ଉପଭୋଗ କାଢ଼ି ପାରିଅଛି । ଦିବାକାଳରେ ପ୍ରଚଣ୍ଡ ସୂର୍ଯ୍ୟରଶ୍ମି ଏହି ବିରାଟ ବାଲୁକା ବିସ୍ତାରକୁ ଉତ୍ତପ୍ତ କରିଦିଏ, ନିଶାକାଳରେ ମେଘମୁକ୍ତ ନିର୍ମ୍ମଳ ଆକାଶରେ ଅଗଣିତ ତାରକା ହୀରକପ୍ରଦୀପ ପରି ଏହାର ଊର୍ଦ୍ଧ୍ୱରେ ଜଳି ଉଠନ୍ତି । ପ୍ରକୃତିର ଏହି ବିଷମ ଓ ବିଚିତ୍ର ଲୀଳା, ଏହି ଭୂଖଣ୍ଡ ଅଧିବାସୀମାନଙ୍କୁ ଏକ ବିଚିତ୍ର ଆଦର୍ଶରେ ଗଢ଼ି ପକାଇଅଛି । ଆରବ ଭାବପ୍ରବଣ, ଉଷ୍ଣରକ୍ତ ଓ କ୍ଷିପ୍ରହସ୍ତ । ମରୁଚାରୀ ବେଦୁଇନ୍ ଘୋର ଶତ୍ରୁକୁ ମଧ୍ୟ ତା’ର ଶିବିରକୁ ଅତିଥିଭାବରେ ନିମନ୍ତ୍ରଣ କରି, ସତ୍କାର ପାଇଁ ତା’ର ପ୍ରିୟତମ ଅଶ୍ୱଶାବକକୁ ହତ୍ୟା କରି ପାରେ । ସେମାନେ ସାଧାରଣତଃ ବାକ୍‍ପ୍ରିୟ ନୁହନ୍ତି, କିନ୍ତୁ ଉତ୍ତେଜିତ ହେଲେ ଅତ୍ୟନ୍ତ ବାଗ୍ମିତା ସହ, ବାକ୍ ପ୍ରୟୋଗ କରି ପାରନ୍ତି । ସତ୍ୟବାଦୀ, ବିଶ୍ୱସ୍ତ, ଭାବୁକ ଓ ଭାବପ୍ରବଣ, ସ୍ଥିରପ୍ରତିଜ୍ଞ ଓ କର୍ମଠ–ଏହିପରି ଯେ ଆରବଜାତି, ସେହିମାନଙ୍କ ମଧ୍ୟରେ ମହାପୁରୁଷ ମହମ୍ମଦ ଉପଯୁକ୍ତ ଜାତିର ଉପଯୁକ୍ତ କର୍ଣ୍ଣଧାରରୂପେ ଅବତୀର୍ଣ୍ଣ ହୋଇ, ଏହି ବିଶିଷ୍ଟ ଜାତିର ଉଦାର ଗୁଣାବଳିକୁ କାର୍ଯ୍ୟରେ ଲଗାଇ ପାରି ପୃଥିବୀରେ ଏକ ମହାନ୍ ଧର୍ମ୍ମ ପ୍ରତିଷ୍ଠିତ କରି ପାରିଥିଲେ ।

 

ଅପରାପର ପ୍ରାଚ୍ୟ ଜାତିମାନଙ୍କ ପରି ଆରବମାନେ ମଧ୍ୟ ଅତ୍ୟନ୍ତ ଧର୍ମାନୁରକ୍ତ । ସେକାଳରେ ଏହି ସମଗ୍ର ଆରବ ଜାତିର ଆରାଧନାର ବସ୍ତୁ ଥିଲା ଖଣ୍ଡିଏ କୃଷ୍ଣ ପ୍ରସ୍ତର, ଯାହା କାବା ମନ୍ଦିରରେ ସୁରକ୍ଷିତ ଥିଲା ଓ ଯେଉଁଠାକୁ ଆରବର ସକଳ ପ୍ରାନ୍ତରୁ ନରନାରୀମାନେ ସମାଗତ ହୋଇ ମୁକ୍ତିଲାଭର ଚେଷ୍ଟା କରୁଥିଲେ । ଯାତ୍ରୀସମାଗମ ଫଳରେ ଏହି କାବାକୁ କେନ୍ଦ୍ର କରି, କାଳକ୍ରମେ ଏକ ବିରାଟ ନଗର ପ୍ରତିଷ୍ଠିତ ହୋଇ ପାରିଥିଲା । ଏହି ନଗରର ନାମ ମକ୍କା । ଭିନ୍ନ ଭିନ୍ନ ବଂଶ ଭିନ୍ନ ଭିନ୍ନ କାଳରେ, ମକ୍କାର ଶାସକ ଓ କାବା ମନ୍ଦିରର ରକ୍ଷକ ନିର୍ବାଚିତ ହେଉଥିଲେ । ମହମ୍ମଦଙ୍କ ଜନ୍ମକାଳରେ କୋରେସ୍ ବଂଶ ମକ୍‍କାର ଶାସକ ଥିଲେ ଓ ସ୍ୱୟଂ ମହମ୍ମଦ ଏହି ବଂଶୀୟ ଥିଲେ । ମକ୍‍କାର ବାହାରେ ବିରାଟ ମରୁଭୂମିର ସ୍ଥାନେ ସ୍ଥାନେ, ଅସଂଖ୍ୟ ଆରବ ଗୋଷ୍ଠୀ, ଭିନ୍ନ ଭିନ୍ନ ବ୍ୟବସାୟ ଓ ନିରବଚ୍ଛିନ୍ନ ଅନ୍ତର୍ଯୁଦ୍ଧରେ ରତ ଥିଲେ । ଉଚ୍ଚ ବା ଉଦାରଚିନ୍ତା ସେମାନଙ୍କର ଅଜ୍ଞାତ ଥିଲା ।

 

ଖ୍ରୀଷ୍ଟ ଜନ୍ମ ହେବାର ୫୭୦ ବର୍ଷ ପରେ ମହମ୍ମଦ ଏହି ମକ୍‍କା ନଗରୀରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ହେବାର ଅଳ୍ପକାଳ ପରେ ପିତା ଅବଦୁଲ୍ଲା ପ୍ରାଣତ୍ୟାଗ କଲେ ଏବଂ ତାଙ୍କର ୬ ବର୍ଷ ବୟସ ବେଳେ ମାତା ମଧ୍ୟ ଇହଲୀଳା ସାଙ୍ଗ କଲେ । ତହୁଁ ଶିଶୁ ମହମ୍ମଦଙ୍କ ଲାଳନପାଳନ ଭାର ପ୍ରଥମେ ପିତାମହ ଓ ପିତାମହୀଙ୍କ ମୃତ୍ୟୁ ପରେ ପିତୃବ୍ୟ ଆବୁଥାଲେବଙ୍କ ଉପରେ ପଡ଼ିଲା ।

 

ଆବୁଥାଲେବ୍ ବାଣିଜ୍ୟ ବ୍ୟବସାୟୀ ଥିଲେ । ବାଣିଜ୍ୟବ୍ୟପଦେଶରେ ତାଙ୍କୁ ଅନେକ ଦେଶ ଭ୍ରମଣ କରିବାକୁ ହେଉଥିଲା । ଏହି ଭ୍ରମଣମାନଙ୍କରେ ତରୁଣ ମହମ୍ମଦ ଅନେକ ସମୟରେ ପିତୃବ୍ୟଙ୍କର ସାଥୀ ଥିଲେ । ତାଙ୍କର ଅଷ୍ଟାଦଶ ବର୍ଷରେ ପିତୃବ୍ୟଙ୍କ ସହ ଏହିପରି ଏକ ଯାତ୍ରାରେ ତାଙ୍କୁ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେବାର ଦେଖୁଁ । ସେହି ବୟସରେ ମଧ୍ୟ ଏପରି ଏକ ଘଟଣା ଘଟିଲା, ଯାହା ତାଙ୍କ ଜୀବନର ସମସ୍ତ ଭବିଷ୍ୟତ୍‍କୁ ନିୟନ୍ତ୍ରିତ କଲା । ସେହି ସମୟରେ ସେ ପିତୃବ୍ୟଙ୍କ ସହ ସିରିୟାର କୌଣସି ବାଣିଜ୍ୟବସତିକୁ ଯାଇ କୌଣସି ସୁପ୍ରସିଦ୍ଧ ଖ୍ରୀଷ୍ଟୀୟ ଧର୍ମଯାଜକଙ୍କ ସହ ଏକ ସ୍ଥାନରେ ବସବାସ କରିବାର ସୁବିଧା ପାଇଲେ । ଖ୍ରୀଷ୍ଟଧର୍ମ ସହ ଏହି ପରିଚୟ ମହମ୍ମଦଙ୍କ ଧର୍ମଜୀବନକୁ ପ୍ରସ୍ଫୁଟିତ କରିଦେଲା । ଏହା ଜାଣିବାର କଥା ଯେ, ମହମ୍ମଦ ନିରକ୍ଷର ଥିଲେ । କୌଣସି କାଳରେ ତାଙ୍କୁ କେହି ଲିଖନପଠନ ଶିକ୍ଷା ଦେଇ ନ ଥିଲେ । ତେଣୁ ଯେଉଁ ପ୍ରଜ୍ଞାଦ୍ୱାରା ସେ ଏକ ବିରାଟ ଧର୍ମ୍ମ ପ୍ରତିଷ୍ଠା କରି ପାରିଥିଲେ, ତାହା ପୂର୍ବ ବର୍ତ୍ତୀ ଆଚାର୍ଯ୍ୟମାନଙ୍କର ଶାସ୍ତ୍ରାନୁଶୀଳନଦ୍ୱାରା ନୁହେ; କେବଳ ସ୍ୱୀୟ ପ୍ରତିଭାର ବାତାୟନ ଦେଇ ବିଶ୍ୱଜଗତର ଯେଉଁ ପ୍ରତ୍ୟକ୍ଷଲବ୍‍ଧ ଜ୍ଞାନ ସେ ଆହରଣ କରି ପାରିଥିଲେ ତାହାରି ଦ୍ୱାରା ।

 

ତରୁଣ ବୟସରୁ ସେ ଅତ୍ୟନ୍ତ ଚିନ୍ତାଶୀଳ ବୋଲି ଜଣା ପଡ଼ିଥିଲେ । ତାଙ୍କର ସଙ୍ଗୀମାନେ ତାଙ୍କୁ ‘ଆଲ୍ ଅମୀନ୍’ ବା ‘ବିଶ୍ୱାସୀ’ ବୋଲି ନାମ ଦେଇଥିଲେ । ସଙ୍ଗୀମାନଙ୍କ ମଧ୍ୟରେ ବାକ୍ୟ ଓ କାର୍ଯ୍ୟରେ ସତ୍ୟରକ୍ଷା ଲାଗି ସେ ପ୍ରସିଦ୍ଧ ଥିଲେ ଏବଂ ସେମାନେ ଭାବୁଥିଲେ ଯେ, ଏହି ଚରିତ୍ରବାନ୍, ପରୋପକାରୀ, ସତ୍ୟବାଦୀ, ଖାଣ୍ଟି ଲୋକଟି ଦିନେ କିଛି ନା କିଛି ବଡ଼ କାର୍ଯ୍ୟ କରି ପାରିବ । ଏହି ଚରିତ୍ରମାଧୁର୍ଯ୍ୟ ସଙ୍ଗେ ରୂପସୌଷ୍ଠବ ଯୁକ୍ତ ହୋଇ ମହମ୍ମଦଙ୍କୁ ସମାଜରେ ଖ୍ୟାତ ଓ ପ୍ରିୟ କରି ପକାଇଥିଲା ।

 

ଏହି ସମସ୍ତ ଗୁଣ ଯୋଗୁଁ ମକ୍‍କା ନଗର ଅଧିବାସିନୀ ଖାଦିଜାନାମ୍ନୀ ଏକ ସମ୍ପତ୍ତିବତୀ ବିଧବା ମହମ୍ମଦଙ୍କୁ ନିଜର ସମ୍ପତ୍ତି ପରିଚାଳନାଲାଗି ନିୟୋଜିତ କଲେ । ଖାଦିଜା ଅତ୍ୟନ୍ତ ସୁନ୍ଦରୀ ଥିବୀରୁ ମକ୍‍କାର ଅନେକ ସମ୍ଭ୍ରାନ୍ତ ପୁରୁଷ ତାଙ୍କର ପାଣିପୀଡ଼ନ ଲାଗି ପ୍ରାର୍ଥୀ ହୋଇଥିଲେ; କିନ୍ତୁ ସେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଶୁଦ୍ଧ ବୈଧବ୍ୟରେ କାଳାତିପାତ କରୁଥିଲେ । ମହମ୍ମଦ କିଛି କାଳ ତାଙ୍କ ଅଧୀନରେ କାର୍ଯ୍ୟ କଲା ପରେ ସେ ତାଙ୍କ କର୍ମ୍ମକୁଶଳତା, ନ୍ୟାୟନିଷ୍ଠତା, ସତ୍ୟବାଦିତା ପ୍ରଭୃତି ଗୁଣରେ ମୁଗ୍‍ଧ ହେବାକୁ ଲାଗିଲେ । ପରିତୋଷ କ୍ରମେ ପ୍ରଣୟରେ ପରିଣତ ହେଲା ଏବଂ ଖାଦିଜା ମହମ୍ମଦଙ୍କୁ ସ୍ୱାମୀରୂପେ ବରଣ କରି ତାଙ୍କୁ ବିବାହ କଲେ । ସେତେବେଳକୁ ମହମ୍ମଦଙ୍କର ବୟସ ପଚିଶ ମାତ୍ର ।

 

ମହମ୍ମଦଙ୍କର ଚତ୍ୱାଚିଂଶତ୍ ବର୍ଷ ବୟସବେଳେ ଖାଦିଜା ପରଲୋକ ପ୍ରାପ୍ତ ହେଲେ । ଏହି ପଞ୍ଚଦଶବର୍ଷବ୍ୟାପୀ ଦାମ୍ପତ୍ୟଜୀବନ ମହମ୍ମଦଙ୍କର ଅତ୍ୟନ୍ତ ସୁଖ ଓ ଶାନ୍ତିରେ ଅତିବାହିତ ହୋଇଥିଲା । କିନ୍ତୁ ଏହି ଶାନ୍ତିମୟ ଦାମ୍ପତ୍ୟଜୀବନ ମଧ୍ୟରେ ମହମ୍ମଦଙ୍କ ଆତ୍ମା, ଯେଉଁ ସବୁ ଜିଜ୍ଞାସା ଉପରେ ପ୍ରତ୍ୟେକ ଧର୍ମ ପ୍ରତିଷ୍ଠିତ, ସେହି ସବୁ ନେଇ ବ୍ୟାପୃତ ଥିଲା । ମୁଁ କିଏ ? କେଉଁଠାରୁ ଆସିଲି ? କାହିଁ ବା ଯିବି ? ଭଗବାନ୍ କାହାନ୍ତି ? ଏହି ମୂର୍ତ୍ତି ସବୁ କ’ଣ ଈଶ୍ୱର ? ଏହିପ୍ରକାର ପ୍ରଶ୍ନମାନ ମହମ୍ମଦଙ୍କ ଅନ୍ତରରେ ଉଠି ଲୀନ ହେବାକୁ ଲାଗିଲା । ସେ ସବୁର ଉତ୍ତର ଦେବାକୁ ତାଙ୍କର ଗୋଷ୍ଠୀରେ କେହି ନ ଥିଲେ । ଏହି ଚିରନ୍ତନ ପ୍ରଶ୍ନମାନଙ୍କର ସମାଧାନ ଲାଗି ସେ ପ୍ରତିବର୍ଷ ରମଜାନ ମାସରେ ନିକଟବର୍ତ୍ତୀ ହାରା ପର୍ବତର ଏକ ଗହ୍ୱରକୁ ପ୍ରୟାଣ କରି, ସେହିଠାରେ ନିର୍ଜନ ପର୍ବତର ନୀରବ ଶାନ୍ତି ମଧ୍ୟରେ ଧ୍ୟାନ ଓ ମନନ କରୁଥିଲେ । ବହୁ ବର୍ଷର ପ୍ରାର୍ଥନା, ଧ୍ୟାନ ଓ ମନନ ପରେ, ତାଙ୍କର ଚତ୍ୱାରିଂଶତ୍ ବର୍ଷ ବୟଃକ୍ରମ ବେଳେ, ସେ ସେହି ବର୍ଷର ରମଜାନ ପରେ ଗୃହକୁ ଫେରି ଖାଦିଜାଙ୍କୁ କହିଲେ ଯେ, ଭଗବାନ ବିଶେଷ କରୁଣାଫଳରେ ତାଙ୍କର ସମସ୍ତ ଅନ୍ଧକାର ଦୂରୀଭୂତ ହୋଇଅଛି । ସେ ଜାଣିବାକୁ ପାରିଛନ୍ତି ଯେ, ଏହି ମୂର୍ତ୍ତି, ବିଗ୍ରହ ଓ ମନ୍ତ୍ର-ତନ୍ତ୍ର ସକଳ ମିଥ୍ୟା । ଏକ ପରମେଶ୍ୱର ଆମ୍ଭମାନଙ୍କର ଅନ୍ତର ଓ ବାହାରରେ ବ୍ୟାପୀ ରହି ଅଛନ୍ତି, ଏହି ବିଗ୍ରହସବୁ ପରିତ୍ୟାଗ କରି ତାଙ୍କୁହିଁ ଆରାଧନା କରିବା ଆମ୍ଭମାନଙ୍କର ଉଚିତ । ସେହି ଈଶ୍ୱରହିଁ ବିଶ୍ୱଜଗତରେ ଶ୍ରେଷ୍ଠ ଓ ପରମ, ତାଙ୍କଠାରୁ ଶ୍ରେଷ୍ଠତର ଆଉ କିଛି ନାହିଁ । ଅଲ୍ଲା ହୋ ଆକବର-ଭଗବାନହିଁ ଶ୍ରେଷ୍ଠ ଏବଂ ଇସ୍‍ଲାମ୍-ଅର୍ଥାତ୍ ଆମ୍ଭେମାନେ ତାଙ୍କ ନିକଟରେ ଆପଣାକୁ ସମର୍ପଣ କରିବା । ଏହି ଦୁଇ ମହାବାଣୀ ମହମ୍ମଦଙ୍କ ଆବିଷ୍କୃତ ସତ୍ୟମାନଙ୍କର ମୂଳମନ୍ତ୍ର ଏବଂ ଭଗବାନଙ୍କଠାରେ ଆତ୍ମସମର୍ପଣ ଏହି ସତ୍ୟର ଆଦର୍ଶ ହେବାରୁ ଏହି ଧର୍ମର ନାମ ଇସ୍‍ଲାମ୍ ।

 

ପତିପ୍ରାଣା ଖାଦିଜା ମହମ୍ମଦଙ୍କ ଏହି ନୂତନ ବାଣୀକୁ ଆଶ୍ଚର୍ଯ୍ୟ ହୋଇ ଶ୍ରବଣ କଲେ ଓ ଶେଷରେ ବିଶ୍ୱାସ କଲେ ଯେ, ଏହାହିଁ ସତ୍ୟ । ଏଥିରେ ମହମ୍ମଦଙ୍କର ଉତ୍ସାହ ବହୁଗୁଣିତ ହୋଇଗଲା । କାରଣ ତାଙ୍କର ନବାବିଷ୍କୃତ ସତ୍ୟକୁ ସମର୍ଥନ କରିବାକୁ ସମସ୍ତ ଜଗତରେ ଦ୍ୱିତୀୟ ବ୍ୟକ୍ତି କେହି ନ ଥିଲେ । କିଛିକାଳ ପରେ ତାଙ୍କର ଭୃତ୍ୟ ସୈୟଦ୍ ଓ ପିତୃବ୍ୟ ଆବୁଥାଲେବ୍‍ଙ୍କ ପୁତ୍ର ଆଲି ମଧ୍ୟ ଏହି ସତ୍ୟରେ ବିଶ୍ୱାସ କଲେ ଓ ଖାଦିଜାଙ୍କ ସହ ମହମ୍ମହଙ୍କର ନୂତନ ଧର୍ମ ଗ୍ରହଣ କଲେ ।

 

ତତ୍‍ପରେ ମହମ୍ମଦ ବ୍ୟକ୍ତି ଗତଭାବରେ ଏହି ସତ୍ୟ ସମ୍ୱନ୍ଧରେ ଭିନ୍ନ ଭିନ୍ନ ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ଲାଗିଲେ । କିନ୍ତୁ ସମସ୍ତେ ତାଙ୍କର କଥାକୁ ପରିହାସ କଲେ । ଅନୁତ୍ସାହ ଓ ପରିହାସ ମଧ୍ୟରେ ମହମ୍ମଦ ଅଟଳ ରହି, ଧୀର ଅଥଚ ସ୍ଥିରଗତିରେ ଚାଲିବାକୁ ଲାଗିଲେ । ତିନିବର୍ଷର ଅନୁତ୍ତମ ସଫଳତା ପରେ, ସେ ଦିନେ ତାଙ୍କର କେତେକ ଜ୍ଞାତିମାନଙ୍କୁ ଗୋଟିଏ ଭୋଜିକୁ ନିମନ୍ତ୍ରଣ କରି, ସମବେତ ଅତିଥିମାନଙ୍କ ସମକ୍ଷରେ ନିଜର ନବାବିଷ୍କୃତ ସତ୍ୟ ପ୍ରଖ୍ୟାପନ କଲେ ଏବଂ ପ୍ରଶ୍ନ କଲେ, କିଏ ମତେ ଏଥିରେ ସମର୍ଥନ କରିବ ? ଅତିଥିମାନେ ବିସ୍ମୟରେ ନୀରବ ରହିଲେ, କେବଳ ଷୋଡ଼ଶବର୍ଷ ବୟସ୍କ ତରୁଣ ଆଲି ଦଣ୍ଡାୟମାନ ହୋଇ ଏହି ସତ୍ୟ ସେ ସମର୍ଥନ କରୁଛି ବୋଲି ପ୍ରକାଶ କଲା । ସ୍ୱୟଂ ଆବୁଥାଲେବ ଉପସ୍ଥିତ ଥିବାରୁ ମହମ୍ମଦଙ୍କର କୌଣସି ଅନିଷ୍ଟ ଘଟିଲା ନାହିଁ, ଅତିଥିମାନେ ପରିହାସ କରି କରି ସ୍ୱଗୃହକୁ ଫେରିଗଲେ ।

 

କାବା ମନ୍ଦିରର ରକ୍ଷକ ଓ ମକ୍କାର ଅଧିନାୟକ କୋରେସ୍ ବଂଶୀୟଗଣ, ସ୍ୱତଃ ମହମ୍ମଦଙ୍କ ବିରୁଦ୍ଧରେ କ୍ରୁଦ୍ଧ ହୋଇ ଉଠିଲେ । କାରଣ ଏହି ନୂତନ ଧର୍ମ ସେମାନଙ୍କ ପ୍ରତିପତ୍ତି ମୂଳରେ କୁଠାରଘାତ କରିବାକୁ ବସିଲା । ସେମାନେ ବିଚାରିଲେ, ଏ ଅର୍ବାଚୀନ କିଏ ? ଯେ କି ନିଜକୁ ଅନ୍ୟ ସମସ୍ତଙ୍କ ଅପେକ୍ଷା ଜ୍ଞାନୀ ବୋଲି ମନେ କରୁଛି ଓ ଆମ୍ଭମାନଙ୍କୁ କାଷ୍ଠଖଣ୍ଡର ଉପାସକ ବୋଲି ଉପହାସ କରୁଛି ? କ୍ରମେ ମହମ୍ମଦଙ୍କ ବିରୁଦ୍ଧ ଧର୍ମ୍ମ ଚାରିଆଡ଼େ ପ୍ରଚାରିତ ହେଲା ଓ ସେ କେବଳ କୋରେସ୍ ନୁହେ, ଅନ୍ୟ ଗୋଷ୍ଠୀମାନଙ୍କର ମଧ୍ୟ ବିରକ୍ତିକୁ ଉତ୍ତେଜିତ କଲେ । ଦିନେ ସ୍ନେହଶୀଳ ପିତୃବ୍ୟ ଆବୁଥାଲେବ୍ ତାଙ୍କୁ କହିଲେ, “ମହମ୍ମଦ, ଏତେ ଲୋକଙ୍କର ବିରାଗଭାଜନ ହୋଇ ଲାଭ କ’ଣ ? ତୁମେ ତୁମର ସତ୍ୟକୁ ନିଜେ ନିଜେ ବିଶ୍ୱାସ କର, ଚାରିଆଡ଼େ ପ୍ରଚାର ନ କଲେ କ’ଣ ହୁଅନ୍ତା ନାହିଁ ?” ମହମ୍ମଦ ଉତ୍ତର ଦେଲେ, ଯଦି ମୋର ଏକ ଦିଗରେ ସୂର୍ଯ୍ୟ ଓ ଅନ୍ୟ ଦିଗରେ ଚନ୍ଦ୍ର ଆସି ଏ ବାଣୀ ପ୍ରଚାର ନ କରିବାକୁ କହନ୍ତି, ତେବେ ମଧ୍ୟ ମୁଁ ବନ୍ଦ ରହିବି ନାହିଁ । ଏହା କହି ଉତ୍ତେଜନା ବଶତଃ ମହମ୍ମଦ ଅଶ୍ରୁତ୍ୟାଗ କରି ପକାଇଲେ ।

 

କ୍ରମେ ମହମ୍ମଦ କାବା-ସମାଗତ ଯାତ୍ରୀମାନଙ୍କ ଆଗରେ ନିଜର ଧର୍ମ୍ମପ୍ରଚାର କରିବାକୁ ଲାଗିଲେ ଏବଂ କିଛି କିଛି ସିଦ୍ଧି ଲାଭ କଲେ ମଧ୍ୟ । କିନ୍ତୁ କ୍ରମେ ବିରୋଧ ଓ ବିପଦ ଘନୀଭୂତ ହେବାକୁ ଲାଗିଲା । କୋରେସ୍‍ମାନେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ପଡ଼ିଲେ ଏବଂ ମହମ୍ମଦଙ୍କ ପ୍ରାଣନାଶ ଲାଗି ଶପଥ କରିବାକୁ ଲାଗିଲେ । ସେତେବେଳେ ଆବୁଥାଲେବ ପ୍ରାଣତ୍ୟାଗ କଲେଣି । ପତିପ୍ରାଣା ଖାଦିଜା ଆଉ ନାହାନ୍ତି, ମହମ୍ମଦ ଘନୀଭୂତ ବିପଦ୍‍ଜାଳ ମଧ୍ୟରେ ଏକାକୀ । ଶତ୍ରୁହସ୍ତରୁ ରକ୍ଷା ପାଇବା ଲାଗି ତାଙ୍କୁ କେତେବେଳେ ପର୍ବତଗହ୍ୱରରେ ଲୁଚି ରହିବାକୁ, କେତେବେଳେ ବା ଛଦ୍ମବେଶରେ ଏଣେ ତେଣେ ପଳାୟନ କରିବାକୁ ହେଉଥିଲା । ଅନେକ ସମୟରେ ମହମ୍ମଦ ଓ ତାଙ୍କ ଧର୍ମ୍ମର ଶେଷ ହେଲା ବୋଲି ଲୋକେ ଭାବୁଥିଲେ; କିନ୍ତୁ ବିଧାତାର ମହାନ୍ ନିର୍ଦ୍ଦେଶ ଘେନି ସେ ସମସ୍ତ ବିପଦରୁ ଆଶ୍ଚର୍ଯ୍ୟଜନକ ଭାବରେ ଉଦ୍ଧାର ପାଇ ପାରିଥିଲେ ।

 

ପରିଶେଷରେ ଅବସ୍ଥା ସାଂଘାତିକ ହୋଇ ଉଠିଲା । ମହମ୍ମଦ ତାଙ୍କର ସଳ୍ପସଂଖ୍ୟକ ଶିଷ୍ୟମାନଙ୍କୁ, ନିରାପଦରେ ରହିବା ଲାଗି ଆବିସିନିୟାକୁ ପ୍ରେରଣ କରି ଦେଲେ ଏବଂ ଯେତେବେଳେ ସେ ଜାଣିଲେ ଯେ, ଚାଳିଶ୍‍ଟି ଗୋଷ୍ଠୀର ଚାଳିଶ୍‍ଟି ଲୋକ ତାଙ୍କର ଜୀବନ ନେବା ଲାଗି ଗୋପନ ସ୍ଥାନମାନଙ୍କରେ ଜଗି ବସିଛନ୍ତି, ସେତେବେଳେ ସେ ମକ୍କାରେ ରହିବା ଆଉ ଉଚିତ ଓ ସମ୍ଭବ ମନେ କଲେ ନାହିଁ । ମକ୍କାରୁ ୨୦୦ ମାଇଲ ଦୂରରେ ୟାଥ୍‍ରେବ ନାମକ ସ୍ଥାନରେ ତାଙ୍କର କେତେକ ଶିଷ୍ୟ ଥିଲେ । ସେ ସେହି ସ୍ଥାନକୁ ସତ୍ୟାବିଷ୍କାରର ତ୍ରୟୋଦଶ ବର୍ଷରେ ଓ ତାଙ୍କର ତ୍ରିପଞ୍ଚାଶତ୍ ବର୍ଷ ବୟସରେ ପଳାୟନ କଲେ । ସେହି ସ୍ଥାନ ମଦିନା ଅର୍ଥାତ୍ ଧର୍ମପ୍ରବର୍ତ୍ତକଙ୍କ ନଗର ବୋଲି ପରିଚିତ ଏବଂ ମହମ୍ମଦଙ୍କର ପଳାୟନକାଳଠାରୁ ମୁସଲମାନ ସମ୍ବତ୍ ହେଜିରା ଗଣିତ ହୁଏ ।

 

ମଦିନାକୁ ପଳାୟନ କଲା ପରେ ମହମ୍ମଦଙ୍କ ପ୍ରଚାର ପ୍ରଣାଳୀରେ ଏକ ନୂତନ ପନ୍ଥା ଆରମ୍ଭ ହେଲା । ସେହି ପନ୍ଥାର ଅବଲମ୍ବନ ଯୋଗୁଁ ମହମ୍ମଦ ଅନ୍ୟମାନଙ୍କଦ୍ୱାରା ଉପହସିତ ଓ ନିନ୍ଦିତ ହେଲେହେଁ, ଇସଲାମର ଇତିହାସ ତାହାରି ଉପରେହିଁ ନିର୍ଭର କରେ । ଏ ଯାବତ୍ ମହମ୍ମଦ ଅନୁରୋଧ, ଉପଦେଶ, ପ୍ରଖ୍ୟାପନ ପ୍ରଭୃତି ଦ୍ୱାରାହିଁ ଧର୍ମ ପ୍ରଚାର କରୁଥିଲେ; କିନ୍ତୁ କୋରେସ୍‍ମାନଙ୍କ ଆଚରଣରେ ତାହାଙ୍କର ମତି ପରିବର୍ତ୍ତିତ ହେଲା । ସେ ଭାବିଲେ, “ଯେଉଁ ଦୁର୍ଦ୍ଦାନ୍ତମାନେ ଏହି ସନାତନ ସତ୍ୟକୁ ନିଜର ପଶୁବଳରେ ପଦଦଳିତ କରିବାକୁ ବସି ଅଛନ୍ତି, ସେମାନଙ୍କୁ ପଶୁବଳରେହିଁ ପରାଜୟ କରିବାକୁ ହେବ । ତାଙ୍କ ଧର୍ମରେ ଯଦି ସତ୍ୟ ଥାଏ, ତେବେ ସେ ନିଶ୍ଚୟ ଜୟଯୁକ୍ତ ହେବେ ।”

 

ଜୀବନର ଅବଶିଷ୍ଟ କାଳ ମହମ୍ମଦ ଏହି ନୀତିରେ ନୂତନ ସତ୍ୟକୁ ଲୋକସମାଜରେ ପ୍ରଚାର କଲେ । ଶିଷ୍ୟ ଓ ଅନୁଚରମାନଙ୍କୁ ଘେନି ସେ କିଛି କାଳ ପରେ ମକ୍‍କା ଅଭିଯାନ କଲେ ଏବଂ ନିଜର ଅନୁପମ ସାହସ ଓ ଧୈର୍ଯ୍ୟବଳରେ କୋରେସ୍ ବଂଶୀୟମାନଙ୍କୁ ପରାଭୂତ କରି, ‘ଈଶ୍ୱର ଏକ ଓ ମହାନ୍ ଏବଂ ମହମ୍ମଦ ତାଙ୍କର ଦୂତ’ ଏହି ବାଣୀ ପ୍ରଚାର କରି କରି କାବା ମନ୍ଦିରରେ ପ୍ରବେଶ କଲେ । କ୍ରମେ ମହମ୍ମଦଙ୍କ ବାଣୀ ମକ୍‍କାର ଜନସାଧାରଣରେ ଗୃହୀତ ହୋଇ, ମକ୍‍କାରୁ ଭିନ୍ନ ଭିନ୍ନ ଦିଗରେ ପ୍ରସାରିତ ହେଲା । ଅଳ୍ପକାଳ ମଧ୍ୟରେ ବହୁଧା-ବିଭକ୍ତ ଓ ପରସ୍ପର ବିବଦମାନ ଆରବଜାତି, ପୟଗମ୍ୱରଙ୍କ ଐକ୍ୟବିଧାୟକ ବାଣୀରେ ଏକ ଗରୀୟାନ୍ ଜାତି ହୋଇ ଉଠିଲା ଏବଂ ମହମ୍ମଦ ଏହି ନବ ଜାଗ୍ରତ ଜାତିର ମୁକୁଟହୀନ ସମ୍ରାଟ ହୋଇ ପଡ଼ିଲେ । କିନ୍ତୁ କେବଳ ଯେ ଅସିମୁନରେ ମହମ୍ମଦ ଧର୍ମପ୍ରତିଷ୍ଠା କରି ପାରିଥିଲେ, ଏହା ଭାବିବା ଭ୍ରମ । ପ୍ରତ୍ୟେକ ଧର୍ମାଚାର୍ଯ୍ୟମାନଙ୍କ ପରି ମହମ୍ମଦଙ୍କର ପବିତ୍ର ଓ ବିରାଟ ବ୍ୟକ୍ତିତ୍ୱ ଥିଲା; ସେହି ବ୍ୟକ୍ତିତ୍ୱର ପ୍ରଭାବ ଯୋଗୁଁ ସେ ଜନତାକୁ ମୁଗ୍‍ଧ କରିପାରୁଥିଲେ । ସମସ୍ତ ଆରବର ମୁକୁଟ ତାଙ୍କ ପଦତଳେ ଅର୍ପିତ ହୋଇଥିଲେହେଁ, ସେ ତାହା ପ୍ରତ୍ୟାଖ୍ୟାନ କରି ସୀବନ କର୍ମଦ୍ୱାରା ଜୀବନଯାପନ କରୁଥିଲେ । ଅନୁଚର ପାର୍ଶ୍ୱଚର ବା ଅପର ଲୋକ ପ୍ରତି ତାଙ୍କର ଦୟା ଓ ତୀକ୍ଷ୍ଣଦୃଷ୍ଟିର ସୀମା ନ ଥିଲା । ତାଙ୍କର ସେବକ ସୈୟଦ୍ ଥରେ ପ୍ରକାଶ କଲା ଯେ, ତା’ର ସେବାକାଳ ମଧ୍ୟରେ ସେ ମହମ୍ମଦଙ୍କୁ ସେବା କରି ନାହିଁ; ବରଂ ମହମ୍ମଦ ତା’ର ସେବା କରିଛନ୍ତି । ଏହି ସୈୟଦ୍ ଯେତେବେଳେ ଟୋକକ୍–ସମରରେ ନିହତ ହେଲା, ସେତେବେଳେ ମହମ୍ମଦ ନିର୍ବିକାରଭାବରେ କହିଲେ,‘ବେଶ୍ ହେଲା ସୈୟଦ ପ୍ରଭୁଙ୍କର କର୍ମ ସମ୍ପାଦନ କରି ଏବେ ପ୍ରଭୁଙ୍କ ନିକଟକୁ ଗଲା ?’ କିନ୍ତୁ କିଛିକ୍ଷଣ ପରେ ଯେତେବେଳେ ସୈୟଦ–କନ୍ୟା ଶୁକ୍ଳକେଶ ମହମ୍ମଦଙ୍କୁ ସୈୟଦର ଶବ ପାଶରେ ବସି କ୍ରନ୍ଦନ କରିବାର ଦେଖି ପଚାରିଲା, ‘ଏ କ’ଣ ?’ ମହମ୍ମଦ ଉତ୍ତର ଦେଲେ, ‘ଆଉ କ’ଣ ? ଜଣେ ବନ୍ଧୁ ବନ୍ଧୁଙ୍କ ପାଇଁ ଅଶ୍ରୁ ବର୍ଷଣ କରୁଛି ମାତ୍ର ।’ ମୃତ୍ୟୁର ଦୁଇଦିନ ପୂର୍ବରୁ ସେ ମସଜିଦ୍‍କୁ ଯାଇ, ସମବେତ ଶିଷ୍ୟମାନଙ୍କୁ ଜିଜ୍ଞାସା କଲେ, ମୁଁ କାହାର କେବେ କ୍ଷତି କରିଅଛି ? ଯଦି କରିଥାଏଁ ତେବେ ମୋ ପୃଷ୍ଠଦେଶରେ ଶାସ୍ତିସ୍ୱରୂପ ବେତ୍ରାଘାତ ମୁଁ ସହ୍ୟ କରିବି । ମୁଁ କାହାଠାରୁ କିଛି ଧାରିଛି-? ଜଣେ ଉତ୍ତର ଦେଲା, ‘ହଁ ଅମୁକ ଦିନ ତିନିମୁଦ୍ରା ମୋଠାରୁ ଗ୍ରହଣ କରିଥିଲ ।’ ମହମ୍ମଦ ସଙ୍ଗେ ସଙ୍ଗେ ତାହାର ପରିଶୋଧର ବ୍ୟବସ୍ଥା କରି କହିଲେ, ‘ଈଶ୍ୱରଙ୍କ ସମୀପରେ ଲଜ୍ଜିତ ହେବା ଅପେକ୍ଷା ଏଠି ଲଜ୍ଜିତ ହେବା ବହୁ ଗୁଣରେ ଶ୍ରେୟସ୍କର ।’

 

ଅସିଧାର ଅପେକ୍ଷା ଚରିତ୍ରର ଏହି ବିମଳ ମାଧୁରୀ ଯେ ଲୋକଚିତ୍ତରେ ଅଧିକ କାର୍ଯ୍ୟକାରୀ ହୋଇଥିବ, ଏହା କାହାରିକୁ ବୁଝାଇଦେବାକୁ ହେବ ନାହିଁ । କୌଣସି ସତ୍ୟ କେବଳ ପଶୁବଳରେ ପ୍ରଚାରିତ ଓ ଗୃହୀତ ହୋଇ ନାହିଁ । ମହମ୍ମଦଙ୍କ ଧର୍ମର ପ୍ରଚାର ଓ ଗ୍ରହଣର ମୂଳରେ ମହମ୍ମଦଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ଆବିଷ୍କୃତ ସତ୍ୟର ମହିମା । ସେହି ମହିମା ଗୁଣରେ ଅବଜ୍ଞାତ ଆରବଜାତି କେବଳ ଯେ ସଭ୍ୟ ଓ ଗରୀୟାନ୍ ହୋଇ ଉଠିଲେ ତାହା ନୁହେ, ମହମ୍ମଦଙ୍କର ମୃତ୍ୟୁର ଶହେ ବର୍ଷ ମଧ୍ୟରେ ତାଙ୍କର ଧର୍ମ ଦିଲ୍ଲୀଠାରୁ ମରକ୍‍କୋ ପର୍ଯ୍ୟନ୍ତ ବିରାଟ ଭୂଖଣ୍ଡରେ ପରିବ୍ୟାପ୍ତ ହୋଇ ପଡ଼ିଲା । ଇସ୍‍ଲାମର ଅଭ୍ୟୁତ୍‍ଥାନ ଓ ପ୍ରସାର, ମାନବର ଇତିହାସରେ ଏକ ଆଶ୍ଚର୍ଯ୍ୟକର ଘଟଣା ।

Image

 

ଚିଲିକା

 

ସେଦିନ ଜ୍ୟୋତ୍ସ୍ନା ରାତ୍ରି । ରମ୍ଭା ଷ୍ଟେସନରୁ ଓହ୍ଲାଇ ନିକଟବର୍ତ୍ତୀ ଗ୍ରାମ ସାବଳିୟାରୁ ନୌକା ସଂଗ୍ରହ କରି ଚିଲିକା ଯାତ୍ରା କରିବାକୁ ହେବ । ସାବଳିୟା ଗୋଟିଏ ଛୋଟ ଗ୍ରାମ ଓ ଚିଲିକାର ଲହରୀମାଳା ତା’ର ଉପକଣ୍ଠକୁ ବର୍ଷତମାତ ଧୌତ କରେ । ଏଠାରେ ଅଧିକାଂଶ ଅଧିବାସୀ କେଉଟ; ଅନ୍ୟ ଜାତିର ଲୋକ ମଧ୍ୟ ଅଛନ୍ତି । ପ୍ରତିବର୍ଷ ଯେଉଁ ଚିଲିକା ଦର୍ଶନାକାଙ୍‍ କ୍ଷୀମାନଙ୍କର ଏଠାକୁ ଆଗମନ ହୁଏ, ସେମାନଙ୍କୁ ନୌବିହାରର ସୁଯୋଗ ଦେଇ ଏମାନେ ସାଧାରଣତଃ ଜୀବିକାର୍ଜନ କରନ୍ତି । ବର୍ଷର ଯେ କୌଣସି ସମୟରେ ଏଠାରେ ନୌକା ମିଳି ପାରିବ ।

 

ନୌକା ଠିକ୍ କରି ନୌକା ଉପରକୁ ଉଠିଲୁ । ବିମଳ ଜ୍ୟୋତ୍ସ୍ନା ଦ୍ୟାବାପୃଥିବୀର ସର୍ବାଙ୍ଗରେ ପରିବ୍ୟାପ୍ତ ହୋଇ ଉଠିଲାଣି । ସମସ୍ତ ସୃଷ୍ଟି ତରଳ ରଜତପ୍ରବାହରେ ଅଭିଷିକ୍ତ ପରି ଦିଶୁଛି । ଉପରେ ଅନନ୍ତ ଆକାଶ ଜ୍ୟୋତ୍ସ୍ନାରେ ଧବଳ, ତଳେ ଚିଲିକାର ଦିଗନ୍ତବିସ୍ତାରୀ ବାରିରାଶି ଜ୍ୟୋତ୍ସ୍ନାରେ ଧବଳ, ଚତୁର୍ଦ୍ଦିଗର ଗିରିମାଳା ମଧ୍ୟ ଜ୍ୟୋତ୍ସ୍ନାରେ ଧବଳ । ସୃଷ୍ଟିର ଏହି ଶୁକ୍ଳବେଶ ଚକ୍ଷୁ ଭରି ଦେଖିବାକୁ ଲାଗିଲୁ । କ୍ରମେ ନୌକା କୂଳ ତ୍ୟାଗ କରି ଚିଲିକାର ବକ୍ଷ ମଧ୍ୟକୁ ଚାଳିତ ହେବାକୁ ଲାଗିଲା । ତରୁଣ କୈବର୍ତ୍ତ ପାଲ ଟାଣିଦେଇ ନିଶ୍ଚିନ୍ତ ମନରେ ତାମ୍ବୂଳ ପ୍ରସ୍ତୁତ କରିବାକୁ ଲାଗିଲା ଏବଂ ଆମ୍ଭେମାନେ ମନ୍ତ୍ରମୁଗ୍ଧ ପରି ଚିଲିକାର ଏହି ଶୁକ୍ଳାମ୍ବର ବେଶ ଦେଖିବାକୁ ଲାଗିଲୁ ।

 

ଚିଲିକାର ଶ୍ରେଷ୍ଠ ସୌନ୍ଦର୍ଯ୍ୟ ଏହି ରମ୍ଭା ନଗରଠାରେହିଁ ଅନୁଭବ କରିବାକୁ ହୁଏ । ଏହିଠାରେ ‘ସୌରକରୋଦ୍ଭାସି ନୀଳରମ୍ଭାନାସୀ’ ଚିଲିକା ଗର୍ଭରେ ଦକ୍ଷିଣରୁ ଆସି ମିଶିଛି । ଦକ୍ଷିଣଘାଟ ପର୍ବତମାଳା, ଏହିଠାରୁ ଆରମ୍ଭ କରି, ଚିଲିକାର ସମାନ୍ତରାଳରେ ବହୁ ଦୂର ବ୍ୟାପି ଚିଲିକାର ତରଳ ରୂପକୁ ଗମ୍ଭୀର କରି ଦେଉଅଛନ୍ତି । ଏଠାରେ ଚିଲିକାକୂଳରେ ଦଣ୍ଡାୟମାନ ହେଲେ, ସମ୍ମୁଖରେ ଦିଗ୍ ବଳୟବ୍ୟାପୀ ନୀଳ ଜଳଭାଗ, ଦକ୍ଷିଣରେ, ବାମରେ ଓ ପଶ୍ଚାତରେ ମାରକତଦ୍ୟୂତି ଭୀମକାନ୍ତ ପର୍ବତମାଳା-ଜଳ ଓ ଶୈଳର ଏହି ଭୀଷଣ-ମଧୁର ସନ୍ନିଧି, ଏଠାରେ ଚିଲିକାର ଦୃଶ୍ୟକୁ ମହୀୟାନ୍ କରି ପକାଏ । କଥିତ ଅଛି, ଚୈତନ୍ୟଦେବ ଚିଲିକାର ଏହି ଅଂଶଠାରେ ନୌକାରେ ଯାତ୍ରା କରୁଥିଲା ସମୟରେ ଅକ୍ରତ୍ୟ ପ୍ରକୃତିର ଅନୁପମ ଲାବଣ୍ୟରେ ମୁଗ୍‍ଧ ହୋଇ ନୌକାରୁ ଚିଲିକାର ଗଭୀର ଜଳକୁ ଡେଇଁ ପଡ଼ିଥିଲେ ।

 

ଚିଲିକାର ଜଳରାଶି ମଧ୍ୟରେ ଛୋଟ ଛୋଟ ପର୍ବତ ଛଡ଼ା କୂଳଦେଶରେ ଅସଂଖ୍ୟ ଦ୍ୱୀପ ଅଛି । ଏହି ଦ୍ୱୀପଗୁଡ଼ିକ ବର୍ଷଯାକ ବନସ୍ପତିରେ ଶ୍ୟାମଳିତ ରହିଥାନ୍ତି । ରେଳମାର୍ଗଚାରୀ ଯାତ୍ରୀମାନଙ୍କ ଚକ୍ଷୁରେ ଚିଲିକାର ଏହି କୂଳବର୍ତ୍ତୀ ଦ୍ୱୀପମାନଙ୍କର ଶୋଭା ଅତ୍ୟନ୍ତ କୌତୁକକର ଦେଖାଯାଏ । ବରକୁଦନାମକ ଏହିପରି ଏକ ଦ୍ୱୀପରେ ଖଲ୍ଲି କୋଟର ରାଜା ଏକ ପ୍ରାସାଦ ନିର୍ମାଣ କରିଅଛନ୍ତି । ଉତ୍କଳ-କମଳାଙ୍କର ଏହି ବିଳାସ-ଦୀର୍ଘିକାରେ ତାହା ଜଳଯନ୍ତ୍ରପୁର ପରି ହୋଇଅଛି । ଯେଉଁମାନେ ଚିଲିକାର ପ୍ରକୃତ ସୌନ୍ଦର୍ଯ୍ୟ ଅନୁଭବ କରିବାକୁ ଇଚ୍ଛୁକ, ସେମାନେ ଏହି ଦ୍ୱୀପକୁ ଯାଇ କିଛି ସମୟ ଅତିବାହିତ କରିବାର କଥା ।

 

ବେଶ-ବିଳାସିନୀ ନାୟିକା ପରି ଚିଲିକାର ଭିନ୍ନ ଭିନ୍ନ ଋତୁରେ ଭିନ୍ନ ଭିନ୍ନ ବେଶ । ଶୀତ ଓ ବସନ୍ତର ଆରମ୍ଭରେ ତା’ର ବଡ଼ସିଂହାର ବେଶ ହୁଏ । ଶୀତର ଆରମ୍ଭରେ, ନାନା ଦିଗ୍‍ଦେଶର ବିହଙ୍ଗବିହଙ୍ଗୀମାନଙ୍କର କଳଗୀତିରେ ତା’ର ନୀରାସ୍ତରଣ ମୁଖରିତ ହେବାକୁ ଲାଗେ । ଚିଲିକାର ଦକ୍ଷିଣ କୂଳରେ ଅର୍ଥାତ୍ ପାରିକୁଦ ଓ ମାଲୁଦ ଅଞ୍ଚଳରେ ସମାଗତ ଏହି ଲକ୍ଷ ଲକ୍ଷ ବିହଙ୍ଗମାନଙ୍କର ମେଳନ ଦେଖିବାର ବସ୍ତୁ । ଚିଲିକାର ନୀଳ ଜଳରେ ଏମାନଙ୍କର ଏକୀକୃତ ଶୁକ୍ଳ ଦେହ ଦୂରରୁ ଗୋଟିଏ ସ୍କନ୍ଧାବାରର ଭ୍ରମ ଜନ୍ମାଏ । ଏରାନାମକ ଏକ ଦୀର୍ଘପଦ ପକ୍ଷୀ ଚିଲିକା ଜଳରେ ଏପରି ବହୁସଂଖ୍ୟାରେ ଓ ପଂକ୍ତିକ୍ରମରେ ଅବସ୍ଥାନ କରନ୍ତି ଯେ ଦୂରରୁ ପ୍ରାୟଶଃ ସଜ୍ଜିତ ପଦାତିକମାନଙ୍କର ଭ୍ରମ ଆଣନ୍ତି । ଶରତ୍ ଋତୁର ଆରମ୍ଭରୁ ରାଶି ରାଶି କେର୍‍କେରା ଓ ଗେଣ୍ଡାଳିଆ ଆକାଶମାର୍ଗକୁ ସମ୍ମିଳିତ ଉଡ଼୍‍ଡ଼ୟନ-ଶବ୍ଦରେ ଶବ୍ଦାୟିତ କରି ଭାସି ଆସିବାର ଦେଖାଯାନ୍ତି । ପାରିକୁଦ ଅଞ୍ଚଳରେ ଏହି ଅଗଣିତ ସମାଗତ ପକ୍ଷୀମାନଙ୍କ ଯୋଗୁଁ ପ୍ରଚୁର ଶସ୍ୟ ନଷ୍ଟ ହୁଏ ।

 

ଇଉରୋପରେ ଓ ଅନ୍ୟତ୍ର ପ୍ରକୃତିର ସ୍ୱଚ୍ଛନ୍ଦ ବିଭବକୁ ମନୁଷ୍ୟର ହସ୍ତକୌଶଳ ସୁଭୋଗ୍ୟ କରି ପକାଇ ଅଛି । କିନ୍ତୁ ଆମଦେଶରେ ପ୍ରକୃତିର ରୂପରାଶି ଯେପରି ଅନାଦୃତ ହୋଇ ପଡ଼ି ରହିଛି, ତା’ ଦେଖିଲେ ଦୁଃଖ ହୁଏ । ଜାତିର ଏହି ଅବହେଳା ଯୋଗୁଁ, ଓଡ଼ିଶାର ଲୋକେ ଅବସର ଓ ସୁଯୋଗ ପାଇଲେ ତାଜମହଲ ଓ ସିମଳା ଯାଆନ୍ତି, କିନ୍ତୁ କୋଣାର୍କ ବା ସାତକୋଶିଆ ଯାନ୍ତି ନାହିଁ । ଚିଲିକାରେ ମଧ୍ୟ ଏହି ଅବହେଳା ଲକ୍ଷିତ ହୁଏ । ଚିଲିକାର କୂଳଦେଶରେ ସମାଗତ ଭଦ୍ରଯାତ୍ରୀମାନଙ୍କର ବସବାସ ଲାଗି କୌଣସିଠାରେ ସୁବିଧା ନାହିଁ । କୂଳବାସୀ କୈବର୍ତ୍ତମାନଙ୍କର ଯେଉଁ ନୌକା ଯାତ୍ରୀମାନଙ୍କର ଜଳବିହାରରେ ଲାଗେ, ତାହା ଆଦୌ ସ୍ୱାଚ୍ଛନ୍ଦ୍ୟଜନକ ନୁହେ-ଅନେକ ସମୟରେ ବହୁଦିନସଞ୍ଚିତ ଚିଲିକାଜଳର ଦୁର୍ଗନ୍ଧରେ ଜିଗମିଷା ଉପସ୍ଥିତ ହୁଏ । ନୌକାଗୁଡ଼ିକରେ ଶୟନ ଓ ଉପବେଶନରେ ମଧ୍ୟ ସୁବିଧା ନ ଥାଏ । ମସ୍ତକ ଉପରେ ଶୀତତାପରୁ ରକ୍ଷା କରିବା ନିମନ୍ତେ ମଧ୍ୟ କୌଣସି ପ୍ରକାର ଆୟୋଜନ ନାହିଁ । ଦୀର୍ଘ ସମୟ ଜଳବିହାର କଲେ ଏହି ନୌକାଗୁଡ଼ିକ ଅତ୍ୟନ୍ତ କଷ୍ଟପ୍ରଦ ହୁଅନ୍ତି । ଜୀବନର ଉପଭୋଗ ଲାଗି ପ୍ରକୃତିଦେହରୁ ସ୍ୱାଚ୍ଛନ୍ଦ୍ୟ ସୃଷ୍ଟି କରିବା ସଭ୍ୟ ଓ ବୁଦ୍ଧିମାନ୍ ଜାତିର ଲକ୍ଷଣ । ଆମ୍ଭମାନଙ୍କର କର୍ତ୍ତବ୍ୟ ଏହି ଯେ, ଚିଲିକାର ଏହି ଅନୁପମ ରୂପକୁ ସୁଖରେ ଉପଭୋଗ କରିବା ଲାଗି ଆବଶ୍ୟକୀୟ ସ୍ୱାଚ୍ଛନ୍ଦ୍ୟ ସୃଷ୍ଟି କରିବା । ଚିଲିକାର କୂଳଦେଶରେ ଭ୍ରମଣ କରିବା ଲାଗି କୌଣସିଠାରେ କୌଣସି ଆୟୋଜନ ନାହିଁ । ଇଉରୋପରେ ନାଗରିକ ଓ ଦର୍ଶକମାନଙ୍କର ସୁଖ-ସଞ୍ଚାର ଲାଗି ଅନେକ ସମୁଦ୍ରକୂଳସ୍ଥ ନଗରମାନଙ୍କରେ ସମସ୍ତ ବେଳାଭୂମି ପାବଚ୍ଛପରଂପରାରେ ଉତ୍ତମରୂପେ ପିହିତ ହୋଇଅଛି ।

 

ଭିନ୍ନ ଭିନ୍ନ ଋତୁରେ ଯେପରି ଦିବସର ଭିନ୍ନ ଭିନ୍ନ ସମୟରେ ମଧ୍ୟ ଚିଲିକାର ଭିନ୍ନ ଭିନ୍ନ ବେଶ । ତା’ର ବକ୍ଷରେ ଉଷାର ସଂଗମ ଅତ୍ୟନ୍ତ ରମଣୀୟ ସତ୍ୟ, କିନ୍ତୁ ତାହା ଅତ୍ୟନ୍ତ କ୍ଷଣସ୍ଥାୟୀ । ପ୍ରାତଃ ସୂର୍ଯ୍ୟର କୋମଳ କିରଣ ତ୍ୱରିତ ବେଗରେ ପ୍ରଖର ହୋଇ ଉଠେ ଓ ଚିଲିକାର ଲବଣ ଜଳରେ ସୂର୍ଯ୍ୟର ପ୍ରଖର କିରଣ ଅନେକ ସମୟରେ ଅସହ୍ୟ ବୋଧହୁଏ । ପ୍ରଦୋଷକାଳରେହିଁ ଚିଲିକା ତା’ର ନେପଥ୍ୟର ଶ୍ରେଷ୍ଠ ସମ୍ଭାର ଲୋକନେତ୍ରକୁ ଘେନି ଆସେ । ସୂର୍ଯ୍ୟାସ୍ତର ପୂର୍ବେ ଓ ପରେ, ବହୁକ୍ଷଣ ଧରି ଏହି ରୂପସଜ୍ଜା ସ୍ଥାୟୀ ରହିବାରୁ, ତାହା ଅତ୍ୟନ୍ତ ଉପଭୋଗ୍ୟ ହୁଏ । ଏହି ସମୟରେ ଚିଲିକା ସ୍ୱର୍ଣ୍ଣଶାଟୀ ପରିଧାନ କରି ଅସ୍ତଗାମୀ ସୂର୍ଯ୍ୟ ଆଡ଼କୁ ଯେପରି ବନ୍ଦାପନା କରେ । କୁଳାୟଗାମୀ ଅସଂଖ୍ୟ ବିହଗର ଆନନ୍ଦଧ୍ୱନିରେ ତାହାର ଆକାଶ ନିନାଦିତ ହୁଏ । ଅସଂଖ୍ୟ ଜଳଚର ପ୍ରାଣୀ ସୂର୍ଯ୍ୟାସ୍ତ ଦେଖି ତା’ର ବକ୍ଷରୁ ବିଦାୟ ନେଇ ପରସ୍ପରକୁ ଆହ୍ୱାନ କରି କରି କୂଳସ୍ଥ ଦ୍ୱୀପ ଓ ପର୍ବତମାନଙ୍କରେ ଆଶ୍ରୟ ନେବାକୁ ବାହାରନ୍ତି । ପଶ୍ଚିମଦିଗର ଗିରିମାଳାର ଅନ୍ତରାଳରେ ସୂର୍ଯ୍ୟ ବୁଡ଼ିବାକୁ ଆରମ୍ଭ କରନ୍ତି । ସୂର୍ଯ୍ୟର ଅବସାନକ୍ରମରେ ଦୀର୍ଘ ଗିରିମାଳାର ଛାୟା ଚିଲିକାର ବକ୍ଷରେ ବିସ୍ତୃତ ହୋଇ ଚାରିଆଡ଼ର ଶୋଭାକୁ ଗମ୍ଭୀର କରି ପକାଏ । ଅସ୍ତରାଗରେ ରଞ୍ଜିତ ହୋଇ ନୀଳକାନ୍ତ ଗିରିମାଳା ବର୍ଣ୍ଣାଭିନୟର ରଙ୍ଗଭୂମି ହୋଇ ଉଠନ୍ତି ଓ ପ୍ରତିକ୍ଷଣରେ ଦର୍ଶକ ସମ୍ମୁଖରେ ଭିନ୍ନ ଭିନ୍ନ ପଟର ପତନ ଓ ଉତ୍‍ଥାନ ଘଟେ । କ୍ରମେ ସନ୍ଧ୍ୟା ଜଳସ୍ଥଳ ବ୍ୟାପିଯାଏ; ନାବବାହୀ କୈବର୍ତ୍ତର ଛାନ୍ଦଗାନ କାହିଁ କାହିଁ ସାନ୍ଧ୍ୟ ନିସ୍ତବ୍ଧତାକୁ ଭଙ୍ଗ କରେ । ଜ୍ୟୋତ୍ସ୍ନା ଥାଉ କି ନ ଥାଉ, ନିଶାକାଳରେ ଚିଲିକା ସବୁବେଳେ ଉପଭୋଗ୍ୟା । ଅନ୍ଧକାର ରାତ୍ରିରେ ଏହି ବିରାଟ ଜଳରାଶିର ବକ୍ଷରେ ବସି ଚତୁର୍ଦ୍ଦିଗର ବିରାଟ ପର୍ବତମାଳାର ଛାୟା ମଧ୍ୟରେ ଉପରେ ଅନନ୍ତ ନକ୍ଷତ୍ରଖଚିତ ଆକାଶକୁ ନିରୀକ୍ଷଣ କଲେ ମନରେ ମହାଭାବର ଉଦୟ ହୁଏ ।

 

ଆମ୍ଭମାନଙ୍କର ସୌଭାଗ୍ୟ ଏହି ଯେ ଚିଲିକାର ସୌନ୍ଦର୍ଯ୍ୟ ଆମର ଭାଷାରେ ଗ୍ରଥିତ ହୋଇ ପାରିଛି । ରାଧାନାଥଙ୍କ ଲେଖନୀ ଚିଲିକାର ରୂପ ବର୍ଣ୍ଣନା କରି ଧନ୍ୟା ହୋଇଛି । ଚିଲିକା ବିହାର ବେଳେ ପ୍ରତ୍ୟେକ ଶିକ୍ଷିତ ଓଡ଼ିଆର ମନରେ ରାଧାନାଥଙ୍କ ପରିଚିତ ବାକ୍ୟସମୂହ ଆପେ ଆପେ ଉଦିତ ହୁଏ । ତାହା ଅତ୍ୟନ୍ତ ସୁଖର କଥା ।

Image

 

ରବୀନ୍ଦ୍ରନାଥ ଠାକୁର

 

ବଙ୍ଗ ଦେଶରେ ଠାକୁରବଂଶ ପ୍ରସିଦ୍ଧ ଜମିଦାର । କଲିକତା ନଗରୀରେ ଏମାନଙ୍କର କୌଳିକ ପ୍ରାସାଦ ଅଛି । କିନ୍ତୁ କେବଳ ପ୍ରାସାଦ ବା ବିସ୍ତୃତ ଜମିଦାରୀ ହେତୁ ଏମାନଙ୍କର ପ୍ରସିଦ୍ଧି ଘଟି ନାହିଁ । ଏହି ବଂଶ ଉପରେ ଲକ୍ଷ୍ମୀ ଓ ସରସ୍ୱତୀ ଉଭୟଙ୍କର ସମାନ ଆଶୀର୍ବାଦ ପଡ଼ି ଏହାକୁ ଲୋକବିଖ୍ୟାତ କରିଅଛି ।

 

ଏହି ବଂଶର ଦ୍ୱାରକାନାଥ ଠାକୁର ପ୍ରଥମେ ଇଂରାଜି ଶିକ୍ଷା ଲାଭ କରି ଇଉରୋପ ଯାତ୍ରା କରିଥିଲେ ଓ ସେଠାରେ ଅନେକ ଦେଶ ଭ୍ରମଣ କରିଥିଲେ । ସେ ଅତ୍ୟନ୍ତ ବିଳାସୀ ଓ ମୁକ୍ତହସ୍ତ ଥିବାରୁ ଶେଷରେ ଋଣଗ୍ରସ୍ତ ହୋଇ ପଡ଼ିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ଦେବେନ୍ଦ୍ରନାଥ ଠାକୁର ପିତୃଋଣ ପରିଶୋଧ ପାଇଁ ଆଇନ ଅନୁସାରେ ଦାୟୀ ନ ଥିଲେ ମଧ୍ୟ ଦାରିଦ୍ର୍ୟ ବରଣ କରି ପିତାଙ୍କର ସମସ୍ତ ଋଣ ପରିଶୋଧ କରି ଦେଇଥିଲେ ଓ ଋଷି ଜୀବନ ଯାପନ କରି ସମାଜରେ ମହର୍ଷି ବୋଲି ପରିଚିତ ହୋଇଥିଲେ । ଏହି ମହର୍ଷିଙ୍କର ପଞ୍ଚପାଣ୍ଡବ ପରି ପଞ୍ଚ ପୁତ୍ର ଜାତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକେ ପ୍ରତିଭାବନ୍ତ ଓ ଦେଶବିଖ୍ୟାତ । କିନ୍ତୁ ସବୁଠାରୁ ଶ୍ରେଷ୍ଠ ପ୍ରତିଭାର ଅଧିକାରୀ ଓ ଅଧିକତମ ପ୍ରସିଦ୍ଧ ତାଙ୍କର କନିଷ୍ଠ ପୁତ୍ର ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଠାକୁର ।

 

ଆଜି ରବୀନ୍ଦ୍ରନାଥ ଜଗତର ଶ୍ରେଷ୍ଠ କବି ବୋଲି ପରିଚିତ । ତାଙ୍କର କବିଯଶରେ ସମସ୍ତ ଧରଣୀ ପରିବ୍ୟାପ୍ତ ହୋଇ ଉଠିଛି ଓ ତାଙ୍କ ଯୋଗୁଁ ଆମ ଦେଶ ଓ ଜାତି ଅନ୍ୟ ଦେଶ ଓ ଜାତି ନିକଟରେ ସମ୍ମାନିତ ହେଉଅଛି ।

 

ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ଏହି ମହାକବି ସ୍କୁଲ କଲେଜ୍‍ରେ ଆଦୌ ବିଦ୍ୟାଶିକ୍ଷା କରି ନାହାନ୍ତି ଓ ବିଶ୍ୱବିଦ୍ୟାଳୟର କୌଣସି ଉପାଧି ଗ୍ରହଣ କରି ନାହାନ୍ତି । ଶୈଶବରେ ଯେତେବେଳେ ତାଙ୍କର ପିତା ତାଙ୍କୁ ବିଦ୍ୟାଳୟକୁ ପଠାନ୍ତି ସେତେବେଳେ ରବୀନ୍ଦ୍ରନାଥଙ୍କ କବିଚିତ୍ତ ବିଦ୍ୟାଳୟର ଶୁଷ୍କ ନିୟମାନୁବର୍ତ୍ତନ ବିରୁଦ୍ଧରେ ବିଦ୍ରୋହ କଲା । କଥିତ ଅଛି, ବିଦ୍ୟାଳୟର କଠୋର ଶାସନରୁ ରକ୍ଷା ପାଇବା ନିମନ୍ତେ ବର୍ଷାଋତୁରେ ସେ ଜ୍ୱର ହେବାଲାଗି ନିଜ ଯୋତାକୁ ଆପେ ଆପେ ଓଦା କରୁଥିଲେ । ତାଙ୍କର ଉଦାରମନା ପିତା ପୁତ୍ରର ଏବଂବିଧ ଅନିଚ୍ଛା ଜାଣି ପାରି ତାଙ୍କୁ ସ୍କୁଲରୁ ଉଠାଇ ନେଇ ଘରେ ଘରେ ଅଧ୍ୟାପନାର ବନ୍ଦୋବସ୍ତ କଲେ । ରବୀନ୍ଦ୍ରନାଥ ଏହାପରେ ଆଉ ସ୍କୁଲରେ ପଢ଼ି ନାହାନ୍ତି ଓ ତାଙ୍କ ଜୀବନର ସମସ୍ତ ଜ୍ଞାନ ନିଜ ଅଧ୍ୟୟନର ଫଳ । ତରୁଣ ବୟସରେ ରବୀନ୍ଦ୍ରନାଥ ଅଗ୍ରଜଙ୍କ ସହ ବିଲାତ ଯାତ୍ରା କରି ସେଠାରେ ଇଂରାଜି ଭାଷା ଅଧ୍ୟୟନ କରିଥିଲେ । ନିଜ ମାତୃଭାଷା ପରି ଇଂରାଜିରେ ମଧ୍ୟ ତାଙ୍କର ବ୍ୟୁତ୍‍ପତ୍ତି ଅସାଧାରଣ ।

 

ଅତ୍ୟନ୍ତ ବାଲ୍ୟକାଳରୁ ରବୀନ୍ଦ୍ରନାଥଙ୍କ କବିପ୍ରତିଭାର ଉନ୍ମେଷ ଘଟିଥିଲା । ମହର୍ଷିଙ୍କ ଗୃହ ମଧ୍ୟ ସାରସ୍ୱତ ଆରାଧନାର ଉପଯୁକ୍ତ ମନ୍ଦିର ହୋଇଥିଲା । ରବୀନ୍ଦ୍ରଙ୍କ ଭ୍ରାତା ଓ ଭଗିନୀଗଣ ନିଜ ଚେଷ୍ଟାରେ ଗୋଟିଏ ସାହିତ୍ୟପତ୍ର ପରିଚାଳନା ଓ ପ୍ରକାଶ କରୁଥିଲେ । ମହର୍ଷି ନିଜେ ବ୍ରାହ୍ମଧର୍ମରେ ଦୀକ୍ଷିତ ଥିବାରୁ ଓ ବ୍ରାହ୍ମ ସମ୍ପ୍ରଦାୟର ଏକ ବିଶିଷ୍ଟ ନେତା ଥିବାରୁ ତାଙ୍କ ଗୃହ ତତ୍‍କାଳୀନ ଧର୍ମ୍ମାନ୍ଦୋଳନର ମଧ୍ୟ ଏକ କେନ୍ଦ୍ର ଥିଲା । ଏକ କଥାରେ ଇଂରାଜୀ ଶିକ୍ଷାର ପ୍ରଥମ ଫଳସ୍ୱରୂପ ଏ ଦେଶରେ ଯେଉଁ ସଭ୍ୟତା ଓ ସାମାଜିକତା ଦେଖା ଦେଇଥିଲା, ଦେବେନ୍ଦ୍ରନାଥଙ୍କ ଗୃହ ତାହାର ମୁକୁର ସ୍ୱରୂପ ହୋଇଥିଲା । ରବୀନ୍ଦ୍ରନାଥ ଏହି ପ୍ରକାର ଅନୁକୂଳ ପାରିପାର୍ଶ୍ୱିକ ଘଟଣାମାନଙ୍କ ମଧ୍ୟରେ ବଢ଼ିବାର ସୁଯୋଗ ପାଇ ଅବାଧରେ ସରସ୍ୱତୀଙ୍କର ଆରାଧନା କରି ପାରିଥିଲେ । ଅନେକ କ୍ଷେତ୍ରରେ ଦେଖାଯାଏ ଯେ, ବହୁ ଉଚ୍ଚ ଦରର ପ୍ରତିଭା, ଅର୍ଥ ଓ ଅନ୍ନ ଚିନ୍ତାରେ ମ୍ରିୟମାଣ ହୋଇ ପଡ଼େ । କିନ୍ତୁ ରବୀନ୍ଦ୍ରନାଥ ଲକ୍ଷ୍ମୀ ଓ ସରସ୍ୱତୀ ଉଭୟଙ୍କର ବରପୁତ୍ର ଥିଲେ । ଥରେ ତାଙ୍କର ପିତା ରବୀନ୍ଦ୍ରନାଥ ସଙ୍ଗୀତ ରଚନା କରୁଥିବାର ଶୁଣିପାରି ତାଙ୍କୁ କେତେଗୁଡ଼ିଏ ସଙ୍ଗୀତ ଗାଇବାକୁ କହିଲେ । ରବୀନ୍ଦ୍ରନାଥଙ୍କ ଗାନରେ ମହର୍ଷି ଏପରି ସନ୍ତୁଷ୍ଟ ହୋଇଥିଲେ ଯେ, ତତ୍‍କ୍ଷଣାତ୍ ତାଙ୍କୁ ପାଞ୍ଚଶତ ଟଙ୍କା ପୁରସ୍କାର ଦେଇ ପକାଇଥିଲେ ।

 

ବୟସର ବୃଦ୍ଧି ସଙ୍ଗେ ରବୀନ୍ଦ୍ରନାଥଙ୍କ କବିଖ୍ୟାତି କ୍ରମେ ପ୍ରସାରିତ ହେଲା । ଅଠର ବର୍ଷ ବୟସ ବେଳକୁ ସେ ବଙ୍ଗଳାରେ ବିଖ୍ୟାତ କବି ହୋଇ ସାରିଥିଲେ ଓ ବଙ୍ଗଳାର ବୃଦ୍ଧ ପ୍ରବୀଣ ସାହିତ୍ୟିକ ଓ ଜନନେତୃଗଣ ରବୀନ୍ଦ୍ରନାଥଙ୍କ ଦ୍ୱାରା ଯେ ବଙ୍ଗସାହିତ୍ୟ ସମୁନ୍ନତ ହୋଇ ଉଠିବ, ଏହାର ସୂଚନା ଦେଇଥିଲେ ।

 

ରବୀନ୍ଦ୍ରନାଥଙ୍କ କବିପ୍ରତିଭା ଅନନ୍ୟସାଧାରଣ । ସାହିତ୍ୟରେ ଏପରି କୌଣସି ବିଭାଗ ନାହିଁ, ଯାହା କି ତାଙ୍କ ପ୍ରତିଭାର ସ୍ୱର୍ଣ୍ଣସ୍ପର୍ଶରେ ରଞ୍ଜିତ ହୋଇ ଉଠି ନାହିଁ । କବିତା, ଗୀତ, କାବ୍ୟ, ନାଟକ, ଉପନ୍ୟାସ, ଗଳ୍ପ, ପାଲା, ପ୍ରବନ୍ଧ, ନୀତିବାକ୍ୟ-ପ୍ରତ୍ୟେକ ବିଭାଗରେ ସେ ହାତ ଦେଇଅଛନ୍ତି ଓ ପ୍ରତ୍ୟେକଟିରେ ସେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଅଛନ୍ତି । ତାଙ୍କ ରଚନାର ବିଶିଷ୍ଟ ଲକ୍ଷଣ ଏହି ଯେ, ତାହା ପାଠକକୁ ଏକ ଅତୀନ୍ଦ୍ରିୟ ରାଜ୍ୟକୁ ଘେନିଯାଏ ଓ ବିଶ୍ୱର ସକଳ ଦେଶର ଓ ସକଳ ଜାତିର ଲୋକଙ୍କୁ ମୁଗ୍‍ଧ କରେ । ବନ୍ଧୁମାନଙ୍କ ଅନୁରୋଧରେ ରବୀନ୍ଦ୍ରନାଥ ସ୍ୱୟଂ ତାଙ୍କର କେତେକ କବିତା ଇଂରାଜୀରେ ଅନୁବାଦ କରି ପ୍ରକାଶ କରନ୍ତେ ତାହା ଇଉରୋପୀୟ ସୁଧୀସମାଜରେ ଏକ ଚାଞ୍ଚଳା ସୃଷ୍ଟି କରିଥିଲା ଓ ଉଚ୍ଚ ପ୍ରତିଭାର ପୂଜାସ୍ୱରୂପ ୧୯୧୨ ଖ୍ରୀଷ୍ଟାବ୍ଦରେ ସେ ଗୌରବାବହ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲେ । ନୋବେଲ ପୁରସ୍କାର ପାଇବା ପରେ ରବୀନ୍ଦ୍ରନାଥ ବିଶ୍ୱବିଖ୍ୟାତ ହୋଇ ଉଠିଅଛନ୍ତି ଓ ତାଙ୍କର ରଚନାବଳୀ ପୃଥିବୀର ବହୁ ଭାଷାରେ ଅନୂଦିତ ହୋଇଅଛି ।

 

ରବୀନ୍ଦ୍ରନାଥ ଯେ କେବଳ ବଡ଼ କବି ତାହା ନୁହେ, ସେ ଜଣେ ଅସାଧାରଣ ଚିନ୍ତାନାୟକ ମଧ୍ୟ । କେଉଁ ଉପାୟରେ ଦେଶର ଓ ଜାତିର ମଙ୍ଗଳ ହେବ ଓ ପୃଥିବୀର ଭିନ୍ନ ଭିନ୍ନ ଜାତିମାନଙ୍କ ମଧ୍ୟରେ ପ୍ରୀତି ସ୍ଥାପିତ ହେବ, ଏଥିଲାଗି ସେ ସବୁବେଳେ ଉଦ୍‍ବିଗ୍ନ । ସେହି ଉଦ୍ଦେଶ୍ୟରେ ସେ ବୋଲପୁର ନାମକ ସ୍ଥାନରେ ଶାନ୍ତି ନିକେତନ-ଆଶ୍ରମ ଓ ବିଶ୍ୱଭାରତୀ ନାମକ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଅଛନ୍ତି । ଏହି ସ୍ଥାନରେ ଆଦର୍ଶ ପ୍ରଣାଳୀରେ ଶିକ୍ଷାଦାନ ହୁଏ ଓ ପୃଥିବୀର ବହୁଜାତିର ଶିକ୍ଷକ ଓ ଛାତ୍ର ଏକତ୍ର ମିଳିତ ହୋଇ ପରସ୍ପର ଭାବ ବିନିମୟ କରନ୍ତି ।

 

ନୋବେଲ୍ ପୁରସ୍କାର ପାଇଲା ପରେ ରବୀନ୍ଦ୍ରନାଥ ଭିନ୍ନ ଭିନ୍ନ ଜାତି ଏ ଦେଶଦ୍ୱାରା ନିମନ୍ତ୍ରିତ ହୋଇ ସମଗ୍ର ପୃଥିବୀ ଭ୍ରମଣ କରିଅଛନ୍ତି । ଭିନ୍ନ ଭିନ୍ନ ଦେଶରେ ରବୀନ୍ଦ୍ରନାଥ ଯେପରି ସମ୍ୱର୍ଦ୍ଧିତ ଓ ପୂଜିତ ହୋଇଅଛନ୍ତି, ତାହା ଜଗତର କୌଣସି କବିଙ୍କ ଭାଗ୍ୟରେ ଘଟି ନାହିଁ । ତାଙ୍କର ଏହି ବିପୁଳ ସମ୍ମାନ ଆଜି ତାଙ୍କର ନୁହେଁ, ତାହା ଭାରତବର୍ଷର । ଆମ୍ଭମାନଙ୍କର ସୌଭାଗ୍ୟ ଯେ କବି ବର୍ତ୍ତମାନ ମଧ୍ୟ ଜୀବିତ ।

Image

 

ଚରିତ୍ର

 

ମନୁଷ୍ୟତ୍ୱର ବିକାଶ ନିମନ୍ତେ ଯାହା ଯାହା ଆବଶ୍ୟକ ଚରିତ୍ର ସେମାନଙ୍କ ମଧ୍ୟରେ ପ୍ରଥମ ଓ ଶ୍ରେଷ୍ଠ । ଦୃଶ୍ୟମାନ ଉଦ୍ଭିଜ୍ଜଗତରେ ଦେଖାଯାଏ ଯେ ଉପରିଭାଗର ଶ୍ୟାମଳ ସୁଦୃଶ୍ୟ ଶାଖା ପ୍ରଶାଖାଦିର ଅସ୍ତିତ୍ୱ ଭୂଗର୍ଭସ୍ଥ ଅଦୃଶ୍ୟ ମୂଳ ଉପରେ ନିର୍ଭର କରେ । ବୃକ୍ଷ ପ୍ରତି ବୃକ୍ଷର ମୂଳ ଯେପରି, ମନୁଷ୍ୟ ପ୍ରତି ମନୁଷ୍ୟର ଚରିତ୍ର ସେହିପରି । ମନୁଷ୍ୟର ସ୍ଥୂଳ ଶରୀର ଯେପରି ପାଦଦ୍ୱୟ ଉପରେ ନିର୍ଭର କରି ଶକ୍ତିମାନ୍ ହୁଏ, ମନୁଷ୍ୟର ବ୍ୟକ୍ତିତ୍ୱ ସେହିପରି ଚରିତ୍ର ଉପରେ ନିର୍ଭର କରି ଶକ୍ତିମାନ୍ ହୁଏ । ବାହୁଦ୍ୱୟରେ ଅସୀମ ବଳ ଥିଲେହେଁ ପାଦଦ୍ୱୟ ଭଗ୍ନ ବା ଖଞ୍ଜ ହେଲେ ଯେପରି ତାହା କୌଣସି କାର୍ଯ୍ୟରେ ଆସେ ନାହିଁ, ଚରିତ୍ର ନ ଥିଲେ ଅସାଧାରଣ ପ୍ରତିଭା ମଧ୍ୟ କାର୍ଯ୍ୟକାରୀ ହୋଇ ପାରେ ନାହିଁ ।

 

ପ୍ରାଚୀନ ଯୁଗରେ ଏହି ଚରିତ୍ରଗଠନ ଲାଗିହିଁ ବ୍ରହ୍ମଚର୍ଯ୍ୟାଶ୍ରମର ବ୍ୟବସ୍ଥା ଥିଲା । ଭବିଷ୍ୟତରେ ବୃକ୍ଷଟିଏ କିପରି ଆକାର ଓ ପ୍ରକାର ଧାରଣ କରିବ, ତାହା ଚାରା ଅବସ୍ଥାର ଲାଳନ ପାଳନ ଉପରେ ନିର୍ଭର କରେ । ମନୁଷ୍ୟର ଭବିଷ୍ୟତ ମଧ୍ୟ ସେହିପରି ଶୈଶବରେ ଶାସନ ପାଳନ ଉପରେ ନିର୍ଭର କରେ । କାରଣ ଶୈଶବରେ ମନୁଷ୍ୟର ଚିତ୍ତବୃତ୍ତିସମୂହ ଅତ୍ୟନ୍ତ କମନୀୟ ଥିବାରୁ ସେ ସବୁ ଗଠନରେ ଉପଯୋଗୀ ହୁଅନ୍ତି ଓ ତେଣୁହିଁ ଏହି କାଳ ଚରିତ୍ରନିର୍ମ୍ମାଣ ଲାଗି ପ୍ରକୃଷ୍ଟ ବିବେଚିତ ହୋଇ ପ୍ରାଚୀନକାଳରେ ବ୍ରହ୍ମଚର୍ଯ୍ୟାଶ୍ରମର ଅଧୀନ ହୋଇଥିଲା ।

 

ଚରିତ୍ର କହିଲେ ସାଧାରଣତଃ ଇନ୍ଦ୍ରିୟମାନଙ୍କର ସଂଯମ ବୁଝନ୍ତି । କିନ୍ତୁ ଚରିତ୍ର ଏହାଠାରୁ ଅଧିକ ବେଶୀ । ଚରିତ୍ରଦ୍ୱାରା ନୈତିକ, ମାନସିକ ଏବଂ ଆଧ୍ୟାତ୍ମିକ ସକଳ ପ୍ରକାର ଶକ୍ତିର ଉତ୍କର୍ଷ ବୁଝିବାକୁ ହେବ । ଇନ୍ଦ୍ରିୟମାନଙ୍କୁ ସଂଯମ କରି ମଧ୍ୟ ଚରିତ୍ର ଅସମ୍ପୂର୍ଣ୍ଣ ରହିପାରେ । ପୁରାଣରେ ଦୁର୍ବାସା ବୋଲି ଜଣେ ଋଷି ଥିବାର ଜଣାଯାଏ । ଋଷି ହେଲେ ମଧ୍ୟ ସେ ଅତ୍ୟନ୍ତ କୋପନ ସ୍ୱଭାବର ବ୍ୟକ୍ତି ଥିଲେ ଏବଂ ନିଜର ତପଃପ୍ରଭାବରେ, ଯାହା ଉପରେ କ୍ରୁଦ୍ଧ ହେଉଥିଲେ ତାହାର ଅନିଷ୍ଟ କରୁଥିଲେ । ଏପ୍ରକାର ଦୁରଭ୍ୟାସ ଚରିତ୍ରର ଦୂଷଣ । ଚରିତ୍ରବାନ୍ ଲୋକ ବିରୁଦ୍ଧ ମତ ବା କାର୍ଯ୍ୟରେ କେବେ ହେଲେ କ୍ରୁଦ୍ଧ ହେବ ନାହିଁ । ସେମାନେ ଧୀରଭାବରେ ତା ସହ୍ୟ କରି, କ୍ରମେ ତା’ର ନିରାକରଣ ନିମନ୍ତେ ଚେଷ୍ଟା କରିବେ ମାତ୍ର । ପୁରାଣରେ ଯୁଧିଷ୍ଟିର ଏହିପରି ଏକ ଚରିତ୍ରବାନ୍ ବ୍ୟକ୍ତି ଥିଲେ । ତାଙ୍କର ଏକ ମାତ୍ର ଦୋଷ ଥିଲା ଯେ ସେ ଦ୍ୟୂତାସକ୍ତ ଥିଲେ । ଏହା ଏକମାତ୍ର ଦୋଷ ହେତୁରୁ ତାଙ୍କୁ ଅଶେଷ କଷ୍ଟ ଭୋଗ କରିବାକୁ ହୋଇଥିଲା ।

 

ଅନେକ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ଜୀବନରେ ଘଟଣାମାନ ଉଦ୍ଧାର କରି କହନ୍ତି ଯେ, ଜୀବନର ପରିପୂର୍ଣ୍ଣ ବିକାଶ ଚରିତ୍ର ବିନା ମଧ୍ୟ ସମ୍ଭବ । କିନ୍ତୁ ଏପ୍ରକାର ଧାରଣା ନିତାନ୍ତ ଅମୂଳକ । ଏହା ବୁଝିବା ଉଚିତ ଯେ, ଯେଉଁମାନେ ଚରିତ୍ର ବିନା ଜୀବନରେ କୃତକାର୍ଯ୍ୟ ହୋଇ ଅଛନ୍ତି, ଚରିତ୍ର-ଶକ୍ତିର ସଂଯୋଗରେ ସେମାନେ ଆହୁରି ବହୁଗୁଣରେ କୃତକାର୍ଯ୍ୟ ହୋଇ ପାରିଥାନ୍ତେ । ଚରିତ୍ରହୀନତା ଯୋଗୁଁ ଅନେକ ପ୍ରତିଭା ଯେ ନିଷ୍ପ୍ରଭ ହୋଇ ନଷ୍ଟ ହୋଇଯାଇଛି ତା’ର ପ୍ରମାଣ ବହୁତ । ଇଂରେଜ କବି ବାଇରନ୍ ଚରିତ୍ର ଅଭାବରୁ କେବଳ ଯେ କ୍ଳେଶ ଭୋଗିଥିଲେ ତାହା ନୁହେ, ନିଜର ଅସାଧାରଣ ପ୍ରତିଭାକୁ ମଧ୍ୟ ନଷ୍ଟ କରି ଦେଇଥିଲେ ।

 

ଚରିତ୍ରସମ୍ପନ୍ନ ଲୋକହିଁ ଜଗତରେ ସାଧାରଣତଃ କୃତକାର୍ଯ୍ୟ ହୁଅନ୍ତି । ଯେଉଁମାନେ ମନୋବୃତ୍ତି ଓ ଇନ୍ଦ୍ରିୟର ତାଡ଼ନାରେ ଆପଣାକୁ ଭସାଇ ଦିଅନ୍ତି, ସେମାନେ ଜୀବନରେ ପଥଭ୍ରାନ୍ତ ପଥିକ ପରି ଲକ୍ଷ୍ୟଚ୍ୟୁତ ହୋଇ ଶେଷରେ ହାହାକାର କରନ୍ତି । କିନ୍ତୁ ଯେଉଁମାନେ ସଂଯତ, ଧୀର, ଅକୋପନ, ନିର୍ଭୀକ, ଯେଉଁମାନେ ବିପଦରେ ମୁହ୍ୟମାନ ବା ସୌଭାଗ୍ୟର ବିମୁଗ୍‍ଧ ହୁଅନ୍ତି ନାହିଁ, ସିଦ୍ଧି-ଦେବୀ ସେହିମାନଙ୍କ ଉପରେହିଁ ପ୍ରସାଦ ବର୍ଷଣ କରନ୍ତି ।

 

ମୋଟ କଥାରେ, ଚରିତ୍ରରେହିଁ ଜୀବନର ସୌନ୍ଦର୍ଯ୍ୟ ପରିଷ୍ଫୁଟ ହୁଏ । ପ୍ରତ୍ୟେକ ଧର୍ମ୍ମରେ, ଚରିତ୍ର, ଧର୍ମ୍ମର ମୂଳ ବୋଲି ଧରା ଯାଇଅଛି । ଗୀତା ହିନ୍ଦୁ ମାନଙ୍କର ଶ୍ରେଷ୍ଠ ଧର୍ମ୍ମଶାସ୍ତ୍ର । ଗୀତାରେ ଆଦର୍ଶଚରିତ୍ରର ଯେଉଁ ଚିତ୍ର ଦିଆ ଯାଇଅଛି ତାହା ପୂର୍ଣ୍ଣ କରିବାକୁ ଚେଷ୍ଟା କଲେ ଜୀବନ ଦେବଭାବାପନ୍ନ ଓ ସୁଖଶାନ୍ତିର ଆଧାର ହେବ ।

Image

 

ମହାନଦୀରେ ଜ୍ୟୋତ୍ସ୍ନା-ବିହାର

 

–୧–

 

ଶିଳାଗୃହ-ଅନ୍ଧକାରବାସୀ ମୁଁ, ଜନନି !

ଉତ୍କଳ ନ ଥିଲି ଜାଣି, ଅଛି ଲୋ ତୋ, ପୁରେ

ଏମନ୍ତ ରୂପର ଲୀଳା; ନ ବାହୁଁ ତରଣୀ

ଆଜି ଏ ଜ୍ୟୋତ୍ସ୍ନାରେ ନୀଳ ମହାନଦୀ-ପୂରେ ।

ଆହା କି ବିପୁଳ ଶୋଭା ଭାସେ ଆଖି ଆଗେ,

କେମନ୍ତେ ବର୍ଣ୍ଣିବି ମୋର ମୁଗ୍‍ଧ ଅନୁଭବ,

ଚକ୍ଷୁ ମୋର ଅନ୍ଧ ହୁଏ ଜ୍ୟୋଛନା–ପରାଗେ,

ବାଣୀ ମୋର ନାହିଁ ଫୁଟେ, ମାନି ପରାଭବ ।

ଧବଳ ଉତ୍ତରୀ ସମ ରଜନୀ-ବଧୂର

ଜ୍ୟୋଛନା, ବ୍ୟାପିଛି ଦୂର ଦିଗଚକ୍ର ଲାଗି,

ତଳେ ତା’ର ଏ ଧରଣୀ, ପ୍ରକୃତି ମଧୁର

ହୋଇଛି ମଧୁରତର ତା ପରଶେ ଜାଗି ।

ଆକାଶର ଖଣ୍ତ ସମ ମହାନଦୀ ବାରି

ଚନ୍ଦ୍ରିକା-ଚୁମ୍ବନ ପାଇ ଧବଳ-ଚପଳ,

ତରଳ ମୁକୁର ଅବା ଦେଇଛି କେ ପାରି,

ଦେଖିବେ ବଦନ ନଭ-ସୀମନ୍ତିନୀ ଦଳ ।

ଦୁଇକୂଳେ ବୃକ୍ଷରେଖା ଜ୍ୟୋଛନା-ଧଉତ

ପାଣ୍ତୁ ର ଆଲୋକ ଧରି ଚନ୍ଦ୍ରାଳସ ଶିରୀ

ସ୍ୱପ୍ନ ପୁରୀ କରେ ସୃଷ୍ଟ । ଅଳସ ମରୁତ

ଜ୍ୟୋଛନା-ମଦିରା-ମତ୍ତ ବହେ ଥିରିଥିରି ।

ଦୂରବାହୀ ନାଉରୀର ସରଳ ସଙ୍ଗୀତ

ପବନେ ଆସଇ ଭାସି ନଦୀବକ୍ଷପରେ,

କ୍ଷେପଣୀ ଆଘାତେ ଦେଖ ଚନ୍ଦ୍ରିକା ରଞ୍ଜିତ-

ନଦୀବାରି, ଲକ୍ଷ ରୌପ୍ୟ-ପୁଷ୍ପ ସୃଷ୍ଟି କରେ ।

ପଶ୍ଚାତେ ପ୍ରସାର-ଶୀଳ ଶୁଭ୍ର ବାରିରାଶି

ମିଶାଇ ଆକାଶତଳେ; ସମ୍ମୁଖେ ମୋହର

ଗମ୍ଭୀର ସୁନ୍ଦର ଗିରିମାଳା ଉଠେ ଭାସି

ଚନ୍ଦ୍ରିକାଚନ୍ଦନେ ଚର୍ଚ୍ଚି ନୀଳ କଳେବର ।

ଉଠିଛି ଶିଖରୀମାଳା-ପଶ୍ଚାତୁଁ ଆକାଶ

ସନ୍ନ୍ୟାସିନୀ–ମୁଖ ସମ ପ୍ରଶାନ୍ତ ଧବଳ,

ତା ତଳେ ରଜନୀ ବଧୂ, ଚନ୍ଦ୍ରିକାର ବାସ

ଉଡ଼ାଇ ଧରଣୀ କରେ ପରଶେ ଉଜ୍ଜ୍ୱଳ ।

ଏ ବିରାଟ ଚିତ୍ରଗୃହେ ଅତିଥି ମୁଁ ଦୀନ

ମୁଗ୍‍ଧ ସମ ରହେ ଚାହିଁ, ମହା ମହିମାରେ,

ଭାବଇ ବା ହୋଇ ଏହି ଜ୍ୟୋତ୍ସ୍ନାରେ ପ୍ରଲୀନ,

ଭୋଗନ୍ତି ଯେ ସୁଧା ଝରେ ଆଜି ଏତେ ଧାରେ ।

 

–୨–

 

ହାୟ ଲୋ ଉତ୍କଳଭୂମି । ପ୍ରକୃତି-ସୁନ୍ଦର,

ମନ୍ଦାକିନୀ ସମ ନଦୀ, ଶିବ ସମ ଗିରି,

କାନନେ, କେଦାରେ ଲକ୍ଷ ଶୋଭାର ସମ୍ଭାର

ଥାଉଁ ତୋର, କହ କିପାଁ ଏତେ ହତଶିରୀ ?

ଏ ସ୍ୱର୍ଗ-ସୁଷମା ଯାର, କରିବି ବିଶ୍ୱାସ

କେମନ୍ତେ କହ ଲୋ ! ତା’ର ଅନ୍ନର ଅଭାବ ?

ସୁରାସମ ମୁଗ୍‍ଧ କରେ ମୋରେ ଯା ନିଶ୍ୱାସ,

ତା ଦେହେ ସମ୍ଭବେ କାହୁଁ ଦୁର୍ଦିନ-ପ୍ରଭାବ ?

କାନନ-ଶ୍ୟାମଳ ବାସ, ଶିଖରୀ-ମୁକୁଟ,

ଚରଣ ଚୁମ୍ୱଇ ମହାସାଗର ଲହରୀ,

ଏ ବେଶେ ହୁଅଇ ଯାର ମହିମା ପ୍ରକଟ,

କେମନ୍ତେ ଭାବିବି ତାରେ ଅଭିଶପ୍ତା କରି ?

ଆଜି ତୋର ଇତିହାସ-ସାକ୍ଷୀ ଏ ତଟିନୀ–

ଜଳେ ମୋ ତରଣୀ ଯେବେ ଭାସିଯାଏ ଧୀରେ

ଜନନି, ଗୌରବ ତୋର, କଳ୍ପନାସଙ୍ଗିନୀ

ଗୋଟି ଗୋଟି ଦ୍ରୁତେ କାଢ଼ି ଦିଏ ମୋ ସ୍ମୃତିରେ ।

ସେ ଦିନ ତୋ ଗିରିସଙ୍ଗେ, ତୋର ଗଜପତି

ତୋଳିଲା ସ୍ପର୍ଦ୍ଧାରେ ତା’ର ଦୁର୍ଗ ଅଭ୍ରଙ୍କଷ,

ତୋହର ଏ ନଦୀ ସମ ମହା ନରପତି

ହୃଦୟେ ଉଦାର କରି ଜିଣି ନେଲା ଯଶ ।

ସେ ରାଜା ଯାଇଛି ଚାଲି, ଦୁର୍ଗ ତା’ର ନାହିଁ,

ତା ସଙ୍ଗେ ଯାଇଛି ପୁଣି ସେ ବୀର ହୃଦୟ,

ତୋହରି ଅତୀତ ମା ଗୋ ! ଆଜି ଥାଇ ଥାଇ

କରେ କ୍ରୂର ପରିହାସ ଘୋର ବ୍ୟଥାମୟ ।

 

–୩–

 

ତରଣୀ ଚଳଇ ମୋର ବାରବାଟୀ ତଳେ,

ରହରେ ନାଉରୀ, ଦଣ୍ଡେ ଭିଡ଼ ଏଥି ତରି,

ମଥା ମୋ ଲଗାଇ ପୂତ ସୋପାନ-ପ୍ରସ୍ତରେ

ଦିଏଁ ଅପଦାର୍ଥ-ପ୍ରାଣେ କୃତ କୃତ୍ୟ କରି ।

ସେ ଦିନ ଏ ଶିଳାପରେ ଅବଗାହେ ଆସି

ସୁକୁମାରୀ ରାଜବାଳା ଆଙ୍କିଥିବ ତା’ର

ଲାକ୍ଷାରକ୍ତ ପଦଛବି–କରି ମତ୍ତକାଶୀ

କଠିନ ପାଷାଣଦେହେ ଆନନ୍ଦ ସଞ୍ଚାର ।

ସେଦିନ ସଜନୀମେଳେ ରୂପସୀ ମହିଷୀ

ଏକ କରେ ଦୂର୍ବାକ୍ଷତ, ଶଙ୍ଖ ଆନ କରେ,

ବିଜୟୀ ପୁତ୍ରରେ ଶିରେ ମଙ୍ଗଳ ଆଶିଷି,

ବନ୍ଦି ନେଇଥିବେ ଗୃହେ ଏହି ଶିଳାପରେ ।

ସେଦିନ ଏ ଶିଳାପରେ ନାଗରିକା ଶତ

ହରିଦ୍ରା ପ୍ରଲେପେ ରଞ୍ଜି କନକ ବହନ

ବନ୍ଦିଥିବେ ଶଙ୍ଖ ବାଇ ରାଜାର ବୋଇତ,

କରିଛି ଯେ ସିଂହଳରୁ ମୁକ୍ତା ଆନୟନ ।

ସେଦିନ ଏ ଶିଳାପରେ ନଗର-ଜନନୀ

ଏକତ୍ରେ ପଠାଇ ପୋତେ ସନ୍ତାନେ ସମରେ

ଚାହିଁଥିବେ ଦୂର ଦିଗେ, ସେ ବୀରରମଣୀ

ଲୁଚାଇ ଆଖିର ଲୁହ ଅପମାନ-ଡ଼ରେ ।

ସେଦିନ କାହିଁ ଗୋ ଶିଳା ! ଏ ଦୁର୍ଗର ଛାୟା

ମାଡ଼ି ଏ ତଟିନୀ-ଜଳେ ଚକୋରୀ-ଚକୋରେ,

ଆଣେ ଯେବେ ନିଶା-ଭୀତି ! ଜୀବନର ମାୟା

ଏ ଜାତି ନ ଥିଲା ଜାଣି ବିପତ୍ତିର କୋଳେ !

ଚିରଦିନ ପାଇଁ ସେ କି ଯାଇଛନ୍ତି ଚାଲି,

ନ ଫେରିବେ ରାଜାରାଣୀ, ନ ଫେରିବେ ବୀରେ ?

ବୋଇତ ବନ୍ଦାଣ ଲାଗି ଏ ତଟିନୀ ବାଲି

ନାଗରିକା-ପଦ-ପ୍ରାନ୍ତ ନ ଚୁମ୍ବିବ ଧୀରେ ?

ଦୁର୍ଗ ଆଉ ଉଠିବନି ? ରାଜାର ବୋଇତ

ନ ଧରିବ ମୁକ୍ତା ଧରି ଏ ତଟିନୀ ବାହି,

ନଗରର ବଧୂ ଯେତେ ମଙ୍ଗଳ ସଙ୍ଗୀତ

ନ ବନ୍ଦିବେ ତାରେ କେବେ, ମଧୁକଣ୍ଠେ ଗାଇ ?

ସେ ସୌଭାଗ୍ୟ ଶେଷେ, ହାୟ, ଏ ଜାତିର ଶେଷ

ନ କଲା ବିଧାତା କିପାଁ ? ଏ ଗୌରବ ପରେ

 

ବଞ୍ଚିବା ଧରି ଏ ଖାଲି କଙ୍କାଳବିଶେଷ

ବିଶ୍ୱ ଆଗେ ମରଣରୁ ଶତଗୁଣେ ବଳେ ।

 

–୪–

 

ଏମନ୍ତ ଜ୍ୟୋଛନା ରାତ୍ରେ ସେଦିନ ଏ ସ୍ଥଳୀ

କି ଶୋଭା ଧରଇ, ଅୟି କଳ୍ପନା ସଜନି !

କହ ମତେ । ଶତ ଶତ ନାଗରିକ-ତରୀ

ବାହି କେହ୍ନେ କରୁଥିବେ ମୁଖରା ରଜନୀ ?

ନୃପତିର ଗଜଦନ୍ତ-ତରୀ ଥିବ ଆଗେ,

ମୁଖରା ଗାୟିକା କଣ୍ଠେ; ସୁଗନ୍ଧେ ଉତଳା;

ନୃପତି-କୁଣ୍ତଳ-ମଣି ଚନ୍ଦ୍ରିକାର ରାଗେ

ଝଲସେ; କମ୍ପଇ କର୍ଣ୍ଣେ କୁସୁମର ଝରା ।

ରାଜତରୀ ପାଶେ, ପଛେ ଶତ ତରୀ ବାହି

ଚଳନ୍ତି ନଗରଜନେ ବିଳାସକୁଶଳ

ମୁଖରା କରି ଏ ନଦୀ ଉଚ୍ଚେ ଗୀତ ଗାଇ,

ଉଦ୍ଦାମ କ୍ଷେପଣେ କରି ଆକୁଳ ଏ ଜଳ ।

ଊର୍ଦ୍ଧ୍ୱେ ତେଣେ ଚନ୍ଦ୍ରଶାଳାପୁରେ ରାଜରାଣୀ

ସ୍ୱର୍ଣ୍ଣଦୀପ ପଛେ ରଖି ବାତାୟନମୁଖୀ

ଦେଖନ୍ତି ଏ ମହାଲୀଳା, ଫୁଟେ ନାହିଁ ବାଣୀ;

ବଦନେ ଆସେ କି ଭାଷା ପ୍ରାଣ ହେଲେ ସୁଖୀ ?

ଆନ କକ୍ଷେ ରାଜବଧୂ କୋମଳା କିଶୋରୀ

ସୁନ୍ଦରୀ ସଜନୀମେଳେ ଧରି ଫୁଲହାର

ଦେଖନ୍ତି ଚନ୍ଦ୍ରମା ଶୋଭା ଚନ୍ଦ୍ରମୁଖ ତୋଳି,

ଏକାଳେ ମିଳିଲେ ପାଶେ ନୃପତି-କୁମାର

ତୀରେ ବାଦ୍ୟ-ନହବତ, କମ୍ପଇ ଧରଣୀ,

ସେ ପାର ପର୍ବତମାଳା ଦିଏ ପ୍ରତିଗିର,

ମନ୍ଦ୍ରିଉଠେ ଦୁର୍ଗକକ୍ଷ, ରାଜାର ତରଣୀ

ନଚାଏ ଉନ୍ମାଦେ ନୀଳ ମହାନଦୀ-ନୀର ।

ସେ ଦିନ ମୁଁ ଥାଅନ୍ତି କି ରାଜନ ଗହଣେ,

ବିଧାତା, ହୃଦୟ ଭରି ଗାଇଥାନ୍ତି ଗୀତ,

ଗୁଣଗ୍ରାହୀ ରାଜା ମୋର ରତ୍ନ ବିତରଣେ

ତୋଷି କି ନ ଥାନ୍ତେ ଏହି ଦରିଦ୍ରର ଚିତ୍ତ ?

 

–୫–

 

ଫେରିବା କହୁଛ ବନ୍ଧୁ ! ପୁଣି ଅନ୍ଧକାରେ ?

ଫେରିବାକୁ ହେବ ସତେ ? ହାୟ ଏ ଜୀବନ ।

ଅବସର ନାହିଁ ମିଳେ କ୍ଷଣେ ଭୁଲିବାରେ

ଜୀବନର ହାହାକାର, ପ୍ରାଣର ଦହନ ।

ଚନ୍ଦ୍ରମା ଉଠିଛି ଊର୍ଦ୍ଧ୍ୱେ; ବିରାଟ ଧରଣୀ

ନୀରବ, ନିସ୍ତବ୍ଧ, ଶାନ୍ତ । ମହାନଦୀ ଜଳ

କ୍ଳାନ୍ତ ଶିଶୁସମ ଶାନ୍ତ, ଉଜ୍ଜ୍ୱଳ ରଜନୀ

ପକ୍ଷ ପାତି ଆବରିଛି ନଭ, ଜଳ ସ୍ଥଳ ।

ଏ ମହାନୀରବ କ୍ଷଣେ, ଏ ଜ୍ୟୋଛନା ତଳେ

ମୁଗ୍ଧ ମୁଁ ଅନାଇଁ ଏହି ବିପୁଳ ଶୋଭାରେ,

ଅନୁଭବେଁ ଆହା କାର ସ୍ପର୍ଶ ଏ ଅନ୍ତରେ,

ବଚନୁଁ ଅତୀତ, ମୁହିଁ ପ୍ରଣମେ ତାହାରେ ।

ସେ ଯେ ସତ୍ୟ, ଶିବ ସେହି, ଏକା ସେ ସୁନ୍ଦର,

ଭୂମା ସେ ରହିଛି ପୂରି ରେଣୁ ରେଣୁ ଭେଦି,

ଅନନ୍ତ ଲୀଳାର ହେତୁ, ଅସୀମ ହୁନ୍ଦର

କ୍ଷଣକେ ସୃଜେ ସେ । ତା’ର ମହା ପୂଜାବେଦୀ ।

ବନ୍ଧୁ ହେ, ପାଇଛି ଆଜି ଏ ଆକାଶ ତଳେ,

ମୋ ଜାତି ଅତୀତ-ସାକ୍ଷୀ ଏ ନଦୀ ପୁଳିନେ,

ଜ୍ୟୋତ୍ସ୍ନାର ଏ ମହାଭୋଜ୍ୟେ, ଏ ତରଣୀ ପରେ

ଜାନୁ ପାତି ବନ୍ଧୁ, ତାରେ ଘେନ ହେ ଜୀବନେ ।

ଇଚ୍ଛା ମୋ, ହୁଅନ୍ତା ଏହି ନିର୍ମଳା ରଜନୀ

ଅସରା, ମୁଁ ଖୋଜୁଥାନ୍ତି ସତ୍ୟ–ଶୁଭ ତାରେ

ଏ ସୁନ୍ଦର ଜ୍ୟୋତ୍ସ୍ନାତଳେ, ବାହି ଏ ତରଣୀ

ମୃତ୍ୟୁ ଯାଏଁ, ନ ଫେରି ସେ ମହା ଅନ୍ଧକାରେ ।

Image

 

ଆତିଥେୟତା

(ଗ୍ରୀକ୍ ଗଳ୍ପ)

 

ଦେବରାଜ ଜୁପିଟର୍ ଓ ଦେବଦୂତ ମର୍କ୍ୱିରି ମାନବମାନଙ୍କର ଗତିବିଧି ଲକ୍ଷ୍ୟ କରିବା ଲାଗି, ଦିନେ ପୃଥିବୀକୁ ଅବତରଣ କଲେ । ମନୁଷ୍ୟମାନଙ୍କ ସହିତ ଅବାଧରେ ମିଶି ପାରିବା ଲାଗି ସେମାନଙ୍କୁ ମନୁଷ୍ୟ ଶରୀର ଗ୍ରହଣ କରିବାକୁ ହେଲା । କିନ୍ତୁ ଜୁପିଟରଙ୍କ ବାଣୀରେ ବଜ୍ରର ଗମ୍ଭୀର ନିର୍ଘୋଷ ଓ ମର୍କ୍ୱିରିଙ୍କ ପାଦପାତରେ ପବନର ଚପଳତା ରହିଯାଇଥିଲା ।

ସେମାନେ ଭ୍ରମଣ କରି କରି କ୍ଳାନ୍ତ ହେଲା ପରେ, ଗୋଟିଏ ଉପତ୍ୟକାନିହିତ କ୍ଷୁଦ୍ର ଗ୍ରାମରେ ପ୍ରବେଶ କଲେ । ସେତେବେଳକୁ ସୂର୍ଯ୍ୟ ଅସ୍ତମାନ ହୋଇ ଆସୁଥିଲେ ଏବଂ ଅପରିଚିତ ଯାତ୍ରୀଯୁଗଳ ରାତ୍ରି ବାସ ଓ ଭୋଜନ ଲାଗି ଅଧିବାସୀମାନଙ୍କର ଦ୍ୱାରେ ଦ୍ୱାରେ ଉପସ୍ଥିତ ହେବାକୁ ଲାଗିଲେ ।

କିନ୍ତୁ ଆଶ୍ରୟ ଦେବା ଦୂରେ ଥାଉ, ପ୍ରତ୍ୟେକ ଗୃହସ୍ଥ ସେମାନଙ୍କୁ ଚୌର–ତସ୍କର ପରି ଦ୍ୱାରଦେଶରୁ ବିତାଡ଼ିତ କରିବାକୁ ଲାଗିଲେ ଏବଂ ସେମାନଙ୍କର ବାଳକ ବାଳିକାମାନେ ଅଭ୍ୟାଗତମାନଙ୍କୁ ଧୂଳି–ପଥର ନିକ୍ଷେପ ଓ ଉତ୍ତେଜିତ ଶ୍ୱାନମାନଙ୍କଦ୍ୱାରା ବିପର୍ଯ୍ୟସ୍ତ କରି ଆତିଥେୟତାର ପରାକାଷ୍ଠା ଦେଖାଇଲେ ।

ଉପତ୍ୟକାର ଅଦୂରରେ ଗୋଟିଏ କୁଟୀର । ସେହି କୁଟୀରରେ ଦୁଇଟି ବୃଦ୍ଧ ଓ ବୃଦ୍ଧା, ଉପତ୍ୟକାର ହିଂସ୍ର ଜନତାଠାରୁ ଦୂରରେ ରହି ନିଃସମ୍ପର୍କଭାବରେ ବାସ କରୁଥାନ୍ତି । ସମଗ୍ର ଗ୍ରାମରେ ଏହି ବୃଦ୍ଧ ବୃଦ୍ଧାହିଁ ଦୂରାଗତ, ଅପରିଚିତ, ପାନ୍ଥ ଓ ଅତିଥିମାନଙ୍କର ଏକମାତ୍ର ଆଶ୍ରୟ ଥିଲେ । ଦରିଦ୍ର ହେଲେହେଁ ଅଭ୍ୟାଗତ ଲାଗି ସେମାନଙ୍କର ଅଦେୟ କିଛି ନ ଥିଲା । ସେହି ସନ୍ଧ୍ୟାରେ କୁଟୀରର ଅଳିନ୍ଦରେ ବୃଦ୍ଧ ଦମ୍ପତି ବିଶ୍ରାମ କରୁଥିଲେ । ଉପତ୍ୟକାର କୋଳାହଳ ଶୁଣି ବୃଦ୍ଧ ଫିଲୋମନ୍, ବୃଦ୍ଧା ବଶୀଶ୍‍କୁ ଡାକି କହିଲା,‘ଆସ ଦେଖିବା,କାହିଁକି ଏ କୋଳାହଳ ! ବୋଧ ହୁଏ, କୌଣସି ଅତିଥିକୁ ସେହି ଦୁଷ୍ଟ ଲୋକଗୁଡ଼ାକ ବିପନ୍ନ କରୁ ଅଛନ୍ତି ।’ ଏହା କହି ସେମାନେ କୁଟୀରଠାରୁ କିଛିଦୂର ଯାଆନ୍ତେ, ସେହି ଦେବଅତିଥିମାନଙ୍କୁ ଉପତ୍ୟକାରୁ ବାହାରିବାର ଦେଖିଲେ-। ସେମାନଙ୍କର ପଶ୍ଚାଦ୍ଦେଶରେ ଗ୍ରାମର ସକଳ ଅସଭ୍ୟ ବାଳକ ବାଳିକାମାନଙ୍କର କ୍ରୂର ପରିହାସ ଲାଗି ରହିଥିଲା ।

ବୃଦ୍ଧ ଦମ୍ପତିଙ୍କର ସମ୍ମୁଖୀନ ହୋଇ ଅତିଥିଯୁଗଳ ରାତ୍ରିବାସ ଓ ରାତ୍ରିଭୋଜନ ପାଇଁ ପ୍ରସ୍ତାବ କଲେ । ଫିଲୋମନ୍ ଓ ବଶୀଶ୍ ଆନନ୍ଦରେ ଅତିଥିମାନଙ୍କୁ ଅଭିନନ୍ଦିତ କରି କହିଲେ, ‘ମହାଶୟଗଣ, ଏହି ଦରିଦ୍ର କୁଟୀରରେ ଆପଣଙ୍କ ଉପଯୋଗୀ ଅଭ୍ୟର୍ଥନା କାହୁଁ ପାଇ ପାରିବେ; କିନ୍ତୁ ଯାହା ଅଛି, ସେଥିରେ ମହୋଦୟମାନଙ୍କର ପରିପୂର୍ଣ୍ଣ ଅଧିକାର । ଆସନ୍ତୁ ।’ ଏହା କହି ସେମାନଙ୍କୁ କୁଟୀର ମଧ୍ୟକୁ ଘେନିଗଲେ ।

ସେତେବେଳକୁ ରାତ୍ରି ସମାଗତ ହୋଇ ଯାଇଥିଲା ଓ ଶୀତ ପଡ଼ିବାକୁ ଆରମ୍ଭ କରିଥିଲା-। ଗୃହାଗ୍ନି ସମୀପରେ ଅତିଥିମାନଙ୍କ ଉପବେଶନ କରାଇଦେଇ ଫିଲୋମନ୍ ଗଳ୍ପ କରିବାରେ ଓ ବଶୀଶ୍ ରାତ୍ରିର ଭୋଜନ ପ୍ରସ୍ତୁତ କରିବାରେ ଲାଗିଲେ ।

ଭୋଜନ ସାମଗ୍ରୀ ପ୍ରସ୍ତୁତ ହୁଅନ୍ତେ ଗୃହସ୍ୱାମୀ ଓ ଅତିଥି ଉଭୟେ ଆସନ ଗ୍ରହଣ କଲେ-। ମୋଟା ରୁଟୀ, ମଧୁ, ଦୁଗ୍‍ଧ ଇତ୍ୟାଦି ଗୃହଲବ୍‍ଧ ସାଧାରଣ ସାମଗ୍ରୀହିଁ ଭୋଜ୍ୟବସ୍ତୁ ରୂପେ ପରିବେଶିତ ହୋଇଥିଲା । ତଥାପି ଅତିଥିଯୁଗଳ ପରମ ପରିତୋଷ ସହକାରେ ତାହା ଭୋଜନ କରିବାକୁ ଲାଗିଲେ । ଫିଲୋମନର ଅତ୍ୟନ୍ତ ସଙ୍କୋଚ ହେଉଥିଲା ଯେ, ସ୍ୱଳ୍ପ ପରିମିତ ଦୁଗ୍ଧ ସମସ୍ତଙ୍କୁ କୁଳାଇବ ନାହିଁ । ଯେତେବେଳେ ଅତିଥି ଦୁହେଁ ଥରେ ଦୁଗ୍‍ଧପାନ କରି ଆଉ ଥରକ ଲାଗି ଦୁଗ୍‍ଧ ଯାଚି ବସିଲେ, ଫିଲୋମନର ସଙ୍କୋଚ ଘନୀଭୂତ ହେବାକୁ ଲାଗିଲା । କିନ୍ତୁ ଅତ୍ୟନ୍ତ ଆଶ୍ଚର୍ଯ୍ୟର ସହିତ ସେ ଦେଖିବାକୁ ପାଇଲା ଯେ, ପୂର୍ବେ ଯେଉଁ ପାତ୍ରରୁ ସମସ୍ତ ଦୁଗ୍‍ଧ ନିଗାଡ଼ି ସେ ଅତିଥିମାନଙ୍କ ପାତ୍ରରେ ଢାଳି ଦେଇ ଥିଲା, ଅନାଇଲା ବେଳକୁ ସେ ପାତ୍ର ପୁଣି ଦୁଗ୍‍ଧରେ ପରିପୂର୍ଣ୍ଣ ହୋଇ ଉଠିଥିଲା । ଅତିଥିବର୍ଗଙ୍କୁ ପୁଣି ଦୁଗ୍‍ଧ ତକ ଢାଳି ଦେଇ, ସେ ଦେଖିଲା ଯେ, ପାତ୍ରରେ ଦୁଗ୍‍ଧ ସେହିପରି ପରିପୂର୍ଣ୍ଣ ରହିଛି । ଏଥିରେ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ ବଶୀଶ୍ ଆଡ଼କୁ ବିସ୍ମିତ ହୋଇ ଚାହିଁଲା । ବଶୀଶ୍ ମଧ୍ୟ ଅତ୍ୟନ୍ତ ବିସ୍ମିତ ହେଲା । କିନ୍ତୁ ଭୟରେ କେହି ଆଉ ସେ କଥା ପ୍ରକାଶ କଲେ ନାହିଁ । ଆଉ ମଧ୍ୟ ସେମାନେ ଦେଖିଲେ ଯେ, ସେମାନଙ୍କର ଅତି ପରିଚିତ ରୁଟୀ ସେଦିନ ମିଷ୍ଟତର ଓ ମଧୁ ଅଧିକ ସୌରଭମୟ ବୋଧ ହେଲା ।

 

ଭୋଜନ ଶେଷରେ କୁଟୀରର ଏକମାତ୍ର ଶଯ୍ୟାଟିକୁ ଅତିଥିମାନଙ୍କୁ ଛାଡ଼ିଦେଇ, ବୃଦ୍ଧ ଦମ୍ପତି କଠିନ ଭୂତଳରେ ସେ ନିଶା ଯାପନ କଲେ ।

 

ପ୍ରାତଃକାଳରେ ବୃଦ୍ଧ ଓ ବୃଦ୍ଧା ଅତିଥିମାନଙ୍କର ପ୍ରାତର୍ଭୋଜନ ଲାଗି, ତାଙ୍କର ଏକମାତ୍ର ହଂସଟିକୁ ବଧ କରିବାକୁ ଯାଉଅଛନ୍ତି, ଏପରି ସମୟରେ ଅତିଥିଯୁଗଳ ଶଯ୍ୟା ତ୍ୟାଗ କରି ଦୁହିଁଙ୍କୁ ସେମାନଙ୍କର ପଥାନୁସରଣ କରିବାକୁ କହିଲେ । ଛଦ୍ମ ଜୁପିଟରଙ୍କ ଭାଷାରେ ଏପରି ଏକ ଶକ୍ତି ଥିଲା ଯେ, ବୃଦ୍ଧ ଦମ୍ପତି ମନ୍ତ୍ରଚାଳିତବତ୍ ସେମାନଙ୍କର ଅନୁସରଣ କଲେ । କିଛି ଦୂର ଯାଆନ୍ତେ ଗ୍ରାମର ସୀମାନ୍ତବର୍ତ୍ତୀ ଏକ ଉନ୍ନତ ଶିଳାପ୍ରଦେଶରେ ଦଣ୍ଡାୟମାନ ହୋଇ ଅତିଥିଯୁଗଳ ବୃଦ୍ଧଦମ୍ପତି ଆଡ଼କୁ ଚାହିଁ କହିଲେ ‘ବୃଦ୍ଧଦମ୍ପତି ତୁମର ଗତ ରାତ୍ରିର ଅତିଥିଯୁଗଳ ଦେବପୁରୁଷ ! ବର୍ତ୍ତମାନ ତୁମ ଗ୍ରାମ ଆଡ଼କୁ ଅନାଅ ।’

 

ଘୋର ବିସ୍ମୟରେ ବୃଦ୍ଧ ଓ ବୃଦ୍ଧା ଚକ୍ଷୁ ମଳିବାକୁ ଲାଗିଲେ । ସେମାନେ ଗ୍ରାମ ଆଡ଼କୁ ଚକ୍ଷୁଫେରାଇ ଦେଖିଲେ, ସେ ଜନବସତି ଆଉ ନାହିଁ-ତା ସ୍ଥାନରେ ଏକ ବିରାଟ ହ୍ରଦ ଏବଂ ଆହୁରି ବିସ୍ମୟର ବ୍ୟାପାର ଏହି ଯେ, ସେମାନଙ୍କର କ୍ଷୁଦ୍ର କୁଟୀରଟି ଯେଉଁ ସ୍ଥାନରେ ଥିଲା, ସେଠାରେ ଏକ ବିରାଟ ପ୍ରାସାଦ ଠିଆ ହୋଇଛି । ଜୁପିଟର ସେମାନଙ୍କ ଆଡ଼କୁ ଚାହିଁ କହିଲେ, ‘ବୃଦ୍ଧଦମ୍ପତି ! ତୁମ ବ୍ୟତୀତ ତୁମ ଗ୍ରାମର ସମସ୍ତେ ବିନାଶ ପ୍ରାପ୍ତ ହୋଇଅଛନ୍ତି । ସେମାନେ ସେପ୍ରକାର ଶାସ୍ତିର ଉପଯୁକ୍ତ । ବର୍ତ୍ତମାନ ତୁମମାନଙ୍କର କି ଅଭିଳାଷ, ପ୍ରାର୍ଥନା କର ।’

 

ଫିଲୋମନ୍ ଓ ବଶୀଶ୍ କ୍ଷଣମାତ୍ର ଚିନ୍ତା କରି ଉତ୍ତର କଲେ, ‘ଭଗବାନ୍ ଏହି ବର ଦିଅନ୍ତୁ ଯେ, ଜୀବିତ ଥିବାଯାଏ, ଆମ ଦୁହିଙ୍କର ଦେବପଦରେ ଚିତ୍ତ ଥିବ ଏବଂ ମରଣ ଯେପରି ଦୁହିଙ୍କୁ ଏକ ସମୟରେ ଗ୍ରହଣ କରିବ–ଯେପରି ଏକର ବିରହଦୁଃଖ ଭୋଗ କରିବାକୁ ଅନ୍ୟ ଜଣକ ବଞ୍ଚି ନ ରହେ ।’

 

‘ତଥାସ୍ତୁ’ କହି ସ୍ୱର୍ଗୀୟ ଅତିଥିଯୁଗଳ ସହସା ଅନ୍ତର୍ହିତ ହୋଇଗଲେ ।

 

ଫିଲୋମନ୍ ଓ ବଶୀଶ୍ ବହୁକାଳ ବଞ୍ଚି ରହିଲେ । ଏହାପରେ ବହୁସମ୍ପଦର ଅଧିକାରୀ ହେଲେହେଁ ସେମାନଙ୍କର ଜୀବନଯାପନ ଆଦୌ ପରିବର୍ତ୍ତିତ ହୋଇ ନ ଥିଲା ଏବଂ ପୂର୍ବ ପରି ସେମାନଙ୍କର ଦ୍ୱାର ଅତିଥିମାନଙ୍କ ଲାଗି ଉନ୍ମୁକ୍ତ ଥିଲା ।

 

ବହୁବର୍ଷ ବଞ୍ଚିଲା ପରେ ଇହ ଜୀବନର ଭୋଗମାନଙ୍କ ପ୍ରତି ସେମାନଙ୍କର କ୍ରମେ ବିତୃଷ୍ଣା ଆସିଲା । ଦିନେ ଦୀର୍ଘ ଜୀବନର ସୁଖସ୍ମୃତିସବୁ ସ୍ମରଣ କରି କରି ଦୁହେଁ ହାତ ଧରାଧରି ହୋଇ ସେମାନଙ୍କ ଗୃହର ବହିର୍ଦ୍ଦେଶରେ ଦଣ୍ଡାୟମାନ ହୋଇଅଛନ୍ତି, ଏପରି ସମୟରେ ଦୁହିଙ୍କର ଜୀବନବାୟୁ ଏକାବେଳକେ ବହିର୍ଗତ ହୋଇଗଲା ।

 

କିଛିଦିନ ପରେ ଦେଖାଗଲା, ସେମାନେ ଯେଉଁ ସ୍ଥାନରେ ଦଣ୍ଡାୟମାନ ରହିଥିଲେ, ସେଠାରେ ଦୁଇଟି ଛାୟାପ୍ରଦ ବୃକ୍ଷ ଉଚ୍ଚ ଓ ବିସ୍ତୃତ ହୋଇ ଉଠିଅଛନ୍ତି । ସେମାନଙ୍କର ଶାଖା ପ୍ରଶାଖା ପରସ୍ପର ସହ ଛନ୍ଦାଛନ୍ଦି ହୋଇ ମର୍ମ୍ମର ଛଳରେ ଯେପରି ବିଶ୍ରମ୍ଭାଳାପ କରୁଅଛନ୍ତି ।

Image

 

Unknown

କନ୍ଧ ଜାତିର ମାନବିକତା

 

ହିନ୍ଦୁମାନେ ସାଧାରଣତଃ ନିଜକୁ ଆର୍ଯ୍ୟ ବୋଲି ପରିଚୟ ଦେଇ ଗର୍ବ କରନ୍ତି । ସେମାନଙ୍କ ମଧ୍ୟରେ ‘ଅନାର୍ଯ୍ୟ’ ଶବ୍ଦ ଅପଭାଷା । ଗୀତାରେ ଅର୍ଜ୍ଜୁନଙ୍କର ଯୁଦ୍ଧ ପ୍ରତି ପରାଙ୍ ମୁଖତା ଦେଖି ଶ୍ରୀକୃଷ୍ଣ ତାଙ୍କୁ ଏପ୍ରକାର ‘ଅନାର୍ଯ୍ୟ’ ଭାବ ଲାଗି ତିରସ୍କାର କରିଅଛନ୍ତି, କିନ୍ତୁ ଏ ଧାରଣା ଅତ୍ୟନ୍ତ ଭ୍ରମାତ୍ମକ । କାରଣ ଆମ୍ଭେମାନେ ଯେଉଁମାନଙ୍କୁ ଅନାର୍ଯ୍ୟ ବୋଲି ଘୃଣା କରୁଁ, ସେମାନଙ୍କ ମଧ୍ୟରେ ମାନବଜୀବନର ଅନେକ ସଦ୍‍ଗୁଣ ଏପରି ବିକଶିତ ଦେଖାଯାଏ-ଯାହା ଆମ୍ଭମାନଙ୍କ ସମାଜରେ ମଧ୍ୟ ବିରଳ । ଓଡ଼ିଶା ଗଡ଼ଜାତରେ ଏକ ପ୍ରଧାନ ଅନାର୍ଯ୍ୟ ଜାତି କନ୍ଧମାନଙ୍କର ଜୀବନରୀତି ଆଲୋଚନା କଲେ, ଏହା ସ୍ପଷ୍ଟ ଜଣାଯାଏ । ଏହି ଜାତିର ସମ୍ପର୍କରେ ଆସି ଜଣେ ଇଂରେଜ ରାଜକର୍ମ୍ମଚାରୀ ଯାହା ଲେଖିଯାଇଅଛନ୍ତି ତହିଁର କେତେକାଂଶ ନିମ୍ନରେ ବିବୃତ ହେଲା:–

 

ଏମାନଙ୍କର ଜୀବନଯାପନ ସରଳ ନିୟମମାନଙ୍କ ଦ୍ୱାରା ନିୟନ୍ତ୍ରିତ ସତ, କିନ୍ତୁ ଏମାନଙ୍କର ମଧ୍ୟରେ ଏପରି ଗୁଡ଼ିଏ ଆଦିମ ଗୁଣ ଦେଖାଯାଏ, ଯାହା ଘେନି ସଭ୍ୟତାର ଜାତିମାନେ ଏମାନଙ୍କୁ ହିଂସା କରିବାର କଥା । ଏମାନେ ନିଜକୁ କେବେ ହେଲେ ନୀଚ ବା ହୀନ ମନେ କରନ୍ତି ନାହିଁ ଏବଂ ସେଥିଯୋଗୁଁ ଏମାନଙ୍କର ଗତିବିଧି ଅତ୍ୟନ୍ତ ସ୍ୱଚ୍ଛନ୍ଦ ଓ ସ୍ୱାଧୀନ । ସାଧାରଣତଃ ଏମାନେ ବିନୀତ ଭାଷା ବ୍ୟବହାର କରନ୍ତି ନାହିଁ । କାହାକୁ ଅଭିବାଦନ କଲାବେଳେ ଏମାନେ ହସ୍ତକୁ ମସ୍ତକ ଉପରକୁ ସମାନ୍ତର ଭାବରେ ଉତ୍ତୋଳନ କରନ୍ତି ଏବଂ ପଥ ମଧ୍ୟରେ ଦେଖାହେଲେ, କନିଷ୍ଠ କହେ, ‘ମୁଁ ମୋ କର୍ମରେ ଯାଉଛି’ ଓ ଜ୍ୟେଷ୍ଠ କହେ, ‘ଯାଅ’ । ସେମାନେ ହିନ୍ଦୁ ମାନଙ୍କର କେତେକ ଉତ୍ତମ ଆଚାର ବ୍ୟବହାର ଅନୁକରଣ କଲେହେଁ, ନିଜକୁ ହିନ୍ଦୁମାନଙ୍କ ଅପେକ୍ଷା ଉଚ୍ଚତର ଜାତି ବୋଲି ମନେ କରନ୍ତି । ସେମାନଙ୍କର ସବୁଠୁଁ ବଡ଼ ଗର୍ବର କଥା ଏହି ଯେ, ‘ସେମାନେ ପିତାମାତାଙ୍କୁ ଭକ୍ତି କରନ୍ତି, ସେମାନେ ସେମାନଙ୍କର କଥା ରକ୍ଷା କରନ୍ତି ଓ ହିନ୍ଦୁମାନଙ୍କ ପରି ସେମାନେ ନାନାଭାବରେ ବିଭକ୍ତ ନୁହନ୍ତି-ସେମାନେ ଏକ୍ ।’ ଶାରୀରିକ କଷ୍ଟ ସହ୍ୟ କରିବାରେ ଅନ୍ୟ କୌଣସି ଜାତି କନ୍ଧମାନଙ୍କୁ ବଳିଯିବେ ନାହିଁ । ସେମାନଙ୍କର ଏକ ଜାତୀୟ ବିପଦବେଳେ, ଯେତେବେଳେ ସମଗ୍ର ଜାତି ଦୁଇ ମାସ ଧରି, ରୋଗ, ଦୁର୍ଭିକ୍ଷ ଓ କରବାଳ ତଳେ ପିଷ୍ଟ ହୋଇ ଯାଉଥିଲା, କୌଣସି ଗୋଟିଏ ହେଲେ କନ୍ଧକୁ ଜାତୀୟ କର୍ତ୍ତବ୍ୟରୁ ବିଚଳିତ ହେବାର ଦେଖାଯାଇ ନାହିଁ ଏବଂ ଯେତେବେଳେ ଅନ୍ୟମାନଙ୍କର ବିଶ୍ୱାସଘାତକତା ଯୋଗୁଁ, ବୃଦ୍ଧ ଦଳପତିବୃନ୍ଦ ବନ୍ଦୀ ଓ ମରଣାଦେଶ ପ୍ରାପ୍ତ ହେଲେ, ସେତେବେଳେ ସେମାନେ କି ଆଶ୍ଚର୍ଯ୍ୟଜନକ ସାହସ, କି ଅବିଚଳିତ ଆତ୍ମସମର୍ପଣ, କି ସରଳ ଗରିମା ସହିତ ସେମାନଙ୍କର ଅପମାନିତ ଭାଗ୍ୟକୁ ବରଣ କରି ନେଲେ ! ଜଣେ ବନ୍ଦୀ ତା’ର ଜିହ୍ୱାର ମୂଳ ଧରି ଉତ୍ପାଟନ କରିବାଦ୍ୱାରା ପ୍ରାଣତ୍ୟାଗ କଲା,କାରଣ କାଳେ ଏପରି କିଛି କହି ପକାଇବ, ଯାହା ତା’ର ଜାତିକୁ ବିପନ୍ନ କରି ପାରେ ! ଅନ୍ୟ ଜଣେ, କଠୋରଭାବରେ ଅନଶନ ବରଣ କରି ବସିଲା ଏବଂ ଚତୁର୍ଥ ଦିନରେ ପ୍ରାଣତ୍ୟାଗ କଲା !

 

ବିଶ୍ୱସ୍ତତା ଓ ବୀରତ୍ୱ, ଏହି ଦିଓଟି କନ୍ଧ ଜାତିର ପ୍ରଧାନ ଗୁଣ । ପ୍ରଥମ ଗୁଣରୁହିଁ ସେମାନଙ୍କର ସୁପ୍ରସିଦ୍ଧ ସାର୍ବଜନୀନ ଆତିଥେୟତାର ଜନ୍ମ । ଗୋଟିଏ କନ୍ଧ ପ୍ରବାଦର ଅର୍ଥ ଏହି ଯେ, ‘ଅତିଥିର ନିରାପଦତା ଲାଗି ଜୀବନ ଓ ସମ୍ମାନ ସମର୍ପିତ । ଘରର ଶିଶୁକୁ ପଛେ ରଖି ଆଗେ ତା’ରି କଥା ବୁଝିବାକୁ ହେବ’ । ଆଉ ଏକ ପ୍ରବାଦର ଅର୍ଥ- ‘ପ୍ରତ୍ୟେକ ଅପରିଚିତ ବ୍ୟକ୍ତି ଆମନ୍ତ୍ରିତ ଅତିଥି ବୋଲି ଗଣନୀୟ ।’ ପଥିକ ଗୋଟିଏ କନ୍ଧଗ୍ରାମରେ ପ୍ରବେଶ କଲା ମାତ୍ରେ, ଭିନ୍ନ ଭିନ୍ନ କୁଟୁମ୍ବପତିମାନେ ତାଙ୍କୁ ସେମାନଙ୍କର ଭୋଜନରେ ଭାଗୀ ହେବାକୁ ଅନୁରୋଧ କରିବେ । ସେ ସେଠାରେ ଯେତେ ଦିନ ଇଚ୍ଛା ସେତେ ଦିନ ଧରି ରହି ପାରେ । କାରଣ ସେମାନଙ୍କର ବିଶ୍ୱାସ, ଅତିଥିକୁ ଯିବାକୁ କହିବା ଉଚିତ ନୁହେ । ରଣଭୂମିରୁ ପଳାତକଗଣ ଓ ପଳାତକ ଅପରାଧୀଗଣ ମଧ୍ୟ ଅତ୍ୟନ୍ତ ସମ୍ମାନ ସହକାରେ ଆତିଥ୍ୟ ପାଆନ୍ତି । ଯଦି କୌଣସି ବ୍ୟକ୍ତି କୌଣସି କ୍ରମେ ତା’ର ଶତ୍ରୁଗୃହକୁ ପ୍ରବେଶ କରି ପାରେ ତାହାହେଲେ,ସେ ସ୍ଥାନ ତା’ର ଶରଣସ୍ଥଳୀରେ ପରିଣତ ହୁଏ, ତାକୁ କେହି ସ୍ପର୍ଶ କରି ପାରିବେ ନାହିଁ । ଥରେ କୌଣସି ଲୋକ ଜଣେ କନ୍ଧଦଳପତିର ପୁତ୍ରକୁ ହତ୍ୟା କରି ପଳାୟନ କଲା । ଦୀର୍ଘ ଦୁଇ ବର୍ଷ ପରେ ଦିନେ ସେହି ବ୍ୟକ୍ତି ରାତ୍ରି କାଳରେ ଶୋକାକୁଳ ପିତାର ଗୃହ ମଧ୍ୟରେ ସହସା ପ୍ରବେଶ କଲା । କ୍ରେଧାନ୍ଧ ପିତା, ଅତ୍ୟନ୍ତ କଠୋର ଭାବରେ ନିଜକୁ ହତ୍ୟାକାର୍ଯ୍ୟରୁ ସଂଯତ କରି ସେ ଅବସ୍ଥାରେ କି ବିଧାନ କରାଯିବ, ସେଥିଲାଗି, ଗ୍ରାମବାସୀମାନଙ୍କୁ ଆହ୍ୱାନ କଲା । ଜାତି ସ୍ଥିର କଲା ଯେ, ଅପରାଧୀର ଯାହା ଦୋଷ ହେଉନା କାହିଁକି, ବର୍ତ୍ତମାନ ସେ ଅତିଥି ଏବଂ ସମସ୍ତ ସ୍ୱାଚ୍ଛନ୍ଦ୍ୟର ଅଧିକାରୀ ।’ ସମୟ ସମୟରେ, ଏକ ଏକ ଦଳ ଅନ୍ୟ ଏକ ଦଳର ଅତିଥି ହୋଇ ପଡ଼ନ୍ତି ଏବଂ ଏକ ବିଶିଷ୍ଟ ଘଟଣାରେ ଏହିପରି ଗୋଟିଏ ଦଳ ଅନ୍ୟ ଏକ ଦଳଦ୍ୱାରା ଦୀର୍ଘ ଏକ ବର୍ଷକାଳ, ସତ୍କୃତ ହେବାର ଜଣାଯାଇଅଛି ।

 

ତାଙ୍କର ରାଜା ବା ଗୋଷ୍ଠୀପତି ବା ବନ୍ଧୁଙ୍କ ପ୍ରତି ଅନୁରକ୍ତିର ସୀମା ନାହିଁ । ଏହି ଗୁଣ ଯୋଗୁଁ ସେମାନେ ପ୍ରଥମେ ଇଂରେଜମାନଙ୍କ ସଂଘର୍ଷରେ ଆସିଲେ । ୧୮୩୫ ଖ୍ରୀଷ୍ଟାବ୍ଦରେ ଘୁମୁସର ନରପତି ବିଦ୍ରୋହୀ ହୋଇ କନ୍ଧମାନଙ୍କର ଆଶ୍ରୟ ନେଲେ ଏବଂ ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଭିନ୍ନ ଭିନ୍ନ କନ୍ଧଦଳ ରାଜବଂଶର ନିରାପଦତା ଲାଗି ବାକ୍ ପ୍ରଦାନ କଲେ । କାର୍ଯ୍ୟକ୍ଷେତ୍ରରେ ସେମାନେ ଅବିଶ୍ୱାସୀ ହେବା ଅପେକ୍ଷା ସମୂହ ବିନାଶକୁ ଶ୍ରେୟସ୍କର ମନେ କଲେ-। ଯେପରି ଅବିଚଳିତ ଭାବରେ ସେମାନେ ଅତିଥିମାନଙ୍କୁ ପ୍ରତ୍ୟର୍ପଣ କରିବାକୁ ଅନିଚ୍ଛୁକ ହେଲେ, ତାହା ଆଶ୍ଚର୍ଯ୍ୟଜନକ । ସେମାନଙ୍କର ସମଗ୍ର ବସତି, ଜନହୀନ କରି ଦିଆଗଲା; ସମଗ୍ର କନ୍ଧଜନତାକୁ ଇଂରେଜ ସୈନିକମାନେ ନିରବଚ୍ଛିନ୍ନ ଭାବରେ ତାଡ଼ିତ କରିବାକୁ ଲାଗିଲେ ଏବଂ କେବଳ ବିଶ୍ୱାସଘାତକ ହିନ୍ଦୁମାନଙ୍କ ଯୋଗୁଁ ଏହି ବୀଭତ୍ସ ସଂଘର୍ଷ ସାଙ୍ଗ ହେବା ସମ୍ଭବପର ହେଲା ।

 

ସମରଭୂମିରେ ସେମାନଙ୍କର ବିରତ୍ୱ ଯୋଗୁଁ ଏହି ନାୟକ-ନିଷ୍ଠା ସମ୍ଭବ ହୁଏ । କନ୍ଧ କେବଳ ଦୁଇଟି ଗୌରବାବହ ବ୍ୟବସାୟ ଜାଣେ ତାହା ଗାର୍ହସ୍ଥ୍ୟ ଓ ସମର । ପ୍ରତ୍ୟେକ କନ୍ଧର କିଛି କୃଷିଭୂମି ଥାଏ ଏବଂ ତା’ର ବକ୍ଷ, ଜଗତର ପ୍ରତ୍ୟେକ ସ୍ୱାଧୀନ କୃଷକ ପରି ସ୍ୱାଧୀନତାରେ ସ୍ପନ୍ଦିତ ହେଉଥାଏ । ପ୍ରତ୍ୟେକ କନ୍ଧ ନିଜ ଭୂମି ନିଜେ କର୍ଷଣ କରେ ଏବଂ କୃଷି ଓ ସମର ଛଡ଼ା ଅନ୍ୟ ବ୍ୟବସାୟ ଯେଉଁ ମାନେ ଗ୍ରହଣ କରନ୍ତି, ସେମାନଙ୍କୁ ହୃଦୟର ସହିତ ଘୃଣା କରେ । କୃଷି କନ୍ଧର ଜୀବିକା ଓ ସଂଗ୍ରାମ ତା’ର କ୍ରୀଡ଼ା ।

Image

 

ବର୍ଷା ବର୍ଣ୍ଣନା

 

(ରାଗ–ମଙ୍ଗଳ ଗୁଜରୀ)

ବେନି ଭ୍ରାତ, ମାଲ୍ୟବନ୍ତ ଶିଖେ ବିଜେ କରି

ଦେଖି ବନ ଶୋଭାବନ ତୋଷ ଚାପଧାରୀ ।

ମନୋରମ, ସ୍ଥାନେ ରାମ, ରଚିଲେ ଆଶ୍ରମ

ପକ୍ୱଫଳ କନ୍ଦମୂଳ ପାନେ ନେଲେ ଦିନ ।

ଏ ସମୟେ ଆସି ହୁଏ ଆଷାଢ଼ ପ୍ରବେଶ

ନବଘନ ଘନ ଘନ ଘୋଟେ ଦଶ ଦିଶ ।

ଉତ୍ତରର ଜଳଧର ଦକ୍ଷିଣେ ପଶଇ

କେତେବେଳେ ପଶ୍ଚିମରୁ ପୂର୍ବକୁ ଆସଇ ।

କହୁଁ କହୁଁ ଚାହୁଁ ଚାହୁଁ ମଣ୍ଡଳ ଘୋଟିଲା

ବନ ଗିରି ଗିଳି ସାରି, ମହୀରେ ଲୋଟିଲା ।

ଦିବା ନିଶି ପରି ଦିଶିଗଲେ ମିଶି ଦୁହେଁ

ଫୁଟି ପଦ୍ମ କୋକନଦ ମାତ୍ର ଭେଦ କହେ ।

ଝଞ୍ଜାବାତ ଝାଙ୍କଇତ ଅତି ପରଖର

ନିରନ୍ତର ନୀରଧାର ବୃଷ୍ଟି ଝରଝର ।

ଦଶ ଦଶ ନୋହି ଦୃଶ୍ୟ ଅନ୍ଧାର ପୂରିଲା

ପଥିକଙ୍କ ପ୍ରବାସୀଙ୍କ ସଂସାର ସାରିଲା ।

ଇନ୍ଦ୍ରଧନୁ, ଅତନୁ କି ନିଜ ଧନୁ ସାଜେ

ପ୍ରତି ଘଡ଼ି ଘୋର ରଡ଼ି ଘଡ଼ଘଡ଼ି ନାଦେ ।

ପର୍ବତରେ ନିର୍ଘାତରେ ଚଡ଼କ ପଡ଼ଇ

ଖଣ୍ଡ ଖଣ୍ଡ ହୋଇ ଖଣ୍ଡ ଶଇଳ ଝଡ଼ଇ ।

ବିଜୁଳି ଖେଳଇ ଜଳି ମଣ୍ଡଳି ଆକାରେ

ପୂର୍ବେ ଦିଶେ, ପୁଣି ଆସେ ତ୍ରାସେ ପଶ୍ଚିମରେ ।

ନଦୀ ବଢ଼ି କୂଳ ବୁଡ଼ି ସ୍ଥଳ ମାଡ଼ି ଧାଏଁ

ଖଳ ଖଳ ହୋଇ ଜଳ ପ୍ରତି ଦିଗେ ବହେ ।

ତରୁ ଛିଡ଼ି କେ ଉପୁଡ଼ି ପଡ଼ନ୍ତି ଧରଣୀ

ଦିଶେ ଭୟ କି ପ୍ରଳୟ ହେବ ଏହିକ୍ଷଣି ।

ମାଳତୀରେ ମଧୁକରେ କରନ୍ତି ଗୁଞ୍ଜନ

ଠାବେ ଠାବେ ଉଚ୍ଚେ ଶୁଭେ ଝିଙ୍କାରିଙ୍କ ସ୍ୱନ ।

ଯୂଇ ଜାଈ ବନମଲ୍ଲୀ ସୁବାସ ଚହଳ

ବୋଲଇ କେଶବ ଦେଖି ରାଘବ ବିକଳ ।

Image

 

କାଳିଦାସ

 

ଯେଉଁ ମହାକବିମାନଙ୍କର ଅବଦାନରେ ଆମ୍ଭମାନଙ୍କର ଏହି ଜନ୍ମଭୂମି ଭାରତବର୍ଷର ସାହିତ୍ୟ ରସବନ୍ତ ହୋଇଅଛି, ସେମାନଙ୍କ ମଧ୍ୟରେ କାଳିଦାସ ଶ୍ରେଷ୍ଠ । ସେ କେବଳ ଭାରତବର୍ଷର ଶ୍ରେଷ୍ଠକବି ନୁହନ୍ତି, ସମଗ୍ର ଜଗତର ଶ୍ରେଷ୍ଠ କବିମାନଙ୍କ ମଧ୍ୟରୁ କାଳିଦାସ ଏକତମ । ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ କାଳିଦାସଙ୍କ କବିଗୌରବ କେବଳ ଭାରତରେ ସୀମାବଦ୍ଧ ଥିଲା; କିନ୍ତୁ ଯେତେବେଳେ ପାଶ୍ଚାତ୍ୟ ପଣ୍ଡିତମାନଙ୍କଦ୍ୱାରା ସଂସ୍କୃତ ଭାଷା ଓ ସାହିତ୍ୟ ଅଧୀତ ହେବାକୁ ଲାଗିଲା ଏବଂ ସେହି କ୍ରମେ କାଳିଦାସଙ୍କର ନାଟକ ଓ କବିତା ପାଶ୍ଚାତ୍ୟ ଭାଷାମାନଙ୍କର ଅନୂଦିତ ହେଲା, ସେତେବେଳେ ସମଗ୍ର ପାଶ୍ଚାତ୍ୟ ଜଗତର ପଣ୍ଡିତମାନେ କାଳିଦାସଙ୍କ କବିପ୍ରତିଭାରେ ଚମତ୍‍କୃତ ହେବାକୁ ଲାଗିଲେ । ସେହି ସମୟରେ ଜର୍ମାନ-ସାହିତ୍ୟର ମହତ୍ତମ ପୁରୁଷ ଗେଟେ ଜୀବିତ । ଗେଟେ କାଳିଦାସଙ୍କର ଶକୁନ୍ତଳା ନାଟକର ଅନୁବାଦ ପାଠ କରି କିପରି ମୁଗ୍‍ଧ ଓ ଅଭିଦ୍ଭୂତ ହୋଇଥିଲେ, ତାହା ତାଙ୍କର ବର୍ତ୍ତମାନ ସୁବିଦିତ ଶକୁନ୍ତଳା-ପ୍ରଶସ୍ତିରୁ ଜଣା ପଡ଼େ । ସେ କହିଛନ୍ତି-ଯଦି ଯୌବନର ପ୍ରସ୍ଫୁଟ ପୁଷ୍ପ ଓ ପରିଣତ ବୟସର ଫଳରାଜି ଏକାଧାରରେ ଉପଭୋଗ କରିବାକୁ, ଯଦି ଆତ୍ମା କିପରି ପରିତୁଷ୍ଟ, ପରିପୁଷ୍ଟ ଓ ପୁଲକିତ ହେବ ତାହାର ବ୍ୟବସ୍ଥା କରିବାକୁ ଇଚ୍ଛାଥାଏ ଏବଂ ଯଦି ଏକ ସ୍ଥାନରେ ସ୍ୱର୍ଗ ଓ ମର୍ତ୍ତ୍ୟର ସୁଖ ଅନୁଭବ କରିବାକୁ ଇଚ୍ଛା କର, ତେବେ ମୁଁ ଶକୁନ୍ତଳାକୁ ନିର୍ଦ୍ଦେଶ କରିବି-ତାହା ପରେ ମୋର ଆଉ ଅଧିକ କିଛି କହିବାର ନାହିଁ । ଗେଟେ କେବଳ କାଳିଦାସଙ୍କର ଯେ ଭକ୍ତ ଥିଲେ ତାହା ନୁହେ, ଶିଷ୍ୟ ମଧ୍ୟ । ଗେଟେଙ୍କର ଶ୍ରେଷ୍ଠ ନାଟକରେ, ଶକୁନ୍ତଳାର ଛାୟା ସ୍ପଷ୍ଟ ପତିତ ହୋଇଅଛି ।

 

କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଏହି ଯେ, ଏ ପ୍ରକାର କବିଗୁରୁଙ୍କର ଜୀବନର ଇତିହାସ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଜ୍ଞାତ । ତାଙ୍କର ଜନ୍ମକାଳ ଓ ଜନ୍ମସ୍ଥାନ ଘେନି ଏଯାବତ୍ ବିବାଦ ଚାଲି ଆସିଛି । କେତେକଙ୍କ ମତରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ କବିଙ୍କର ଜୀବନକାଳ । ଅନ୍ୟମାନଙ୍କ ମତରେ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ କବି ବର୍ତ୍ତମାନ ଥିଲେ । ଲୌକିକ କିମ୍ବଦନ୍ତୀରେ କାଳିଦାସ ବିକ୍ରମାଦିତ୍ୟ ନାମକ ରାଜାଙ୍କ ସଭାର ନବରନ୍ ମଧ୍ୟରେ ଶ୍ରେଷ୍ଠ ରତ୍ନ ଥିଲେ; କିନ୍ତୁ ଐତିହାସିକ ଅନୁସନ୍ଧାନରୁ ଜଣାଯାଇଛି ଯେ ଅତୀତ ଭାରତରେ ଏକାଧିକ ବିକ୍ରମାଦିତ୍ୟ ରାଜତ୍ୱ କରି ଯାଇ ଅଛନ୍ତି ଏବଂ ବରାହମିହିରାଦି ନବରତ୍ନ ମଧ୍ୟ ଏକକାଳରେ ଜୀବିତ ଥିବା ଅସମ୍ଭବ ଜଣା ପଡ଼ିଅଛି । ଅନେକେ ମନେ କରନ୍ତି, ମହାକବି ମଗଧର ଗୁପ୍ତସମ୍ରାଟ ସମୁଦ୍ରଗୁପ୍ତଙ୍କର ସଭା କବି ଓ ସମସାମୟିକ ଥିଲେ । ସମୁଦ୍ରଗୁପ୍ତ ଦିଗ୍‍ବିଜୟୀ ବୀର ଥିଲେ ଏବଂ ମହାକବିଙ୍କର ମହାବାକ୍ୟ ରଘୁବଂଶରେ ମହାରାଜ ରଘୁଙ୍କ ଦିଗ୍‍ବିଜୟ ବର୍ଣ୍ଣନା ସମୁଦ୍ରଗୁପ୍ତଙ୍କ ଦିଗ୍‍ ବିଜୟର ଛାୟା ବୋଲି, କେତେକଙ୍କର ଅନୁମାନ । ଅପର ପକ୍ଷରେ ଉଜ୍ଜୟିନୀରାଜ ଯଶୋଧର୍ମ୍ମ ବିକ୍ରମାଦିତ୍ୟ, ମହାକବିଙ୍କର ପୃଷ୍ଠପୋଷକ ଓ ବନ୍ଧୁ ଥିବାର ପ୍ରମାଣର ମଧ୍ୟ ନିତାନ୍ତ ଅଭାବ ନାହିଁ । ଉଜ୍ଜୟିନୀ ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଚିମଭାରତରେ ଏକା ନ୍ୟୂନାଧିକ ପ୍ରଧାନ ନଗର । ଯେଉଁ ମହାକାଳ ମନ୍ଦିର ଓ ଶିପ୍ରା ନଦୀ ମହାକବିଙ୍କ ଅମର କାବ୍ୟରେ ଅମର ଓ ବିଶ୍ୱବିଶ୍ରୁତ ହୋଇ ଅଛନ୍ତି, ତାହା ବର୍ତ୍ତମାନ ମଧ୍ୟ ଉଜ୍ଜୟିନୀରେ ଦେଖିବାକୁ ମିଳେ । ସେଠାରେ ଏକ ବୃହତ୍ ପୁଷ୍କରିଣୀ ମଧ୍ୟରେ ଗୋଟିଏ ଜଳସୌଧ ବର୍ତ୍ତମାନ ମଧ୍ୟ ଦେଖିବାକୁ ମିଳେ । ତାହା ବିକ୍ରମାଦିତ୍ୟଙ୍କର ଗ୍ରୀଷ୍ମାବାସ ଥିବାର ଓ ତହିଁରୁ କବିଙ୍କ ବର୍ଣ୍ଣିତ ‘ଜଳଯନ୍ତ୍ର ପୁର’ ଆସିଥିବାର ଅନେକେ ଅନୁମାନ କରନ୍ତି । କବିଙ୍କର ମେଘଦୂତ ନାମକ କାବ୍ୟରେ କୌଣସି ବିରହୀ ମେଘକୁ ଦୂତ କରି ସ୍ୱସ୍ଥାନକୁ ସନ୍ଦେଶ ପଠାଇବାର ବର୍ଣ୍ଣନା ଅଛି । ମେଘର ଗତିପଥରେ ଉଜ୍ଜୟିନୀ ପଡ଼ି ନ ଥିଲେହେଁ, କବି ମେଘକୁ ଉଜ୍ଜୟିନୀର ସୌନ୍ଦର୍ଯ୍ୟ ଅନୁଭବ କରିବା ଲାଗି ତାକୁ ପଥ ଭାଙ୍ଗି ଯିବାକୁ ଅନୁରୋଧ କରିଅଛନ୍ତି । ଉଜ୍ଜୟିନୀ ପ୍ରତି ଏହି ଆତ୍ୟନ୍ତିକ ଅନୁରାଗରୁ କବି ଉଜ୍ଜୟିନୀର ନାଗରିକ ଥିବାର ଅନୁମାନ କରାଯାଏ ।

 

କାଳିଦାସ କେବଳ କବି ନୁହନ୍ତି-ସେ କାବ୍ୟ, ନାଟକ, ଗଳ୍ପ, ଅଳଙ୍କାର, ମହାକାବ୍ୟ, ଛନ୍ଦ ସବୁଥିରେ ଅସାଧାରଣ ପ୍ରତିଭା ଦେଖାଇ ଯାଇଅଛନ୍ତି । ତାଙ୍କ କାବ୍ୟପାଠରୁ ଏହା ସ୍ପଷ୍ଟ ଜଣାଯାଏ ଯେ, ସେ ଅସାଧାରଣ ପଣ୍ତିତ ଥିଲେ ଏବଂ ନ୍ୟାୟ, ଜ୍ୟୋତିଷ, ଉପନିଷଦାଦି ବହୁ ଶାସ୍ତ୍ରରେ ତାଙ୍କର ଅଗାଧ ବ୍ୟୁତ୍ପତ୍ତି ଥିଲା । ନୈସର୍ଗିକ ପ୍ରତିଭା ସଙ୍ଗେ ଏହି ଅଗାଧ ପାଣ୍ତିତ୍ୟର ଗଙ୍ଗା-ସାଗରସଙ୍ଗମ ହୋଇଥିଲା । ତାଙ୍କ କାବ୍ୟମାନଙ୍କରୁ ଆହୁରି ମଧ୍ୟ ସ୍ପଷ୍ଟ ଜଣାଯାଉଅଛି ଯେ, ସେ ଅସାଧାରଣ ପର୍ଯ୍ୟଟକ ଥିଲେ ଓ ପ୍ରକୃତିର ନିସର୍ଗ ସୌନ୍ଦର୍ଯ୍ୟ ପର୍ଯ୍ୟବେକ୍ଷଣ ଲାଗି ତାଙ୍କର ଦିବ୍ୟ ଦୃଷ୍ଟି ଥିଲା । ହିମାଳୟଠାରୁ କୁମାରିକା ଯାଏ ନଦୀ, ପର୍ବତ, ବନ ପ୍ରାନ୍ତରର ଯେଉଁଠି ଯେଉଁ ବିଶିଷ୍ଟ ସୌନ୍ଦର୍ଯ୍ୟ ଅଛି, କାଳିଦାସଙ୍କର ତୀକ୍ଷ୍ଣଦୃଷ୍ଟି, ସେଥିରୁ କାହାକୁ ଛାଡ଼ିଯାଇ ନାହିଁ । କୁମାରିକାର ତମାଳତାଳୀବନରାଜିନୀଳା ବେଳାଭୂମି ଓ ପୃଥିବୀର ମାନଦଣ୍ତରୂପୀ ନଗାଧିରାଜ ହିମାଳୟର ପ୍ରକୃଷ୍ଟ ବର୍ଣ୍ଣନା ଲାଗି କାଳିଦାସଙ୍କ ଲେଖନୀହିଁ କ୍ଷମ ହୋଇଅଛି ଏବଂ ଭାରତର ଅପରାପର ସ୍ଥାନମାନଙ୍କ ପରି ଏମାନେ ମଧ୍ୟ ମହାକବିଙ୍କର ଲେଖନୀଗୌରବରେ ଅମର ହୋଇଯାଇଅଛନ୍ତି ।

 

କାଳିଦାସଙ୍କ ଗ୍ରନ୍ଥମାନଙ୍କ ମଧ୍ୟରେ ମେଘଦୂତ, କୁମାରସମ୍ଭବ, ରଘୁବଂଶ, ଶକୁନ୍ତଳା, ମାଳବିକାଗ୍ନିମିତ୍ର, ବିକ୍ରମୋର୍ବଶୀ, ଋତୁସଂହାର ପ୍ରଭୃତି ପ୍ରଧାନ । ତାଙ୍କର ଭାଷା ଅତ୍ୟନ୍ତ ଶ୍ରୁତିସୁଖକର, ସରଳ ଓ ସରସତା ସଂସ୍କୃତ ଭାଷାର ଅନ୍ୟାନ୍ୟ କବିମାନଙ୍କର ରସହୀନ ଶବ୍ଦକ୍ରୀଡ଼ା ତାଙ୍କ ଲେଖାରେ ଦେଖିବାକୁ ମିଳେ ନାହିଁ । ସହଜ ସ୍ୱଚ୍ଛନ୍ଦ ଭାଷାରେ ନରନାରୀର ଶାଶ୍ୱତ ଅନୁଭୂତି ସବୁ ସେ କିପରି ଦେଇ ପାରି ଅଛନ୍ତି, ତାହା ପାଠ ନ କରିଥିବା ଲୋକଙ୍କୁ ସହଜରେ ବୁଝାଇ ହେବ ନାହିଁ । ସଂସ୍କୃତ ସାହିତ୍ୟର ଗତାନୁଗତିକ ପନ୍ଥା ଛାଡ଼ି ନୂତନ ରୀତିରେ ଲେଖିବାରୁ, ମହାକବି ସମସାମୟିକ ମୂର୍ଖ ସମାଲୋଚକମାନଙ୍କର କଶାଘାତ ସହ୍ୟ କରି ଥିବାର ଜଣାପଡ଼େ । ମେଘଦୂତରେ ଦିଙ୍‍ ନାଗ ନାମକ ଏହିପରି ଏକ ବିଷମୁଖ ନିନ୍ଦୁକକୁ କବି ଭୟ କରୁଥିବାର ଜଣାପଡ଼େ । ବିରାଟ ପ୍ରତିଭାର ଅଧିକାରୀ ହୋଇ ମଧ୍ୟ, କବି ଅତ୍ୟନ୍ତ ବିନୟୀ ଥିବାର ଜଣା ପଡ଼େ-। ତାଙ୍କର ଲେଖନୀ ଯୋଗୁହିଁ ରଘୁବଂଶର ମହିମା ଅମର ହୋଇ ପାରିଛି; କିନ୍ତୁ ରଘୁବଂଶର ଆରମ୍ଭରେ କବି କହିଅଛନ୍ତି- ‘ସୂର୍ଯ୍ୟପ୍ରଭାବ ସେହି ଗରିମାମୟ ବଂଶ କାହିଁ ? ମୋ ପରି ଅଳ୍ପମତି ଲୋକ ବା କାହିଁ ? ଏ କେବଳ ମନ୍ଦ ଲୋକର କବିଯଶଃ ଲାଗି ବ୍ୟାକୁଳତା ମାତ୍ର । ବାମନ ଚନ୍ଦ୍ରକୁ ହାତ ବଢ଼ାଇଲା ପରି, ମୁଁ କେବଳ ଉପହସିତ ହେବି ମାତ୍ର ।’ ଏ ପ୍ରକାର ବିନୟବାଣୀ ଅନ୍ୟ କାବ୍ୟମାନଙ୍କରେ ମଧ୍ୟ ଦୃଷ୍ଟ ହୁଏ ।
 

କବିଙ୍କ ରଚନାର ଦୃଷ୍ଟାନ୍ତସ୍ୱରୂପ, ଶକୁନ୍ତଳା ନାଟକରୁ ଶକୁନ୍ତଳାର ବିଦାୟ-ବର୍ଣ୍ଣନା ଉଦ୍ଧାର କରି ଦିଆଗଲା ।

Image

 

ଶକୁନ୍ତଳା ବିଦାୟ

(ସୁପ୍ତୋତ୍ଥି ତ ଶିଷ୍ୟର ପ୍ରବେଶ)

 

ଶିଷ୍ୟ

ପ୍ରବାସପ୍ରତ୍ୟାଗତ ପୂଜ୍ୟପାଦ କାଶ୍ୟପଙ୍କ ଦ୍ୱାରା ସମୟ ଦେଖିଯିବା ଲାଗି ମୁଁ ଆଦିଷ୍ଟ ହୋଇଅଛି । ବାହାରକୁ ଆସି ଦେଖେଁ, ରାତି ଆହୁରି କେତେ ବାକୀ ଅଛି । (ପରିଭ୍ରମଣ କରି ଦେଖି) ଆହା, ସକାଳ ହେଲାଣି ଯେ ! ଏଇ–

 

 

 

ଏକ ଦିଗେ ଅସ୍ତ ଶିଖରେ

ଅସ୍ତ ଯାନ୍ତି ଚନ୍ଦ୍ରମା

ଅନ୍ୟ ଦିଗେ ଉଦେ ତପନ

ଘେନି ନବ ମହିମା,

ଜ୍ୟୋତିଷ୍କ ଯୁଗର ଦେଖାଇ

ଦୃଶ୍ୟ ଉଦୟାସ୍ତର,

ମନେ ଆସେ ପରା ବୁଝାଏ

ଦଶା କଥା ନରର ।

 

 

 

(ଅନସୂୟାର ପ୍ରବେଶ)

 

 

 

ଅନସୂୟା

ଅନଭିଜ୍ଞା ଶକୁନ୍ତଳା ଜାଣି ନ ପାରିଲେହେଁ, ସେହି ରାଜା ଦୁଷ୍ମନ୍ତ ତାହା ପ୍ରତି ଅନାର୍ଯ୍ୟୋଚିତ ଅବହେଳା ଦେଖାଇଅଛନ୍ତି ।

 

 

 

ଶିଷ୍ୟ

ହୋମବେଳା ଉପସ୍ଥିତ ହେଲା । ଯାଏଁ, ଏକଥା ଗୁରୁଙ୍କୁ ନିବେଦନ କରି ଦିଏଁ । (ପ୍ରସ୍ଥାନ)

 

 

 

ଅନସୂୟା

ଉଠିଲେ ମଧ୍ୟ କ’ଣ କରିବି । ନିଜର କର୍ତ୍ତବ୍ୟ କର୍ମରେ ମଧ୍ୟ ମୋର ହସ୍ତପଦ ଚଳୁ ନାହିଁ । ସଖୀ ଶକୁନ୍ତଳା ଅସତ୍ୟସନ୍ଧ ଲୋକଠାରେ ବିଶ୍ୱାସ ସ୍ଥାପନ କରିଅଛି । ଅଥବା ଦୁର୍ବାସାଙ୍କର କୋପ ଏପ୍ରକାର ବିପର୍ଯ୍ୟୟ ଘଟାଇଅଛି; ନ ହେଲେ ସେ ରାଜର୍ଷି, ସେପ୍ରକାର କହି, ଏପର୍ଯ୍ୟନ୍ତ ପତ୍ର ଖଣ୍ତେ ମଧ୍ୟ ନ ଦେଲେ କାହିଁକି ? ତାହାହେଲେ ଅଙ୍ଗୁଳୀୟକରୂପୀ ଅଭିଜ୍ଞାନଟି ଆମ୍ଭେ ଏଠାରୁ ପଠାଇଦେବା । ଚିରଦୁଃଖୀ ତପସ୍ୱୀ ଲୋକଙ୍କୁ କିଏ ଯାଚି ପଚାରି ଆସିବ ? ସଖୀର ମଧ୍ୟ ଦୋଷ, ଏହା ବିଚାରି ତାତ କାଶ୍ୟପଙ୍କୁ ମଧ୍ୟ ଏକଥା କହିବାକୁ ସାହସ ହେଉ ନାହିଁ । ଏପରି ଅବସ୍ଥାରେ କ’ଣ କରିବା ? (ପ୍ରବେଶ କରି)

 

 

 

ପ୍ରିୟମ୍ବଦା

(ସହର୍ଷେ) ସଖି ! ଶୀଘ୍ର ଆ, ଶକୁନ୍ତଳାର ପ୍ରସ୍ଥାନୋତ୍ସବ ସମାପନ କରିବା । ଅନସୂୟା – ସେ କ’ଣ ? ପ୍ରିୟମ୍ବଦା – ଶୁଣ୍ । ବର୍ତ୍ତମାନ ଶକୁନ୍ତଳାକୁ ସୁଖଶୟନ ଜିଜ୍ଞାସା କରିବାକୁ ତା’ ନିକଟକୁ ଯାଇଥିଲି । ସେଇଠି ସେହି ଲଜ୍ଜାବନତମୁଖୀଙ୍କୁ ଆଲିଙ୍ଗନ କରି ତାତ କାଶ୍ୟପ ଏଇୟା କହିଲେ । ‘ଭାଗ୍ୟ ବଶତଃ, ଯଜ୍ଞକାରୀ ପୁରୋହିତ, ଧୂମାକୁଳିତଦୃଷ୍ଟି ହେଲେହେଁ, ଅଗ୍ନିଶିଖାରେହିଁ ଆହୁତି ନିକ୍ଷିପ୍ତ ହୋଇଅଛି । ବତ୍ସେ, ସୁଶିଷ୍ୟଠାରେ ବିଦ୍ୟା ସମାଗତ ହେଲା ପରି, ତୋହର ସ୍ୱୟଂବରଣରେ ଅନୁଶୋଚନା କରିବାର କିଛି ନାହିଁ । ଆଜିହିଁ ତୋତେ ଋଷିମାନଙ୍କ ସହ ତୋ ସ୍ୱାମୀ ନିକଟକୁ ପଠାଇଦେବି ।’

 

 

 

ଅନସୂୟା

ଆଚ୍ଛା, ତାତ କାଶ୍ୟପ ଏକଥା ଜାଣିଲେ କିପରି ?

 

 

 

ପ୍ରିୟମ୍ବଦା

ଛନ୍ଦୋମୟୀ ବାଣୀଦ୍ୱାରା ।

 

 

 

ଅନସୂୟା

ସଖି ! ଆନନ୍ଦର କଥା, କିନ୍ତୁ ଶକୁନ୍ତଳା ଆଜି ଚାଲିଯିବ, ଏଥିଲାଗି ଏ ପରିତୋଷରେ ଉତ୍କଣ୍ଠା ରହିଯାଉଛି । ପ୍ରିୟମ୍ବଦା- ସଖି ! ଆମର ଉତ୍‍କଣ୍ଠା ଏହିକ୍ଷଣି ଥାଉ । ସେ ବିଚାରୀ କିପରି ଶୁଭରେ ଯାଉ ।

 

 

 

ଅନସୂୟା

ତାହା ହେଲେ ଏହି ଶୁଭକାର୍ଯ୍ୟ ଲାଗି ବହୁଦିନରୁ ଗୋଟିଏ ବକୁଳମାଳା ଗୁନ୍ଥି ସଢ଼େଇରେ ପୁରାଇ ଏହି ଆମ୍ୱଡ଼ାଳରେ ରଖି ଦେଇଥିଲି, ମୋ ହାତକୁ ଆଣିଦେଲୁ । ମୁଁ ଏଣେ ତୀର୍ଥମୃତ୍ତିକା, ଦୂର୍ବା କିଶଳୟ ପ୍ରଭୃତି ମଙ୍ଗଳ ଦ୍ରବ୍ୟ ସଂଗ୍ରହ କରେଁ ।

 

 

 

ପ୍ରିୟମ୍ବଦା

ଆଚ୍ଛା ସେହିପରି କରିବା ।

 

 

 

(ଅନସୂୟା ନିଷ୍କ୍ରାନ୍ତା । ପ୍ରିୟମ୍ବଦା ଫୁଲ ତୋଳିବା ଅଭିନୟ କରିବା)

(ନେପଥ୍ୟେ)

 

 

 

 

 

ଗୌତମୀ, ଶାର୍ଙ୍ଗରବଙ୍କୁ ଶକୁନ୍ତଳାକୁ ଆଣିବାକୁ ଆଦେଶ ଦିଅ ତ ?

 

 

 

ପ୍ରିୟମ୍ବଦା

(କାନ ଦେଇ) ଅନସୂୟେ ! ଶୀଘ୍ର ଚାଲ । ଏହି ଯେ; ହସ୍ତିନାପୁରକୁ ଯିବାକୁ ଋଷିମାନେ ବାହାରିଲେଣି ।

 

 

 

(ହାତରେ ସମାଲମ୍ଭନ ଧରି)

 

 

 

ଅନସୂୟା

ସଖି ଆସ, ଯିବା ।

 

 

 

(ପରିକ୍ରମଣ କରିବା)

 

 

 

ପ୍ରିୟମ୍ବଦା (ଅନାଇ)

ଏହି ଯେ ଧୌତମସ୍ତକା ଶକୁନ୍ତଳା, ନିବାରହସ୍ତ ସ୍ୱସ୍ତିବାଚନିକ ଋଷିମାନଙ୍କଦ୍ୱାରା ଅଭିନନ୍ଦିତ ହୋଇ, ସୂର୍ଯ୍ୟୋଦୟ ପରି ପ୍ରତିଭାତ ହେଉଅଛି । ଚାଲ ତା’ ନିକଟକୁ ଯିବା । (ନିଷ୍କ୍ରାନ୍ତା)

 

 

 

[ସଖୀମାନଙ୍କଦ୍ୱାରା ଅଳଂକାରିତା ଶକୁନ୍ତଳାର ପ୍ରବେଶ]

 

 

 

ସଖୀଦୁହେଁ

ସଖୀ ! ଆମ୍ଭେମାନେ ଅଳଙ୍କାର କ’ଣ ଜାଣୁ ନା । କେବଳ ଚିତ୍ରପରିଚୟ ମନେ କରି ତୋର ଅଙ୍ଗମାନଙ୍କରେ ଏ ଭୂଷଣସବୁ ବିନିଯୋଗ କରିବୁଁ ।

 

 

 

ଶକୁନ୍ତଳା

ହଁ, ତୁମର ନୈପୁଣ୍ୟ ମୁଁ ଜାଣେ ଲୋ । (ଉଭୟେ ଅଳଙ୍କରଣ ଅଭିନୟ କରିବା)

 

 

 

(ସ୍ନାନୋତ୍ତୀର୍ଣ୍ଣ କାଶ୍ୟପଙ୍କର ପ୍ରବେଶ)

 

 

 

କାଶ୍ୟପ

ଯିବ ଶକୁନ୍ତଳା, ଏ ଲାଗି ହୃଦୟ ଉତ୍କଣ୍ଠାରେ ଉଠେ ଭରି ଗୁରୁବାଷ୍ପେ ରୁଦ୍ଧ ହୋଇଆସେ କଣ୍ଠ, ନୀର ଉଠେ ନେତ୍ରେ ଥରି । ଅରଣ୍ୟବାସୀ ମୁଁ ସନ୍ନ୍ୟାସୀ, ମୋର ତ ସ୍ନେହଯୋଗୁଁ ଏ ବିକାର ଦୁହିତାବିଦାୟ ଗୃହସ୍ଥେ ନ ହାଣୁ-ଥିବ କି ଶୋକ-ପ୍ରହାର ।

 

 

 

(ପରିକ୍ରମଣ କରିବା)

 

 

 

ସଖୀଯୁଗ୍ମ

ସଖୀ ଶକୁନ୍ତଳେ, ତୋର ମଣ୍ତନକର୍ମ ସରିଲା । ବର୍ତ୍ତମାନ ଏହି ପଟ୍ଟବସ୍ତ୍ରଯୁଗଳ ପରିଧାନ କର ।

 

 

 

(ଶକୁନ୍ତଳା ଉଠି ପରିଧାନ କରିବା)

 

 

 

ଗୌତମୀ

ମା, ତୋର ଆନନ୍ଦପରିବାହୀ ଚକ୍ଷୁଦ୍ୱାରା ଆଲିଙ୍ଗିତ ହୋଇ ତୋର ଗୁରୁଜନ ଉପସ୍ଥିତ । ଆଚାର ସମ୍ପନ୍ନ କର

 

 

 

ଶକୁନ୍ତଳା

(ଲଜ୍ଜାରେ) ତାତ, ବନ୍ଦନା କରୁଅଛି ।

 

 

 

କାଶ୍ୟପ

ବତ୍ସେ,

 

 

 

ଶର୍ମିଷ୍ଠା ସମାନ ହୁଅ ସ୍ୱାମୀ-ସମ୍ମାନିତା

ତାହା ସମ ଲଭ ସୁତ ସାମ୍ରାଜ୍ୟ-କରତା ।

 

 

 

ଗୌତମୀ

ଭଗବାନ୍, ଏ ଆଉ ଆଶୀର୍ବାଦ ନୁହେ, ବର ।

କାଶ୍ୟପ

ବତ୍ସେ, ଏଣେ ସଦ୍ୟାହୂତ ଅଗ୍ନିକୁ ପ୍ରଦକ୍ଷିଣ କର ।

 

 

 

(ସର୍ବେ ପରିକ୍ରମଣ କରିବା)

 

 

 

କାଶ୍ୟପ

ବେଦୀପ୍ରତିଷ୍ଠିତ ଅଗ୍ନି

 

 

 

ବୈତାନ ନାମଧେୟ ପାବନ

ସମିଦ୍ବନ୍ତ କୁଶ ଜ୍ୱାଳିତ

ହୁଅନ୍ତୁ ତୋ ଦୂରିତନାଶନ ।

(ଦୃଷ୍ଟିକ୍ଷେପ କରି) ଶାର୍ଙ୍ଗରବ ପ୍ରଭୃତି କାହାନ୍ତି ?

 

 

 

(ପ୍ରବେଶ କରି)

 

 

 

ଶିଷ୍ୟ

ଭଗବାନ୍, ଆମେ ଏଇ ।

କାଶ୍ୟପ

ଭଗିନୀମାନଙ୍କୁ ବାଟ ଦେଖାଅ ।

ଶାର୍ଙ୍ଗରବ

ଏବାଟେ ଆସନ୍ତୁ ।

 

 

 

(ସମସ୍ତେ ପରିକ୍ରମ କରିବା)

 

 

 

କାଶ୍ୟପ

ହେ ସନ୍ନିହିତ ତପୋବନ ତରୁସମୂହ !

 

 

 

ତୁମ୍ଭଙ୍କୁ ଜଳଦାନ ନ କରି ଯେହୁ

ଜଳ ଗ୍ରହଣ ନାହିଁ ପାରଇ କରି,

ମଣ୍ତନେ ଅତି ରାଗ ଥିଲେହେଁ ଯାର

ପଲ୍ଲବ ତବ ଦେହୁଁ ନ ପାରେ ତୋଳି ।

ଆଦ୍ୟ କୁସୁମ ସମାଗମେ ତୁମ୍ଭର

ଉତ୍ସବ ବିରଚନ ହୁଏ ଯାହାର,

ଅନୁଜ୍ଞା ଦିଅ ତାରେ ସେ ଶକୁନ୍ତଳା

ସ୍ୱାମୀ ସଦନେ ଯିବାଲାଗି ବାହାର ।

(କୋକିଳରବ ସୂଚନାରେ)

ବନବାସ ଦୋସର ତରୁସକାଳେ

ଦେଉଛୁଁ ଅନୁମତି ଶକୁନ୍ତଳାକୁ

ଉତ୍ତର ଏହି ଆମ୍ଭ ବୁଝ ହେ ଋଷି,

ମଧୁର ଏହି ପରଭୃତର ଡାକୁଁ ।

 

 

 

(ଆକାଶେ)

 

 

 

ରବିକରତାପୁ ଶ୍ରାନ୍ତି ଲଭୁ କୋମଳା,

ପଥ ପାଖ ଛାୟାଦ୍ରୁମେ କମଳ-ସରେ

ଶିବ ଅନୁକୂଳ ହେଉ ପଥ ପବନ

କମଳ-କୋମଳ-ରେଣୁ-ଅବଲେପରେ ।

 

 

 

(ସର୍ବେ ବିସ୍ମୟ ସହିତ କାନ ଦେବା)

 

 

 

ଗୌତମୀ

ବତ୍ସେ, ଜ୍ଞାତିଜନମାନଙ୍କ ପରା ସ୍ନେହଶୀଳ ବନଦେବତା ମାନଙ୍କଦ୍ୱାରା ତୁ ଯିବାକୁ ଅନୁଜ୍ଞାତ ହେଲୁ । ସେମାନଙ୍କୁ ପ୍ରଣାମ କର ।

 

 

 

ଶକୁନ୍ତଳା

(ପ୍ରଣାମ କରି ପରିକ୍ରମ କରୁ କରୁ, ଜନାନ୍ତିକେ)

 

 

 

 

 

ସଖୀ ପ୍ରିୟମ୍ବଦେ ! ଆର୍ଯ୍ୟପୁତ୍ରଙ୍କୁ ଦେଖିବାକୁ ମୁଁ ଅତ୍ୟନ୍ତ ଉତ୍ସୁକ ଥିଲେହେଁ ଆଶ୍ରମ ଛାଡ଼ି ଯାଉଛି, ଏ ଦୁଃଖରେ ମୋର ପଦଯୁଗଳ ଅତି କଷ୍ଟରେ ଆଗକୁ ପଡ଼ୁଛି ।

 

 

 

ପ୍ରିୟମ୍ବଦା

ସଖି ! ତପୋବନକୁ ଛାଡ଼ି ଯିବାରେ ତୁ କେବଳ ଏକା ଦୁଃଖି ନୋହୁଁ । ତପୋବନ ମଧ୍ୟ ଏ ଉପସ୍ଥିତ ବିରହରେ ସମାନ ଅବସ୍ଥା ଲାଭ କଲା ପରି ଦେଖା ପଡ଼ୁଛି ।

 

 

 

ପରିତ୍ୟକ୍ତ-କବଳ ମୃଗୀସକଳ

ପରିତ୍ୟକ୍ତ-ନର୍ତ୍ତନ ମୟୂରଗଣ

ପାଣ୍ତୁ ପତ୍ର ପରିତ୍ୟାଗ ବ୍ୟାଜରେ

ଲତା କରନ୍ତି ଦୁଃଖେ ଅଶ୍ରୁ-ବର୍ଷଣ ।

 

 

 

ଶକୁନ୍ତଳା

(ସ୍ମରଣ) ତାତ, ଲତାଭଗିନୀ ବନଜ୍ୟୋତ୍ସ୍ନାକୁ ବିଦାୟ ଦେଇ ଆସେଁ ।

 

 

 

କାଶ୍ୟପ

ତା’ ଠାରେ ତୋର ଭଗିନୀସ୍ନେହ ଥିବାର ମୁଁ ଜାଣେ । ଏହି ଦକ୍ଷିଣ ଦିଗରେ ସେ ।

 

 

 

ଶକୁନ୍ତଳା

(ଲତା ନିକଟକୁ ଯାଇ) ବନଜ୍ୟୋତ୍ସ୍ନେ, ଚୂତସଙ୍ଗତା ହେଲେ ମଧ୍ୟ ମୋତେ ପ୍ରତ୍ୟାଲିଙ୍ଗନ କର । ଆଜିଠାରୁ ମୁଁ ଦୂରପ୍ରବାସରେ ଯାଇ ରହିବି ।

 

 

 

କାଶ୍ୟପ

ଆ ମା, ବାଟକୁ ଆ ।

 

 

 

ଶକୁନ୍ତଳା

(ସଖୀଦୁହିଙ୍କ ପ୍ରତି) ସଖୀଦୁହେଁ, ମୁଁ ତାକୁ ତୁମରି ହାତରେ ଦେଇଗଲି ।

 

 

 

ସଖୀଯୁଗଳ

ଆମକୁ କାହା ହାତରେ ଦେଇଗଲୁ (ଲୋତକବର୍ଷଣ) ।

 

 

 

କାଶ୍ୟପ

ଅନସୂୟେ, କାନ୍ଦ ନା । ତୁମେ ସିନା ଶକୁନ୍ତଳାକୁ ତୁନି କରାନ୍ତ !

 

 

 

(ସମସ୍ତେ ପରିକ୍ରମଣ କରିବା)

 

 

 

ଶକୁନ୍ତଳା

ତାତ, ଗର୍ଭମନ୍ଥରା ହୋଇ ମଧ୍ୟ ଏ ଯେଉଁ ମୃଗୀଟି ଏପର୍ଯ୍ୟନ୍ତ ଚାଲି ଆସିଲାଣି, ସେ ଯେତେବେଳେ ସୁପ୍ରସବା ହେବ, କାହାକୁ ପଠାଇ ମତେ ସେ କଥା ଜଣାଇ ଦେବ ।

 

 

 

କାଶ୍ୟପ

ନା, ନା, ମୁଁ ସେ କଥା ଭୁଲିବି ନାହିଁ ।

 

 

 

ଶକୁନ୍ତଳା

(ଗତିଭଙ୍ଗ ଅଭିନୟ କରି) କିଏସେ ମୋ ଲୁଗାକୁ ଟାଣୁଛି ! (ପଛକୁ ଫେରି ଚାହିଁବା)

 

 

 

କାଶ୍ୟପ

ବତ୍ସେ !

 

 

 

ତୀକ୍ଷ୍ଣ କୁଶବିଦ୍ଧ ମୁଖେ ଯା’ର ଥିଲୁ

ଇଙ୍ଗୁଦୀ ତଇଳ ଦେଇ,

ମୁଠି ମୁଠି କରି ନୀବାରତଣ୍ତୁଳ

ଯାହାରେ ଥିଲୁ ଖୁଆଇ

ପୁତ୍ରସମ ସେହି ମୃଗଶିଶୁ

ତୋର ଯିବା-ପଥ ନ ଛାଡ଼ଇ ।

 

 

 

ଶକୁନ୍ତଳା

ବତ୍ସ, ସହବାସ ପରିତ୍ୟାଗିନୀ ମତେ ଅନୁସରଣ କରୁଛୁ ? ମା ତୋର ଜନ୍ମ ହେବାର ଅଳ୍ପଦିନ ପରେ ସତେ ତୁ ମାତୃହୀନ ପରି ବଢ଼ିଥିଲୁ । ବର୍ତ୍ତମାନ ମୁ୍ଁ ଚାଲିଗଲେ ମଧ୍ୟ ତାତ ତୋ କଥା ବୁଝିବେ । ଏବେ ଫେରି ଯା । (ରୋଦନ କରିବା)

 

 

 

କାଶ୍ୟପ

ମା’ ଲୋ,

 

 

 

ବାର ବାର ଅଶ୍ରୁ-ଧାରା ତୋ’ ନୟନେ

ରୋଧନ୍ତି ପରା;

ଧୈର୍ଯ୍ୟ ଧର, ପଦ-ସ୍ଖଳନ ହେବ,

ଏ ବିଷମ ଧରା ।

 

 

 

ଶାର୍ଙ୍ଗରବ

ଭଗବାନ୍, ବନ୍ଧୁ ଜନମାନଙ୍କର ଜଳ ପର୍ଯ୍ୟନ୍ତ ଅନୁଗମନ କରିବା ଉଚିତ ବୋଲି ଶୁଣାଯାଏ । ଏଇ ତ ପୋଖରୀକୂଳ । ଏଇଠି ଯାହା କହିବାର କହି ଦେଇ, ଆପଣ ଫେରିଯାନ୍ତୁ ।

 

 

 

କାଶ୍ୟପ

ତାହାହେଲେ ଏହି କ୍ଷୀରବୃକ୍ଷ ତଳେ ଠିଆ ହେବା । (ସମସ୍ତେ ଠିଆ ହେବା)

 

 

 

କାଶ୍ୟପ

(ଆତ୍ମଗତ) ଦୁଷ୍ମନ୍ତଙ୍କୁ ମୁଁ କି ସମ୍ବାଦ ଦେବି ? (ଭାବିବା)

(ପରେ)

 

 

 

 

 

ଶାର୍ଙ୍ଗରବ, ଶକୁନ୍ତଳାକୁ ପ୍ରଦାନ କରି ସେହି ରାଜାଙ୍କୁ ମୁ୍ଁ କହିଛି ବୋଲି ୟା କହିବୁ

 

 

 

ଶାର୍ଙ୍ଗରବ

ଭଗବାନ୍ ଆଜ୍ଞା ଦିଅନ୍ତୁ ।

 

 

 

କାଶ୍ୟପ

ଆମ୍ଭେମାନେ ସରଳପ୍ରାଣ ତପୋଧନ, ଆପଣ ମଧ୍ୟ ଉଚ୍ଚକୁଳସମ୍ଭୂତ । ଶକୁନ୍ତଳା ଓ ଆପଣଙ୍କ ମଧ୍ୟରେ ଅକୃତ୍ରିମ ସମ୍ବନ୍ଧ । ଏଥିରେ ଆଶଙ୍କାର କୌଣସି କାରଣ ନାହିଁ । ବର୍ତ୍ତମାନ ଆପଣ ଶକୁନ୍ତଳାକୁ ଅନ୍ୟାନ୍ୟ ରାଣୀମାନଙ୍କ ପରି ସମଦୃଷ୍ଟିରେ ଦେଖନ୍ତି ଯେପରି । ତା’ପରେ ତା’ ଭାଗ୍ୟରେ ଯାହା ଥିବ । ସେ ସବୁ କନ୍ୟାର ବନ୍ଧୁମାନଙ୍କ ମୁହଁରେ କୁହାଯିବା ସୁନ୍ଦର ଦିଶିବ ନାହିଁ

 

 

 

ଶାର୍ଙ୍ଗରବ

ହଁ, ସନ୍ଦେଶ ଗ୍ରହଣ କଲି ।

 

 

 

କାଶ୍ୟପ

ମା, ତତେ ଏବେ କିଛି ଉପଦେଶ ଦେବି ।

 

 

 

 

 

ଗୁରୁଜନେ ସେବା କରିବୁ, ସପତ୍ନୀଜନେ ହେବୁ ସଖୀ ପରି, କ୍ରୁଦ୍ଧ ହୋଇ ପତି ହେଲେହେଁ ବିରାଗ, ସହିବୁ ଧଇର୍ଯ୍ୟ ଧରି । ହେବୁ ଦୟାମୟୀ ପରିଚାରୀଜନେ, ଅବିଚଳ ସୌଭାଗ୍ୟରେ ଏମନ୍ତେ ଗୃହିଣୀ ହୁଅନ୍ତି ତରୁଣୀ; ଆନେ କଳଙ୍କ କୁଳରେ ।

 

 

 

 

 

ଗୌତମୀ କ’ଣ ମନେ କରନ୍ତି ?

 

 

 

ଗୌତମୀ

ଏହାହିଁ ବଧୂପ୍ରତି ଉପଦେଶ । ବତ୍ସେ । ଏ ସବୁକୁ ମନେ ରଖ ।

 

 

 

କାଶ୍ୟପ

ବତ୍ସେ । ମତେ ଓ ସଖୀଜନମାନଙ୍କୁ ଆଲିଙ୍ଗନ କର ।

 

 

 

ଶକୁନ୍ତଳା

ତାତ, ଏଠାରୁ କ’ଣ ପ୍ରିୟମ୍ବଦା ହେରିକା ଚାଲିଯିବେ ?

 

 

 

କାଶ୍ୟପ

ହଁ ମା, ସେମାନେ ଏଠାରୁହିଁ ଚାଲିଯିବେ, ସେମାନଙ୍କର ସେଠାକୁ ଯିବା ଉଚିତ୍ ନୁହେଁ । ଗୌତମୀ ତୋ ସଙ୍ଗରେ ଯିବେ ।

 

 

 

ଶକୁନ୍ତଳା

(ପିତାଙ୍କୁ ଆଶ୍ଳେଷ ଦେଇ) ମଳୟତରୁବିଚ୍ଛିନ୍ନା ଚନ୍ଦନଲତା ପରି, ମୁଁ ପିତାଙ୍କ ଅଙ୍କରୁ ଭ୍ରଷ୍ଟ ହୋଇ ଦୂର ଦେଶରେ କିପରି କାଳ କାଟିବି?

 

 

 

କାଶ୍ୟପ

ମା, କାହିଁକି ଏପରି କାତରା ହେଉଛୁ ? ସ୍ୱାମୀଦ୍ୱାରା ସମ୍ମାନିତ-ଗୃହିଣୀପଦରେ ପ୍ରତିଷ୍ଠିତା ହୋଇ ଓ ତାଙ୍କର ଗୁରୁ ବିଭବଜଞ୍ଜାଳରେ ବ୍ୟାକୁଳ ରହି, ଅଳ୍ପ କାଳ ମଧ୍ୟରେ ପ୍ରାଚୀ ଅର୍କକୁ ଜନ୍ମ କଲାପରି, ପାବନ ପୁତ୍ତ୍ର ଜନ୍ମଦାନ କରି, ମୋର ବରହଜନିତ ଦୁଃଖକୁ ତୁ ଆଉ ଗଣନା କରିବୁ ନାହିଁ ।

 

 

 

(ଶକୁନ୍ତଳା ପିତାଙ୍କ ପାଦତଳେ ପଡ଼ିବା)

 

 

 

କାଶ୍ୟପ

ମୁଁ ଯାହା ଇଚ୍ଛା କରୁଛି, ତାହା ସବୁ ତୋର ଘଟୁ ।

 

 

 

ଶକୁନ୍ତଳା

(ସଖୀମାନଙ୍କ ନିକଟକୁ ଯାଇ) ସଖି ଗୋ, ତୁମେ ଦୁହେଁ ମତେ ଏକାବେଳକେ ଆଲିଙ୍ଗନ ଦିଅ ।

 

 

 

ସଖୀଦୁହେଁ

(ସେହିପରି କରି) ସଖି, ଯଦି ସେ ରାଜା ଚିହ୍ନି ନ ପାରିବେ, ତେବେ ତାଙ୍କ ନାମାଙ୍କିତ ଏହି ଅଙ୍ଗୁଳୀୟକ ଦେଖାଇବୁ ।

 

 

 

ଶକୁନ୍ତଳା

ଏପରି ସନ୍ଦେହ କ’ଣ ଲୋ ? ମୁଁ ଯେ ଥରି ଯାଉଛି ।

 

 

 

ସଖୀଦୁହେଁ

ଭୟ କରନା । ସ୍ନେହ ସବୁବେଳେ ପାପଶଙ୍କୀ ।

 

 

 

ଶକୁନ୍ତଳା

(ଆଶ୍ରମମୁଖୀ ହୋଇ) ତାତ ! କେବେ ଆଉ ଏ ତପୋବନ ଦେଖିବି ?

 

 

 

କାଶ୍ୟପ

ଶୁଣ୍ ମା, ବହୁକାଳ ଏହି ବିଶାଳ ପୃଥିବୀର ସପତ୍ନୀ ହୋଇ, ଦୁଷ୍ମନ୍ତଙ୍କର ଅପ୍ରତିରଥ ପୁତ୍ତ୍ର ହସ୍ତରେ କୁଟୁମ୍ବଭାର ଅର୍ପଣ କରି, ସ୍ୱାମୀସହ ପୁଣି ଏଠାରେ ଶାନ୍ତିରେ ବାସ କରିବୁ ।

 

 

 

ଗୌତମୀ

ବତ୍ସେ ! ଯିବାର ସମୟ ବଳି ଯାଉଛି । ପିତାଙ୍କୁ ମନା କର, ନହେଲେ ସେ ପୁଣି ସେହିପରି କହି ବସିବେ । ଆପଣ ତୁନି ହୁଅନ୍ତୁ ।

 

 

 

କାଶ୍ୟପ

ହଁ ମା, ତେଣେ ଯଜ୍ଞାନୁଷ୍ଠାନ କରିବାକୁ ହେବ ।

 

 

 

ଶକୁନ୍ତଳା

(ପୁଣି ପିତାଙ୍କୁ ଆଲିଙ୍ଗନ କରି) ତପଶ୍ଚରଣ ଦ୍ୱାରା ପିତାଙ୍କର ଶରୀର ଅତ୍ୟନ୍ତ ପୀଡ଼ିତ ହୋଇ ପଡ଼ିଛି । ତା ପରେ ମୋ ଲାଗି ଅତି ମାତ୍ରାରେ ଉତ୍କଣ୍ଠିତ ।

 

 

 

କାଶ୍ୟପ

 

 

 

 

ଉଟଜଦ୍ୱାରେ ତୋ’ ରୋପିତ ନୀବାର

ଦେଖି ଏ ଶୋକ କେବେ ଶାନ୍ତ ହେବାର ?

ଯା, ତୋର ପଥ ମଙ୍ଗଳ ହେଉ ।

(ଶକୁନ୍ତଳା ଓ ସହଯାତ୍ରୀବର୍ଗ ନିଷ୍କ୍ରାନ୍ତ)

 

 

 

ସଖୀଦୁହେଁ

ହା ଧିକ୍, ହା ଧିକ୍ ! ଏହି ବନରାଜ୍ୟରୁ ଶକୁନ୍ତଳା ଚାଲିଗଲା !

 

 

 

କାଶ୍ୟପ

(ସନିଃଶ୍ୱାସ) ଅନସୂୟେ ! ଆମ୍ଭମାନଙ୍କର ଧର୍ମ୍ମଚର୍ଯ୍ୟାର ସହକାରିଣୀ ଚାଲିଗଲା । ଏବେ ଶୋକ ତ୍ୟାଗ କରି ମୋ ପଛରେ ଆସ । ସଖିଦୁହେଁ- ତାତ, ଶକୁନ୍ତଳାବିରହିତ ଏହି ଶୂନ୍ୟ ତପୋବନକୁ କିପରି ଯିବା ।

 

 

 

କାଶ୍ୟପ

ସ୍ନେହର ଏ ସ୍ୱାଭାବିକ ପ୍ରକାଶ ! (ବିମର୍ଶଭାବରେ ପରିକ୍ରମ କରି) ଯାହା ହେଉ, ଶକୁନ୍ତଳାକୁ ପତିଗୃହକୁ ପଠାଇ ଦେଇ ଟିକିଏ ଶାନ୍ତି ପାଇଲି ।

(ସମସ୍ତେ ନିଷ୍କ୍ରାନ୍ତ)

Image

 

ସମ୍ରାଟଙ୍କ ପ୍ରତ୍ୟାବର୍ତ୍ତନ

 

ନେପୋଲିୟନ୍ ଇୟୁରୋପ ମହାଦେଶର ପ୍ରାୟ ସମସ୍ତ ଦେଶର ରାଜଧାନୀମାନଙ୍କର ରାଜପଥରେ ଜୟଯାତ୍ରା କରି ପାରିଥିଲେ । ତାଙ୍କର ଏହି ଅବାଧ ଦିଗ୍‍ବିଜୟ କ୍ରମେ ତାଙ୍କୁ ସମଗ୍ର ଇୟୁରୋପର ରାଜନ୍ୟମଣ୍ଡଳୀରେ ସାଧାରଣ ବୈରୀ କରି ପକାଇଲା । ବିଭିନ୍ନ ଦେଶର ରାଜେଶ୍ୱରଗଣ ଏହି ସାଧାରଣ ଶତ୍ରୁକୁ କିପରି ଭୂତଳଶାୟୀ କରିବେ, ସେଥିପାଇଁ ସୁଯୋଗ ଖୋଜୁଥାନ୍ତି । ଏହି ସମୟରେ ରୁଷ ଦେଶକୁ ଅଭିଯାନ କରି, ନେପୋଲିୟନ୍ ଶତ୍ରୁମାନଙ୍କୁ ଏହି ସୁଯୋଗ ଦେଇ ବସିଲେ । ରୁଷୀୟମାନଙ୍କ କୌଶଳରେ ନେପୋଲିୟନଙ୍କର ବୃହତ୍ତମ ବାହିନୀ ରଣଭଙ୍ଗ ଦେଇ କଠୋର ଶୈତ୍ୟ ଓ ଖାଦ୍ୟାଭାବରେ ପଳାୟନ କରି ଯେତେବେଳ ଫ୍ରାନ୍ସରେ ଉପସ୍ଥିତ ହୁଏ, ସେତେବେଳକୁ ତାହା ଏକାବେଳକେ ବିନଷ୍ଟ, ହତଦୀର୍ଯ୍ୟ ଓ ଦୁର୍ବଳ ହୋଇପଡ଼ିଥିଲା-। ଏହି ସୁଯୋଗରେ ଇୟୁରୋପର ଅନ୍ୟ ସକଳ ଶକ୍ତି, ନେପୋଲିୟନଙ୍କର ଅନୁଧାବନ କରି ପାରି ନଗରୀ ଅବରୋଧ କଲେ । ନେପୋଲିୟନ୍ ଗତ୍ୟନ୍ତର ନ ଦେଖି ସିଂହାସନ ପରିତ୍ୟାଗ କଲେ । ଇୟୁରୋପର ଶକ୍ତିସକଳ ସମ୍ରାଟଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ଇଟାଲୀ ଉପକୂଳବର୍ତ୍ତୀ ଏଲବା ନାମକ ଦ୍ୱୀପରେ ରାଜତ୍ୱ କରିବା ଲାଗି ତାଙ୍କୁ ଅନୁମତି ଦେଲେ । ଅର୍ଦ୍ଧ ଇୟୁରୋପର ଅଧୀଶ୍ୱର ନେପୋଲିୟନ୍ ବର୍ତ୍ତମାନ ଅନ୍ୟ ଗତି ନ ଦେଖି କ୍ଷୁଦ୍ର ଏଲବାର ରାଜତ୍ୱ ଲାଗି ଯାତ୍ରା କଲେ ।

 

ବାରମ୍ବାର ଯୁଦ୍ଧ ଅନବଚ୍ଛିନ୍ନ ସମରବିଳାସରେ ନେପୋଲିୟନ ଫରାସୀ ଜାତିକୁ ବିପନ୍ନ କରି ପକାଇଥିଲେ । ରୁଷ୍-ଅଭିଯାନର ବିପର୍ଯ୍ୟୟ ଫଳରେ ଫ୍ରାନ୍ସ ଦେଶର ଘରେ ଘରେ କରୁଣ ବିଳାପ ଉଠିବାକୁ ଲାଗିଲା । ତେଣୁ ସମ୍ରାଟ୍ ଯେତେବେଳେ ଅଶ୍ୱଶକଟରେ ଯାତ୍ରା କରିବାକୁ ଲାଗିଲେ, ଦଳ ଦଳ ଲୋକ ଯାତ୍ରାପଥରେ ରୁଣ୍ଡ ହୋଇ ସମ୍ରାଟକୁ ଅକଥ୍ୟ ଭାଷାରେ ଗାଳି ଦେବାକୁ ଲାଗିଲେ ଓ କ୍ରୋଧରେ ଲୋଷ୍ଟ୍ର ନିକ୍ଷେପ କଲେ । ପ୍ରାଣର ସଂଶୟ ଦେଖି, ସମ୍ରାଟଙ୍କୁ ଛଦ୍ମବେଶ ଧାରଣ କରିବାକୁ ଓ ଶକଟର ଦ୍ୱାର ବନ୍ଦ କରିବାକୁ ହୋଇଥିଲା ଓ ସେହିପରି ଭାବରେ ସେ ଏଲ୍‍ବାରେ ନିରାପଦରେ ପହଞ୍ଚି ପାରିଥିଲେ ।

 

ଏଲ୍‍ବା ଗୋଟିଏ କ୍ଷୁଦ୍ର ଦ୍ୱୀପ । ଏହି କ୍ଷୁଦ୍ର ଦ୍ୱୀପର କ୍ଷୁଦ୍ର ପ୍ରାସାଦରେ ରହି ନେପୋଲିୟନ୍ ଏଲ୍‍ବା ଶାସନ କରିବାକୁ ଲାଗିଲେ । ଯେତେଦିନ ସେଠାରେ ଥିଲେ, ନେପୋଲିୟନ୍ ସେହି ଦ୍ୱୀପର ଲୋକମାନଙ୍କୁ ଉତ୍ତମ ଶାସନରେ ରଖିଥିଲେ । ତାଙ୍କର ତତ୍ତ୍ୱାବଧାନରେ ସେହି କ୍ଷୁଦ୍ର ଦ୍ୱୀପର ପ୍ରଭୂତ ଉନ୍ନତି ଘଟିଲା । କିନ୍ତୁ ଯେଉଁ ବୀର ପ୍ରତି ମୁହୂର୍ତ୍ତରେ ସମଗ୍ର ଇୟୁରୋପକୁ ଭୟଭୀତ କରି ରଖିଥିଲେ, ସେ ଏହି କ୍ଷୁଦ୍ର ଦ୍ୱୀପର କ୍ଷୁଦ୍ର ପରିସର ମଧ୍ୟରେ କେତେଦିନ ସନ୍ତୁଷ୍ଟ ରହି ପାରନ୍ତେ । ବିଶ୍ୱବୀରଙ୍କର ବିଜୟଲାଳସା ପୁଣି ଉଦ୍ଦୀପ୍ତ ହେବାକୁ ଲାଗିଲା ଓ ଏଲ୍‍ବାରେ ନେପୋଲିୟନ୍ ନିଜକୁ ଏକ ପିଞ୍ଜରବଦ୍ଧ ପକ୍ଷୀ ପରି ଅନୁଭବ କରିବାକୁ ଲାଗିଲେ ।

 

ଏହି ସମୟରେ ଫ୍ରାନ୍ସରେ ପୁଣି ବିଶୃଙ୍ଖଳା ଆରମ୍ଭ ହେଲା । ନେପୋଲିୟନଙ୍କ ପରେ ପ୍ରାଚୀନ ରାଜବଂଶୀୟ ଅଷ୍ଟାଦଶ ଲୁଇ ଫ୍ରାନ୍ସର ସିଂହାସନ ଆରୋହଣ କରିଥିଲେ; କିନ୍ତୁ ସେ ସେହି ଦୁର୍ବହ କର୍ମଲାଗି ଉପଯୁକ୍ତ ନ ଥିଲେ । ତାଙ୍କର ଦୁର୍ବଳତାର ପ୍ରଶ୍ରୟ ଘେନି କୌଣସି କୌଣସିଠାରେ ପୁଣି ଅସନ୍ତୋଷ ଦେଖାଗଲା ।

 

ଏହି ସମ୍ବାଦ ଯେତେବେଳେ ନେପୋଲିୟନଙ୍କର କର୍ଣ୍ଣଗୋଚର ହେଲା, ସେ ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ପୁଣି ସମ୍ରାଟ୍ ହେବାର ଓ ପୁଣି ଦିଗ୍‍ବିଜୟ କରିବାର ଓ ପୁଣି ବିରାଟ ଇୟୁରୋପକୁ ନିଜର ଶୌର୍ଯ୍ୟରେ ଚମତ୍କୃତ କରିବାର ବାସନା ତାଙ୍କ ଚିତ୍ତରେ ପ୍ରଜ୍ଜ୍ୱଳିତ ହୋଇ ଉଠିଲା । ପରିଶେଷରେ ସାମାନ୍ୟ କେତେକ ସୈନ୍ୟ ଓ ଅନୁଚର ସମଭିବ୍ୟାହାରରେ କେତୋଟି କ୍ଷୁଦ୍ର ପୋତ ଆରୋହଣ କରି ଦିନେ ଅନ୍ଧକାର ରାତ୍ରିରେ ସେ ପୁନର୍ବାର ଭାଗ୍ୟ ପରୀକ୍ଷା ଲାଗି ଏଲ୍‍ବା ତ୍ୟାଗ କଲେ ।

 

ଲୁଇ-ରାଜାଙ୍କର ରଣତରୀ ସମୂହ ଭୂମଧ୍ୟସାଗରରେ ଇତସ୍ତତ ରହି ନେପୋଲିୟନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଲାଗି ନିଯୁକ୍ତ ଥିଲେ । ପ୍ରତିମୁହୂର୍ତ୍ତରେ ନେପୋଲିୟନ ସେମାନଙ୍କର ସମ୍ମୁଖୀନ ହେବାକୁ ଆଶଙ୍କା କରୁଥାନ୍ତି; କିନ୍ତୁ ସମସ୍ତ ବିପଦକୁ ସମ୍ମୁଖରେ ରଖି ଏହି ଅକୁତୋଭୟ ବୀର ପୁରୁଷ ବିରାଟ ସମୁଦ୍ରରେ ନିଜର କ୍ଷୁଦ୍ର ପୋତ ଭସାଇ ଦେଇଥିଲେ । ଶତ୍ରୁ ମାନଙ୍କର ନୌବାହିନୀ ନିକଟରେ, ନେପୋଲିୟନଙ୍କ ପୋତକତିପୟ କେତେଖଣ୍ଡ କାଠର ଭେଳା ପରି ଥିଲା-। କିନ୍ତୁ ତାରି ଉପରେ ନିର୍ଭର କରି ନେପୋଲିୟନ ପୁଣି ଇୟୁରୋପ ଜୟ ଲାଗି ଅଭିଯାନ କରି ବସିଥିଲେ । କ୍ଷୁଦ୍ର ପୋତଟି ଏଲବାରୁ ଆସିବାର ଜାଣି ଅନ୍ୟ ଜାହାଜର ନାବିକମାନେ ପରିହାସରେ ଜିଜ୍ଞାସା କଲେ, ‘ଶୁଣ ହେ, ତମ ଛୋଟ ସମ୍ରାଟ କିପରି ଅଛନ୍ତି’ ? ନେପୋଲିୟନ୍ ଅନୁଚରମାନଙ୍କୁ ବୋଇତରେ ଲୁକ୍‍କାୟିତ ରଖି, ଅଳିନ୍ଦରେ ଦଣ୍ଡାୟମାନ ଥିଲେ । ସେ ନିର୍ଭୀକ ଭାବରେ ଉତ୍ତର ଦେଲେ, ‘ହଁ, ସେ ଅତ୍ୟନ୍ତ ଭଲ ଅଛନ୍ତି !’

 

ଜାହାଜରେ ନେପୋଲିୟନ୍ ଅନେକ ସମୟରେ ଚିନ୍ତିତ ଥାନ୍ତି । ଫ୍ରାନ୍‍ସରେ ଥିଲାବେଳେ ଓ ସମସ୍ତ ଦିଗ୍‍ବିଜୟରେ ତାଙ୍କର ଶ୍ରେଷ୍ଠ ଆଶା ଥିଲା, ତାଙ୍କର ସୈନିକମାନଙ୍କଠାରେ-। ସୈନିକମାନେ ତାଙ୍କୁ ପ୍ରାଣ ପରି ସ୍ନେହ କରୁଥିଲେ । ନେପୋଲିୟନ୍ ସେହି ସୈନିକମାନଙ୍କ ଉପରେ ଆଶା କରିହିଁ ଏଲ୍‍ବାରୁ ପୁଣି ଯାତ୍ରା କରିଥିଲେ । ସୈନିକମାନଙ୍କୁ ଉଦ୍‍ବୁଦ୍ଧ କରିବା ଲାଗି ଜାହାଜରେ ସେ ଏକ ଜ୍ୱାଳାମୟୀ ଘୋଷଣା ପ୍ରସ୍ତୁତ କରି, ଜାହାଜରେ ଯେଉଁମାନେ ଲେଖି ପଢ଼ି ଜାଣିଥିଲେ, ସେମାନଙ୍କଦ୍ୱାରା ତାହା ନକଲ କରାଇବାକୁ ଲାଗିଲେ ।

 

କ୍ରମେ ସମସ୍ତ ବିପଦରୁ ଦୂରରେ ରହି ନେପୋଲିୟନ୍ ପୁଣି ତାଙ୍କର ପ୍ରିୟ ଫ୍ରାନ୍‍ସର ମୃତ୍ତିକା ସ୍ପର୍ଶ କଲେ । ବିଦ୍ୟୁତ୍ ଗତିରେ ନେପୋଲିୟନଙ୍କ ଆଗମନବାର୍ତ୍ତା ସାଗରକୂଳବର୍ତ୍ତୀ ଗ୍ରାମମାନଙ୍କରେ ବ୍ୟାପ୍ତ ହୋଇଗଲା । ଶତ ଶତ ଲୋକ ସମ୍ରାଟଙ୍କୁ ଦେଖିବା ଲାଗି ସମାଗତ ହେଲେ । ସମାଗତମାନଙ୍କଠାରୁ ଉପଯୁକ୍ତ ସମ୍ବର୍ଦ୍ଧନା ଲାଭ କରି ନେପୋଲିୟନ୍ କ୍ରମେ ଫ୍ରାନ୍‍ସର ଅଭ୍ୟନ୍ତର ଆଡ଼କୁ ଗତି କଲେ ।

 

ନେପୋଲିୟନ୍ ପ୍ରତ୍ୟାବର୍ତ୍ତନ କରିବାର ଶୁଣି, ନଗରମାନଙ୍କରେ ଲୁଇ-ରାଜାଙ୍କର ସୈନିକଗଣ ସତର୍କ ହୋଇ ଉଠିଲେ । ନେପୋଲିୟନଙ୍କର କୌଣସି କୌଣସି ପୂର୍ବତନ ସେନାପତି, ନେପୋଲିୟନଙ୍କୁ ବନ୍ଦୀ କରି ନେଇ ପାରିସ୍ ରାଜଦରବାରରେ ଭେଟି ଦେବାର ଦମ୍ଭ ପ୍ରକାଶ କଲେ; କିନ୍ତୁ ନେପୋଲିୟନଙ୍କ ନାମ ଓ ବ୍ୟକ୍ତିତ୍ୱରେ ଏପରି ଯାଦୁକରୀ ମାୟା ଥିଲା ଯେ, ସୈନିକଗଣ ପୂର୍ବର ସମସ୍ତ ଘୃଣା ତ୍ୟାଗ କରି ନେପୋଲିୟନଙ୍କ ପତାକାତଳେ ପୁଣି ଆତ୍ମସମର୍ପଣ କଲେ । ଗ୍ରେନ୍‍ବିଲ୍ ନାମକ ନଗରରେ ନେପୋଲିୟନଙ୍କର ଜନୈକ ପ୍ରସିଦ୍ଧ ସେନାପତି ସେ ସମୟରେ ସେନାଧ୍ୟକ୍ଷ ଥିଲେ । ସେ ଦୃଢ଼ପ୍ରତିଜ୍ଞ ହେଲେ ଯେ, ସେ କୌଣସିମତେ ନେପୋଲିୟନଙ୍କୁ ଛାଡ଼ିଦେବେ ନାହିଁ । ପ୍ରତିଜ୍ଞାନୁସାରେ ନଗରର ଉପକଣ୍ଠରେ ନେପୋଲିୟନଙ୍କ ଆଗମନକୁ ପ୍ରତୀକ୍ଷା କରି ସେ ସଶସ୍ତ୍ର ସୈନିକଦଳ ସଜ୍ଜିତ କରି ରଖିଲେ । କ୍ରମେ ଦୂରରୁ ଧୂଳିପଟଳ ଦେଖାଗଲା ଓ ନେପୋଲିୟନଙ୍କ ଆଗମନ ସୂଚିତ ହେଲା । ନେପୋଲିୟନଙ୍କର ଅନୁଚରବର୍ଗ ତାଙ୍କୁ ମାର୍ଗରେ ସୈନିକସଜ୍ଜାର ସମ୍ବାଦ ଦେଲେ ! କିନ୍ତୁ ସେ କିଛି ମାତ୍ର ବିଚଳିତ ନ ହୋଇ ଅଗ୍ରସର ହେବାକୁ ଲାଗିଲେ । କ୍ରମେ ଉଭୟ ଦଳ ପରସ୍ପର ସମ୍ମୁଖୀନ ହେଲେ । ମାତ୍ର ପଚାଶ ହାତ ଦୂରରେ ଶତ୍ରୁ ସୈନ୍ୟଗଣ ବନ୍ଧୁକ ଉତ୍ତୋଳନ କରି ଦଣ୍ଡାୟମାନ ରହିଅଛନ୍ତି । ଆଦେଶ ପାଇଲା ମାତ୍ରେ, ସମସ୍ତଙ୍କର ଆଗ୍ନେୟ ଗୋଲକ ନେପୋଲିୟନଙ୍କ ବକ୍ଷରେ ପତିତ ହେବ । ଏହିପରି ସମୟରେ ନେପୋଲିୟନ୍ ନିଜର ସୈନିକମାନଙ୍କୁ ସ୍ଥିର ହୋଇ ଠିଆ ହେବାକୁ ଆଦେଶ ଦେଇ, ଅଶ୍ୱପୃଷ୍ଠରୁ ଅବତରଣ କରି, ପଦବ୍ରଜରେ ଶତ୍ରୁ ରେଖା ଆଡ଼କୁ ଗତି କରିବାକୁ ଲାଗିଲେ । ଦୁଇ ଦିଗରେ ଦୁଇ ବାହିନୀ ସ୍ତବ୍ଧ ହୋଇ ଏହି ଅଦ୍ଭୁତକର୍ମା ବୀରଙ୍କର ଗତି ଅନୁସରଣ କରୁଥାନ୍ତି । ଅତ୍ୟନ୍ତ ନିକଟବର୍ତ୍ତୀ ହେବାରୁ ନେପୋଲିୟନ୍ ସ୍ଥିରଭାବରେ ଠିଆ ହୋଇ, ବକ୍ଷଦେଶର ଅଙ୍ଗରକ୍ଷା ଉନ୍ମୋଚନ କରି ଗମ୍ଭୀର ଭାବରେ କହି ଉଠିଲେ “ତୁମ୍ଭମାନଙ୍କ ମଧ୍ୟରୁ କିଏ ତା’ର ସମ୍ରାଟଙ୍କୁ ହତ୍ୟା କରିବାକୁ ଇଚ୍ଛା କରେ ? ଆସ, ଏହି ଉନ୍ମୁକ୍ତ ବକ୍ଷରେ ଆଘାତ କର ।” ସୈନିକମାନଙ୍କର ଉତ୍ତୋଳିତ ଆୟୁଧସକଳ, ସ୍ୱତଃ ନିମ୍ନକୁ ଖସି ଆସିଲା ଓ ମୁହୂର୍ତ୍ତକ ମଧ୍ୟରେ ସେନାପତି ସହ ସମସ୍ତ ସୈନିକ, ‘ସମ୍ରାଟ୍ ଦୀର୍ଘଜୀବୀ ହୁଅନ୍ତୁ’–ଏହି ରବ କରି, ନେପୋଲିୟନଙ୍କ ପକ୍ଷରେ ଯୋଗଦାନ କଲେ ।

 

ଏହି ପ୍ରକାରେ କ୍ରମଶଃ ନିଜର ଦଳ ବୃଦ୍ଧି କରି ଓ ପଥ ମଧ୍ୟରେ ବାରମ୍ବାର ଅଭିନନ୍ଦିତ ହୋଇ ଦିନେ ଗଭୀର ନିଶୀଥରେ ସେ ପାରିସ୍‍ରେ ପ୍ରବେଶ କଲେ । ନେପୋଲିୟନଙ୍କର ବିଜୟଅଭିଯାନ ଶ୍ରବଣ କରି ଅଷ୍ଟାଦଶ ଲୁଇ ଆଗରୁ ପଳାୟନ କରିଥିଲେ । ବର୍ତ୍ତମାନ ନେପୋଲିୟନ୍ ପୁନର୍ବାର ଫ୍ରାନ୍‍ସର ସମ୍ରାଟ୍ ବୋଲି ବିଘୋଷିତ ହେଲେ; କିନ୍ତୁ ଏ ସମସ୍ତ ସୌଭାଗ୍ୟ ସତ୍ତ୍ୱେ ନେପୋଲିୟନଙ୍କର ଭାଗ୍ୟରବି କ୍ରମେ ଅସ୍ତମିତ ହେବାକୁ ବସିଲା । ତାଙ୍କର ପ୍ରତ୍ୟାବର୍ତ୍ତନବାର୍ତ୍ତା ସମଗ୍ର ଇୟୁରୋପରେ ପ୍ରଚାରିତ ହୁଅନ୍ତେ ଇୟୁରୋପର ଦେଶପତିମାନେ ସମ୍ମିଳିତ ହୋଇ ଏହି ସାଧାରଣ ଶତ୍ରୁକୁ ବିନାଶ କରିବା ନିମନ୍ତେ ବଦ୍ଧପରିକର ହେଲେ । ଓ୍ୱାଟର୍ଲୁ ସମରଭୂମିରେ ନେପୋଲିୟନ୍ ସେମାନଙ୍କର ସମ୍ମୁଖୀନ ହେଲେ; କିନ୍ତୁ ସେ ସମୟକୁ ନେପୋଲିୟନଙ୍କର ସମରପ୍ରତିଭା କ୍ରମେ ମଉଳି ଆସିଥିଲା । ତାଙ୍କର ପୂର୍ବ ତେଜ, ପ୍ରଖରତା, କ୍ଷିପ୍ରତା ଓ କର୍ମ୍ମଦକ୍ଷତା ଆଉ ନ ଥିଲା । ସେ ଆଳସ୍ୟପରାୟଣ ହୋଇ ପଡ଼ିଥିଲେ ଓ ରୋଗ ଭୋଗ କରି ପୂର୍ବରୁ ସ୍ୱାସ୍ଥ୍ୟ ହରାଇଥିଲେ, ଏହି ସବୁ କାରଣରୁ ଓ୍ୟାଟର୍ଲୁରେ ନେପୋଲିୟନ ପରାସ୍ତ ହୋଇ ପଡ଼ିଲେ ଓ ଶତ୍ରୁମାନଙ୍କ ଦ୍ୱାରା ସେଣ୍ଟ ହେଲେନା ଦ୍ୱୀପରେ ଯାବଜ୍ଜୀବନ ବନ୍ଦୀ ହୋଇ ରହିଲେ ।

 

କିନ୍ତୁ ଏ ପ୍ରକାର ଭାଗ୍ୟବିପର୍ଯ୍ୟୟ ସତ୍ତ୍ୱେ ନେପୋଲିୟନଙ୍କ ପ୍ରତ୍ୟାବର୍ତ୍ତନ ଇତିହାସରେ ପ୍ରସିଦ୍ଧ ହୋଇ ରହିଛି । ଏ ପ୍ରକାର ବିଜୟ ଅଭିଯାନ କୌଣସି ବୀର ବା ସମ୍ରାଟଙ୍କ ଭାଗ୍ୟରେ ଘଟି ନାହିଁ ।

Image

 

କବି ଓ ଅଭିଜାତ

 

ଦରିଦ୍ର କବି ! ସଂସାର ମଧ୍ୟରେ ସେ ପ୍ରାଣସମା ଭଗିନୀଟିକୁ ଓ ସ୍ନେହମୟୀ ପତ୍ନୀଟିକୁ ପ୍ରଥମ ଓ ନିକଟତମ ଆତ୍ମା ମନେ କରି, ସେହି ଦୁଇଟି ପାତ୍ରରେ ପ୍ରାଣର ବିମଳ ପ୍ରେମଧାରା ନିଃଶେଷ ଭାବରେ ଅଜାଡ଼ି ଦେଇ କବିତାର ସ୍ୱପ୍ନରାଜ୍ୟରେ ବୁଲୁଥାନ୍ତି । ଦରିଦ୍ରସଂସାର କଷ୍ଟେ ସୃଷ୍ଟେ ଚାଲେ । ଭଗିନୀ କହେ, ‘ବାପ ମୋର, ଏହି କୁଡ଼ିଆରେ ନ ଖାଇ ମରିବା ପଛେ, ତୁ ଆମକୁ ଛାଡ଼ି ଯାଆନା ।’ ପତ୍ନୀ କହେ, ‘ପ୍ରିୟ ମୋର, ତମୁକୁ ଛାଡ଼ି ରହିବା ମୋର ଅସହ୍ୟ; ଦୁଃଖେ ସୁଖେ ତ ସଂସାର ଚାଲିଛି, ଦରକାର କ’ଣ ଘର ଛାଡ଼ିବା ?’ କୋମଳ-ପ୍ରାଣ କବି, ଏ କଥା ଶୁଣି ନୀରବରେ ଦୁଇବିନ୍ଦୁ ଅଶ୍ରୁ ଗଡ଼ାଇଦେଇ ନିଜକୁ ଭାଗ୍ୟବାନ୍ ମନେ କରେ ଓ ସତ୍ୟ-ଶିବ ଭଗବାନଙ୍କୁ ପତ୍ନୀ-ଭଗିନୀରୂପ ଅନୁପମ ଦାନ ପାଇଁ ଧନ୍ୟବାଦ ଦିଏ ।

 

କବିଙ୍କର ବନ୍ଧୁ ଯେ ଥିଲେ, ସେମାନେ ମଧ୍ୟ ଦରିଦ୍ର । କବି ବଡ଼ ଲଜ୍ଜାଶୀଳ; ଅପରିଚିତଙ୍କୁ ଲାଜ କରନ୍ତି, ଧନିକ ଅଭିଜାତଙ୍କୁ ଭୟ କରନ୍ତି । ଅଭିଜାତମାନଙ୍କ ଧନର ବର୍ବରତାରେ ସେ ବଡ଼ ସଙ୍କୋଚ ଅନୁଭବ କରନ୍ତି । ତାଙ୍କର ପ୍ରାଣ ମୁକ୍ତ ହୁଏ କେବଳ ମୁଷ୍ଟିମେୟ ପୁଣ୍ୟପ୍ରାଣ ଦରିଦ୍ର ବନ୍ଧୁଙ୍କ ମେଳରେ । ସେମାନେ ଯେ କବିଙ୍କି ବୁଝନ୍ତି, କବି ମନେ କରନ୍ତି, ଏହି ତାଙ୍କର ଶ୍ରେଷ୍ଠ ପୁରସ୍କାର । କବିଙ୍କର ଭଗିନୀ, ତାଙ୍କର ସମସ୍ତ ବନ୍ଧୁମାନଙ୍କର ଭଗିନୀ, କବିଙ୍କର ପତ୍ନୀ ସମସ୍ତଙ୍କର ମାନ୍ୟା । ଏହି ପରମ ସୌହାର୍ଦ୍ୟ ମଧ୍ୟରେ ବଢ଼ି, କବି କେବେ ଧନର ଅଭାବ ଅନୁଭବ କରି ନ ଥିଲେ–ଅଭିଜାତର ଦ୍ୱାର ମଧ୍ୟ ମାଡ଼ି ନ ଥିଲେ ।

 

କବିଙ୍କର ପଲ୍ଲୀରେ ଗୃହ । ପଲ୍ଲୀର ଅନାବୃତ ପ୍ରକୃତି ଓ ସରଳ ମାନବଜୀବନ, ତାଙ୍କର ପ୍ରାଣକୁ ସରସ କରି ରଖିଥାଏ । ତାଳ-ନାରୀକେଳ-ସହକାର-ଶ୍ୟାମଳ କ୍ଷୁଦ୍ର ପଲ୍ଲୀଟିଏ । କବିଙ୍କର ଗ୍ରାମ ବୃକ୍ଷାଶ୍ରୟୀ ଅଗଣ୍ୟ ବିହଗକଣ୍ଠରେ ସେହି ଗ୍ରାମର ନିଦ୍ରାଭଙ୍ଗ ହୁଏ । ଛାୟାଅନ୍ଧାରିତ, ଉରଗକୁଟିଳ ଗ୍ରାମ୍ୟପଥ ଦେଇ ଗ୍ରାମର ସୀମନ୍ତିନୀବୃନ୍ଦ କାଖରେ ଓ ହାତରେ କଳସୀ ଧରି ପ୍ରାତଃସ୍ନାନ ଲାଗି ବାହାରି ପଡ଼ନ୍ତି । ସେମାନଙ୍କର ଗାର୍ହସ୍ଥ୍ୟ ଆଳାପରେ ପଥ ମୁଖରିତ ହୋଇଉଠେ-। ଗ୍ରାମରୁ ଟିକିଏ ଦୂରରେ ପଦ୍ମପୋଖରୀ, ସେଠାରେ ପ୍ରସ୍ଫୁଟିତ ସରୋଜସମ୍ଭାର ମଧ୍ୟରେ ଗ୍ରାମର କିଶୋରୀ ଓ ବଧୂମାନଙ୍କର ବଦନସରୋଜ, ସୁଷମାର ପ୍ରତିଯୋଗିତା କରନ୍ତି । ସେହି ପୋଖରୀର ବନ୍ଧ ଦେଇ ଗୋଟିଏ କ୍ଷୁଦ୍ର ପଥ ଦୂର ଦୂରାନ୍ତକୁ ଚାଲିଯାଇଛି । ସେହି ପଥ ଦେଇ ଗୋଧୂଳି ବେଳରେ ଗ୍ରାମର ଧେନୁବୃନ୍ଦ ହମ୍ବାରବରେ ଦିଗନ୍ତ ମୁଖରିତ କରି ଓ ଖୁରାଘାତରେ ସମସ୍ତ ପଥ ରେଣୁମୟ କରି ଘରକୁ ଫେରନ୍ତି । ସେହି ପଥ ଦେଇ ପ୍ରତ୍ୟୁଷରୁ ଗ୍ରାମସ୍ୱାମୀମାନେ ଗାର୍ହସ୍ଥ୍ୟର ଆୟୋଜନ ଲାଗି ଗ୍ରାମରୁ ବାହାରି ପଡ଼ନ୍ତି । ସେହି ପଥ ଦେଇ କବି ସକାଳେ, ସନ୍ଧ୍ୟାରେ, ବେଳରେ, ଅବେଳରେ ନିରୁଦ୍ଦେଶଭାବରେ ବା ଉଦ୍ଦେଶ୍ୟ ଘେନି ଯାଉଥିବାର ଓ ଆସୁଥିବାର ଅନେକେ ଦେଖିଅଛନ୍ତି ।

 

ସେହି କବିଙ୍କର କାବ୍ୟରେ ଏହି ମଧୁମୟ ପଲ୍ଲୀପ୍ରକୃତି ରମଣୀୟ ଭାବରେ ବିକଶିତ ହୋଇ ଉଠୁଥିଲା । ତେଣୁ ଦୂରସ୍ଥ ନଗରମାନଙ୍କରେ ବୈଚିତ୍ର୍ୟହୀନ ନାଗରିକମାନଙ୍କ ନିକଟରେ ତାଙ୍କର କବିତା ବିଶେଷ ଆଦର ଲାଭ କଲା । ପଲ୍ଲୀର ଶୋଭା-ସୌନ୍ଦର୍ଯ୍ୟ, ସୁଖ-ଦୁଃଖ, ପ୍ରେମ-ସ୍ନେହ, ଏପରି ନିପୁଣଭାବରେ କୌଣସି କବି ପୂର୍ବେ ଆଙ୍କି ପାରି ନ ଥିଲେ । ନିର୍ଜୀବ ନଗର-ସାହିତ୍ୟରେ ପଲ୍ଲୀଜୀବନର ସରସତା ଏକ ନୂତନ ଭାବ ସଞ୍ଚାର କଲା । ଦେଖୁ ଦେଖୁ କବିଙ୍କର ଯଶ ଦେଶମୟ ପରିବ୍ୟାପ୍ତ ହୋଇ ଉଠିଲା । ଦେଶର ତରୁଣ-ତରୁଣୀ ତାଙ୍କର କବିତା ପ୍ରମତ୍ତଭାବରେ ଆଦର କରିବାକୁ ଲାଗିଲେ । ସାତ ପାଞ୍ଚ ମିଳି ଅପରିଚିତ କବିଙ୍କର ଚାରିଆଡ଼େ ଆଲୋଚନା କରିବାକୁ ଲାଗିଲେ । ପ୍ରେମିକ ପ୍ରେମିକା ପଲ୍ଲୀକବିଙ୍କ ରଚନାରୁ ପ୍ରେମ ଉପଭୋଗ ଲାଗି ଉପାଦାନ ପାଇଲେ । ଦେଶର ଶ୍ରେଷ୍ଠ ନଗରର ପଥେ ପଥେ ତରୁଣମାନେ ମିଳି କବିଙ୍କ ଯଶଗାନ କରିବାକୁ ଲାଗିଲେ ।

 

ଏ ଯଶ କେତେକଙ୍କର ଅସହ୍ୟ ହେଲା । ଏମାନଙ୍କ ମଧ୍ୟରୁ କେତେକ ପ୍ରକାଶ୍ୟଭାବରେ କବିଙ୍କର ନିନ୍ଦା କରିବାକୁ ଲାଗିଲେ, କେତେକ କବିଙ୍କୁ ବିଚାରର ଅଯୋଗ୍ୟ ମନେ କରି ତାଚ୍ଛଲ୍ୟ କଲେ, କେତେକ ଗୋପନଭାବରେ କବିଙ୍କ ପ୍ରଶଂସାର ଗତିରୋଧ କରିବାକୁ ଲାଗିଲେ; କିନ୍ତୁ ଏ ସମସ୍ତ ଘାତ ପ୍ରତିଘାତ ମଧ୍ୟରେ କବିଙ୍କର ଯଶ ଧୀରେ ଧୀରେ ବିସ୍ତାରିତ ହେବାକୁ ଲାଗିଲା

 

ଏହି କବିଯଶ ଦୂର ପଲ୍ଲୀରେ ଦରିଦ୍ର କବିଙ୍କି ସମ୍ୟକ୍ ଆନନ୍ଦ ଦେବାକୁ ଲାଗିଲା । କବିଙ୍କଠାରୁ ଅଧିକ ଆନନ୍ଦ ଲାଭ କଲେ, ତାଙ୍କର ପ୍ରେୟସୀ କିନ୍ତୁ ଏହି ଦୁଇଟି ଆତ୍ମା ଛଡ଼ା ସେ ଗ୍ରାମରେ କବିଙ୍କର ମହତ୍ତ୍ୱ ବୁଝିବାକୁ ତୃତୀୟ କେହି ନ ଥିଲେ । କବିଙ୍କର ବନ୍ଧୁମାନେ ଦୂର ଦୂର ଗ୍ରାମରେ ଥାନ୍ତି, ବେଳେ ବେଳେ ଆସନ୍ତି । ଗ୍ରାମରେ ଲୋକେ କହନ୍ତି, ‘ସେ ଖୁବ୍ କବି କରି ପାରୁଛି’–ଏଣୁ ସେମାନଙ୍କର ରସଗ୍ରହଣ ସେହି ପର୍ଯ୍ୟନ୍ତ । ତାହା ବ୍ୟତୀତ ଅନ୍ୟ ଗ୍ରାମବାସୀମାନଙ୍କ ପରି କବି ମଧ୍ୟ ଜଣେ ବୋଲି ଧରା ହୁଅନ୍ତି; ବିଶେଷ ଦୃଷ୍ଟି ଦେଇ ଦେଖିବାକୁ ସେମାନେ ଶିଖି ନ ଥିଲେ ।

 

ଦାରିଦ୍ର୍ୟର ତାଡ଼ନାରେ ଥରେ କବି ଗ୍ରାମ୍ୟ ଧନିକର କବଳରେ ପଡ଼ିଥିଲେ । ଧନିକର ମୁଦ୍ରା ଗରିବର ମୁଦ୍ରାପରି ହୀନବୀର୍ଯ୍ୟ ନୁହନ୍ତି; ସେଗୁଡ଼ାକ ରକ୍ତବୀର୍ଯ୍ୟ ପରି ବଢ଼ନ୍ତି । କବିଙ୍କ ଉଧାରଧନ ତେଣୁ ଅଳ୍ପକାଳ ମଧ୍ୟରେ ଏପରି ବୃଦ୍ଧି ଲାଭ କଲା ଯେ, ଯେଉଁ ଦିନ ଧନିକ ତାଙ୍କ ଦ୍ୱାର ମାଡ଼ି ନିର୍ମ୍ମମ ଭାବରେ ଡାକିବାକୁ ଲାଗିଲା, ସେଦିନ କବି ଖାଦ୍ୟାହାର ତ୍ୟାଗ କଲେ । ରାତ୍ରିର ଅନ୍ଧକାରରେ, ସେଦିନ କବିପତ୍ନୀ ସ୍ୱାମୀଙ୍କ ଶଯ୍ୟାର ଏକପାର୍ଶ୍ୱରେ ଅତି ଧୀରରେ ଉପବେଶନ କରି, ସ୍ୱାମୀଙ୍କୁ ଧୀରେ ଧୀରେ ଉଠାଇଲେ । ‘ଏ, ଶୁଣ । ଏମିତି ଅଧୀର କାହିଁକି ହେଉଛ ? ନଗରରେ ତୁମର ଯଶ ତ ତୁମୁକୁ ପରିଚିତ କରାଇ ଦେଇଛି; ସେଠାରେ ପରିଚୟ ଦେଲେ ତ ତମର ସବୁ ଦୁଃଖ ମେଣ୍ଟି ଯିବ । କିଛି ଦିନ ପାଇଁ ଯାଅ । ଆମେ ପଛେ କଷ୍ଟେ ସୃଷ୍ଟେ ଏଠି ରହିଯିବୁ କିଛିଦିନ ।’

 

ପତ୍ନୀଙ୍କର ଉପଦେଶ କବି ଗ୍ରହଣ କରି ତହିଁ ଆରଦିନ ପ୍ରତ୍ୟୁଷରୁ ଗ୍ରାମର ସେହି ପରିଚିତ ପଥରେ ନଗରଯାତ୍ରା ଆରମ୍ଭ କଲେ । ତାଙ୍କ ମସ୍ତକରେ ପ୍ରିୟତମାଙ୍କର ଲକ୍ଷ ଲକ୍ଷ ରାଣ-ଶପଥ ବ୍ୟତୀତ ଅନ୍ୟ କିଛି ଭାର ନ ଥିଲା । ପଛରେ ଦୁଇଟି ନିରାଶ୍ରୟ ବାଳିକାର ଛବି ତାଙ୍କ ଚିତ୍ତକୁ ସମସ୍ତ ପଥରେ ବ୍ୟାକୁଳ କରି ରଖିଲା ।

 

–୨–

 

କବି ଯେତେବେଳେ ନଗରରେ ପହଞ୍ଚନ୍ତି, ସେତେବେଳେ ନଗରରେ ଏକ ଉତ୍ସବ । ପଲ୍ଲୀର କବି ନଗରର ପଥେ ପଥେ ଘୂରି ଘୂରି ନାଗରିକମାନଙ୍କର ଉଦ୍ଦାମ ଉତ୍ସବ ଦେଖିବାକୁ ଲାଗିଲେ । ନଗରର ଅଶ୍ରାନ୍ତ କୋଳାହଳ, ଘର୍ଘରନାଦୀ ଯାନମାଳା, ଅଗଣିତ ଜନତା, ଧନର ପ୍ରଚୁରତା, ବିଳାସର ବାହୁଲ୍ୟ ମଧ୍ୟରେ ତାଙ୍କର କବିପ୍ରାଣ ନିତାନ୍ତ ସଙ୍କୁଚିତ ହୋଇ ଉଠିଲା । ଏହି ବିରାଟ ଜନସଂଘ ମଧ୍ୟରେ ସେ କେବଳ ଦୂର ପଲ୍ଲୀର ସେହି ପରିଚିତ କୁଟୀରବାସିନୀ ବାଳିକା ଦୁଇଟିର ଆତ୍ମୀୟତା ଖୋଜି ବୁଲିଲେ । ସେ ଦେଖିଲେ, ଅଗଣିତ ଜନସମୁଦ୍ର ମଧ୍ୟରେ ସେ ନିତାନ୍ତ ଏକାକୀ । ତାଙ୍କର ପାଖ ଦେଇ ଯେଉଁ ଜନପ୍ରବାହ ବହି ଯାଉଥିଲା, ତା’ର ଗୋଟିଏ ବିନ୍ଦୁକୁ ମଧ୍ୟ ସେ ଆପଣାର କରି ଜାଣି ପାରିଥିଲେ ଶାନ୍ତି ଅନୁଭବ କରିଥାନ୍ତେ । ନଗରର ନିର୍ମମ ନିଃସଙ୍ଗତା ମଧ୍ୟରେ ସେ ପଲ୍ଲୀର ପରିଚିତ ବୃକ୍ଷଲତା, ପଥ ଘାଟ ଆଦିକୁ ଝୁରି ହେବାକୁ ଲାଗିଲେ ।

 

ଅର୍ଥର ଜ୍ୱାଳାରେ ତାଙ୍କୁ କ୍ରମେ ଅଭିଜାତମାନଙ୍କର ଦ୍ୱାରସ୍ଥ ହେବାକୁ ହେଲା । ପ୍ରଥମ ପରିଚୟରେ ଲୋକେ ଆଗ୍ରହ ପ୍ରକାଶ କଲେ-କିନ୍ତୁ ଯେତେବେଳେ ଦେଖିଲେ ଯେ, ସରସ କବିତା ସହିତ କବିଙ୍କ ଗ୍ରାମ୍ୟରୂପ ଓ ବେଶବାସର ମେଳ ନାହିଁ, ସେଥିରେ ଅନେକଙ୍କର ଉତ୍ସାହ କମି ଆସିଲା । କବି ବଡ଼ ବ୍ୟଥିତ ହେଲେ । କାହିଁକି ଯେ ସେ ପଲ୍ଲୀ ଛାଡ଼ି ଆସିଲେ, ତାହାହିଁ ସେ ଭାବିବାକୁ ଲାଗିଲେ ।

 

ନଗରରେ ଗୋଟିଏ ଅଭିଜାତବଂଶର ସାହିତ୍ୟିକ ଅହଂକାର ଥାଏ । କେତେକଙ୍କର ପ୍ରରୋଚନାରେ କବି ଦିନେ ସେହି ବଂଶର ଦ୍ୱାରସ୍ଥ ହେଲେ । ବଡ଼ ସଙ୍କୁଚିତ, ବଡ଼ ସନ୍ତ୍ରସ୍ତଭାବରେ ଦ୍ୱାର ପର୍ଯ୍ୟନ୍ତ ଯାଇ, ପ୍ରଥମ ଦିନ ସାହସ ଅଭାବରୁ ଫେରି ଆସିବାକୁ ହେଲା । କବି ବୋଧ କଲେ ଯେ, ସେହି ବଂଶ ତାଙ୍କୁ ନିଶ୍ଚୟ କବିଭାବରେ ଜାଣିଥିବ । ଦରିଦ୍ର ଓ ପ୍ରେମିକ ଅଜ୍ଞାତବାସ ଖୋଜନ୍ତି-। ଏ ଦରିଦ୍ରତାର ପରିଚୟ ଦେଇ ପୂର୍ବର କଳ୍ପିତ ସମ୍ମାନକୁ ନଷ୍ଟ କରିବାକୁ କବି ନିତାନ୍ତ କୁଣ୍ଠା ବୋଧ କରୁଥିଲେ ।

 

ବହୁ ଆୟାସରେ ଦ୍ୱିତୀୟ ଦିନ ଯେତେବେଳେ ସେ ସେହି ବଂଶର ସମ୍ମୁଖୀନ ହୁଅନ୍ତି, ସେତେବେଳେ ଅଭିଜାତ-ପୁତ୍ରମାନଙ୍କର ବନ୍ଧୁବାନ୍ଧବ ଘେନି ଆଳାପ ଚାଲିଥିଲା । କବି ଆଳାପର ଶେଷକୁ ଅପେକ୍ଷା କରି ରହିଲେ । କିନ୍ତୁ ସେ ତ ଶେଷ ହେବାର ନୁହେଁ । କର୍ମ୍ମୀଲୋକର ଆଳାପ ପାଇଁ ସମୟ ନ ଥାଏ, କିନ୍ତୁ କର୍ମ୍ମହୀନ ବିଳାସୀର ଆଳାପ ଶେଷ ହୁଏ ନାହିଁ । ବହୁ ସମୟ ଅପେକ୍ଷା ପରେ ଜଣେ କେହି କୌଣସି ଉଦ୍ଦେଶ୍ୟରେ ବାହାରକୁ ଆସି ହଠାତ୍ କବିଙ୍କର ଦର୍ଶନ ପାଇଲେ । କୌଣସି କ୍ରମେ ସେ ପୂର୍ବରୁ କବିଙ୍କର ପରିଚୟ ପାଇଥିଲେ । ସେ ପଚାରିଲେ, ‘ଆପଣ ଏଠାରେ-?’ କବି ତାଙ୍କର ଭିକ୍ଷା ଜ୍ଞାପନ କଲେ । ତହୁଁ ସେ ‘ଆସନ୍ତୁ’ କହି କବିଙ୍କି ଭିତରକୁ ଯିବାକୁ ଇଙ୍ଗିତ ଦେବାରୁ କବି ସଙ୍କୁଚିତ ଭାବରେ ଅନୁଗମନ କଲେ ।

 

ଭିତରର ଆଡ଼ମ୍ବର ମଧ୍ୟରେ କବିଙ୍କର ସଙ୍କୋଚ ଆହୁରି ବଢ଼ିଗଲା । ସେ ମୁହଁ ପୋତି କୌଣସିମତେ ଗୋଟିଏ ଆସନ ଗ୍ରହଣ କରି ବସି ରହିଲେ । ସେହି ପରିଚିତ ଭଦ୍ରଜନ କବିଙ୍କର ପରିଚୟ କରାନ୍ତେ ଅଭିଜାତମାନଙ୍କର ଆଳାପ କ୍ଷଣକ ପାଇଁ ସ୍ଥଗିତ ରହିଲା । କିନ୍ତୁ କ୍ଷଣକ ପାଇଁ । ସମସ୍ତେ ଥରେ ମାତ୍ର ନବାଗତଙ୍କ ପ୍ରତି ଦୃଷ୍ଟିପାତ କରି ପୁଣି ଆଳାପ ଆରମ୍ଭ କରି ଦେଲେ । କବି ନୀରବରେ ବସି ରହିଲେ ।

 

କେତେ ସମୟ ପରେ ଅଭିଜାତମାନେ ବୁଝିଲେ ଆଳାପଟା ଭଲ ଜମୁ ନାହିଁ । ଆଗନ୍ତୁକଟି ଯେ ତାହାର କାରଣ, ତାହା ସମସ୍ତେ ବୁଝି ନେବାରୁ ତାଙ୍କ ମଧ୍ୟରୁ ସହସା ଜଣେ କହି ଦେଲେ, ‘ଆପଣ ପରେ ଆସିବେ, ଦେଖିବା’ । କବି ନୀରବରେ ସମସ୍ତଙ୍କୁ ନମସ୍କାର କରି ବିଦାୟ ନେଲେ । ତାଙ୍କର ପ୍ରସ୍ଥାନ ପରେ ଜଣେ କହିଲା, ‘ଏଇପରା କବିତା ଲେଖେ ?’

 

କବିଙ୍କି ଏହିପରି ବହୁଥର ଆସି ବହୁଥର ଫେରିବାକୁ ହେଲା । ଶେଷରେ ତାଙ୍କୁ ଶୁଣାଇ ଦିଆଗଲା-ତାଙ୍କ ହାତରେ କାମ ହେବ ନାହିଁ, ସେ ଅନ୍ୟ ଉପଯୁକ୍ତ ଲୋକ ରଖିବେ ।

 

କବି ସେଦିନ ଯେତେବେଳେ ରାଜପଥକୁ ବାହାରି ପଡ଼ିଲେ, ନିକଟରେ ଗୋଟିଏ ବସ୍ତୁକୁ ଧରି ପକାଇ ନ ଥିଲେ, ସେହିଠାରେ ତାଙ୍କର ପତନ ଅବଶ୍ୟମ୍ଭାବୀ ହୋଇଥାନ୍ତା । କାରଣ ସେତେବେଳକୁ ତାଙ୍କର ଦୁଇ ଚକ୍ଷୁ ଲୋତକପୂର୍ଣ୍ଣ ।

 

ତହିଁ ଆରଦିନ କବିଙ୍କି ପଲ୍ଲୀପଥରେ ଫେରିବାର ଦେଖାଗଲା । କେତେବର୍ଷ ପରେ ଦୁରନ୍ତ ଦାରିଦ୍ର୍ୟ ମଧ୍ୟରେ ସେ ପ୍ରାଣତ୍ୟାଗ କରିବା କଥା ନଗରରେ ପ୍ରଚାରିତ ହେଲା । ତାଙ୍କ ପୂର୍ବରୁ ତାଙ୍କର ପତ୍ନୀ ପ୍ରାଣତ୍ୟାଗ କରିଥିଲେ, କେବଳ ଭଗିନୀ ତାଙ୍କ ବିୟୋଗରେ ବିଳାପ କରିବାକୁ ରହିଲେ । ମଲା ବେଳକୁ ଦେଶର ପ୍ରତ୍ୟେକ ଚିନ୍ତାଶୀଳ ଲୋକ ତାଙ୍କୁ ଦେଶର ଶ୍ରେଷ୍ଠ କବି ବୋଲି ମାନିଥିଲେ ।

 

ପଚାଶ ବର୍ଷ ପରେ ସେହି ନଗରରେ ସେହି ଅଭିଜାତବଂଶ ଆଉ ନ ଥିଲେ । ଧନରୁ ବ୍ୟସନ ଓ ବ୍ୟସନରୁ ମୃତ୍ୟୁ ଆସେ । ଏହି ନିୟମରେ ସେହି ବିଳାସୀ ବଂଶ କ୍ରମେ ଲୋପ ପାଇବାକୁ ଲାଗିଲେ । ନଗରର ପ୍ରାସାଦ ଜରାଜୀର୍ଣ୍ଣ ହୋଇ ପଡ଼ିଲା । ବିସ୍ତୀର୍ଣ୍ଣ ଜମିଦାରୀ ଭାତୃବିବାଦରେ ଛିନ୍ନ ଭିନ୍ନ ହୋଇ ଗଲା । କୁଳରେ ପ୍ରଦୀପସ୍ୱରୂପ ଦ୍ୱାଦଶ-ବର୍ଷୀୟା ଗୋଟିଏ ବାଳିକା ବର୍ତ୍ତମାନ ଜୀବିତା ।

 

ପଚାଶ ବର୍ଷ ଭିତରେ ସେହି ଦରିଦ୍ର କବିଙ୍କର ଯଶ ଦେଶମୟ ବ୍ୟାପିଯିବାର ଦେଖି, ତରୁଣକୁଳ, ଦେଶର ଶ୍ରେଷ୍ଠ କବି ଦାରିଦ୍ର୍ୟ ମଧ୍ୟରେ ମରିଥିବାରୁ, ପ୍ରାୟଶ୍ଚିତ୍ତ କରିବାକୁ ଦେଶକୁ ଆହ୍ୱାନ କରିଛି । ତାହାରି ଫଳରେ ସେହି ନଗରରେ କବିଙ୍କ ସ୍ମୃତି ରକ୍ଷା ଲାଗି ନୂତନ ଉଦ୍ୟମ ଲାଗିଛି । କବି ଯେଉଁ ଦିନ ସେହି ନଗରରେ ପଦାର୍ପଣ କରିଥିଲେ,ସମସ୍ତ ନଗର ତା’ର ସ୍ମୃତି ପାଳନ କରୁଛି । ଆଜି ସେହି ଦିନ । ତରୁଣମାନଙ୍କର ମିଳିତ ଚେଷ୍ଟାରେ ଆଜି କବିଙ୍କର ମର୍ମ୍ମରପ୍ରସ୍ତରର ମୂର୍ତ୍ତି ନଗରର ଶ୍ରେଷ୍ଠ ଶୃଙ୍ଗାଟକରେ ସ୍ଥାପନ କରିବାର ଉଦ୍‍ଯୋଗ ଲାଗିଛି ।

 

କବିଙ୍କର ମୂର୍ତ୍ତି ଉଦ୍‍ଘାଟିତ ହେଲା । ନଗରର ଶ୍ରେଷ୍ଠ ବ୍ୟକ୍ତିଗଣ କବିଙ୍କର ପ୍ରଶଂସା କରି ବତ୍କୃତା କଲେ । କବିଙ୍କର କାବ୍ୟ ଓ ନାଟକର ଆବୃତ୍ତି ହେଲା । ଶେଷରେ କବିଙ୍କି ଶ୍ରେଷ୍ଠ ସମ୍ୱର୍ଦ୍ଧନା କରାଗଲା ଗୋଟିଏ ସୁନ୍ଦରୀ ବାଳିକାର କଳକଣ୍ଠ ସଙ୍ଗୀତରେ ଓ ମାଳାର୍ପଣରେ । ଏହି ବାଳିକାଟି-ଯେଉଁ ନିର୍ବାପିତ ଅଭିଜାତ ବଂଶ ଦିନେ କବିଙ୍କି ତାଚ୍ଛଲ୍ୟ କରିଥିଲେ, ସେହି ବଂଶର ଶେଷ ପ୍ରଦୀପ-

 

ଧନ ଓ ପ୍ରତିଭାର ଏହିପରି ବ୍ୟତିକ୍ରମ ଯୁଗେ ଯୁଗେ ଘଟି ଆସୁଅଛି ।

Image

 

ସନ୍ଥଜନ

(ଦେବଦୁର୍ଳଭ ଦାସ-ରହସ୍ୟମଞ୍ଜରୀ)

 

ଶୁରୂପା (୧) ପ୍ରାୟେକ ସନ୍ଥ ଉଦର ଅଟଇ

ସେ ଯେହ୍ନେ ସୁଦ୍ରବ୍ୟ ରଖି କୁଦ୍ରବ୍ୟ ତେଜଇ ।

ଚାଲୁଣିଜଳାର ପ୍ରାୟ ଅସନ୍ଥର ଗର୍ଭ

ସୁଲାଗି ପକାଇ ସେ ଅଲାଗି ରଖେ ସର୍ବ ।

ତା’ର ପ୍ରାୟେ ପରଗୁଣ ଗଳାଇ ପକାଇ

ଅନ୍ୟ ଦୋଷ ବୁଦ୍ଧି କରି ପସରା ଦିଅଇ ।

ସନ୍ଥ କହେ ପରଗୁଣ ଆପଣାର ଦୋଷ ।

ଗୁରୁ ବଇଷ୍ଣବ ସେବା ନ ସହଇ ଲେଶ ।

ଏତେକ ପ୍ରକାରେ ସନ୍ଥ ମାହାତ୍ମ୍ୟ ମହିମା

ସନ୍ଥ ହୋଇ ନ ଭାବଇ ଅହଙ୍କାର ସୀମା ।

ପର ଦୁଃଖେ ଦୁଃଖୀ ସନ୍ଥ ପର ସୁଖେ ସୁଖୀ

ପରମକାରଣେ (୨) ସନ୍ଥ ନୋହେ ମନଃ-ଦୁଃଖୀ ।

ହାନି ଲାଭ ବିଚାରି ସର୍ବତେ ଗରୁ (୩) ଭାରି

କାହାର ଠାବରେ ସନ୍ଥ ନୋହେ ଅବେଭାରୀ ।

ସର୍ବ ସୁଖ ମିଳଇ ପ୍ରାପତ (୪) ସନ୍ଥସଙ୍ଗ

ସକଳ କଳହ ନିନ୍ଦା ଅସାଧୁପ୍ରସଙ୍ଗ ।

ସବୁଙ୍କର ସନ୍ଥବୁଦ୍ଧି ଯେବେ ସେ ହୁଅନ୍ତା

ଖଡ଼ଗ କମାଣ ବାଣ କିପାଇଁ ବିହନ୍ତା ।

ଏକରୁ ଆରେକ ନ ଚିହ୍ନନ୍ତି ମତ୍ତଭୋଳେ

ତେଣୁ ମରାମରି ହୋଇ ମରନ୍ତି ସକଳେ ।

ନ୍ୟାୟ ନ ବୁଝନ୍ତି ସେ ବୁଝନ୍ତି ଅନମିତେ *

ମତ୍ତଗର୍ବ ପୁରସ୍କାରେ (୫) ମୋହ ଅନୁବ୍ରତେ (୬) ।

ଦେଖିବା ମାତ୍ରକେ ଭୟେ ଲାଗଇ ଯାହା କୁ

କେସନେକେ ସନ୍ଥ ବୋଲି ବୋଲିବା ତାହାକୁ ।

କହିବାକୁ ଡରି ତେଣେ ନ କହିଲେ ମରି

ସୃଷ୍ଟିନାଶ ଗଲା ପ୍ରଭୁ ବୁଝିବା ବିଚାରି ।

ଏଥୁ ଉଦ୍ଧରିଣ ପ୍ରଭୁ ବେଗେ ମୋତେ ନିଅ

୧ । ଶୂର୍ପ-କୁଲା । ୨ । ପରମକାରଣେ-ଦୁଃଖ ଲାଗି ଶ୍ରେଷ୍ଠ କାରଣ ଥିଲେ ମଧ୍ୟ । ୩ । ଗରୁ-ଗମ୍ଭୀର, ବିଚାରବନ୍ତ । ୪ । ପ୍ରାପ୍ତ-ପାଇଲେ । ଅନମିତେ-ଅବିନୟରେ । ୫ । ପୁରସ୍କାରେ-ପୁରସ୍କାର, ସହିତ । ୬ । ଅନୁବ୍ରତେ-ସର୍ବଦା । ୭ । ପ୍ରାଲବ୍ଧଗ୍ୟ ।

Image

 

ମହାନୁଭବ ଲର୍ଡ଼ ଶାଫ୍‍ଟ୍‍ସ୍‍ବରୀ

 

ବର୍ତ୍ତମାନ ଯୁଗରେ ବାଳକ ବାଳିକାମାନଙ୍କର ଚିତ୍ତବିନୋଦନ ଲାଗି ନାନା ଆୟୋଜନ ହେଉଅଛି । ସବୁ ଦେଶରେ ଲୋକେ ବାଳକ ବାଳିକା ଯେ ଭବିଷ୍ୟତ ଜାତି ଏହା ଉତ୍ତମରୂପେ ହୃଦୟଙ୍ଗମ କରି, ସେମାନଙ୍କର ସ୍ୱଚ୍ଛନ୍ଦ ଲୀଳା, ସ୍ୱାଭାବିକ ଅଭିବୃଦ୍ଧି ଓ ସହଜାତ ବୃତ୍ତିମାନଙ୍କର ଅବାଧ ଉନ୍ନତି ଲାଗି ସମସ୍ତ ପ୍ରକାର ସୁବିଧା କରି ଦେଇଛନ୍ତି । ପ୍ରାଥମିକ ଶିକ୍ଷା ବର୍ତ୍ତମାନ ଶିକ୍ଷକର ରୁଚି ଅନୁଯାୟୀ ନ ହୋଇ ବାଳକ ବାଳିକାମାନଙ୍କର ରୁଚି ଅନୁଯାୟୀ ପ୍ରତିଷ୍ଠିତ ହେଉଅଛି । ସବୁଠାରେ ପାଠଶାଳାମାନଙ୍କରେ ଶିଶୁକୁ ଯେପରି ବେଶୀ ପରିଶ୍ରମ କରିବାକୁ ନ ପଡ଼େ, ସେ ଯେପରି ତା’ର ସ୍ୱାଭାବିକ ବୃତ୍ତି ଅନୁସାରେ ପ୍ରଚୁର କ୍ରୀଡ଼ା କୌତୁକ କରିବାକୁ ସୁଯୋଗ ପାଏ, ତାହା ପ୍ରତି ତୀକ୍ଷ୍‍ଣ ଦୃଷ୍ଟି ଦିଆ ଯାଉଅଛି । କିନ୍ତୁ ହୁଏ ତ ଶହେବର୍ଷ ତଳେ ପୃଥିବୀର ଚାରିଆଡ଼େ ଶିଶୁମାନଙ୍କର ଏପରି ଶୁଭଦିନ ନ ଥିଲା । ସେମାନଙ୍କୁ କାଳାନ୍ତକରୂପୀ ଅବଧାନ ହାତରୁ ବେତମାଡ଼ ଖାଇ ଖାଇ ପ୍ରତ୍ୟହ ଅଶ୍ରୁ ବର୍ଷଣ କରିବାକୁ ପଡ଼ୁଥିଲା । ଯେଉଁମାନେ ପାଠ ପଢ଼ିବାକୁ ଆସୁ ନ ଥିଲେ, ସେମାନଙ୍କୁ ଅନ୍ୟ କ୍ଷେତ୍ରରେ ଭୟଙ୍କର ଅତ୍ୟାଚାର ଭିତର ଦେଇ ଦୁଃଖମୟ ଜୀବନ ଯାପନ କରିବାକୁ ହେଉଥିଲା ।

 

ବିଶେଷତଃ ଇଂଲଣ୍ଡରେ ଶହେବର୍ଷ ତଳେ ଶିଶୁ-ବାଳକମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ଏହି ସମୟରେ କଳିଯୁଗର ଆରମ୍ଭ ହୋଇଥିଲା । ଲୋକେ ଯୁଗ ଯୁଗ ଧରି ନିଜ ନିଜ ଘରେ ଚରଖାରେ ସୂତା କାଟି ଲୁଗା କରି ପିନ୍ଧୁଥିଲେ । କିନ୍ତୁ ହଠାତ୍ କଳ ଆବିଷ୍କୃତ ହୋଇ ବହୁ ଲୋକର କାମ ଜଣକଦ୍ୱାରା ହେବାକୁ ଲାଗିଲା । କଳ ଚଳାଇବା ପାଇଁ ଯେଉଁ ଲୋକ ଦରକାର, ସେମାନେ ଯେ ଅତ୍ୟନ୍ତ ବୁଦ୍ଧିମାନ ବା କୁଶଳୀ ହେବା ଦରକାର, ଏପରି ଆଦୌ ନୁହେ । କାରଣ ଖାଲି ଚଳାଇ ଦେଲେ କଳ ଆପଣାଛାଏଁ ସୂତା କଟାଠୁ ଲୁଗାବୁଣା ଯାଏ ସବୁକାମ ଆପେ କରିଯିବ । ତେଣୁ ଛୋଟ ପିଲାଟିଦ୍ୱାରା କଳ ମୋଡ଼ାଇଲେ ମଧ୍ୟ ଚଳେ । ବଡ଼ଲୋକଙ୍କୁ ବେଶୀ ପାରିଶ୍ରମିକ ଦେଇ ଅଣାଇବା ଅପେକ୍ଷା, କଳମାଲିକମାନେ ଛୋଟ ପିଲାଙ୍କୁ ଅଳ୍ପ ପାରିଶ୍ରମିକ ଦେଇ ଖଟାଇବାକୁ ଲାଭଜନକ ମନେ କରୁଥିଲେ । ସେ ସମୟରେ ଛୋଟ ପିଲା ମଧ୍ୟ ଶସ୍ତାରେ କାମ କରିବା ପାଇଁ ମିଳୁଥିଲେ । ତେଣୁ ନିର୍ମମ କଳ ମାଲିକମାନେ ପିତୃମାତୃହୀନ ଦରିଦ୍ର ପିଲାମାନଙ୍କୁ ସଂଗ୍ରହ କରି ନେଇ କଳରେ ଜୀବନହୀନ କଳପରି ସେମାନଙ୍କୁ ଖଟାଉଥିଲେ । ସେମାନଙ୍କର ଖିଆ ପିଆର ଠିକଣା ନ ଥିଲା । ଖେଳିବାକୁ ଛାଡ଼ି ଦିଆଯାଉ ନ ଥିଲା । ବିଶ୍ରାମ କରିବାକୁ ଦିଆଯାଉ ନ ଥିଲା । ସକାଳୁ ସନ୍ଧ୍ୟାଯାଏ କେବଳ ଅନବରତ ଖଟଣି । କୌଣସି କୌଣସିଠାରେ କାଳେ କେଉଁ ପିଲା କେତେବେଳେ ତା ଜାଗାରୁ ପଳାଇ ପାରେ, ଏହି ଆଶଙ୍କାରେ ପିଲାଗୁଡ଼ିଙ୍କୁ ଚୌକି ସହିତ ବାନ୍ଧି ଦିଆ ଯାଉଥିଲା ଏବଂ ତା ସତ୍ତ୍ୱେ କଠୋର ପରିଶ୍ରମରେ କୋମଳାଙ୍ଗ ବାଳକ ଯଦି କ୍ଳାନ୍ତିରେ ଥକିଯାଏ ତେବେ ପଛରୁ ନିଦାରୁଣ କଶାଘାତ ପ୍ରୟୋଗଦ୍ୱାରା ତା’ର ପରିଶ୍ରାନ୍ତ ଅବୟବଗୁଡ଼ିକୁ ପୁଣି କର୍ମରେ ଲଗାଇ ଦିଆଯାଉଥିଲା ।

 

ଏହି ନିର୍ମମ ଓ ଅମାନୁଷିକ ବ୍ୟାପାର ବହୁଦିନ ଧରି ଚାଲିଲେହେଁ, କେହିହେଲେ ଏହା ବିରୁଦ୍ଧରେ ପାଟି ଫିଟାଉ ନ ଥିଲେ । କାରଣ କଳ ମାଲିକମାନେ ଧନବନ୍ତ ଥିବାରୁ ଓ ଧନବଳରେ ସମାଜରେ ମୁଖ୍ୟ ସ୍ଥାନ ଅଧିକାର କରିଥିବାରୁ, ସେମାନଙ୍କ ଆଚରଣ ବିରୁଦ୍ଧରେ କହିବାକୁ କାହାରି ସାହସ ହେଉ ନ ଥିଲା । ପରିଶେଷରେ ବିଧାତାଙ୍କ ନିର୍ଦ୍ଦେଶସ୍ୱରୂପ ବାଳକବାଳିକାମାନଙ୍କର ପରମବନ୍ଧୁପରି ଲର୍ଡ଼ଶାଫ୍‍ଟ୍‍ଶ୍‍ବରୀ ଆବିର୍ଭୂତ ହୁଅନ୍ତେ ଇଂଲଣ୍ଡର ବାଳକବାଳିକାମାନଙ୍କର ଶୁଭଦିନ ଆରମ୍ଭ ହେଲା ।

 

ଲର୍ଡ଼ଶାଫ୍‍ଟ୍‍ସ୍‍ବରୀ ସମ୍ଭ୍ରାନ୍ତ ବଂଶରେ ଓ ଧନିକ ପିତାର ସନ୍ତାନ ଥିଲେ । ତାଙ୍କ ପିତା ମଧ୍ୟ ଜଣେ ‘ଲର୍ଡ଼’ ବା ‘ସାମନ୍ତ’ ଥିଲେ । କିନ୍ତୁ ଇଂଲଣ୍ଡର ପ୍ରଥାନୁସାରେ ତାଙ୍କର ପିତା ଦୀର୍ଘକାଳ ବଞ୍ଚି ରହିଥିବାରୁ ସେ ବହୁଦିନ ଯାଏ ତାଙ୍କର ସାଧାରଣ ନାମ ଆଶ୍‍ଲି କୁପର ଦ୍ୱାରା ଚାରିଆଡ଼େ ପରିଚିତ ହୋଇଥିଲେ । ପିତାଙ୍କ ମୃତ୍ୟୁ ପରେ, କୌଳିକ ଉପାଧି ଗ୍ରହଣ କରି ସେ ‘ଲର୍ଡ଼ ଶାଫ୍‍ଟ୍‍ସ୍‍ବରୀ’ ଏହି ନାମ ପ୍ରଥମ ବ୍ୟବହାର କରି ଯେତେବେଳେ କୌଣସି ଦାତବ୍ୟ ଅନୁଷ୍ଠାନ ପାଇଁ ଅର୍ଥ ସାହାଯ୍ୟ ଲାଗି ସାଧାରଣଙ୍କୁ ନିବେଦନ କଲେ, ସେତେବେଳେ ତାଙ୍କୁ ଜଣେ ଅପରିଚିତ ବ୍ୟକ୍ତି ଲେଖି ପଠାଇଲେ ଯେ, ସେ ଲର୍ଡ଼ଶାଫ୍‍ଟସ୍‍ବରୀ କିଏ ଜାଣନ୍ତି ନାହିଁ ଏବଂ ଯେ କେହି ହୁଅନ୍ତୁ ନା କାହିଁକି ତାଙ୍କର ସେହି ନିବେଦନକୁ କେହି ଶୁଣିବେ ନାହିଁ । କାରଣ, ଦୟାବାନ୍ ଆଶ୍‍ଲିଙ୍କକ ନାମ ତାହା ସହିତ ସଂପୃକ୍ତ ନୁହେଁ ।

 

ଆଶ୍‍ଲି ଧନିକପିତାର ଜ୍ୟେଷ୍ଠ ସନ୍ତାନ ହେଲେହେଁ, ତାଙ୍କର ଶୈଶବ ବଡ଼ ଦୁଃଖରେ କଟିଥିଲା । ତାଙ୍କର ପିତା ତାଙ୍କ ପ୍ରତି କଠୋର ବ୍ୟବହାର କରୁଥିଲେ ଏବଂ ନିଜେ ଘରେ ନ ରହି, ପିଲାଙ୍କ ଲାଳନଭାର ଭୃତ୍ୟମାନଙ୍କ ଉପରେ ଦେଇ ଯାଉଥିଲେ । ଭୃତ୍ୟମାନେ ବରାବର ପିଲାଗୁଡ଼ିକୁ ଅବହେଳା କରୁଥିଲେ । ତେଣୁ ବିସ୍ତର ସମ୍ପତ୍ତିର ଭବିଷ୍ୟତ ଅଧିକାରୀ ହୋଇ ମଧ୍ୟ ସେ କ୍ରମାଗତ ବହୁଦିନ ଧରି ଉପବାସ ରହିବା କି ଦୁଃଖ ତାହା ଜାଣିଥିଲେ ଏବଂ ଘୋର ଶୀତରାତ୍ରି ମାନଙ୍କରେ ଗରମ ବସ୍ତ୍ର ବା ଟିକିଏ ଅଗ୍ନ୍ୟୁ ତ୍ତାପର ଅଭାବରୁ ସମସ୍ତ ରାତ୍ରି ବିନିଦ୍ର ହୋଇ କଟାଇବା, ସେ ଅନେକବାର ଅନୁଭବ କରିଥିଲେ ।

 

ସପ୍ତମବର୍ଷ ବୟସରେ ସେ ଯେଉଁ ବିଦ୍ୟାଳୟକୁ ପ୍ରେରିତ ହୋଇଥିଲେ, ତାହା ମଧ୍ୟ ଘର ପରି ଭୟଙ୍କର ହୋଇଥିଲା । ସେଠି ମଧ୍ୟ ତାଙ୍କୁ ଉପବାସ ଓ ଭୟରେ ଦିନାତିପାତ କରିବାକୁ ପଡ଼ିଥିଲା । ଏହି ଭୟାବହ ଶୈଶବକାଳରେ ଆଶ୍‍ଲିଙ୍କର ଏକମାତ୍ର ବନ୍ଧୁ ଥିଲା ତାଙ୍କର ବୃଦ୍ଧା ଧାତ୍ରୀ-। ସେହି ବୃଦ୍ଧା ତାଙ୍କୁ ପ୍ରଥମେ ଉପାସନା କରିବାକୁ ଶିଖାଇ ଦେଇଥିଲେ ଏବଂ ଆଶ୍‍ଲି ତାଙ୍କରି ନିକଟରେ କେବଳ ନିଜର ଦୁଃଖ ଜଣାଇବାକୁ ସାହସ କରୁଥିଲେ । କିନ୍ତୁ ତାଙ୍କର ଦୁର୍ଭାଗ୍ୟକୁ ଏହି ମାତୃସମା ଧାତ୍ରୀ ତାଙ୍କର ବାଲ୍ୟାବସ୍ଥାରେହିଁ ପ୍ରାଣତ୍ୟାଗ କରିଗଲେ । ଆଶଲିଙ୍କ ଜୀବନ ଅତ୍ୟନ୍ତ ଦୁଃଖମୟ ହୋଇ ଉଠିଲା । ମଲାବେଳେ ଧାତ୍ରୀ ତାଙ୍କୁ ତାଙ୍କର ଓ୍ୟାଚ୍‍ଟି ଦେଇ ଯାଇଥିଲେ । ଆଶ୍‍ଲି ସମସ୍ତ ସମ୍ପଦ ମଧ୍ୟରେ ଦରିଦ୍ରା ଧାତ୍ରୀର ସେହି ପୁରାତନ ଓ୍ୟାଚ୍‍ଟି ଛଡ଼ା ଅନ୍ୟ ଓ୍ୟାଚ୍ ବ୍ୟବହାର କରି ନ ଥିଲେ ଏବଂ ଗର୍ବସହକାରେ ସେ ତାହା ବନ୍ଧୁମାନଙ୍କୁ ଦେଖାଇ କହୁଥିଲେ ‘ଜଗତରେ ମୋର ଶ୍ରେଷ୍ଠବନ୍ଧୁ ମତେ ଏହା ଦେଇ ଯାଇଛନ୍ତି ।’

 

ଶାଫ୍‍ଟ୍‍ସ୍‍ବରୀ ତାଙ୍କର ଦୁଃଖମୟ ଶୈଶବ କେବେ ହେଲେ ଭୁଲିଯାଇ ନ ଥିଲେ ଏବଂ ସମସ୍ତ ଜୀବନରେ ଅନ୍ୟ ଦୀନହୀନ ନିର୍ଯ୍ୟାତିତ ଶିଶୁମାନଙ୍କର ଦୁଃଖ ଦୂରୀକରଣ ଲାଗି ତାଙ୍କର ସମସ୍ତ ଶକ୍ତି ବ୍ୟୟ କରିଥିଲେ ।

 

ସେ ପାର୍ଲାମେଣ୍ଟ ମହାସଭାର ସଦସ୍ୟ ଥିଲେ ଏବଂ ପୂର୍ବବର୍ଣ୍ଣିତ କଠୋର ଶ୍ରମନିଷ୍ପେଷିତ କଳକାରଖାନାର ବାଳକମାନଙ୍କର କର୍ମ୍ମକାଳ ୧୨ ଘଣ୍ଟାରୁ ୧୦ ଘଣ୍ଟା କରିଦେବା ପାଇଁ ଗୋଟିଏ ପ୍ରସ୍ତାବ ପାର୍ଲାମେଣ୍ଟରେ ଆଗତ କଲେ । କିନ୍ତୁ ସେକାଳରେ କଳମାଲିକମାନେ ଏପରି ସ୍ୱାର୍ଥାନ୍ଧ ଓ ହୃଦୟହୀନ ଥିଲେ ଯେ, ଏହି ସାମାନ୍ୟ ପରିବର୍ତ୍ତନ ଲାଗି ମଧ୍ୟ ସେମାନେ ଘୋର ଅନିଚ୍ଛା ପ୍ରକାଶ କରି ଏହି ପ୍ରସ୍ତାବର ପ୍ରତିବାଦ କଲେ । ଶାଫ୍‍ଟ୍‍ସ୍‍ବରୀ ସଭାସମିତିରେ ବକ୍ତୃତା ଦେଇ ଓ ସମ୍ବାଦପତ୍ରମାନଙ୍କରେ ଲେଖାଲେଖି କରି ବାଳକ ବାଳିକାମାନଙ୍କ ପ୍ରତି କି ପ୍ରକାର ଅମାନୁଷିକ ଅତ୍ୟାଚାର ହେଉଥିଲା, ତାହା ଜନସାଧାରଣ ଓ ଧନିକମାନଙ୍କୁ କ୍ରମେ ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ତାଙ୍କର ସାଧୁ ଚେଷ୍ଟା ଫଳବତୀ ହେବାକୁ ଦୀର୍ଘ ଚଉଦବର୍ଷ ଲାଗିଥିଲା ଏବଂ ପରିଶେଷରେ ଦଶଘଣ୍ଟିଆ ପ୍ରସ୍ତାବ ନିୟମରେ ପରିଣତ ହୋଇଥିଲା ।

 

ଏହାର ଫଳରେ ଦେଶର ସର୍ବାଞ୍ଚଳର କଳ କାରଖାନାମାନଙ୍କରେ ଆନନ୍ଦୋଚ୍ଛ୍ୱାସ ଖେଳି ଯାଇଥିଲା । ଶ୍ରମିକମାନେ ବୁଝିଲେ, କିଏ ବାଳକମାନଙ୍କୁ ଅତ୍ୟାଚାରରୁ ଉଦ୍ଧାର କରିଛି ଏବଂ ସେମାନଙ୍କ ନିକଟକୁ ଗଲାବେଳେ ସେମାନେ ଶାଫ୍‍ଟ୍‍ସ୍‍ବରୀଙ୍କୁ ଉଲ୍ଲୋଳ କୋଳାହଳ ମଧ୍ୟରେ ସମ୍ବର୍ଦ୍ଧନା କରିବାକୁ ଲାଗିଥିଲେ ।

 

କଳକାରଖାନାର ନିର୍ଯ୍ୟାତିତ ବାଳକମାନଙ୍କୁ ସାହାଯ୍ୟ କରି ସାରି ଶାଫ୍‍ଟ୍‍ସ୍‍ବରୀ ଅନ୍ୟଆଡ଼େ ତାଙ୍କର କରୁଣାମୟ ଦୃଷ୍ଟି ସଞ୍ଚାଳନ କରିଥିଲେ । ଇଂଲଣ୍ଡର ପ୍ରତ୍ୟେକ ଗୃହରେ ଧୂମ୍ରନିର୍ଗମନ ପାଇଁ ଧୂମ୍ରନାଳୀ ଥାଏ । ଏହି ଧୂମ୍ରନାଳୀ ପୂର୍ବେ ଅତ୍ୟନ୍ତ ସଂକୀର୍ଣ୍ଣ ଓ ଦୀର୍ଘ ହୋଇ ତିଆରି ହେଉଥିଲା ଏବଂ ତାକୁ ପରିଷ୍କାର କରିବା ଗୋଟିଏ ବଡ଼ ମନୁଷ୍ୟ ପକ୍ଷରେ ସମ୍ଭବ ନ ଥିଲା, ସେଥିଲାଗି ଛୋଟ ପିଲାମାନଙ୍କୁ ଭିତରକୁ ଠେଲି ଦିଆଯାଉ ଥିଲା ଏବଂ ଯେଉଁ ମାନେ ଭୟରେ ଆଦୌ ଉଠିବାକୁ ଇଚ୍ଛା କରୁ ନ ଥିଲେ, ସେମାନଙ୍କର କୋମଳ ପାଦସବୁକୁ ତଳୁ ନିଆଁ ଲଗାଇ ଦଗ୍‍ଧ କରି ଦିଆଯାଉଥିଲା । ଶିଶୁମାନଙ୍କର ବୟସ ଅନେକ ସ୍ଥାନରେ ପାଞ୍ଚବର୍ଷରୁ ମଧ୍ୟ କମ ହୋଇଥାଏ । ଏହିପରି କୋମଳବୟସ୍କ କୋମଳାଙ୍ଗ ଶିଶୁମାନଙ୍କୁ ଊର୍ଦ୍ଧ୍ୱରୁ ସଂକୀର୍ଣ୍ଣ ଗର୍ତ୍ତ ମଧ୍ୟରେ ବାଧ୍ୟ କରି ପୂରାନ୍ତେ, ଧୂମ୍ରନାଳୀର ତୀକ୍ଷ୍ଣଧାରମାନ ବାଜି ସେମାନଙ୍କର ଦେହ କ୍ଷତବିକ୍ଷତ ଓ ଅଳନ୍ଧୂ ବାଜି କ୍ଷତସବୁ ଦୂଷିତ ହୋଇଥାଏ ।

 

ନାନା ପ୍ରତିବନ୍ଧକ ସତ୍ତ୍ୱେ ଶାଫ୍‍ଟ୍‍ସ୍‍ବରୀ ଏହି ବାଳକମାନଙ୍କପାଇଁ ଶେଷପର୍ଯ୍ୟନ୍ତ ଲଢ଼ି ଥିଲେ ଏବଂ ଆଜି ଯେ ଶିଶୁକୁ ଧୂମ୍ରନାଳୀ ପରିଷ୍କାର କରିବାକୁ ପଠେଇବା ଇଂଲଣ୍ତରେ ଆଇନ-ବିରୁଦ୍ଧ ଓ ଦଣ୍ଡନୀୟ ଏହା ଶାଫ୍‍ଟ୍‍ସ୍‍ବରୀ କରିଯାଇ ଅଛନ୍ତି ।

 

ଶାଫ୍‍ଟ୍‍ସ୍‍ବରୀଙ୍କ କରୁଣାର ଧାରା ବର୍ତ୍ତମାନ ଅନ୍ୟଆଡ଼େ ପ୍ରବାହିତ ହେବାକୁ ଲାଗିଲା-। ଏହି ସମୟରେ କୋଇଲା ଖଣିରେ କାମ କରୁଥିବା ବାଳକମାନଙ୍କର ଜୀବନ ବର୍ଣ୍ଣନା କରି ଏକ ଲେଖା ପ୍ରକାଶିତ ହେଲା । ଭୂପୃଷ୍ଠର ତଳକୁ ଖସି, ସଂକୀର୍ଣ୍ଣ ପଥ ଦେଇ ଘୋର ଅନ୍ଧକାରମୟ ନିରାଲୋକ ପାତାଳପୁରୀରେ ପ୍ରବେଶ କଲେ ଯାଇ କୋଇଲାଖଣି-ଏହିପରି ସ୍ଥାନରେ ଛୋଟ ଛୋଟ ପିଲାଙ୍କୁ ଭର୍ତ୍ତିକରି ସମସ୍ତ ସପ୍ତାହରେ କେବଳ ରବିବାରଦିନ ବାହାରକୁ ଆସିବାକୁ ଅନୁମତି ଦିଆଯାଉଥିଲା । ଗମନାଗମନର ପଥ ଏତେ ସଂକୀର୍ଣ୍ଣ ଯେ ପିଲାଗୁଡ଼ିକ କେବଳ ଗୁରୁଣ୍ଡି ଗୁରୁଣ୍ଡି ଯିବା ଆସିବା କରିପାରୁଥିଲେ । ସେହି ଅବସ୍ଥାରେ ପୁଣି ସେମାନଙ୍କୁ କୋଇଲା ଗାଡ଼ ସବୁକୁ ଅଣ୍ଟାରେ ଦଉଡ଼ି ଲଗାଇ ପଛରେ ଭିଡ଼ି ଭିଡ଼ି ବା କୋଇଲା ବୋଝସବୁକୁ ଦୃଢ଼ଭାବରେ ପିଠିରେ ବାନ୍ଧି ଅତି କଷ୍ଟରେ ନେବା ଆଣିବାକୁ ହେଉଥିଲା ।

 

ଶାଫଟ୍‍ସ୍‍ବରୀ ନିଜ ଆଖିରେ ସବୁ କଥା ଦେଖି ଆସିବାପାଇଁ କୋଇଲାଖଣିସବୁ ପ୍ରଦର୍ଶନ କରିବାକୁ ବାହାରିଲେ ଏବଂ ଯାହା ଦେଖିଲେ ସେଥିରେ ସେ ସ୍ତମ୍ଭୀଭୂତ ହୋଇ ପଡ଼ିଲେ । ସେ ଏ ସମ୍ବନ୍ଧରେ ସରକାରଙ୍କ ପକ୍ଷରୁ ଗୋଟିଏ ଅନୁସନ୍ଧାନ ହେବାପାଇଁ ତୀବ୍ର ଦାବୀ କଲେ । ସରକାରୀ ଅନୁସନ୍ଧାନ ହେଲା ଏବଂ ତାହାରି ଫଳରେ କୋଇଲାଖଣିର ଯେଉଁ ବିଭୀଷିକାମୟ ଚିତ୍ର ପ୍ରକାଶିତ ହେଲା, ତାହା ପାଠ କରି ଇଂଲଣ୍ତର ଚାରିଆଡ଼େ କ୍ରୋଧତରଙ୍ଗ ସୃଷ୍ଟି ହେଲା ଏବଂ ସଙ୍ଗେ ସଙ୍ଗେ ନୂତନ ନିୟମମାନ ପ୍ରଣୀତ ହୋଇ କୋଇଲାଖଣିର ହତଭାଗ୍ୟ ବାଳକମାନଙ୍କ ଜୀବନକୁ ସ୍ୱଚ୍ଛନ୍ଦ କରିବାର ଚେଷ୍ଟା ହେଲା ।

 

ବର୍ତ୍ତମାନ ମହାନୁଭବ ଶାଫ୍‍ଟ୍‍ସ୍‍ବରୀ ଲଣ୍ଡନ ନଗରରେ ପଥଚାରୀ ବିପଥଗାମୀ ବାଳକମାନଙ୍କର ଦୁର୍ଦ୍ଦଶା ଫେରାଇବା ନିମନ୍ତେ ଲାଗିପଡ଼ିଲେ । ସେତେବେଳେ ଲଣ୍ଡନର ଅପ୍ରଧାନ ଗଳିମାନ ଚୋର-ତସ୍କରମାନଙ୍କର ଲୀଳାଭୂମି ହୋଇଥାଏ । ପଥପାର୍ଶ୍ୱର ଗୃହମାନଙ୍କରେ ଗୁପ୍ତଗୃହ ଓ ଗୁପ୍ତଦ୍ୱାର ଦେଇ, କଟୁଆଳର ଦୃଷ୍ଟି ଏଡ଼ି ନାନା ବୀଭତ୍ସକାଣ୍ଡ ବରାବର ଘଟୁଥାଏ । ସରଳପ୍ରକୃତିକ ଯାତ୍ରୀ ଓ ପଥିକମାନଙ୍କୁ ଏହି ଗୃହମାନଙ୍କୁ ଭୁଲାଇ ନେଇ, ସେମାନଙ୍କର ସର୍ବସ୍ୱ ଅପହରଣ କରି ଶେଷରେ ପ୍ରାଣ ମଧ୍ୟ, ତସ୍କରମାନେ ନେଇ ଯାଉଥିଲେ ଏବଂ ଆହୁରି ବୀଭତ୍ସତର କଥା ଏହି ଯେ ଏହି ଜଘନ୍ୟ ବ୍ୟବସାୟରେ ନୈପୁଣ୍ୟଲାଭ କରି ଜୀବିକାର୍ଜନ କରିବାପାଇଁ ବାଲ୍ୟକାଳରୁ ଅନେକ ବାଳକବାଳିକା ଦୀକ୍ଷିତ ଓ ଶିକ୍ଷିତ ହେଉଥିଲେ । ଏହି ବିପଥଗାମୀ ବାଳକବାଳିକାମାନଙ୍କୁ ସତ୍‍ମାର୍ଗକୁ ଆଣି, ସଦୁପାୟରେ ଜୀବିକାର୍ଜନ ଶିଖାଇବାଲାଗି, ଶାଫ୍‍ଟ୍‍ସ୍‍ବରୀ ତସ୍କରସେବିତ ଏକ ଅଞ୍ଚଳରେ ଗୋଟିଏ ବିଦ୍ୟାଳୟ ପ୍ରଥମେ ସ୍ଥାପନ କଲେ । ଶିକ୍ଷା ରାତ୍ରି କାଳରେହିଁ ଦିଆଯାଉଥିଲା ଏବଂ ଶିକ୍ଷକଙ୍କୁ ରାସ୍ତାମାନଙ୍କରୁ ଛାତ୍ରମାନଙ୍କୁ ସଂଗ୍ରହ କରି ଆଣିବାକୁ ହେଉଥିଲା । ପ୍ରଥମେ ଏହି ପଥଭ୍ରାନ୍ତମାନଙ୍କୁ ସମ୍ଭାଳିବା ବିଷମ ବ୍ୟାପାର ହେଲା । ସେମାନଙ୍କର ଜୀବନ ନଗରର ରାସ୍ତା ଉପରେ ନଗରଜୀବନର ସକଳ ଆବର୍ଜନା ମଧ୍ୟରେ ବର୍ଦ୍ଧିତ ହୋଇଥିଲା । ସେମାନେ ଭଦ୍ରବ୍ୟବହାର କରିବାର, ଭଦ୍ରକଥା କହିବାର, ଶାନ୍ତ ଶିଷ୍ଟ ହେବାର ଆଦୌ ଜାଣି ନ ଥିଲେ । କିନ୍ତୁ ଶିକ୍ଷକମାନଙ୍କର ଅଦମ୍ୟ ଚେଷ୍ଟାରେ ସେମାନଙ୍କର ଜୀବନରୀତି କ୍ରମେ କ୍ରମେ ପରିବର୍ତ୍ତିତ ହେବାକୁ ବସିଲା ଏବଂ ଅନେକେ ପୂର୍ବର ପଙ୍କିଳ ପଥ ପରିତ୍ୟାଗ କରି ନୂତନ ଜୀବନ ଆରମ୍ଭ କଲେ । ଶାଫ୍‍ଟ୍‍ସ୍‍ବରୀ ଉତ୍ସାହିତ ହୋଇ କ୍ରମେ ଏହିପରି ଅନେକ ବିଦ୍ୟାଳୟ ବସାଇଗଲେ ।

 

ସମସ୍ତ ଜୀବନ ପରୋପକାର ଓ ସାଧୁକର୍ମରେ ବ୍ୟୟ କରି ମହାପ୍ରାଣ ଶାଫ୍‍ଟ୍‍ସ୍‍ବରୀ କ୍ରମେ ବୃଦ୍ଧ ହୋଇ ପଡ଼ିଲେ । ମୃତ୍ୟୁଶଯ୍ୟା ଗ୍ରହଣ କଲାବେଳକୁ ତାଙ୍କୁ ୮୪ ବର୍ଷ ବୟସ । ଜୀବନଯାକ କର୍ମ କରି କରି ବାର୍ଦ୍ଧକ୍ୟରେ ଶାନ୍ତି ପାଇବାପାଇଁ ସେ ବ୍ୟାକୁଳ ଥାଇ ପାରନ୍ତି ବୋଲି କେହି କେହି ଅନୁମାନ କରି ପାରନ୍ତି । କିନ୍ତୁ ଶାଫ୍‍ଟ୍‍ସ୍‍ବରୀ ଶାନ୍ତି ବା ବିଶ୍ରାମ ଇଚ୍ଛା କରୁ ନ ଥିଲେ । ସେ ଇଚ୍ଛା କରୁଥିଲେ, ଯେପରି ଆହୁରି ପରୋପକାରରେ ନିଜକୁ ନିୟୋଜିତ କରନ୍ତେ, ଏଥିପାଇଁ ମୃତ୍ୟୁଶଯ୍ୟାରେ ସେ କହିଥିଲେ, ‘ଜଗତର ଏତେ ଦୁଃଖ ଆଖିରେ ଦେଖି’ ଏହା ଛାଡ଼ିବା ମୋ ପକ୍ଷରେ ଅସହ୍ୟ ହେଉଅଛି ।’

 

ଯେତେବେଳେ ତାଙ୍କର ଶବ ଓୟେଷ୍ଟମିନିଷ୍ଟର ଆଡ଼କୁ ମହାସମାରୋହରେ ନୀତ ହୋଇଥିଲା, ତାଙ୍କଦ୍ୱାରା ଉପକୃତ ସହସ୍ର ସହସ୍ର ନରନାରୀ ତାଙ୍କର ଶେଷ ଚିହ୍ନକୁ ସମ୍ମାନ ଦେଖାଇବାନିମିତ୍ତ କୃଷ୍ଣବର୍ଣ୍ଣଚିହ୍ନ ଧାରଣ କରି ରାସ୍ତାର ଦୁଇ ପାର୍ଶ୍ୱରେ ବହୁଦୂରଯାଏ ଠିଆହୋଇ ରହିଥିଲେ । ତାଙ୍କ ସମ୍ବନ୍ଧରେ କେହି କହିଛନ୍ତି, ‘ସେ ନିରାଶ୍ରୟ, ପିତୃମାତୃହୀନ, ରୋରୁଦ୍ୟମାନ ବାଳକଙ୍କର ଶରଣ, ଅନ୍ଧର ଚକ୍ଷୁ, ଖଞ୍ଜର ପଦ, ଏବଂ ଦରିଦ୍ରର ପିତା ଥିଲେ ।’

Image

 

ବୀର ବାଳକ

 

ଗତ ମହାଯୁଦ୍ଧରେ ଫ୍ରାନ୍‍ସହିଁ ରଣଚଣ୍ଡୀର ପ୍ରଧାନ ଲୀଳାଭୂମି ହୋଇଥିଲା । ଜର୍ମାନମାନଙ୍କର ଅଦମ୍ୟ ଅଭିଳାଷ ଥିଲା ଯେ, ସେମାନେ ଫ୍ରାନ୍‍ସର ରାଜଧାନୀ ପାରିସ୍ ଅଧିକାର କରି ସମଗ୍ର ଫରାସୀ ଜାତିକୁ ଲାଞ୍ଛିତ କରିବେ । ସେହି ଅଭିଳାଷରେ ସେମାନେ ନିରପରାଧ ବେଲିଜିୟମ୍ ରାଜ୍ୟକୁ ଧ୍ୱଂସ କରି କ୍ରମେ ଫ୍ରାନ୍‍ସର ଉର୍ବର ଓ ଶସ୍ୟଶ୍ୟାମଳ ବକ୍ଷରେ ଧ୍ୱଂସର ଲୀଳା ଆରମ୍ଭ କରିବାକୁ ଲାଗିଲେ । ସେମାନେ ସଂଖ୍ୟାରେ ଅତ୍ୟନ୍ତ ଅଧିକ ଥିବାରୁ ଓ ଫରାସୀ ସୈନିକମାନେ ଯଥାସମୟରେ ରଣପ୍ରାଙ୍ଗଣରେ ସମବେତ ହୋଇ ପାରି ନ ଥିବାରୁ କ୍ରମେ ମାଡ଼ି ଅଗ୍ରସର ହେବାକୁ ଲାଗିଲେ ଏବଂ ଫରାସୀ ସୈନିକମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସମଗ୍ର ଫରାସୀ ଦେଶରେ ସମର-ପିପାସା ଜାଗ୍ରତ୍ ହୋଇ ଉଠିଲା ଏବଂ ଭାବପ୍ରବଣ ପ୍ରତ୍ୟେକ ବୀର ଫରାସୀଯୁବକ ଦେଶରୁ ଏହି ଶତ୍ରୁମାନଙ୍କୁ ନିଜର ପ୍ରାଣ ଦେଇ ବିତାଡ଼ିତ କରିବାକୁ ପ୍ରବଳ ଇଚ୍ଛା ପ୍ରକାଶ କରିଥିଲେ । ଏହିପରି ଜଣେ ବୀର ବାଳକର କାହାଣୀ ନିମ୍ନରେ ଦିଆଗଲା ।

 

ସେତେବେଳେ ଏମିଲ ଜେ’ପ୍ରେର ବୟସ ମୋଟେ ଚଉଦ । ଏ ବୟସରେ ସୈନିକ ହୋଇ ରଣଭୂମିରେ ପ୍ରବେଶ କରିବା ନିୟମ ବିରୁଦ୍ଧ । ତେଣୁ ଅଦମ୍ୟ ଇଚ୍ଛା ସତ୍ତ୍ୱେ, ଏମିଲ୍ ଦେଶପାଇଁ ଓ ଜାତିପାଇଁ ସମର କରିବାର ସୁଯୋଗ ପାଇ ପାରି ନ ଥିଲା । କିନ୍ତୁ ମାତୃଭୂମିପାଇଁ ପ୍ରାଣ ଦେବାର ଲୋଭନୀୟ ଭାଗ୍ୟରୁ ସେ ବଞ୍ଚିତ ହେଲା ନାହିଁ- ସେ ଗୌରବ ତା ଭାଗ୍ୟରେ ଶୀଘ୍ର ଘଟିଲା ।

 

ଯୁଦ୍ଧ ଆରମ୍ଭ ହେବାର କେତେକ ସସ୍ତାହ ପରେ ଏମିଲ୍‍ର ଗାଁ ନିକଟରେହିଁ ଯୁଦ୍ଧ ଲାଗିଲା । ପୂର୍ବେ ଯେପରି କୁହାଯାଇଛି, ପ୍ରଥମେ ଫରାସୀ ସୈନିକମାନେ ସେମାନଙ୍କର ଅଦ୍ଭୁତ ବୀରତ୍ୱ ସତ୍ତ୍ୱେ ପଛକୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ଅନେକ ଆହତ ସୈନିକ ଏମିଲ୍‍ର ଗାଁଭିତର ଦେଇ ପଳାଇବାର ଚେଷ୍ଟା କଲେ । କେତେକ ଅଜସ୍ର ରକ୍ତ-ସ୍ରାବହେତୁ ଏକାନ୍ତ ଅବଶ ହୋଇ ପଥପ୍ରାନ୍ତରେ ଭୂତଳଶାୟୀ ହୋଇ ପଡ଼ିଲେ । ଗ୍ରାମର ଗୃହିଣୀଗଣ ଘରୁ ବାହାରିପଡ଼ି ସେମାନଙ୍କର କ୍ଷତମାନଙ୍କୁ ବସ୍ତ୍ରାଚ୍ଛାଦିତ କରି ନିଜ ନିଜ ଗୃହରେ ଆଶ୍ରୟ ଦେଇ ଶୁଶ୍ରୂଷା କରିବାର ଚେଷ୍ଟା କଲେ । ଗ୍ରାମର ବାଳକଗଣ ଦୌଡ଼ାଦୌଡ଼ି କରି ପିପାସାତୁର ସୈନିକମାନଙ୍କୁ ଜଳଦାନ କରିବାକୁ ଲାଗିଲେ । ମଧ୍ୟେ ମଧ୍ୟେ ଦୂରନିକ୍ଷିପ୍ତ ବୋମାମାନଙ୍କର ଭଗ୍ନାଂଶମାନ ଗ୍ରାମ ମଧ୍ୟରେ ପତିତ ହୋଇ, ଗ୍ରାମବାସୀଙ୍କର କ୍ଷତି କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଆତଙ୍କ ଜନ୍ମାଇଥାଏ ।

 

ପରିଶେଷରେ ଜର୍ମାନ ସୈନିକମାନେ ଗ୍ରାମ ମଧ୍ୟରେ ପ୍ରବେଶ କଲେ । ସେମାନେ ଗୃହମାନଙ୍କର ଦ୍ୱାର ଓ ବାତାୟନସବୁ ବଳପୂର୍ବକ ନଷ୍ଟ କରି ଆହତ ଫରାସୀସୈନିକମାନଙ୍କର ଅନ୍ୱେଷଣ କରିବାକୁ ଲାଗିଲେ, ଏବଂ ଶୁଶ୍ରୂଷାକାରିଣୀ ନାରୀମାନଙ୍କ ପ୍ରତି କ୍ରୁଦ୍ଧଭାବ ପ୍ରକାଶ କଲେ-। ଗୋଟିଏ କୁଟୀରରେ ଜନୈକ ଆହତ ସୈନିକ ମରଣାପନ୍ନ ଅବସ୍ଥାରେ ପଡ଼ିଥାଏ । ପାର୍ଶ୍ୱ ଦେଶରେ କଠିନ ଆଘାତ ପ୍ରାପ୍ତ ହୋଇ ଥିବାରୁ ପ୍ରଚୁର ରକ୍ତପାତ ଓ ଅତୀବ ଯନ୍ତ୍ରଣା ଯୋଗୁ ତା’ର ମୁଖ ବିବର୍ଣ୍ଣ, ଚକ୍ଷୁ ମୁଦ୍ରିତ ଓ ଓଷ୍ଠ ଶୁଷ୍କ ହୋଇ ଉଠିଥିଲା । ସେହି କୁଟୀରର ଗୃହିଣୀ, ନିଜ ଦେଶର ସେହି ବୀରସୈନିକକୁ ଯଥାଶକ୍ତି ଶାନ୍ତି ଓ ସୁଖ ଦେବା ଚେଷ୍ଟାରେ ତା’ର ଶୁଶ୍ରୂଷାରେ ରତ ଥିଲେ । ଏପରି ସମୟରେ ଜଣେ ଜର୍ମାନ ସୈନିକ-କର୍ମଚାରୀ କେତେକ ଲୋକ ନେଇ ସେହି କୁଟୀରରେ ପ୍ରବେଶ କଲେ । ସେମାନଙ୍କର ପ୍ରତ୍ୟେକର ହସ୍ତରେ ସଙ୍ଗୀନ୍‍ଦିଆ ରାଇଫ୍‍ଲ୍ । କର୍ମଚାରୀଟି ଶୁଶ୍ରୂଷାକାରିଣୀଙ୍କୁ ଅଶୋଭନୀୟଭାବରେ ଠେଲି ଦେବାରୁ ସେ ପାଟି କରି କହିଲେ, ‘ରେ ଭୀରୁ, ଏହି ସାହାସୀ ଆହତ ସୈନିକର ସେବା କରୁଛି ବୋଲି କ’ଣ ମୋ ପ୍ରତି ଏହି ଦୁର୍ବ୍ୟବହାର ?’

 

ଉତ୍ତରରେ କର୍ମଚାରୀଟି ଅପଭାଷା ପ୍ରୟୋଗ କରି ତାଙ୍କୁ ପ୍ରହାର କଲା । ଅବଳା ନିରାଶ୍ରିତଭାବରେ ଚିତ୍କାର କରିଉଠିଲେ । ଶଯ୍ୟାଶାୟିତ ଆହତ ସୈନିକ, ଜଣେ ଜର୍ମାନ ହାତରେ ନିଜ ଦେଶର ଜଣେ ନାରୀ ଏପରି ଅତ୍ୟାଚାରିତ ହେବା ସହ୍ୟ କରି ପାରିଲେ ନାହିଁ । ସେ ତାଙ୍କର କହୁଣୀ ଉପରେ ନିଜକୁ ଉଠାଇ, ନିଜର ରିଭଲ୍‍ବର୍ ପ୍ରୟୋଗ କରିବାକୁ ଲାଗିଲେ । ଗୁଳି କର୍ମଚାରୀର ମସ୍ତିଷ୍କରେ ପ୍ରବେଶ କରନ୍ତେ, ବର୍ବର ସେହି ସ୍ଥାନରେ ଟଳି ପଡ଼ିଲା । ସମ୍ମୁଖରେ ଏହି ଭୟାବହ ମୃତ୍ୟୁଲୀଳା ଦେଖି ଶୁଶ୍ରୂଷାକାରିଣୀ ଭୟରେ ଚକ୍ଷୁ ବୁଜିଦେଲେ ।

 

ଜର୍ମାନ ସୈନିକମାନେ ଏକସ୍ୱରରେ, ଡାକିଉଠିଲେ, ‘ଏଥିପାଇଁ ଏହାର ମୃତ୍ୟୁ ହେବ’ ଏହା କହି ଆହତ ସୈନିକଟିକୁ ଶଯ୍ୟାରୁ ଭିଡ଼ି ଆଣିଲେ ।

 

ଏମିଲ୍ ନାରୀର ଚିତ୍କାର ଓ ବନ୍ଧୁକର ଶବ୍ଦ ଶୁଣି, ଘର ଭିତରକୁ ଆସି ଏହି ଭୟଙ୍କର ଦୃଶ୍ୟ ଦେଖିବାକୁ ପାଇଲା । ତା’ର ଇଚ୍ଛା ହେଲା, ସେ ତା’ର ଦେଶର ଶତ୍ରୁ ଗୁଡ଼ାଙ୍କୁ ଚୂର୍ଣ୍ଣ କରିଦିଅନ୍ତା, କିନ୍ତୁ ଚଉଦ ବର୍ଷର ବାଳକ ବିରାଟକାୟ ଓ ସଶସ୍ତ୍ର ଜର୍ମାନସୈନିକମାନଙ୍କୁ କି ପ୍ରକାରେ ପରାଭବ କରି ପାରେ ? ଏହି ସମୟରେ ଆହତ ଫରାସୀ ସୈନିକଟି ‘ପାଣି’ ‘ପାଣି’ ବୋଲି ପାଟି କରି ଉଠିଲା । ତା’ର ଜିହ୍ୱା ପିପାସାରେ ପୋଡ଼ି ହୋଇ ଯାଉଥିଲା । ଜର୍ମାନୀସୈନିକମାନେ ଫରାସୀ ଭାଷା ବୁଝି ପାରୁ ନ ଥିବାରୁ, ସୈନିକଟି କ’ଣ କହିଲା ତା’ ବୁଝି ନ ପାରି, ତା’ର ହାତ ଗୋଡ଼ ବାନ୍ଧି ତାକୁ ଫୋପାଡ଼ି ଦେଲେ । କିନ୍ତୁ ଏମିଲ୍ ସମସ୍ତଙ୍କ ଅନ୍ତରାଳରେ ଗୋଟିଏ ପାତ୍ର ଆଣି ସ୍ୱଦେଶୀୟ ସୈନିକର ମୁଖକୁ ବଢ଼ାଇ ଦିଅନ୍ତେ ସେ ତାହା ପାନ କରି ଅତ୍ୟନ୍ତ କୃତଜ୍ଞତା ଅନୁଭବ କଲା । କିନ୍ତୁ ସୈନିକକୁ ସାହାଯ୍ୟ ଦେବାର ଦେଖି ଜର୍ମାନ ସୈନିକମାନେ ତାକୁ ମଧ୍ୟ ବାନ୍ଧି ପକାଇଲେ ଏବଂ ତାକୁ ନିର୍ମମଭାବରେ ପ୍ରହାର କରିବାକୁ ଲାଗିଲେ । ତୀବ୍ର ବେଦନା ସତ୍ତ୍ୱେ କୋମଳାଙ୍ଗ ବାଳକ ଏମିଲ୍‍ର ଚକ୍ଷୁରେ ଲୋତକ ଦେଖାଗଲା ନାହିଁ । ତା’ର ଜାତି ଓ ଦେଶପାଇଁ ସେ ସେହି ଯନ୍ତ୍ରଣା ନୀରବରେ ସହ୍ୟ କଲା । ଏହି ସମୟରେ ଆଉ ଜଣେ ଜର୍ମାନ ରଣକର୍ମଚାରୀ କ୍ଷେତ୍ରରେ ଉପସ୍ଥିତ ହୋଇ ଓ ବାଳକର ସାହସ ଦେଖି, ତାକୁ ମଧ୍ୟ ଆହତ ସୈନିକ ସହ ଗୁଳି କରି ବଧ କରିବାକୁ ଆଦେଶ ଦେଲା ।

 

ଆଦେଶପ୍ରାପ୍ତ ସୈନିକମାନେ ଏମିଲ୍ ଓ ଆହତ ସୈନିକର ଚକ୍ଷୁକୁ ଆଚ୍ଛାଦିତ କରି ସମବେତ ଗ୍ରାମବାସୀମାନେ ଯେଉଁଠାରେ ସେମାନଙ୍କର ବଧକ୍ରିୟା ଦେଖି ପାରିବେ ଏପରି ଏକ ସ୍ଥାନକୁ ନେଇଗଲେ । ଉଭୟେ ସାହସର ସହିତ ଦଣ୍ଡାୟମାନ ହେଲେ । ଏମିଲ୍ ମୁଖରେ ଭୟର ଚିହ୍ନ ସୁଦ୍ଧା ଦେଖାଯାଉ ନ ଥାଏ । ଏପରି ସମୟରେ ଜର୍ମାନ କର୍ମଚାରୀଟି ଏମିଲ୍‍କୁ ବଧ ପରିବର୍ତ୍ତରେ ଅପମାନିତ କରିବାକୁ ଇଚ୍ଛା କରି ତାହାର ଆଚ୍ଛାଦନ ଫିଟାଇ ଦେବାକୁ ଆଦେଶ ଦେଲେ । ଏମିଲ୍‍ର ଚକ୍ଷୁରୁ ଆବରଣ ଖୋଲି ଦିଆଗଲା ଏବଂ ତାକୁ କର୍ମଚାରୀ ନିକଟକୁ ଅଣାଗଲା-। ନିର୍ଭୀକ ପଦକ୍ଷେପରେ ଏମିଲ୍ କର୍ମଚାରୀ ନିକଟରେ ଉପଗତ ହୁଅନ୍ତେ, କର୍ମଚାରୀଟି ତା ହାତରେ ଗୋଟିଏ ରାଇଫଲ୍ ଦେଇ ଆଦେଶ ଦେଲା-‘ଦେଖ ବାଳକ, ତୁମେ ଯଦି ତୁମର ସେହି ଆହତ ସୈନିକକୁ ଗୁଳି କରି ମାରି ପାରିବ,ତେବେ ତମକୁ ମରିବାକୁ ହେବ ନାହିଁ ।

 

ଏମିଲ୍‍ର ସମସ୍ତ ଶରୀର ଘୃଣାରେ ପୂରି ଉଠିଲା । କିନ୍ତୁ ସେ କିଛି ନ କହି କେବଳ ଈଷତ୍ ହାସ୍ୟ କଲା ।

 

ଜର୍ମାନକର୍ମଚାରୀ ପଛକୁ ଘୁଞ୍ଚିଗଲେ । ଏମିଲ୍ ରାଇଫଲ କାନ୍ଧ ପର୍ଯ୍ୟନ୍ତ ଉଠାଇ ଘୋଡ଼ାରେ ଟିପ ଦେଲା । ଜର୍ମାନମାନେ ସତୃଷ୍ଣଦୃଷ୍ଟିରେ ଅନାଇ ରହିଥାନ୍ତି । ହଠାତ୍ ଏମିଲ୍ ଘୂରି ପଡ଼ି, ଜର୍ମାନକର୍ମଚାରୀକୁ ଗୁଳି କରିବାକୁ ଲାଗିଲା । ଚକ୍ଷୁର ନିମେଷରେ ଚତୁର୍ଦ୍ଦଶ ବର୍ଷୀୟ ଫରାସୀବାଳକ ସ୍ୱଦେଶର ଗୋଟିଏ ଶତ୍ରୁକୁ ଭୂତଳଶାୟୀ କରି ପକାଇଲା ।

 

ଅତିକାୟ ଜର୍ମାନସୈନିକମାନେ ବାଳକ ଏମିଲ୍ ଉପରକୁ ଏକାବେଳକେ ଝମ୍ପ ଦେଲେ-। ଦୁଇ ଜଣ ସୈନିକ ସେମାନଙ୍କର ସଙ୍ଗିନଦ୍ୱାରା ତା’ର ଶରୀରକୁ ବିଦ୍ଧ କରି ପକାଇଲେ; ଅନ୍ୟମାନେ ଗୁଳି ଛାଡ଼ିବାକୁ ଲାଗିଲେ । ବୀର ବାଳକ ଏମିଲ୍ ତଳେ ପଡ଼ିବା ଆଗରୁ ପ୍ରାଣତ୍ୟାଗ କଲା ।

 

ଗ୍ରାମବାସୀମାନେ ଏମିଲ୍‍ର ଏହି ପରିଣତିରେ ଘୋର ଦୁଃଖ ପ୍ରକାଶ କଲେ । କିନ୍ତୁ ସେମାନଙ୍କର ଏହି ଆନନ୍ଦ ହେଲା ଯେ, ଏମିଲ୍ ଦେଶଦ୍ରୋହୀ ନ ହୋଇ ବୀର ପରି ମାତୃଭୂମି ଲାଗି ପ୍ରାଣ ଦେଲା । ବସ୍ତୁତଃ ଏମିଲ୍ ପରି ବାଳକ ପ୍ରତ୍ୟେକ ଜାତିର ଗୌରବ ବସ୍ତୁ ।

Image

 

କ୍ଷମା

 

ଜଗତର ସକଳ ଧର୍ମର ଉପାସନାରେ ମନୁଷ୍ୟ ନିଜର ଦୋଷ ଅପରାଧ କ୍ଷମା କରିବାକୁ ଭଗବାନଙ୍କୁ ପ୍ରାର୍ଥନା କରୁଅଛି । ଯେଉଁମାନେ ଈଶ୍ୱରୋପାସନା କରନ୍ତି, ସେମାନଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହା ଅତ୍ୟନ୍ତ ସତ୍ୟ । ଅଜ୍ଞାନରେ ବା ସଜ୍ଞାନରେ ଆମ୍ଭେମାନେ ଦିନର ପ୍ରତି ମୁହୂର୍ତ୍ତରେ ଅନେକ ଅପରାଧ କରି ପକାଉଥାଇଁ–ଯାହାର ନ୍ୟାୟ ବିଚାର ହେଲେ ଆମ୍ଭେମାନେ କଠିନ ଶାସ୍ତି ଲାଭ କରନ୍ତୁ; କିନ୍ତୁ ଜଗତର ଅଦୃଶ୍ୟ ବିଚାରକର୍ତ୍ତା ଆମ୍ଭମାନଙ୍କର ସେ ସବୁ ଅପରାଧ କ୍ଷମା କରନ୍ତି । ମନୁଷ୍ୟର ଦୁର୍ବଳତା ଓ ଅପରାଧପ୍ରବଣତା ଜଗତର ସୃଷ୍ଟିକର୍ତ୍ତାଙ୍କୁହିଁ ଜଣା; ତେଣୁ ତାଙ୍କର ଅନୁକମ୍ପା ଦୁର୍ବଳ ମନୁଷ୍ୟକୁ କ୍ଷମା ଦିଏ । କିନ୍ତୁ ଯେଉଁ କ୍ଷମା ଆମ୍ଭେମାନେ ସୃଷ୍ଟିକର୍ତ୍ତାଙ୍କୁ ଭିକ୍ଷା କରୁଁ, ତାହା ଅନ୍ୟମାନଙ୍କୁ ଦେଉଁ କି ? ମନୁଷ୍ୟର ଏକ ଦୋଷ ଏହି ଯେ, ସେ ଆତ୍ମଦୋଷ ଓ ଆତ୍ମଦୁର୍ବଳତା ବୁଝି ପାରେ ନାହିଁ । କିନ୍ତୁ ପରଦୋଷ ଓ ପରଦୁର୍ବଳତା ଦେଖି ପାରିବାରେ ସେ ଅତ୍ୟନ୍ତ ତତ୍ପର । ଗ୍ରୀକ୍ ଇଷପ୍‍ଙ୍କର ଗୋଟିଏ ଗଳ୍ପ ଏହି ଯେ, ପ୍ରତ୍ୟେକ ମନୁଷ୍ୟ ନିଜ କାନ୍ଧରେ ସବୁବେଳେ ଦୁଇଟି ଭାର ଆଗ ପଛ କରି ବହନ କରନ୍ତି । ଆଗ ଭାରଟି ପରଦୋଷରେ ଓ ପଛ ଭାରଟି ଆତ୍ମ ଦୋଷରେ ଭର୍ତ୍ତି ହୋଇଥାଏ । ପଛ ଭାରଟି ଚକ୍ଷୁର ଅନ୍ତରାଳରେ ରହିଥିବାରୁ, ସେ ଆତ୍ମଦୋଷ ଦେଖି ପାରେ ନାହିଁ, କିନ୍ତୁ ଆଗ ଭାରଟି ସବୁବେଳେ ଆଖି ଆଗରେ ଥିବାରୁ ସେ କେବଳ ପରଦୋଷଗୁଡ଼ିକ ଦେଖିବାକୁ ପାଏ । ଆମ୍ଭମାନଙ୍କ ଦୈନନ୍ଦିନ ଜୀବନର ଗୋଟିଏ ଦିଗ ଏହି ରୂପକରେ ଅତ୍ୟନ୍ତ ସୁନ୍ଦରଭାବରେ ପ୍ରକଟିତ ହୋଇଅଛି । କାରଣ, ଏହା ସମସ୍ତଙ୍କର ଅନୁଭୂତି ଯେ, ସାଧାରଣତଃ ଲୋକେ ବିଚାରନ୍ତି,ସେମାନଙ୍କର ନିଜର କୌଣସି ଅପରାଧ ନାହିଁ, ଜଗତର ଯେତେ ଅନ୍ୟାୟ ସବୁ ଅନ୍ୟମାନେ କରୁଛନ୍ତି ।

 

ନିଜର ଦୋଷ-ଦୁର୍ବଳତାକୁ ନ ପାସୋରି ପରର ଅପରାଧକୁ ଦୟାଳୁ ଭାବରେ ବିଚାର କରିବା ସମୀଚୀନ କଥା । ଅପରାଧର ବିଚାର କଲାବେଳେ କରୁଣା ପ୍ରଦର୍ଶନ କଲେ, ସେଥିରେ ମନୁଷ୍ୟର ଦେବତ୍ୱ ବିକଶିତ ହୁଏ–ଏହା ସେକ୍‍ସପିୟର ତାଙ୍କର ଏକ ପ୍ରସିଦ୍ଧ ନାଟକରେ ସୁନ୍ଦରଭାବରେ ବ୍ୟକ୍ତ କରିଅଛନ୍ତି । ପ୍ରତିହିଂସା ଓ ଶାସ୍ତି ଅପେକ୍ଷା କ୍ଷମା ଓ କରୁଣାରେ ଯେ ମନୁଷ୍ୟର ଦେବତ୍ୱ ବିକଶିତ ହୁଏ ଏହା କେହି ଅସ୍ୱୀକାର କରିବେ ନାହିଁ । ଏକେ ତ ଭ୍ରମପ୍ରମାଦ ସମସ୍ତଙ୍କ ଜୀବନରେ ଘଟେ; ତେଣୁ ଅନେକ କ୍ଷେତ୍ରରେ କ୍ଷମାଚରଣ କରିବା ଓ ଦଣ୍ଡ ଦେଲେ ମଧ୍ୟ ଅପରାଧୀ ପ୍ରତି ମାନବିକ ବ୍ୟବହାର କରିବା ଉଚିତ । ତା ପରେ ଆହୁରି ବିଚାର କରିବାର କଥା ଏହି ଯେ, ଅନ୍ୟାୟ ଓ ଅପରାଧ ଅନେକ କ୍ଷେତ୍ରରେ, ଅପରାଧୀର ଚିତ୍ତବୃତ୍ତି ଅପେକ୍ଷା, ପାରିପାର୍ଶ୍ୱିକ ଘଟଣା ଉପରେ ଅଧିକ ନିର୍ଭର କରେ । ଦେଖାଯାଇଛି ଯେ, ଅନେକ ସାଧୁଲୋକ ମଧ୍ୟ ଅବସ୍ଥାକ୍ରମରେ ଏପରି ଅନ୍ୟାୟ କରିଅଛନ୍ତି, ଯାହା ଭିନ୍ନ ଅବସ୍ଥାରେ ଥିଲେ ସେ କେବେହେଲେ କରି ନ ଥାନ୍ତେ । ଦୁର୍ଭିକ୍ଷବେଳେ କ୍ଷୁଧାଯନ୍ତ୍ରଣା ସହ୍ୟ କରି ନ ପାରି ମାଆ ପ୍ରାଣର ଶିଶୁକୁ ସାମାନ୍ୟ ଖାଦ୍ୟ ଲାଗି ବିକ୍ରୟ କରି ଦେବାର ଓ ଆହାରବେଳେ ନିଜର ସନ୍ତାନମାନଙ୍କ ସଙ୍ଗେ କଳହ କରିବାର ଦେଖାଯାଇଛି । ଜୀବନର ଏପ୍ରକାର ସାଂଘାତିକ ଅବସ୍ଥାରେ ପଡ଼ିଲେ, ପ୍ରତ୍ୟେକ ମନୁଷ୍ୟ ଯେ ଏପରି ଜଘନ୍ୟ ଭାବରେ ଆଚରଣ କରିବେ, ଏଥିରେ ସନ୍ଦେହ ନାହିଁ । ଜୀବନରେ ଏପରି ଆହୁରି ନାନା ପ୍ରକାର ଘଟଣାଚକ୍ର ଅଛି, ଯେଉଁଥିରେ ଅନ୍ୟାୟ-ଅପରାଧ କରିବା ବିଶେଷ ବିଚିତ୍ର କଥା ନୁହେ । ଏକେ ତ ମନୁଷ୍ୟ ଭ୍ରମପ୍ରବଣ, ତା ପରେ ଭ୍ରମ-ପ୍ରମାଦ ପାଇଁ ଜଗତରେ ପ୍ରଲୋଭନ ଓ ଉପାଦାନର ଅଭାବ ନାହିଁ । ଏସବୁ ଦୃଷ୍ଟିରେ ମନୁଷ୍ୟ ପ୍ରତି କଠୋର ବ୍ୟବହାର ନ କରି ଅନୁକମ୍ପା ଓ କ୍ଷମା କରିବା ଯେ ସର୍ବଥା ବିଧେୟ । ତାହା କେହି ଅସ୍ୱୀକାର କରିବେ ନାହିଁ ।

 

ତା ପରେ କ୍ଷମା ଓ କରୁଣାକୋମଳ ବ୍ୟବହାରଦ୍ୱାରା ଅପରାଧୀ ହୃଦୟରେ ଅନେକ ସମୟରେ ଦେବତ୍ୱର ବିକାଶ ହୁଏ । ଶାସ୍ତି ଓ ଦଣ୍ଡଦ୍ୱାରା ସେପରି ହେବାର କେବେ ଦେଖାଯାଇ ନାହିଁ । ଶାସ୍ତି ଦେବାର ଏକମାତ୍ର ଉଦ୍ଦେଶ୍ୟ ଏହି ଯେ, ତଦ୍ଦ୍ୱାରା ଅପରାଧୀର ଚରିତ୍ର ସଂଶୋଧିତ ହେବ । କିନ୍ତୁ ଯେପରି ଦେଖାଯାଉଛି, କଠିନ ଶାସ୍ତି ଓ କାରାଗାରର ଅମାନୁଷିକ ଅତ୍ୟାଚାର ଫଳରେ ଅଧିକାଂଶ ଅପରାଧୀଙ୍କର ଚରିତ୍ର ଚିରକାଳଲାଗି ନଷ୍ଟ ହୁଏ । ଏହି ଅପରାଧୀମାନେ ଯଦି କରୁଣ ଓ ମାନବିକ ବ୍ୟବହାର ପାଉଥାନ୍ତେ, ତେବେ ଏହା ନିଶ୍ଚିତ କଥା ଯେ, ସେମାନଙ୍କର ଚରିତ୍ର ବହୁ ପରିମାଣରେ ସଂଶୋଧିତ ହୋଇ ପାରନ୍ତା ।

 

କ୍ଷମାକୁ କେତେକ ଲେଖକ ‘ମହତ୍ତ୍ୱର ପ୍ରତିହିଂସା’ ବୋଲି ଆଖ୍ୟା ଦେଉଅଛନ୍ତି, କାରଣ ପ୍ରତିହିଂସା ପଶୁପ୍ରବୃତ୍ତିକୁ ଜାଗ୍ରତ କରି ଜଗତରେ ଅପରାଧ ବଢ଼ାଏ ମାତ୍ର; କିନ୍ତୁ କ୍ଷମା ମାନବପ୍ରାଣରେ ଦେବଭାବର ସଞ୍ଚାର କରି ଅପରାଧକୁ ସମୂଳେ ନଷ୍ଟ କରେ । ସେଥିପାଇଁ ଆମ୍ଭମାନଙ୍କର ପ୍ରତ୍ୟେକଙ୍କ ଜୀବନରେ କ୍ଷମାବୃତ୍ତିର ଅନୁଶୀଳନ କରିବା ଉଚିତ ଏବଂ ଆମ୍ଭେମାନେ ଯେତେବେଳେ ଜାଣୁ ଯେ, ଆମ୍ଭମାନଙ୍କର ସମସ୍ତଙ୍କ ଜୀବନରେ ଭ୍ରମ-ପ୍ରମାଦ ଅଛି ଓ ଅବସ୍ଥାବିଶେଷରେ ଜଣେ ଯେପରି ଅନ୍ୟାୟ କରିଛି, ଆମ୍ଭେମାନେ ପ୍ରତ୍ୟେକେ ସେହିପରି କରନ୍ତେ, ତେତେବେଳେ ଆମ୍ଭେମାନେ ଅପର ସାଧାରଣଙ୍କର ବିଚାର ବା ସେମାନଙ୍କ ପ୍ରତି ବ୍ୟବହାର କଲାବେଳେ କ୍ଷମାଶୀଳ ହେବା ଉଚିତ ।

Image

 

ମହାଯୁଦ୍ଧରେ ଭାରତୀୟର ବୀରତ୍ୱ

 

ଯେତେବେଳେ ଜର୍ମାନମାନେ ଶୁଣିଲେ ଯେ, ଭାରତୀୟ ସୈନିକମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରରେ ଠିଆ ହେବାକୁ ଆସୁଛନ୍ତି, ସେମାନେ କଥାଟାକୁ ଘୃଣାରେ ହସି ଉଡ଼ାଇ ଦେଇଥିଲେ, କିନ୍ତୁ ଅଳ୍ପକାଳ ମଧ୍ୟରେ ସେମାନଙ୍କୁ ମତ ପରିବର୍ତ୍ତନ କରିବାକୁ ହୋଇଥିଲା । ଭାରତୀୟ ସୈନିକମାନଙ୍କର ଆକ୍ରମଣ ନିଜେ ଅନୁଭବ କରିଥିବା ଜଣେ ଜର୍ମାନ ସୈନିକ ଲେଖିଛନ୍ତି, “ଅତ୍ୟନ୍ତ ଅତର୍କିତଭାବରେ ସେହି ପାଣ୍ଡୁବର୍ଣ୍ଣ ସୈନିକଗଣ ଆମ୍ଭମାନଙ୍କ ଉପରକୁ ମାଡ଼ି ଆସିଲେ । ସେମାନଙ୍କର ବିକଟ ରଣନିନାଦ ନିକଟରେ ଆମ୍ଭମାନଙ୍କର ‘ହୁରେ’ ଧ୍ୱନି ଶିଶୁର ଚିତ୍କାର ଭଳି ପ୍ରତୀୟମାନ ହେଲା । ଦୁଇଶତ ହାତ ଦୂରରୁ ଆମ୍ଭେମାନେ ଧ୍ୱଂସକାରୀ ଅଗ୍ନିବର୍ଷଣ କରିବାକୁ ଲାଗିଲୁଁ । ଆଗ୍ନେୟାସ୍ତ୍ରମାନଙ୍କର ଲେଲିହାନ ଜିହ୍ୱାସମୂହ ସେମାନଙ୍କର ଶତ ଶତଙ୍କୁ କବଳିତ କଲେହେଁ ସେମାନେ ଅନ୍ୟତ୍ରାଗୋଚର କ୍ଷିପ୍ରତା ସହ କ୍ରୁଦ୍ଧ ମାର୍ଜ୍ଜାରମାନଙ୍କ ପରି ଆମ୍ଭମାନଙ୍କ ଉପରକୁ ଲମ୍ଫପ୍ରଦାନ କରିବାକୁ ଲାଗିଲେ ଏବଂ ଅଳ୍ପକାଳ ମଧ୍ୟରେ ଆମ୍ଭମାନଙ୍କର ପରିଖା ମଧ୍ୟରେ ପ୍ରବେଶ କଲେ । ସହସା ଆମ୍ଭେମାନେ ଅନୁଭବ କଲୁଁ ଯେ, ପାଣ୍ଡୁର ଭାରତୀୟ ଉପେକ୍ଷାର ପାତ୍ର ନୁହେ । ତରବାରୀ, ସଂଗୀନ ଓ ଛୁରିକା ସାହାଯ୍ୟରେ ଯୁଦ୍ଧ ଚାଲିବାକୁ ଲାଗିଲା ଏବଂ ଆମର ନୂତନ ବାହିନୀ ଆମ ସଙ୍ଗେ ଯୋଗ ଦେଇ ମଧ୍ୟ ଭାରତୀୟମାନଙ୍କୁ ପରିଖାରୁ ବହିଷ୍କାର କରିବା ଅତ୍ୟନ୍ତ ଦୁଷ୍କର ହୋଇଥିଲା ।”

 

ପ୍ରଥମେ ପ୍ରଥମେ ଜର୍ମାନମାନେ ଭାରତୀୟ ସୈନିକମାନଙ୍କ ସଙ୍ଗେ ଚାତୁର୍ଯ୍ୟ ପ୍ରୟୋଗ କରି ସେମାନଙ୍କୁ ଛିନ୍ନ ଭିନ୍ନ କରିବାକୁ ଚେଷ୍ଟା କରିଥିଲେ । ଦିନେ ଜ୍ୟୋତ୍ସ୍ନା ରାତିରେ ଜଣେ ଜର୍ମାନ ସୈନିକ ଗୁର୍ଖା ସୈନିକର ପୋଷାକ ପିନ୍ଧି, ଗୁର୍ଖା ସୈନିକମାନଙ୍କ ପରିଖା ନିକଟରେ ଦଣ୍ଡାୟମାନ ହୋଇ ଇଂରାଜିରେ କହିଲା, “ଗୁର୍ଖାମାନେ ଚାଲିଯାଅ, ଆଜି ଏଠାରେ ଏକ ନୂତନ ସୈନ୍ୟଦଳ ଅବସ୍ଥାନ କରିବେ ।”

 

ସେହି ଛଦ୍ମବେଶୀର କଥାରେ ଗୁର୍ଖାମାନେ ସ୍ଥାନତ୍ୟାଗ କରିଥିଲେ ସେହି ରାତ୍ରିରେ ଜର୍ମାନବାହିନୀ ଅକ୍ଳେଶରେ ବ୍ରିଟୀଶ ପରିଖା ଅଧିକାର କରି ପାରିଥାନ୍ତେ; କିନ୍ତୁ ଗୁର୍ଖା ଭୁଲ କରିବାର ଯୋଦ୍ଧା ନୁହେ । ଜଣେ ଗୁର୍ଖା ଛଦ୍ମବେଶୀକୁ ଜିଜ୍ଞାସା କଲା–“କିଏ ତୁମେ ? କେଉଁଠୁ ଆସିଛ ?” ଛଦ୍ମବେଶୀ ଉତ୍ତରରେ କେବଳ ପ୍ରଥମ ଥରର ବାକ୍ୟ ଦୁଇଟି ପୁନରାବୃତ୍ତି କଲା ମାତ୍ର । ଏଥିରେ ଗୁର୍ଖାମାନଙ୍କର ସନ୍ଦେହ ବୃଦ୍ଧି ପାଇଲା ଏବଂ ଜଣେ କର୍ମଚାରୀ ଜର୍ମାନସୈନିକକୁ ପ୍ରଶ୍ନ କଲା, “ତୁମେ ଯଦି ଗୁର୍ଖା ହୋଇଥାଅ, ତେବେ କହ ତ ତୁମେ କେଉଁ ଜାହାଜରେ ଆସିଲ ?”

 

ଏ ପ୍ରଶ୍ନର ଉତ୍ତର ଦେବା ଜର୍ମାନର ସାଧ୍ୟାତୀତ ଥିଲା । ସେ କିଛି ନ କହି ପୁନରାବର୍ତ୍ତନ କରି ପଳାୟନ କରିବାକୁ ଲାଗିଲା । ସଙ୍ଗେ ସଙ୍ଗେ ଗୁର୍ଖା–ପରିଖାରୁ ଗୁଳି ଚଳିବାକୁ ଲାଗିବାରୁ ଷଡ଼୍‍ଯନ୍ତ୍ରକାରୀ ଜର୍ମାନ ସୈନ୍ୟଟି ନିତାନ୍ତ କ୍ଷତବିକ୍ଷତ ହୋଇ ତଳେ ପଡ଼ି ପ୍ରାଣ ହରାଇଲା ।

 

କ୍ରମେ ଏହା ମଧ୍ୟ ଜଣା ପଡ଼ିଲା ଯେ, ଗୁର୍ଖାମାନେ ଚାତୁରୀ ଓ କୌଶଳ ପ୍ରୟୋଗରେ ମଧ୍ୟ ଜର୍ମାନମାନଙ୍କଠାରୁ କୌଣସି ଅଂଶରେ ହୀନ ନୁହନ୍ତି । ବେଲିଜିୟମର କୌଣସି ଏକ ସ୍ଥାନରେ ଇଂରେଜ ଓ ବେଲଜିୟାନ୍‍ମାନଙ୍କର ମିଳିତ ଶକ୍ତି ଜର୍ମାନବାହିନୀ ସଙ୍ଗେ ଯୁଦ୍ଧରତ ଥାଏ । ଯୁଦ୍ଧର ଅବସ୍ଥା ଅତ୍ୟନ୍ତ ଭୟଙ୍କର ଜଣା ପଡ଼ୁଥାଏ । ଜୟ ପରାଜୟ ଅନିଶ୍ଚିତ ଥିଲେହେଁ ଜର୍ମାନମାନଙ୍କୁ ସେ ସ୍ଥାନରୁ ବିତାଡ଼ିତ କରିବା ଅତ୍ୟନ୍ତ ଆବଶ୍ୟକ ହେବାରୁ ଦଳେ ଗୁର୍ଖାସୈନ୍ୟଙ୍କୁ ସମ୍ମୁଖ ସମରରେଖାକୁ ପ୍ରେରଣ କରାଗଲା । ଇଂରେଜ ଓ ବେଲ୍‍ଜିୟାନ୍‍ମାନେ ପଶ୍ଚାତରେ ରହି ଯୁଦ୍ଧର ଫଳକୁ ଅପେକ୍ଷା କରି ରହିଲେ ଏବଂ ଉଭୟ ଦିଗରୁ ପ୍ରଖରଗତିରେ ଅଗ୍ନିବର୍ଷଣ ହେବାକୁ ଲାଗିଲା-। ସମଗ୍ର ଦିବସ ଧରି ଗୁର୍ଖାମାନେ ଯୁଦ୍ଧ କରି ଆସିଲେହେଁ ଜର୍ମାନ ପକ୍ଷରେ ନୂତନ ସୈନ୍ୟଦଳ ଆସି ମିଶିବାରୁ ଓ ପ୍ରକାଶ୍ୟ ଆକ୍ରମଣ ହେବାର ଆଶଙ୍କା ହେବାରୁ ରାତ୍ରିରେ ମଧ୍ୟ ସେମାନେ ଯୁଦ୍ଧ ଚଳାଇବାକୁ ଲାଗିଲେ; କିନ୍ତୁ ନିଶୀଥ ସମୟରେ ଦେଖାଗଲା ଯେ, ଉଭୟ ପକ୍ଷର ଅଗ୍ନିବର୍ଷଣ କ୍ଷାନ୍ତ ହୋଇଅଛି ଏବଂ ଗୁର୍ଖାମାନେ କେଉଁଆଡ଼େ ଅପସାରିତ ହୋଇ ଯାଇଅଛନ୍ତି । ପଶ୍ଚାତର ବ୍ରିଟୀଶ ସୈନ୍ୟମାନେ ଭାବିଲେ, ବୋଧହୁଏ, କୌଣସି ନୂତନ ଦିଗରୁ ସୈନ୍ୟଚାଳନା ଦରକାର ପଡ଼ିବାରୁ ଗୁର୍ଖାମାନେ ଚାଲି ଯାଇଅଛନ୍ତି; କିନ୍ତୁ ରାତ୍ରି ପ୍ରଭାତ ହୁଅନ୍ତେ ଦେଖାଗଲା ଯେ, ଗୁର୍ଖାମାନେ ପୁଣି ନିଜ ନିଜ ସ୍ଥାନରେ ଦଣ୍ଡାୟମାନ । ସେମାନଙ୍କୁ ସେହି ସ୍ଥାନରେ ଠିଆ ହେବାକୁ ଦେଇ ସମସ୍ତ ରାତ୍ରିର ବିଶ୍ରାମ ପରେ ଉତ୍ସାହିତ ବ୍ରିଟୀଶ ସୈନିକମାନେ ଜର୍ମାନ ପରିଖା ଆଡ଼କୁ ଅଗ୍ରସର ହୋଇ ଅସ୍ତ୍ର ନିକ୍ଷେପ କରିବାକୁ ଲାଗିଲେ । କିନ୍ତୁ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଦେଖିଲେ ଯେ, ସେମାନଙ୍କୁ ବାଧା ଦେବାଲାଗି ଜଣେ ସୁଦ୍ଧା ଜର୍ମାନର ଦେଖା ନାହିଁ । ବନ୍ଧୁକ ଓ ତୋପ ସବୁ ଯଥାସ୍ଥାନରେ ଅଛି, ମାତ୍ର ବନ୍ଧୁକୀ ଓ ତୋପୀ ସୈନିକଗଣ ପଂକ୍ତିକ୍ରମରେ ମହାନିଦ୍ରାରେ ଅଭିଭୂତ । ସମସ୍ତ ପରିଖାରେ ମୃତ ଜର୍ମାନମାନଙ୍କର ଶବମାଳା । ଏହି ଅଦ୍ଭୁତକ୍ରିୟା ସମ୍ୱନ୍ଧରେ ବ୍ରିଟୀଶ ସୈନିକମାନଙ୍କର ଆଉ ସନ୍ଦେହ ରହିଲା ନାହିଁ । ସେମାନଙ୍କର ବୁଝିବାକୁ ଆଉ ବାକୀ ରହିଲା ନାହିଁ ଯେ, ନିଶୀଥ କାଳରେ ଭାରତୀୟ ସୈନିକମାନେ ଜର୍ମାନ ପରିଖା ଭିତରେ ନିର୍ଭୀକ ଭାବରେ ପ୍ରବେଶ କରି ମୁଖାମୁଖି ଯୁଦ୍ଧରେ ସମସ୍ତ ଜର୍ମାନମାନଙ୍କୁ ନିପାତ କରି ଯାଇଅଛନ୍ତି ଏବଂ ଏହି ଅଶ୍ରୁତପୂର୍ବ ସାହସ ଓ ବୀରତ୍ୱ ଫଳରେ ସହସ୍ର ସହସ୍ର ବ୍ରିଟୀଶ ଓ ବେଲ୍‍ଜିୟାନ୍ ସମଯୋଦ୍ଧୃମାନଙ୍କର ଜୀବନରକ୍ଷା କରି ପାରିଅଛନ୍ତି ।

 

ଭାରତୀୟମାନଙ୍କର ଆଉ ଏକ ନୈଶ ଅଭିଯାନର କାହାଣୀ ଏହିପରି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ । ବ୍ରିଟୀଶ ଓ ଫରାସୀ ସୈନିକମାନେ ଗୋଟିଏ ଗ୍ରାମ ଅଧିକାର କରିଥାନ୍ତି, କିନ୍ତୁ ସେହି ଗ୍ରାମର ଉପକଣ୍ଠସ୍ଥ ଗୋଟିଏ ବନଭୂମିରେ ଜର୍ମାନ୍ ସୈନିକମାନେ ଅବସ୍ଥାନ କରୁଥାନ୍ତି । ସାରା ଦିବସର କ୍ଳାନ୍ତିକାରୀ ସମର ପରେ ଉଭୟ ପକ୍ଷ କିଞ୍ଚିତ୍ ବିଶ୍ରାମ ଆବଶ୍ୟକ କରୁଥିଲେ ଏବଂ ଜର୍ମାନ ଦଳପତି ବିପକ୍ଷ ପକ୍ଷରୁ ନୈଶ ଆକ୍ରମଣର ଆଶଙ୍କା କରି ଦୁଇ ପଂକ୍ତିରେ ପ୍ରହରୀ ଜଗାଇ ଦେଇ ଅନ୍ୟ ସୈନିକମାନଙ୍କୁ ନିଦ୍ରା ଯିବାର ସୁଯୋଗ ଦେଉଥିଲେ ।

 

ଏହି ଅବସ୍ଥାରେ ଜଣେ ବ୍ରିଟୀଶ ଓ ଫରାସୀ ଯୁଦ୍ଧକର୍ମଚାରୀ ଅବସ୍ଥା ବିଚାର କରି କଥୋପକଥନ କରୁଥିଲେ । ଫରାସୀ କର୍ମଚାରୀ କହିଲେ, “ନୈଶ ଆକ୍ରମଣର ଆଶା ବୋଧ ହୁଏ କମ୍ ।”

 

ଅନ୍ୟ ଜଣକ ଉତ୍ତର ଦେଲେ; କଦାପି ନୁହେ । ମୁଁ ଶୁଣୁଛି, ଶୀଘ୍ର ଦଳେ ଭାରତୀୟ ସୈନିକ ଏଠାରେ ଉପସ୍ଥିତ ହେବାର ଅଛି । ତା’ହେଲେ ସାମାନ୍ୟ ପ୍ରାଣହାନିରେ ଆମେ ଏହି ବନଭୂମି ଆଜି ଅଧିକାର କରି ପାରିବା ।

 

ଫରାସୀ ସନ୍ଦେହରେ ମସ୍ତକ ହଲାଇବାକୁ ଲାଗିଲା ଏବଂ କହିଲା, ଭାରତୀୟମାନେ କେବେ ଜର୍ମାନ ପ୍ରହରୀମାନଙ୍କ ନିକଟକୁ ଯାଇ ପାରିବେ ନାହିଁ । ଗଲେ ମଧ୍ୟ ସେମାନେ ଦେଖା ପଡ଼ିବେ ଓ ଧରା ପଡ଼ିବେ ।

 

ଏହି ସମୟରେ ଜଣେ ଦୂତ ଖବର ଦେଲା ଯେ, ଭାରତୀୟ ସୈନିକଦଳ ଉପସ୍ଥିତ ହୋଇଅଛନ୍ତି ଏବଂ ଯେ କୌଣସି ସ୍ଥାନକୁ ଯେ କୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ଶୁଣି ବ୍ରିଟୀଶ କର୍ମଚାରୀଟି ଉତ୍ସାହର ସହିତ କହିବାକୁ ଲାଗିଲା, “ମୁଁ ଗୋଟିଏ ସଭ୍‍ରେନ୍ ବାଜି ରଖି କହୁଛି, ଜର୍ମାନ ପ୍ରହରୀମାନେ ଜାଗ୍ରତ ଥିଲେ ମଧ୍ୟ ଭାରତୀୟମାନେ ସେମାନଙ୍କର ଯୁଗ୍ମ ପଂକ୍ତିକୁ ଭାଙ୍ଗି ସଫା କରିଦେବେ ।”

 

ଫରାସୀ ହସି ହସି ଉତ୍ତର ଦେଲା–ମୁଁ ମଧ୍ୟ ଗୋଟିଏ ସଭରେନ୍ ବାଜି ରଖୁଛି ଯେ, ସେମାନେ ପାରିବେ ନାହିଁ ଏବଂ ମୁଁ ବାଜିରେ ହାରିଲେ ମଧ୍ୟ ଦୁଃଖିତ ହେବି ନାହିଁ ।

 

ଅର୍ଦ୍ଧରାତ୍ର ସମୟକୁ ଗ୍ରାମ ଓ ବନଭୂମିରେ ପରିପୂର୍ଣ୍ଣ ଶାନ୍ତି ବିରାଜିତ ହେବାକୁ ଲାଗିଲା । ଜର୍ମାନ ସୈନିକମାନେ ଗଭୀର ନିଦ୍ରାରେ ଅଭିଭୂତ ହୋଇ ପଡ଼ିଥିଲେ । କେବଳ ପ୍ରହରୀମାନେ ଚାରିଆଡ଼କୁ ତୀକ୍ଷ୍‍ଣ ଦୃଷ୍ଟି ଦେଇ ଜାଗ୍ରତ ରହିଥିଲେ । ଦଳେ ଭାରତୀୟ ସୈନିକ ଗ୍ରାମରୁ ବାହାରି ପଡ଼ି ବନଭୂମିର ଅନ୍ଧକାରରେ ମିଶିଗଲେ ଏବଂ ଫରାସୀ ଓ ବ୍ରିଟୀଶ କର୍ମଚାରୀଯୁଗଳ ସେମାନଙ୍କର କର୍ମକଳାପ ଦେଖିବା ଲାଗି ଉତ୍‍ପକ୍ଷ୍ମନୟରେ ଗଭୀର ଅନ୍ଧକାର ଆଡ଼କୁ ଅନାଇ ରହିଲେ । ଅନେକ ସମୟ ଅତୀତ ହେଲା, କିନ୍ତୁ ଭାରତୀୟମାନଙ୍କର ଗତିବିଧି ଆଦୌ କିଛି ଜଣା ପଡ଼ିଲା ନାହିଁ ।

 

ସହସା ଗୋଟିଏ ମିଳିତ ଚିତ୍‍କାର ବନଭୂମିରୁ ଉଠିବାର ଶୁଣାଗଲା । ଠାଏ ଠାଏ ଅଗ୍ନିବର୍ଷଣ ହେବାର ଓ ଗୋଟିଏ କ୍ଷୀଣ ସତର୍କ ଘଣ୍ଟା ବାଜି ଉଠିବାର ମଧ୍ୟ ଜଣା ପଡ଼ିଲା । ତା ପରେ କିନ୍ତୁ ପୁଣି ନିରାଟ ଶାନ୍ତି । ନିଦ୍ରାଭିଭୂତ ଜର୍ମାନ ସୈନ୍ୟମାନେ ସେହିପରି ନିଦ୍ରାଭିଭୂତ ରହିବାର ଜଣା ପଡ଼ିଲା । ଫରାସୀ କର୍ମଚାରୀଟି ଭାବିଲେ, ଭାରତୀୟମାନେ ଅକୃତକାର୍ଯ୍ୟ ହେଲେ-

 

କିନ୍ତୁ ଅଳ୍ପ ସମୟ ମଧ୍ୟରେ ଭାରତୀୟ ସୈନିକ ଯୋଡ଼ି ଯୋଡ଼ି ହୋଇ ଗୋଟିଏ ଗୋଟିଏ କି ବସ୍ତୁ ବହନ କରି ଫେରିବାର ଦେଖାଗଲା । ଫରାସୀ କର୍ମଚାରୀ କହିଲେ, ଭାରତୀୟମାନେ, ସେମାନଙ୍କର ଆହତ ବନ୍ଧୁମାନଙ୍କୁ ବୋଧହୁଏ ବୋହି ଆଣୁଛନ୍ତି ।

 

କିନ୍ତୁ ପ୍ରକୃତରେ ଦେଖାଗଲା ଯେ, ଭାରତୀୟମାନେ ଜର୍ମାନ ପ୍ରହରୀମାନଙ୍କୁହିଁ ବୋହି ଆଣିଛନ୍ତି । କି ଅଦ୍‍ଭୁତ କ୍ଷିପ୍ରତା ଓ କୌଶଳ ସହ ସେମାନେ କିପରି ଯେ ୩୦ ଜଣ ଜାଗ୍ରତ ଜର୍ମାନ ପ୍ରହରୀଙ୍କୁ ଏକାବେଳେକେ କରଗତ କରି ଓ ମୁଖ, ହସ୍ତ, ପଦାଦି ବାନ୍ଧି ବୋହି ଆଣିଲେ, ତାହା ଅତୀବ ଆଶ୍ଚର୍ଯ୍ୟଜନକ ବୋଧ ହେଲା । ଏହି ବ୍ୟପାର ପୁଣି ଏପରି ନୀରବରେ ସଂଘଟିତ ହୋଇଥିଲା ଯେ, ଜଣେ ସୁଦ୍ଧା ଜର୍ମାନ ସୈନିକ ଏହାର କିଛିହିଁ ଅନୁଭବ କରି ନ ଥିଲେ ଏବଂ ଯେତେବେଳେ ଜର୍ମାନ ପ୍ରହରୀବର୍ଗ ଭାରତୀୟମାନଙ୍କଦ୍ୱାରା ହସ୍ତ, ପାଦ ଓ ମୁଖବନ୍ଧ ହୋଇ ଶତ୍ରୁ ଭୂମିରେ ଅସହାୟଭାବରେ ଶୟାନ ରହିଥିଲେ, ସେତେବେଳେ ସେମାନେ ଯଥାସ୍ଥାନରେ ନିଜର କର୍ତ୍ତବ୍ୟ କରୁଛନ୍ତି ବୋଲି ମନେ କରି ଜର୍ମାନ ସୈନିକମାନେ ଗଭୀର ନିଦ୍ରାରେ ବିଶ୍ରାମ କରୁଥିଲେ । ଫରାସୀ ସୈନିକ-କର୍ମଚାରୀ ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇ ତାଙ୍କର ସଭ୍‍ରେନଟି ସଙ୍ଗେ ସଙ୍ଗେ ବ୍ରିଟୀଶ କର୍ମଚାରୀଙ୍କୁ ବଢ଼ାଇ ଦେଲେ । ସାହାସୀ ଭାରତୀୟମାନେ ଯେଉଁ ସୁବିଧା ଆଣିଦେଲେ, ତା’ର ସଦ୍‍ବ୍ୟବହାର କରିବା ଲାଗି ସଙ୍ଗେ ସଙ୍ଗେ ବନ ଆଡ଼କୁ ସୈନିକ ପ୍ରେରିତ ହେଲେ ଏବଂ ରାତ୍ରି ପ୍ରଭାତ ବେଳକୁ ସମଗ୍ର ବନଭୂମିରେ ଜର୍ମାନମାନଙ୍କର ଚିହ୍ନ ନ ଥିଲା । କେବଳ ନୈଶ ଅଭିଯାନ ନୁହେ, ଦିବାଯୁଦ୍ଧରେ ମଧ୍ୟ ଭାରତୀୟର କୌଶଳ ଓ ସାହସର ଦୃପ୍ତ ଜର୍ମାନର ଅହଙ୍କାର ବହୁବାର ଚୂର୍ଣ୍ଣ ହୋଇଥିଲା । ଥରେ ଯୁଦ୍ଧ କରୁ କରୁ ଭାରତୀୟମାନେ ପୃଷ୍ଠଭଙ୍ଗର ଛଳନା କରି ଅନତିଦୂରରେ ବୃକ୍ଷଲତାର ଅନ୍ତରାଳରେ ଓ ଖାଇମାନଙ୍କରେ ନିଜ ନିଜକୁ ଲୁକ୍‍କାୟିତ କରି ରଖିଲେ । ଜର୍ମାନସୈନିକମାନେ ସେମାନଙ୍କ ପରିଖା ମଧ୍ୟରୁ ଡେଇଁପଡ଼ି ହୁଙ୍କାର ନାଦରେ ମିତ୍ରଶକ୍ତିମାନଙ୍କର ପଶ୍ଚାଦ୍ଧାବନ କରିବାକୁ ଦୌଡ଼ିଲେ । ସେମାନେ ଏକ ଶତ ହାତ ଦୂରକୁ ଆସନ୍ତେ ଲୁକ୍କାୟିତ ପାଣ୍ଡୁରସେନା ପ୍ରଚଣ୍ଡ ଅଗ୍ନି ବର୍ଷଣରେ ପଶ୍ଚାଦ୍ଧାବନକାରୀମାନଙ୍କୁ ଛିନ୍ନଭିନ୍ନ କରି ପକାଇଲେ । ତତ୍ପରେ ଗୋପନ ସ୍ଥାନମାନଙ୍କରୁ ବାହାରି ପଡ଼ି ପଳାୟମାନ ଜର୍ମାନବାହିନୀଙ୍କୁ ଘଉଡ଼ାଇବାକୁ ଲାଗିଲେ । ଏକ ଦୌଡ଼ରେ ଜର୍ମାନମାନଙ୍କୁ ବିତାଡ଼ିତ କରି, ସେମାନଙ୍କଠାରୁ ଦୁଇଟି ଗ୍ରାମ ଅଧିକୃତ ଏବଂ ସେ ଅଞ୍ଚଳରେ ମିତ୍ର ଶକ୍ତିମାନଙ୍କର ଆସନ ସୁଦୃଢ଼ କରାଯାଇଥିଲା ।

 

ଭାରତୀୟମାନଙ୍କର ସମରକୁଶଳତା କ୍ରମେ ସମସ୍ତେ ଉପଲବ୍‍ଧି କଲେ । ସମସ୍ତଙ୍କ ମୁଖରେ ସେମାନଙ୍କର ପ୍ରଶଂସା ଶୁଣିଯିବାକୁ ଲାଗିଲା । ରଣଭୂମିରେ ରଣବିଭାଗୀୟ ସମ୍ୱାଦଦାତା ଇଂଲଣ୍ଡକୁ ଭାରତୀୟମାନଙ୍କ ସମ୍ୱନ୍ଧରେ ଏହି ସମ୍ୱାଦ ପଠାଇଲେ ଯେ, ‘ସେମାନଙ୍କୁ ଯାହା କରିବାକୁ ଦିଆଯାଇଛି, ସେମାନେ ତାହା କରିଛନ୍ତି । ସେମାନେ ଯେଉଁ ସମରରେଖା ରକ୍ଷା କରିବାକୁ ଆଦିଷ୍ଟ ହୋଇଛନ୍ତି, ତାହା ସେମାନେ ରଖିଛନ୍ତି ଏବଂ ଘୋରତମ ଆହବରେ ସେମାନେ ସେମାନଙ୍କର ବହୁଯୁଗବ୍ୟାପୀ ସମରକୁଶଳତାର ଆର୍ଦଶ ଅକ୍ଷୁଣ୍ଣ ରଖି ପାରିଅଛନ୍ତି ।

 

ଭାରତୀୟମାନଙ୍କର ରଣନୈପୁଣ୍ୟରେ ମୁଗ୍‍ଧ ହୋଇ ସମ୍ରାଟ୍ ପଞ୍ଚମ ଜର୍ଜ ସୈନିକର ଶ୍ରେଷ୍ଠ ପୁରସ୍କାର ‘ଭିକ୍ଟୋରିୟା-କ୍ରସ୍’ ନାମକ ପଦକ ଯୋଗ୍ୟ ଭାରତୀୟମାନଙ୍କୁ ଦିଆଯିବାର ଘୋଷଣା କରିଥିଲେ । ପୂର୍ବେ ଏହି ପଦକ କେବଳ ଇଂରେଜ ସୈନ୍ୟମାନେ ଲାଭ କରି ପାରୁଥିଲେ-। ପୁଣି ନିଜେ ସମ୍ରାଟ୍ ଓ ସମ୍ରାଜୀ ଭାରତୀୟ ଶିବିରକୁ ଶୁଭାଗମନ କରି ଆହତ ଭାରତୀୟମାନଙ୍କୁ ସାନ୍ତ୍ୱନା ଦେଇ ଯାଇଥିଲେ ଏବଂ ଯୋଗ୍ୟ ଭାରତୀୟମାନଙ୍କୁ ନିଜ ହସ୍ତରେ ଭିକ୍ଟୋରିଆ-କ୍ରସ୍‍୍‍ଦ୍ୱାରା ମଣ୍ଡିତ କରି ଥିଲେ ।

Image